Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

4  

Amiya Bej

Others

✿ ମଶା ✿

✿ ମଶା ✿

5 mins
13.6K


✿ ମଶା ✿

{୧}

ପାରଦର୍ଶୀ ମଶାରି ବାହାରେ ଲାଗିରହିଛନ୍ତି ଅନେକ ମଶା । କାମୁକ ଆଖିସବୁ । ରକ୍ତ ଶୋଷିନେବାର ଲାଳସା । ପର ରକ୍ତ ପିଇ, ନିଜକୁ ବଞ୍ଚାଇବାର ଧର୍ମ ! 
ଲାଜ ନୁହଁ , ଭୟରେ ନିଜ ଅଧାଖୋଲା ଦେହ ଉପରକୁ ଆଉ ଟିକେ ଚାଦରଟା ଭିଡିନେଲା ଲିମା । 
ଏ ଦେହଟାରେ ସବୁବେଳେ ଅବା କେମିତି ମଶାରି ଘୋରେଇ ହେବ ? ବାହାରିଆସିଲେ ଦଂଶନ ! ଶୋଷି ନେବେ ଅବା ବିଷମୟ କରୁଥିବେ ପରିତ୍ୟକ୍ତ ହେବାଯାଏଁ । ଉଷୁମ୍ ନିଃଶ୍ୱାସ ବଳୟରେ ଆକ୍ତାମାକ୍ତା ଜୀବନ । 
ମନଟିଏ ବି ଅଛି ବୋଲି ବିଚାରୁଛି କିଏ ଏଠି ? ସମୟ କାହିଁ ?
ପ୍ରେମ ଠାକିଯାଏ ଖାଲି ଦେହଠେଇଁ !
ନୀଲେଶ୍ ର ବି ସେଇ ଅବସ୍ଥା । ତା'ଠାରେ ଅନେକ ସମ୍ଭାବନା ଦେଖି , ସାଇତା ମନ ଦେଇଦେଲା ଲିମା । ଜୀବନର ପ୍ରଥମ ଆଉ ଶେଷ ଭାବି । 
- ନୀଲ୍ ! ପ୍ରେମ କଣ ଦୁଇ ହୃଦୟର ମିଶ୍ରଣ ?
- ପ୍ରେମ ହେବାଯାଏଁ , ମନ ହୃଦୟ ।
- ତାପରେ ?
- ଦେହ ଦେହ ଦେହ ।
- ଛି ! ଇୟେ କି' ମାନସିକତା ନୀଲ୍ ?
- ଭାସମାନ ଦୁନିଆଁରୁ , ରିୟଲିଟିକୁ ଫେରିଆସ ଲିମା । ଦେହ ଭିନ୍ନ ପ୍ରେମ ଅସମ୍ପୂର୍ଣ ।

ନୀଲେଶ୍ ର ଏଇ ଦୃଷ୍ଟିଭଙ୍ଗୀ କୁ ନେଇ ଯେତେ ଅସନ୍ତୁଷ୍ଟ ହେଲେବି , ଯେଉଁ ଅପହଞ୍ଚ ଯାଗାରେ ପହଞ୍ଚି ସାରିଛି , ମୁହଁ ଫେରାଇ , ସଜାଡିନେବାର ସପକ୍ଷରେ ସେ ଆଉ ନାହିଁ । ନୀଲେଶ୍ କେବଳ ତାଆର । ଏ ଦେହର ମାଲିକାନାସତ୍ତ୍ୱ , ଯା'ପାଇଁ ସେ ନିଜେ ଲେଖିଦେଇଛି , ତାକୁ ନେଇ ଏତେ ଚିନ୍ତା କାହିଁକି କରିବ ? ସର୍ମପଣ ରେ ପୂର୍ବ-ପର ଅବା କଣ ?

