ହିସାବ
ହିସାବ
ବରୁଣ ଏକ ବଡ଼ ପାର୍କର କୁଞ୍ଜଲତା ଆଢ଼ୁଆଳରେ ପଡ଼ିଥିବା ବେଞ୍ଚଟିଏ ଉପରେ ବସି ଆକାଶକୁ ଚାହିଁ ଆଖିରୁ ଲୁହ ଝରାଉଥିଲା। ସେ ଦେଖିଲା କୁନି ପରୀଟିଏ ଉଡ଼ି ଉଡ଼ି ଆସି ବସିଗଲା ତାର କାନ୍ଧ ଉପରେ। ପଚାରିଲା- ତମେ ବିନା କାରଣରେ କାହିଁକି ମୋ କାନ୍ଧ ଉପରେ ଏପାଖ ସେପାଖ ହେଉଛ? ପରୀ ଉଡ଼ି ଆସି ତାର ହାତ ପାପୁଲିରେ ବସିଲା। ତା ଆଡ଼େ ପଲକହୀନ ଭାବରେ ଚାହିଁ କହିଲା, ତମେ ବି ତ ବିନା କାରଣରେ କାନ୍ଦୁଛ।
- ମୋତେ ଭଲ ଲାଗେ।
- କଣ କାନ୍ଦିବାକୁ?
- ହଁ।
ହସିଲା ପରୀ। କହିଲା, ନୂଆ କଥାଟିଏ ଶୁଣିଲି ତୁମ ଠାରୁ। କାନ୍ଦିବାକୁ କେହି କଣ ଭଲପାଏ? ନିଶ୍ଚୟ ତୁମ ମନରେ କିଛି ଦୁଃଖ, ଯାତନା ଲୁଚି ରହିଛି।
- ନା, ମୋର କିଛି ଦୁଃଖ ନାହିଁ। ତଥାପି ମୁଁ ଭଲପାଏ କାନ୍ଦିବାକୁ। କାନ୍ଦିଲେ ମୋର ମନ, ହୃଦୟ ହାଲୁକା ହେଇଯାଏ। ଏବେ କାନ୍ଦିବା ମୋର ନିଶା ପାଲଟି ଯାଇଛି। ମୁଁ ପ୍ରତିଦିନ ନିରୋଳା ପାଇଲେ କାନ୍ଦେ।
ପରୀ କହିଲା। ତୁମେ ଜାଣିପାରୁନ, ଏ ଜନ୍ମରେ ହୁଏତ ତୁମର କିଛି ଦୁଃଖ ନାହିଁ ଅଥବା ତୁମେ ସେ ଯାତନା ସହ ଏତେ ଅଭ୍ୟସ୍ତ ଯେ ବୁଝି ପାରୁନାହଁ। ନତୁବା ଏମିତି ହୋଇ ଥାଇପାରେ, ଏ ଦୁଃଖ ତୁମ ପୂର୍ବ ଜନ୍ମମାନଙ୍କରୁ ତୁମ ସାଙ୍ଗରେ ତୁମର ଜମାପୁଞ୍ଜି ପରି ଚାଲି ଆସିଛି।
- ହୋଇପାରେ।
- ମୁଁ ଯଦି ତୁମ ପୂଣ୍ୟ ବଦଳରେ ତୁମକୁ ସୁଖ ପ୍ରଦାନ କରେ, ତୁମେ ଗ୍ରହଣ କରିବ।
- ନା, ସୁଖ ମୋର କଣ ହେବ?
- କିନ୍ତୁ ତୁମେ ଯାହା କିଛି ବି ପୂଣ୍ୟ କରୁଛ, ସେ ତ ତୁମକୁ ଦିନେ ନା ଦିନେ ସୁଖ ଦେବ ହିଁ। ତୁମେ ସେ ସୁଖ ଭୋଗ କରିବାକୁ ବାଧ୍ୟ। ବରଂ ମୋତେ ତୁମ ପୂଣ୍ୟରୁ କିଛି କିଛି ଦେଇ ତୁମେ ମୋ ସହ ବର୍ତ୍ତମାନ ତୁମର ସୁଖ ଭାଗ ବାଣ୍ଟିପାର। କିନ୍ତୁ ମନେରଖ, ମୋତେ ପୂଣ୍ୟ ସବୁ ଦେଇସାରିଲା ପରେ ତୁମ ଭାଗରେ କେବଳ ଦୁଃଖ ଆଉ ଦୁଃଖ ହିଁ ରହିବ।
- ଠିକ୍ ଅଛି ମୁଁ ପ୍ରସ୍ତୁତ। ମୁଁ ମୋର ପୂଣ୍ୟତକ ସାରିବାକୁ ଚାହେଁ, ତୁମେ ସୁଖ ନ ଦେଲେ ବି।
ପରୀ ବରୁଣକୁ ଛୋଟ କରିଦେଇ ସାଙ୍ଗରେ ଉଡ଼ାଇ ନେଇଗଲା ଅନେକ ଦୂର ତାର ପରୀ ରାଇଜକୁ। ପରୀ ରାଇଜର ବଣ ପାହାଡ଼, ଜଳପ୍ରପାତ, ନିର୍ଝର, ପୁଷ୍ପ ଉଦ୍ୟାନ ଆଦି ଖୁବ୍ ବୁଲିଲେ ଦୁହେଁ। ଖୁବ୍ ମଜା କଲେ ଦୁହେଁ ମିଶି। ଅସଂଖ୍ୟ ସୁଖର ମିନାର ତୋଳିଲେ ଦୁହେଁ। ହେଲେ ବରୁଣ ଖୁସି ହେଇ ପାରୁନଥାଏ। ସେ ପରୀଠାରୁ ନିରୋଳା ଖୋଜୁଥାଏ କାନ୍ଦିବା ପାଇଁ। ଏଣେ ତା ପୂଣ୍ୟରୁ କିଛି ସରି ଯାଇଥାଏ। ପରୀ ଆଣି ତାକୁ ଛାଡ଼ି ଦେଇଯାଏ ପୁଣି ସେଇ ପାର୍କରେ।
ଏମିତି ଚାଲିଲା କିଛି ଦିନ। ଦିନେ ପରୀ କହିଲା, ତୁମର ଅବଶେଷ ଯାହା ପୂଣ୍ୟ ଅଛି, ତାହା କେବଳ ଗୋଟିଏ ଦିନର ସୁଖ ପାଇଁ ଉଦ୍ଦିଷ୍ଟ। ତାପରେ ତୁମ ଜୀବନରେ କେବଳ ଦୁଃଖ ହିଁ ଦୁଃଖ। ତୁମେ କଣ ଚାହୁଁଛ? ସେତକ ପୂଣ୍ୟ ବଦଳରେ ତୁମେ ଗୋଟିଏ ଦିନର ସୁଖ ଭାଗ ବାଣ୍ଟିବାକୁ ଚାହିଁବ ମୋ ସହ?
