Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କର୍ତ୍ତବ୍ଯ
କର୍ତ୍ତବ୍ଯ
★★★★★

© Arabinda Rath

Tragedy

14 Minutes   7.5K    20


Content Ranking



ଲେଖକ- ଅରବିନ୍ଦ ରଥ

ବ୍ଯାଙ୍କ ପ୍ରତୀକ୍ଷାଳୟରେ ଅପେକ୍ଷାରତ ଥିଲେ ବୃଦ୍ଧ ଦମ୍ପତ୍ତି। ସେଦିନ ସୋମବାର ଥିଲା, ତେଣୁ ବ୍ଯାଙ୍କରେ ନାହିଁ ନ ଥିବା ଭିଡ ଥିଲା। ବୃଦ୍ଧ ହାତରେ କାଗଜଭର୍ତ୍ତି ଏକ ଫାଇଲ ଧରିଥିଲେ ଓ ତାଙ୍କ ଚକ୍ଷୁଯୁଗଳରେ ଅସହାୟତା ଓ ଉଦ୍ ବିଗ୍ନତାର ଚିହ୍ନ ସ୍ପଷ୍ଟ ବାରି ହୋଇପଡୁଥିଲା। ନିହାତି ସାଧାରଣ ବେଶ ପୋଷାକ ପରିହିତ ସେହି ବୃଦ୍ଧଙ୍କୁ ଦେଖିଲେ ଲାଗୁଥିଲା ; ଯେମିତି ଏକ ଅନ୍ତହୀନ ଯାତନାର ବହ୍ନିରେ ସେ ଦଗ୍ଧୀଭୂତ। ବୃଦ୍ଧାଙ୍କର କୋଟରଗତ ଚକ୍ଷୁରେ ନିରାଶା ଓ ଦୁଃଖର ମିଶାମିଶି ଭାବ ଉକୁଟି ଉଠୁଥିଲା। ଚପରାଶୀ ଡାକରାରେ ମ୍ଯାନେଜରଙ୍କ ପ୍ରକୋଷ୍ଠରେ ଦୁଇଜଣ ପ୍ରବେଶ କଲେ । କିଛି ସମୟ ଭିତରେ କଲିଂ ବେଲଟି ଅନବରତ ବାଜିବାରେ ଲାଗିଲା। ଚପରାଶୀ ସେ ଦୁଇଜଣ ବୃଦ୍ଧବୃଦ୍ଧାଙ୍କୁ ଧକ୍କା ମାରି ବାହାର କରିଦେବା ଦେଖାଗଲା।

ବୃଦ୍ଧାଟି ବିକଳରେ କାନ୍ଦିକାନ୍ଦି କହୁଥାଏ-- ଏତେ ନିର୍ଦ୍ଦୟ ହୁଅନାହିଁ ବାବୁ, ଆମ ଜମା ଟଙ୍କା ତକ ଦୟାକରି ଆମକୁ ଦେଇଦିଅ, ଆମେ ବହୁତ କଷ୍ଟରେ ଚଳୁଛୁ। କିନ୍ତୁ, ତାଙ୍କର ବିକଳ ପ୍ରାର୍ଥନା ବ୍ଯାଙ୍କ କର୍ମଚାରୀଙ୍କ ମନରେ କୌଣସି ପ୍ରତିକ୍ରିୟା ସୃଷ୍ଟି କରିବା ପରି ଲାଗିଲାନି। ଶେଷରେ ବୃଦ୍ଧବ୍ଯକ୍ତି ନୀରବ ହୋଇ ବୃଦ୍ଧାଙ୍କ ହାତ ଧରି ବ୍ଯାଙ୍କରୁ ଅପସରି ଗଲେ। ସେଠାରେ ଉପସ୍ଥିତ ଥିବା ଲୋକେ କୁହାକୁହି ହେଉଥାଆନ୍ତି-- ଏ ବ୍ଯାଙ୍କ କର୍ମଚାରୀ ମାନେ ବିଚରା ଦୁଇଜଣଙ୍କୁ ଯେପରି ହୀନିମାନିଆ କରୁଛନ୍ତି, ସେମାନେ ଶେଷରେ ଆତ୍ମହତ୍ଯା କରିବାକୁ ବାଧ୍ଯ ହେବେ।

ଶାନ୍ତ, ସରଳ ଓ ଛନ୍ଦକପଟହୀନ ଅରୁଣବାବୁଙ୍କର ଦିନେ ଏପରି ଅବସ୍ଥା ହେବ କେହି ଭାବି ନ ଥିଲେ। ଜଳସେଚନ ବିଭାଗ ର ବଡବାବୁ ପଦବୀରୁ ଦୁଇବର୍ଷ ତଳେ ଅବସର ଗ୍ରହଣ କରି, ଗାଁଆରେ ଗଢିଥିବା ଘରେ, ଧର୍ମପତ୍ନୀ ରମାଙ୍କ ସହ ଜୀବନର ବାକି ସମୟ କାଟିବାକୁ ମନସ୍ଥ କରିଥିଲେ ସେ। ଏକମାତ୍ର ପୁଅ ମୁନା ସହରର ଡାକ୍ତରଖାନାରେ ଜଣେ ନାମଜାଦା ଡାକ୍ତର ରୂପରେ ଅଧିଷ୍ଠିତ। ତେବେ କାହିଁକି ସେମାନଙ୍କର ଏପରି ଦୟନୀୟ ଅବସ୍ଥା ହୋଇଛି? କିଏ ଦାୟୀ ସେମାନଙ୍କ ଦୁର୍ଦ୍ଦିନ ପାଇଁ?

ମେଟ୍ରିକ୍ ପରୀକ୍ଷାରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ଯରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହୋଇଥିଲା ଅରୁଣବାବୁଙ୍କର ଏକମାତ୍ର ପୁଅ ମୁନା। ସେଦିନ ଗର୍ବରେ ଛାତି ଫୁଲେଇ ଚାଲିଲା ବେଳକୁ, ଅନେକ ବନ୍ଧୁବାନ୍ଧବ ଓ ସାଙ୍ଗ,ସାଥୀଙ୍କର ଶୁଭକାମନା ଅଜାଡି ହୋଇ ପଡୁଥିଲା। ସ୍ବଳ୍ପ ବେତନଭୋଗୀ ଚାକିରିଆ ଅରୁଣବାବୁ, ପୁଅକୁ ଟିଉସନରେ ଦେବା, ଭଲ ସ୍କୁଲରେ ପଢାଇବା ଓ ଅନ୍ଯାନ୍ଯ ସୁବିଧା ଯୋଗାଇବା ପାଇଁ ଅସମର୍ଥ ଥିଲେ ; କିନ୍ତୁ ତାକୁ ଜଣେ ଶ୍ରେଷ୍ଠ ବିଦ୍ଯାର୍ଥୀ ଭାବରେ ପ୍ରତିଷ୍ଠିତ କରାଇ ପାରିଥିଲେ। ତାଙ୍କର ଦିଗଦର୍ଶନ ଓ ଅକ୍ଳାନ୍ତ ପ୍ରଚେଷ୍ଟା ସହିତ ତାଳ ଦେଇ ପାଠ ପଢି ଚାଲିଥିଲା ମୁନା ଓ ସଫଳକାମ ମଧ୍ଯ ହେଲା। ପୁଅକୁ ଶୁଭକାମନା ଜଣାଇବାକୁ ଆସୁଥିବା ପଡୋଶୀ ମାନଙ୍କୁ ମିଠାଇ ଦେଇ ଆପ୍ଯାୟିତ କରିଚାଲିଥିଲେ ରମା। ତାଙ୍କ ପୁଅର ଉଜ୍ବଳ ଭବିଷ୍ଯତ ପାଇଁ ଦିଅଁ ଦେବତା ଙ୍କ ଉଦ୍ଦେଶ୍ଯରେ ସେ ଅଗଣିତ ମାନସିକ ଯାଚି ଚାଲିଥିଲେ। ରାଜଧାନୀର ସ୍ବନାମଧନ୍ଯ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ଯକ୍ରମରେ ନାମ ଲେଖାଇଲା ମୁନା। ଦିନ ପରେ ଦିନ ବିତି ଚାଲିଲା ଓ ମୁନା ପାଠର ଗୋଟିଏ ପରେ ଗୋଟିଏ ସୋପାନ ସଗର୍ବେ ଲଙ୍ଘିଚାଲିଲା। ଅରୁଣବାବୁ ତାକୁ ବରାବର ଗୋଟିଏ କଥା କହି ଚାଲିଥାଆନ୍ତି

