Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Rath

Tragedy

3  

Arabinda Rath

Tragedy

କୁଳାଙ୍ଗାର

କୁଳାଙ୍ଗାର

13 mins
6.5K


ଲେଖକ-ଅରବିନ୍ଦ ରଥ



ଜନ୍ମଦିନ ପାଇଁ ପାଳନ ପାଇଁ ଘର ବହୁତ ଭଲରେ ସଜା ଯାଇଛି। ରଙ୍ଗବେରଙ୍ଗର ବେଲୁନ୍ ଓ ଲିଚୁ ଲାଇଟ୍ ରେ ଘରଟି ପୁରି ଉଠିଛି। କାନ୍ଥରେ “ହାପି ବାର୍ଥ ଡେ”ଲେଖାଥିବା ବ୍ଯାନର୍। ଟେବୁଲ୍ ରେ ଥୁଆ ଯାଇଛି ଏକ ବଡ କେକ୍। ଦେଖିଲେ ଲାଗୁଛି ବଡ ଧୁମ୍ ଧାମ ରେ ଜନ୍ମଦିନ ପାଳନର ପ୍ରସ୍ତୁତି ହୋଇଛି। ହଁ କଥାଟା କିଛି ମାତ୍ରାରେ ସତ ; ଆଜି ବିଟୁର ଜନ୍ମ ଦିନ। ସେ କେତେ ଜିଦି କରିଥିଲା ତା ପାଇଁ ବେଲୁନ୍ ଓ ବଡ କେକ୍ ଆଣିବା ପାଇଁ। କିନ୍ତୁ........ଯାହାର ଜନ୍ମଦିନ ପାଳନ ପାଇଁ ଏତେ ପ୍ରସ୍ତୁତି ସେ ଆଜି ଘରେ ନାହିଁ। କଣ ହେଲା ତାର? ତେବେ ସେ କଣ............

“ବିଟୁ” ଚାରିପାଞ୍ଚ ବର୍ଷର ଗୁଲୁଗୁଲିଆ ପିଲା ଟି ; ତାକୁ ଯିଏ ଦେଖିବ ଦଣ୍ଡେ ଚାହିଁ ରହିବ। ଗୋରା ତକତକ ଚେହେରା ସାଙ୍ଗକୁ ମିଠା କଥାରେ ସମସ୍ତଙ୍କୁ ବାନ୍ଧିରଖିବାରେ ଉସ୍ତାଦ୍ ସେ। ଯୁଆଡେ ଯିବ ଖୁବ୍ କମ ସମୟ ଭିତରେ ସମସ୍ତଙ୍କୁ ଆପଣାର କରିଦେବ। କଲୋନୀ ଭିତରେ ଏମିତି କେହି ନାହିଁ, ଯିଏ ବିଟୁ କୁ ଭଲ ନ ପାଆନ୍ତି। ଯିଏ ବି ଦେଖେ କୁହେ --- ପିଲା ଟା ପୁରା ରାଜକୁମାର ପରି ଦିଶୁଛି। ପାଖ ପଡୋଶୀ ମାନଙ୍କର ବେଶୀ ଆଦର ତା ପାଇଁ। ସାନ ଟି ଦିନରୁ ତାଙ୍କରି ଆଗରେ ବଢି ଆସିଛି ସେ। ବିଟୁ ର ବାପା ମୋହନ ଜଣେ ସରକାରି କର୍ମଚାରୀ ଓ ମାଆ ରୀନା ଜଣେ ଗୃହିଣୀ। ଦୁଇଜଣଙ୍କର ଏକୋଇର ବଳା ବିଶିକେସନ ସେ। ତାକୁ ଦଣ୍ଡେ ନ ଦେଖିଲେ କେହି ରହିପାରନ୍ତିନି। ପିଲା ଦିନରୁ କେବେ କୌଣସି ଜିନିଷ ପାଇଁ ମନା କରନ୍ତିନି ମୋହନ। ଯେଉଁ ପ୍ରକାର ଖେଳନା ବିଟୁର ଦରକାର ସବୁ ଆସି ପହଞ୍ଚିଯାଏ। ଖେଳିଖେଳି ମନ ଭରିଗଲେ ସେ ସବୁକୁ ସଜେଇ ରଖିଦିଏ ଗୋଟେ ଆଲମାରୀ ଭିତରେ। କେବେ ଖେଳନା ଭାଙ୍ଗେନି ସେ। ରୀନା ତାକୁ କୋଳକୁ ଟେକି ନେଇ ଗେଲକରି କୁହନ୍ତି

--- କେତେ ବୁଦ୍ଧି ଆମ ବିଟୁର, ସବୁ ଜିନିଷ କେତେ ଯତ୍ନରେ ରଖୁଛି ସେ। ବଡ ହେଲେ ଏମିତି ଯତ୍ନରେ ପାଠ ପଢି ବହୁତ୍ ବଡ ଅଫିସର ହେବ। ମୋହନ କୁହନ୍ତି --ଆରେ ପିଲା ଟା ଆଗ ବଡ ହେଇଯାଉ। ଏତେ ତରତର କଣ ପାଇଁ। ଦୁଇ ଜଣ ହସି ପକାନ୍ତି। ସେମାନଙ୍କ ମୁହଁ କୁ ବଲବଲ କରି ଦେଖୁଥାଏ ବିଟୁ।