{୨}

ଦିନକୁ ଦିଥର ମାମା ଫୋନ୍ କରେ । ଝିଅ ବଡ ହୋଇଗଲେ ମା ମାନେ ଶ୍ରେଷ୍ଠବନ୍ଧୁ ପାଲଟିଯାନ୍ତି । ପେଟ ଭିତରର କଥା ନକହିଲେ ବି ଶୁଣି ନିଅନ୍ତି ! 
ମାମା ବ୍ୟସ୍ତହୋଇ କହେ -
- ରାଜି ହୋଇଯା ଧନ । ରାଣୀ ହୋଇ ରହିବୁ । ସେମାନଙ୍କ ପସନ୍ଦ ହୋଇଛି । ପିଲା କହୁଛି ତାକୁ ହାଉସ୍ ଓ୍ୱାଇଫ୍ ଦରକାର । ଛାଡିଦେ ସେ ଚାକିରୀ । କଣ ହେବ ସେସବୁ ? ସୁଖ ପାଇଲେ ଗଲା ।
- ଆଉ ନୀଲେଶ୍ ?
- ଢେର୍ ଅମେଳ ଅଛି ତା'ସହ । ଜୀବନ କାଳରେ ଅନେକ କିଛି ହରାଇବାକୁ ପଡେ । ସମୟକ୍ରମେ ସେସବୁର ଭରଣା ବି ହୋଇଯାଏ । 
ସବୁଥର ପରି ଅଧାରୁ ଫୋନ୍ କାଟିଦିଏ ଲୀମା ।
ନିଲେଶ୍ କୁ ନେଇ ମାମାର ଏ ଦାର୍ଶନିକତତ୍ତ୍ୱ କୁ ପସନ୍ଦ କରିପାରେନି ସେ ।
ଦୁନିଆଯାକର ମା ବାପା , ନିଜ ଇମୋସନ୍ ର ଦ୍ୱାହିଦେଇ , ପିଲାମାନଙ୍କ ଇଛାକୁ ମାରିଦିଅନ୍ତି । କଳେବଳେ ଅଭିଭାବକତ୍ୱ ଜାହିର କରିନିଅନ୍ତି ।
ସେ ପାରିବନି । ନିଲେଶ୍ ଭିନ୍ନ ଆଉକିଛି ପାରିବନି ।

{୩}

ପ୍ରତିଦିନ ଅଫିସ୍ ଫେରିବା ରାସ୍ତାରେ ଡେଲ୍ଟାଛକ । ଗାଡି ସାଇଡ଼ କରି ସେ ଅପେକ୍ଷା କରିବ , ଅବା ଅପେକ୍ଷାରତ ନୀଲେଶ୍ କୁ ଡେରିହେବାର କୈଫିୟତ୍ ଦେବ । ତାପରେ ସେ ନିତିଦିନିଆ କଫିହାଉସ୍ । ସେଇଠି ନିର୍ଦ୍ଧାରିତ ହେବ ବାକିତକ ସନ୍ଧ୍ୟାର ହିସାବ ! ଶେଷକୁ ଡିନର ପାର୍ସଲ୍ କରି ପିଜିକୁ ଫେରିବ ଲିମା । କାରଣ ନୀଲେଶ୍ କୁ ତା' ଘରେ ଖାଇବାକୁ ହେବ । ଫେରିବା ବେଳେ ସବୁଦିନ ସେଇ ସମାନ ପ୍ରଶ୍ନର ସମାନ ଉତ୍ତର ଜାଣିସୁଦ୍ଧା , ପଚାରୁଥିବ -
- ନୀଲ୍ !
- ଉଁ 
- କେତେଦିନ ?
- ବାସ୍ , ଆଗ ବଡଭଉଣୀ ପାର୍ ହୋଇଯାଉ ।
- ତୁମବିନା ଏ ରାତିସବୁ ଢେର୍ ଲମ୍ବି ଯାଉଛନ୍ତି ନୀଲ୍ । ମନହୁଏ ଯାଦୁଗୁଣି କରି ପୁରାଇ ଦିଅନ୍ତି ତୁମକୁ , ମୋ' ଭ୍ୟାନିଟିରେ । ମୋ' ଏକୁଟିଆ ରୁମ୍ ର ଦରଜା ବନ୍ଦ କଲାପରେ , ଫେରାଇ ଆଣନ୍ତି ତୁମ ପୂର୍ବାବସ୍ଥା ।
- ହା ହା ଆଉ କେଉ ରହସ୍ୟ ଅଛପା ଯେ' ଏତେ ବ୍ୟାକୁଳତା ?
ଟିକେ ଅପେକ୍ଷା କର ଲିମା ।