-- ମୁନା , ତୁ ମନ ଦେଇ ପାଠ ପଢ। ମନରେ ଭବିଷ୍ଯତ ପାଇଁ ଲକ୍ଷ୍ଯ ରଖି ଆଗେଇ ଚାଲ, ନିହାତି ସଫଳ ହେବୁ। ତୋ ମାଆ ଓ ମୁଁ, ଗାଁଆରେ ଭଲରେ ଅଛୁ। ଆମପାଇଁ ଚିନ୍ତା ନ କରି ତୋ ଭବିଷ୍ଯତ ନିର୍ମାଣରେ ମନୋନିବେଶ କର।

ମୁନା ମନରେ ପିଲାଟି ଦିନରୁ ଡାକ୍ତର ହେବାର ଇଛା ପ୍ରବଳ ଥିଲା। ନିଜକୁ ଡାକ୍ତର ରୂପରେ ଗଢିବାର ତପସ୍ଯାରେ ବ୍ରତୀ ହୋଇ, ଦିନରାତି ଅକ୍ଳାନ୍ତ ପରିଶ୍ରମ କରିବାରେ ଲାଗି ପଡିଥିଲା। ପ୍ରବେଶିକା ପରୀକ୍ଷା ପାଇଁ କିଛି ଦିନ ବାକିି ଥିଲା, ସେତିକି ବେଳକୁ ଅରୁଣବାବୁ ବ୍ରେନ୍ ମ୍ଯାଲେରିଆ ରୋଗରେ ଆକ୍ରାନ୍ତ ହେଲେ। ରମା ଓ ମୁନା ବେଶ୍ କିଛି ଦିନ ଧରି ତାଙ୍କର ସେବା ଶୁଶ୍ରୁଶାରେ ଲାଗି ରହିଲେ। ସେତିକି ସମୟ ମୁନାର ପାଠ ପଢାରେ ଘୋର ବ୍ଯାଘାତ ସୃଷ୍ଟିହେଲା। କାହିଁକି କେଜାଣି, ମୁନା ମନରେ ବାପାଙ୍କ ପ୍ରତି ଲୁକ୍କାୟିତ କ୍ରୋଧ ଜନ୍ମ ନେଇସାରିଥିଲା। ସେ ଭାବୁଥିଲା ତା ସ୍ବର୍ଣ୍ଣାଭ ଭବିଷ୍ଯତର ପଥକୁ ତା ବାପା କଣ୍ଟକିତ କରିଥିଲେ। ମନର ଭାବନା କୁ ମନରେ ଚାପି ରଖିଥିଲା ; କିନ୍ତୁ ଯେଉଁ ଦିନ ପ୍ରବେଶିକା ପରୀକ୍ଷାର ଫଳ ବାହାରିଲା, ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କ ତାଲିକାରେ ନିଜ ନାମ ନ ଦେଖି ସେ ଭୀଷଣ ଭାବରେ ମାନସିକ ଆଘାତ ପାଇଲା। ସିଧା ସଳଖ ଅରୁଣ ବାବୁଙ୍କୁ ଦୋଷ ଦେଇ କହିଲା-- ବାପା, ତୁମ ପାଇଁ ମୋ ଡାକ୍ତର ହେବାର ଆଶା ଧୂଳିସାତ୍ ହୋଇଗଲା। ପୁଅର ଏତାଦୃଶ ଆଚରଣରେ ଭୀଷଣ ଭାବରେ କ୍ଷତାକ୍ତ ହେଲେ ଅରୁଣ ବାବୁ। କିନ୍ତୁ ସେ ଥିଲେ ନିରୁତ୍ତର, ପୁଅର ଦୁର୍ଦ୍ଦିନ ପାଇଁ ସେ ଦାୟୀ ବୋଲି ପୁଅ ମୁହଁରୁ ଶୁଣିବା ପରେ ମନେମନେ ସନ୍ତୁଳି ହେଉଥିଇେ। ରମା ପୁଅକୁ ବୁଝାଇ ଶୁଝାଇ ପୁଣି ଥରେ ପରୀକ୍ଷା ଦେବା ପାଇଁ ରାଜି କରାଇଲେ। ଏଥର କିନ୍ତୁ ମୁନା ଏକ ସର୍ତ୍ତ ରଖିଥିଲା। ପରୀକ୍ଷା ସରିବା ଯାଏଁ ସେ ଘରକୁ ନ ଆସି ସହରରେ ପ୍ରସ୍ତୁତି କରିବ ଓ ସଫଳ ହେବା ପରେ ହିଁ ଘରକୁ ଫେରିବ। ଇଛା ନ ଥିଲେ ମଧ୍ଯ ସେ ସର୍ତ୍ତରେ ରାଜି ହେବାକୁ ବାଧ୍ଯ ହେଲେ ଅରୁଣ। ପୁଅର ଭବିଷ୍ଯତ ପାଇଁ ନିଜର ସ୍ବାର୍ଥର ଜଳାଞ୍ଜଳୀ ଦେବାକୁ ପଡେ ପ୍ରତି ପିତାମାତାଙ୍କୁ, ସେ ବା ବାଦ୍ ପଡିବେ କିପରି ?

ମୁନା ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ସତ, ମାତ୍ର ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହେଲା ଓ କୌଣସି ସରକାରୀ ମେଡିକାଲ କଲେଜ୍ ରେ ସିଟ୍ ପାଇଲା ନାହିଁ। ମୁନା ନିଜ ଜିଦ୍ ରେ ଅଟଳ ଥିଲା। କୌଣସି ମତେ ସେ ମେଡିକାଲ ପଢିବାକୁ ଚାହୁଁଥିଲା,କଲେଜ୍ ପଛେ ସରକାରୀ ହେଉ ବା ବେସରକାରୀ। ବେସରକାରୀ ମେଡିକାଲ କଲେଜ୍ ରେ ନାମ ଲେଖାଇବାକୁ ଆବଶ୍ଯକ ପଡୁଥିଲା ଲାକ୍ଷାଧିକ ଟଙ୍କାର। କିନ୍ତୁ ଅରୁଣଙ୍କ ପରି ଜଣେ ସ୍ବଳ୍ପ ବେତନ ଭୋଗୀ କର୍ମଚାରୀ କେମିତି ଯୋଗାଡ କରିବେ ଏତେ ଟଙ୍କା, ସେଇ ଚିନ୍ତାରେ ସେ ବୁଡି ରହୁଥିଲେ। ନାମ ଲେଖାଇବାରେ ବିଳମ୍ବ ହେବାରୁ ମୁନା ମନରେ ଜନ୍ମ ନେଉଥିଲା ବିଦ୍ରୋହ। ସେ ସମୟ ସମୟରେ ଅରୁଣ ଓ ରମାଙ୍କୁ ଦୋଷ ଦେବାରେ ଅବହେଳା କରୁ ନ ଥିଲା। ଏପରିକି ସିଧା ସଳଖ ଅରୁଣଙ୍କୁ କହୁଥିଲା-- ତୁମ ଦେହ ଯଦି ମୋ ପରୀକ୍ଷା ବେଳକୁ ଖରାପ ହୋଇ ନ ଥାନ୍ତା, ମୁଁ ଆଜି ମେଡିକାଲ ପଢୁଥାନ୍ତି। ବାପା ତୁମ ପାଇଁ ମୋ ଜୀବନଟା ବରବାଦ ହୋଇଗଲା।

