Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ରେବତୀ – ଭାଗ ୩

ରେବତୀ – ଭାଗ ୩

5 mins
7.8K


ରେବତୀ ପାଖରେ ବସି ଭାତ ଖାଉଥିଲା, ଏହି କଥାର ମର୍ମ ସେ କ’ଣ ବୁଝିଲା ସେ ଜାଣେ; ମାତ୍ର ସେହି ଦିନଠାରୁ ତାହାର ଭାବଭଙ୍ଗୀ ଅନ୍ୟରକମ ଦେଖୁଅଛୁଁ । ତାକୁ ବାପ ଆଗରେ ବାସୁଭାଇ ପଢ଼ାଇଦେଲେ କିପରି ଗୋଟାଏ ଲାଜ ମାଡ଼େ; ଅକାରଣ ସକାରଣ ସବୁବେଳେ

ହସ ମାଡ଼େ, ମୁଣ୍ଡ ତଳକୁ ପୋତି ଦେଇ ଦୁଇ ଓଠ ବୁଜି ହସ ଲୁଚାଏ । ଏଣିକି ବାସୁ ପଢ଼ାଇ ଦେଲେ କେତେବେଳେ ତୁନି ତୁନି ପଢ଼େ, କେତେବେଳେ ଖାଲି ହୁଁ ହୁଁ କରେ, ପଢ଼ା ସରିଲେ ପାଟି ବୁଜି ହସି ହସି ଘରକୁ ପଳାଇଯାଏ । ପ୍ରତିଦିନ ସଞ୍ଜବେଳେ ଦାଣ୍ଡଦୁଆର କବାଟକୁ ଧରି କାହାକୁ ଚାହିଁଥାଏ, ବାସୁ ଆସିଲେ ଘରକୁ ପଳାଏ, ପାଞ୍ଚ ଡାକରେ ବାହାରେ ନାହିଁ । ଏଣିକି ରେବତୀ ଦାଣ୍ଡକୁ କେବେ ବାହାରିଲେ ବୁଢ଼ୀ ଖପା ହୁଏ।

