Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ୱପ୍ନ
ସ୍ୱପ୍ନ
★★★★★

© Ashish Kumarmishra

Inspirational

7 Minutes   14.0K    7


Content Ranking

                            ସ୍ଵପ୍ନ ଏକ ଜୀବନ୍ତ କାହାଣୀ ...

            ଜୀବନର ଚୋରାବାଲି ପରେ କିଏ ବା ତୋଳିପାରିଛି ବାଲିଘର ,ସମୟ ସୁଅରେ ସବୁକିଛି ତ ଭାସିଯାଇ ଲୀନ ହୋଇଯାଏ ମହାସମୁଦ୍ର ଗର୍ଭରେ | ମରିଯାଏ ମନ , ଭାଙ୍ଗିଯାଏ ସବୁ ଆଶା ଓ ଆକାଙ୍କ୍ଷା | ଧୂଳିସାତ୍ ହୋଇଯାଏ ଦେଖିଥିବା ସ୍ଵପ୍ନସବୁ | ସବୁସ୍ଵପ୍ନ କେବେ ସତହୁଏ କି ? ସତରେ ସ୍ଵପ୍ନ ଯଦି ସତକୁ ସତ ଜୀବନ୍ତ ହୋଇ ଉଠେ ତାହେଲେ ସମସ୍ତେ ତ ସ୍ଵପ୍ନ ହିଁ ଦେଖନ୍ତେ | ଏମିତି କାବ୍ୟିକ ଭାବନାରେ ହଜେଇ ଦେଇ ନିଶାର୍ଧ ରାତିରେ  ଏକା ଏକା ପିଚୁ ରାସ୍ତାଟି ଉପରେ ଚାଲୁଥିଲା ବସନ୍ତ | ଆକାଶରେ ତାରାମାନେ ଖେଳୁଥିଲେ ଲୁଚକାଳି | ଜହ୍ନର ତୋଫା ତୋଫା ଆଲୁଅରେ ବାରିହୋଇ ପଡୁଥିଲା ତା’ ଦେହର ଛାଇ | ହାତରେ ଧରିଥିଲା ଶୁଖିଲା ଗୋଲାପ୍ ଫୁଲ ଓ ପୁରୁଣା ଡାଏରୀଟିଏ | ଗୋଲାପର କଣ୍ଟା ଫୁଟି ତା ହାତରୁ ଥପ୍ ଥପ୍ ହୋଇ ଝରିପଡୁଥିଲା ରକ୍ତ |

              ଫାଲ୍ଗୁନ ମାସ | ବଉଳର ବାସ୍ନା ଭାସି ଆସୁଥିଲା ମଳୟର ଦେହ ଛୁଇଁ ଗାଁ ମୁଣ୍ଡରୁ | କୋଇଲିର କୁହୁକୁହୁ ତାନରେ ଗୁଞ୍ଜରୀ ଉଠୁଥିଲା ଆମ୍ବ ତୋଟା | ଏମିତି ଏକ ମହାର୍ଘ ମୁହୂର୍ତ୍ତରେ ଜନ୍ମ ହୋଇଥିଲା ବୋଲି ନେତି ଅପା ପୁଅ ନା ଦେଇଥିଲା ବସନ୍ତ | ପିଲାଦିନୁ ଅତି ଗେଲବସରରେ ପୁଅକୁ ସେ ପାଳିଛି | ପୁଅର ସବୁ ଅଳି ଅଝଟକୁ ଆପଣେଇ ନେଇ ସାଜିଛି, ଜଣେ ସ୍ନେହମୟୀ ମାଁ | ପୁଅକୁ ଆଜି ସତର ବର୍ଷ ଛୁଇଁଲା | ଅତି ସରଳ ସ୍ଵଭାବର ପିଲାଟିଏ , ଯେକେହି ବି ତାକୁ ତାରିପ୍ ନ କରି ରହି ପାରେନା | ରାଜକୁମାର ପରି ତା ରୂପ , ଜ୍ଞାନରେ ବି ସେ ଖୁବ୍ ଉଚ୍ଚରେ | ବିଦ୍ୟାଳୟରେ ଶିକ୍ଷକ ମାନେ ସେଥିପାଇଁ ତ ତାକୁ ବେଶୀ ଭଲପାଆନ୍ତି | ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରନ୍ତି |

