Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Others

3  

Satyabati Swain

Others

ମାଳିନୀ

ମାଳିନୀ

4 mins
375



ସିଏ ଆଜି ଭାରି ବ୍ୟସ୍ତ ଥିଲା। ହାତକୁ ତାର ତର ନଥିଲା।ତାକୁ ମୁଁ ଜାଣେ। ଏଇ ଆମେ ରହୁଥିବା ଘରେ ଯେତେ ବେଳେ ଉପର ମହଲା ତୋଳା ହେଲା ତା ସ୍ଵାମୀ କିଶନ୍ ଆସି କାମ କରୁଥିଲା। ଲଗାତାର ପାଞ୍ଚ ମାସ କାମ ଚାଲିଥିଲା। କିଶନ୍ କାମ କରୁ କରୁ ହସି ହସି ବହୁତ ଗପେ ତା ସ୍ତ୍ରୀ ବିଷୟରେ। ଯଦି ରବିବାର ହୋଇଥିବ ତ ଗଲା। ବାହାରକୁ କୌଣସି କାରଣରୁ ଘରୁ ଗୋଡ଼ କାଢ଼ିଲେ ଦେଖୁ ଦେଖୁ ଆରମ୍ଭ କରିଦେବ ତା ଗପ।"ଜାଣିଛ ଦିଦି ମୋ ସ୍ତ୍ରୀ ମାଳିନୀ ଭାରି ବଡ଼ ଘରର ଝିଅ। ସେ ମୋତେ ଭଲ ପାଇ ବାହା ହୋଇଛି। ବାହା କଣ ହେବ ପଳେଇ ଆଇଚି ମୋ ସଙ୍ଗେ। ଭାରି ସୁନ୍ଦରୀଟିଏ ବି।ପାଠ କେତେ ପଢ଼ିଛି। ମୋତେ ସିନା ସେ ଭଲ ପାଇ ବାହା ହେଲା ତା କରମଟି ପୋଡା ଦିଦି। ସେ ଯଦି ଭଲ ପାଉଥିଲା ସେମିତି ଗୋଟେ ବଡ଼ ଘର ପୁଅକୁ ଭଲ ପାଇ ଥାନ୍ତାନା। ହେ ମୁଁ ଗୋଟେ ଦିନ ମଜୁରିଆ। ମୋ ସାଙ୍ଗେ କଲିକତାରୁ ପଳେଇ ଆଇଚି। ପେଟ ପୁରା ଖାଇବା କି ସଜ ବାଜ କିଛିରେ ପୁରା କରି ପାରୁନାହିଁ ତାର ମୁଁ"। ଏତକ କହୁ କହୁ କାନ୍ଦି ପକାଏ କିଶନ୍ ।


     କିଶନ୍ ଦେଖିବାକୁ ପତ୍ ପତ୍। ଗୋରା ଦେହ ଖରାରେ ନିତି କାମ କରି ସିଝିଲା, ତମ୍ବା ପରି ଦେଖାଯାଏ। କୁଂଚୁ କୁଂଚୁ ଚୁଟି। ସୁନ୍ଦର ମୁହଁ। କିନ୍ତୁ କଙ୍କାଳ ସାର,ରୋଗୀଣା ରୋଗୀଣା। ସବୁ ଠାରୁ ବେଶୀ ସୁନ୍ଦର ତା ହସ।ସବୁବେଳେ ହସୁଥିବ। ଆମ ବୋଉ ମାନେ ମୋ ଶାଶୁଙ୍କ ସାଙ୍ଗେ ତାର ଭଲ ପଟେ। ଆମେ ସମସ୍ତେ ଚାକିରିଆ।ନଅରୁ ଯାଇ ପାଞ୍ଚଟା ହୋଇ ଯାଏ ଫେରିବାକୁ।ବାସ୍ ଆମ ବୋଉ ସେଇ କାମିକାଙ୍କ ଗହଣ ରେ ଗପ ଶୁଣି ଶୁଣି ଦିନ ବିତେଇ ଦିଅନ୍ତି। କିଶନ୍ ଗପିବାକୁ ,ବୋଉ ଶୁଣିବାକୁ ଭଲ ପାଆନ୍ତି। ଏଇଥିରୁ ବୋଉ ଯୋଡି ଦେଇଥାନ୍ତି ଗୋଟେ ସମ୍ପର୍କ କିଶନ୍ ସହ।


