Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବେଶ୍ୟାଳୟରେ ଘଣ୍ଟାଏ
ବେଶ୍ୟାଳୟରେ ଘଣ୍ଟାଏ
★★★★★

© Dr Subas Chandra Rout

Tragedy

11 Minutes   229    8


Content Ranking

ଇଏ ଥିଲା ମୋ ଜୀବନର ପ୍ରଥମ ଓ ଶେଷ ଅନନ୍ୟ ଅନୁଭୂତି । ସନ୍ଧ୍ୟା ସମୟ । ସର୍ଦ୍ଦାରଜୀ ଛଦ୍ମ ବେଶରେ ନିଜକୁ ସଜେଇ ବଦନାମ ଗଳି ଭିତରେ ମୁଁ ପଶିଲି । ମୁଣ୍ଡରେ ପଗଡ଼ି ଓ ଗାଲରେ ଦାଢ଼ି ଲଗେଇଥାଏ । ଆଗରୁ ଏହି ସାହିକୁ କେବଳ ଦୂରରୁ ଦେଖିଥିଲି । ଥରେ ରିକ୍‌ସାରେ ସେଇ ବାଟ ଦେଇ ଗଲାବେଳେ ରିକ୍‌ସାବାଲା ମୋତେ ଚିହ୍ନେଇଦେଇଥିଲା । କେବେ ସେ ସାଇ ନିକଟକୁ ମଧ୍ୟ ଯାଇନଥିଲି ।

ବେଶ୍ୟା ଶବ୍ଦ ଶୁଣିଲେ ପୂର୍ବରୁ କେମିତି ଗୋଟିଏ ଘୃଣା ଭାବ ମନରେ ଆସୁଥିଲା । କେମିତି ଲୋକ ସେଠି ଥିବେ କେଜାଣି; ମନରେ ଗୋଟିଏ ଆହେତୁକ ଆଶଙ୍କା ଆସୁଥିଲା । ଏବେ ସେହି ସାଇରେ ମୁଁ ପାଦ ଦେଇଛି । ନିଜ ଚେହେରାରେ ଆସିଥିଲେ ଚିହ୍ନା ଲୋକ କେହି ମୋତେ ସେଠାରୁ ବାହାରିବା ବା ଯିବାର ଦେଖିଲେ ମୋତେ ନିଶ୍ଚୟ ବେଶ୍ୟାସକ୍ତ ଓ ମଦ୍ୟପୀ ଭାବିବେ । ଅନ୍ୟମାନଙ୍କ ଆଗରେ ମୋର ଚରିତ୍ର ବିଷୟରେ ବିଲରେ ଧାନ ମଞ୍ଜି ବୁଣିଲା ଭଳି ମୋ ନାଆଁର ବଦନାମ ମଞ୍ଜି ବୁଣିବେ । ମୋର ଶତୃ ହୋଇଥିଲେ ତ କଥା ସରିଲା । ମୋତେ ନିନ୍ଦା କରିବାର କୌଣସି ମଉକା ଛାଡ଼ିବେନି । ସେଥିଯୋଗୁ ଛଦ୍ମବେଶରେ ଯାଇଥିଲି । ଏହା ବ୍ୟତୀତ ସେଠାରେ ଗରାଖମାନଙ୍କ ପକେଟରୁ ଜବରଦସ୍ତ ଅର୍ଥ ଛଡ଼େଇନିଅନ୍ତି ବୋଲି ଶୁଣିଥିଲି । ଟିକିଏ ଡର ବି ଲାଗୁଥାଏ । ଲୋକମାନେ ରାସ୍ତାରେ ଯିବା ଆସିବା କରୁଥାଆନ୍ତି । ଜଣେ ଜଣେ ଟଳି ଟଳି ଚାଲୁଥାଆନ୍ତି । ମୁହଁରୁ ମଦ ଗନ୍ଧ ପବନରେ ଭାସି ଆସୁଥାଏ । ରାସ୍ତାର ଦୁଇ ପାଖରେ ଦୁଇ ମହଲା ଘର ଧାଡ଼ି ହୋଇ ଥାଏ । ତଳ ମହଲାରେ ଦୋକାନ ଥାଏ । ଉପର ମହଲାରେ ଯୁବତୀ ଝିଅମାନେ ବ୍ୟାଲକନିରେ ଠିଆ ହୋଇ ତଳକୁ ଅନେଇଥାଆନ୍ତି ।

ଜଣେ ଯୁବକ ମୋ ପାଖକୁ ଲାଗି ଆସି କହିଲା, “ସର୍ଦ୍ଦାରଜୀ, ବହୁତ ଭଲ ମାଲ ଅଛି ଆଜ୍ଞା, ଆସନ୍ତୁ ମୋ ସାଥିରେ । ମନ ଖୁସି କରିଦେବି ।”

“କେତେ ଟଙ୍କା ?”

“ହଜାରରୁ ଲକ୍ଷେ ଯାଏ ଆଜ୍ଞା । ଲକ୍ଷେରେ ବିଦେଶୀ ଓ ସଜ ମାଲ । ନାକ ଫୁଲ ପ୍ରଥମ କରି ଆପଣ ଖୋଲିବେ । କେତେ ଦେଇପାରିବେ ?”

“ଅତି ବେଶୀରେ ଦଶ ହଜାର, ତେବେ ମୁଁ ଦେଖିଲା ପରେ ଫାଇନାଲ କରିବା । କିନ୍ତୁ ନାକ ଫୁଲ କଅଣ ?”

