Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rakesh Mishra

Comedy

5.0  

Rakesh Mishra

Comedy

ଗୁଲୁଆର ଗାର୍ଲଫ୍ରେଣ୍ଡ

ଗୁଲୁଆର ଗାର୍ଲଫ୍ରେଣ୍ଡ

6 mins
7.4K


ଗୁଲୁଆ ମୋ ପିଲା ଦିନର ସାଙ୍ଗ । ବାଉଁଶକଣି ପରି ପତଳା ଚେହେରା । ଠକରା ଗାଲ ଚୁଚୁନ୍ଦ୍ରା ପରି ମୁହଁ, ଆଉ ସେ ମୁହଁର ସବୁଠାରୁ ବଡ ବିଶେଷତ୍ୱ ଦୁଇ ଆଖି ମଝିରେ ଚେପଟା ନାକଟା ନଥିଲେ ତା ଦୁଇ ଆଖି ଡୋଳା କେବେଠାରୁ ଏକ ହୋଇ ସଂସାର କରି ସାରି ଥାଆନ୍ତେ । ସମସ୍ତେ ତାକୁ ଟେରା ଗୁଲୁଆ ବୋଲି ଡାକନ୍ତି ସିନା କିନ୍ତୁ ଈଶ୍ୱର ପ୍ରଦତ୍ତ ଏହି ବିଶେଷ ଗୁଣଟି ଗୁଲୁଆକୁ କିଛି କ୍ଷେତ୍ରରେ ସାହାଯ୍ୟ କରିଥାଏ । ବିଶେଷତଃ ଛକ ବଜାରରେ, ସ୍କୁଲ କଲେଜରେ ସେ ଯେବେ ଝିଅଙ୍କୁ ଆଖିରେ ଆଖିରେ ଗୋଟା ପଣେ ଗିଳୁଥାଏ କେହି ଜାଣି ପାରନ୍ତିନି ଗୁଲୁଆ କୁଆଡେ ଚାହିଁଛି । ଦେଖିବା ଦିଗରୁ ଯେମିତି ହେଉ ନା କାହିଁକି ଗୁଲୁଆ ଥିଲା ପ୍ରଚଣ୍ଡ ପ୍ରତିଭା ସମ୍ପନ୍ନ । କଥା କହିବାରେ ଧୁରନ୍ଧର ଗୁଲୁଆ ମାସକ ତଳୁ ବିନା ବରଫରେ ରହିଥିବା ପୁରୁଣା ପଚାଗନ୍ଧିଆ ମାଛକୁ ବି ଏବେ ଏବେ ଚିଲିକା କିମ୍ବା ଚାନ୍ଦବାଲିରୁ ଆସିଲା କହି ବିକିଦେବାର ଅଦ୍ଭୁତ କ୍ଷମତା ଧାରଣ କରେ । ତେଣୁ ନିଜର ଏହି ବିଶେଷ ଗୁଣଟିର ସର୍ବୋଚ୍ଚ ବ୍ୟବହାରର ନିଦର୍ଶନ ସେ କଟକର କୌଣସି ଏକ ଲୁଗା ଦୋକାନରେ କରେ । ଯେଉଁ ଲୁଗା ଦୋକାନରେ ସେ ସେଲ୍ସବୟ ହିସାବରେ କାମ କରେ ।

