Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajib Gopal Swain

Inspirational Tragedy

2.5  

Rajib Gopal Swain

Inspirational Tragedy

ବାଡ଼

ବାଡ଼

8 mins
14.3K


ଘରେ ପହଞ୍ଚିବା ପରେ ସ୍ୱପ୍ନରେ ବି ସୁଦ୍ଧା ଭାବି ନଥିବା ଅବସ୍ଥା ଦେଖି ମୋ ମନ ଗଭୀର ଦୁଃଖରେ ଆଚ୍ଛନ୍ନ ହୋଇଗଲା । ଏତେ ଦୂରରୁ ଆସିବା ଭିତରେ ଯେଉଁ ଖୁସି ଟିକେ ବାଣ୍ଟିବି ବୋଲି ଭାବିଥିଲି, ତାହା ମଉଳିଗଲା କହିଲେ ଚଳେ । ଏ ଛୋଟ ସମୟର ବ୍ୟବଧାନ ଭିତରେ ଏତେ ଦିନର ସ୍ନେହ ମମତାର ଘରଟା ଯେ ଭାଙ୍ଗି ଚୁର୍‍ମାର୍‍ ହୋଇଯିବ ତାହା କଳ୍ପନାର ବାହାରେ ଥିଲା ମୋର ।

ଅପ୍ରସ୍ତୁତ ଭାବରେ ଘରେ ପଶିଲି । ଅଜାଣତରେ ଦୁଇଟୋପା ଲୁହ ଖସି ପଡ଼ିଲା ମୋ ଆଖିରୁ । ସମୟର ସୁଅ ଭିତରେ ଧୀରେ ଧୀରେ ଝୋଟ ପାଲଟି ଯାଉଥିବା ବଡ଼ବାପାଙ୍କର ବାଳକେରାକ ସହିତ ହାଡୁଆ ମୁହଁରେ ସ୍ମିତ ହାସ୍ୟର ରେଖା କିପରି ଏକ ଯନ୍ତ୍ରଣାସିକ୍ତ ବେଦନା ସୃଷ୍ଟି କରୁଥିଲା । ହାହାକାର କରି ଉଠିଲା ମୋ ହୃଦୟଟା । ମୁଁ ଓଳଗି ହେଲି । ମତେ କୋଳ କରି ନେଉ ନେଉ ବଡ଼ବାପାଙ୍କ ଆଖିରେ ଜମାଟ ବାନ୍ଧିଗଲା ଲୁହର ପଟୁଆର ।

ନିରବରେ ସେଠାରୁ ଉଠି ଠିଆହେଲି । ଖଞ୍ଜା ଭିତରେ ଠିକ୍‍ ମଝି ଦୁଆରେ ତିଆରି ଚଉରା ପାଖରେ ବାଡ଼ ପଡ଼ିଛି । କେଉଁ ପଟକୁ ଯିବି ଚିନ୍ତା କରିପାରିଲି ନାହିଁ । ଗାଁ ମୁଣ୍ଡରେ ଶୁଣିଥିବା କଥାଟି ତାହେଲେ ସତ । ମନେ ପଡୁଥିଲା ଛୋଟବେଳର କେରାଏ ସ୍ମୃତି, କେମିତି ଏପାଖ ପିଣ୍ଡାରୁ ସେପାଖ ପିଣ୍ଡାକୁ ଦୌଡ଼ିଲା ବେଳେ ହିଁ ଦୁଇ ପାହୁଣ୍ଡର ରାସ୍ତା ଅଧମିନିଟିଏ ବି ଲାଗୁନଥିଲା । ଦୁନିଆ ଯାକର କିତ୍‍କିତ୍‍ ଖେଳପରେ ଏଇ ଚଉରା ପାଖକୁ ଲାଗି ଦୁଆର ଉପରେ ବଡ଼ବାପାଙ୍କ ସହ କେତେ ପଖାଳ ନଖାଇଛି! ହେଲେ ଆଜି ?

ଅନ୍ୟମନସ୍କତା ଭାଙ୍ଗିଲାବେଳକୁ ମୋ ଆଗରେ ବଡ଼ମାଆଙ୍କୁ ଆବିଷ୍କାର କଲି । ଜୁହାର ହେଉ ହେଉ ବିଚରା ବଡ଼ମାଆ ମଧ୍ୟ ଲୁହର ବର୍ଷା ମେଦୁର ଆକାଶ ପରି ଅଜାଡି ଚାଲିଥିଲେ ଅଶ୍ରୁ ।

ବୋଉର ଡାକରେ ମୁଁ ଚମକି ପଡ଼ିଲି । ବାଡ଼ ସେ ପାଖରେ ସେ ଠିଆ ହୋଇଥିଲା । ଏପାଖରୁ ସେପାଖ ଅଧମିନିଟ୍‍ଏରୁ କମ୍‍ ସମୟ ଲାଗୁଥିବା ଦୁଆରଟା ହଠାତ୍‍ ଯେମିତି ନିଜର ଶରୀରକୁ ଆହୁରି ବିସ୍ତାର

କରିଦେଇଛି ! ସେ ପାଖରେ ପହଞ୍ଚିବା ପାଇଁ ମତେ କଷ୍ଟ ହେଲା । ସେ ପାଖକୁ ଯାଇ ଦେଖିଲି, ବାଡ଼ି

ପଟେ ବାଟ ଫିଟିଛି । ଏ ପାଖଟା ବଡ଼ବାପାଙ୍କର ଆଉ ସେ ପାଖଟା ଆମର ! 

