Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭୋକ
ଭୋକ
★★★★★

© Neelima Nivedita Behera

Abstract Others

4 Minutes   7.6K    21


Content Ranking

[୧]

ସଞ୍ଜ ନଇଁଲେ ବଢେ ପେଟର ଭୋକ ଆଉ ବୟସ ବଢିଲେ, ଦେହର ଭୋକ । ଏକଥା ରୋଜାଲିନ୍ ବି ଜାଣିଥିଲା । ତରବର ହେଇ ଅଫିସରୁ ବାହାରିଲା ବେଳେ ପ୍ରଥମେ ଛିଙ୍କିଲା ସରସ୍ଵତୀ । ଭୋକବେଳେ ଏମିତି ପଛରୁ ଡାକିବାଟା ବିଲେଇ ଛିଙ୍କିବା ନୁହେଁ କି ? ଏଇ ଚାରିଟା ଦିନ ହେବ ରିସେପସନରେ ବସୁଛି ପଣ୍ଡା ବାବୁଙ୍କ ବଦଳରେ । ଭାଆରି ସୁନ୍ଦରୀ । ଗୋରୀ ବି । ବୟସର ଉଠାଣିରେ ନୂଆ ନୂଆ ପାଦ ଦେଇଛି । ବୁଝି ପାରୁନାହାନ୍ତି କ’ଣ ମ ! ହୁଁ କହି ପବନ ବେଗରେ ସିଡ଼ିରେ ଓହ୍ଲେଇ ତଳେ ପହଞ୍ଚିଲାବେଳକୁ ମାଛିମୁହଁ ଅନ୍ଧାର ।

ପକ୍ଷୀ କେମିତି ନୀଡ଼ ଲେଉଟାଣି ଦିଏ, କେବେ ଦେଖିଛନ୍ତି ? ତେବେ ରୋଜାଲିନକୁ ନିହାତି ଦେଖିବା କଥା । ରାସ୍ତାରେ ଗାଡ଼ିମାନଙ୍କର ଗହଳି ନୂଆ କଥା ନୁହେଁ । ଅଫିସ୍ ଛୁଟି ସମୟ କଥା ତ ନକହିବା ଭଲ । ହେଲେ ରୋଜାଲିନ୍ ଭୋକିଲା ଥିଲା । ଆଉ ଲେଉଟାଣି ବେଳେ ତାର ଯେ ଡେଣା ନାହିଁ, ସେକଥା କୋଉ ତାର ମନେ ଅଛି ? ହାତ ଦେଖେଇ ଦେଖେଇ ଗୋଲେଇ ଛକ ପାର୍ ହେଇ ପହଞ୍ଚିଲା ଅଟୋ ଷ୍ଟାଣ୍ଡରେ । ଆଜି ଆଉ ବାରେନିଙ୍ଗ୍ ପାଇଁ ସମୟ ନଷ୍ଟ କରିହେବନି । “ଚାଲ ଭାଇ”, କହି ବସିଗଲା ଗୋଟେ ଅଟୋରେ । ଗାଡ଼ିର ଚକ ଚାରିଥର ବୁଲିଥିବକି ନାହିଁ ଆଉ ଜଣେ ଗ୍ରାହକ । ବୟସ ପ୍ରାୟ ୧୮ କି ୧୯ ହେବ । କୋଡ଼ିଏ ଧରନ୍ତୁ ! ହେଲେ ଯଥେଷ୍ଟ ନୁହେଁ ଦେହର ଭୋକ ମେଣ୍ଟେଇବା ପାଇଁ ।

[୨]