ଶେଷରେ ନିରୁପାୟ ହୋଇ ବ୍ଯାଙ୍କର ଦ୍ବାରସ୍ଥ ହେଲେ ଅରୁଣବାବୁ। ନିଜର ସର୍ବସ୍ବ ବନ୍ଧା ପକାଇ ପୁଅ ପାଇଁ ଲାକ୍ଷାଧିକ ଟଙ୍କା କରଜ ରୂପରେ ଯୋଗାଡ କରିବାରେ ସଫଳ ହେଲେ। ବ୍ଯାଙ୍କର ସର୍ତ୍ତଥିଲା, ମୁନା ଚାକିରି କରିବା ପରେ ସମସ୍ତ ଋଣ ଶୁଝିବା ଆରମ୍ଭ କରିବ। ଡାକ୍ତରୀ ପାଠ ପଢିଥିବା ଲୋକ କେବେ ବେକାର ବସିବାର ନଜିର ନାହିଁ। ତେଣୁ ଅରୁଣ ବାବୁ ଓ ବ୍ଯାଙ୍କ ମ୍ଯାନେଜର ଜାଣିଥିଲେ ଯେ ରୂଣ ଟଙ୍କାଟା ଶୁଝିବାରେ କିଛି ଅସୁବିଧା ଭବିଷ୍ଯତରେ ହେବନାହିଁ।

ଖୁସି ଖବରଟା ମୁନାକୁ ଶୁଣାଇଲା ବେଳକୁ ମୁନା ମୁହଁରେ ବିଚିତ୍ର ଭଙ୍ଗୀ ଉକୁଟାଇ କହିଲା-- ତୁମର କର୍ତ୍ତବ୍ଯ ହେଲା, ଯେମିତି ବି ହେଉ ମୋତେ ଡାକ୍ତରୀ ପଢାଇବା। ସେଥିପାଇଁ ଯଦି ଘରଦ୍ବାର ବନ୍ଧା ପଡିଗଲା, ଏତେ ଚିନ୍ତା କରିବାର କଣ ଅଛି। ଅରୁଣଙ୍କ ମୁହଁରେ ଝଲସି ଉଠିଥିବା ଆନନ୍ଦ, ମୁନାର କଠୋର ବାକ୍ଯବାଣରେ ଛିନ୍ନବିଛିନ୍ନ ହୋଇଗଲା। ତଥାପି ମନର ବେଦନା କୁ ମନରେ ଚାପି ଦୀର୍ଘ ନିଶ୍ବାସ ପକାଇ କହିଲେ-- ହଁ ରେ ପୁଅ ତୁ ଠିକ୍ କହିଲୁ। ମୋ ଅନ୍ତେ ଏ ସବୁ ସମ୍ପତ୍ତି ତୋ’ର। ଯଦି ତୋ କାମରେ ଏ ସମ୍ପତ୍ତି ନ ଲାଗିବ, ତେବେ କ’ଣ ଲାଭ ଅଛି ?

ମୁନାର କଥାବାର୍ତ୍ତା ନିହାତି ଅରୁଚିକର ମନେ ହେଲେ ମଧ୍ଯ ରମା ନିରୁତ୍ତର ଥିଲେ। ସେ ଭାବୁଥିଲେ ବୋଧହୁଏ ଟଙ୍କା ଯୋଗାଡରେ ବିଳମ୍ବ ହେବାରୁ ମୁନା ମନରେ ବିରକ୍ତିଭାବ ଜନ୍ମ ନେଉଛି।

ମେଡିକାଲ୍ ପଢିବା ପରଠାରୁ ମୁନାର ଗାଁଆକୁ ଆସିବା ଯଥେଷ୍ଟ କମି ଯାଇଥିଲା। କିନ୍ତୁ ତା’ର ଚଳିବା ପାଇଁ ମାସକୁ ମାସ ଟଙ୍କା ପଠେଇବାରେ କେବେ ଅବହେଳା କରୁ ନ ଥାନ୍ତି ଅରୁଣ। ଭଲମନ୍ଦ ବୁଝିବା ପାଇଁ କେବେ କେମିତି ମେଡିକାଲ କଲେଜ୍ କୁ ଗଲେ ମୁନା ବିରକ୍ତ ହେଉଥିଲା। କଲେଜ୍ ରେ ତାର ସାଙ୍ଗ ମାନେ ଥିଲେ ବହୁତ ବଡବଡିଆ ଲୋକଙ୍କର ପିଲା। ସେମାନଙ୍କ ଆଗରେ ଅରୁଣ ଓ ରମାଙ୍କ ପରି ନିହାତି ସାଧାରଣ ଲୋକଙ୍କର ଉପସ୍ଥିତି ତାକୁ ବଡ ଦୃଷ୍ଟିକଟୁ ଲାଗୁଥିଲା । ସ୍ନେହରେ ତା ପାଇଁ ଆଣିଥିବା ନାନା ଜାତିର ପିଠା, ମୁଆଁ ଓ ମିଠାଇ, ସେ କେବେ ମଧ୍ଯ ଖାଉ ନ ଥିଲା; ଫିଙ୍ଗି ଦେଉଥିଲା ନଚେତ୍ ପିଅନ ବା ବାହାଦୂର ମାନଙ୍କୁ ଦେଇ ଦେଉଥିଲା। ଥରେ ମୁନାର ଜଣେ ସାଙ୍ଗ ଅରୁଣ ଓ ରମାଙ୍କୁ ଦେଖି ଦେଇଥିଲା। ସେଦିନ ସବୁ ସାଙ୍ଗ ମିଶି ତା ସହ ବହୁତ ଥଟ୍ଟା ତାମସା କଲେ। କିଛି ପିଲା ଅରୁଣ ଓ ରମାଙ୍କ ଚାଲିଚଳଣର ନକଲ କରି ଚିଡାଇବାରେ ଲାଗିଲେ। ରାତିରେ ବିଛଣା ଉପରେ ଢେର୍ ସମୟ କାନ୍ଦିଲା ସେ। ମନରେ କେବଳ ଗୋଟିଏ ପ୍ରଶ୍ନ ବାରମ୍ବାର ଆନ୍ଦୋଳିତ ହେଉଥାଏ ; କାହିଁକି ତା ବାପା ଏତେ ଗରୀବ ହେଲେ? ମନରେ ତାର ଜନ୍ମ ନେଲା ଏକ ବିଚିତ୍ର ଭାବନା। ସେ ମନରେ ସଂକଳ୍ପ କଲା-- ମୁଁ ଭବିଷ୍ଯତରେ ଭଲ ଡାକ୍ତର ହୁଏ ବା ନ ହୁଏ ପରବାୟ ନାହିଁ, କିନ୍ତୁ ସବୁଠାରୁ ଧନୀ ବ୍ଯକ୍ତି ଭାବରେ ନିଜକୁ ଗଢି ତୋଳିବି। ସେଥିପାଇଁ ମୁଁ କିଛି ବି କରିବି।