       ଦିନେ ରବିବାରିଆ।କିଶନ୍ ଡାକ ଛାଡିଲା "ଦିଦି,ମାଉସୀ ଦେଖିବ ଆସ କିଏ ଆଇଚି" । ମୁଁ ରବିବାରିଆ ସଫାସଫି କାମରେ ବ୍ୟସ୍ତ ଥିଲି। ବୋଉ ଗଲେ। କିଛି ସମୟ ପରେ ମୁଁ ନ ଗଲାରୁ କିଶନ୍ ଘର ଭିତରକୁ ପଶି ଆସିଲା ଓ କହିଲା" ଦିଦି ଦେଖ ମାଳିନୀକୁ। ମୁଁ ଯାହା କହୁଥିଲି ସତ କି ନାହିଁ"। କିଶନ୍ ଆଖିରେ ଖୁସି ଲହଡି ମାରୁଥିଲା। ତା ମନ ଯେମିତି କହୁଥିଲା ଦେଖ୍ ଦିଦି ତୁମଠୁ କେତେ ସୁନ୍ଦର ମୋ ମାଳିନୀ। ସ୍ୱାମିଟିଏ ଏଇତକ ସୁନ୍ଦର ରୂପ ,ଗୁଣ ସ୍ତ୍ରୀ ର ଗାଇବାକୁ ଦେଖେଇ ହେବାକୁ ଭାରି ପସନ୍ଦ କରେ। ତା ସ୍ତ୍ରୀ ସୁନ୍ଦର କହିଲା ବେଳେ ତାକୁ ଗର୍ବ ବି ଅନୁଭବ ହୁଏ।ପ୍ରତି ସ୍ୱାମୀଙ୍କର ଇଏ ଗୋଟେ ସହଜାତ ପ୍ରବୃତ୍ତି।କିଶନ୍ ଭାରି ହସୁଥିଲା ଏବଂ ପଚାରୁଥିଲା ସତ କହୁଥିଲି ନା ଦିଦି ମୋ ମାଳିନୀ ବିଷୟରେ?


        ଓଃ ମୋ ଆଖି ଫାଡ଼ି ହୋଇଗଲା। ସତରେ କଣ୍ଢେଇଟିଏ। ଖୁବ୍ ମେଳାପୀ ଖୁବ୍ ହସକୁରି। ମୋତେ କିଶନ୍ ସ୍ତ୍ରୀ ନୁହେଁ ହିରୋଇନ ମୌସୁମୀ ଚାଟାର୍ଜୀ ପରି ଲାଗିଲା। ଏତେ ସୁନ୍ଦର ପୁଣି କିଶନ୍ ତାକୁ ଏମିତି ରାଣୀ ପରି ସଜେଇ ରଖିଛି!! ମାଳିନୀକୁ ଦେଖି ଓ କିଶନ୍ ମୁହଁର ହସକୁ ମାପି ମୁଁ ବୁଝିଗଲି କାହିଁକି ଏଡ଼େ ବଡ଼ ଘର ଝିଅ ପଳେଇ ଆସିଛି କିଶନ୍ ପରି ଦିନ ମଜୁରିଆ ଟି ସହ।ନଥାଉ କୋଠା, ଘୋଡା,ଗାଡି ଅଛି ତ ମନ ଭର୍ତ୍ତି ପ୍ରେମ,ହୃଦୟ ଭର୍ତ୍ତି ଆଦର, ଯତ୍ନ,ସରାଗ!! ଇସ୍! କି ହସ ଆନନ୍ଦ ଫୁଟୁଥିଲେ ସେ ଦୁହିଁଙ୍କ ମୁହଁ ଓ ମନରେ!! ଯେଉଁଟା ତୁମ ଆମ ପରି ଲୋକେ ବିକଳେ ଅଣ୍ଡାଳି ହେଉ। ଯାହା ଆମ ମାନଙ୍କ ପାଇଁ ଦୂର ପରବତ ପରି।