କିନ୍ତୁ ଗୁଲୁଆର ସବୁଠାରୁ ବଡ ଦୁଃଖ, ତାର ପ୍ରେମ ରାଶି ଏ ଯାଏ ଫିଟିଲାନି । ଅର୍ଥାତ ଏଇ ଆଣ୍ଡ୍ରଏଡ଼ ଯୁଗରେ ରିକ୍ସାବାଲା, ଅଟୋଵାଲା, ପାନ ଦୋକାନୀ, ପରିବା ଦୋକାନୀ ସମସ୍ତଙ୍କର ଗାର୍ଲଫ୍ରେଣ୍ଡ ଅଛନ୍ତି । ଏମିତିକି ମନ୍ଦିର ସାମ୍ନାରେ ଭିକ ମାଗୁଥିବା ଭିକାରି ଟୋକାଟାର ଯୋଡ଼ିଏ ଗାର୍ଲଫ୍ରେଣ୍ଡ । ଅବଶ୍ୟ ତା ଇନକମ୍ ବି ସେମିତି । ସକାଳେ ଲିଙ୍ଗରାଜ ମନ୍ଦିର ସାମ୍ନାରେ, ସନ୍ଧ୍ୟାରେ ରାମ ମନ୍ଦିର ସାମ୍ନାରେ ଆଉ ଖରାବେଳେ ଟ୍ରାଫିକ୍ ସିଗନାଲରେ ଡ୍ୟୁଟି କରି ବେଶ୍ ଭଲ ପଇସା କମାଏ । କିନ୍ତୁ ଗୁଲୁଆ କପାଳରେ ଏ ଯାଏ ଫାଳେ କି ଚେନାଏ ଗାର୍ଲଫ୍ରେଣ୍ଡ ଜୁଟିଲାନି। ବିଚରାର କପାଳ ଖରାପ, ତାକୁ ଝିଅ ମାନେ ଦେଖିକି ହସନ୍ତି ନ ହସିକି ଦେଖନ୍ତି, ସେ ନେଇ ସବୁବେଳେ କନଫ୍ୟୁଜ ଗୁଲୁଆ ।

ଭିକାରି ଟୋକା ଦିନ ବେଳା ସିନା ଇଉନିଫର୍ମ ଅର୍ଥାତ ଛିଡ଼ାଫଟା ଜାମା ପ୍ୟାଣ୍ଟ ପିନ୍ଧି କି ରୁହେ କିନ୍ତୁ ରାତି ଆଠ ପରେ ତାକୁ ଚିହ୍ନିବା ମୁସ୍କିଲ । କମର ୩ ଇଞ୍ଚ ତଳକୁ ପିନ୍ଧା ଯାଉଥିବା ଅର୍ଥାତ ସିଧା କଥାରେ ପିଚା ଦିଶୁଥିବା ଜିନ୍ସ ପ୍ୟାଣ୍ଟ ସାଙ୍ଗରେ ଟି-ଶାର୍ଟ, ପାଦରେ ଚକଚକିଆ ଜୋତା, ମୁଣ୍ଡରେ ହେୟାର୍ ଜେଲ୍ ମାରି ପୁରା ଅନୁଭବ୍ ଷ୍ଟାଇଲରେ ପୁରୁଣା ହିରୋହୋଣ୍ଡା ସ୍ପ୍ଲେଣ୍ଡରଟା ଧରି ବାହାରିଲେ ନଦେଖିବା ଲୋକେ ଷେଣ୍ଢା ଟେକି ଦେଖିବେ । ସେ ଟୋକା ବେଳେ ବେଳେ ଜାମା ପ୍ୟାଣ୍ଟ କିଣିବାକୁ ଗୁଲୁଆ ଦୋକାନକୁ ଆସେ । ଗୁଲୁଆ ବି ତାକୁ ଲେଟେଷ୍ଟ ଡିଜାଇନର ସାର୍ଟ ପ୍ଯାଣ୍ଟ ପସନ୍ଦ କରିବାରେ ସାହାଯ୍ୟ କରେ । ତେଣୁ ଦୁହିଁଙ୍କ ଭିତରେ ଗୋଟେ ଜିଗିରି ଦୋସ୍ତ ଟାଇପ୍ ଫିଲ୍ ଆସିଯାଇଥିଲା ।ଜାମାପଟା କିଣାକିଣି ମଝିରେ ଦିହେଁ ଟିକେ ସୁଖ ଦୁଃଖ ହୋଇଯାଆନ୍ତି । ତାକୁ ଥରେ ହାତ ଓଠ ଧରି ନେହୁରା ହୋଇ ଗୁଲୁଆ ପଚାରି ବୁଝିଥିଲା, ଗାର୍ଲଫ୍ରେଣ୍ଡ ଯୁଟେଇବାର ଅଜ୍ଞାତ ରହସ୍ୟ । ସେଇ ଭିକାରି ଟୋକାହିଁ ବୁଦ୍ଧି ଦେଇଥିଲା ଫେସବୁକରେ ଗୋଟେ ଆଇଡି ବନେଇ ଗାର୍ଲଫ୍ରେଣ୍ଡ ଖୋଜିବାକୁ । ସେ କୁଆଡେ ସେମିତି କରିହିଁ ଦୁଇ ଦୁଇଟା ଗାର୍ଲଫ୍ରେଣ୍ଡ ଯୁଟେଇଛି ।

