Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନ୍ଧାର ଦୀପାବଳି
ଅନ୍ଧାର ଦୀପାବଳି
★★★★★

© Arabinda Rath

Tragedy

13 Minutes   14.6K    12


Content Ranking

ଲେଖକ- ଅରବିନ୍ଦ ରଥ

ଏତେ ବଡ ପଡିଆରେ ସୋରିଷ ପକେଇବାକୁ ଜାଗା ନାହିଁ। ପଡିଆ ଭିତରେ ଛତୁ ଫୁଟିଲା ପରି ବାଣ ଦୋକାନ ଗୁଡିକ ବିଛାଡି ହୋଇ ପଡିଛନ୍ତି। ଦୋକାନୀ ମାନେ ନିଜର କଳା କୌଶଳ ଦେଖାଇବାରେ ବ୍ଯସ୍ତ ; କିଏ ବାଣ ମାନଙ୍କ ବଷୟରେ କିଞ୍ଚିତ୍ ସୂଚନା ଦେଇ ଲୋକ ଙ୍କୁ ଦୋକାନ ଆଡକୁ ଟାଣି ନେଉଛି, ତ କିଏ ପିଲା ଙ୍କ ହାତରେ ବାଣ ଟିଏ ଧରେଇ ବାଣ ର ଚମତ୍କାରିତା ବିଷୟ ବୁଝାଇବାରେ ବ୍ଯସ୍ତ। କିଛି ଦୋକାନୀ ପିଲା ମାନଙ୍କୁ ଚକମକିଆ ଲିଚୁ ଲାଇଟ୍ ଦେଖାଇ ନିଜ ଦୋକାନ କୁ ଆକୃଷ୍ଟ କରିବା ଚେଷ୍ଟାରେ ଲାଗି ଥାଆନ୍ତି। ସେ ଜାଗାର ଆବହାଓ୍ବାରୁ ଏତିକି ତ ବୁଝା ପଡୁଛି ଯେ , ଗ୍ରାହକ ମାନଙ୍କ ଭିତରେ ବାଣ କିଣିବାର ଅଦମ୍ଯ ଆଗ୍ରହ, କୂଳଥଳ ନ ମାନିବାକୁ ପ୍ରସ୍ତୁତ। ନ ହେବ ବା କେମିତି ! ପାଗ ତ ପୁରା ଅନୁକୂଳ ଅଛି। ଶୀତ ର ପ୍ରକୋପ ଧିର ମନ୍ଥର ଗତିରେ ବଢି ଚାଲିଥିଲେ ମଧ୍ଯ, ଦିନବେଳା ସୂର୍ଯ୍ଯଦେବଙ୍କର ଉଗ୍ରରୂପ ଦେଖିବାକୁ ମିଳୁଛି। ପବନ ର ଗତି ମଧ୍ଯ ନିଷ୍କ୍ରିୟପ୍ରାୟ ; ଏମିତି ପରିସ୍ଥିତିରେ ବାଣ ବିକ୍ରିର ଧାରାକୁ ବନ୍ଦ କରିବା ପରି କୌଣସି ପ୍ରତିବନ୍ଧକ ଦୃଶ୍ଯ ହେଲା ପରି ଲାଗୁନି।

ସେହି ପଡିଆର ଗୋଟିଏ କୋଣରେ ଲୋଚାକୋଚା ହୋଇ ବସିଥିଲା ଜଣେ ବୃଦ୍ଧା ; ସାମନା ରେ ଥୁଆ ହୋଇଥିଲା ମାଟି ଦୀପ ଭର୍ତ୍ତି ଏକ ବାଉଁଶ ପାଛିଆ। ତା ପାଖକୁ ରଙ୍ଗ ବେରଙ୍ଗ ର କିଛି ବଡ ଦୀପ ଓ କେଇ ବିଡା କାଉଁରିଆ କାଠି। ବିଚାରି ସକାଳୁ ପସରା ମେଲାଇ ବସିଥିଲା, କିନ୍ତୁ ଗୋଟିଏ ହେଲେ ଦୀପ ବିକ୍ରୀ ହୋଇ ପାରି ନ ଥିଲା। ପାହାନ୍ତି ପହରୁ ବଡ କଷ୍ଟରେ ଜିନିଷ ପତ୍ର ଧରି ପଡିଆ କୁ ଦୀପ ବିକ୍ରି କରିବା ଆଶାରେ ଆସିଥିଲା ଓ କିଛି ସମୟ ଏକ ବାଣ ଦୋକାନ ପାଖରେ ବସିଥିଲା।

କିନ୍ତୁ ଦୋକାନ ର ମାଲିକ ବୁଢୀ କୁ ବହେ ଭଲ ମନ୍ଦ ଶୁଣାଇ କହିଲା-- ତୁ ବେଶି ଚାଲାକି ଦେଖାନି ବୁଢୀ, ଆମେ ପଇସା ଖର୍ଚ୍ଚ କରି ଏ ଜାଗା ରେ ଦୋକାନ ଦେଇଛୁ। ତୁ ମାଗଣା ରେ ଜାଗା ଅକ୍ତିଆର କରି ଦୀପ ବିକ୍ରି କରିବାକୁ ଭାବିଛୁ ନାଇଁ ! ଭଲରେ ଏ ଜାଗା ଛାଡି ଚାଲି ଯା, ନ ହେଲେ ତୋ ଜିନିଷ ସହ ତୋତେ ନେଇ ପୋଖରି ରେ ଫିଙ୍ଗି ଦେବି।