                ନେତି ଅପା ବିଳିବିଳେଇ ହେଉଥିଲା ସେଦିନ | ବସନ୍ତ ଜିଦ୍ କରୁଛି ସହରକୁ ଯିବ | ସହରରେ କଲେଜ ପାଠ ପଢିବ | ପୁଅକୁ ତାଗିତ୍ କରି କହୁଛି “ ପାଠ ପଢିଲେ ଆମର କଣ ହେବ ? ତୋ ବାପ ତ ତତେ ଛେଉଣ୍ଡ କରି ଚାଲିଗଲା ଆରପାରିକୁ | ମୋର ଆଉ କିଏ ଅଛି | ବାକି କିଛି ଜୀବନ ତୋ ମୁହଁ ଦେଖି ଶାନ୍ତିରେ ମରିଯିବି | “

ବସନ୍ତ ମନରେ ଅସୁମାରୀ ସ୍ଵପ୍ନ ସବୁବେଳେ ଆକାଶ ଛୁଅନ୍ତି | ପରିଣତ ବୟସ ହୋଇଯାଇଥିଲା ପରି ସେ କହିଲା , “ଦେଖ୍ ମାଁ ! ତୁ କଣ ଚାହୁଁନୁ ତୋ ପୁଅ ବଡ ମଣିଷଟେ ହେଉ | ଭଲକିଛି ଦୁଇ ପଇସା ରୋଜଗାର କରି ସମାଜ ଆଗରେ ତା’ ପରିଚୟ ସୃଷ୍ଟିକରୁ  | ଗାଁର ଅନ୍ୟ ପିଲାଙ୍କ ପରି ଖେତରେ କାମ କରିବାକୁ ମୋର ଇଚ୍ଛା ନାହିଁ | ମୁଁ ସହରରେ ଚାକିରୀ କଲାପରେ ତତେ ମୋ ପାଖକୁ ନେଇଯିବି | ତୁ ଆଉ ମୁଁ ସେଠି ଖୁସିରେ ରହିବା |  

                ପୁଅର ବାରମ୍ବାର ଜିଦ୍ ଆଗରେ ହାର ମାନିଲା ନେତି ଅପା | ତା’ ପରଦିନ ସକାଳୁ ବସନ୍ତ ବାହାରିଲା ସହରକୁ |  ଘରୁ ବାହାରିଲା ବେଳେ ନେତି ଅପା ପୁଅକୁ କହୁଥିଲା, “ମାସକ ଥରେ ଚିଠିଟିଏ ଦେବୁ , ତୋ ଦେହର ଯତ୍ନ ନେବୁ , ମନଦେଇ ପାଠ ପଢିବୁ | ତୋ ଆସିବା ବାଟକୁ ଚାହିଁଥିବିରେ ଧନ !

ପୁଅକୁ ଗାଁ ମୁଣ୍ଡରେ ପାଛୋଟି ଦେଇ ଘରକୁ ଫେରିଲା ପରେ ଧଡ୍ କିନା କାଠଗଣ୍ଡି ଟିଏ ଭଳି ମୁହଁମାଡି ଖଟଉପରେ ପଡିଲା ନେତି ଅପା | କଇଁ କଇଁ ଛୁଆଟେ ପରି କାନ୍ଦିବାକୁ ଲାଗିଲା | ଆଖିରୁ ଲୁହଧାର  ବହିଯାଉଥାଏ | ସମ୍ଭାଳିବାକୁ ଯେତେ ଚେଷ୍ଟା କଲେ ବି ଅସମର୍ଥ ହେଉଥିଲା  | ଅବୁଝା ଶିଶୁ ଯେମିତି ଟିକିଏ ଆଶ୍ଵାସନାରେ ଶାନ୍ତ ହୋଇଯାଏ, ନିଜକୁ ବୁଝେଇ ଶାଢୀ କାନିରେ ଲୁହ ପୋଛୁ ପୋଛୁ ମାଠିଆରୁ ପାଣି ଗିଲାସେ କାଢି ଢକ୍ ଢକ୍ ପିଇଗଲା |