“ଭୋକ କଲେ ମଣିଷ ପୋକ ବି ଖାଇ ଯିବ” ବୋଲି ବୋଉ ପ୍ରାୟ ସବୁ ସମୟରେ କୁହେ । ରୋଜାଲିନ୍ କିନ୍ତୁ ଜନ୍ମରୁ ପ୍ରତିବାଦୀ । ସବୁ ରୂଢି ଓ ଲୋକକଥା ତାକୁ କେବଳ ଅନ୍ଧବିଶ୍ଵାସ ଇ’ ଲାଗେ । ଭୋକ କରୁଛି ବୋଲି କ’ଣ ଯା’ ନାଇଁ ତା’….. ? ଭାବନାରେ ବ୍ରେକ୍ ଦେବାକୁ ବାଧ୍ୟ କଲେ ଆଉ ଦୁଇଜଣ ଆଗନ୍ତୁକ । ଜଣେ ମଧ୍ୟବୟସ୍କ । ପ୍ରାୟ ୪୫ ବର୍ଷର । ଆର ଜଣକ ୭୦ ପାଖାପାଖି ହେବେ । ଦୁହିଁଙ୍କ ଚେହେରା କ୍ଳାନ୍ତ ଓ ଶୀର୍ଣ୍ଣ । କୋଦାଳ, ବେଲଚା ଓ ଗୋଟାଏ ଅଖା ବ୍ୟାଗ୍ ଧରି ଚଢିଲେ ଅଟୋ ।

ଫ୍ଲାସ୍ ବ୍ୟାକ୍ ହେଲାପରି ରୋଜାଲିନ୍ ଫେରିଲା ସିଧା ୧୯୭୭ ମସିହାକୁ । ସେତେବେଳେ ଅଜା ତାର ଦିନ ମଜୁରିଆ । ୪ଟା ଝିଅ ଯେନତେନ ବିଦା କଲେଣି । ସେମାନଙ୍କ ଭିତରୁ ରୋଜାଲିନର ବୋଉ ସାବିତ୍ରୀ ବି ଜଣେ ବୋଲି କହିବା ବାହୁଲ୍ୟ ନିହାତି । ଆହୁରି ବାକି ଅଛି ୨ଟା ମୁଞ୍ଜୁଳା । ପୁଅଟା ବି ସବା ସାନ । ତଥାପି ମାମୁଁ ଗୋଟାଏ ତ ଅଛି, ସେତିକି ଯଥେଷ୍ଟ ନୁହେଁ କି ମାମୁଁଘରକୁ ମାମୁଁଘର କହିବା ପାଇଁ ? ବର୍ଷରେ ଥରୁଟିଏ ହେଉ ନା କାହିଁକି, ଦଶହରା ମାନେ ରୋଜି (ରୋଜାଲିନକୁ ତା ମାମୁଁଘର ଲୋକେ ରୋଜି ବୋଲି ଡାକନ୍ତି)ର ଛୁଟି କଟେ ଧର୍ମଶାଳା, ଯାଜପୁରରେ । ସେତେବେଳେ ଅଜା ଧୋତି ଓ କୁର୍ତ୍ତା ପିନ୍ଧନ୍ତି । ଛଅ ଫୁଟ ଉଚ୍ଚ, ଧୋବ ଫର ଫର ନିଦା ବଳିଷ୍ଠ ଦେହକୁ ଧୋତି-କୁର୍ତ୍ତା ବି ଖୁବ୍ ମାନେ । ଘରେ ପାଦ ନଦେଉଣୁ ଅଜା ବାହାରି ପଡନ୍ତି ବଜାର, ପଛେ ଅଣ୍ଟାରେ କାଣି-କଉଡିଟିଏ ନଥାଉ ! ରୋଜି ସେତେବେଳକୁ ତାଙ୍କ ଅଣ୍ଟା ଖାଇବ । ତେଣୁ ସହଜରେ ଧରିପକାଏ ଅଜାଙ୍କ ମିଛ । ମନେ ମନେ କହେ,

-ମୁଁ ଖାଲି ଥରେ ବଡ ହେଇଯାଏ, ଅଜା ! ବାପା ଭଳି ବଡ ଚାକିରି କରିବି । ସେତେବେଳେ ମୋ ପ୍ରଥମ ଦରମା ମୁଁ ତୁମ ହାତରେ ହିଁ ଦେବି ।

[୩]