ସେ ମୋତେ ଚିଡ଼ିଆଖାନାରେ ପ୍ରଥମ ଥର ଜନ୍ତୁ ଦେଖିଲା ଭଳି ଆଖିରେ ଅନେଇଲା । “ଆପଣ ବୋଧହୁଏ ପ୍ରଥମ ଥର ଆସିଛନ୍ତି ଏଠାକୁ । ଯେଉଁ ଝିଅକୁ କେହି ଉପଭୋଗ କରିନଥାଆନ୍ତି, ସେ ଗୋଟିଏ ସୁନାର ନାକ ଫୁଲ ଲଗେଇଥାଏ । ଥରେ ଉପଭୋଗ ହୋଇଗଲେ ଆଉ ନାକ ଫୁଲ ଲାଗେନି । ଏଇଟା ଏଠିକାର ରିବାଜ ବା ପରମ୍ପରା ।”

ଦୁହେଁ କିଛି ବାଟ ଗଲା ପରେ ଗୋଟିଏ ଦୁଇ ମହଲାକୁ ଶିଡ଼ି ଚଢ଼ିଲୁ । ବ୍ୟାଲକନୀରେ ପ୍ରାୟ ୧୦ ଫୁଟ ଯିବାପରେ ସେ ଗୋଟିଏ କବାଟ ସାମନାରେ ଠିଆହୋଇ ଖଡ଼ ଖଡ଼ କରି ଠେଲି ଦେଲା ଓ ଭିତରକୁ ଦୁହେଁ ପଶିଲୁ । ସାମନାରେ ଜଣେ ମଧ୍ୟ ବୟସ୍କା ମହିଳା ବସିଥିଲେ । ବେଶ ଗୋଲଗାଲ ଚେହେରା । ଦାମୀ ଶାଢୀ ପିନ୍ଧିଥିଲେ । ଦୁଇ ହାତରେ ମୋଟା ସୁନା ଚୁଡ଼ି ୬-୬ ପଟ ଥିଲା ଓ ବେକରୁ ୪ଟି ସୁନା ହାର ଛାତି ଉପରେ ଝୁଲୁଥାଏ । ତାଙ୍କ କାନରେ ସେ ଲୋକ ଫୁସଫୁସ କରି କିଛି କହିଲା ପରେ ସେ ବି କିଛି କହିଲେ । ତା ପରେ ସେ ଲୋକ ମୋତେ ଆଉ ଗୋଟିଏ ବଖରାକୁ ନେଇଗଲା । ମୋତେ ବାହାରେ ଠିଆ କରେଇ ନିଜେ ଭିତରକୁ ଗଲା ଓ କିଛି ସମୟ ପରେ ବାହାରକୁ ଆସି କହିଲା, “ଯାଆନ୍ତୁ ଆଜ୍ଞା, ଦଶ ହଜାର ପଡ଼ିବ । ମୁଁ ପାଞ୍ଚ ମିନିଟ ପରେ ଆସିବି, ମନ ନପାଇଲେ ଅନ୍ୟ ମାଲ ଦେଖିବେ, ମନ ପାଇଲେ ଟଙ୍କା ଆଗତୁରା ଦେଇଦେବେ ।”

ମୁଁ ଏକଥା ଶୁଣି ଭିତରକୁ ଯାଇ କାହାକୁ ନଦେଖି ଗୋଟିଏ ଚୌକିରେ ବସିଲି । ପାଖରେ ଗୋଟିଏ ସୁସଜ୍ଜିତ ବିଛଣା ପଡ଼ିଥାଏ । ବଖରାଟି ଅତି ସୁନ୍ଦର ଦେଖାଯାଉଥାଏ । କାନ୍ଥରେ ସୁନ୍ଦରୀ ଝିଅଙ୍କ ଫୋଟୋ ଟଙ୍ଗା ହୋଇଥାଏ ଓ ସେମାନଙ୍କ ଦେହ ଅଧଢଙ୍କା ହୋଇଥାଏ । ଅଳ୍ପ ସମୟ ପରେ ଗୋଟିଏ ଝିଅ ଭିତରକୁ ଆସିଲା । ଫୁଲପକା ସାଲୱାର ଓ ଛୋଟ ଚିପା କାମିଜ ପିନ୍ଧିଥାଏ । ପେଟ ଦେଖାଯାଉଥାଏ । ଗୋଟିଏ ସୁନ୍ଦର ଓଢ଼ଣି ଟାଣିଥିଲା ଓ ମୁହଁ ଅଳ୍ପ ଘୋଡ଼େଇ ରଖିଥିଲା । ଯେତିକି ମୁହଁ ଦେଖାଯାଉଥିଲା ସେତକ ଓ ଦୁଇ ହାତ ବେଶ ଗୋରା ଦେଖାଯାଉଥିଲା । ସରୁ ଅଣ୍ଟା, ସୁନ୍ଦର ଚାଲି, ଢଳି ଢଳି ଧୀରେ ଧୀରେ ଆସୁଥାଏ । ମୋର ସାହସ ନଥିଲା ତା ପାଖକୁ ଯିବାକୁ । ସେ ଆସି ମୋ ପାଖରେ ଠିଆହେଇ ମୋତେ କିଛି କ୍ଷଣ ଚାହିଁରହିଲା । ମୋ ପାଟିରୁ କିଛି କଥା ବାହାରୁ ନଥାଏ । ମୁଁ ବି ଠିଆ ହୋଇପଡ଼ିଲି । ଖୋଲା ଜାଗାରେ ଲୋକମାନଙ୍କ ଉପସ୍ଥିତିରେ ବି ଜଣେ ମହିଳାଙ୍କ ପାଖରେ ଠିଆ ହେଲେ ଅଶ୍ଵସ୍ତି ଲାଗେ, ଇଏ ତ ସହଜେ ଗୋଟିଏ ବନ୍ଦ ବଖରା ଆଉ ସାମନାରେ ଜଣେ ସୁନ୍ଦରୀ ଝିଅ ।