ବୁଢୀ ମନରେ ଛନକା ପଶିଗଲା। ତା ଦେହରେ ବା କେତେ ବଳ, ଓଳିଏ ଖାଇଲେ ଓଳିଏ ଓପାସ ରହୁଛି। କିଏ ଧକ୍କା ଟେ ପକେଇଲେ ମଧ୍ଯ ଦେହରୁ ପ୍ରାଣ ଚାଲିଯିବ, କେହି ଆହା ପଦେ କହିବାକୁ ନ ଥିବେ। ଏ ଦୁନିଆ ଟା କେତେ ଭୟଙ୍କର ତା ଠାରୁ ଅଧିକ ଭଲରେ କିଏ ଜାଣିଛି ! ଗଲା ସନ ନିଜ ଭେଣ୍ଡିଆ ପୁଅ ଜଗୁ ର ଜୁଇ ଜଳିବା ସେ ଦେଖିଛି। ପିଲା ଟା ତାର କେଡେ ସୁଧାର ଥିଲା, ମାଛି କୁ ମ ବୋଲି କୁହେନି। ତା କାମ ଭଲ ତ ସେ ଭଲ, ମୂର୍ତ୍ତି ସାଙ୍ଗକୁ ହାଣ୍ଡି, ମାଠିଆ ଗଢି ବେଶ୍ ଭଲ ରୋଜଗାର କରୁଥିଲା। ପୂଜା ପାର୍ବଣ, କାମ ନିମିତ୍ତରେ ତା ପୁଅ ଜଗୁ କୁ ଆଗ ଖୋଜା ପଡେ। ସାରା ସହର ଜାଣିଛି, ଜଗୁ ପରି ମୂର୍ତ୍ତି ଗଢିବାର କଳା ଅନ୍ଯ କାହା ପାଖରେ ନାହିଁ। ମାଟି ମୂର୍ତ୍ତି ଭିତରେ ପ୍ରାଣ ସଞ୍ଚାର କରିବା କାମ କେବଳ ଜଗୁ ହିଁ କରିପାରେ। ହଜାର ମୂର୍ତ୍ତି ଭିତରେ, ଜଗୁ ତିଆରି ମୂର୍ତ୍ତି ବାରି ହୋଇ ପଡେ। ସେଥି ପାଇଁ ତ ପୂଜା ପାର୍ବଣ ଦିନ ପାଖେଇ ଆସିଲେ, ତା ଘରେ ଲୋକ ମାନଙ୍କ ଭିଡ ଆରମ୍ଭ ହୋଇଯାଏ। କେତେ ଲୋକଙ୍କର କେତେ ଜାତିର ବରାଦ। କିନ୍ତୁ ଯେତେ କାମ ପଡିଲେ ବି ଜଗୁ ପଛଘୁଞ୍ଚା ଦିଏନି। କୁମ୍ଭାର ଘର ପିଲା ସିଏ, ମାଟି ମାଆକୁ ନିଜ ଆତ୍ମାରେ ଧରି ବୁଲୁଛି, ଜନ୍ମ ହେଲା ଦିନରୁ। ରାତି ଦିନ ଏକ କରି କାମ କରେ ଓ ଲୋକଙ୍କ ବରାଦ ପୂରଣ କରେ। ଗ୍ରାହକଙ୍କୁ ଠକିବା ବା ମିଠା କଥା କହି ବେଶି ଟଙ୍କା ଟାଣି ନେବା ନିୟମରେ ସେ ବିଶ୍ବାସ କରେନି। କାମ ଅନୁସାରେ ପ୍ରାପ୍ଯ ଦାବୀ କରେ ଓ ଏହି ନିଆରା ଗୁଣ ପାଇଁ ଦିନ କୁ ଦିନ ତା ଗ୍ରାହକଙ୍କ ସଂଖ୍ଯା ବଢିଚାଲେ। ଜଗୁର ସ୍ତ୍ରୀ ଓ ପାଞ୍ଚ ବର୍ଷର ଗୁଲୁଗୁଲିଆ ପୁଅ ବେଳ ଅବେଳ ରେ ଜଗୁକୁ ସାହାଯ୍ଯ କରୁଥିଲେ। ଦିହରେ ହଜାର ରୋଗ ଥିଲେ ମଧ୍ଯ ବୁଢୀ ଦରକାର ବେଳେ ଜଗୁ ପାଖରେ ଛିଡା ହୋଇଥାଏ। ମୂର୍ତ୍ତି ରଙ୍ଗ କରିବା, ମୂର୍ତ୍ତି ତିଆରି ଛାଞ୍ଚ ସଫା କରିବା ଓ ମାଟି ଦଳିବା ଆଦି କାମରେ ବୁଢୀ ପୁଅ କୁ ସାହାଯ୍ଯ କରେ। କେବେ କେମିତି ହାଣ୍ଡି, ମାଠିଆ ବିକ୍ରି କରିବାକୁ ହାଟକୁ ମଧ୍ଯ ନେଇଯାଏ। କେତେ ହସ ଖୁସିରେ ବୁଢୀର ସଂସାର ଚାଲିଥିଲା। କିନ୍ତୁ ପୋଡାମୁହାଁ ଭାଗ୍ଯ ତା ପରିବାରର ସୁଖ ଦେଖି ପାରିଲାନି। ସେଦିନ ବଜାର ରୁ ଫେରିଲା ବେଳେ ଜଗୁ କୁ ଏକ ଅଜଣା ମୋଟର ସାଇକେଲ ଧକ୍କା କରିଦେଇ ଚାଲିଗଲା। ପିଲା ଟା ଖଣ୍ଡିଆ ଖାବରା ହୋଇ ରାସ୍ତାରେ ବହୁତ ସମୟ ପଡି ବିକଳ ହୋଇ ଲୋକଙ୍କୁ ସାହାଯ୍ଯ ମାଗିଲା। କେହି ଆହା ପଦେ କରି ଥାଆନ୍ତେ ଭଲା ! ଛଟପଟ ହୋଇ ବିଚରା ଆରପାରି କୁ ଚାଲିଗଲା। ସେ ଚାଲି ଗଲାନି ଯେ, ଘର ଟାକୁ ଛାରଖାର କରିଦେଇ ଗଲା। ଥରେ ବି ଭାବିଲାନି, ସେ ଗଲା ପରେ ବୁଢୀ ମାଆ, ବିଧବା ସ୍ତ୍ରୀ ଓ ବାପ ଛେଉଣ୍ଡ ପୁଅ କେମିତି ବଞ୍ଚିବେ !

ସେ କଥା ସବୁ ମନେ ପଡିଯିବାରୁ ବୁଢୀ ଆଖିରେ ଲୁହ ଜକେଇ ଆସିଲା। ପୁଅ ମରିବାର ଆଜିକି ଛଅ ମାସ ହୋଇଗଲା। ତା ସ୍ତ୍ରୀ ଏକ ପ୍ରକାର ପାଗଳୀ ହୋଇ ଯାଇଛି କହିଲେ ଚଳିବ। ମନ କୁ ମନ କଣ ସବୁ ଗପି ଚାଲିଛି, ସେ ନିଜେ ଜାଣି ଥିବ। ଦୁଇ ଥର ବେକରେ ଦଉଡି ଦେଇ ମରିବାକୁ ଚେଷ୍ଟା କଲାଣି, ଯୋଗ କୁ ପାଖ ପଡୋଶୀ ମାନେ ଦେଖି ତାକୁ ବଞ୍ଚେଇଲେ। ପୁଅ ଚାଲିଯିବା ପରେ, ବୋହୁ ବୁଢୀ କୁ କଣ ସାହାଯ୍ଯ କରିବ, ସେ ତ ନିଜେ ବୁଢୀ ପାଇଁ ବୋଝ ହୋଇ ଯାଇଛି। ଘର କାମ, ରୋଷେଇ ବାସ, ନାତିଆ ଟୋକା ର ଭଲ ମନ୍ଦ ବୁଝିବା କାମ, ସବୁ ବୁଢୀ ଭାଗରେ। ତା ଦେହ ରେ ବା କେତେ ବଳ ! ତଥାପି ଛାତିରେ ପଥର ରଖି ସେ ଆଗେଇ ଚାଲିଛି। ମନରେ ପଣ କରିଛି, ଦେହରେ ଜୀବନ ଥିବା ଯାଏ ବୋହୁ, ନାତିଙ୍କ ଯତ୍ନ ନେଉଥିବ। ତା ଅନ୍ତେ ସେମାନେ ନିଜ କଥା ବୁଝିବେ। ଥର ଥର ହାତରେ ଯେତିକି ପାରୁଛି ହାଣ୍ଡି, ମାଠିଆ, ମାଟି ଦୀପ ତିଆରି କରୁଛି। ହାଟ ବଜାର ରେ ବିକ୍ରି କରି ଯାହା ଦୁଇ ପଇସା ମିଳୁଛି, ସେତିକି ରେ ଘର ଚଳି ଯାଉଛି।