ଆଖି ଓଦା ହେଉ ହେଉ ମନ ପୁଣି ଧାଇଁଲା । ଏଥର ୧୯୯୯ ପାଳି । ଅଜା ଆଉ ଅଜା ହେଇନାହାନ୍ତି । ସେତେବେଳକୁ ସ୍ଵର୍ଗତଃ ଗୟାଧର ହେଇ ସାରିଲେଣି । ଗୋଟାଏ ଦୁର୍ଘଟଣା ରୋଜିର ସବୁ ସ୍ଵପ୍ନକୁ ଭାଙ୍ଗି ଚୁରମାର୍ କରିସାରିଛି । ହେଲେ ସେ ଭଙ୍ଗା ଟୁକୁଡ଼ାମାନେ ଏବେବି ଚାହିଁ ରହିଛନ୍ତି ଖଣ୍ଡିଆ ଆଶା ନେଇ । କାଳେ ସେତକ ପୂରଣ ହେଇଯିବ ! ହଁ, କୃଷ୍ଣଚନ୍ଦ୍ର । ଜେଜେ ହେବେ ରୋଜିର । ନହକା ଅଣ୍ଟା ଓ ଦୁର୍ବଳ ଚେହେରା । ହେଲେ ବଟୁଆ କେବେ ଛାଡ ଯାଏନା ତାଙ୍କ ପାଖରୁ । ତା’ଛଡା ଏକ ସ୍ଵତନ୍ତ୍ର ବାଙ୍କୁଶ ବି ଥାଏ ତାଙ୍କର, ଯାହାକୁ ଆଈ, ପିଉସୀ ଏମିତିକି ବାପାଙ୍କୁ ଛୁଇଁବା ବି ମନା । ସେଥିରେ କ’ଣ ଥାଏ, ସେ ଗୋଟାଏ ରହସ୍ୟ । ରହସ୍ୟ ଭେଦିବାର ଉତ୍କଣ୍ଠା ଯେକେହିର ରହିବା ସ୍ଵାଭାବିକ । ଆଉ ରୋଜାଲିନ୍ ସେଥିରୁ ବାଦ୍ ପଡିଥାନ୍ତା ବା କେମିତି ?

ରଜ ଛୁଟି ଅର୍ଥାତ୍ ଗାଁ । ରାତି ୪ ରୁ ଉଠି ବସ୍ ଧର । ଲମ୍ବା ଯାତ୍ରା । ସଞ୍ଜ ବୁଡିଲା ପରେ ଯାଇଁ ବସରୁ ଓହ୍ଲା । ତା’ପରେ ବି କୋଉ ଯାତ୍ରା ସରେ ? ଥରେ ଥରେ, ନଈରେ କମ୍ ପାଣି ଥିଲେ, ଜେଜେ ବସ ପାଖରେ ଥାନ୍ତି । ନଚେତ୍ ଆରପାରିରୁ ହୁରି ପକାନ୍ତି, ବସ୍ ଲାଇଟ୍ ଦେଖୁ ଦେଖୁ ।

-ଅରୁଣି ! ଅରୁଣି କିରେ ? ଏ ଅରୁଣି !

ହାତରେ ଲଣ୍ଠନ ଧରି ଚାତକ ଭଳି ଚାହିଁଥାନ୍ତି ଆମ ବାଟକୁ । ଘାଟିଆକୁ ପଠାନ୍ତି । ଡଙ୍ଗାରେ ବସି ଭରା ନଈ ପାରି ହେବା ବି ମଜାର କଥା । ମୁଣ୍ଡ ଉପରେ କଳା ରଙ୍ଗର ନିରବ ଆକାଶର ବିସ୍ତିର୍ଣ୍ଣତା ଓ ଚାରିପଟେ କଳ କଳ ଶବ୍ଦରେ ନଦୀର ଆମୋଦତା । ଲାଗେ ଯେମିତି ଚଳଚିତ୍ରର ଆମେମାନେ ହିଁ ଅଭିନେତା । ଡଙ୍ଗା କୂଳରେ ଲାଗୁ ଲାଗୁ ଜେଜେ ବୋହିନିଅନ୍ତି ବାସ୍କେଟ୍ ଓ ଆଟାଚୀ, ଠିକ୍ ଗୋଟାଏ କୁଲି ପରି । ବାପା ସେତେବେଳେ ମାଙ୍କଡ଼ ଭଳି କାଖରେ, କାନ୍ଧରେ ତିନିଟା ଛୁଆ ଓ ହାତରେ ବୋଉକୁ ଧରି ଓହ୍ଲଉଥାନ୍ତି । ରୋଜାଲିନ୍ ପୁଣି କହେ,

