ଜୀବନର ଶେଷଗୀତ
ଜୀବନର ଶେଷଗୀତ
--------
ଜୀବନର ଶେଷ ଗୀତ
-----------------
ବହୁତ କିଛି ଲେଖା ସରିଥିଲା।
ବହୁତ ପ୍ରସିଦ୍ଧି ମିଳି ସାରିଥିଲା।
ବହୁତ ପ୍ରଶସ୍ତିପତ୍ର ଲାଭ ହୋଇଥିଲା।
ଦିନେ ଏ ସବୁକୁ ନେଇ ଜଣେ ବୃଦ୍ଧ କବି ଖୁବ୍ ଅହଂକାରୀ ହୋଇଉଠିଲେ।
ତାଙ୍କ ଚାରିପାଖରେ ସେତେବେଳକୁ ଥିଲେ ଶହଶହ ତୋଷାମଦକାରୀ।ସେମାନେ ତାଙ୍କର ଖୁବ୍ ଆଦର,ଯତ୍ନ କରୁଥିଲେ।
ଏ ସମୟକୁ ବେଶ୍ ଉପଭୋଗ କରୁଥିଲେ ସେ।
ତାଙ୍କର ଗୋଟିଏ ଚଷମା ଥିଲା।ସେଇଟା ସତେ ଯେମିତି ଥିଲା ତାଙ୍କର ଜୀବନ। ଚଷମା ବିନା କୌଣସି କାମକୁ ସେ ପାରୁନଥିଲେ।
ଦିନେ କ'ଣ ହେଲା ନା ଚଷମାଟି କବିଙ୍କ ଅହଂକାରକୁ ବରଦାସ୍ତ କରିପାରିଲା ନାହିଁ।କେହି ତା'ର ପ୍ରଶଂସା କରୁ ନ ଥିଲେ।କେହି ତା'ର ଚିନ୍ତା କି ଚର୍ଚ୍ଚା କରୁ ନଥିଲେ।ତେଣୁ ସେ ବିଦ୍ରୋହ କରିବାକୁ ଚାହିଁଲା।ନିଜ ସପକ୍ଷରେ ଯୁକ୍ତି କଲା।
ଏବେ ଅହଂକାରକୁ ନେଇ ଦୁହିଁଙ୍କ ମଧ୍ୟରେ ବିତର୍କର ଝଡ ସୃଷ୍ଟି ହେଲା।
କବି କହିଲେ - ' ମୁଁ ବଡ।ମୋ ଭିତରେ ସ୍ବପ୍ନ ଓ ସମ୍ଭାବନା ଅଛି।ମୁଁ ନୂଆ ସୃଷ୍ଟି କରିପାରେ ।ପୃଥିବୀକୁ ଅନୁଭବ କରିପାରେ ମୁଁ।ତୁ ଜଣେ ସାହାଯ୍ୟକାରୀ ମାତ୍ର। '
ଚଷମା କହିଲା - ' ହୀନ ତୁମର ଚକ୍ଷୁ। ଏକଥା ତ ପ୍ରଥମେ ବୁଝିବାକୁ ଚେଷ୍ଟା କର। ଥରେ ମୋତେ ଅଲଗା କରି ଦେଖ ତ ! କହିବାକୁ
ଚାହେଁ କି ତୁମର ଲେଖା, ପ୍ରସିଦ୍ଧି ଆଉ ପ୍ରଶସ୍ତିପତ୍ର ମୂଳରେ ମୁଁ। '
କବିଙ୍କୁ ଏସବୁ ଖୁବ୍ ବାଧିଲା।ସେ ଉତ୍ତେଜିତ ହେଲେ ଓ ପୁଣି ତାଙ୍କ କଥା କହିବାକୁ ଲାଗିଲେ।ଚଷମା ବି ଛାଡିଲା ନାହିଁ।ଫଳରେ ଝଗଡା ବଢିଲା।ତେଣିକି ଘର ଭିତରେ ଖାଲି ଅଶାନ୍ତି ଆଉ ଅଶ୍ବସ୍ତି।
ଲାଗି ରହିଥିଲା ଏହି ପରିସ୍ଥିତି।
ହଠାତ୍ ଦିନେ କବିଙ୍କର ଦେହାନ୍ତ ହୋଇଗଲା।ଲୋକମାନେ ତାଙ୍କୁ ତାଙ୍କ ପ୍ରିୟ ଚଷମା ସହିତ ମଶାଣିକୁ ଘେନିଗଲେ।
ତମସାଚ୍ଛନ୍ନ ହୋଇ ସାରିଥିଲା ଚଷମାର ପୃଥିବୀ।
ତଥାପି ସେ ଖୁସି ହେଉଥିଲା - ପ୍ରତିଦ୍ୱନ୍ଦୀର ମୃତ୍ୟୁରେ ଜଣେ ଖୁସି ହୁଏ ଯେମିତି। - ' ହାୟ ! ବୁଢାଟା ଏତିକି ବୁଝିଥାନ୍ତା ଯଦି ! ' ଖୁସି ହୋଇ ମନେମନେ କହୁଥିଲା ସେ।
ତା'ର କଥା ସରିନି।ଏତିକିବେଳେ କେହିଜଣେ ଆସି କବିଙ୍କ ମୁହଁ ଉପରୁ ଚଷମାଟିକୁ ଖୋଲି ନେଇ ଅଳିଆଗଦାକୁ ଫିଙ୍ଗି ଦେଲେ।
ବାସ୍ ! ହଠାତ୍ ଚଷମାଟି ଅନୁଭବ କଲା ଯେମିତି ସେ ଖୁବ୍ ଅଲୋଡ଼ା ଓ ଅଦରକାରୀ।ନିଜର ଅତୀତ ଓ ବର୍ତ୍ତମାନ - କେହି ବି ଆଉ ନାହାନ୍ତି ତା' ସହିତ।ଦିଗହଜା ଗୋଟେ ନୌକା ପରି ଛଟପଟ ହେବାକୁ ଲାଗିଲା ସେ।ଶୂନ୍ୟରେ ଶୂନ୍ୟରେ ମିଳେଇ ଯାଉଥିଲା ତା'ର ଅହଂକାର।
ଏବେ କବିଙ୍କ ଅବର୍ତ୍ତମାନରେ ଚଷମା ଟି ତାଙ୍କୁ ଖୁବ୍ ଝୁରିଲା।
- ' ଚିର ହୋଇ ରହେକି ଏଠି କିଛି ! '
- ' ପରିଣାମ ଭୋଗିବାକୁ ହୁଏ । '
- ' ଦିନେ ନା ଦିନେ ସମସ୍ତଙ୍କୁ ଗାଇବାକୁ ହୁଏ ଜୀବନର ଶେଷ ଗୀତ। '
ପ୍ରିୟ କବି ଏସବୁ କଥା ତାଙ୍କ କବିତାରେ କେଉଁଠି ନା କେଉଁଠି ଲେଖିଥିବା ଚଷମାଟିର ମନେ ପଡୁଥିଲା ଏବେ।