ମୋ ପାଟି ଅଠା ଅଠା ହୋଇଆସୁଥାଏ । ବହୁତ କଷ୍ଟରେ ପାଟି ଖୋଲି କହିଲି, “ଓଢ଼ଣୀ ଖୋଲନ୍ତୁ, ମୁଁ ମୋର ଆଜିକାର ସାଥୀଙ୍କୁ ଟିକେ ଦେଖେ ।” ଖିଲି ଖିଲି ହସର ଫୁଆରା ସାରା ରୁମରେ ବିଛେଇ ହୋଇ ଖେଳିଗଲା ।

“ସ୍ଵାଗତ, ଆଜିକାର ଅତିଥି । କେତେବେଳୁ ଆପଣ ଖୋଲିବେ ବୋଲି ଓଢ଼ଣୀଟା ଅପେକ୍ଷା କରିଛି । ମୁଁ ତ ଭାବିଲି ଆପଣ କଥା କହି ପାରନ୍ତିନି, ଏମିତି ଠିଆ ଠିଆ ରାତି ପାହିଯିବ । ଯାହାହେଉ ଶେଷରେ କଥା କହିଲେ । ଆପଣ ନିଜେ ପୋଷାକର ଗୋଟିଏ ଗୋଟିଏ ସ୍ତର ଧୀରେ ଧୀରେ ଖୋଲିଲେ ଆପଣଙ୍କୁ ବେଶୀ ଆନନ୍ଦ ଲାଗିବ । ହଠାତ ଖୋଲା ଦେହ ଦେଖିଲେ କଅଣ ଭଲ ଲାଗିବ । ଅସନା ବି ଲାଗିପାରେ ।” ଏହା ଶୁଣି ମୁଁ ବି ଉତ୍ତେଜିତ ହୋଇଆସିଲି । ପାଖକୁ ଯାଇ ଓଢ଼ଣୀଟି ଧୀରେ ଟେକିଦେଲି ।

ପାଟିରୁ ‘ୱାଓ’ ବାହାରିଗଲା । ମୋ ଆଗରେ ଯିଏ ଠିଆ ହୋଇଥିଲେ, ସେ ବୋଧହୁଏ ସେ ବର୍ଷର ମିସ ଇଣ୍ଡିଆଠାରୁବି ଅଧିକ ସୁନ୍ଦରୀ ଦେଖାଯାଉଥିଲେ । ଭଲ କରି ମୁହଁ ଓ ଦେହକୁ ଅନେଇଲି । ଭଲ ଉଚ୍ଚତା, ପ୍ରାୟ ୫ ଫୁଟ ୫ ଇଞ୍ଚ ହେବ, ସୁନ୍ଦର ଗୋଲ ଗୋଲ ସ୍ତନ ଯୁଗଳ ଟେକି ହୋଇରହିଥାଏ ଯେମିତି ମୋତେ ଆମନ୍ତ୍ରିତ କରୁଥିଲା । ମୋ ଦେହର ଉତ୍ତାପ ବଢ଼ିଗଲା ଭଳି ଲାଗିଲା । ତା’ପରେ ତାଙ୍କ ମୁହଁକୁ ଭଲ କରି ଦେଖିଲି । ମୋତେ ଲାଗିଲା, ମୁଁ ଯେମିତି ତାଙ୍କ ଚେହେରା ଥିବା ଝିଅକୁ ଆଗରୁ କେଉଁଠି ଦେଖିଛି । ସେ ବି ମୋତେ ନିର୍ନିମେଷ ନୟନରେ ଅନେଇଥାଆନ୍ତି । ହଠାତ ତାଙ୍କର କହୁଣିକୁ ମୋ କହୁଣି ସାଥିରେ ଛନ୍ଦି ଦେଇ ବିଛଣା ଆଡ଼କୁ ଟାଣି ନେଲେ । ଚାଲିଲା ବେଳେ ତାଙ୍କ କୋମଳ ଉଦ୍ଧତ ଛାତିରେ ମୋ କହୁଣି ବାଜୁଥାଏ । ବିଛଣାରେ ବସେଇ ତାଙ୍କ ଦୁଇ ହାତ ବଢ଼େଇ ମୋ ସାର୍ଟର କଲାରକୁ ଆଡ଼େଇ ଦେଲେ ଓ ବେକକୁ ଆଉଁସିଲେ । ମୁଁ ଭାବିଲି ବୋଧେ ମୋର ମୁହଁକୁ ଦୁଇ ହାତରେ ଧରି ଚୁମ୍ବନ ଦେବେ ।