ଦୀପାବଳି ପର୍ବ ଆସିବାରୁ ବୁଢୀ ମନରେ କାହିଁ କେତେ ଖୁସି। ପୁଅ ଥିଲା ବେଳେ ଦୀପାବଳି ବଡ ଜାକଜମକରେ ପାଳନ କରନ୍ତି ସେମାନେ। ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ସମୟରେ ପୁଅ ଢେର ପଇସା ରୋଜଗାର କରେ। ତେଣୁ ଦୀପାବଳି ରେ ହାତ ଖୋଲା ଖର୍ଚ୍ଚ କରିବାରେ ଅସୁବିଧା ହୁଏନି। ସମସ୍ତଙ୍କ ପାଇଁ ନୂଆ ଜାମାପଟା ଆସେ, ଘର ଛପର ହୁଏ, ନାନା ଜାତିର ସୁଆଦିଆ ଖାଦ୍ଯ ତିଆରି ହୁଏ। ରାତିରେ ଘର ଅଗଣାରେ ଗୋବର ଲିପି, ସୁନ୍ଦରିଆ ଝୋଟି ପକାଇବା ପରେ,ମାଟି ଦୀପରେ ଜଡା ତେଲ ଦେଇ ଧାଡି କରି ସଜେଇ ଦିଏ ବୁଢୀ। ନାତିଆ ଟୋକା ବୁଢୀ ପାଖରେ ଲସର ପସର ହୋଇ ଅଳି କରୁଥାଏ ବାଣ ଫୁଟାଇବା ପାଇଁ। ଝିରିଝିରି ଓ କୁମ୍ପୀ ବାଣ ପାଇଁ ସେ ଟୋକା ର ଭାରି ସଉକ। କୁମ୍ପୀ ବାଣ ରୁ ନିଆଁ ଛିଟିକା ଆକାଶ କୁ ବିଛାଡି ହୋଇ ପଡିଲା ବେଳେ ପିଲା ଟା ତାଳି ମାରି ଖୁସି ରେ ନାଚିଯାଏ। ପୁଅ ମନ ଖୁସି କରିବାକୁ ଜଗୁ, ନାନା ଜାତି ର ବାଣ ଧରି ଆସିଥାଏ। ଚକ୍ରୀ ବାଣ, ସାପ ବାଣ, ରକେଟ୍, ତାଳ ଫୋଟକା ଏମିତି କେତେ ରକମ ର ବାଣ ଗୋଟେ ବଡ ଜରି ମୁଣିରେ ସଜିଲ କରି ରଖିଥାଏ ଜଗୁ। କୁହୁକ ପେଡିରୁ ନୂଆ ଜିନିଷ ମାନ ବାହାରିଲା ପରି ଲାଗୁଥାଏ ନାତିଆ ଟୋକା କୁ।

ଖନେଇ ଖନେଇ କୁହେ-- ବାପା ଆଉ ଗୋତେ ତୁମ୍ପୀ ବାନ ଥୁଟାଅ। ମୋତେ ଗୋଟେ ଥିଲଥିଲ୍ ବାନ ଦିଅ।

ତାକୁ ହସିହସି କୋଳକୁ ଟାଣି ନିଏ ଜଗୁ। କପାଳ ରେ ବୋକ ଦେଇ କୁହେ-- ଧନରେ ତୋ ପାଇଁ ତ ସବୁ ବାଣ ଆଣିଛି। ସବୁ ଗୋଟି ଗୋଟି କରି ଫୁଟାଇବା, ତୁ ଜମା ବ୍ଯସ୍ତ ହ' ନି।

କେଉଁ ଆଡେ ଚାଲିଗଲା ସେ ଦିନ ସବୁ। ତିନି ଦିନ ହେଲାଣି ନାତି ବୁଢୀ ପଛରେ ଗୋଡେଇବାରେ ଲାଗିଛି। ଦୀପାବଳି ଅଛି, ତାକୁ ବାଣ ଫୁଟାଇବାର ଅଛି। ବାପ ଗଲା ପରେ ନାତି ର ସବୁ ଅଳି ଅର୍ଦ୍ଦଳି ବୁଢୀ ଭାଗରେ ପଡିଛି। ବାଳୁତ ପିଲା ଟା, ସେ ବା କାହୁଁ ବୁଝିବ , ଏ ଦୁନିଆଁ ରେ ଟଙ୍କା କମେଇବା କେତେ କଷ୍ଟ ବୋଲି ! ନାତି ପିଲା ମନରେ ଦୁଃଖ ଦେବନି ବୋଲି ମନରେ ପଣ କରିଥିଲା ବୁଢୀ; ତେଣୁ ମାଟି ଦୀପ କିଛି ତିଆରି କରି ସେ ବଜାର କୁ ଆଣିଛି ବିକ୍ରୀ କରିବାକୁ। ଯାହା କିଛି ପଇସା ମିଳିବ, ସେତିକି ରେ ନାତି ପାଇଁ ବାଣ ନେଇ ଯିବ। ତା ପେଟକୁ ଦାନା ଯାଉ କି ନ ଯାଉ ପରବାୟ ନାହିଁ, କିନ୍ତୁ ନାତି ପିଲା ଆଖିରେ ଲୁହ ସେ ଦେଖି ପାରିବନି।

– --ଏ ବୁଢୀ, ଟଙ୍କା ରେ କେତେ ଟା ଦୀପ ଦେବୁ କହ।

କାହା ଡାକ ରେ ଚମକି ଉଠିଲା ବୁଢୀ। ମଳିଛିଆ ପଣତକାନିରେ ଆଖିରେ ଜମାଟ ବାନ୍ଧିଥିବା ଲେଞ୍ଜରା ଓ ଲୁହର ମୋଟା ପରସ୍ତ ପୋଛି ଦେଖିଲା, ସାମନା ରେ ଛିଡା ହୋଇଛନ୍ତି ଜଣେ ପ୍ରୌଢ। ମୁହଁ ରେ ଶୁଖିଲା ହସ ଫୁଟାଇ କହିଲା-- କେତେ ନେବ କି ବାବୁ?