ପିଲାଟି ଦିନରୁ ଡ୍ଯାଡି ମମିଙ୍କୁ ଛାଡିଦେଲେ ଆଉ କେହି ନାହିଁ ବିଟୁର। ଜେଜେବାପା , ଜେଜେମାଆ, ଅଜାଆଈଙ୍କର ବିଟୁ ଜନ୍ମ ପୂର୍ବରୁ ସ୍ବର୍ଗବାସ ହୋଇସାରିଥିଲା।ସେମାନଙ୍କୁ ଫଟୋରେ ଦେଖେ ସେ। ମୋହନ ଓ ରୀନା ତାଙ୍କ ଘରର ଏକକ ସନ୍ତାନ। ତେଣୁ ଦାଦା, କାକା, ପିଉସି, ମାମୁଁ , ମାଉସୀ ପରି ସମ୍ପର୍କ ବିଷୟରେ ଅଜ୍ଞ ଥିଲା ବିଟୁ। କିନ୍ତୁ ଡ୍ଯାଡି ମମିଙ୍କ ଭଲପାଇବା ଏତେ ଅଧିକ ଥିଲା ଯେ, ବାହାର ଦୁନିଆ ସହ କେବେ ନିକଟତର ହେବାର ସୁଯୋଗ ତା ପାଇଁ ଆସିନଥିଲା। ତା ପାଇଁ ପୃଥିବୀର ଅର୍ଥ ଥିଲା ଡ୍ଯାଡି, ମମି ଓ ସେଇ ଘର। ସବୁବେଳେ ଡ୍ଯାଡି ମମିଙ୍କ ସହ ପାର୍କ ଯାଏ। ସେମାନେ ପାର୍କ ଚାରିପଟରେ ଚାଲିବା ବେଳେ ବିଟୁ ନିଜ ଖେଳରେ ବ୍ଯସ୍ତ ଥାଏ। କେତେବେଳେ ବଲ୍ ସାଙ୍ଗରେ ତ କେତେବେଳେ କଣ୍ଢେଇ ସହ। ବେଶ୍ ହସଖୁସିରେ ଦିନ କେମିତି ବିତେ ଜଣା ବି ପଡେନି। ସେଇ କଲୋନୀର କୁନି ପିଲାମାନେ ତା ସାଙ୍ଗରେ ଖୁବ ମସ୍ତି କରନ୍ତି। ପଡୋଶୀ ଶର୍ମାବାବୁଙ୍କ ପୁଅ ରାହୁଲ୍ ତାର ସବୁଠାରୁ ବଡ ସାଙ୍ଗ। ବେଶି ସମୟ ରାହୁଲ୍ ସହ ବିତୁଥିଲା। ସେ ପିଲାଟା ବି ଭାରି ସ୍ନେହୀ, ସଦାବେଳେ ଆସି ବିଟୁ ପାଖରେ ପହଞ୍ଚିଯାଏ। ଡ୍ଯାଡି ଅଫିସ ଗଲାପରେ ମମି ରୋଷେଇ ଓ ଅନ୍ଯକାମରେ ଲାଗି ଯାଆନ୍ତି। ସେତିକିବେଳେ ବିଟୁ ନିଜଭିତରେ ମଜ୍ଜି ରହେ। ଟିଭିଦେଖା ସହ ଖେଳନା ଧରି ଖେଳିଲା ବେଳକୁ ମମି ଆସି ତାକୁ ନେଇଯାଆନ୍ତି ଗାଧୁଆଘରକୁ। ଗାଧୋଇ ସାରିଲା ପରେ ଖାଇଦେଇ ଆରାମରେ ଶୋଇଯାଏ ସେ। ଶୋଇଲାବେଳେ ମମି କେତେ ଆଦରରେ ଗପ କୁହନ୍ତି । କେତେ ବେଳେ ବୁଢୀ ଅସୁରୁଣି ଗପ ତ କେତେବେଳେ ରାଜକୁମାର ଓ ରାକ୍ଷାସ ଗପ। କେତେବେଳେ ନିଦ ଆସିଯାଏ ଜଣା ବି ପଡେନି। ଉଠିଲା ବେଳକୁ ଡ୍ଯାଡି ଆସି ଘରେ ପହଞ୍ଚିଯାଆନ୍ତି। ତାଙ୍କ ଉପରକୁ ସେ ଖୁସିରେ ଡେଇଁ ପଡେ। ଡ୍ଯାଡି ତାକୁ ଛାତିରେ ଜାବୁଡି କେତେ ଗେଲ କରିପକାନ୍ତି। ପକେଟରୁ ଚକୋଲେଟ୍ କାଢି ବଢେଇ ଦିଅନ୍ତି ବିଟୁ ହାତକୁ।ବିଟୁର ଖୁସି କହିଲେ ନ ସରେ। ଡ୍ଯାଡି ମୋ ପାଇଁ ଚକୋଲେଟ ଆଣିଛନ୍ତି କହି ଘର ଟା ସାରା ନାଚିବୁଲେ।

ସକାଳେ ବଗିଚାରେ ବସି ପ୍ରଜାପତି ମାନଙ୍କୁ ଦେଖେ। ଡ୍ଯାଡି କୁହନ୍ତି ଯେ ପ୍ରଜାପତିମାନେ କୁଆଡେ ସଂବାଳୁଆପୋକରୁ ବାହାରନ୍ତି। ସଂବାଳୁଆ ନାଆଁ ଶୁଣିଲେ ଭୀଷଣ ଡରମାଡେ ତାକୁ। ସେ ଆହୁରି ସାନ ଥିଲା ବେଳେ ଗୋଟେ ସଂବାଳୁଆକୁ ମାଡି ଦେଇଥିଲା। ଗୋଡସାରା ଶୁଙ୍କ ପଶି ଏତେ କାଟିଲା ଯେ ସେ କାନ୍ଦିକାନ୍ଦି ଅଥୟ। ଶେଷରେ ଡାକ୍ତରଖାନା ଯିବାକୁ ପଡିଲା। ଯେତେବେଳେ ପ୍ରଜାପତିଟେ ତା ଆଗରେ ଉଡିଯାଏ ସେ ଭାବେ ଡ୍ଯାଡି ବୋଧେ ମିଛ କହୁଥିବେ। ନହେଲେ ଏତେ ସୁନ୍ଦର ପ୍ରଜାପତି, ଯାହା ଦେହରେ ଏତେ ରଙ୍ଗ, ସେ କେମିତି ବାହାରିବ ସଂବାଳୁଆ ଠାରୁ। ଗଛରେ ଚିଁ ଚାଁ କରୁଥିବା ଚଢେଇରାବ, ନାଲିଆ ଶାଗୁଆ, କଙ୍କି ମାନଙ୍କର ମେଳି ଓ ଦୁଷ୍ଟ ଗୁଣ୍ଡୁଚି ମୂଷାର ଖେଳ ତାକୁ ବେଶ ଆମୋଦିତ କରେ। ବଗିଚାର ସେଇ ନରମଘାସ ଉପରେ ଶୋଇରହି ତା କୁନିମୁଣ୍ଡରେ କେତେକଥା ଚିନ୍ତା କରିଯାଏ। ବେଳେବେଳେ ଭାବେ ଏତେ ବଡ ଆକାଶଟା ଯଦି ଆମ ଉପରେ ମାଡି ପଡିବ ଆମେ କୁଆଡେ ଯିବା ? ଦିନ ବେଳା ଆକାଶସାରା ଆଖିବୁଲେଇ ଖୋଜେ ସେ ତାରା, ମାତ୍ର ଗୋଟେ ବି ଦିଶେନି। କିନ୍ତୁ ରାତିହେଲେ ଏତେ ତାରା କୁଆଡୁ ପୁଣି ଚାଲିଆସନ୍ତି ସେ ସଦାବେଳେ ଭାବେ।

ଥରେ ମମି କୁ ପଚାରିଲା---- ମମି ତୁ ଜାଣିଛୁ ଦିନବେଳା କଣପାଇଁ ତାରାମାନେ ଦିଶନ୍ତିନି ?

ପୁଣି ନିଜେ ବଡ ଆଗ୍ରହ ରେ କୁହେ--- ଆରେ ସୂର୍ଯ୍ଯର ପରା କେହି ସାଙ୍ଗ ନାହାଁନ୍ତି। ସେ ଏତେ ଗରମ କରୁଛି ବୋଲି କେହି ତା ସହ ମିଶନ୍ତିନି, ସେଇଥିପାଇଁ ତାରାମାନେ ଲୁଚିଯାଆନ୍ତି। କିନ୍ତୁ ଜହ୍ନମାମୁଁ ତ ସଦା ବେଳେ ଥଣ୍ଡା କରନ୍ତି ନା, ତେଣୁ ତାଙ୍କର ଏତେ ତାରା ସାଙ୍ଗ ଅଛନ୍ତି।

ବିଟୁର ଗୁୁଲୁଗୁଲିଆ କଥା ଶୁଣି ନିଜକୁ ଭାଗ୍ଯବାନ ମନେକରନ୍ତି ମୋହନ। କାମର ଯେତେ ବି ଚାପଥାଉ ପଛେ, ବିଟୁ ର ସେ କଅଁଳ ଦୁଇପଦ କଥାଶୁଣି ଦେଲେ ସବୁ ଚାପ ଓ ଚିନ୍ତା କୁଆଡେ ଦୂରେଇ ଯାଏ।