ମୋତେ ସେଠାରେ ବସେଇ ଦେଇ ହଠାତ ସେ ଉଠି ଟେବୁଲ ପାଖକୁ ଯାଇ ଗୋଟିଏ କାଗଜରେ କିଛି ଲେଖିବାକୁ ଲାଗିଲେ । ମୁଁ ଭାବୁଥାଏ, ଏ ରଙ୍ଗୀନ ସମୟରେ ଇଏ କଅଣ ଲେଖୁଛି ବସି ସେଠି ! ଅଳ୍ପ ସମୟ ପରେ ପାଖକୁ ଆସି ସେ ମୋ ହାତରେ କିଛି ଗେଞ୍ଜି ଦେଇ ମୋ ହାତକୁ ମୁଠା କରିଦେଲେ ଓ “ମୁଁ ଆସୁଛି”, କହି ଚାଲିଗଲେ । ସେ ଯିବାପରେ ମୁଁ ମୁଠା ଖୋଲି ଦେଖିଲା ବେଳକୁ ଗୋଟିଏ କାଗଜ ଥିଲା । ତାକୁ ଖୋଲି ଦେଖିଲି ସେଥିରେ ସୁନ୍ଦର ଅକ୍ଷରରେ ଲେଖାଥିଲା, ଆପଣ ସୋମୁ କି ? ଯଦି ହଁ, ତେବେ ମୁଁ ଏ ରୁମକୁ ଫେରିଲା ବେଳେ ବଡ଼ ପାଟିରେ ‘ହଁ’ କହିବେ । ଯଦି ନୁହେଁ, ତେବେ ‘ନା’ କହିବେ । ଆଶ୍ଚର୍ଯ୍ୟ ହୋଇ ମୁଁ କାଗଜକୁ ଓ ତା ଯିବା ବାଟକୁ ଅନେଇଥାଏ । ହଁ ମୁଁ ସୋମୁ, କିନ୍ତୁ ଇଏ କିଏ ଓ ମୋତେ ଏ ଚିହ୍ନିଲା କେମିତି ! ମୁଁ ତ ଦଲାଲକୁ ମୋ ନାଆଁ କହିନି ! ଆଶ୍ଚର୍ଯ୍ୟ ଚକିତ ହୋଇ ତା ଫେରିବା ବାଟକୁ ମୁଁ ଅନେଇଥିଲି ।

କିଛି ସମୟ ପରେ ସେ ଗୋଟିଏ ହାତରେ ଗୋଟିଏ କାଜୁ ଓ କିସମିସ ପୂର୍ଣ୍ଣ ଥାଳିଆ ଧରି ଆସିଲା । ତାର ଚାଲିରେ ହିଁ ସଂଗୀତ ଥିଲା । ମୋଠାରୁ କିଛି ଦୂରରେ ଅଟକି ଯାଇ ପ୍ରଶ୍ନବାଚୀ ଆଖିରେ ଅନେଇରହିଲା । ମୁଁ ଦ୍ଵିଧାରେ ଧୀରେ ‘ହଁ’ କହିଲି । ତାପରେ ସେ ଥାଳିଆଟି ବିଛଣା ଉପରେ ଥୋଇ ମୋ ପାଖକୁ ଦୌଡ଼ି ଆସିଲା ଓ ମୋତେ ଠିଆ କରେଇ ଆଲିଙ୍ଗନ ପାଶରେ ଆବଦ୍ଧ କରି ମୋ ଗାଲରେ ଗଭୀର ଚୁମ୍ବନ ଦେଲା । ମୋ ପାଟିରୁ ଆନନ୍ଦାତିଶ‌ଯ୍ୟରେ ଓଓଓ ବାହାରିଗଲା । ମୁଁ କିଛି ବୁଝି ପାରିଲିନି ଏମିତି କାହିଁକି ସେ କରୁଛି । କିଛି ବୁଝେ ନବୁଝେ, ପ୍ରତି ଥର ସେ ଚୁମ୍ବନ ଦେଲାବେଳେ ମୋ ଦେହରେ ବିଦ୍ୟୁତ ତରଙ୍ଗ ଖେଳି ଯାଉଥିଲା । ପାଗଳଙ୍କ ଭଳି ମୋତେ ବାରମ୍ବାର ଚୁମ୍ବନ ଦେବା ପରେ ମୋତେ ଭିଡ଼ି ଧରି ବିଛଣାରେ ନେଇ ବସେଇଦେଲା । ତା ଓଠ ମୋ ମୁହଁଠାରୁ ଟିକିଏ ଦୂରକୁ ନେଇ ମୋତେ ଅନେଇ ରହିଗଲା । “ଚିହ୍ନି ପାରୁନୁ ମୁଁ କିଏ ?” ମୋତେ ଚିହ୍ନା ଚିହ୍ନା ଲାଗୁଥିଲା କିନ୍ତୁ ଏଇ ମାହୋଲରେ ଓ ବେଶ୍ୟାଳୟରେ .... କେମିତି କେମିତି ଗୋଟିଏ ଅଡ଼ୁଆ ଅଡ଼ୁଆ ଲାଗୁଥିଲା । ଆଶଙ୍କା, ସଂଶୟ, ଭୟ, ଉତ୍ତେଜନାରେ ମୋ ଦେହ ଧୀରେ ଧୀରେ କମ୍ପିବାକୁ ଲାଗିଲା ଓ ଝାଳ ବୋହିବାକୁ ଲାଗିଲା ।

ଧୀରେ ମୋତେ କାନ ପାଖରେ କହିଲା, “ମୁଁ ସୁମୀ, ଭୁଲିଗଲୁଣି ? ମୋର ମନେ ପଡ଼ିଗଲା । ସେ ମୋ ପଡ଼ିଶା ଘରେ ଗାଁଆରେ ଥିଲା, ମୋର ପ୍ରିୟ ସୁମୀ ଅପା । ମୋ ଠାରୁ ଗୋଟିଏ ଦିନ ବଡ଼ । ତାଙ୍କୁ ଆଉଥରେ ଭଲ ଭାବରେ ଅନେଇଲି । ହଜିଲା ଜିନିଷ ପାଇଲେ ଯେମିତି ଆନନ୍ଦ ଲାଗେ ମୋ ଅବସ୍ଥା ସେମିତି ହୋଇଗଲା । ମୁଁ ମଧ୍ୟ ଆନନ୍ଦରେ ତାକୁ ଆଉଥରେ ଆଲିଙ୍ଗନ କଲି । ଏଥର କିନ୍ତୁ ମୋତେ ଉତ୍ତେଜିତ ଲାଗିଲାନି । ମନରେ ଗଭୀର ପ୍ରଶାନ୍ତି ଆସୁଥିଲା । ମୁହଁ ଟେକି କହିଲି, “ମୁଁ ଛଦ୍ମ ବେଶରେ ଅଛି, ଚିହ୍ନିଲୁ କେମିତି ?”