– ଆରେ ବୁଢୀ, ତୁ ବେଶି ବାକଚାତୁରୀ ଦେଖାନି, ତୋତେ ପଚାରିଲି ପରା ଗୋଟେ ଟଙ୍କା ରେ କେତେ ଟା ଦବୁ ବୋଲି।

– ଟଙ୍କାରେ ଦୁଇ ଟା ବାବୁ। ଦଶ ଟଙ୍କାରେ ପଚିଶି ଟା ଦେବି। କେତେ ଟଙ୍କା ର ଦେବି ବାବୁ?

- - ହେଃ, ତୁମେ ସବୁ ଡକାୟତ ନା କଣ? ମାଟି ଦୀପ ଟଙ୍କା ରେ ଦୁଇଟା!!! ସେ ଦୋକାନୀ ଟଙ୍କାରେ ଚାରି ଟା ଦେଉଥିଲା ମୁଁ ନ ଆଣି ତୋ ପାଖ କୁ ଆସିଲି, ଆଉ ତୁ ମୋତେ ଦିନ ରେ ତାରା ଦେଖଉଛୁ ନାହିଁ?

--- ସେମିତି କୁହନି ବାବୁ, ସବୁ ଜିନିଷ ର ଦର କେତେ ବଢୁଛି ତୁମେ ତ ନିଜେ ଜାଣିଛ। ଏ ମାଟି ଦୀପ ବିକ୍ରି କରି ମୁଁ କେତେ ପଇସା ପାଇବି ଭଲା ! ତୁମେ ତ ନିଜେ ଜାଣିଛ, ବାଣ ଦୋକାନରେ ଶହେ ଟଙ୍କା ଦେଲେ ବି ପାଞ୍ଚ ଛଅ ଟା ବାଣ ମିଳୁଛି। ତଥାପି ଲୋକେ ବ୍ଯାଗ୍ ଭର୍ତ୍ତି କରି ବାଣ କିଣୁଛନ୍ତି। ପୁଣି ବାଣ ଦୋକାନରେ ଦର ମୂଲଚାଲ କରିବାକୁ ଫୁରସତ୍ ନାହିଁ। ପୋକ ମାଛି ପରି ଲୋକ ମାଡ ହେଉଛନ୍ତି ବାଣ କିଣିବାକୁ। ସେ ବାଣ ତୁଳନା ରେ ମୋ ମାଟି ଦୀପର ମୂଲ୍ଯ ନଗଣ୍ଯ। ତଥାପି ଗ୍ରାହକ, ଆମ ସହ ମୂଲଚାଲ କରୁଛନ୍ତି।

ବୁଢୀ ପାଟିରୁ ଏ କଥା ସିନା ବାହାରିଗଲା, କିନ୍ତୁ ସେ ସାବଧାନ ହୋଇ ଜିଭ କାମୁଡି ଉପରକୁ ଚାହିଁଲା। ସେତେ ବେଳକୁ ସେ ଗ୍ରାହକ ରାଗ ରେ ପାଚି ଲାଲ୍ ପଡି ଯାଇଥିଲା। ମୁହଁ ଛିଞ୍ଚାଡି କହିଲା-- ତୁ ବାମନ ହୋଇ ଚନ୍ଦ୍ର କୁ କାହିଁକି ହାତ ବଢଉଛୁ ? ସାରାଜୀବନ ଲାଗିଲେ ବି ତୁ ବାଣ ବିକ୍ରି କରି ପାରିବୁନି, ତୋ ମାଟି ଦୀପ ନେଇ ଖୁସି ରେ ରହ। ତୁ ଯାହା ଦର ଲଗଉଛୁ, ତୋ ପାଖରୁ କେହି ଖଣ୍ଡିଏ ଦୀପ କିଣିବେନି। ଲାଜ ନାହିଁ ଯାହା ତୋ ମୁହଁ କୁ। ଗ୍ରାହକଟି କଣ ସବୁ ଗାଳି ଦେଇ ସେ ଜାଗା ରୁ ଚାଲିଗଲା। ବୁଢୀ ଦୀର୍ଘ ନିଶ୍ବାସ ଛାଡି ଅନ୍ଯ ଗ୍ରାହକଙ୍କ ଅପେକ୍ଷା ରେ ରହିଲା। କେଜାଣି କାହିଁକି, ତା ଆଖି ସାମନା ରେ ନାତି ଟୋକାର ମୁହଁ ଟା ବରାବର ଆସି ଯାଉଛି। ତାକୁ ବୋଦେ ସେ ବହୁତ ମନେ ପକାଉଥିବ। ପିଲା ଟା କେତେ ମନ ନେଇ ଚାହିଁ ବସିଥିବ ତା ଫେରିବା ବାଟ କୁ। ତା ମନରେ କେତେ ନୂଆ ଫନ୍ଦି ଫିକର ଜୁଟୁଥିବ ବାଣ ଫୁଟାଇବା ପାଇଁ। ଯେତେ ତାହା ହେଲେ ବି ଆଜି ବୁଢୀ କୁ ବାଣ ନେଇ ଘରକୁ ଯିବାକୁ ହେବ ; ପିଲାଟା ର ଶୁଖିଲା ମୁହଁ ଦେଖି ସେ ସହି ପାରିବନି।