ସେଦିନ ରୀନା ରାଗ ତମତମ ହୋଇଘରକୁ ଆସି ମୋହନଙ୍କୁ ଭଲ କରି ଦୁଇ ପଦ ଶୁଣେଇଦେଲେ।

- - ପଡୋଶୀ ଶର୍ମାବାବୁଙ୍କ ପୁଅ ର ଆଡମିଶନ ପ୍ଲେ ସ୍କୁଲରେ କରିସାରିଲେଣି ସେମାନେ। କିନ୍ତୁ ଏତେବେଳ ଯାଏ ବିଟୁର ହୋଇନାହିଁ।

- - ଆରେ ରୁହ ଏତେ ବିବ୍ରତ ହେଲେ ଚଳିବ? ବିଟୁର ବୟସ ଦେଖ। ତାକୁ ଏତେବେଳୁ ସ୍କୁଲରେ ଦେବା ମୋତେ କାଇଁ ଜମା ଠିକ୍ ଲାଗୁନି।

ରୀନା କିଛି ଶୁଣିବାକୁ ତୟାର ନଥିଲେ। ବହୁ ବାକ୍ ବିତଣ୍ଡା ପରେ, ଦିନେ ସକାଳ ସାତଟାରୁ ବିଟୁ ନିଜକୁ ଆବିଷ୍କାର କଲା ଗୋଟେ ପ୍ଲେ ସ୍କୁଲର ବାରଣ୍ଡାରେ।

– - ଡ୍ଯାଡି ମୋତେ ଘରକୁ ନେଇ ଚାଲ, ମୋତେ ବହୁତ ଡର ଲାଗୁଛି-- ମୁଁ ଯମା ଦୁଷ୍ଟ ହେବିନି--- ତୁମର ସବୁ କଥା ମାନିବି।

– ମମି, ତୁ ଟିକେ ଶୁଣ୍ ମୋ କଥା-- ମୁଁ ଘରକୁ ଯିବି--- କଣ ପାଇଁ ମୋତେ ଏଠିକୁ ଆଣିଲ---ମୁଁ ଜମା ରହିବିନି ଏ ଯାଗାରେ।

–--ଆରେ ସେମିତି କାହିଁକି ହଉଛୁ। ଦେଖ୍ କେତେ ପିଲା ଆସିଛନ୍ତି। ସେମାନଙ୍କ ସହ ମିଶିବୁ, ଖେଳିବୁ। ଏତେ ଡର କଣ ପାଇଁ? କେତେ ଖେଳନା ଅଛି,ମନ ଭରି ଖେଳିବୁ-- କହିଲେ ମୋହନ।

କିଛି ଗୋଟେ କହିଆସୁଥିଲା ବିଟୁ, ମାତ୍ର ସ୍କୁଲର ଆୟା ତା ହାତ ଧରି ଟାଣିନେଲା ଭିତରକୁ।

ସେଦିନ ବହୁତ କାନ୍ଦିଛି ସେ। ଏତେ ସାନପିଲାଟା ; ଡ୍ଯାଡି ମମିଙ୍କୁ ଛାଡି ପିଲା ଦିନରୁ ଦଣ୍ଡେ ବି ଏକୁଟିଆ ରହିନି। କାହାପାଖରେ ସମୟ କାଟିବା ତା ପାଇଁ ସ୍ବପ୍ନ। ସେଦିନ ସେ ବହୁତ କାନ୍ଦିଲା। ମାତ୍ର ମମି ଓ ଡ୍ଯାଡି କେହି ଶୁଣିଲେନି। କଂସେଇଖାନାରେ ଛେଳିକୁ ଛାଡି ଆସିଲା ପରି ତାକୁ ବଡ ନିର୍ଦ୍ଦୟ ହୋଇ ଛାଡିଆସିଲେ। ସ୍କୁଲରେ ରହିବା ସମୟ ତକ କାନ୍ଦରେ ଗଲା। ଶେଷରେ ସ୍କୁଲରୁ ଫୋନ ଆସିଲା – ଆପଣ ଆସି ପିଲାକୁ ନେଇଯାଆନ୍ତୁ, ନହେଲେ ସେ କାନ୍ଦିକାନ୍ଦି ଅଚେତ୍ ହୋଇଯିବ। ରାଗ ତମତମ ହୋଇ ମୋହନ୍ ତାକୁ ଘରକୁ ନେଇଆସିଲେ। ରୀନା ରାଗରେ କହିଲେ

-- ଏମିତି ହେଲେ ଗଧ ହୋଇ ରହିଥିବୁ। ତୋ ସାଙ୍ଗ ପିଲା ମାନେ ସବୁ ଆଗେଇଯିବେ।

କିଛି ବୁଝି ପାରୁ ନ ଥିଲା ବିଟୁ। ସ୍କୁଲରେ କଣ ହୁଏ ଜଣା ନ ଥିଲା ତାକୁ। ସେ କେବଳ ଏତିକି ଜାଣିଲା, ସ୍କୁଲରେ ଜଣେ ମିସ୍ ସବୁ ପିଲାଙ୍କୁ ଗାଳି ଦେଇ ଚୁପ୍ ହୋଇ ଖେଳିବାକୁ କହୁଥିଲେ। କିଏ ଅବାଧ୍ଯ ହେଲେ କାନ ମୋଡି ପିଠିରେ ବିଧା ମାରୁଥିଲେ। କିନ୍ତୁ ଏମିତି ତ ଘରେ ବି ସେ ଖୁସିରେ ଖେଳୁଥିଲା ,ସେଥିପାଇଁ ସ୍କୁଲ ଯିବା କଣ ଦରକାର?

ସ୍କୁଲ ଯିବା ପରଠାରୁ ବିଟୁ ଜୀବନରେ ମସ୍ତବଡ ପରିବର୍ତ୍ତନ ଆସିଯାଇଥିଲା। ଏଥର ମମି ତାକୁ ସବୁ କଥାରେ ଆକଟ କରୁଥିଲେ, ବୋଧେ ତାକୁ ଆଉ ଭଲ ପାଉନଥିଲେ। ଡ୍ଯାଡି ବି ଆଗ ପରି ଗେଲ କରୁ ନ ଥିଲେ। ଦିନରାତି ଯେତେବେଳେ ଦେଖିଲେ, ମମି ବିଟୁ କୁ ଏ,ବି,ସି,ଡି ଶିଖାଇବାରେ ଲାଗିଲେ । ସକାଳୁ ଆଖିରେ ନିଦ ଭର୍ତ୍ତି ଥାଏ। ମନ ହେଉଥାଏ ଡ୍ଯାଡିଙ୍କ ପାଖରେ ଜାକି ହୋଇ ଶୋଇବା ପାଇଁ, କିନ୍ତୁ ମମି ଆସି ଶେଯରୁ ଘାଷାରି ନେଇ ସ୍କୁଲ ପାଇଁ ତୟାର କରନ୍ତି। କିଛି ସମୟ ଭିତରେ ସ୍କୁଲ ବସ୍ ଚାଲିଆସେ। ଆଖିରେ ଲୁହ ସେମିତି ଥାଏ, ମାତ୍ର ବିଟୁ ଚାଲିଯାଏ ସ୍କୁଲକୁ।