                ଏଥି ଭିତରେ ବସନ୍ତ ସହରକୁ ଆସିବାର  ଦୁଇ ବର୍ଷ ବିତିଯାଇଛି | ଭଲପାଠ ପଢ଼େ ବୋଲି , କଲେଜ ର କିରାଣୀ ତାକୁ ନିଜ ଘରେ ଜାଗାଟିଏ ଦେଇଛନ୍ତି ରହିବାକୁ | ଜୀବନର ପରମ ଲକ୍ଷ ନେଇ ସେ ଆଗକୁ ବଢିଚାଲିଛି | ପାଠ ପଢିବା ସହ ସେ କିରାଣୀ ବାବୁଙ୍କ ଘର କାମରେ ସାହାଯ୍ୟ କରେ |,ବଜାରରୁ ସଉଦା ଆଣିବା ,କୁର୍ତା ଇସ୍ତ୍ରୀ କରେଇବା ଏସବୁ | କିରାଣୀ ବାବୁ ବି ବସନ୍ତର ସୁବିଧା ଅସୁବିଧାରେ ସହଯୋଗ କରନ୍ତି | ଏସବୁ ଭିତରେ ବି ସେ ପ୍ରତିମାସ ମାଁ ପାଖକୁ ଚିଠି ଲେଖେ | ଚିଠିରେ ଲେଖେ ,  “ମୋର ପ୍ରଣାମ ନେବୁ | ତୋ ପୁଅ ବହୁତ ଭଲରେ ଅଛି | ତୁ ଖାଇ ପି ଧୁମ୍ ହେଇଥା |   ଆର ବର୍ଷକୁ ମୋର ଚାକିରୀ ହୋଇଯିବ | ତୋତେ ସହରକୁ ନେଇ ଆସିବି |”

ପୁଅର ସ୍ଵପ୍ନରେ ନିଜେ ବି ରଙ୍ଗୀନ ହୋଇ ଉଠେ ନେତି ଅପା , ଚିଠି ପଢି ଆଖି କୋଣୁ ଲୁହ ପୋଛୁ ପୋଛୁ | ଭଗବାନଙ୍କ ପାଖରେ ଅଳି କରୁଥାଏ ବସନ୍ତକୁ ପରମାୟୁ ଦିଅନ୍ତୁ, ତା’ ଚଲାପଥ କୁସୁମିତ ହେଉ |