ତା ପରେ ଆଉ ଗୁଲୁଆକୁ ଧରେ କିଏ । ତା କଥା ଅନୁଯାଇ ତୁରନ୍ତ ଟଙ୍କା ପଇସା କିଛି ଧାର ଉଧାର କରି ଗୁଲୁଆ ଚାଇନା ମୋବାଇଲ ସେଟ ଗୋଟେ କିଣି ପ୍ରଥମେ ଫେସବୁକ ଆଉ ହ୍ଵାଟ୍ସଆପ ଇନଷ୍ଟାଲ କରି ପକେଇଲା । ଫେସବୁକରେ ଗୋଟେ ପ୍ରୋଫାଇଲ ବି ଖୋଲିଦେଲା । କିନ୍ତୁ ନାଁ ଆଉ ଫଟ ଛଡ଼ା ଆଉ ସବୁ ତଥ୍ୟ ଠିକ ଠାକ ଦେଇଥିଲା । ପିଲାବେଳୁ ଏଇ ଗୁଲୁଆ ନାଁ'ଟା ତାର ପସନ୍ଦ ନୁହେଁ । ତା ଛଡ଼ା ଗୁଲୁଆ ନାଁ ଶୁଣି କୋଉ ଝିଅ ପଟିବ ! ତେଣୁ ବହୁତ ଭାବି ଚିନ୍ତା ନାଆଁ ରଖିଲା ରକି ରକଷ୍ଟାର ଆଉ ଫଟୋରେ ହୃତ୍ଵିକ ରୋଶନର ଫଟୋ ଲଗେଇ ନିଜ ଫେସବୁକ ଯାତ୍ରା ଆରମ୍ଭ କରିଦେଲା । ଦିନ କେଇଟାରେ ଫ୍ରେଣ୍ଡ୍ସଲିଷ୍ଟରେ ଦୁଇ-ତିନିଶହ ବନ୍ଧୁ ବାନ୍ଧବୀ ବି ଆଡ଼ ହୋଇଗଲେ । ଅବଶ୍ୟ ବନ୍ଧୁ କମ ବାନ୍ଧବୀ ବେଶି । ତାପରେ ଚାଲିଲା ରାତିଅଧିଆ ହେଲୋ ହାଇ, ହାଉ ଡୁ ଇଉ ଡୁ.. ।

