ବୟସର କୃଷ୍ଣଚୁଡା
ବୟସର କୃଷ୍ଣଚୁଡା
ହଳଦୀ ରଙ୍ଗର ଝିଅ ଦେଖିଲେ ନିଜ ଅଜାଣତରେ ମନ ଉଡିଯାଏ ଠିକ ତା’ରି ପାଖକୁ । ଲାଗେ ଯେମିତି ମୋ’ ବୟସର କୃଷ୍ଣଚୂଡା ଆଜି ବି ସେମିତି ସତେଜ ଯେମିତି ପନ୍ଦର ବର୍ଷ ପୂର୍ବେ ଥିଲା । ଇଚ୍ଛାହୁଏ ଲୁଚିଲୁଚି ତାକୁ ପଛରୁ ଦେଖିବାକୁ ଆଉ ମନକଥା ଖୋଲି କହିବାକୁ ଯାଇ ହଜାରେ ଚେଷ୍ଟା ସତ୍ତ୍ୱେ ଥରିଥରି ଆଶଙ୍କାର ବହଳିଆ ଛେପକୁ ଢୋକିଢୋକି ବିବେକର ଚାବୁକ ପାହାରରେ ପୁଣି ପଛକୁ ଫେରିବାକୁ । ସାଙ୍ଗମାନେ ସମସ୍ତେ କହନ୍ତି ମୁଁ କାଳେ ଗୋଟେ ବିଚିତ୍ର ପ୍ରେମିକ ଯିଏ ଆଜିଯାଏ ଶତ ଚେଷ୍ଟା ସତ୍ତ୍ୱେ ତାକୁ ଭୁଲି ପାରିନି ଯିଏ କେବଳ ମତେ ଦୁଃଖ ଦେଇଛି । ମୁଁ କିନ୍ତୁ ସେମାନଙ୍କ ସହ ଏକମତ ନୁହେଁ କାହିଁକି ନା ଜୀବନରେ ଯଦି ମୁଁ ତାକୁ ପାଇଥାଆନ୍ତି ହଳଦୀ ମଖା ଗୋରା ଦେହଟା ତା’ର ମଳିନ ପଡିବାପରେ ଏବେ ତା’ ପାଇଁ ଝୁରି ହେଉନଥାନ୍ତି । ପ୍ରାୟ ଦଶ ବାର ବର୍ଷ ହେବ ତାକୁ ମୁଁ ଦେଖିନି, ଦେଖିବାକୁ ବି ଚାହୁଁନି ମୁଁ ଜାଣେ ସେ ମୋ’ ସ୍ଵପ୍ନର ନାୟିକା ତା’ ମୁହଁରେ ସମୟର ରଙ୍ଗଛଡା ଉପହାର ମୁଁ ସହିପାରିବିନି । ଏତ ମୋ’ ଜୀବନ ଗପର ଗୋଟେ ଛୋଟିଆ ଅଂଶ ଯାହାକୁ ମୋ’ ରୁମମେଟ ସାଗର କାଲି ପଢି ବହୁତ ହସିଲା ଆଉ ମୁଁ ବି ହସିଲି । ସମସ୍ତେ ଶୋଇଗଲା ପରେ ଆଉ ସମ୍ଭାଳି ପାରିଲିନି ଜାଣିଶୁଣି ମୋ’ ଭାବନାକୁ କ୍ଷତାକ୍ତକଲି । ଅନ୍ଧାର କୋଠରୀରେ ଆଖିରେ ଆଖିଏ ଲୁହଧରି ତାକୁ ମୁଁ ଖୋଜୁଥିଲି ଏକାଏକା । ସମସ୍ତଙ୍କୁ ଲୁଚାଇ ରଖିଥିବା ତା’ର ସେଇ ଗୋଟିଏ କଥା ବାରମ୍ବାର ମୋ’ କାନରେ ଶୁଭୁଥିଲା ..........ତମର ଓକାତ କ’ଣ ମୁଁ ଜାଣିଛି ତମେ ଯଦି ପ୍ରକୃତରେ ମତେ ଭଲ ପାଉଥାଅ ଜୀବନରେ ଆଉ କେବେ ବି ମୋ’ ସାମ୍ନାକୁ ଆସିବନି ।