ଦେଖୁଁ ଦେଖୁଁ ପଞ୍ଚମୀକୁ ପଞ୍ଚମୀକୁ ଦୁଇ ବରଷ ହୋଇଗଲାଣି । ବିଧାତାଙ୍କର ବିଧାନ, କାହାର ଦିନ ସମାନ ଭାବରେ ଯିବ ନାହିଁ । ଫଗୁଣମାସିଆ ଦିନ, କାହିଁ କିଛି ନାହିଁ, ଅଚାନକ କାହୁଁ ବାଡ଼ି ଆସିଲା – ସକାଳେ ଗ୍ରାମରେ ଶୁଣାଗଲା, ଗୁମାସ୍ତା ଶ୍ୟାମବନ୍ଧୁ ମହାନ୍ତିଙ୍କୁ ବାଡ଼ି ଧରିଛି । ମଫସଲ ଗାଁ’ରେ ବାଡ଼ି ପଡ଼ିଲେ ତାଟି କବାଟ ପଡ଼ିଯାଏ । ବାଡ଼ି ବୁଢ଼ୀ ସତେ ପରା ଟୋକେଇଟିଏ କାଖେଇ ଦାଣ୍ଡରେ ମନୁଷ୍ୟ ଗୋଟାଉଛି, ଏପରି ସମସ୍ତେ ମଣନ୍ତି । ଦୁଆରକୁ କାହାରି ଆସିବାର ନାହିଁ । ମାଇକିନିଆ ଦୁଇଟା କ’ଣ କରିବେ ? ପିଲାଟା ଡକା ପାଡ଼ି ଘର ବାହାର ହେଉଛି । ବାସୁଦେବ ଶୁଣି ସ୍କୁଲ ଛାଡ଼ି ଧାଇଁଲା । ଡର ନାହିଁ, ଭୟ ନାହିଁ, ଆପଣା ଶରୀର ପ୍ରତି ଭାବନା ନାହିଁ, ଶ୍ୟାମବନ୍ଧୁ ପାଖରେ ବସି ଗୋଡ଼ରେ ହାତ ବୁଲାଉଥାଏ, ପାଣି ଟୋପାଏ ଟୋପାଏ ମୁହଁରେ ଦେଉଥାଏ । ବେଳ ତିନିପ୍ରହର ସମୟରେ ଶ୍ୟାମବନ୍ଧୁ ବାସୁ ମୁହଁକୁ ଚାହିଁ ଖନେଇ ଖନେଇ କହିଲା, “ବାଁ – ସୁଁ ଏଁ – ବଁ ଆଁ – ଗିଁ - ଲା।” ବାସୁ ଭୋ ଭୋ କରି ଡକା ପାଡ଼ିଲା । ଘରେ ଚହଳ ପଡ଼ିଗଲା । ରେବତୀ ଭୂଇଁରେ ପଡ଼ି ଗଡ଼ୁଥାଏ, ଗ୍ରାମରେ ଲୋକେ ଶୁଣି କହିଲେ, ହୋଇଗଲା ପରା । ଦେଖୁଁ ଦେଖୁଁ ସଞ୍ଜବେଳକୁ କିଛି ନାହିଁ । କ’ଣ କରିବେ – ବାସୁଦେବଟା କାଲିକା ପିଲା, ଆଉ ଦୁଇଟା ଭୁଆସୁଣୀ । ଗ୍ରାମର ବନ ଶେଠି ଧୋବା ଜଣେ ଜାଣିବା ଶୁଣିବା ଲୋକ, ତା’ ଦେହକରେ ପଚାଶ କି ଷାଠିଏ ପାର କଲାଣି । କାଲି ହେଲେ ଯିବାକୁ ହେବ, ଆଜି ହେଲେ ଯିବାକୁ ହେବ, ଲୁଗାପଟା ଦି’ଖଣ୍ଡ ମଧ୍ୟ ମିଳିବାର ଭରସା । ଗାମୁଛାଟାଏ ଅଣ୍ଟାରେ ଭିଡ଼ିଦେଇ କୁରାଢ଼ୀଟାଏ କାନ୍ଧରେ ପକାଇ ହାଜର ହୋଇଗଲା । ଗ୍ରାମରେ କରଣ ସେହି ଘରକ; ଶାଶୁ, ବୋହୂ, ବାସୁଦେବ ତିନିଜଣ ଧରାଧରି କରି କର୍ମ ଚଳାଇଲେ । ସେ ସମୟର କଥାଗୁଡ଼ାକ ଲେଖିବାକୁ ଆଉ ହାତ ଚଳୁ ନାହିଁ । ଶ୍ମଶାନରୁ ଫେରି ଆସିବା ବେଳକୁ କୁଆଁତାରା ଉଇଁଲାଣି । ଘରେ ପଶିବା ମାତ୍ରକେ ରେବତୀମା’ ପୋଖରୀପାଣି ଗଲା, ଦେଖୁଁ ଦେଖୁଁ ଦିନ ଦ୍ୱିପ୍ରହର ବେଳେ ଗ୍ରାମରେ ହାଟ ହେଲା, ରେବତୀ ମା’ ନାହିଁ।