       ଘର ତୋଳା ଶେଷ ହୋଇ ନଥାଏ। କିନ୍ତୁ କିଶନ୍ ଦେଖା ଗଲାନି କିଛି ଦିନ। ଅନ୍ୟ କାମିକାଙ୍କ ଭିତରେ କେଜାଣି କାହିଁକି କିଶନ୍ ମୁହଁ ମନ ଖୋଜେ। ଦିଲ୍ ଦାର୍,ସରଳ,ମେହେନତି ପିଲାଟା। ସବୁବେଳେ ଖୁସିଥିବା ଗୁଣଟି ମୋତେ ବେଶୀ ପସନ୍ଦ ତାର। ଦିନେ ଶୁଣିଲୁ କିଶନ ମରି ଯାଇଛି ପେଟରେ ଘା ହୋଇ। ହଁ ସେମିତି ଚେହେରା ଥିଲା ତାର। ପଇସା ଅଭାବରୁ ଚିକିତ୍ସା କରି ନ ପାରି ଘରେ ପଡି ପଡି ମରି ଗଲା।


     କେତେ ଦିନ ଅଣନିଃଶ୍ଵାସୀ ଲାଗିଲା ମୋତେ। ଆଖି ଆଗରେ ସବୁବେଳେ ଦେଖା ଗଲା କିଶନ୍ ହସ ହସ ମୁହଁ।ବେଶୀ ବେଦନାସିକ୍ତ କଲା ତା ସ୍ତ୍ରୀ କଥା। କଣ କରୁଥିବ ସେ!କେମିତି ବଞ୍ଚି ଥିବ! କିଶନ୍ କିଛି କାମ କରେଇ ଦିଏନି ତାକୁ। କୁହେ" ଜାଣିଲ ଦିଦି ମାଳିନୀ ଟା ବା କହୁଛି ମୋ ସାଙ୍ଗରେ ଆସି କାମ କରିବ! ଏ ଖରା ତରା ସହି ପାରିବ ନା ସେ!! ରାଜା ଘର ଝିଅ ସେ। ମୂଲିଆ କାମ କରି ପାରିବ!।ହେ ହେ.."। ମାଳିନୀ ବିଷୟରେ ଜାଣିବାକୁ କିଛି ଲୋକଙ୍କୁ ପଚାରିଲି,କିନ୍ତୁ କେହି କିଛି କହି ନଥିଲେ।


     ଆଜି ହଠାତ୍ ତାକୁ ସୁବର୍ଣ୍ଣ ବରାହୀ ମନ୍ଦିରରେ ଦେଖିଲି। ପୂଜା ସାମଗ୍ରୀ ଗୋଟେ ପଲିଥିନ ଉପରେ ମେଲି ଦେଇଛି। ଝିଅଟିଏ ବି ତାକୁ କିଣା ବିକାରେ ସାହାଯ୍ୟ କରୁଛି। ଛାଣି ନେଉଛନ୍ତି ସାବିତ୍ରୀ ମାନେ ଦୀପ ବ୍ରତ,ଫୁଲ,ଧୂପ ଓ ଭୋଗ ସାମଗ୍ରୀ। ଯାହାକୁ ଦେଖିଲି ସେ ଆଗରୁ ଦେଖିଥିବା ହସକୁରି ମାଳିନୀ ନଥିଲା। ଗାମ୍ଭୀର୍ଯ୍ୟ ପୂର୍ଣ୍ଣ ମୁହଁ,ସୁନା ଦେହ ପରିବର୍ତ୍ତେ ସିଝା କଇଁଥା ବାଇଗଣ ପରି ଶରୀର। ସତେକି ଫନି ବାଡ଼ିଆ ପୁରୀ ପରି ସେ ଶ୍ରୀହିଁନ ଦିଶୁଥିଲା।