“ତୋ ବେକରେ ମୋ ରାମ୍ପୁଡ଼ା ଦାଗ ଦେଖି ଚିହ୍ନିଲି । ମନେଥିବ ଦୁହେଁ ଝଗଡ଼ା ଲାଗିଥିଲେ ଦିନେ ଓ ମୁଁ ତୋତେ ରାମ୍ପୁଡ଼ି

ପକେଇଥିଲି ।” ମୋର ମନେପଡ଼ିଗଲା ପୁରୁଣା ଦିନର କଥାମାନ ।

ଅଳ୍ପ ସମୟ ପରେ ସେ କହିଲା, “ହଇରେ, ତୁ କେମିତି ଏଇ ବଦନାମ ଗଳିକୁ ଆସିଲୁ । ତୁ ତ ଭଲ ପିଲା ଥିଲୁ । ଅବଶ୍ୟ ଯୌବନ ଆସିଲେ ଏମିତି ହୁଏ, ତୁ ସେଥିରୁ ବାଦ ଯିବୁ କେମିତି !”

“ତୁ ଯାହା ଭାବୁଛୁ ମୁଁ ତାହା ଠିକ ନୁହେଁ । ମୁଁ ଏଠାକୁ କୌଣସି ମଉଜ ମସ୍ତି କରିବାକୁ ଆସିନି । ମୁଁ ଗୋଟିଏ ମିଶନ ବା ଲକ୍ଷ ନେଇ ଆସିଛି । ସ୍ଵାଧୀନ ଭାବରେ ଫ୍ରିଲାନ୍ସ ସାମ୍ବାଦିକ କାମ କରୁଛି । କିଛି ଦିନ ତଳେ ଖବର କାଗଜରେ ପଢ଼ିଲି, ‘ବେଶ୍ୟା ବୃତ୍ତି ଯୋଗୁ ୮ ଜଣ ଗିରଫ’ । ଏକ ବ୍ୟକ୍ତିଗତ ଗୃହରୁ ୫ ଜଣ ବେଶ୍ୟା ଓ ୩ ଜଣ ଗ୍ରାହକ ଗିରଫ ।” ତାହା ପଢ଼ି ମୋର ଇଚ୍ଛା ହେଲା ବେଶ୍ୟାମାନଙ୍କ ବିଷୟରେ କିଛି ଲେଖିବାକୁ । ସେମାନଙ୍କ ଦୁଃଖ, ମଜବୁରୀ ଓ କେମିତି ଏହି ଧନ୍ଦାକୁ ଆସିଲେ ଇତ୍ୟାଦି ।

ପିଲା ଦିନେ ଗୋଟିଏ ଧାରଣା ଥିଲା; ସମାଜର ବିଭିନ୍ନ ଜାତିମାନଙ୍କ ଭଳି ବେଶ୍ୟା ଗୋଟିଏ ଜାତି । ଶିକ୍ଷିତ ହେବା ପରେ ସେ ଧାରଣା ବଦଳି ଗଲା, ଯେତେବେଳେ ମୁଁ ଜାଣିଲି ଭାଗ୍ୟ ସମୟ ସମୟରେ ମଣିଷକୁ ଗମ୍ଭୀର ପରିସ୍ଥିତିକୁ ଟାଣିନିଏ । ସେମାନେ କୌଣସି ଜାତିର ନହୋଇ ମଧ୍ୟ ଆମ ସମାଜର ଚକ୍ଷୁ ତାଙ୍କୁ ଗୋଟିଏ ଜାତିରେ ପରିଣତ କରିଦେଇଛି । ଆମରି ଝିଅ, ମାଆ, ବୋହୁ ବା ସ୍ତ୍ରୀ ଭଳି ସେମାନେବି କାହାର ଝିଅ, ସ୍ତ୍ରୀ, ମା ବା ବୋହୁ ହୋଇଥିବେ କିନ୍ତୁ ନିଷ୍ଠୁର ଭାଗ୍ୟ, ନିଜର ଅତ୍ୟଧିକ ରୋଜଗାର କରିବାର ଉଚ୍ଚ ଅଭିଳାଶ ବା ଭୋକର ଚାପୁଡ଼ା ଖାଇ ଏଇ ପଥକୁ ଇଚ୍ଛା ବା ଅନିଚ୍ଛାରେ ଆଦରି ନେଇଛନ୍ତି । କ୍ରୀତଦାସଙ୍କ ଭଳି ଏମାନଙ୍କ ମଧ୍ୟରୁ ଅନେକ କିଶୋରୀ ଓ ଯୁବତୀ ଅର୍ଥ ବିନିମୟରେ କ୍ରୟ ହୋଇଥିବେ । ଏହା ହୃଦୟଙ୍ଗମ ହେବା ପରେ ମୋର ପ୍ରବଳ ଇଚ୍ଛା ହେଲା, ବେଶ୍ୟାଳୟକୁ ଯାଇ ଯେ କୌଣସି ଜଣକର ଇଣ୍ଟରଭିୟୁ ନେବି ।