ସୂର୍ଯ୍ଯ ଆସି ମୁଣ୍ଡ ଉପରେ ହେଲେଣି, କିନ୍ତୁ ବୁଢୀ ର ବଇନି ପଡିନି। ବଡ ଆଶ୍ଚର୍ଯ୍ଯ କଥା। ଲୋକ ମାନେ ମାଟି ଦୀପ କିଣୁ ନାହାଁନ୍ତି କାହିଁକି, ସେ ଜାଣି ପାରୁନି। ଯାହା କୁ ଦେଖିଲେ ବୋଝେ ବାଣ, ମହମବତୀ, ଲିଚୁ ଲାଇଟି ଧରି ଯାଉଛନ୍ତି। ଲୋକେ କଣ ଭୁଲି ଗଲେ କି ! ମାଟି ଦୀପ ନ ଜଳିଲେ ସେ କି ଦୀପାବଳି ? ବାଣ ତ ବାହାଘର ଦିନ ଫୁଟୁଛି, ଠାକୁର ବିସର୍ଜନ ଦିନ ବି ଫୁଟୁଛି, ନେତା ମନ୍ତ୍ରୀ କି ବଡବଡିଆ ଲୋକ ଆସିଲେ ବି ଫୁଟୁଛି। କିନ୍ତୁ ସେଦିନ କଣ ଦୀପାବଳି ପାଳନ ହେଉଛି ନା କ'ଣ। ମାଟି ଦୀପ ଜଳିଲେ ସିନା ଦୀପାବଳି ହେବ, ଏ ଲୋକ ସବୁ ଏମିତି ଭୁଲି ଯାଉଛନ୍ତି କାହିଁକି ? ହଁ--- କାହାକୁ ବା କହିବ। ଘୋର କଳିକାଳ ଆସିଲାଣି, ବୁଝାଇବ କାହାକୁ। ଆଜିକାଲି ଲୋକେ କେଉଁ ନୀତି ନିୟମ ମାନୁଛନ୍ତି ଯେ ଦୀପାବଳିର ବିଧି ମାନିବେ। ବାଣ ଫୁଟାଇବା ଟା ଆଜିକାଲି ଏକ ପ୍ରକାର ପ୍ରତିଯୋଗିତା ହୋଇଗଲାଣି। ଗାଁଆ ସହର ରେ ଯାହା ଘରେ ଯେତେ ସମୟ ବାଣ ଫୁଟିବ, ସେ ସେତେ ପାରିବାର ଲୋକ ବୋଲି ସଭିଏଁ ଭାବୁଛନ୍ତି। ଯାହା ଘର ଛାତରୁ ଆକାଶ କୁ ଯେତେଟା ରକେଟ୍ ବାଣ ଉଠିଲା ସେ ସେତିକି ଥିଲାବାଲା ଲୋକ। ଲୋକେ ଗାଡି ମୋଟର ରେ ତେଲ ଭରି ବିନା କାରଣ ରେ ବୁଲିବେ, କିନ୍ତୁ ଜଡା ତେଲ ଟିକେ କିଣି ମାଟି ଦୀପ କେତେଟା ଜାଳିଲେ ଟଙ୍କା ସରିଯିବ ବୋଲି ଭାବିବେ। ପାଞ୍ଚ ଶହ ଟଙ୍କା ଦେଇ ଚାଇନା ପଟାକା କିଣିବେ, କିନ୍ତୁ ପାଞ୍ଚ ଟଙ୍କା ଦେଇ ଦୀପ କିଣିଲେ ତାଙ୍କ ପକେଟ୍ ରେ ମାଡ ପଡିଲା ବୋଲି ଭାବିବେ। ଶହେ ଟଙ୍କାର ବାଣ କୁ ଦୁଇ ଶହ ଟଙ୍କା କିଣିଲା ବେଳେ ଦର ମୂଲଚାଲ କରିବାକୁ ଜିଭ ଲେଉଟିବନି, କିନ୍ତୁ ତା ପରି ଦୀପ ବିକାଳି ପାଖରୁ ଦୀପ କେଇଟା କିଣିଲା ବେଳକୁ ଦୁନିଆ ଜାକର ନୀତି ନିୟମ ଓ ବିକ୍ରିବଟା ବିଷୟ କଥା ଅନବରତ ଗପି ଚାଲିବେ। ଧନ୍ଯ ରେ ମଣିଷ!

ପଣତ କାନିରେ ବୁଢୀ ଦୀପ ଉପରେ ଜମାଟ ବାନ୍ଧି ଆସୁଥିବା ଧୂଳି କୁ ଝାଡି ପଡିଆ ଆଡକୁ ଚାହିଁଲା। ଲୋକ ଗହଳି କମିବ କଣ, ବଢିବାରେ ଲାଗିଛି। ଗ୍ରାହକ ମାନେ ଠେଲାପେଲା ହୋଇ ବାଣ କିଣିବାରେ ବ୍ଯସ୍ତ। କିଛି ଦୋକାନୀଙ୍କ ଜିନିଷ ସରିଯିବାରୁ ସେମାନେ ପେଡି ପୁଟୁଳି ଧରି ଘରକୁ ବାହୁଡି ବାକୁ ବାହାରି ଲେଣି। ଆଉ କିଛି ଦୋକାନୀ, ଆହୁରି ଜିନିଷ ଆଣି ବିକ୍ରି ଚାଲୁ ରଖିଛନ୍ତି। ମୁଣ୍ଡରେ ହାତ ବାଡେଇ କହିଲା-- ହାଏ ରେ କପାଳ, ସକାଳୁ ଏତେ ବେଳ ଯାଏ ଜମାରୁ ଦଶ ଟଙ୍କାର ବିକ୍ରି ହୋଇଛି। ଲୋକେ ମୁହଁ ମୋଡି ତାକୁ କେତେ ବୋଲିବାଣୀ ଶୁଣାଇ ଯାଉଛନ୍ତି, କିନ୍ତୁ କିଣିବା ଲୋକଙ୍କ ସଂଖ୍ଯା ଶୂନ ବୋଲି କହିଲେ ଚଳିବ। ତେବେ କଣ ସେ ଖାଲି ହାତରେ ଘରକୁ ଫେରିବ? ନାତି ପାଇଁ ବାଣ ନେଇ ପାରିବନି? ଜଗତ ସାରା ଲୋକେ ଦୀପାବଳି ରେ ଖୁସିଗମାତ କରିବା ବେଳକୁ ସେ ଆଖିରେ ଆଖିଏ ଲୁହ ନେଇ ଘରକୁ ଫେରିବ?