ଡାକ୍ତରୀ ପାଠର ବିଶାଳ ସମୁଦ୍ରରେ ପହଁରିବାରେ ନିମଗ୍ନ ଥିବା, ମୁନା ମନରୁ ତା ବାପା ମାଆଙ୍କ ପ୍ରତି ଥିବା ଭଲପାଇବା ଓ କର୍ତ୍ତବ୍ୟବୋଧ ଧିରେଧିରେ ବିଲୁପ୍ତ ହେବାକୁ ଲାଗିଲା। ତାକୁ ଲାଗିଲା, ବାପାଙ୍କର କର୍ତ୍ତବ୍ଯ ହେଲା ତାକୁ ପାଠ ପଢାଇବେ, ଖର୍ଚ୍ଚର ସମସ୍ତ ଭାର ବହନ କରିବେ ଓ ତା’ର ପ୍ରତ୍ଯକ ଦାବୀ ପାଳନ କରିବେ। ପ୍ରତିବଦଳରେ ତା କର୍ତ୍ତବ୍ଯ ଥିଲା, କେବଳ ନିଜକୁ ଡାକ୍ତର ରୂପରେ ଅଧିଷ୍ଠିତ କରିବା।

ଅରୁଣବାବୁ ଚାକିରିରୁ ଅବସର ଗ୍ରହଣ କରିସାରିଥିଲେ ଓ ମୁନା ମେଡିକାଲ କଲେଜ୍ ରୁ ଉତ୍ତୀର୍ଣ୍ଣ ହୋଇ ସାରିଥିଲା। ଅରୁଣ ବାବୁ ଜଣେ ଚାକିରିଆ ହିସାବ ରେ ବ୍ଯାଙ୍କରୁ ନେଇଥିବା ରୂଣ ଶୁଝି ନ ପାରିବା କାରଣରୁ ଅବସର ନେଲା ପରେ ତାଙ୍କୁ ମିଳିବାକୁ ଥିବା ଅବସର କାଳୀନ ବକେୟା ଅର୍ଥ ମିଳିପାରୁ ନ ଥିଲା। ଏପରିକି ପେନସନ ମିଳିବ କି ନାହିଁ ସେ ବିଷୟ ମଧ୍ଯ ଅଫିସ ରେ ବିଚାରାଧିନ ଥିଲା। ପୁଅର ପାଠ ପଢା ପାଇଁ ନିଜର ସର୍ବସ୍ବ ବନ୍ଧା ପକେଇ ସାରିଥିବା ଅରୁଣ ବାବୁଙ୍କୁ ଭବିଷ୍ଯତର ଦିନ ଗୁଡିକ ବଡ ଭୟାବହ ଦିଶୁଥିଲା। ବିଭିନ୍ନ ରୋଗ ଜିନିତ ଶାରିରୀକ ଦୁର୍ବଳତା ଓ ମାନସିକ ଚାପର ଭାର, ତାଙ୍କ ଶରୀରକୁ କୃଶକାୟ କରି ଚାଲିଥିଲା।

କେତେ ବର୍ଷ ହେଲାଣି ଘର ଭିତରେ ମୁନାର ନାମ ଉଚ୍ଚାରିତ ହୋଇନାହିଁ। ସେଇ ସହରରେ ମୁନା ନିଜର ନୂତନ ପୃଥିବୀ ସଜାଡିବାରେ ବ୍ଯସ୍ତ ଥିଲା। ଏକ ବେସରକାରୀ ଡାକ୍ତରଖାନାରେ ସେ ଡାକ୍ତର ଭାବରେ କାର୍ଯ୍ଯ ଆରମ୍ଭ କରି ସାରିଥିଲା। ପାଖପଡୋଶୀ ମାନେ କୁହନ୍ତି ସେ ଏବେ ସହରର ଜଣେ ନାମଜାଦା ଡାକ୍ତର। ରୋଗୀ ମାନେ ପୋକମାଛି ପରି ତା ଚାରି ପାଖରେ ଘୁରି ବୁଲନ୍ତି। କିନ୍ତୁ ସେ ନିଜ ବାପ ମାଆଙ୍କୁ ଏକ ରକମ ଭୁଲି ଗଲାଣି କହିଲେ ଅତ୍ଯୁକ୍ତି ହେବ ନାହିଁ। ବ୍ଯାଙ୍କର ବକେୟା ରୂଣ ପରିଶୋଧ କରିବା ପାଇଁ ଅନେକ ଥର ନୋଟିସ୍ ଘରକୁ ଆସିଲାଣି। ଏପରିକି ଘର ବାଡି ସବୁ ବ୍ଯାଜାପ୍ତ ହୋଇଯିବ ବୋଲି ଧମକ ମଧ୍ଯ ଆସିଲାଣି। ପ୍ରତି ଥର ନୋଟିସ୍ ଟି ଧରି ଅରୁଣ ବାବୁ ମୁନା ପାଖକୁ ଦଉଡନ୍ତି। ମନ ରେ ଆଶା ଥାଏ କାଳେ ମୁନା କିଛି ଟଙ୍କା ଦେବ, କାଳେ ସବୁ ରୂଣ ପରିଶୋଧ କରିଦେବ। କିନ୍ତୁ ପ୍ରତିଥର ନିରାଶ ମନରେ ଘରକୁ ଫେରନ୍ତି।

ମୁନା କୁହେ-- ମୋ ଉପରେ କେତେ ଦାୟୀତ୍ବ ତୁମେ କାହୁଁ ଜାଣିବ? ଛୋଟମୋଟ ଚାକିରି କରି ତୁମ ଜୀବନ ର ସବୁ ସମୟ ଗଲା। କିନ୍ତୁ ଏବେ ଦୁନିଆରେ ତିଷ୍ଠିବା ପାଇଁ ବହୁତ ଟଙ୍କା, ପରିଶ୍ରମ ଓ ବୁଦ୍ଧିର ଆବଶ୍ଯକତା ଅଛି। ତୁମେ ମାନେ ତ ମୋ ପାଇଁ ସେମିତି କିଛି କରିନ ! ମୋ ସାଙ୍ଗ ପିଲା ମାନଙ୍କର ବାପା ମାନେ ସେମାନଙ୍କୁ ଯେତିକି ସୁବିଧା ଦେଇ ପାଠ ପଢାଇଛନ୍ତି ତା’ର କାଣିଚାଏ ସୁଦ୍ଧା ମୋ ଭାଗ୍ଯ ରେ ନ ଥିଲା। ତେଣୁ ନିଜକୁ ପ୍ରତିଷ୍ଠିତ କରିବାକୁ ଦିନରାତି ଖଟିବାକୁ ପଡୁଛି। ଯଦି ଏ ସମୟରେ ତୁମେ ଟଙ୍କା ମାଗିବାକୁ ଦଉଡି ଆସିବ ମୁଁ କରିବି କ’ଣ? ତୁମେ ସେ କରଜ ନେଇଥିଲ, ସେତିକି ଶୁଝିବା ଦାୟୀତ୍ବ ତୁମର। କିଛି ନହେଲେ ବାପ ହିସାବ ରେ ଏତିକି କଷ୍ଟ ତ ମୁଣ୍ଡାଇବାକୁ ପଡିବ। ମୋର ସେ ଘରବାଡି, ଜମିି କିଛି ଦରକାର ନାହିଁ। ଯଦି ବ୍ଯାଙ୍କ ସେସବୁ ନିଲାମ କରିଦେବ, କିଛି ଅସୁବିଧା ନାହିଁ।

ଖୁବ୍ କମ ସମୟ କଥାହୋଇ ଅରୁଣଙ୍କୁ ବିଦା କରିଦିଏ ମୁନା। ଏପରିକି ସେ ପଚାରି ପାରନ୍ତିନି, ମୁନା କେଉଁଠାରେ ରହୁଛି, କେମିତି ଚଳୁଛି। ଘରକୁ ଥରେ ଆସି ବୁଲିଯିବା ପାଇଁ ରମା ଦେଇଥିବା ଖବର ମଧ୍ଯ ଦେବାକୁ ସେ ସୁଯୋଗ ଦିଏନି।