{୪}

ଅପେକ୍ଷା ରୁ ଉପେକ୍ଷା କେତେ ଦୂର କି' ?
ନୀଲେଶ୍ ର ଓ୍ୱାର୍କଲୋଡ଼ ବଢିବଢି ଚାଲିଥିଲା । ଏଥର ସବୁଦିନ ଡେଲ୍ଟାଛକ କୁ ସେ ଆସିପାରୁନଥିଲା । ପରିଶ୍ରମୀ ପୁରୁଷଙ୍କ ପତ୍ନୀ ମାନଙ୍କ ସୁଖଭାଗ ବେଶି ।
ଏ ବିଶ୍ୱାସ ଲିମାର ଆଦୌ ଭାଙ୍ଗିନଥାନ୍ତା । ଯଦି ସ୍ୱାତୀ ସପ୍ରମାଣେ ନୀଲେଶ୍ କୁ ଆବିଷ୍କାର କରିନଥାନ୍ତା ସେଦିନ । ଅଫିସ୍ ମେଟ୍ ସ୍ୱାତୀ , ବଏଫ୍ରେଣ୍ଡ୍ ସହ ଯାଇଥିଲା ୱାଟର୍ ଫାଉଣ୍ଟେନ୍ । ସେଇଠୁଁ ଥାଇ ହ୍ୱାର୍ଟସପ୍ କଲା -
- ଲୀମମମାମା !!!
- ହ୍ୱାଟ୍ ?
- ୟୋର୍ ବଏଫ୍ରେଣ୍ଡ୍ ଇଜ୍ ନୋ ମୋର୍ ।
- ୟୁ ବିଚ୍ !
- ଲୁକ୍ ଦିସ୍ ପିକ୍ ମାଇଁ ଡିୟର ।
ମୋବାଇଲରେ ଫୋଟଟେ ଉଠାଇ ପଠାଇଥିଲା ସ୍ୱାତୀ । ନୀଲେଶ୍ ର ! ପାର୍କର ସେଇ ସମାନ କ୍ରୋଟନ୍ ବୁଦାମୂଳ ! ସେଇ ସମାନ ଅସଂଜତ !!
ସ୍ୱାତୀ ଆଉରି ଲେଖୁଥିଲା -
- ସି ହାଜ୍ ମୋର୍ ଦ୍ୟାନ୍ ୟୁ' ବେବି !!
- ଲଷ୍ଟ୍ !!!!!!!!!!

{୫}

ଲିମା ଭଲ ରାନ୍ଧି ଜାଣେ । ।ଘରେ ଥିଲାବେଳେ ମାମାଠୁଁ ଶିଖିନେଇଛି । ଲ୍ୟାପିରୁ ଫିଲ୍ମ ଦେଖେ । କିଶୋର କୁମାରକୁ ଶୁଣେ । ହ୍ୟାରୀ ପୋର୍ଟର୍ ସିରିଜ୍ କିଣିଆଣି ପଢେ। ଫେସବୁକ୍ ରୁ ପୁରୁଣା ସାଙ୍ଗ ମାନଙ୍କୁ ଖୋଜେ । 
ମୋଟାମୋଟି ଖୁବ୍ ଖୁସିରେ ରହିବାକୁ ଚେଷ୍ଟା କରେ ଏବେ ।

କ୍ଷତ ସବୁ କ'ଣ ସତରେ , ଖୁସିହେବାର ସୁଯୋଗ ଦିଅନ୍ତି ??

ଏ ପିଜି ମାନଙ୍କରେ ମଶା ମାନଙ୍କ ର ବେଶି ହାଉଯାଉ ! ସୁନ୍ଦରୀ ମାନଙ୍କ ରୁମରେ ତ ଅନଧିକାର ପ୍ରବେଶ । ଯେତେ ଧୂଆଁ ଦିଅ , ଅବା ସଜାଗ ରୁହ , ବାହାରର ଆଖି ସବୁବେଳେ ତୁମ ଦେହରେ !
ମଶାରି ଭିତରୁ ଥାଇ ଦେଖିଲା ଲିମା , ବାହାରେ ଅନେକ ମଶା । ରକ୍ଷା , ସେ ସେମାନଙ୍କ ଶୁଣ୍ଢଠୁଁ ଢେର ଦୂରରେ । କିନ୍ତୁ ଏ କଣ ?
କୌଶଳ କରି ଗୋଟାଏ ପଶିଯାଇଛି ମଶାରି ଭିତରକୁ । ତା ଅଜାଣତରେ ରକ୍ତ ପିଇ ଟୋଲଟାଲ୍ । ଖୁସି ମନନେଇ ବାହାରିଯିବାକୁ ଦେବନି ଯମା । ମାରିଦେବାକୁ ହେବ ଅନ୍ତତଃ । ଚାଲିଲା ଛକାପଞ୍ଝା । ସେ ଧରି ପାରୁନଥିଲା । ଚତୁର ମଶା ଧରା ଦେଉନଥିଲା । ନୀଲେଶ୍ ର ମ୍ୟାସେଜ୍ ଆସୁଥିଲା !
- ହାଏ । 
ଶୋଇ ପଡିଲଣି ? 
ଫିଲିଂ ଏଲୋନ୍ ସୁଇଟି । 
ମିସ୍ ୟୁ ।
କଥାହୁଅ ଲିମା ।
ଓକେ କାଲି ସିଓର୍ ଦେଖା ।
ଆଟ୍ ଡେଲ୍ଟା ।