କିଛି ଦିନ ପରେ ଗୁଲୁଆକୁ ତା ଇପ୍ସିତ ରାଜକୁମାରୀ ମିଳିଗଲା ପାପା'କି ପରି - ସୁପ୍ରିୟା । ପ୍ରୋଫାଇଲରେ ଗୋଟେ ଉଡ଼ନ୍ତା ପରୀର ଛବି । କିଛି ଦିନ କଥାବାର୍ତ୍ତା ପରେ ପ୍ରଥମେ ଫ୍ରେଣ୍ଡ, ତାପରେ ଗୁଡ଼ଫ୍ରେଣ୍ଡ ତା ପରେ ଆଉ ଟିକେ ଆଗକୁ ଯାଇ ପ୍ରେମ । କିଛି ଦିନ ହ୍ଵାଟ୍ସଆପ ଆଉ ଫେସବୁକରେ ରାତିଅଧିଆ ବାର୍ତ୍ତାଳାପ ଚାଲିଲା ଫୁଲ୍ ଦମରେ । ଆଜିକାଲି ସୁପ୍ରିୟାର ମେସେଜ ଆସିଲେ ଗୁଲୁଆ ଆନନ୍ଦରେ କୁରୁଳି ଉଠେ ସତରେ ଯେମିତି ଲକ୍ଷେ ଟଙ୍କିଆ ଲଟେରୀଟେ ଉଠିଛି। ତାପରେ ଗୁଲୁଆ ଏମିତି ଢଙ୍ଗରେ ସେ ମେସେଜ ପଢିବା ଆରମ୍ଭ କରେ ସତେ ଯେମିତି ଇଣ୍ଟେଲିଜେନ୍ସ ବ୍ୟୁରୋର କୌଣସି ସିକ୍ରେଟ ମେସେଜ ପଢୁଛି । କିନ୍ତୁ ତା ସହକର୍ମୀଙ୍କ ଭିତରୁ ସେସବୁ ମେସେଜ କେହି ଦେଖିବାକୁ ଚାହିଁଲେ କାହାକୁ ଦେଖାଏନି । କିନ୍ତୁ ଗୁଲୁଆର ହାବ କରି ଭାବ ଦେଖି ସମସ୍ତେ ଅନୁମାନ କରି ପାରନ୍ତି ତା'କୁରୁଳିବାର କାରଣ କଣ । କାରଣ ସ୍ୱଭାବ ବସତଃ ଗୁଲୁଆ ଥିଲା ଏମିତି ପିଲା ଯିଏ ହଗେ କମ୍ କୁନ୍ଥାଏ ବେଶି । ସାଙ୍ଗ ମାନେ ଥଟ୍ଟା କରି କୁହନ୍ତି କାହା ମେସେଜ ଆସିଲା କିରେ । ହୋନେ ବାଲି ଭାଉଜ କି! ତା ପରେ ଗୁଲୁଆ ଗୋଟେ ପଟ ଓଠ ଟେକି, କିଚ୍ କିନା ଶବ୍ଦ କରି କୁହେ - ନା ନା, ତୁମେ ସବୁ ତ ମୋତେ ଜାଣିଛ । ମୁଁ ସେସବୁ ଲଭ ମ୍ୟାଟରରେ ପଶେନି । ଏମିତି ଢଙ୍ଗରେ ଗୁଲୁଆ କଥାଟା କୁହେ, ସତେ ଯେମିତି ଦୀପିକା ପାଦୁକୋନ୍ ତାକୁ ବାହା ହବାକୁ ସଜ ହୋଇ ବସିଛି । କିନ୍ତୁ, ଗୁଲୁଆ ସବୁକଥା ମୋତେ କୁହେ, କାରଣ ତା'ର ପୂର୍ଣ୍ଣ ବିଶ୍ୱାସ ମୁଁ ତା କଥା କାହାକୁ କହିବିନି । କାନକୁ ଦେଢ଼ କାନ ହେବନି ।