        ପ୍ରବଳ ଭିଡ। କେହି କାହାକୁ ଦେଖିବାକୁ ଘଣ୍ଟା ଚକଟା ଭିତରେ ସମୟ ନଥିଲା।ମୁଁ ଟିକେ ଗହଳି ଭାଙ୍ଗିବା ଯାଏ ଅପେକ୍ଷା କଲି। ମାଳିନୀ ବିକିବା କାମରେ ଏତେ ବ୍ୟସ୍ତ ଥିଲା ଯେ ଉପରକୁ କି କାହାକୁ ଚାହିଁବାକୁ ତା ପାଖରେ ସମୟ ନଥିଲା। ଗହଳି କମିବା ଯାଏ ପାଖା ପାଖି ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଲା ଗହଳି ଭାଙ୍ଗିବାକୁ।ଛୋଟ ମନ୍ଦିର ଦୁଇରୁ ତିନି ଶହ ହେବେ ପୂଜାରିଣୀ। ନନା ପାଞ୍ଚ ଜଣ। ଖାଲି ମାଙ୍କୁ ଛୁଆଁଇଁ ଦେଇ ଶାଢୀ,ଶଙ୍ଖା, ଭୋଗ ଫେରେଇ ଦେଉଥାନ୍ତି। ବୋଧେ ଶେଷ ଯାଏ ଥିଲି ମୁଁ। ବଡ଼ ନନା ଟିକେ ହସିଲେ ମୋତେ ଦେଖି।କହିଲେ" ତୁମେ ଦିଦି ହେବନି। ପ୍ରଥମରୁ ଆସି ଶେଷରେ ଯାଉଛ।ମୁଁ ଜାଣିଥିଲି ତୁମେ ଦିଦି ଏ ଗହଳିକୁ

ନୁହଁ"ହେଉ ଦିଅ ଦିଅ ଭୋଗଟା କରିଦିଏଁ। ଗହଳି ଭିତରେ ପଶି ପାରେନି ମୁଁ।

       ଏତେ ବେଳେ ମାଳିନୀ ମୋତେ ଦେଖିପାରିଲା।ଲାଜ ଆଉ ଦୁଃଖରେ ତର ତର ହାତ ଦିଟା ତାର ଧୀର ହୋଇଗଲା। ଆଖିରେ ଲୁହ ଟଳମଳ। କେଇଁ ଟୋପା ଲୁହ ତା ସଜଡ଼ା ଦୀପ ଉପରେ ବି ଖସି ପଡ଼ିଲା। ସେ ଭାରି କଣ୍ଠରେ କହିଲା "ଏତକ ଦୁଃଖ ମୋତେ ତୁମ କିଶନ୍ ଦେଇ ଯାଇଛି ଦିଦି"। ମୋ ହାତରେ ଦୀପଟିଏ ଓ ଭୋଗ ଦେଇ କହିଲା କିଶନ୍ ନାଁ ରେ ଭୋଗ କରିଦେବାକୁ ନନାଙ୍କୁ କୁହନ୍ତୁ ଦିଦି।


      ଭାରି ହୋଇଗଲା ମୋ ନୋର୍ବୋଧ ହୃଦୟ। କିଶନ୍ ନାହିଁ ତେବି ବି ତା ନାଁ ରେ ଦୀପ ଭୋଗ ଚଢ଼ାଉଛି ମାଳିନୀ!!!ପୁଣି ସାବିତ୍ରୀ ବ୍ରତରେ କିଶନ୍ ନାଁ ରେ!!

   ସେ ତର ତର ହୋଇ ବାହାରୁଥିଲା ଆଉ ଗୋଟେ ମନ୍ଦିର ପାଖକୁ ଯିବାକୁ।ମୁଁ ତାକୁ କହିଲି ଘର ଆଡ଼େ ଆସିବୁ।କଥା ଅଛି ତୋ ସହ।।ମୁଣ୍ଡ ଟୁଙ୍ଗାରି ଅଦୃଶ୍ୟ ହୋଇ ଯାଉଥିଲା ସେ ମୋ ଆଖି ଆଗରୁ।

("ଏହା ଗପ ନୁହେଁ,ସତ ଆଜି ସାବିତ୍ରୀ ବ୍ରତ ପାଇଁ ପୂଜା କରିବାକୁ ଯାଇ ମନ୍ଦିରରେ ମାଳିନୀ ଏଇ କାମରେ ବ୍ୟସ୍ତ ରହି ଲଢ଼ୁଥିଲା ତା ଉଜୁଡା ଜୀବନ ଜୀଇଁବା ପାଇଁ ଦେଖିଲି,ଯେଉଁ ମାଳିନୀକୁ ଦେଖବାକୁ ବହୁତ ଦିନ ହେବ ଖୋଜୁଥିଲି ମୁଁ"।)



Rate this content
Log in