Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ତୁଇ ଭାରି ଦୁଃଷ୍ଟ
ତୁଇ ଭାରି ଦୁଃଷ୍ଟ
★★★★★

© ସତ୍ୟବତୀ ସ୍ୱାଇଁ

Others

3 Minutes   636    22


Content Ranking

ପ୍ରଥମେ ପ୍ରଥମେ ତାକୁ ଦେଖିଲେ ମୋତେ ଭୟ ଲାଗୁଥିଲା । ଯେତେ ଯେତେ ତାକୁ ଦେଖୁଥିଲି ସେତେ ସେ ମୋତେ ଭୟଙ୍କର ଲାଗୁଥିଲା । ପଛକୁ ଚାହିଁଲେ ସେ ଓ ଆଗକୁ ଚାହିଁଲେବି ସେ ଦିଶୁଥିଲା । ଆସ୍ତେ ଆସ୍ତେ ମୋତେ ଲାଗିଲା ମୋ ଚାରି ପାଖେ,ଉପରେ, ତଳେ କେବଳ ସେ ହିଁ ସେ ।

ବରଷକେ ଥରେ ସେ ମୋ ଭିତରେ ବି ଦେଖାଗଲା।ମୁଁ ଚମକି ପଡିଲି । ଆରେ... ଆରେ ଚିହ୍ନା ନାହିଁ ଜଣା ନାହିଁ କେତେବେଳେ ମୋ ଭିତରେ ଧସେଇ ପଶି ମୋତେ କବ୍ଜା କରି ନେଲାଣି!ହେ.....ଯା ମ । ମୁଁ ତାକୁ ଯେତେ ଠେଲିଲି ସେ ଆଦୌ ଇଞ୍ଚେ ବି ଘୁଞ୍ଚିଲା ନାହିଁ । ମୁଁ ହଡ଼ ବଡେଇ ଗଲି । ଇଏ କଣ ବା !

ସେ ମୋ ଅବସ୍ଥା ଦେଖି ଦାନ୍ତ ନେଫେଡେଇଲା । ମୋତେ ଗୋଟା ପଣେ ଜାବୁଡି ଧରିଲା ତା ଛାତି ପେଟକୁ ମୋ ଛାତି ପେଟରେ ଲଗାଇ । ତା ଦୀର୍ଘଶ୍ଵାସ ମୋ ଦେହରେ ବାଜିଲା । ମୁଁ ହତବମ୍ଭ ହୋଇଗଲି । ଚିନ୍ତା ଚେତନା ହରାଇଲି । ସେ ଆହୁରି ଜୋର ମୋତେ ଭିଡି ଧରିଲା । ଖର ତତଲା ନିଃଶ୍ୱାସ ମୋତେ ଅସହ୍ୟ ଲାଗୁଥିଲା । ମୁଁ ଛାଟି ପିଟି ହେଲି । ସେ କିନ୍ତୁ ମଜା ନେଉଥିଲା ।

ବୋଧେ ମୋର ହୋସ୍ ଉଡ଼ିଗଲା । ସେ ମୋତେ ଛାଡିଦେଲା । ମୁଁ ନଥ୍ କରି କଚାଡି ପଡିଲି । ମୋ ହୋସ୍ ଚାଲି ଆସିଲା । ତାକୁ ଖୋଜିଲି । ଖୋଜିଲି ତାର ଜାଵ ପକା ଧରିବା । ଖୋଜିଲି ତାର ତତଲା ପବନ ନିଃଶ୍ୱାସ । ତା ଅନୁପସ୍ଥିତ ମୋତେ ଆନମନା କଲା । ମୁଁ ତାକୁ ଖୋଜିଲି......ଖୋଜିଲି ଆଉ ଖୋଜିଲି ।