ସେ ଯାହା ହେଉ, ଏମିତି କିଛିଦିନ ଚାଲିଲା ଫେସବୁକ ମେସେଞ୍ଜର ଓ ହ୍ଵାଟ୍ସଆପ୍ ରେ "ତୋର ମୋର କଥା ହେବା ଚୁପ୍ ଚାପ୍" । ତାପରେ ଯାହା ହୁଏ । ପ୍ରେମିକାର ମୋବାଇଲ ଫୋନ୍ ରିଚାର୍ଜ, ତା ହଷ୍ଟେଲ ସାଙ୍ଗଙ୍କ ମୋବାଇଲ ରିଚାର୍ଜ, ଆଜି ଆଇସକ୍ରିମ ଖାଇବାକୁ ଇଚ୍ଛା ହଉଛି, ଆଜି ସାଙ୍ଗ ମାନଙ୍କ ସହ ମିଶି କେ ଏଫ ସି ଯିବୁ ପେଟିଏମରେ କିଛି ପଇସା ପଠାଅନା ଜାନୁ, ଇତ୍ୟାଦିରେ ଗୁଲୁଆର ଦରମାରୁ ଅଧା ଚାରଣା ଶେଷ । ଶେଷରେ ସେଇ ବହୁ ପ୍ରତୀକ୍ଷିତ ଦିନଟି ଆସିଲା ଗୁଲୁଆ ଜୀବନରେ । ସୁପ୍ରିୟା କଥା ଦେଇଛି ତାକୁ କୋଉ ଗୋଟେ ପାର୍କରେ ଦେଖା କରିବ । ସେଦିନ ଗୁଲୁଆ ହାଫ୍ ଡେ ଛୁଟି ନେଲା । ଚିତା ଚଇତନ ହୋଇ ପରଫ୍ୟୁମ ବୋତଲଟା ଗୋଟାପଣେ ଢାଳି ହୋଇ, ଆଖିରେ କଳା ଚଷମା ମୁଣ୍ଡରେ ତେରଛା ଟୋପି ପିନ୍ଧି ବାହାରିଲା ପ୍ରାଣପ୍ରିୟାକୁ ଦେଖା କରିବାକୁ । କଥା ଥିଲା, ଯିଏ ଆଗ ପହଞ୍ଚିବ ସେ ପାର୍କ ଗେଟ୍ ପାଖରେ ରହିବ । ଅନ୍ୟ ଜଣକ ପହଞ୍ଚିଲେ ସାଙ୍ଗ ହେଇ ପାର୍କ ମଧ୍ୟକୁ ପ୍ରବେଶ କରିବେ । ଗୁଲୁଆ ମନେ ମନେ ଗୋଟେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଥିଲା । ଦେଖା ହେଲେ କେମିତି ଷ୍ଟାଇଲରେ ହେଲୋ କହିବ । ତା ପରେ ତା' ଲାଗି କିଣିଥିବା ଛୋଟିଆ କାଚଘେରା ତାଜମହଲଟା କେମିତି ଦେବ । ତା ପରେ ହାତ ଧରି କେମିତି ପାର୍କକୁ ପଶିବ ଇତ୍ୟାଦି ଇତ୍ୟାଦି । ଯଥାରୀତି ପାର୍କ ପହଞ୍ଚିବା ପୂର୍ବରୁ ଫୋନ୍ କରି ବୁଝିଲା, ସୁପ୍ରିୟା ପହଞ୍ଚି ସାରିଛି । ପାର୍କ ସାମ୍ନା ଆଇସକ୍ରିମ ବାଲା ପାଖରେ ଛିଡ଼ା ହୋଇ ଆଇସକ୍ରିମ ଖାଉଛି । ଗୁଲୁଆର ବୁଝିବାର ସୁବିଧାର୍ଥେ ସେ ଗୋଲାପୀ ଜିନ୍ସ ଆଉ ବ୍ଲୁ ଟି-ଶାର୍ଟ ପିନ୍ଧିଥିବା କଥା ବି ଜଣାଇଲା ।