                              ବସନ୍ତ ଆସିଲେ ବଉଳର ସମ୍ଭାରରେ ପୃଥିବୀ ମଧୁମୟ ହୁଏ | କିନ୍ତୁ , ବଉଳର  ଆଗମନେ ଆଜି କୁସୁମିତ ହୋଇଉଠିଛି ବସନ୍ତର ପୃଥିବୀ | ବିନା ଫଗୁଣରେ ବି ମଳୟର ବାସ୍ନାରେ ଚହଟି ଉଠିଛି ଚାରିଦିଗ | ବଉଳର ଓଠରୁ ଝରୁଥିବା କଥାଗୁଡିକରେ ଯେମିତି ସେ ଅନୁଭବ କରୁଛି କୋଇଲିର ସୁମଧୁର ସ୍ଵର | କଲେଜ୍ ର ଲାଇବ୍ରେରୀ କୋଠରୀରେ ପ୍ରତିଭା ରାୟଙ୍କର ଉପନ୍ୟାସ ‘ ପୁଣ୍ୟତୋୟା ‘ ପଢୁ ପଢୁ ପ୍ରଥମଥର ପାଇଁ ସେ ଦେଖିଥିଲା ବଉଳକୁ | ଗୋଲାପି ରଂଗର ଶାଢୀ ପିନ୍ଧି ଖୁବ୍ ସଯତ୍ନରେ ବାନ୍ଧିଥିଲା ତା’ କବରୀରେ ମଲ୍ଲୀ | ଦୁଇ ଆଖିରେ ଭରିରହିଥିଲା ମାଦକତା , ଓଠ ଦୁଇଟି ଫୁଟିଥିଲେ ସଦ୍ୟ ପଦ୍ମ ପାଖୁଡା ପରି | ବଉଳର ଅପରୂପ ରୂପରେ ନିଜକୁ ହଜେଇଦେଇଥିଲା ବସନ୍ତ | ଫଗୁଣର ଋତୁ ପରି ଲାଗୁଥିଲେ ବି ସେ ଭିଜିସାରିଥିଲା ପ୍ରେମର ବର୍ଷାରେ | ବସନ୍ତର ନିର୍ମଳ ଆକାଶରେ ଆପେ ଆପେ ଆଙ୍କି  ହୋଇଯାଇଥିଲା ସାତରଙ୍ଗ  ଭରା ଇନ୍ଦ୍ରଧନୁ ଟିଏ | ବଉଳର ପ୍ରେମରେ ବର୍ଣିଳ ସ୍ଵପ୍ନ ରଚିବାରେ ଲାଗିଲା ବସନ୍ତ | ସେଦିନ ସେ ସ୍ଥିର କରିନେଇଥିଲା ତା ଜୀବନର ନଦୀ-ନାରୀ-ପ୍ରେମିକା ଭାବେ ବଉଳକୁ |

                     ଜୀବନରେ କାହାକୁ ନା କାହାକୁ ଭଲପାଇଥିଲେ ହିଁ  ଲେଖିହୁଏ  ‘କବିତା’ | ସମୁଦ୍ରର ତରଙ୍ଗାୟିତ ନୀଳ ନୀଳ ଢେଉ , ମନକୁ ଚହଲେଇ ଦେଉଥିବା ଶୀତୁଆ ପବନ ସାଥିରେ ବସି କବିତା ଲେଖିବା ବସନ୍ତର ଗୋଟିଏ ଅଲଗା ନିଶା | ତା ସହ ବଉଳର ପ୍ରେମରେ ମଜ୍ଜିଯାଇଥିବା ବିଦଗ୍ଧ ପ୍ରେମିକଟେ ସିଏ | ଏମିତି ଦିନେ କବିତା ଲେଖୁ ଲେଖୁ ସେ ଦେଖିଲା ଆଇସ୍କ୍ରିମ୍ ଷ୍ଟଲ୍ ପାଖରେ ଝିଅଟିଏ ଠିଆ ହୋଇଛି | ମୁହଁଟା ଚିହ୍ନା ଚିହ୍ନା ପରି ଲାଗିଲା | ପ୍ରେମରେ ପଡିଥିଲେ ତ ଆଖି ସବୁବେଳେ ପ୍ରେମିକାକୁ ହିଁ ଖୋଜୁଥାଏ | ତା’ର ମନେ ହେଲା ସିଏ ଯେମିତି ବଉଳ  , ତା’ ମନର ମାନସପଟରେ ଅଙ୍କା ହୋଇଥିବା ଇନ୍ଦ୍ରଧନୁର ଏକମାତ୍ର ତୁଳୀ | ଯାହାର ଅଛୁଆଁ ସ୍ପର୍ଶରେ ସେ କ୍ଷଣେ କ୍ଷଣେ ରଙ୍ଗୀନ ହୋଇ ଉଠେ |   ଇଚ୍ଛା ହେଲା ତା’ ପାଖକୁ ଯାଇ ବ୍ୟକ୍ତ କରିବାକୁ ମନଗହନର ଅବ୍ୟକ୍ତ ଭାବନାକୁ | ପ୍ରକାଶ କରିଦେବାକୁ କି ଯେ ସେ ପ୍ରେମ କରେ ବଉଳକୁ , ଐକାନ୍ତିକ ପ୍ରେମ | କିନ୍ତୁ ହୃଦୟରେ ସାହାସ ନାହିଁ | ତଥାପି ଅତି ସନ୍ତର୍ପଣରେ ନିଜକୁ ପ୍ରସ୍ତୁତ କଲା ଓ ଷ୍ଟଲ୍ ପାଖରେ ପହଂଚିଲା |   ସେ ଅଭିନୟ ଛଳେ ଆଇସ୍କ୍ରିମ୍  ବାଲା ପାଖରୁ ଆଇସ୍କ୍ରିମ୍ ଟିଏ କିଣି ଖାଇବାରେ ଲାଗିଲା | ସେ ଝିଅଟିର ମୁହଁକୁ ଦେଖିବାରେ ସାହସ ସଞ୍ଚୟ କରି ପାରୁନଥିଲା | ସେତେବେଳେ କେହି ଜଣେ ଅତି ସରଳ , ସଂଯତ କଣ୍ଠରେ କହିଲା :- EXCUSE ME !        Can u help me plzzzz ?

