ସୌନ୍ଦର୍ଯ୍ୟ
ସୌନ୍ଦର୍ଯ୍ୟ
ମୋ ବୋଉ ଦେଖିବାକୁ ବହୁତ ସୁନ୍ଦର l କଥାରେ କୁହନ୍ତି ଗୋଟିଏ ଚାଉଳରେ ଗଢା l ମୋତେ କିନ୍ତୁ ଭଗବାନ୍ ମୋ ବୋଉ ରୂପର କାଣଚାଏ ଦେଇ ନ ଥିଲେ l ମୋର ରଙ୍ଗ କଳା l ଆଜିକାଲି ତଥାକଥିତ ସୌନ୍ଦର୍ଯ୍ୟର ମାପ କାଠି ଯାହା, ସେଥିରୁ କିଛି ବି ମୋ ପାଖରେ ନାହିଁ l ସେଥିପାଇଁ ଅବଶ୍ୟ ମୋ ମନରେ ଦୁଃଖ ନ ଥିଲା l ମୋ ବୋଉ ବି କହେ ଭଗବାନ୍ ମୋ ଝିଅକୁ ଅନେକ କଳା ଦେଇଛନ୍ତି l ମୁଁ ଗୀତ ଗାଏ, କବିତା ଲେଖେ, ଭଲ ଝୋଟି ଦିଏ l ରୋଷେଇ ବି ଭଲ
କରେ l କିନ୍ତୁ ଏ ସବୁ କଳା ବିବାହ ବଜାର ପାଇଁ ଏକଦମ୍ ମୂଲ୍ୟହୀନ, ତାହା ମୁଁ ଜାଣିଲି ମୋର ଗୋଟିଏ ପରେ ଗୋଟିଏ ପ୍ରସ୍ତାବ ଭାଙ୍ଗିଯିବା ପରେ l
: ବୋଉ! ତୁ କେତେ ସୁନ୍ଦର l ମୁଁ କାହିଁକି ଏତେ ଅସୁନ୍ଦର ହେଲି କହିଲୁ ?
କ୍ଷଣଟିଏ ଚୁପ୍ ରହିଗଲା ବୋଉ ମୋର l ତା’ପରେ ମୋ ଆଖିରେ ଆଖି ରଖି କହିଲା, “ମା’ରେ! ସୁନ୍ଦର-ଅସୁନ୍ଦର, ଗୋରା-କଳା, ଡେଙ୍ଗା-ଗେଡାରେ କିଛି ନାହିଁ l ନିଆଁରେ ଶୋଇ ପଡିଲେ ନା ସବୁ ସମାନ l ଜଳି ଅଙ୍ଗାର l ସେତିକି ବି ବୁଝେନି ଏ ମଣିଷ l”
ଏଥର ମୋତେ ବହୁତ ହାଲୁକା ଲାଗୁଥିଲା l ଭଗବାନ୍ ମୋତେ ଏତେ ଗୁଣ ଦେଇଛନ୍ତି, ମୁଁ କାହିଁକି ଦୁଃଖ କରୁଛି, ଏ ସାମାନ୍ୟ ରୂପକୁ ନେଇ ? ଯାହାକି ଚିରସ୍ଥାୟୀ ନୁହେଁ l