ଗୁଲୁଆ କାନରେ ଇଅର ଫୋନ୍ ଗୁଞ୍ଜି ବେଗି ବେଗି ପାଦ ପକାଇ ଚାଲିଲା ଆଇସକ୍ରିମ ବାଲା କୋଉଠି ଛିଡ଼ା ହୋଇଛି ଖୋଜିବାକୁ । ଦେଖିଲା ପାର୍କ ର ଠିକ୍ ଡାହାଣକୁ ଆଇସକ୍ରିମ ବାଲା । କିନ୍ତୁ ସୁପ୍ରିୟା କାହିଁ? ଏପଟେ ଗୋଟେ ମୋଟି ଝିଅ, ସେପଟେ ୩-୪ଟା ଛୋଟ ଛୁଆ, ଆଉ ତାଙ୍କ ହାତ ଧରି ଆକଟ କରୁଥିବା ତାଙ୍କ ବାପା ମା । ହଠାତ୍ ଡ୍ରେସ୍ କୋଡ୍ ମନେ ପଡ଼ିଲା । ମୋଟି ଝିଅଟି ବି ସମାନ ରଙ୍ଗର ଜିନ୍ସ ଓ ଟି-ଶାର୍ଟ ପିନ୍ଧିଛି । ଗୋଟେ ହାତରେ ଫୋନ୍ ଆଉ ଗୋଟେ ହାତରେ ଆଇସକ୍ରିମ ଧରି ଓଠର ଲିପଷ୍ଟିକ୍ ଲିଭିବା ଭୟରେ ବଡ଼ ଭୟାନକ ଷ୍ଟାଇଲରେ ଏଡ଼େ ବଡ଼ ଆଁ କରି ଖାଇ ଚାଲିଛି । ଦେହର ରଙ୍ଗ ଘନକୃଷ୍ଣ ବର୍ଣ୍ଣ, ସାମାନ୍ୟ ଚଉଡ଼ା ଓଠରେ ଗାଢ଼ ଖଇରୀ ରଙ୍ଗର ଲିପଷ୍ଟିକ୍, ପିନ୍ଧିଥିବା ଜିନ୍ସ ଓ ଟି-ଶାର୍ଟ ପ୍ରାଣ ବିକଳରେ ତାକୁ ଜାବୁଡ଼ି ଧରିଥିବା ପରି ଲାଗୁଛି । କିନ୍ତୁ କେବଳ ଡ୍ରେସ୍ ର ରଙ୍ଗ ମିଳୁଥିଲା ସିନା ହେଲେ ସୁପ୍ରିୟାର ହ୍ଵାଟ୍ସଆପ୍ ରେ ଥିବା ଡିପି ସହ ଏ ଝିଅର ଚେହେରାର କୌଣସି ମେଳ ନଥିଲା । ବାଧ୍ଯ ହୋଇ ଟିକେ ଦୂରରେ ରହି ପୁଣି ଫୋନ୍ କଲା । ଫୋନ୍ ରିଂ ହେଉଛି, ଗୋଟେ କାନରୁ ଇଅର ଫୋନ୍ କାଢ଼ି କାନେଇଲା, କୋଉଠି ଆଖ ପାଖରେ କାହା ଫୋନ୍ ରିଂ ହେଉଛି କି ନା' ଜାଣିବାକୁ । ଗୁଲୁଆକୁ ଆଶ୍ଚର୍ଯ୍ୟ କରି ଟିକେ ଦୂରରେ ଛିଡ଼ା ହୋଇଥିବା ଝିଅଟା ହିଁ ଫୋନ ରିସିଭ୍ କରି ହେଲୋ.. ହେଲୋ... କୋଉଠି ତୁମେ ଆଦି ପଚାରି ଚାଲିଥିଲା । ଗୁଲୁଆ କୌଣସି ଉତ୍ତର ନଦେଇ ଫୋନ୍ କାଟି, ରିଡାଏଲ୍ କରିବାକୁ ଆଉ ଥରେ କଲ୍ କଲା । ଏଥର ବି ସେଇ ଏକା କାହାଣୀ । ଗୁଲୁଆର ବୁଝିବାକୁ ବାକି ନଥିଲା ଯେ ଫେସବୁକ ବା ହ୍ଵାଟ୍ସଆପ୍ ଡିପିରେ ଅଲଗା ଫଟୋ ଲଗାଇ ସେ ଯେଉଁ ଚାଲାକି କରିଥିଲା ସେଇଟା ସୁପ୍ରିୟା ବି କରି ତାକୁ ଚକମା ଦେଇଛି । ଆଉ କାଳବିଳମ୍ବ ନକରି ତୁରନ୍ତ ଫୋନ୍ ବନ୍ଦ କରି ସେଠାରୁ, ପିଛେ ମୋଡ଼.. କଦମ ତାଲ୍ ଶୁରୁ କରେଙ୍ଗେ ଶୁରୁ କର୍ । ସେଠୁ ପଳେଇ ଆସିବା ପରେ ପରେ ଖାସ୍ ସୁପ୍ରିୟା ସଙ୍ଗେ କଥା ହେବାକୁ ନେଇଥିବା ଜିଓ ସିମ୍ ତୁରନ୍ତ କାଢ଼ି ଫିଙ୍ଗି ଦେଲା। ଫେସବୁକ ବନ୍ଦ, ହ୍ଵାଟ୍ସଆପ୍ ବନ୍ଦ । ଦିନା କେତେ ଖୁବ୍ ସଦମାରେ ଥିଲା ।କିନ୍ତୁ ଗୋଟେ କଥା ସେ ବୁଝି ପାରୁନଥିଲା ସୁପ୍ରିୟାର ଡିପିରେ ଥିବା ସେ ଫଟୋଟି କାହାର । କାରଣ ତା ଚିହ୍ନା ଜଣା କୌଣସି ହିରୋଇନ୍ ର ଫଟୋ ସେଇଟା ନୁହେଁ । ଶେଷରେ ମୋତେ ସବୁ କଥା କହି ଯେବେ ଫଟଟି ଦେଖେଇଲା, ମୁଁ ଦଶମିନିଟ୍ ହସିଲି ।କାରଣ ସେଇଟା ଥିଲା ଦକ୍ଷିଣୀ ନାୟିକା କାଜୋଲ ଅଗ୍ରୱାଲର ଫଟୋ ।

© ରାକେଶ ମିଶ୍ର


Rate this content
Log in

Similar oriya story from Comedy