ସ୍କୁଲରୁ ଖବର ଆସିଲାଣି ବହୁତ୍ ଥର-- ବିଟୁ ପିଲା ମାନଙ୍କ ସାଙ୍ଗରେ ମିଶି ପାରୁନି। ସଦାବେଳେ ଉଦାସ ରହୁଛି। ଯାହା ପଢେଇଲେ ଧରି ପାରୁନି, ହସ୍ତାକ୍ଷର ଠିକ୍ ନାହିଁ, ଖେଳରେ ବି ଆଗ୍ରହ ନାହିଁ ...ଏମିତି କେତେ ଅଭିଯୋଗ। ବିଟୁ କିଛି ବୁଝି ପାରେନି। ସେ କାହାର କଣ କ୍ଷତି କରିଛି ଯେ ସାରା ଦୁନିଆ ତା ପଛରେ ପଡି ଯାଇଛନ୍ତି।

ଘରକୁ ଆସିଲା ପରେ ଏବେ ମମି ତାକୁ ଆଉ କୋଳକୁ ନେଇ ଗେଲ କରୁନାହାଁନ୍ତି ; ବରଂ ପଚାରୁଛନ୍ତି ଆଜି କଣ ହେଲା ସ୍କୁଲରେ? ତା ମନ ମୁତାବକ ଖାଇବା ଆଉ ତାକୁ ମିଳୁନି। ଯାହା ପାଟିକୁ ନ ରୁଚିବ ସେଇ ଜିନିଷ ଖାଇବାକୁ ବାଧ୍ଯ କରୁଛନ୍ତି ଡ୍ଯାଡି ଓ ମମି। ଏମିତି ଖାଇଲେ କୁଆଡେ ମୁଣ୍ଡରେ ବେଶି ବୁଦ୍ଧି ହେବ। ପାର୍କରେ ଖେଳିବା ସ୍ବପ୍ନ ହୋଇଗଲାଣି। ଡ୍ଯାଡି କହୁଛନ୍ତି ଏମିତି ଖେଳିଖେଳି କୁଆଡେ ସେ ବେଶି ଚଗଲା ହୋଇଗଲାଣି। ଏବେ ବିଟୁର ଜୀବନ ରେ ଅଛି କେବଳ ସେଇ ଏ,ବି,ସି,ଡି ଆଉ ଅନେକ ପାଠ। ଡ୍ଯାଡି ଓ ମମି ଆଉ ପଚାରୁ ନାହାଁନ୍ତି – ବିଟୁ ବୁଲିଯିବୁ? ବରଂ ପଚାରୁଛନ୍ତି ଆଜି କଣ ଶିଖିଲୁ। ଟିଭିରେ କାର୍ଟୁନ୍ ଦେଖିବା ବି ମନା। ଟିଭି ଦେଖା ଅଭ୍ଯାସ ହୋଇଗଲେ ସେ ଆଉ ପଢିବନି ବୋଲି ସ୍କୁଲ୍ ର ମିସ୍ କହିଛନ୍ତି। ସେଦିନ ସ୍କୁଲରେ ମିସ୍ ତାକୁ ଦୁଇ ଚଟକଣି ମାରିଲେ, ପୁଣି ଆଣ୍ଠେଇବାକୁ କହିଲେ। କାରଣ ଥିଲା ସେ ନିଜେ ଆଣିଥିବା କେକ୍ ସାଙ୍ଗମାନଙ୍କୁ ନ ଦେଇ ଏକୁଟିଆ ଖାଇଦେଲା। ବୁଝି ପାରେନି ବିଟୁ, କଣ ଦୋଷ ତାର ?

କାଇଁ ତାକୁ ତ କେବେ କେହି ସାଙ୍ଗ ତାଙ୍କ ଜିନିଷ ଦେଇନାହାଁନ୍ତି। ମିସ୍ କହିଲେ – ତୁମକୁ ସେୟାର କରିବା ଗୁଣ ଶିଖିବାକୁ ପଡିବ। ନହେଲେ ବଡ ହେଲେ ସ୍ବାର୍ଥପର ହୋଇଯିବ। ସ୍ବାର୍ଥପର ଶବ୍ଦର ଅର୍ଥ କଣ ସେ ଜାଣି ପରିଲାନି କି ତାକୁ ବୁଝେଇବାକୁ କାହାର ଆଗ୍ରହ ନ ଥିଲା। ଏବେ ସେ ଡ୍ଯାଡି ମମିଙ୍କୁ କିଛି ପଚାରିଲେ ସେମାନେ କୁହନ୍ତି-- ଯଦି ମନ ଦେଇ ପାଠ ନ ପଢିବୁ କିଛି ଜାଣି ପାରିବୁନି। ସବୁ ଜିନିଷ ସେଇ ସ୍କୁଲରେ ଶିଖାଯାଉଛି । ଏତେ ଟଙ୍କା ଦେଇ ତୋତେ ପଢଉଛୁ ମାନେ, ତୁ ସବୁ ଜିନିଷ ସେଇଠୁ ଶିଖିବୁ। ବିଟୁ ଜାଣି ପାରେନି ପଚାରିବ କାହାକୁ। ସେଦିନ ଡ୍ଯାଡିଙ୍କୁ ପଚାରିଲା ଜଗନ୍ନାଥଙ୍କର ହାତ ନାହିଁ କଣ ପାଇଁ।

କିନ୍ତୁ ସେ ବିରକ୍ତ ହୋଇ କହିଲେ ପାଠ କୁ ଛାଡି ଦେଇ ତୋର ଅନ୍ଯ ସବୁ କଥା ଜାଣିବାକୁ ବହୁତ୍ ଆଗ୍ରହ। ସ୍କୁଲ୍ ରେ ଯାହା ପଢା ଯାଉଛି ଆଗ ସେସବୁ ଜାଣିବାକୁ ଚେଷ୍ଟା କର, ଅନ୍ଯ କଥା ଜାଣିବାକୁ ସାରା ଜୀବନ ପଡିଛି।

ମିସ୍ ଙ୍କୁ ପଚାରିଲାରୁ ସେ ଚଟକଣିଟେ ପକେଇ କହିଲେ-- କାଲିର ହୋମଓ୍ବାର୍କ ତ କରିନୁ, ଏ ସବୁ କଥା ପଚାରିଲେ କଣ ମୁଁ ତୋତେ ଛାଡି ଦେବି ନା କଣ ? କାଲି ପଢେଇଥିଲି ପରା, କହିଲୁ ଆପଲ୍ ର ସ୍ପେଲିଙ୍ଗ କଣ?ବିଟୁ ବଲବଲ କରି ମିସ୍ ମୁହଁକୁ ଚାହିଁଲା।

–-- ଆପଲ୍ ମାନେ ସେଓ। ମୋତେ ଆପଲ୍ ବହୁତ୍ ଭଲ ଲାଗେ। ଡ୍ୟାଡି ମୋ ପାଇଁ ଆପଲ୍ ଆଣି ଆସନ୍ତି। ଗାଲରେ ଆଉ ଏକ ଶକ୍ତଚାପୁଡା ପକେଇଲେ ମିସ୍ । ବିରକ୍ତିରେ କହିଲେ

-- କେମିତିପିଲା ସବୁ ଆସୁଛନ୍ତି ଏ ସ୍କୁଲ୍ କୁ ଛିଃ। ଏମାନଙ୍କ ମୁଣ୍ଡରେ ଗୋବର ଅଛି ନା କଣ?