ଶେଷରେ ସେ ଲୋକଙ୍କୁ ଦୀପ କିଣିବାକୁ ନେହୁରା ହେଲା। ଟଙ୍କାରେ ଦଶଟା ଦୀପ ଦେବ ବୋଲି କହିଲା। ତା ପରେ ମଧ୍ଯ ବିକ୍ରି ସେମିତି ଆଖି ଦୃଶିଆ ହେଲାନି। ବରଂ, ପଡିଆର ଅନ୍ଯ ପାଖରେ ଦୀପ ବିକ୍ରି କରୁଥିବା ଲୋକଟି ଆସି ବୁଢୀ କୁ ଧମକାଇ କହିଲା-- ଯଦି ଲୋକଙ୍କୁ ମାଗଣା ଦୀପ ଦେବାର ଅଛି ଏଠିକୁ ଆସିଛୁ କଣ ପାଇଁ? ଲୋକେ ତୋ ଦର ଶୁଣିଲେ, ଆମ ମାନଙ୍କ ପାଖରେ ମାଛି ବି ଉଡିବନି। ଟଙ୍କା ରେ ଦୁଇଟା ଲେଖାଏଁ ଦୀପ ବିକ୍ରି କରି ନ ପାରିଲେ, ପଡିଆ ଛାଡି ଚାଲି ଯାଆ। ନୋହିଲେ ତୋ ପାଛିଆ ସହ ତୋତେ ନେଇ ବାହାରେ ଫିଙ୍ଗି ଦେବି। ଲୋକଟାର ନାଲି ଆଖି ଓ ଟାଉଁଟାଉଁ କଥା ଶୁଣି ବୁଢୀର ତଣ୍ଟି ଶୁଖିଗଲା। ସେ କାନ୍ଦକାନ୍ଦ ହୋଇ ନେହୁରା ହୋଇ କହିଲା-- ବାବୁ, ମୋ ନାତି ପାଇଁ ବାଣ କିଣିବାକୁ ପଇସା ଦରକାର। ମୋତେ ଟିକେ ଦୟା କର। ଏତେ ବେଳ ହେଲାଣି, ସେମିତି ଆଖି ଦୃଶିଆ ବିକ୍ରି ହେଲାନି। ସମସ୍ତେ କହୁଛନ୍ତି ମୁଁ କୁଆଡେ ଦୀପ ର ଦର ଅଧିକା କହୁଛି।

– – ହେଃ ବୁଢୀ, ସେମିତି ଫାଲତୁ ଯୁକ୍ତି ମୋ ସହ କରନି। ଯାହା କହିଲି କରିବୁ ନହେଲେ ଯାହା ହେବ ସେଥି ପାଇଁ ମୋତେ ଦୋଷ ଦେବୁନି। ଏତିକି କହି ଲୋକଟା ରାଗରେ ଗରଗର ହୋଇ ସେ ଯାଗାରୁ ଚାଲିଗଲା।

ଏଥର ବୁଢୀ କୋହ ସମ୍ଭାଳି ନ ପାରି ପିଲାଙ୍କ ପରି କାନ୍ଦି ଉଠିଲା। ତାକୁ ଚାରିଆଡ ଅନ୍ଧାର ଦିଶିଲା। କି ଦୋଷ ସେ କରିଛି ଯେ ତାକୁ ଏମିତି ହନ୍ତସନ୍ତ ହେବାକୁ ପଡୁଛି ବୋଲି, ଚିତ୍କାର କରି ଅଭିଶାପ ଦେଇ ଚାଲିଲା ଠାକୁରଙ୍କୁ। କିନ୍ତୁ କିଏ ବା ଶୁଣିବ ତା କାନ୍ଦଣା ; ସମସ୍ତେ ନିଜ ନିଜ ଦୁନିଆଁ ରେ ବ୍ଯସ୍ତ। ସେତିକି ବେଳେ ପଡିଆ ଭିତରୁ ଜୋର୍ ପାଟିତୁଣ୍ଡ ଶୁଭିଲା। ବୋଧେ ଦୁଇ ଜଣ ଦୋକାନୀଙ୍କ ଭିତରେ ପ୍ରବଳ ଗଣ୍ଡଗୋଳ ଲାଗିଗଲା। ଜଣେ ଦୋକାନୀ ରାଗରେ ଅନ୍ଧ ହୋଇ ଜଳନ୍ତା ମହମବତୀ ଫିଙ୍ଗିଦେଲା ଅନ୍ଯ ଦୋକାନୀର ବାଣ ଦୋକାନ ଭିତରକୁ। ନିମିଷକରେ ବାଣ ଦୋକାନରୁ ଧୂଆଁ ଉଠିଲା ଓ ପ୍ରଚଣ୍ଡ ଶବ୍ଦ କରି ବାଣ ଫୁଟିବାର ଶବ୍ଦ ଶୁଭିଲା। ଅନ୍ଯ ଦୋକାନୀ ଟି ଆଗପଛ ବିଚାର ନ କରି ସେ ଦୋକାନୀ କୁ ଏକ ଛୁରୀ ରେ ଆକ୍ରମଣ କଲା। ଦୋକାନୀ ଟି ତଳେ ପଡି ଗଁ ଗଁ ହେଲା ବେଳକୁ ଅନ୍ଯ ଦୋକାନୀଟି ନିଜ ସାର୍ଟ ଖୋଲି ସେଥିରେ ନିଆଁ ଲଗାଇ ପାଖ ବାଣ ଦୋକାନ ଭିତର କୁ ନିକ୍ଷେପ କଲା। ଚାହୁଁ ଚାହୁଁ ନିଆଁ, ସବୁ ଦୋକାନ କୁ ବ୍ଯାପୀ ଗଲା ଓ ପଡିଆ ଭିତର ଟା ଧୂଆଁ ଓ ବାଣ ର ପ୍ରଚଣ୍ଡ ଶବ୍ଦରେ କମ୍ପମାନ ହେବାକୁ ଲାଗିଲା। ଭୟରେ ଲୋକେ ଦଉଡିବାକୁ ଆରମ୍ଭ କଲେ ଓ ଦଳାଚକଟା ଆରମ୍ଭ ହୋଇଗଲା। କିଛି ଦୋକାନୀ ନିଆଁରେ ପୋଡି, ପଡିଆ ଭିତରେ ପ୍ରାଣ ବଞ୍ଚାଇବାକୁ ଦଉଡିବାକୁ ଲାଗିଲେ। ବୁଢୀ କିଛି ପ୍ରତିକ୍ରିୟା ଦେଖାଇବା ପୂର୍ବରୁ , ପାଛିଆରେ ରଖା ଯାଇଥିବା ମାଟି ଦୀପ ସବୁ ଲୋକଙ୍କ ପାଦ ତଳେ ପଡି ଚୁରମାର ହୋଇ ସାରିଥିଲା। ସେ ଦୀପ ଗୁଡିକ ସହ ବୁଢୀ ମନରେ ଥିବା ସ୍ବପ୍ନ ଓ ତା ନାତିଆ ଟୋକାର ଆଶା ମଧ୍ଯ ମାଟିରେ ମିଶି ସାରିଥିଲା। ଲୋକ ମାନଙ୍କର ଦଳାଚକଟାରେ ବୁଢୀ ତଳେ ପଡିଗଲା ଓ ଲୋକେ ତାକୁ ମାଡି ମକଚି ତା ଉପରେ ଦଉଡିବା ଆରମ୍ଭ କରିଦେଇଥିଲେ। ଚାରି ଆଡେ କେବଳ ଶୁଭୁଥିଲା ବିକଳ ଚିତ୍କାର ଓ ଆର୍ତ୍ତନାଦ। ପ୍ରବଳ ଧୂଆଁ , ଅଗ୍ନୀର ନଭଶ୍ଚୁମ୍ଭୀ ଲେଲିହାନ ଶିଖା ଓ ପୋଡାମାଂସ ର ଗନ୍ଧରେ ପଡିଆଟି ଭୟଙ୍କର ହୋଇ ଉଠିଥିଲା। କେହି ଜଣେ ବୁଢୀର ହାତ ଧରି ଘୋଷାଡି ବାହାରକୁ ଟାଣି ଆଣିଲା। ଦୁର୍ବଳ ହାତରେ ବୁଢୀ ପ୍ରତିବାଦ କରି କିଛି କହିବାକୁ ଚାହୁଁଥିଲା, ମାତ୍ର ସେ କଥା ଶୁଣିବାକୁ କାହା ପାଖରେ ସମୟ ନ ଥିଲା।