ଦିନ ଚାଲିଯାଏ, କାହାରି ଲାଗି ଦିନ ବସି ରହେ ନାହିଁ। କାହାର ପାଲିଙ୍କି ଉପରେ ପାଟଛତା, କାହାର ବେଢ଼ି ଉପରେ କୋରଡ଼ା । ଦିନ ଯାଉଛି ସମସ୍ତଙ୍କର, ଯିବ ସମସ୍ତଙ୍କର । ଦେଖୁଁ ଦେଖୁଁ ତିନିମାସ କଟିଗଲାଣି । ଶ୍ୟାମବନ୍ଧୁ ଘରେ ଦୁଇଗୋଟି ଗାଈ ଥିଲେ, ତହବିଲ ବାକି ଟଙ୍କା ସକାଶେ ଜମିଦାରଘର ଲୋକେ ଆସି ବାନ୍ଧି ଘେନିଗଲେ । ଆମ୍ଭେମାନେ ଜାଣୁଁ, ଜମିଦାରଘର ଟଙ୍କାକୁ ଶ୍ୟାମବନ୍ଧୁ ଶିବନିର୍ମାଲ୍ୟ ପରି ଜ୍ଞାନ କରେ, ଟଙ୍କାଟିଏ ଅସୁଲ ହେଲେ ଜମିଦାର କଚେରିରେ ପୈଠ ନ କରିବାଯାଏ ତାହାର ନିଦ ନାହିଁ। ମାତ୍ର ତାହା ଉପରେ ଟଙ୍କା ଥାଉ ବା ନ ଥାଉ, ଗାଈ ଦିଓଟି ବଡ଼ ଦୁଧିଆଳୀ, ଏ କଥା ପୂର୍ବରୁ ଜମିଦାରଙ୍କ ଜଣାଥିଲା । ତାହା ଛଡ଼ା ଜମିଦାର ଚଷିବାକୁ ଯେ ତିନିମାଣ ଜମି ଦେଇଥିଲେ, ତାହା ଛଡ଼ାଇ ନେଲେଣି । ହଳିଆଟା ବା ଘରେ ଆଉ କିଆଁ ରହିବ ? ଦୋଳପୂର୍ଣ୍ଣିମା ଦିନ ସେ ଛାଡ଼ିଗଲା । ବଳଦ ଦୁଇଟା ସାଢ଼େ ସତର ଟଙ୍କାରେ ବିକା ଯାଇଥିଲା, ଦୁଇଜଣଙ୍କ କ୍ରିୟାରେ ଖରଚ ଯାଇ ଯାହା ବଳିଥିଲା, ସଟାବଟା କରି ମାସେ ଚଳିଲା। ଆଜି ଢାଳଟା କାଲି ପିତ୍ତଳଟା ବିକାବଟା ବନ୍ଧାଛନ୍ଦାରେ ଆଉ ମାସେ ଗଲା । ବାସୁ ଦୁଇ ଓଳି ଦୁଆରକୁ ଆସେ, ରାତି ଘଡ଼ିଏ ଯାଏଁ ଥାଏ, ଆଈ ନାତୁଣୀ ଶୋଇବାକୁ ଗଲେ ବସାକୁ ଯାଏ । ବାସୁ କିଛି ଟଙ୍କା ପଇସା ଦେଲେ ଆଈ ବା ନାତୁଣୀ କେହି ନିଅନ୍ତି ନାହିଁ । ବଳେଇ ବଳେଇ କିଛି ଦେଲେ ତାହା ଠଣାରେ ପଡ଼ିଥାଏ । ବାସୁ ଜାଣିପାରି ଆଉ କିଛି ଦିଏ ନାହିଁ । ବୁଢ଼ୀ ପାଖରୁ ଗୋଟାଏ ଦୁଇଟା ପଇସା ନେଇ ସଉଦା କିଣିଦିଏ, ସେହି ଦୁଇପଇସାର ସଉଦାରେ ଆଠ ଦଶ ଦିନ ଚଳିଯାଏ । ଘରର ଚାଳ ଉଡ଼ିଗଲାଣି, ଛାଉଣି ଦରକାର । ବାସୁ ଦୁଇ ଟଙ୍କାର ନଡ଼ା