 ବସନ୍ତ ଚମକି ପଡି ଦେଖିଲା ବଉଳ | ବଉଳ ହିଁ ତାକୁ ଚାହିଁଛି , ଆଉ ବଉଳର ଆଖିରେ ବାରିହୋଇପଡୁଛି ସୁଦୀର୍ଘ ପ୍ରଶ୍ନଟିଏ | ଓଠରେ ସ୍ମିତ ହସର କ୍ଷୀଣଧାର ଟିଏ ବହିଯାଉଛି ଯାହାକି ଯେକୌଣସି  ପୁରଷର ହୃଦୟରେ ଟାଣିଦେଇପାରେ ଅଲିଭା ଗାରଟିଏ |

ବସନ୍ତ କହିଲା  :-Yes, what can I do for u ? It will be my pleasure .

ବଉଳ :-  Can u give me  TEN RUPEES. I have lost my money on the way .

ବସନ୍ତ  :-Yes , Ofcourse , just wait .

(ବସନ୍ତ ପର୍ସ ଭିତରୁ ୧୦ ଟଙ୍କିଆ ନୋଟ୍ ଟିଏ କାଢି ବଢାଇଦେଲା ବଉଳର ହାତକୁ  | ବଉଳ ଖୁସି ହୋଇ ଧନ୍ୟବାଦ ଜଣେଇଲା ଓ ଦୋକାନୀକୁ ଟଙ୍କା ଦେଇ ଚାଲିଗଲା )

                କେହିଜଣେ କହିଥିଲେ ରାତିରେ ଦେଖିଥିବା ସ୍ଵପ୍ନ , ସ୍ଵପ୍ନନୁହେଁ | ଦିନରେ ଦେଖୁଥିବା ସ୍ଵପ୍ନ ହିଁ ଛୁଇଁପାରେ ସଫଳତାର ଆକାଶ | ସେଦିନର ରାତି ବସନ୍ତ ପାଇଁ ଥିଲା ସ୍ଵପ୍ନଭରା | ତା ମନ , ଚିନ୍ତା ଓ ଚେତନା ଶକ୍ତିଗୁଡାକ ଆକାଶକୁ ଭେଦକରି ଆହୁରି ଶୁନ୍ୟକୁ ପହଞ୍ଚିସାରିଥିଲେ | ବଉଳର ମଧୁର ସ୍ଵରର ମୁର୍ଚ୍ଛନାରେ ସେ ତୋଳି ସାରିଥିଲା ସୁମଧୁର ପ୍ରେମ ରାଗିଣୀଟିଏ | ସମ୍ପୁର୍ଣ ରୂପେ ବସନ୍ତ ପାଲଟି ସାରିଥିଲା ବର୍ଣାଢ୍ୟ ବସନ୍ତ |