ଘରକୁ ଯାଇ ମମି ଙ୍କୁ ସବୁ କଥା କହିଲା ସେ, ମାତ୍ର ମମି କହିଲେ ତୋତେ ଠିକ ହୋଇଛି। ସେଠିକୁ ପଢିବାକୁ ଯାଉଛୁ ନା ଏ ବାଜେ କଥା ହେବାକୁ ଯାଉଛୁ। ପାଠ ତ ମନେ ରହୁନି, ଏମିତି ସବୁ କଥା ପଚାରିଲା ବେଳକୁ ବହୁତ ବୁଦ୍ଧି ଆସିଯାଉଛି ମୁଣ୍ଡରେ।

ଜଗନ୍ନାଥଙ୍କର ହାତ ପରି ବିଟୁର ମନ ଟା ବି ଖଣ୍ଡିଆ ହୋଇଗଲା, କିନ୍ତୁ କିଏ ଦେଖିବ ତାକୁ? ଏବେ ଶୋଇଲା ବେଳେ ଡ୍ୟାଡି ଆଉ ଗପ କହୁନାହାଁନ୍ତି। ସେ ବି ଜିଦ୍ କରୁନି। ତା ପାଠ ବହି ଗୁଡା ଭୁତ ପରି ଲାଗୁଛନ୍ତି, ଆଉ ସ୍କୁଲର ମିସ୍ ଓ ଟିଚର ମାନେ ରାକ୍ଷାସ ପରି। ସେମାନଙ୍କ ପାଖରେ ତ ସବୁ ସମୟ ଯାଉଛି ଆଉ ଗପ ଶୁଣିବ କଣ।

ଆଜି ମିସ୍ ରିପୋର୍ଟ କାର୍ଡ ଦେଇଛନ୍ତି। ସବୁ ବିଷୟରେ “ସି” ନ ହେଲେ “ଡି” ଗ୍ରେଡ୍ ମିଳିଛି। ଖୁସିରେ ମମିକୁ ଦେଖେଇଲା-- ଦେଖ୍ ମମି ମୁଁ କେମିତି ଗ୍ରେଡ୍ ପାଇଛି। ଦେଖିବାପରେ ମମି ଚିହିଁକି ଉଠିଲେ-- କୁଳାଙ୍ଗାର..ମୁର୍ଖ,ଗଧ ବୋଲି କହି ଗାଳିଦେଲେ। ସେଦିନ ଖାଇବାକୁ ବି ଦେଲେନି। କହିଲେ ତୋ ପରି କୁଳାଙ୍ଗାର ପୁଅ ଜନ୍ମ କରି ମୁଁ କେତେ ବଡ ପାପ କଲି। ପୁଣି ଡ୍ୟାଡି ଆସିଲା ପରେ ମାଡ ଦେଲେ। କହିଲେ ସବୁ ସୁବିଧା ଦେଲା ପରେ ବି ପିଲାଟା ଗଧ ହୋଇ ରହିଲା।

ତା ପର ଦିନ ସକାଳେ ଶର୍ମାବାବୁଙ୍କ ସ୍ତ୍ରୀ ଆସି କଟା ଘାଆରେ ଚୁନ ଲଗେଇ ଦେଇଗଲେ। କହିଲେ

– – ବୁଝିଲେ ମ୍ଯାଡାମ୍ , ଆମ ରାହୁଲ୍ ସବୁ ବିଷୟରେ “ଏ” ପ୍ଲସ ପାଇଛି। ଶୁଣିଲି ବିଟୁର ସବୁ ଖରାପ ହୋଇଯାଇଛି। କଣ କରିବା, ବିଟୁର ବୁଝିବାଶକ୍ତି ଟିକେ କମ୍ ବୋଲି ମିସ୍ କହୁଥିଲେ। ସେ କିଛି ବୁଝିପାରୁନି କି ଆଗ୍ରହ ଦେଖଉନି। ତାକୁ ଟିକେ ଦେଖନ୍ତୁ। ନହେଲେ ଭବିଷ୍ଯତରେ ଆପଣମାନଙ୍କ ନାଁଆ ବୁଡେଇ ଦେବ ଯେ...।

ସେ ଯିବାପରେ ରୀନା ବିଟୁ କୁ ବହୁତ୍ ମାରିଲେ,ମୋହନ୍ ବି ଅଫିସରୁ ଆସି ବହୁତ ଗାଳିଦେଲେ। କାନ୍ଦିକାନ୍ଦି ତା ତଣ୍ଟି ବସି ଗଲାଣି। ମୋହନ ମୁହଁ ଛିଞ୍ଚାଡି କହିଲେ – – ଏ ପିଲା ଟା ପାଇଁ ମୋ ମାନ ଇଜ୍ଜତ୍ ସବୁ ମାଟିରେ ମିଶିଯିବ।

କେହି ପଚାରିଲେନି ତାକୁ ଯେ ତାର କଣ ଦରକାର। ବିଚରା ମନରେ କୋହ ଉଠିଆସୁଥିଲା। କିନ୍ତୁ ସେ ଆଉ କାନ୍ଦି ପାରୁ ନ ଥିଲା। ସେ ଚାହୁଁ ଥିଲା ମମି ତାକୁ କୋଳ କୁ ଟେକି ନେଇ ଗେଲ କରନ୍ତୁ, ଡ୍ଯାଡି ତାଙ୍କ କାନ୍ଧରେ ବସେଇ ବୁଲାନ୍ତୁ। ତା ଆଖିରୁ ଲୁହ ପୋଛି ଦୁଇ ଜଣ କୁହନ୍ତୁ-- ଆମ ରାଜା ବେଟା ଆଖିରେ ଲୁହ କଣ ପାଇଁ ? ସେ ତ ବହୁତ୍ ସାହାସୀ, ବହୁତ୍ ଭଲ। ସୋଫାରେ ମୁହଁ ତଳକୁ କରି ଅପରାଧୀ ପରି ବସି ରହିଥିଲା ବିଟୁ ଓ ଡ୍ଯାଡି ମମି ପରସ୍ପର କୁ ଗାଳି ଦେବାକୁ ଲାଗିଥିଲେ। ଉଭୟ ଉଭୟଙ୍କୁ ଦୋଷ ଦେଇ ବିଟୁ ର ପାଠରେ ଦୁର୍ବଳତା ପାଇଁ ଦାୟୀ କରିବାରେ ଲାଗିଥିଲେ।