କିଣି ବାଡ଼ିରେ ଗଦେଇଅଛି, ଶରଣ ଦେବାରୁ ଛପରବନ୍ଦି ହୋଇପାରି ନାହିଁ । ବୁଢ଼ୀ ଏବେ ଆଉ ଦିନ ରାତି ବସି କାନ୍ଦେ ନାହିଁ । କେବଳ ସଞ୍ଜ ହେଲେ ବସି କାନ୍ଦେ । କାନ୍ଦି କାନ୍ଦି ତଳେ ପଡ଼ିଯାଏ, ସେହିଠାରେ ରାତି କାଟେ । ରେବତୀ ଧକେଇ ଧକେଇ ପାଖରେ ପଡ଼ିଯାଏ । ବୁଢ଼ୀ ଆଖିକି ଏବେ ଭଲ ଦିଶୁ ନାହିଁ; ବାୟାଣୀ ପରି ହୋଇଗଲାଣି । ଏବେ ସେ କାନ୍ଦିବାର ଊଣା କରି ରେବତୀକୁ ଗାଳି ଦେବାକୁ ଆରମ୍ଭ କରିଛି । ଏତେ ଯେ ଦୁଃଖ, ଏତେ ଯେ ଦୁର୍ଦ୍ଦଶା ସବୁର ମୂଳ କାରଣ ରେବତୀ, ଏହା ସେ ମନ ମଧ୍ୟରେ ସ୍ଥିରସିଦ୍ଧାନ୍ତ କରି ସାରିଲାଣି । ରେବତୀ ପାଠ ପଢ଼ିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡ଼ିଗଲା, ବଳଦ ବିକାଗଲା, ଜମିଦାରଘର ଗାଈ ବାନ୍ଧି ଘେନିଗଲା । ରେବତୀ କୁଲକ୍ଷଣୀ, ସେ କୁଢଙ୍ଗୀ, ସେ ଲକ୍ଷ୍ମୀଛାଡ଼ୀ। ବୁଢ଼ୀ ଆଖିକୁ ଯେ ଦିଶୁ ନାହିଁ ତାହାର କାରଣ ରେବତୀର ପାଠପଢ଼ା। ବୁଢ଼ୀ ଗାଳି ଦେବାବେଳେ ରେବତୀ ଆଖିରୁ ଦୁଇଧାରା ବହି ଯାଉଥାଏ, ଡରେ ବୁଢ଼ୀ ପାଖରେ ଛିଡ଼ା ହୋଇପାରେ ନାହିଁ। ବାଡ଼ିଦୁଆରେ, ନୋହିଲେ ଘରକୋଣରେ ମୁହଁ ଘୋଡାଇ କାଠଟି ପରି ବସିଥାଏ। ବାସୁ ମଧ୍ୟ ଦୋଷୀ; କାରଣ ରେବତୀ ତ ଏତେଦିନ ଯାଏ ପଢ଼ି ନଥିଲା, ସେହି ଆସି ସିନା ପଢ଼ାଇ ଦେଲା । ମାତ୍ର ବୁଢ଼ୀ ବାସୁକୁ କିଛି କହିପାରେ ନାହିଁ, ବାସୁ ନହେଲେ ଘର ଦଣ୍ଡେ ଅଚଳ, ପୁଣି ଜମିଦାରଘର ଲଟ ଛିଡ଼ି ନାହିଁ । ଜମିଦାର-ଘର ଲୋକ ଆସି ଏ ହିସାବଟା, କାଲି ସେ ହିସାବଟା ମାଗେ । ବାସୁ ନହେଲେ ପାଞ୍ଜି ବିଡ଼ାରୁ ପଢ଼ି ପତର କାଢ଼ି ଦେବ କିଏ? ବାସୁ ନ ଥିବାବେଳେ ସେ ସହଜ କଥାରେ କେବେ କେବେ ଆପଣା ମନ୍ତବ୍ୟ ପ୍ରକାଶ କରିଥାଏ । ରେବତୀ ଆଉ ଏଣିକି