ସିଏ ମୋ ଆଖିରୁ ନିଦ, ଖାଇବାରୁ ଭୋକ,ପିଇବାରୁ ତୃପ୍ତି,କାମରୁ ଆଗ୍ରହ,ସାଙ୍ଗ ମେଳାରେ ଏକା, ବସିବାରେ ମାଟି ଗଦା କରିଦେଲା । କେବଳ ତାକୁ ଭାବିବାରେ ଦିନ ଯାଇ ରାତି,ପୁଣି ରାତି ଯାଇ ଦିନ ହେଲା ଜଣା ପଡ଼ିଲାଣି । ଏଇ କିଛି ଦିନ ସମ୍ପୂର୍ଣ୍ଣ ଅନ୍ୟମନସ୍କ ହୋଇଗଲି ଏକବାର । ନିଜକୁ ଦର୍ପଣରେ ଦେଖିଲେ ସେ ହିଁ ଦିଶିଲା । ସେ ମୋତେ ଗୋଟା ପଣେ ଗିଳି ଦେଇଥିଲା । ମୁଁ ନିଜ ଅକ୍ତିଆରରେ ନଥିଲି ।

ଜଣଙ୍କ ଅନୁପସ୍ଥିତି ଏମିତି ପାଗଳା କରେ!ମୁଁ ଆଶ୍ଚର୍ଯ୍ୟ ହେଲି । ପ୍ରତି ମୁହୂର୍ତ୍ତ,କ୍ଷଣ ତାକୁ ପାଖରେ ପାଇବାକୁ ବ୍ୟାକୁଳ ହେଲି । ସବୁ ଦିନେ ତାକୁ ଅପେକ୍ଷା କଲି । ୟାକୁ ତାକୁ ପଚାରିଲି । କୁହ ହେ ତାକୁ ଦେଖିଛ କେହି???

ସମସ୍ତେ ପଚାରିଲେ ଆରେ ସେ କିଏ,ତା ନାଁ,ଗାଁ,ଠିକଣା କଣ???ମୁଁ କହିଲି ମୋତେ ଯିଏ ଜାବୁଡି ଧରିଥିଲା,ନିଜ ଦେହରେ ଗୁଡେ଼ଇ,ମୋତେ ତା ଶରୀରରେ ମିଶେଇ,ସେଇ ମ, କଣ ଜାଣି ପାରୁନ!

ସମସ୍ତେ ହସିଲେ । କି ପାଗେଳି ଟା ବା.......ନାଁ ,ଠିକଣା କିଛି ନାହିଁ ଖାଲି ସିଏ.. ସିଏ ହେଉଛି।ତୁଚ୍ଛା ଅଲଣା କଥା । ଚାଲ....ଚାଲ ଏଇଟାର କାମ ନାହିଁ ବୋଲି ଆମର ନାହିଁ ନା କଣ । ଛୋପରା ଟା । ଭଜୁଥା ମାଳା

ଗଡେଇ ଲୋ ଝିଅ । ଏମିତି ଟାହି ଟାପରା କରି କିଏ କୁଆଡେ ଗଲେ ।

ଆରେ ବାଃ ଗୋଟିଏ ବର୍ଷ ଅନ୍ତରେ ସେ ପୁଣି ଦେଖାଦେଲା ।  ଗୋଟିଏ ବର୍ଷର ଅପେକ୍ଷା.......ଓଃ କି ଯନ୍ତ୍ରଣା ଦାୟକ ସେ ଅପେକ୍ଷା!!ଏଥରକ ସେ ଟିକେ ମୋତେ ଦେଖି ବି ନଦେଖିଲା ଢଙ୍ଗ କାଢ଼ିଲା । ଜାଣି ଗଲା କି କଣ ମୁଁ ତାକୁ ଖୋଜୁଛି ପାଣି ପକେଇ । ଭାଉ ଖାଇଲା ଭାରି ।

ତାକୁ ଦେଖି ମୋତେ ଆଉ ଡର ଲାଗିଲା ନାହିଁ।ବରଂ କେମିତି ଗୋଟେ ଆକର୍ଷଣ ଶକ୍ତି ମୋତେ ତା ଆଡ଼କୁ ଟାଣୁଥିଲା । ରହସ୍ୟ ମୟ ଲାଗିଲା ସେ । ମୁଁ ପଢିବାକୁ