ମମି ର କୋଳ, ଡ୍ୟାଡିଙ୍କର ଗେଲ, ଦୁଇ ଜଣଙ୍କ ଭଲପାଇବା ସବୁ କିଛି ଦୂରେଇ ଯାଇଥିଲା ତା ଜୀବନରୁ। ଏବେ ତ ସେମାନେ ତା ସହ କଥା ମଧ୍ଯ ହେଉ ନ ଥିଲେ। ଡ୍ଯାଡି ଆଗରୁ ଅଫିସ୍ ରୁ ଆସି ତା ସହ ଖେଳୁଥିଲେ, ମୋଟର ସାଇକେଲ୍ ରେ ବସେଇ ବଜାର ବୁଲେଇ କେତେ ଜିନିଷ କିଣୁଥିଲେ। ସେ ମୁହଁ ଶୁଖେଇ ବସିଲେ ତାକୁ କୁତୁରୁ କାଳିଆ କରି ହସେଇ ହସେଇ ବେଦମ୍ କରି ପକାଉଥିଲେ। କିନ୍ତୁ ଏବେ ଅଚାନକ୍ ସେ ସମସ୍ତଙ୍କ ପାଇଁ ଅଲୋଡା ପାଲଟି ଯାଇଥିଲା। ତା ମୁହଁର ହସ ବା ଆଖି ର ଲୁହ କାହା ପାଇଁ କିଛି ମୂଲ୍ଯ ରଖୁ ନ ଥିଲା।

ବିଟୁ.... ଏ ବିଟୁ... କଣ ଶୁଭୁନି ନାଁ କଣ ? କେତେ ଥର ଡାକିଲିଣି ପରା। କଣ କାଲା ହୋଇ ଗଲୁ ନା କଣ? ମମିଙ୍କ କଥାରେ ଚମକି ପଡିଲା ସେ।

– -- ଶୁଣ୍ ରାହୁଲ୍ କୁ ଜଣେ ସାର ନାଚ ଶିଖେଇବାକୁ ଆସୁଛନ୍ତି। ସେ ତୋତେ ବି ନାଚ ଶିଖେଇବେ। ଆଜିକାଲି ଖାଲି ପାଠ ପଢିଲେ ହେବନି, ନାଚ ଗୀତ ସବୁ ଶିଖିବାକୁ ପଡିବ।

କିଛି ଉତ୍ତର ନ ଦେଇ ମୁଣ୍ଡ ପୋତି ବସିଲା ସେ। ଯେମିତି କାହା କଥା ଶୁଣିବାରେ ଆଗ୍ରହ ନାହିଁ ତାର।

ସେଦିନ ନାଚ ଶିଖେଇବା ପାଇଁ ଜଣେ ସାର୍ ଆସିଲେ। ତାଙ୍କୁ ଦେଖି ବିଟୁ ହସି ପକେଇଲା, କାରଣ ସେ ସାର୍ ହୋଇ ମିସ୍ ଙ୍କ ପରି କଥାବାର୍ତ୍ତା କରୁଥିଲେ। ମମି ଗାଳିଦେଇ କହିଲେ ସାର୍ ଯାହା ଶିଖେଇବେ ଶିଖିବୁ। ସବୁ ଦିନ ସଂନ୍ଧ୍ଯାବେଳେ ନାଚ ଶିଖାଚାଲିଲା। ଗୋଡ ଟିକେ ଏପଟ ସେପଟ ହେଲେ ସାର୍ ବାଡିରେ ଗୋଡକୁ ମାରୁଥିଲେ । ମାଡରେ ଗୋଡ ଲାଲ୍ ପଡିଗଲେ ବି ମମି କିଛି କୁହନ୍ତିନି। ସେମିତି ମାଡ ପଡିଲେ କୁଆଡେ ସେ ଭଲରେ ନାଚ ଶିଖିବ। ଏବେ ଆଉ ମାଡ ଗାଳି କାଟୁନି ବିଟୁକୁ। ଉଠିବାଠାରୁ ଶୋଇବା ଯାଏ ଆଉ କିଛି ମିଳୁ ନ ମିଳୁ, ମାଡଗାଳି ସମସ୍ତଙ୍କ ପାଖରୁ ଢେର ମିଳୁଛି। ରାତିରେ ଗୋଡ କାଟିଲେ ସେ ମମି କୁ ଘଷି ଦେବାକୁ କହୁନି ; ବରଂ କାନ୍ଦିକାନ୍ଦି ଶୋଇପଡୁଛି। ଥରେ ସେ କହିଥିଲା; କିନ୍ତୁ ମମି ରାଗି କହିଲେ-- – ମୁଁ କଣ ତୋ ହଳିଆ ନାଁ କଣ? ଦିନରାତି ଘର କାମ କରି ମୋ ନିଜ ଅବସ୍ଥା ଯାହା ହେଉଛି, କେହି ଆହା ପଦେ କହିବାକୁ ନାହିଁ। ସେଥିରେ ପୁଣି ତୋର ସେବା ଦରକାର।

ରାତିରେ ବିଟୁ କୁ ନିଦ ହେଉ ନ ଥିଲା, କଡ ଓଲଟାଇ ରାତି କେତେ ବେଳେ ସରିଯାଏ ସେ ଜାଣି ମଧ୍ଯ ପାରେନି। ତାର ଜମା ପାଠ ହେଉ ନ ଥିଲା ନାଚ ଶିଖିବା ମଧ୍ଯ ତା ଦ୍ବାରା ହେଉ ନ ଥିଲା। ଯିଏ ଦେଖିଲା ତାକୁ ଗାଳି ଦେଉଥିଲା। ରାହୁଲ୍ ତା ସହ ସାଙ୍ଗ ହେଉଥିଲା, ମାତ୍ର ସବୁ ପିଲାଙ୍କ ଆଗରେ ତାକୁ ଚିଡାଉଥିଲା। ସେ ସଦାବେଳେ କହୁଥିଲା --ବିଟୁ ମୁଣ୍ଡରେ କୁଆଡେ ଗୋବର ଅଛି। ସେ ପାଠ ପଢି ପାରିବନି, ଖେଳି ପାରିବନି ବା ନାଚି ପାରିବନି। ସେ ଗୋଟେ ବିରାଟ ଗଧ।

ରାହୁଲ୍ କଥାରେ ଅନ୍ଯ ସାଙ୍ଗ ମାନେ ହସୁଥିଲେ ଓ ଚିଡାଉଥିଲେ। ବିଭିନ୍ନ ଭଙ୍ଗୀ କରି ବିଟୁ କୁ ଦେଖାଉଥିଲେ ଗଧ କେମିତିି ଜିନିଷ ବୁହେ, କେମିତି ବୋବାଏ। ପିଲା ମାନଙ୍କ ସହ ଖେଳିବାକୁ ଗଲେ ସେମାନେ ବିଟୁ କୁ ଘଉଡାଇ ଦେଇ କୁହନ୍ତି-- ତୋ ସାଙ୍ଗେ ଖେଳିଲେ ନି ମିଶିଲେ ଆମେ ବି ଗଧ ହୋଇଯିବୁ ବୋଲି ଆମ ଘରେ କହିଛନ୍ତି। ତୁ ଦୂର ରେ ରହ, ଆମ ପାଖକୁ ଆସେନି।