ସେଇ ଖିଆଲକୁ ସାକାର କରିବାକୁ ଯାଇଥିଲି । ତାଙ୍କର ମଜବୁରୀର କାହାଣୀ ଲୋକଙ୍କ ଆଗରେ ବାଢ଼ିଦେଲେ ସେମାନେ ତାଙ୍କର ସମସ୍ୟା ବିଷୟ ହୃଦୟଙ୍ଗମ ତ କରିବେ । ତାଙ୍କୁ ଅତି ଘୃଣା ନଜରରେ ତ ଆଉ ଦେଖିବେନି । ମୋର ପ୍ରବଳ ଇଚ୍ଛା, ଏଠାରୁ ସମସ୍ତଙ୍କୁ ଉଦ୍ଧାର କରି ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିବାକୁ । ଆଜିକାଲି କିନ୍ନର ଓ ସମଲିଙ୍ଗିଙ୍କୁ ମଧ୍ୟ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିବାର ପ୍ରଚେଷ୍ଟା ଚାଲିଛି । ତୁମମାନଙ୍କୁ ସମ୍ମାନର ସହିତ ସମାଜରେ ଯୋଡ଼ିବାକୁ ମୁଁ ଆସିଛି । ଦୈବାତ ତୋ ସାଙ୍ଗରେ ଦେଖା ହୋଇଗଲା । ଆଜିକୁ ଛଅ ବର୍ଷ ତଳେ ଗାଁଆ ଛାଡ଼ି ଭୁବନେଶ୍ଵରକୁ ପଢ଼ିବାକୁ ଆସିଲା ପରେ ଯେତେଥର ଗାଁଆକୁ ଗଲି, ଆଉ ତୋତେ ସେଠି କେବେ ଦେଖିଲିନି । କିନ୍ତୁ ମୋର ପ୍ରଶ୍ନ, “ତୁ କେମିତି ଏଠିକୁ ଆସିଲୁ ।” ମୁଁ ଅନେଇଥାଏ, ତା ଆଖି ସଙ୍ଗେ ସଙ୍ଗେ ଲୁହ ଛଳ ଛଳ ହୋଇ ଦୁଇ ଧାର ବୋହିଆସିଲା ।

ଓଜନିଆ ଦୁଃଖ ଓ କୋହ ଭରା କଣ୍ଠରେ କହିଲା, “ସୋମୁ, ସେ କଥା କହି କଅଣ ଲାଭ ! ମୋର ଜୀବନ ଯୌବନର କାହାଣୀରେ ପୂର୍ଣ୍ଣଚ୍ଛେଦ ପଡ଼ିସାରିଛି । ଏଇ ଜୀବନରେ ସାମାଜିକ ସ୍ଵୀକୃତି ନାହିଁ । ମାନ ସମ୍ମାନ ନାହିଁ । ଭବିଷ୍ୟତ ମଧ୍ୟ ନାହିଁ । ମୁଁ ଗୋଟିଏ ଜୀବନ୍ମୃତ ମଣିଷ । ଆମ ଭଳି ଝିଅଙ୍କର କାହାଣୀ ଶୁଣି କଅଣ ପାଇବୁ ? ଆମେ ସେଇ ଫୁଲ ଯିଏ ପୁଷ୍ପିତା ହେବା ଆଗରୁ ମଉଳି ଯାଉଛୁ । ଆମେ ତ ଆଉ ଦେବତା ଚରଣରେ ଲାଗିପାରିବୁନି । ଆମ ବଞ୍ଚିବା ଓ ମରିବା ସବୁ ସମାନ । ଯିଏ ଆମର ଏ ଦଶା କରିଛି, ତାକୁ ତ ଆମେ ମାରିଦେଇପାରିବାନି । ତା ସାଥିରେ ଲାଗିଲେ ଆହୁରି ବଦନାମ ହେବା ଓ ପଙ୍କରେ ଖାଲି ଘାଣ୍ଟିହେବା ସାର ହେବ । ପୋଡ଼ିଗଲା ତିଅଣରେ କି ସୁଆଦ ଥାଏ କିରେ !”

“ସୁମୀ, ଜୀବନ ସର୍ବଦା ଗତିଶୀଳ ଓ ଚଳ ଚଞ୍ଚଳ । ସୁଖ ଓ ଦୁଃଖ ଚକ୍ରାକାରରେ ଆସେ । ଆଜି ସୁଖ ତ କାଲି ଦୁଃଖ । ମୁଁ ଯେଉଁ କାମ କରୁଛି, ସେ କାମ ଲୋକଙ୍କର ଜୀବନର ଗତିପଥ ବଦଳେଇ ଦେଉଛି । ବଡ଼ ବଡ଼ ଧନୀ ଲୋକ ଓ ମନ୍ତ୍ରୀମାନେ କୁକର୍ମ ଯୋଗୁ ଜେଲରେ ପଶୁଛନ୍ତି । ହତାଶ ହୁଅନି । ତୁ ଦିନେ ମୋର ସବୁଠାରୁ ପ୍ରିୟ ଥିଲୁ । ମୁଁ ବି ତୋର ଖୋଜ ଖବର ନେଇ କିଛି ପାଇଲିନି । ଶୂନ୍ୟରେ ଯେମିତି ମିଳେଇ ଗଲୁ । ତୋ ବାପା ଓ ମାଆଙ୍କୁ ପଚାରିଲେ କହନ୍ତି, ସେ ମାମୁ ଘରକୁ ଯାଇଥିଲା ଓ ସେଠି ଜରରେ ପଡ଼ି ମରିଗଲା । ହଉ, ବର୍ତ୍ତମାନ ପଛ କଥା ଚର୍ଚ୍ଚା କରି ଦୁଃଖର ସାଗର ଭିତରକୁ ଲମ୍ଫ ମାରିବା ଦରକାର ନାହିଁ । ପରେ କେବେ ଶୁଣିବି । ଏବେ ମୁଁ ଆସିଗଲି । ଆମର ପୋଲିସ ସହିତ ବହୁତ ଭଲ ସମ୍ପର୍କ ଥାଏ । ତୋତେ ମୁଁ ନିଶ୍ଚୟ ଏଠାରୁ ଉଦ୍ଧାର କରି ନୂଆ ପରିଚୟ ଦେବି ।”