କିଛି ଆଉ ଉତ୍ତର ଦେବା ସପକ୍ଷରେ ସେ ନଥିଲା । ଦଳିମକଚି ଦେବାର ନିଶାରେ ଏବେ ଲିମା । କୁଆଡ଼େ ବି ଯିବ ?
ତାରି ମଶାରି ଜାଲ ଭିତରେ ହିଁ ଲୁଚକାଳି ଖେଳୁଥିବ । ମଶା ଦେହସାରା ଭରିରହିଛି ଲିମାର ରକ୍ତ ! ଏଠୁଁ ଯାଇ ଆଉକାହାକୁ ସଂକ୍ରମଣ କରିବାକୁ ଦେବନି ତାକୁ ।

ଓଃ! ଠିକ୍ ସମୟରେ ଲାଇନ୍ ଚାଲିଗଲା । ବଢିଗଲା ମଶାର ଆୟୁଷ । ଅନ୍ଧାର କୁ ଭାରି ଭୟ ଲିମାର । ଏ ସମୟରେ ମାମା ମନେପଡେ । ବଢିଲା ଝିଅଙ୍କ ମା ମାନେ ସ୍ୱତଃ ସାହାସୀ ହୋଇଯାନ୍ତି ! ଏକ ବାଘୁଣୀର ସତ୍ତା ନେଇ ।
ହାଉସ୍ ଓ୍ୱାଇଫ୍ ଖୋଜୁଥିବା ପିଲାଟିର ମନଯେ , କ୍ରୋଟନ୍ ବୁଦାମୂଳେ ନଥିବ , ସେ ଗ୍ୟାରେଣ୍ଟି ମାମା ଦେଇନପାରେ । ତଥାପି ତ ସେ ଆଗତୁରା ତା ରକ୍ତ ପିଇସାରିନଥିବ । ଏବେଠୁଁ ନିଶ୍ଚେ କମ୍ ଯନ୍ତ୍ରଣା ଭୋଗିବ । 
ସେମିତି ହୋଇନପାରେ ବି ।
ମାମା ସବୁବେଳେ କୁହେ - ମର୍ତ୍ତ୍ୟରେ ବି ଦେହଧାରୀ ଢେର୍ ଦେବତା ଅଛନ୍ତି !!

- ମାମା !
- ହଁ ମୋ ସୁନାଝିଅ ।
- କାଲି ମୁଁ ଆସୁଛି । ସେ ହାଉସ୍ ଓ୍ୱାଇଫ୍ ପିଲାକୁ ଖବର ଦେଇଦେ ।
- ହେ ଭଗବାନ୍ । ମୋ ଝିଅର ବୁଦ୍ଧି ଲେଉଟିଲା । କିନ୍ତୁ ..
- କିନ୍ତୁ ଫିନ୍ତୁ କିଛିନାଇଁ ମାମା । ଆଗ କହିଲୁ ଗୋଟେ ମଶାର ଆୟୁଷ କେତେ ?
- ମଶା ??? କେଯାଣି ??
- ହଁ ! ତୁ ସାଇନ୍ସ୍ ଟିଚର୍ । ଏତିକି ଜାଣିନୁ ??
- ଉଁଉଁଉଁ ! ଗୋଟେ ମାଇମଶା ମାସେ ଦେଢମାସେ ବଞ୍ଚେ ବୋଧେ !
- ଆଉ ପୁରୁଷ ?
- ସେଗୁଡା ଦଶ ବାର ଦିନରେ ମରିଯାନ୍ତି । କିନ୍ତୁ ତୁ କାଇଁ ପଚାରୁଛୁ..?

ଫୋନ୍ କାଟିଦେଲା ଅଧାରୁ। ମାମା ଟିକେ ଖୁସିହେଉ । 
ତେବେ, ଏଇମାତ୍ର ଆୟୁଷ ନେଇ , ଏତେ ପ୍ରତାରଣା ? ଦୟା ଆସିଲା ମଶାଟା ଉପରେ । ଘରକୁ ଫେରିଯିବା ପୂର୍ବରୁ ନିଜକୁ ଭଲକି ଥରେ ଘଷିମାଜି ଧୋଇନେବାକୁ ମନକଲା ଲିମା !!!

✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿


Rate this content
Log in