ସେଦିନ ଏକ ଅଦ୍ଭୁତ ସ୍ବପ୍ନ ସେ ଦେଖିଲା। ସେ ଗୋଟେ ଗଧ ହୋଇ ଯାଇଛି। ରାହୁଲ୍ ତା ପିଠି ଉପରେ ବସି ବାଡି ରେ ଜୋର ରେ ବାଡାଉଛି ଓ ବାକି ସାଙ୍ଗ ମାନେ ତାଳି ମାରି ହସୁଛନ୍ତି। ସେ ଚମକି ଉଠି ପଡିଲା। ସ୍ବପ୍ନ ଦେଖୁଥିଲା ବୋଲି ଜାଣିବା ପରେ ହସ ଲାଗିଲା ତାକୁ। ଖଟ ଉପରେ ବସି ଜୋର ରେ ହସିବାକୁ ଲାଗିଲା। ଚମକି ଉଠି ପଡିଲେ ମୋହନ ଓ ରୀନା।

– –- ଆରେ ପାଗଳ ହୋଇ ଗଲୁ ନାଁ କଣ? ଏମିତି ରାତି ଅଧରେ ହସୁଛୁ କଣ ପାଇଁ।

– – ହସି ହସି ବିଟୁ ଉତ୍ସାହିତ ହୋଇ କହିଲା, ମମି ଏବେ ସ୍ବପ୍ନ ଦେଖିଲି ଯେ ମୁଁ ଗୋଟେ ଗଧ ହୋଇ ଯାଇଛି, ମୋର ଲାଞ୍ଜ ଅଛି ଓ ଚାରି ଟା ଗୋଡ ଅଛି----- ଆଉ କଣ କହିଥାନ୍ତା ବୋଧେ, କିନ୍ତୁ ଡ୍ଯାଡି ତା ଗାଲରେ ଏକ ପ୍ରଚଣ୍ଡ ଚାପୁଡା ମାରି କହିଲେ

– -- କେଉଁ ଜନ୍ମ ରେ କି ପାପ କରିଥିଲି ଯେ ଏ କୁଳାଙ୍ଗାର ଟା ଜନ୍ମ ହେଲା – – ଜୀବନ ଦୁର୍ବିସହ କରିଦେଲାଣି ପିଲା ଟା। ଏମିତି ଉତ୍ପାତ ହେଲେ ତାକୁ ନେଇ ହଷ୍ଟେଲ୍ ରେ ଛାଡିବାକୁ ପଡିବ। ଦିନ ସାରା ଅଫିସ୍ ରେ ମୁଁ ଗଧ ପରି ଖଟୁଛି, କିନ୍ତୁ ନିଜକୁ ଗଧ ରୂପରେ ସ୍ବପ୍ନ ଦେଖୁଛି ଏ କୁଳାଙ୍ଗାର।

ଭେଁ କରି କାନ୍ଦି ଉଠିଲା ସେ। ଭାବିଥିଲା ଡ୍ଯାଡି ତାକୁ କୋଳ କୁ ଟାଣିନେଇ ଚୁପ୍ କରେଇବେ, ମମି ତାକୁ ଗେଲ କରିବେ। କିନ୍ତୁ ସେ ଡ୍ଯାଡିଙ୍କ ଠାରୁ ମାଡ ଓ ମମିଙ୍କ ଠାରୁ ଗାଳି ଖାଇ ଭୀଷଣ ଭାବରେ ଦୁଃଖିତ ହେଲା।

--- – ମୋତେ କେହି ଭଲ ପାଉନାହାଁନ୍ତି। ମୁଁ କାହାର ପୁଅ ନୁହଁ। ଏମିତି ଗୁମୁରି ଗୁମୁରି କାନ୍ଦିଲା ବିଟୁ। କାନ୍ଦି କାନ୍ଦି କିଛି ସମୟ ପରେ ସେ ଶୋଇପଡିଲା।


ଆଜି ବିଟୁର ଜନ୍ମଦିନ। ସ୍କୁଲ୍ ର ସାଙ୍ଗ ମାନଙ୍କୁ ସେ ଡାକିଛି, ବହୁତ୍ ମଜା ହେବ। କେତେ ଲୋକ ଆସିଛନ୍ତି। ଡ୍ଯାଡିଙ୍କର ଅଫିସର ବି ଆସିଛନ୍ତି। କେକ୍ କଟା ସରିଲା ପରେ ସବୁ ଖାଇଲା ବେଳକୁ ଡ୍ଯାଡିଙ୍କର ସାର ପଚାରିଲେ-- ଆରେ ରାଜା ବେଟା, ତୁ ପରା ସ୍କୁଲ ଗଲୁଣି। ଦେଖି କହିଲୁ ଆପଲର ସ୍ପେଲିଙ୍ଗ।

ବିଟୁର ଜମା ମନେ ପଡୁନି। ଡ୍ଯାଡିଙ୍କର ସାର୍ କଣ ଜାଣି ନାହାଁନ୍ତି କି, ସେ ସ୍କୁଲ୍ ରେ ବି କହି ପାରେନି ବୋଲି-- ପୁଣି କଣ ପାଇଁ ପଚାରିଲେ। ସେ ଦେଖିଲା ଡ୍ୟାଡି ମମି ରାଗିଲେଣି ବହୁତ୍। ଆଜି ଜନ୍ମ ଦିନଟାରେ ବି ମାଡ ଖାଇବ ବୋଧେ।


– ଆରେ ବୋକା ପରି ଠିଆ ହେଇଛୁ କଣ? କହୁନୁ କ'ଣ ପାଇଁ। ରାଗରେ କହିଲେ ମୋହନ।

ସେତିକି ବେଳକୁ କୁଆଡେ ଥିଲା ରାହୁଲ ଦଉଡି ଆସି କହିଲା

– ଅଙ୍କଲ୍ ତାକୁ ପଚାରିଲେ କଣ ହେବ? ସେ କିଛି କହିପାରିବନି। ସେଇଥି ପାଇଁ ତ ସ୍କୁଲରେ ସବୁ ଦିନ ମାଡ ଖାଉଛି। ବରଂ ମୁଁ କହିଦେଉଛି । ଏତିକି କହି ଆଖି ନଚେଇ ସେ ଆପଲ୍ ର ବନାନ୍ କହି, ବିଟୁ ମୁହଁ କୁ ଚାହିଁଲା।

ରାହୁଲର କଥା ଶୁଣି ଅଫିସର ଜଣଙ୍କ ଚୁପ୍ ହୋଇ ଠିଆହେଲେ। ଶର୍ମାବାବୁଙ୍କ ସ୍ତ୍ରୀ ଏମିତି ଏକ ସୁବର୍ଣ୍ଣ ସୁଯୋଗର ଅପେକ୍ଷାରେ ଥିଲେ।

– -କଥା କଣ କି, ବାପା ମାଆ ସିନା ଟିକେ ଦେଖିଲେ ପିଲା ପଢିବ, ନ ହେଲେ ତ ଏମିତି ହେବ।

– – ଆରେ ସେମିତି କାହିଁକି କହୁଛ। ଆମ ବିଟୁ ବଢିଆ ପଢିବ, ବ୍ଯସ୍ତ ହେଲେ ଚଳିବ। ଭଦ୍ରଲୋକିର ଚରମ ସୀମାରେ ପହଞ୍ଚି କହିଲେ ଶର୍ମାବାବୁ।