କିଛି ନ କହି ଲୁହ ଛଳଛଳ ଆଖିରେ ଫେରନ୍ତି ସହରରୁ। ରମା ସବୁ ଜାଣି ମଧ୍ଯ ନ ଜାଣିଲା ପରି ଅଭିନୟ କରି କୁହନ୍ତି-- ପିଲା ଟା ନୂଆ କାମରେ ଅଭ୍ଯସ୍ତ ହେବାପାଇଁ ସମୟ ଲାଗିବ। ସେ’ତ ଚିଡିଚିଡା ପ୍ରକୃତ୍ତିର ପିଲା, ତେଣୁ ତା କଥା ମନକୁ ନିଅନି।

– ସେ ସବୁ କଥା ଠିକ୍ ରମା, କିନ୍ତୁ ଥରେ ଭାବ ଆମେ ମାନେ ଏବେ ଚଳିବା କେମିତି। ମୁଁ ନିଜକୁ ବିକ୍ରି କରିଦେଲେ ବି ସେ ରୂଣ ଶୁଝି ପାରିବି ନାହିଁ। ଏତେ ବର୍ଷ ହେଲାଣି ଟଙ୍କା ଶୁଝି ଚାଲିଛି। କିନ୍ତୁ ମୂଳ ଯାହା ଥିଲା ଏବେ ତା ଠାରୁ ଅଧିକା ଅଛି। କେବଳ ସୁଧ ବାବଦକୁ ମୁଁ ଟଙ୍କା ଦେଇ ଚାଲିଛି। ଏବେ ଆୟ ଟଙ୍କାଏ ବି ନାହିଁ। ଅବସର ନେଲା ପରେ ଅଫିସ୍ ତରଫରୁ ଫଟା ଆହୁଲାଏ ମିଳିଲାନି। କରଜ ଶୁଝାଯାଇନି ବୋଲି ବ୍ଯାଙ୍କବାଲା ଅଫିସ୍ କୁ ଚିଠି କରିଛନ୍ତି। ମୋ କଷ୍ଟାର୍ଜିତ ଟଙ୍କା ପାଇଲା ବେଳକୁ ମୋ ଦେହ ରେ ଜୀବନ ଥିବ ତ? ସେପଟେ ମୁନା କହୁଛି, ବ୍ଯାଙ୍କବାଲା ଘର,ଜମିବାଡି ନିଲାମ କରିନେଲେ ଅସୁବିଧା ନାହିଁ। ସେ ଥରେ ବି ମୋତେ ପଚାରିନି, ଘର ଚାଲିଗଲେ ଆମେ ରହିବା କେଉଁଠି? ଚଳିବା କେମିତି? କଣ ତା’ର କିଛି କର୍ତ୍ତବ୍ଯ, ଦାୟୀତ୍ବ ନାହିଁ ଆମ ପ୍ରତି?

– ସେମିତି ଅଧୈର୍ଯ୍ଯ ହେଲେ କଣ ଚଳିବ? ଚାଲ ବ୍ଯାଙ୍କରେ ଆମେ ଜମା କରିଥିବା ଟଙ୍କା ଉଠାଇ ଆଣିବା। ସେଥିରେ କିଛି ଦିନ ଚଳିଯାଇପାରିବା। ମୁନା ର ବୟସ ବା କେତେ? ସାନ ପିଲାଟା, ଏତେ କଥା ଭାବିବାକୁ ତା ମୁଣ୍ଡରେ ବୁଦ୍ଧି ଆସିବ କୁଆଡୁ?

ମନରେ କେତେ ଆଶା ନେଇ ଦୁଇଜଣ ବ୍ଯାଙ୍କକୁ ଯାଇଥିଲେ। ମ୍ଯାନେଜର ହାତ ଗୋଡ ଧରି କେତେ ନେହୁରା ହେଲେ ସେ ରୂଣ ଛାଡ କରିଦେବା ପାଇଁ। କିନ୍ତୁ ମ୍ଯାନେଜର କହିଲେ--

– ଛାଡ କରିଦେବି? କାହିଁକି କାରଣ ଟା କହିଲେ ଭଲା? ପୁଅ ତେଣେ ସହରରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ଲାଗିଛି। ମ୍ଯାନେଜର ବୋଲି ଚିହ୍ନା ଦେଲା ପରେ ବି, ଆପଣଙ୍କ ପୁତ୍ରମଣି ମୋ ଠାରୁ ମୋଟା ଅଙ୍କର ଫିସ୍ ନେବାରେ ହେଳା କରୁନି। ସେଦିନ ବକେୟା ରୂଣ କଥା କହିବାରୁ ମୋରେ ନାନା କଥା କହି ବେଜ୍ଜିତ କରି ତଡିଦେଲା। ସେମିତି ଲୋକ ପାଇଁ ମୁଁ କାହିଁକି ଦରଦ ଦେଖେଇବି? ଭଲ ରେ ଯଦି ରୂଣ ଟଙ୍କା ନ ଶୁଝିବ, ଘରବାଡି ଜମି ସବୁ ବକ୍ରି କରାଇ ଟଙ୍କା ଅସୁଲ କରିବାର ବାଟ ଆମକୁ ବି ଜଣା ଅଛି।

- - ଆପଣ ଯାହା ଠିକ୍ ବୋଲି ବିଚାର କରିବେ କରନ୍ତୁ, କିନ୍ତୁ ମୋ ଜମା କରିଥିବା ଟଙ୍କା ମୋତେ ଦିଅନ୍ତୁ। ବହୁତ ଅସୁବିଧାରେ ଆମେ ଚଳୁଛୁ। ମୁଁ ଜଣେ ରୋଗୀ। ମୋ ଔଷଧପତ୍ର କିଣିବା ପାଇଁ ପାଖରେ ପଇସା ନାହିଁ। ଆମ ଉପରେ ଟିକେ ଦୟା କରନ୍ତୁ ଆଜ୍ଞା !!

- - - ହାଃ ହାଃ ହାଃ, ଆରେ ମୋତେ ବୋକା ଭାବିଲ ନା କ’ଣ? ତୁମ ଜମା କରିଥିବା ପଇସା ତୁମକୁ ଦେଇ ହେବନି। ଆଗ ରୂଣ ଟଙ୍କା ଶୁଝିଲା ପରେ କଥାବାର୍ତ୍ତା କରିବ। ମୋ ମୁଣ୍ଡ ନ ଖାଇ ଏ ଯାଗାରୁ ଚାଲିଯାଅ।

ଗୋଡତଳେ ପଡି କେତେ ନେହୁରା ହେଲେ ଅରୁଣ। ସେ ନିଷ୍ଠୁର ମ୍ଯାନେଜର ଧକ୍କା ମାରି ଦୁଇଜଣଙ୍କୁ ବ୍ଯାଙ୍କରୁ ବାହାର କରିଦେଲା। ତା ପର ଦିନ ଜଣେ ଲୋକ ଆସି ନୋଟିସ୍ ଧରେଇ ଦେଇ ଗଲା। ପଢିବାରୁ ଜଣାଗଲା ଯେ, ଅରୁଣବାବୁଙ୍କର ଘର, ଜମିବାଡି ସବୁ ନିଲାମ କରି ବ୍ଯାଙ୍କ ରୂଣ ଆଦାୟ କରିବ। ଅରୁଣ ଓ ରମାଙ୍କ ଆଖିରୁ ଅନବରତ ଲୁହ ଝରି ଚାଲିଥାଏ। ନିଜ ଚାକିରି ଜୀବନ ର ସବୁଠାରୁ ବଡ ଉପଲବ୍ଧି ଥିଲା ଏହି ଘର। ସ୍ବଳ୍ପ ଦରମାରୁ ଟଙ୍କା ସଞ୍ଚୟ କରି ସେ ଗଢିଥିଲେ ତାଙ୍କ ସ୍ବପ୍ନର ମହଲ, ଯାହାର ଦୁଇ ବଖରା ଛାତଘର ଥିଲା ତାଙ୍କ ପରିବାର ର ନିର୍ଭୟ ଆଶ୍ରୟସ୍ଥଳୀ। ଅଗଣିତ ସ୍ମୃତିକୁ ବୁକୁରେ ସାଉଁଟିଥିବା ସ୍ବପ୍ନର ମହଲ ଆଜି ନିଲାମ ହେବାର ଦ୍ବାରଦେଶରେ। ଏଇ ମହଲରେ ସେ ନୂତନ ଜୀବନ ଆରମ୍ଭ କରିଥିଲେ ରମାଙ୍କ ହାତ ଧରି। ମୁନାର ଜନ୍ମ ହୋଇଥିଲା ଏହିଠାରେ। ଏହି ଘରର ଚାରି କାନ୍ଥରେ ପ୍ରତିଧ୍ବନିତ ହେଉଥିଲା ମୁନାର ଦରୋଟି କଥା, ହସ କାନ୍ଦର ଅସରନ୍ତି ଭଣ୍ଡାର। ତାଙ୍କ ପରିବାରର ହସଖୁସି କୁ ବକ୍ଷରେ ସୁରକ୍ଷିତ କରି ରଖି ଆସିଥଲା ଏହି ଘର। କାଳର ତୀବ୍ର ପ୍ରହାରରେ ସେ ଘର ଆଜି ନିଲାମ ହେବାକୁ ଯାଉଛି।