“କାହିଁକି ମିଛ ଆଶା ଦେଉଛୁ । ଯଦି ବା ଏଠାରୁ ମୋତେ ବାହାର କରିନେବୁ, ମୁଁ କୁଆଡ଼େ ଯିବି ? କେଉଁଠି ରହିବି ? ଖାଇବି କଅଣ ? ମୋ ଦେହ ଖରାପ ହେଲେ କିଏ ଯତ୍ନ ନେବ । କେଉଁ ପରିବାରର ମୁଁ ସଦସ୍ୟ ହେବି ନା କିଏ ମୋତେ ଗେଲ କରିବ ? ଯେଉଁ ମାମୁ କଥା ଶୁଣିଛୁ, ସେଇହିଁ ମୋର ସକଳ ଦୁଃଖର କାରଣ । ବାପା ମା କେବେ ଘରେ ରଖିବେନି । ଯଦି ବା ସ୍ଥାନ ଦେବେ, ଗାଁଲୋକଙ୍କର ଟାହି ଟାପରା ସହିନପାରି ଆତ୍ମହତ୍ୟା କରିଦେବେ । ମୋ ଇତିହାସ ଜାଣିଲେ ଗାଁଆ ଲୋକମାନେ ମଧ୍ୟ ମୋ ଦେହ ଉପରେ ଆଖି ପକେଇବେ । ତୁ କହ, ମୋର ସ୍ଥାନ କେଉଁଠି ? ମୁଁ ତ ସେମିତି ବହୁତ ବେଶି ପାଠ ପଢ଼ିନି ଯେ ଚାକିରି କରି ପେଟ ପୋଷିବି । ବର୍ତ୍ତମାନ କହ, ତୁ ମୋତେ ତୋ ଘରେ ଜାଗା ଦେଇ ରଖିପାରିବୁକି ? ”

ମୋ ପାଟିରୁ ବାହାରିଗଲା, “ହଁ ସୁମୀ, ତୁ ଯଦି ରାଜି, ମୁଁ ତୋତେ ପାଖରେ ରଖିବି, ଇଜ୍ଜତ ସହକାରେ ରଖିବି । ଯଦି ଜୀବନ ସାଥୀ ହେବାକୁ ତୁ ରାଜି, ତାହେଲେ ବି ମୁଁ ରାଜି । ମୁଁ ବାହା ହୋଇନାହିଁ । ଯେ କୌଣସି ଅନ୍ୟ ରାଜ୍ୟକୁ ଯାଇ ବସବାସ କରିବା ଯେଉଁଠି ଆମକୁ କେହି ଚିହ୍ନିନଥିବେ । ଯଦି ସେଥିରେ ରାଜି ନୁହେଁ, ତେବେ ସାଇପଡ଼ିଶା ଓ ମୋ ସାଙ୍ଗ ସାଥିଙ୍କ ଆଗରେ ତୋତେ ‘ମୋ ଦୁଃଖିନୀ ବିଧବା ମାଉସୀ ଝିଅ’ ଚିହ୍ନା ଦେଇକରି ଘରେ ରଖିବି । ଏବେ ତୋ ପାଳି । ତୁ ପିଲାଦିନେ ମୋର ବହୁତ ସେବା କରିଥିଲୁ । ମୋ ଦେହ ଖରାପ ସମୟରେ ମୋ ମାଆ ପାଖରେ ବସି ରହୁଥିଲୁ । ମୋର ଖଣ୍ଡିଆ ଖାବରା ହେଲେ ଡ୍ରେସିଂ କରିବାରେ ସାହାଯ୍ୟ କରୁଥିଲୁ । ଏକଥା ଭୁଲିବି କେମିତି ? ଭୁଲିଗଲେ ମୋଠାରୁ ବେଇମାନ କେହି ହେବେନି । ମୁଁ କାହାର ଉପକାର ଭୁଲି ପାରେନି । ମୁଁ ତୋତେ ବହୁତ ଭଲ ପାଉଥିଲି, ଆଜି ବି ଭଲ ପାଉଛି । ତୋତେ ଏ ଅବସ୍ଥାରେ ମୁଁ କେମିତି ଛାଡ଼ିଯିବି ।”