ଚେଷ୍ଟା କଲି । ଏତେ ଗଭିର ସେ ପାଣି । କାତ ଅକାତ । ଭଉଁରୀ ବି ଅଛି । ପାଦେ ପାଦେ ବିପଦ ଥାଇ ପାରେ । ଜାଣି ବି ନିଆଁରେ ପତଙ୍ଗ ଝାସ ଦେଲା ପରି ମୁଁ ତାର ନିକଟତର ହେଲି । ମୋ ଆଡୁ ସମ୍ପର୍କ ଯୋଡିବାର ହାତ

ବଢ଼ାଇଲି ।

ସେ ଗୋଟେ ଛୋଟ କାଟିଆ ଗୋଲାପ ଫୁଲିଆ ହସ ମୋ ଆଡ଼କୁ ଫିଙ୍ଗି ଯାଉଥିଲା ଓ ଆସୁଥିଲା ବରଷକେ ଥରେ । ହେଉ ପଛେ ଦୀର୍ଘ ଦିନର ବ୍ୟବଧାନ ସେ ଆସୁଥିଲା,ମୋତେ କିନ୍ତୁ ଆଉ ଜାବୁଡି ଧରୁନଥିଲା । ଯେଉଁଟା ମୁଁ ନିହାତି ଖୋଜୁଥିଲି । ମୋତେ ଯେମିତି ସେ କିମିଆଁ କରି ତାରି ଆଡକୁ ଟାଣୁ ଥିଲା । ମୁଁ ଯେତେ ପାଖକୁ ତାର ଯାଉଥିଲି ସେ ସେତେ ଇନ୍ଦ୍ରଧନୁ ପାଲଟି ଯାଉଥିଲା ।

ସାମାନ୍ୟ ଜିନିଷରେ ବି ମୋହ,ଆସକ୍ତି ଆସି ଗଲେ ମଣିଷ କଲବଲ ହୁଏ । ।ସେ ଚିଜଟି ପାଇବାର ଝୁଙ୍କ ବଢିଯାଏ । ମୋ ପାଇଁ ସେ ସେମିତି ଅନୁଭବ ଆଣିଦେଲା । ମୁଁ ଦେଖିଲି,ପଢ଼ିଲି,ବୁଝିଲି ତାକୁ । ।

ଏଣିକି ତାକୁ ବୋଧେ ମୁଁ ଭଲ ପାଇଁ ବସିଲି । ଡର ଉଭେଇଗଲା । ଭଲ ପାଇବାର ବୀଜଟିଏ ପୋତି ହୋଇଗଲା ତା ପାଇଁ ମୋ ଭିତରେ । ତା ଅକାତ କାତ ପାଣିରେ ମୁଁ ବୁଡି ଗଲି ....ଇ । ସତରେ ମ ଭଲ ପାଇବା ମଣିଷକୁ ଏତେ ସାହସୀ କରେ!

ତାକୁ ଛୁଇଁବା ଅପେକ୍ଷା ତା କଥା ଭାବି ହେଲି ବେଶୀ ବେଶୀ । ଇସ୍!!କି ଅନୁଭବ!!ମନ ଉଡିଲା ଯୁଦ୍ଧ ଜାହାଜ ପରି । ମୁଁ ଗୋଟେ କ୍ଷଣ କୋପି କିନ୍ତୁ ତା କଥା ଭାବି ଭାବି କେତେବେଳେ ଶାନ୍ତଶିଷ୍ଟ ଲାଜକୁଳୀ ଲତା ହୋଇଗଲି । ଦିନୁ ଦିନ ସେ ମୋ ଆଗରେ ଏକ ବିରାଟ ସମୁଦ୍ର ପାଲଟିଗଲା । ମୁଁ ହୋଇଗଲି ବେଳା ଭୁଇଁ ପରେ ଠିଆ ନୀରବ ଦର୍ଶକ ଟିଏ ।

ଦିନେ ଡର ଭୟ ଛାଡି ତାକୁ ପଚାରିଲି ତୁ କିଏ???କାହିଁକି ଏମିତି ମୋତେ ମାରୁଛୁ । ପାରିବୁ ଯଦି ମୋ ଭିତରକୁ ସବୁଦିନେ ଚାଲି ଆ । ତୁ ଆଜିକାଲି ମୋତେ ବହୁତ ଭଲ ଲାଗୁଛୁ । ଦେଖ ତ ମୋର ଗାଡି, ସପନ ପେଡି ସବୁ ଅଛି । ଆ.......