ନିସ୍ତେଜ ଭାବରେ ରମାଙ୍କୁ ଦେଖିଲେ ଅରୁଣ। ପିନ୍ଧାଶାଢୀଟି ଠାଏ ଠାଏ ଚିରି ଯାଇଛି। ମୁଣ୍ଡର କେଶ ନୁଖୁରା ହେବାକୁ ଆରମ୍ଭ କଲାଣି। ସ୍ବାସ୍ଥ୍ଯାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ତାଙ୍କୁ ଦେଖି କାନ୍ଦି ପକେଇଲେ ଅରୁଣ। ପାଖକୁ ଲାଗି ଆସି ଦୁଇ ହାତରେ ତାଙ୍କ ମୁଣ୍ଡରେ ରଖି କହିଲେ-- ମୋତେ କ୍ଷମା କରିଦେବ ରମା, ଜୀବନରେ ତୁମକୁ ଅଭାବ ଓ ଦୁଃଖ ଛଡା ଆଉ କିଛି ଦେଇ ପାରିଲିନି।

– ଛିଃ, ସେମିତି ପିଲାଙ୍କ ପରି କାନ୍ଦୁଛ କଣ ଯେ? ମୁଁ ନିଜେ କାଲି ତୁମ ସହ ମୁନା ପାଖକୁ ଯିବି। ତାକୁ ଦଶ ମାସ ଗର୍ଭରେ ରଖିଛି, ତା ମନ କଥା ଜାଣିପାରିବିନି? ସେ ନିହାତି ଅଭିମାନ କରୁଛି, ମୁଁ ତା ପାଖକୁ କାହିଁକି ଯାଉନି ବୋଲି। ତୁମେ ଦେଖିବ ; କାଲି ମୋତେ ଦେଖି ସେ କେମିତି ପିଲାଙ୍କ ପରି ହେବ। ତା ରାଗ କଣ ମୋ ଭଲ ପାଇବା ଠାରୁ ବଳେଇଯିବ? ସବୁ ଟଙ୍କା ଶୁଝି ସେ ଆମକୁ ରୂଣମୁକ୍ତ କରିବ। ଆମ ମାନଙ୍କ ପାଇଁ ତା,ର ଯାହା ଦାୟୀତ୍ବ ଅଛି ମୁଁ ତାକୁ ମନେ ପକାଇଦେବି। ତୁମେ ଯମା ବ୍ଯସ୍ତ ହୁଅନାହିଁ।

– ହଁ ରମା ତୁମେ ବୋଧେ ଠିକ୍ କହୁଛ। କାଲି ସକାଳେ ଆମେ ମୁନା ପାଖକୁ ଯିବା। ଦେଖାଯାଉ, ଆମ ଭାଗ୍ଯରେ କଣ ଲେଖା ଅଛି।

ତା ପରଦିନ ଦୁଇ ଜଣ ସହର ଅଭିମୁଖେ ବାହାରିଲେ। ପୁରୁଣା ବାକ୍ସରୁ ମୋଟେ ପାଞ୍ଚଶହ ଟଙ୍କା ମିଳିଲା। ସେତିକି ଥିଲା ଶେଷ ସମ୍ବଳ। ଯଦି ମୁନା କିଛି ସାହାଯ୍ଯ ନ କରିବ, ଘରକୁ ଫେରିବା ମୁସ୍କିଲ୍ ହୋଇଯିବ। ସାର୍ଟରେ ପଡିଥିବା ଲୋଚାକୁଚା ଭାଙ୍ଗ ସବୁକୁ ପାଣିଟିକେ ମାରି ସିଧା କରିବାରେ ଲାଗିଲେ ଅରୁଣ। ରମା ଚିରା ଶାଢୀରେ ତାଳି ପକେଇ ପିନ୍ଧିଲେ। ପାଦରେ ଘୋରି ହୋଇଯାଇଥିବା ଚପଲଟି ମଡାଇ ସହର ଅଭିମୁଖେ ବାହାରିଲେ। ହାତରେ ଧରି ଥାଆନ୍ତି କିଛି କାକରା ପିଠା। ପିଲା ଦିନେ ମୁନାକୁ କାକରା ବହୁତ୍ ଭଲ ଲାଗୁଥିଲା। ମନରେ ଥାଏ ଅସରନ୍ତି ଖୁସି, ଏତେ ଦିନ ପରେ ପୁଅ କୁ ଦେଖିବେ। ଲୋକେ ସେମାନଙ୍କୁ ଦେଖିଲେ କହିବେ-- ଦେଖ କେମିତି ଡାକ୍ତର ବାବୁଙ୍କ ବାପା ମାଆ ଆସିଛନ୍ତି। ସେତିକି ଶୁଣି ମନଟା ଶାନ୍ତ ପଡିଯିବ। ମୁନାର ହସହସ ମୁହଁ ଦେଖିଲେ ଅରୁଣଙ୍କ ରାଗ ବି କମିଯିବ। ବାପାମାଆଙ୍କର ବହୁତ ଚର୍ଚ୍ଚା କରିବ ମୁନା, ଯାହା ହେଲେ ସେ ନିଜ ରକ୍ତର ଅଂଶ, ରକ୍ତର ବନ୍ଧନ କୁ କଣ ଏମିତି ଛିଡେଇ ପାରିବ?

ଡାକ୍ତରଖାନା ପହଞ୍ଚିବା ପରେ ଦୁଇଜଣ ଜାଣିଲେ ଯେ ସେଦିନ ମୁନାର ବାହାଘର ଥିଲା। ଚପରାଶୀ କହିଲା-- ଆପଣମାନଙ୍କୁ ଦେଖିଲେ ଲାଗୁନି ଯେ ସାର୍ ଆପଣଙ୍କର ପୁଅ ବୋଲି। ତଥାପି କହୁଛନ୍ତି ଯେତେବେଳେ, ମୁଁ ବିଶ୍ବାସ କରୁଛି। ଆମ ସାର୍ , ଏଇ ମେଡିକାଲର ମାଲିକଙ୍କ ଝିଅକୁ ବାହା ହେଉଛନ୍ତି। କିନ୍ତୁ ଆପଣ ଯଦି ସାର୍ ଙ୍କ ବାପାମାଆ, ଏ କଥା ଜାଣି ନାହାଁନ୍ତି କେମିତି। ହଁ ହଁ ଠିକ୍ କଥା, ସାର୍ ବୋଧେ ଜାଣିଶୁଣି କହି ନ ଥିବେ।

– କିନ୍ତୁ କାହିଁକି? ଅତିଷ୍ଠ ହୋଇ ପ୍ରଶ୍ନ କଲେ ଅରୁଣ।

ଆରେ ଯାହା ହେଲେ ବି ସାର୍ ହେଲେ ବ୍ରାହ୍ମଣ ଲୋକ, କିନ୍ତୁ ସେ ଜଣେ ଖ୍ରୀଷ୍ଟିଆନ୍ ଝିଅକୁ ବାହା ହେଉଛନ୍ତି। ସେଥିପାଇଁ ଲାଜରେ କହି ନ ଥିବେ।

– କିନ୍ତୁ ସେଥିରେ ଲାଜ କରିବାର କଣ ଅଛି? ଧର୍ମ ଅଲଗା ହେଲା ବୋଲି କଣ ଆମେ ବୋହୁକୁ ବାରଣ କରିବୁ ନାଁ କଣ?