ସେହି ଗୃହପ୍ରାଙ୍ଗଣସଞ୍ଚାରିଣୀ ଲୀଳାମୟୀ ପ୍ରତିମା ନୁହେଁ, ତାହା ପାଟି ଆଉ କେହି ଶୁଣି ନାହିଁ, ବାପ ମା’ ଗଲାଦିନୁ ତାକୁ ଦାଣ୍ଡଦୁଆରେ ଆଉ କେହି ଦେଖି ନାହିଁ । କେତେ ଦିନ ଯାଏ ଭୋ ଭୋ କରି ଡକା ପାରୁଥିଲା, ଏବେ ଆଉ ପାଟି କରି କାନ୍ଦେ ନାହିଁ; ମାତ୍ର ଦିବାରାତ୍ର ତାହାର ବଡ଼ ବଡ଼ ଆଖି ଦୁଇଟା ସାନ ସାନ ନୀଳକଇଁ ପରି ପାଣିରେ ଢଳଢଳ ହେଉଥାଏ । ତାହାର କ୍ଷୁଦ୍ର ପ୍ରାଣ – ତହିଁରୁ ଅତି କ୍ଷୁଦ୍ର ମନଟି ଏକାବେଳକେ ଭାଙ୍ଗି ଯାଇଛି । ତା’ ପକ୍ଷରେ ବର୍ତ୍ତମାନ ଦିନରାତି ସମାନ। ସୂର୍ଯ୍ୟରେ ଆଲୁଅ ନାହିଁ, ରାତିରେ ଅନ୍ଧାର ନାହିଁ, ସମସ୍ତ ଜଗତ୍‌ଶୂନ୍ୟ ! କେବଳ ପିତାମାତାଙ୍କ ମୂର୍ତ୍ତି ହୃଦୟ ପୂର୍ଣ୍ଣ କରିଅଛି । ମା’ ଏହିଠାରେ ବସିଛନ୍ତି, ବାପା ଚାଲି ଯାଉଛନ୍ତି, ତାହା ଆଖିରେ କେବଳ ଏହି ଦୁଇଟା ଦିଶୁଅଛି । ବାପା ମା’ ମରି ଯାଇଛନ୍ତି, ଆଉ ସେମାନେ ଆସିବେ ନାହିଁ, ଏ କଥା ସେ ବିଶ୍ୱାସ କରି ପାରୁନାହିଁ । ପେଟରେ ଭୋକ ନାହିଁ, ଆଖିରେ ନିଦ ନାହିଁ ।, ଦିବା ନିଶି ଅନୁକ୍ଷଣ ପିତା ମାତା ଧ୍ୟାନ । ଜେଜୀମା’ ଡରରେ ଖାଇବାକୁ ବସେ । ଭୂଇଁରୁ ପ୍ରାୟ ଉଠେ ନାହିଁ । ଦେହରେ ହାଡ଼ ଚମ ଦୁଇଖଣ୍ଡ ଧୁଡ଼ଧୁଡ଼ ହେଉଛି । କେବଳ ବାସୁଦେବ ଘରକୁ ଆସିଲେ ଉଠି ବସେ, ବଡ଼ ବଡ଼ ଆଖି ଦୁଇଟାରେ ଜଳଜଳ କରି ବାସୁକୁ ଚାହିଁ ଥାଏ, ବାସୁ ଅନାଇଲେ ସାନ ନିଶ୍ୱାସଟାଏ ପକାଇ ମୁଣ୍ଡ ପୋତିଦିଏ। ବାସୁ ପାଖରେ ଥିବା ଯାଏ ତାହାକୁ ଚାହିଁ ରହିଥାଏ। ତେତେବେଳେ ତାହାର

ଆଉ କିଛି ଜ୍ଞାନ ନଥାଏ – ଆଖିରେ ବାସୁଦେବ, ଚିନ୍ତା ବାସୁଦେବ, ସମସ୍ତ ହୃଦୟଟା ବାସୁଦେବମୟ ।


Rate this content
Log in

Similar oriya story from Classics