"ସୋମୁ, କହିବା ଅତି ସହଜ, କରିବା ଅତି କଷ୍ଟ । ମନେକର ତୋ କଥାରେ ପଡ଼ି ମୁଁ ତୋ ସାଥିରେ ଚାଲିଗଲି । ପରେ କୌଣସି କାରଣରୁ ମୋତେ ଯଦି ତ୍ୟାଗ କରିଦେଲୁ, ମୁଁ କୁଆଡ଼ିକାର ହୋଇପାରିବିନି । ନା ଘରର ନା ଘାଟର । ଭିକାରୁଣୀ ହୋଇଯିବି । ଘରର ଦ୍ଵାରତ ଆଗରୁ ବନ୍ଦ ହୋଇସାରିଛି ଓ ଏ ସାହିକୁ ଫେରିଲେ ଏମିତି ମାଡ଼ ହେବ ଯେ ଦେହ ସାରା ନୋଳା ଫାଟିଯିବ । ତା ଛଡ଼ା ପରେ ସମୟକ୍ରମେ ତୋ ମନରେ କୌଣସି କାରଣ ବଶତଃ ମୁଁ ଗୋଟିଏ ଛଡ଼ା ଫୁଲ ବୋଲି ଧାରଣା ପଶିଗଲେ ବହୁତ ଅନୁତାପ କରିବୁ । ଏବେ ଉତ୍ତେଜନା କାରଣରୁ ସେ କଥା ଭାବି ପାରୁନୁ ।”

“ହଁ, ତୋ ଭାବନା ଠିକ, କିନ୍ତୁ ଗୋଟିଏ କଥା ଅଛି । ମଣିଷର ଦେହ କେବେ ବାସି ହୁଏନି । ପ୍ରତି ମୁହୂର୍ତ୍ତରେ ଦେହର କିଛି ଅଂଶର ମୃତ୍ୟୁ ହୁଏ ଓ ତା ବଦଳରେ ନୂଆ ଅଂଶ ଜନ୍ମ ନିଏ । ରକ୍ତରେ ଥିବା ଲାଲ କଣିକାମାନ ୧୨୦ ଦିନରେ ମରିଯାଆନ୍ତି ଓ ସେମାନଙ୍କ ସ୍ଥାନ ପୂରଣ କରିବାକୁ ନୂଆ କଣିକା ସୃଷ୍ଟି ହୁଅନ୍ତି । ତାହେଲେ ଦେହଟା ବାସି କେମିତି ହେବ ? ସବୁବେଳେ ସମାନ ଦେଖାଗଲେ ମଧ୍ୟ ପ୍ରତି ମୁହୂର୍ତ୍ତରେ ଦେହ ବଦଳୁଥାଏ ଓ ସତେଜ ରହେ । ବର୍ତ୍ତମାନ ତୋ ଉପରେ ଛାଡ଼ିଦେଲି, ତୋ ଇଚ୍ଛା କଅଣ ? ଯଦି ରାଜି, ମୁଁ ଅଳ୍ପ ଦିନ ମଧ୍ୟରେ ପୋଲିସ ନେଇ ଆସିବି ଓ ତୋତେ ଏଇ ନର୍କରୁ ଉଦ୍ଧାର କରିବି ।” ଏତିକିବେଳେ ବାହାରେ କବାଟ ବାଡ଼ିଆ ଶବ୍ଦ ଶୁଣାଗଲା । ଲୁହ ପୋଛି ସୁମୀ ତା'ର ଆଲମୀରାରୁ ଦଶ ହଜାର ଟଙ୍କା ନେଇ ଦଲାଲ ହାତରେ ଧରେଇଦେଲା ।

ମୁଁ କହିଲି, “ଯାଉଛି । ତୋ ଜୀବନ ଆକାଶରେ ମୁଁ ନୂତନ ସୂର୍ଯ୍ୟାଲୋକ ଆଣିଦେବି, ଇଏ ମୋର ପ୍ରତିଜ୍ଞା ରହିଲା ।” ଧୀରେ ଧୀରେ ମୁଁ ପଛକୁ ଅନେଇ ରୁମରୁ ବାହାରିଆସିଲି । ସେ ଯେଉଁ ଆଖିରେ ମୋତେ ଅନେଇଥିଲା, ସେ ଚାହାଣି ମୋ ମନର କାନଭାସରେ ସବୁଦିନ ପାଇଁ ଅଙ୍କିତ ହୋଇଗଲା । ଶିଡ଼ିରୁ ଓହ୍ଲେଇବା ବେଳେ ଦଲାଲ ପଛରୁ ଥଟ୍ଟାଳିଆ ସ୍ଵରରେ ପଚାରିଲା, “କଅଣ ବାବୁ ଏତେ ଶୀଘ୍ର କାମ ସରିଗଲା ?” ବୁଲି ପଡ଼ି ମୁଁ କହିଲି, "ତୋତେ ଅସଂଖ୍ୟ ଧନ୍ୟବାଦ । ଆଜି ତୁ ମୋର ଯେଉଁ ସେବା କଲୁ, ସେଥି ପାଇଁ ମୁଁ ସାରା ଜୀବନ ତୋତେ ଭୁଲିପାରିବିନି । ଏଇ ନେ, ହଜାର ଟଙ୍କା, ତୋର ବକସିସ ।" ସେ ନିଶ୍ଚୟ ମୋତେ ଏକ ପାଗଳ ଭାବୁଥିବ, କାରଣ ଏଠାରୁ ଫେରିବା ବେଳେ ପକେଟ ଖାଲି ହୋଇଥିବାରୁ କେହି ଧନ୍ୟବାଦ ଦିଅନ୍ତିନି । ...କ୍ରମଶଃ

ଡ: ସୁବାସ ଚନ୍ଦ୍ର ରାଉତ

ବେଶ୍ୟାଳୟ ବଦନାମ ସୁସଜ୍ଜିତ

Rate the content


Originality
Flow
Language
Cover design

Comments

Post

Some text some message..