                 ଦୁଇ ଦିନ ପରେ ଲାଇବ୍ରେରୀ କୋଠରିରୀ ତାଙ୍କର ପୁଣିଥରେ ହୁଏ ଦେଖା | ଆଜି କିନ୍ତୁ ବଉଳ ପ୍ରଥମେ ଆସି ବସନ୍ତର ସାମ୍ନା ଚୌକିରେ ବସିଲା | ବନ୍ଧୁତ୍ୱର ହାତଟିଏ ବଢେଇଦେଲା ବସନ୍ତ ଆଡକୁ | ବସନ୍ତ ବି ହସିହସି ସମ୍ମତି ଜଣେଇଲା | ଉଭୟଙ୍କ ମଧ୍ୟରେ ଏକ ସୁନ୍ଦର ଭାବାବେଗପୁର୍ଣ୍ଣ ବାର୍ତ୍ତାଳାପ ପରେ ଦୁହେଁ ଉଠିଗଲେ ନିଜ ନିଜ ଶ୍ରେଣୀ କୋଠରୀକୁ | ଏମିତି ଧୀରେ ଧୀରେ ତାଙ୍କ ସମ୍ପର୍କ ଘନିଷ୍ଠ ହେବାକୁ ଲାଗିଲା | ବସନ୍ତ ପ୍ରାଣ ପଣେ  ଚେଷ୍ଟା କରୁଥିଲା ବଉଳକୁ ନିଜ ଆଡକୁ ଆକର୍ଷି ନେବାରେ | କିନ୍ତୁ , ବଉଳର ମନ ଭିତରେ ବସନ୍ତ ପାଇଁ ଥିଲା ପବିତ୍ର ବନ୍ଧୁତା | ଏମିତି ଅନେକ ଦିନ ବିତିଗଲା |

               ଦୀର୍ଘ ସମୟ ତପସ୍ୟାର ଆଜି ଅନ୍ତ ଘଟିଛି | ବସନ୍ତର ଚାକିରୀ ପରୀକ୍ଷା ସରିଲା | ଆଉ କିଛି ଦିନ ପରେ ପରୀକ୍ଷାର ଫଳାଫଳ ବାହାରିବ | ତା ଜୀବନ ରଫ୍ ଖାତା ଦେହରେ ନୁଆଁ ଏକ ପୃଷ୍ଠା ଯୋଡି ହେବ | ସେଥିପାଇଁ ସେ ଆଜି ରାତି ମାଁ କୁ ଚିଠି ଲେଖିଛି , “ମୋ ପ୍ରଣାମ ଗ୍ରହଣ କରିବୁ | ମୁଁ ଭଲରେ ଅଛି | ମୋ ପରୀକ୍ଷା ଭଲ ହୋଇଛି | ଆଉ ଦିନ କେଇଟା, ଚୁଲିମୁଣ୍ଡରେ ଧୁଆଁ ଖାଇଖାଇ ତତେ ରୋଷେଇ କରିବାକୁ ପଡିବନି | ତୋ ପୁଅ ଏବେ ଚାକିରୀ ପାଇବ | ହଁ , ଆଉ ଗୋଟିଏ କଥା ! ନା ଥାଉ  ଆର ଚିଠିରେ ଲେଖିବି ” |

                   ପ୍ରେମ ପାଇଁ ଫୁଲଟିଏ ଲୋଡା , ଫୁଲ ନଥିଲେ ପ୍ରେମରୁ କି ବାସ୍ନା ଝରିବ | ବାସ୍ନା ନଥିଲେ ଦେହ-ମନ ମତୁଆଲ ହେବ କେମିତି ? ମତୁଆଲ ହୋଇଥିଲେ ସିନା ତା’କୁ କୁହାଯିବ ଚିରବସନ୍ତ | ଚିଠି ପଠେଇ ଡାକ ଅଫିସ୍ ରୁ ଫେରିବା ବାଟରେ ବସନ୍ତ ନେଇ ଆସିଛି ଗୋଲାପ ଫୁଲଟିଏ | ଆଜି ବଉଳ ପାଖକୁ ଯାଇ ତା’ ମନକଥା କହିବ | ମନରେ ଢେର୍ ସାହସ ବାନ୍ଧିଛି , ଅନେକ ଉନ୍ମାଦନା | ବଉଳ ପାଇଁ କେମିତି ସେ ପ୍ରେମକବିତା ଲେଖିଛି ସବୁ ଶୁଣେଇବ | ଆଜି ହିଁ ପୂର୍ଣ୍ଣ ହେବ ତା ଜୀବନର ଅପୂର୍ଣ୍ଣତା |