- ହଁ, ମୋର ସୁଖ ଦରକାର ନାହିଁ। କିନ୍ତୁ ମୋ ପୂଣ୍ୟ ଯଦି ତୁମକୁ ସୁଖ ପ୍ରଦାନ କରୁଛି, ତେବେ କାହିଁକି ନୁହେଁ?
ପରୀ ଶେଷଥର ପାଇଁ ଉଡ଼ିଗଲା ବରୁଣ ସହିତ ତାର ପରୀ ରାଇଜକୁ। ଦିନ ବିତି ଚାଲିଲା ସୁଖରେ ସୁଖରେ। ଏଣେ ବରୁଣକୁ ଫେରାଇବାକୁ ପ୍ରସ୍ତୁତ ନ ଥିଲା ପରୀ। ଦିନେ ବରୁଣ ପଚାରିଲା, କଣ ଆହୁରି ଗୋଟିଏ ଦିନ ସରି ନାହିଁ?
ପରୀ ହସିଲା ବରୁଣକୁ ଚାହିଁ। କହିଲା, ତୁମେ ଲକ୍ଷ୍ୟ କରିଛ ନିଜକୁ? ତୁମ ଭିତରେ ଏବେ କାନ୍ଦିବାର ପ୍ରବୃତ୍ତି ଆଉ ନାହିଁ ଯେ।
- ଆରେ, ସତେତ। ବରୁଣ ସଚେତନ ହେଲା। ପଚାରିଲା – ଏହାର କାରଣ?
- ଏହାର କାରଣ ଅତି ସରଳ। ତୁମେ ଜାଣିଥିବ, ଦାନ ଠାରୁ ବଳି ପୂଣ୍ୟ ନାହିଁ। ଆଉ ତୁମେ ବିନା ସ୍ୱାର୍ଥରେ ନିଜର ପୂଣ୍ୟକୁ ହିଁ ମୋତେ ଦାନ ରୂପେ ଦେଇଦେଲ। ୟା ଠାରୁ ଆଉ ପୂଣ୍ୟର କାମ କଣ ହେଇପାରେ? ତୁମର ସବୁ ଜନ୍ମର ଦୁଃଖ, ପାପ ଧୋଇ ହୋଇ ଯାଇଛି। ପ୍ରତି ବଦଳରେ ଭରପୁର ପୂଣ୍ୟର ତୁମେ ଅଧିକାରୀ ହୋଇପାରିଛ। ସେଇଥିପାଇଁ ତୁମର ସେ କାନ୍ଦିବା ପ୍ରବୃତ୍ତି ଲୋପ ପାଇଯାଇଛି। ଏବେ ତୁମେ ସ୍ୱାଧୀନ। ତୁମର ସେଇ ପୂଣ୍ୟ ବଳରେ ତୁମେ ଆଜି ପରୀ ରାଇଜରେ। ଦୁଃଖର ଦିନ ସରିଛି। ତୁମ ଭାଗର ପୂଣ୍ୟକୁ ମନଭରି ଭୋଗ କର।
ବରୁଣ ହସୁଛି ଥିରି ଥିରି। ସେ ହସି ପାରୁଛି। ସେମିତି ହସି ହସି ସେ ଟାଣି ନେଇଗଲା ପରୀକୁ ଅନ୍ତରୀକ୍ଷର ନିରୋଳା ଶୂନ୍ୟତା ଆଡ଼କୁ। ଯେଉଁଠି କେବଳ ସେ ଆଉ ପରୀ। ଆଉ କେହି ନ ଥିବେ।
(କଣ ଭାବୁଛନ୍ତି? ବରୁଣ ପରି ଭାଗ୍ୟବାନ ହେବାକୁ ମନ କହୁଛି ତ? ତାହେଲେ ଡେରି କାହିଁକି? ନିଜ ସତ୍ କର୍ମ ବଳରେ ଅନ୍ୟର ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରନ୍ତୁ। ପରୀଟିଏ ଆପଣଙ୍କ ଅପେକ୍ଷାରତା।)