ଏତେ ଲୋକଙ୍କ ସାମନାରେ ଅପମାନିତ ହେବ ବୋଲି ଭାବି ନ ଥିଲା ବିଟୁ, ପୁଣି ତା ଜନ୍ମଦିନରେ। ତା ପକ୍ଷ ନେବାକୁ କେହି ବି ନ ଥିଲେ। ନିହାତି ଅସହାୟ ହୋଇ ଜାକିଜୁକି ଠିଆ ହେଲା କାନ୍ଥ କୁ ଆଉଜି। ଏତିକି ସମୟ ଭିତରେ ଯାହା ସବୁ ହୋଇଗଲା ତାହା ହଜମ କରିବା ଅବସ୍ଥାରେ ନ ଥିଲେ ରୀନା। ମୋହନ ରାଗରେ ଜର୍ଜରିତ ହେଉଥିଲେ ବି ଏତେ ଲୋକଙ୍କ ସାମନା ରେ ନିଜକୁ ଯଥା ସମ୍ଭବ ବ୍ଯବସ୍ଥିତ କରି ରଖିଥିଲେ।

ଅଚାନକ ରୀନା ଆସି ଟାଣିନେଲେ ବିଟୁର ହାତ ଓ ଗୋଟେ ରୁମ୍ ଭିତରକୁ ପଶିଗଲେ। ତା ଗାଲରେ ମାରି ଚାଲିଲେ ଚାପୁଡା ପରେ ଚାପୁଡା।

– – ଗଧ, ମୁର୍ଖ କୋଉଠିକାର। ତୋ ପାଇଁ ରାସ୍ତାରେ ଚାଲିବା ବି ମୁସ୍କିଲ ହୋଇଯିବ। ମରି ଯାଉନୁ ଯାହା। କୁଳାଙ୍ଗାର ମୁହଁ କୁ ଲାଜ ନାହିଁ ଟିକେ।

ବିଟୁ ଆଉ କାନ୍ଦି ପାରୁ ନ ଥିଲା। ଏମିତି ଭାବରେ ଆଜି ତା ଜନ୍ମଦିନ ଟା ପାଳନ ହେବ ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲା।

– – ମମି ଚାଲ ଆଗ କେକ୍ ଟା କାଟିଦେବା। ମୋତେ ଭୋକ ହେଲାଣି ଜୋର। ଧିର ସ୍ବରରେ କହିଲା ବିଟୁ।

– ଅଲାଜୁକ କୋଉଠିକାର। ଏତେ ସବୁ ହେଲା ପରେ ବି ତୋତେ ଲାଜ ଲାଗୁନି, କେକ୍ କାଟିବୁ?

ଗାଲରେ ବସିଲା ବିଟୁର ଆଉ ଏକ ଶକ୍ତ ଚାପୁଡା।

– – ହାଃ ହାଃ ହାଃ , ମୁଁ ଗଧ, ମୁଁ ଅଲାଜୁକ, ମୁଁ କୁଳାଙ୍ଗାର......ଆଜି ମୋ ଜନ୍ମ ଦିନ.....ହାଃ ହାଃ … ହାପି ବାର୍ଥ ଡେ ଟୁ ମି..... ପାଗଳଙ୍କ ପରି ପ୍ରଳାପ କରି ଚାଲିଲା ବିଟୁ। ବେଳ କୁ ବେଳ ଜୋର ଜୋରରେ ହସି ବାକୁ ଲାଗିଲା। ପୁଣି କାନ୍ଦିଲା-

----ଉଁ.....ଉଁ ମୋତେ ତୁମେ ମାରିଲ ମମି। ମୋ ଜନ୍ମ ଦିନରେ ମାରିଲ। ମୁଁ ଆଉ କେକ୍ କାଟିବିନି। ମୁଁ କିଛି ଖାଇ ପାରିବିନି, ବେଲୁନ୍ ଫଟେଇ ପାରିବିନି। ଉଁ ଉଁ

– – ହଁ ମୁଁ କୁଳାଙ୍ଗାର..... ତୁମର କୁଳାଙ୍ଗାର ମୁଁ......

ବିଟୁ ର ଦେହ ଥରିଲା, ମୁଣ୍ଡ କଣ ହୋଇଗଲା। ନିସ୍ତେଜ ହୋଇ ସେ ଦୁମ୍ କରି ପଡିଗଲା।

ଡାକ୍ତରଖାନା ଆଇ.ସି.ୟୁ ରେ ଶୋଇ ରହିଥିଲା ବିଟୁ। ସମଗ୍ର ଶରୀରରେ ନାନା ପ୍ରକାରର ମେସିନ୍ ଲାଗି ରହିଥିଲା ଓ ଡାକ୍ତରଙ୍କ କପାଳରେ ଚିନ୍ତାର ରେଖା।

ମୋହନ ଓ ରୀନା ବ୍ଯସ୍ତ ହୋଇ ଡାକ୍ତରଙ୍କୁ ପଚାରିଲେ-- – କଣ ହୋଇଛି, କେବେ ସେ ଠିକ୍ ହେବ। ଆଉ ଦୁଇ ଦିନ ପରେ ତା ସ୍କୁଲ୍ ରେ ଡ୍ଯାନସ୍ କମ୍ପିଟିସନ। କୁଳାଙ୍ଗର ପିଲାଟାର ଦେହ ଏତିକି ବେଳେ ଖରାପ ହେବାର ଥିଲା!

ଉଦାସ ମୁହଁରେ ତାଚ୍ଛଲ୍ୟ ଭରା ହସ ଫୁଟେଇ ଡାକ୍ତର କହିଲେ- ଅତ୍ଯଧିକ ମାନସିକ ଚାପ ହେତୁ ନର୍ଭସ୍ ବ୍ରେକ ଡାଉନ ହୋଇଛି ବିଟୁର। ଅବସ୍ଥା ସାଙ୍ଘାତିକ। କଣ ହେବ, କହିବା ମୁସ୍କିଲ୍। ଯାହାହେଉ, ଗୋଟେ ଶିଶୁର ପାଠ ଓ ନାଚ ପାଇଁ ଏତେ ସଚେତନ ଆପଣଙ୍କ ପରି ବାପାମାଆ ଙ୍କ ଦର୍ଶନ କରି ମୋ ଜୀବନ ଧନ୍ଯ ହୋଇଗଲା। ଭଲ ହେବ, ସ୍କୁଲରେ ଖବର ଦେଇଦିଅନ୍ତୁ ଯେ ଆପଣଙ୍କ ପୁଅର ଅବସ୍ଥା ସାଙ୍ଘାତିକ। କଣ ହେବ କିଛି କହି ହେବନି। ଯଦି ତା ଜୀବନ ରହେ ସେ ନିହାତି ସ୍କୁଲ୍ କୁ ଯିବ।

ଡାକ୍ତର ମନେମନେ ଭାବୁଥିଲେ ଯେ ଶେଯରେ ଶୋଇଥିବା ନିରିହ କୋମଳମତି ପିଲା ଟି “କୁଳାଙ୍ଗାର” ନା ପିଲାଟିର ବାଲ୍ଯ ଚପଳତା, ଆଶା ଓ ସ୍ନେହ ରଙ୍କୁଣିଆ ମନକୁ ତିଳତିଳ କରି ଜାଳି ଦେଇଥିବା ଏ ଆସୁରକ ପ୍ରବୃତ୍ତି ର ଦମ୍ପତ୍ତି “କୁଳାଙ୍ଗାର”।

****************




Rate this content
Log in

Similar oriya story from Tragedy