                          ସଂଧ୍ୟା ସମୟ | ଚକ୍ ଚକ୍ କରୁଥିବା ହଳଦିଆ ରଙ୍ଗର କୁର୍ତ୍ତା , କଳା ପ୍ୟାଣ୍ଟ , ଜୋତା ଓ ସୁନା ରଙ୍ଗର ଘଡିଟିଏ ପିନ୍ଧିଛି ବସନ୍ତ | ହାତରେ ଧରିଛି ଗୋଲାପ ଫୁଲ ଓ ଡାଏରୀ ଟିଏ | ଧୀରେ ଧୀରେ ଆବେଗତାର ସହ ପାଦ ବଢେଇ ଚାଲିଛି ବଉଳର ଘର ପଟେ | ସେତେବେଳେ ଆକାଶ ଟା ତାକୁ ଲାଗୁଛି ସମ୍ପୁର୍ଣ୍ଣ ସୁନୀଳ | ପବନ ବି କଥା କହୁଛନ୍ତି | ସମସ୍ତେ ଦେଉଛନ୍ତି ତାକୁ ହିଁ ଶୁଭେଚ୍ଛା | ଦୁନିଆଟା ତାକୁ  ନିଜର ପରି ଲାଗୁଛି | କିଛି ସମୟ ପରେ ଠିକଣାରେ ପହଞ୍ଚିଲା ବସନ୍ତ | ପାଚେରୀର କବାଟ ଖୋଲି ଭିତରକୁ ପ୍ରେବେଶ କଲା | ଦେଖିବାକୁ ପାଇଲା ଘର ଭିତରଟା ଜନାକିର୍ଣ , ଶୁଣିବାକୁ ପାଇଲା କେତେକଙ୍କ ଆର୍ତ୍ତ ଚିତ୍କାର | ପାଖକୁ ଯାଇ ଦେଖିଲା ବେଳକୁ କ୍ରନ୍ଦନର ରୋଳ ପ୍ରକମ୍ପିତ କରୁଛି କିନ୍ତୁ ବଉଳର ଓଠଧାରେ ଖେଳିଯାଇଛି ଏକ ସୁଦୀର୍ଘ ନିରବତା | ପଚାରି ବୁଝିଲା ହୃଦରୋଗ ରେ ବଉଳ ଆରପାରିକୁ ଚାଲିଯାଇଛି  | ସେଠାରେ ସେ ସ୍ତବ୍ଧ ହୋଇଗଲା | ତା ଶରୀରର ସ୍ନାୟୁଗୁଡିକ ସ୍ଥିର ହୋଇଗଲେ | ରକ୍ତସବୁ ମସ୍ତିସ୍କ ଭିତରେ  ଜମାଟ ବାନ୍ଧିଗଲେ | ତା ଚିନ୍ତା ଚେତନା ଶକ୍ତି ଗୁଡିକ ଆସ୍ଥା ହରେଇ ବିଳାପ କରିବାରେ  ଲାଗିଲେ | ସେ ଧୀରେ ଧୀରେ ପାଲଟି ଯାଉଥିଲା ଆଉ ଏକ ଶବ |      

 

                                                                                    ଆଶିଷ କୁମାର ମିଶ୍ର

                                                                                    ତେଲଣ୍ଡା,ସୁବର୍ଣ୍ଣପୁର

                                                                                ମୋ – ୮୦୧୮୯୯୯୬୨୫

SWAPNA TA ANEKA KINTU DEKHIBAAKU RAATI KAHIN |

Rate the content


Originality
Flow
Language
Cover design

Comments

Post

Some text some message..