କିଛି ଦୂରରେ ବୁଢୀ ବସି ଦେଖୁଥିଲା ସେ ଭୟଙ୍କର ଦୃଶ୍ଯକୁ। ଦମକଳ ଗାଡି, ପୋଲିସ୍ ଓ ଆମ୍ବୁଲାନସ୍ ଗାଡି ମାନଙ୍କର ବିକଟାଳ ଚିତ୍କାର ରେ ଖଣ୍ଡମଣ୍ଢଳ କମ୍ପି ଉଠୁଥିଲା। ଆହତ ଲୋକ ଓ ପରିଜନଙ୍କର ବିକଳ କ୍ରନ୍ଦନ ଶୁଣିଲେ ଛାତି ଫାଟିଗଲା ପରି ଲାଗୁଥିଲା। ନିମିଷକ ରେ କଣ ସବୁ ଘଟିଗଲା, ସେ କଥା ବିଶ୍ବାସ କରିବା ମଧ୍ଯ କଷ୍ଟକର ଥିଲା। ସଞ୍ଜ ନଇଁ ଆସୁଥିଲା, ବୁଢୀ ସହର ଆଡକୁ ଦେଖିଲା। ସବୁ ଲୋକଙ୍କ ଘର ର ଛାତ ଉପରେ ଲିଚୁ ଲାଇଟ୍ ଲଗା ସରିଥିଲା। କିଛି ଲୋକ ବାଣ ଫୁଟାଇବା ଆରମ୍ଭ କରି ସାରିଥିଲେ। ସେ କିଛି ବୁଝି ପାରୁ ନ ଥିଲା, ସହି ସହର ର ଗୋଟିଏ ସ୍ଥାନ ରେ ମୃ ତ୍ଯୁ ର ତାଣ୍ଡବ ଚାଲିଥିଲା ବେଳେ, ଲୋକେ କେମିତି ନିଜ ଘରେ ଆରାମ ରେ ରହି ଉତ୍ସବ ପାଳନ ରେ ଲାଗିଛନ୍ତି। ତେବେ କଣ ଏ ଦୁନିଆଁ ରେ ମଣିଷ ପଣିଆ ଆଉ ନାହିଁ ? ବେଳ କୁ ବେଳ ବାଣ ଫୁଟା ପର୍ବ ଜୋର ଧରିଲା ଓ ବାଣ ର ପ୍ରଚଣ୍ଡ ଶବ୍ଦରେ ପଡିଆ ପାଖରେ ଜମା ହୋଇଥିବା ଲୋକଙ୍କ କାନ୍ଦଣା ଶବ୍ଦ ଫିକା ପଡି ଆସିଲା। ବୁଢୀ ଆଖି ଆଗରେ ବରାବର ତା ନାତିର ମୁହଁ ନାଚି ଉଠୁଥିଲା। ବିଚରା କେତେ ଆଶା ନେଇ ଚାହିଁ ଥିବ ବାଣ ଫୁଟାଇବା ପାଇଁ।