-ଥରେ ମୁଣ୍ଡକୁ ହାତ ପାଇଯାଉ ମୋର । ଏ ନଈ ଉପରେ ପୋଲ କରିଦେବି । ଗାଡ଼ି ଆସି ସିଧା ଘର ଦୁଆରେ ଲାଗିବ । ଜେଜେ ମୋର, କୁଲି ହେବେନି, ଖାଲି ଆମକୁ ଗେଲ କରିବେ । (ବୋଧେ କୁଲି କାହାକୁ କହନ୍ତି ସେତେବେଳେକୁ ବୁଝିସାରିଥିଲା ରୋଜାଲିନ୍)

[୪]

ଏତେବେଳକୁ ଗହଳି ସବୁ ଅତିକ୍ରମ କରି ଗାଡ଼ି ଅନେକ ଦୂର ଆଗେଇ ଗଲାଣି । ଆଗନ୍ତୁକ ଦୁହେଁ ଆଉ କେଇଟା ସେକେଣ୍ଡରେ ଓହ୍ଲେଇବେ । ହେଲେ ରୋଜାଲିନର ଭୋକ ବଢି ବଢି ଚାଲିଛି । ପେଟର ନୁହେଁ ଦେହର । ହଁ, ଆଜ୍ଞା ଦେହର ଭୋକ । ଆପଣ କ’ଣ ଭାବୁଛନ୍ତି ? କାମନା ଅଥବା ଯୌନ ଆକାଂକ୍ଷା ? ରୋଜାଲିନ୍ ପାଇଁ କିନ୍ତୁ ଦେହ ଭୋକର ମାନେ କିଛି ଅଲଗା ଥିଲା ବୋଧେ । ଦେଖୁ ଦେଖୁ ଗାଡ଼ି ଅଟକିଲା । ଆଗନ୍ତୁକ ଓହ୍ଳାଉଥାନ୍ତି କି ରୋଜାଲିନ୍ ପଛରୁ ଥାଇ କହିଲା,

-ଅଟୋ ଭାଇ ! ସେମାନଙ୍କର କେତେ ହେଲା ?

-୨୬ ଟଙ୍କା !

-ମୁଁ ଦେଇଦେବି । ସେମାନେ ଯାଅନ୍ତୁ ।

ସେ ମଧ୍ୟବୟସ୍କ ଜଣଙ୍କ ରୋଜାଲିନ୍ କଥା ଶୁଣି ଚିହିଙ୍କି ଉଠିଲେ ଓ କହିଲେ,

-ଆପଣ କାଇଁ ଦେବେ ?

ଥର ଥର ଓଠରେ, କୋହ ଭରା କଣ୍ଠରେ ରୋଜାଲିନ୍ କହିଲା,

-ସେ ବ୍ୟକ୍ତି ଜଣକ ମୋ ଜେଜେ .... ମାନେ ..... ମୋ ଅଜା ..... ଭଳି ଦିଶୁଛନ୍ତି ତ !

ଛୋଟ ହସଟିଏ ଉଙ୍କି ମାରିଲା ସେ ମଧ୍ୟବୟସ୍କ ଜଣକ ଓଠରେ । ଶାନ୍ତ ପଡିଗଲା ସେ । ତା’ ହସ ପଛର ରାଜିନାମା ଯେ କେତେ କାଳ ଅସହାୟତାର ଭୋକକୁ ନିମିଷକେ ମେଣ୍ଟେଇ ଦେଇଗଲା, ସେକଥା କ’ଣ ସେ ଜାଣେ ? ଆତ୍ମବଡିମା ବି ତ ଗୋଟାଏ ପ୍ରକାର ଦେହର ଭୋକ, ନୁହେଁ କି ?

@ନୀଳିମାନିବେଦିତା

ରୋଜାଲିନ୍ ଭୋକ ଅଟୋ

Rate the content


Originality
Flow
Language
Cover design

Comments

Post

Some text some message..