– ମୁଁ କେମିତି କହିବି ଆଜ୍ଞା, ମୁଁ ଯାହା ଶୁଣିଛି କହୁଛି। ସାର୍ ମାଲିକର ଝିଅକୁ ଖାଲି ଟଙ୍କା ଲୋଭରେ ବାହା ହେଉଛନ୍ତି। ତାଙ୍କ ଝିଅର ରୂପ ନିହାତି କଦାକାର ଓ ଦେହରେ ହଜାର ରୋଗ। ଝିଅର ବୟସ ଆମ ସାରଙ୍କ ଠାରୁ ଢେର୍ ଅଧିକ। ତଥାପି ଟଙ୍କା ଲୋଭରେ ସାର୍ ସେଇ ଝିଅକୁ ବାହା ହେଉଛନ୍ତି।

ସେ ଚପରାଶୀ ଠାରୁ ଆଉ କିଛି ନ ଶୁଣି, ସେ ବତେଇଥିବା ଠିକଣାରେ ପହଞ୍ଚିଲେ ଅରୁଣ ଓ ରମା। ଘର ନୁହଁ ତ ରାଜ ଉଆସ। ପ୍ରକାଣ୍ଡ ବଙ୍ଗଳା, ହତା ରେ ତିନି ଚାରିଟି ଦାମିକା ଗାଡି ଓ ବିରାଟ ଫୁଲ ବଗିଚା। ଘର ସାମନା ରେ ଗାଡି ମାନଙ୍କର ଧାଡି ଲମ୍ବିଛି। ସବୁ ଗାଡି ସାମନା ରେ ମୁନା ର ନାମ ସହିତ “ପାୟଲ୍” ନାମ୍ନୀ ଝିଅର ନାମ ଲେଖା ଯାଇଛି । ବରଯାତ୍ରୀ ଯିବା ପାଇଁ ସଭିଏଁ ପ୍ରସ୍ତୁତ ହେବାରେ ଲାଗିଛନ୍ତି। ଘର ଭିତରକୁ ପଶିଲା ବେଳକୁ ଦରଓ୍ବାନ୍ ବାଟ ଓଗାଳି କହିଲା-- ଭାଗ ଏଠୁ। ଆଜି ସାହେବ୍ ଙ୍କ ବାହାଘର, ଭିକ ମିଳିବନି।

– ତୁମେ ଭୁଲ୍ ବୁଝୁଛ ପୁଅ। ଆମେ ତୁମ ସାହେବ୍ ଙ୍କର ବାପାମାଆ, ଭିକାରୀ ନୁହଁ।

- – ତୁମ ବଦନ ଦେଖ ହୋ ମଉସା। ଦେଖିଲେ ଲାଗୁଛି, ଦୁର୍ଭିକ୍ଷ ଅଞ୍ଚଳରୁ ଆସିଛ। ଏ ମାଉସୀ କୁ ଦେଖିଲେ ଲାଗୁଛି ଯେ ମାସେ ହେଲାଣି ଖାଇନି। ତୁମେ ଯଦି ଆମ ସାହେବ୍ ର ବାପା ମାଆ ତେବେ ମୁଁ ବି ଆମେରିକା ରାଷ୍ଟ୍ରପତି ର ପୁଅ।

ବାହାରେ ପାଟିଗୋଳ ଶୁଣି ମୁନା ବାହାରକୁ ଆସିଲା। ଦରଓ୍ବାନ କୁ ପାଖକୁ ଡାକି ଘଟଣା କଣ ବୁଝିଲା। ଡାକରା ପାଇ ଦୁଇଜଣ ଯାକ ଭିତରକୁ ଗଲେ।

– – ମୋ ଧନରେ, ତୋତେ କେବେ ଠୁ ଦେଖିନି। ପାଖକୁ ଆସେ ରେ ଧନ ତୋତେ ଟିକେ ଗେଲ କରିଦେବି। ଏତିକି କହି ଥରୁଥିବା ଶିରାଳ ହାତ ଦୁଇଟି କୁ ମୁନାର ମୁହଁ ପାଖକୁ ନେଇଗଲେ ରମା।

- - ସେମିତି ମଫସଲିଆଙ୍କ ପରି କାହିଁକି ହେଉଛ ମାଆ। ଲୋକେ ଦେଖିଲେ ହସିବେ। ତୁମଦୁଇ ଜଣଙ୍କୁ ଦେଖିଲେ ଲାଗୁଛି ଭିକ ମାଗିବାକୁ ଆସିଛ। ଛିଃ। ମୁନା ଚାରିପଟକୁ ବ୍ଯସ୍ତ ହୋଇ ଦେଖିବାରେ ଲାଗିଲା। ମନରେ ଡର ଥିଲା କାଳେ କାହା ନଜରରେ ସେ ପଡିଯିବ।

ପୁଅକୁ ଗେଲଟିକେ କରିବାକୁ ଉଠି ଆସୁଥିବା ରମାଙ୍କର ହାତ ଦୁଇଟି ଫେରି ଆସିଲା ପୂର୍ବସ୍ଥାନକୁ ଓ ସେ ଲଜ୍ଜା ଓ ଅପମାନ ରେ ଜର୍ଜରିତ ହୋଇପଡିଲେ।

– ଏମିତି କହନିରେ ପୁଅ, ତୋ ମାଆ ସିଏ। ତୁ ବାହା ହେଉଛୁ ବୋଲି ଆମକୁ ଜଣାଇଲୁନି କଣ ପାଇଁ? ଆମକୁ କଣ ପର କରିଦେଲୁ? ତୋର କଣ ଆମ ପାଇଁ କିଛି ବି ଦାୟୀତ୍ବ ନାହିଁ ? ଏଇ ଦିନ ଦେଖିବାକୁ କଣ ତୋତେ ଆମେ ଜନ୍ମ ଦେଇଥିଲୁ? ଏଇ ସଂସ୍କାର ଶିଖାଇଥିଲୁ ତୋତେ ?