ନାଃ ---- ତାକୁ କିଛି କରିବାକୁ ହେବ। ଯାହା ହେଲେ ବି ବାଣ ନେଇ ଘରକୁ ଫେରିବାକୁ ହେବ।

ଲୁଚି ଲୁଚି ବୁଢୀ ସେ ପଡିଆ ଭିତରେ ପଶିଲା। ସେତେବେଳ ଯାଏ, କିଛି ଲୋକଙ୍କର ଦରପୋଡା ଶବ ପଡି ରହିଥିଲା ପଡିଆ ଭିତରେ। ଦମକଳ ଆସି ନିଆଁ ଲିଭାଇ ସାରିଥିଲେ ମଧ୍ଯ, କିଛି ଦୋକାନ ଭିତରୁ ଅଳ୍ପ ଧୂଆଁ ବାହାରୁଥିଲା । ସନ୍ତର୍ପଣ ରେ ବୁଢୀ ପାଦ ଥାପି ଚାଲିଲା। ମନରେ ଆଶା ଥାଏ, ଯଦି କିଛି ବାଣ ମିଳିଯିବ ନାତି ପାଇଁ ନେଇଯିବ। ସେତିକି କରି ପାରିଲେ, ସାରା ଦିନ ର ପ୍ରାଣାନ୍ତକ ପୀଡା ପ୍ରତିବଦଳରେ କିଛି ଭଲ ଫଳ ମିଳିଲା ବୋଲି କୁହା ଯାଇପାରିବ। ଭଗବାନ ଙ୍କ ଦୟାରୁ ଗୋଟିଏ ଦୋକାନ ରେ କିଛି ବାଣ ପଡିଥିବାର ଦେଖି ପାରିଲା ବୁଢୀ। ଆଗପଛ ବିଚାର ନ କରି ପଣତ କାନି ମେଲାଇ ସବୁ ବାଣ ଭର୍ତ୍ତି କରିବାରେ ଲାଗିଲା। ଚୋରି କରୁଛି ବୋଲି ସେ ଭଲରେ ଜାଣି ଥିଲା, କିନ୍ତୁ ତା ପାଖରେ ଅଜସ୍ର ଯୁକ୍ତି ଥିଲା ଏହି ଚୋରି କୁ ଯୁକ୍ତିଯୁକ୍ତ ବୋଲି ପ୍ରମାଣିତ କରିବାକୁ। ଦୋକାନ ଭିତରୁ ଉଠାଉଥିବା ପ୍ରତ୍ଯକ ବାଣ ସହିତ, ତା ମନରେ ଖେଳି ଚାଲିଥିଲା ଅମାପ ଆନନ୍ଦ ଓ ଆତ୍ମସନ୍ତୋଷ ଭାବ। ଯାହା ହେଉ, ଅନ୍ତତଃ ତା ନାତିଆ ଟୋକାର ଦୀପାବଳି ଟା ଆଜି ଜୋରସୋର୍ ରେ ପାଳନ ହେବ। ପିଲା ଟା ଏତେ ବାଣ ଦେଖି, ଖୁସି ରେ ବହେ ନାଚିଯିବ। ଏତେ ଜାତି ର ବାଣ ବୁଢୀ ଜୀବନ କାଳ ଭିତରେ କିଣି ପାରି ନ ଥାଆନ୍ତା ; କିନ୍ତୁ ଭାଗ୍ଯ ଆଜି ତା ପାଇଁ କୁହୁକ ପେଡି ଖୋଲି ଦେଇଛି। ଏ ସୁବର୍ଣ୍ଣ ସୁଯୋଗ ସେ ହାତଛଡା କରନ୍ତା ବା କିପରି? ଅଣ୍ଟିରେ ଧରି ପାରିଲା ପରି ବାଣ ବୋଝେଇ କରି ସେ ଧିରେ ଧିରେ ପଡିଆ ବାହାରକୁ ଯିବାକୁ ଲାଗିଲା। ବାଣ ର ଓଜନ ହେତୁ ପାଦ ଠିକ୍ ରେ ନ ପଡି ଟଳଟଳ ହେଉଥିଲା। ତା ସାଙ୍ଗକୁ ଲୋକଙ୍କ ଦଳାଚକଟା ରେ ଦେହ ସାରା ଖଣ୍ଡିଆ ଖାବରା ହୋଇ ରକ୍ତ ମଧ୍ଯ ବାହାରୁ ଥିଲା। କଷ୍ଟେମଷ୍ଟେ ପଡିଆ ର ଶେଷ ମୁଣ୍ଡରେ ପହଞ୍ଚିଲା। ଆଗରେ ପୋଲିସ୍ ଗାଡି ଓ ଲୋକ ଗହଳି, ତେଣୁ ଅନ୍ଯ ରାସ୍ତାରେ ଯିବାକୁ ହେବ। ଗୋଟେ ଛୋଟ ନଳା ଅଛି ଯାହା, ତାକୁ ପାର ହୋଇ ଗଲେ ମୁଖ୍ଯ ରାସ୍ତା। ନଳା ପାଖରେ ପହଞ୍ଚି ଧିରେ ଧିରେ ପାଦ ଆଗକୁ ବଢାଇଲା। କିନ୍ତୁ ବିଚାରି ର ଫଟା କପାଳ, ପାଦ ଖସି ଯିବାରୁ ଦୁମଦାମ୍ ହୋଇ ସେ ଶୁଖିଲା ନଳା ଭିତରେ ଗଳି ପଡିଲା। ସେ ପଡିବା ସହ, ଅଣ୍ଟିରେ ଜାକିଥିବା ବାଣ ଫୁଟିବାକୁ ଆରମ୍ଭ କଲା। ନଳା ପାଖରେ ବାଣ ଫୁଟିବାର ଶବ୍ଦ ଶୁଣି ପୋଲିସ୍ ଓ ଲୋକ ମାନେ ସେ ଦିଗ କୁ ଦଉଡିବା ଆରମ୍ଭ କଲେ।

ନଳା ଭିତରେ ବୁଢୀ ପଡିଥିଲା ; ଦେହଟି ଜଳିଯାଇ ବିଭତ୍ସ ଦିଶୁଥିଲା ଓ ଦେହ ସାରା ବାରୁଦ ଲେସି ହୋଇ ରହିଥିଲା। ଗଁ ଗଁ ହୋଇ କହି ଚାଲିଥିଲା-- ଦେଖ୍ ମୋ ନାତିଆ ଟୋକା-- ତୋ ପାଇଁ କେତେ ଜାତି ର ବାଣ ଆଣିଛି। ତୁ ଆଜି ମନ ଭରି ବାଣ ଫୁଟା। ତୋ ଜେଜି ଆଜି ଦୋକାନ ର ସବୁ ବାଣ ନେଇ ଆସିଛି ଖୁସି ରେ ଫୁଟେଇବୁ ବୋଲି। ଏମିତି ଦୀପାବଳି କେବେ ପାଳି ଥିଲୁ କି ମୋ ନାତିଆ ରାଜା -----

ନଳା ରୁ ବାହାରକୁ କାଢିଲା ବେଳକୁ ବୁଢୀ ଦେହରେ ଜୀବନ ନ ଥିଲା। ବିଚାରି ର ଦେହଟି ପାଖାପାଖି ସମ୍ପୂର୍ଣ୍ଣ ପୋଡି ଯାଇଥିଲା। ହାତରେ ସେ ଜାବୁଡି ଧରିଥିଲା ଏକ ବାଣ ଯାହା ଫୁଟି ସାରିଥିଲା ଓ ତା ହାତର ଦୁଇଟା ଆଙ୍ଗୁଠି ଛିଡି ତଳକୁ ଝୁଲି ରହିଥିଲା। ଏତେ କଷ୍ଟ ପାଇ ବୁଢୀ ଦେହରୁ ଜୀବନ ଯାଇଥିଲେ ମଧ୍ଯ, ତା ମୁହଁରେ ହସ ସେମିତି ସତେଜ୍ ଥିଲା ଓ ଆତ୍ମସନ୍ତୋଷରେ ଭରି ରହିଥିଲା।

ସେଦିନ ର ଦୀପାବଳି, ଆନନ୍ଦ ପରିବର୍ତ୍ତେ କେତେ ଯେ ଲୁହ ଆଣି ଆସିଥିଲା ତାହା କଳନା କରିବା ଦୁଃସାଧ୍ଯ ବ୍ଯାପାର। ବିଚାରି ନିରିହ ବୁଢୀ ଓ ତା ପରିବାର ପାଇଁ ତାହା ଥିଲା ଅନ୍ଧାର ଦୀପାବଳି। ସେ ଘଟଣା ପରେ ବୁଢୀର ବୋହୂ ଓ ନାତିଆ ଟୋକାର ଅବସ୍ଥା କ'ଣ ହୋଇଥିବ, ତାହା ପାଠକ ମାନେ ନିହାତି ଦୃଦୟଙ୍ଗମ କରି ପାରୁଥିବେ। --ସମାପ୍ତ--

ବାଣ ପ୍ରତିବନ୍ଧକ ଦୀପ

Rate the content


Originality
Flow
Language
Cover design

Comments

Post

Some text some message..