ଏ ଜୀବନ ଦି ଦିନର । ଏଇ ଜୀବନ ଓ ଏଇ ମୁହୂର୍ତ୍ତକୁ ମନଭରି ଭଲ ପା । ମୋତେ ଆପଣେଇ ନେ । ଛୁଇଁ ଦେ ଟିକେ ।  ପିଇ ଯା ମୋ ଦେହର ନିଆରା ବାସ୍ନା । ବରଷକେ ତୁ ଥରେ ହିଁ ମୋ ଜୀବନରେ ଆସିବୁ । କି କଷ୍ଟ ଜାଣିଛୁ ତୋ କଣ୍ଟକୁ ଅପେକ୍ଷା କରିବାରେ!

ତୁ ଆସିଲେ ତୋ ସାଙ୍ଗ ମଳୟକୁ ଆଣୁ।ଆଃ କି ଚମତ୍କାର ପଙ୍ଖା କରେ ସେ । ତୋ ମିତଣୀ କୋଇଲିର କି ମିଠା ଗଳା!ତା କଣ୍ଠରୁ ଗୀତ ଶୁଣିବାକୁ କେତେ ଆକୁଳ ମୁଁ ଜାଣିଛୁ.....!!ଦେଖିଲୁ ମୋ ଓଠ!କେମିତି ଶୁଖିକଳା ପଡି ଗଲାଣି । କୃଷଚୁଡାକୁ ତୁ ଆଣୁ ନା । ସେ ଆସିଲେ ମୋ ଓଠ ରଙ୍ଗେଇ ଦିଅନ୍ତି ।

ହଳଦୀ ବସନ୍ତ ତୁ ଆସିଲେ ହଳଦିଆ ଖଣ୍ଡୁଆ ପାଟ ଉପହାର ଦିଏ । ଅବିର,ପିଚକାରୀ ମୋତେ ଗାଧୋଇ ଦିଅନ୍ତି ରଙ୍ଗୀନ ପାଣିରେ । ଭଅଁର ତୋ ପ୍ରତିଦ୍ବନ୍ଦୀ ମୋ ଚାରି ପାଖେ ଡାହାଣ ଆଖି ଘୁରି ବୁଲେ ।  ଦେଖିଲୁ ରାଧା କୃଷ୍ଣ କେମିତି ଦୋଳରେ ବୁଲିଲେଣି । ଆ ରେ ମୋ ମନ ମଣିଷ ବସନ୍ତ ରାଜାଙ୍କ ରାଜକୁମାର ।

ମୋ କଥା ଶୁଣି ସେ ଫିକ୍ କିନା ହସିଦେଇ ମୋ ଗାଲରେ ଚୁମା ଟିଏ ଦେଲା...... କହିଲା ଲୋ ନନୀ ମୋ ହୃଦ ରାନୀ ରାଜାଙ୍କ ବାଧ୍ୟ ପୁତ୍ର ମୁଁ । ତୋ ସହ କେବଳ ବର୍ଷ କେ ଥରେ ମିଶିବାର ସ୍ୱୀକୃତି ମୋତେ ଦେଇଛନ୍ତି । ଏଇଟା ପା ବିଧି ନିର୍ଦେଶ ଲୋ ହୁଣ୍ଡି!!ସେ ଆହୁରି ପାଖକୁ ମୋତେ ଟାଣି ନେଲା ଜୋରେ ।

...... ମୁଁ ତା ଭିତରେ ହଜି ଯାଉ ଯାଉ କହିଲି ଯାଃ..... ତୁଇ ଭାରି ଦୁଃଷ୍ଟ ସତରେ......ଫଗୁନ!

ଆଉ ତୁଇ ମୋରି ଲାଜକୁଳୀ ବଉଳ ନନୀ ଗୋ......... ।

*ସତ୍ୟବତୀ ସ୍ବାଇଁ,ମୀନୁ,ବାଲିକୁଦା,ଜଗତସିଂହପପୁର*

ହୋସ୍ ଅସହ୍ୟ ନିଃଶ୍ୱାସ

Rate the content


Originality
Flow
Language
Cover design

Comments

Post

Some text some message..