ରାଗରେ ଜର୍ଜରିତ ହୋଇ ଉଠିଲା ମୁନା। ହାତ ଛିଞ୍ଚାଡି କହିଲା--

– ତୁମ ମାନଙ୍କୁ କହିବା ଜରୁରୀ ମନେ କଲିନି? ତୁମେ ମାନେ ମୋତେ ଦେଇଛ କଣ? ମୋତେ ଦେଖ, ନିଜ ଚେଷ୍ଟାରେ ଏ ବିରାଟ ଘର, ଗାଡି, ଚାକର ବାକର ସବୁ ମୁଁ କରିଛି। ଏବେ ମୁଁ ସଫଳ ହେଲି ବୋଲି ତୁମେ ମାନେ ମୋ ପଛରେ ଦଉଡୁଛ। ତୁମ ମାନଙ୍କର ଲୋଭ ମୋ ଠାରେ ନାହିଁ, ବରଂ ମୋ ଟଙ୍କା ଉପରେ ଅଛି। ନ ହେଲେ ତୁମେ କେବେ ମୋ ଭଲମନ୍ଦ କଥା ପଚାରି ବୁଝିଛ ? ଗେଟ୍ ରେ ଜଗୁ ଥିବା ଦରଓ୍ବାନ୍ ଠାରୁ ମଧ୍ଯ ହୀନ ତୁମ ମାନଙ୍କର ଅବସ୍ଥା। ତୁମ ମାନଙ୍କୁ ବାପା ମାଆ କହିବାକୁ ମୋତେ ଲାଜ ଲାଗୁଛି। ମୋ’ର ବଡବଡିଆ ଅତିଥି ମାନେ ଆସିବା ଆଗରୁ ଏଠାରୁ ଦୟା କରି ଚାଲିଯାଅ।

– ତୋ ମନରେ ଆମ ପାଇଁ ଏତେ ଘୃଣା କାହିଁକି ମୁନା? କି ଦୋଷ କଲୁ ଆମେ? ପ୍ରତି ମାସରେ ତ ତୋ ପାଖକୁ ଆସୁଥିଲି, ତୁ ପଢିବା ଦିନରୁ। ତୋତେ ଚଳିବା ପାଇଁ ଟଙ୍କା ବି ଦେଉଥିଲି। ତେବେ...

– ତୁମର ସ୍ବାର୍ଥ ଥିଲା ବୋଲି ଆସୁଥିଲ। କାଳେ ମୁଁ ବ୍ଯାଙ୍କର ଋଣ ଶୁଝିବି କି ନାହିଁ ସେଥିପାଇଁ ଆସୁଥିଲ। ତୁମେ ଦୁଇଜଣ ମହା ସ୍ବାର୍ଥପର। ଚାଲିଯାଅ ମୋ ଘରୁ। ଆଉ କେବେ ତୁମ ମୁହଁ ମୋତେ ଦେଖେଇବନି।

– – ବହୁତ ଖୁସି ଲାଗିଲା ରେ ପୁଅ ତୋ ଉନ୍ନତି ଦେଖି। ତୁ ଭଲରେ ଥାଅା। ତୋ ପାଇଁ କିଛି କାକରା ଆଣିଥିଲି, ଖାଇନେବୁ। ବୋହୂ କୁ ମୋ ତରଫରୁ ଆଶିର୍ବାଦ ଜଣାଇଦେବୁ। ଏତିକି କହି ଶାଢିରେ ଲୋଚାକୋଚା ହୋଇଥିବା ଚାରିଟି ଶହେ ଟଙ୍କିଆ ନୋଟ୍ ମୁନା ହାତ କୁ ବଢାଇଦେଲେ ରମା।

କିଛି ସମୟ ଭିତରେ ଦରଓ୍ବାନ ଦୁଇ ଜଣଙ୍କର ହାତ ଧରି ବାହାରକୁ ଘୋଷାଡି ନେବାର ଦେଖାଗଲା। କାକରା ଭର୍ତ୍ତି ଜରି ଟି ରାସ୍ତା ରେ ଲୋଟୁଥିଲା ଓ ଦୁଇଟି କୁକୁର ସେତକ ଖାଇବା ପାଇଁ ମାଡଗୋଳ ହେଉଥିଲେ। ଦରଓ୍ବାନ୍ ସେ ଲୋଚାକୋଚା ନୋଟ୍ ସବୁ କୁ ସିଧା କରି ପକେଟ୍ ରେ ପୁରେଇଲା। ଅରୁଣ ଓ ରମା, ଦୁଇ ଜଣଙ୍କ ମୁହଁରୁ ବଚନ ସ୍ଫୁରୁ ନ ଥିଲା। ପାଦ ଘୋଷାଡି ଘରେ ପହଞ୍ଚିଲା ବେଳକୁ ଦେଖିଲେ ବ୍ଯାଙ୍କର କିଛି କର୍ମଚାରୀ ଘର ସାମନାରେ ପ୍ରକାଣ୍ଡକାୟ ତାଲା ଝୁଲାଇ ଛିଡା ହୋଇଛନ୍ତି। ଘର ପାଖରେ ଥିବା ବରଗଛ ମୂଳରେ ଲଥ୍ କରି ବସି ପଡିଲେ ଅରୁଣ। ଆଗାମୀ କାର୍ଯ୍ଯପନ୍ଥା କଣ ହେବ, ତାହା ମୁଣ୍ଡରେ ଜୁଟୁ ନ ଥିଲା।

ଗୋଟିଏ ପ୍ରଶ୍ନ ମନକୁ ବାରମ୍ବାର ଆନ୍ଦୋଳିତ କରୁଥିଲା। କଣ ସମସ୍ତେ କର୍ତ୍ତବ୍ଯରେ ଏପରି ବନ୍ଧା? କଣ ବ୍ଯାଙ୍କର କର୍ତ୍ତବ୍ଯ ଥିଲା ତାଙ୍କର ଘର ଜମିବାଡି ସବୁକୁ ନିଲାମ କରିଦେବା ? କଣ ତାଙ୍କର କର୍ତ୍ତବ୍ଯ ଥିଲା ନିଜର ସର୍ବସ୍ବ ବନ୍ଧା ପକେଇ ପୁଅ ପଢିବା ପାଇଁ ଟଙ୍କା ଯୋଗାଡ କରିବା ? କଣ ମୁନାର କର୍ତ୍ତବ୍ଯ ଥିଲା ନିଜ ବାପା ମାଆଙ୍କୁ ଗଳା ଧକ୍କା ଦେଇ ତା ଜୀବନ ରୁ ବାହାର କରିଦେବା?

ସମସ୍ତଙ୍କ କର୍ତ୍ତବ୍ଯର ଚକ୍ରବ୍ଯୁହରେ ପେଶି ହୋଇ ବିଚାରି ରମା ଅଧାପ୍ରାଣ ହୋଇଯିବା ଟା ତାଙ୍କର କର୍ତ୍ତବ୍ଯ ଥିଲା ନା ଦୁର୍ଭାଗ୍ଯ ଥିଲା?

ଯାହା ପାଇଁ ଜୀବନ ର ସର୍ବସ୍ବ ବନ୍ଧା ପକେଇଦେଲେ, ସେ ଆଜି ତାଙ୍କୁ ଦାଣ୍ଡର ଭିକାରୀ କରି ଛାଡିଦେଲା। ସେ ଆଉ କିଏ ହୋଇଥିଲେ କ୍ଷମଣୀୟ, କିନ୍ତୁ ସେ ଯେ ନିଜର ରକ୍ତ! ତାକୁ କ୍ଷମା କରିବେ କିପରି?? ରମା, ଅରୁଣଙ୍କ ହାତ କୁ ଜାବୁଡି ଧରି କହିଲେ-- ତୁମେ ଅଧର୍ଯ୍ଯ ହୁଅନି, ସବୁ ଠିକ୍ ହୋଇଯିବ। ମୁଁ ପରା ଅଛି ତୁମ ସହ। ଶୁଖିଲା ହସ ମୁହଁରେ ଫୁଟାଇ ଅରୁଣ କହିଲେ-- ଠିକ୍ କହିଲ ରମା, ସବୁ କିଛି ଠିକ୍ ନ ହେଲେ ବି ଆମକୁ ଠିକ୍ କରିବାକୁ ପଡିବ। ତୁମେ ସାଥିରେ ଥିଲେ ମୁଁ ହାରିଯିବାର ପ୍ରଶ୍ନ ଉଠୁନି।

---- ସମାପ୍ତ----


କର୍ତ୍ତବ୍ଯ ବଡବାବୁ ବେତନଭୋଗୀ

Rate the content


Originality
Flow
Language
Cover design

Comments

Post

Some text some message..