କାହିଁ ବାପା ତ ଡାକି ଗଲାବେଳେ ଏତେ ସବୁକଥା ଘଟିଯାଇଛି ବୋଲି ମତେ କହିନଥିଲେ ? ସେତେବେଳେ ଅବଶ୍ୟ ମୋ ସନ୍ଦେହ ସତଥିଲା । ମୁଁ ଜାଣି ପାରିଥିଲି ଯେ ଘରେ ନିଶ୍ଚୟ କିଛି ଗୋଟେ ଘଟିଛି । ନଚେତ୍‍ ବାପା ଏତେ ଉଦାସ ଉଦାସ ଦିଶୁଛନ୍ତି କାହିଁକି ? ଯେଉଁ ବଡ଼ବାପା ଓ ବାପାଙ୍କ ଭିତରେ ରାମ-ଲକ୍ଷ୍ମଣଙ୍କ ସଂପର୍କ, ସେଥିରେ ଫାଟ ଆସିଲା କେଉଁଠୁ!

ଜେଜେ ବାପାଙ୍କର ଦୁଇ ପୁଅ ଭିତରୁ ମୋ ବାପା ସାନ ଥିଲେ, ଆଉ ବଡ଼ବାପାହିଁ ଜେଜେଙ୍କର ମୃତ୍ୟୁପରେ ମୋ ବାପାଙ୍କୁ ପାଠ ପଢ଼ାଇ ମାଷ୍ଟ୍ର କରିଥିଲେ । ସ୍କୁଲ୍‍ ବେଳାକୁ ଛାଡ଼ିଦେଲେ ବାପା ଓ ବଡ଼ବାପା ଦୁହେଁ କ୍ଷେତରେ ବହୁତ ପରିଶ୍ରମ କରନ୍ତି । ସେଇ ପରିଶ୍ରମରୁ ଏ ପକ୍‍କା ଘର, ବାଡ଼ି, ବଗିଚା ଚାଷ ଜମି ସବୁ ହସି ଉଠୁଥିଲା ।

ବଡ଼ବାପାଙ୍କର ବିବାହ ସେତେବେଳକୁ ହୋଇସାରିଥାଏ । କିନ୍ତୁ ବିବାହର ପାଞ୍ଚ ବର୍ଷ ପରେ ମଧ୍ୟ ପିଲାଝିଲାକିଛି ହୋଇନଥାନ୍ତି । ବାପାଙ୍କର ଚାକିରୀ ପରେ ବଡ଼ବାପା-ବାପାଙ୍କ ପାଇଁ ଝିଅଟିଏ ଖୋଜି ଖୋଜି ବୋଉକୁ ଠିକ୍‍ କଲେ । ସେତେବେଳକୁ ମାଷ୍ଟ୍ର ଚାକିରୀର ମହତ୍ତ୍ୱ ବେଶ୍‍ ଉଚ୍ଚରେ । ପାଖ ଗାଁର ପ୍ରତିଷ୍ଠିତ ପରିବାର ମୋ' ମାମୁଁଙ୍କର । ବାପାଙ୍କ ବାହାଘରକୁ ସମସ୍ତେ ରାଜି । ସେତେବେଳକୁ ମାମୁଁ ଡାକ୍ତରୀ ପଢୁଥାନ୍ତି । ଅଜା ମଧ୍ୟ ବେଶ୍‍ ଜମିବାଡ଼ିର ମାଲିକ । ଏପରି ଏକ ଶିକ୍ଷିତ ତଥା ସମ୍ପନ୍ନ ପରିବାରର ବୋହୁଟିଏ ପାଇବା କମ୍‍ ସହଜ କଥା ହୋଇଛି ! ସେତେବେଳେ ବଡ଼ ମାଆ ମଧ୍ୟ ଝିଅ ଅର୍ଥାତ୍‍ ମୋ ବୋଉକୁ ଦେଖି ନିଜ ବେକର ସୁନାଚେନ୍‍ ତା'ବେକରେ ପିନ୍ଧାଇ ଦେଇ ଆସିଥିଲେ ।

ବାହାଘର ହେଲା । ଘରର ପ୍ରଥମ ସନ୍ତାନ ଭାବରେ ମୁଁ ଜନ୍ମ ନେଲି । ଅଲିଅଳୀ ଆଉ ଅତି ଗେଲବସରରେ ଦୁଇ ବାପା ଓ ଦୁଇ ମାଆଙ୍କର ସ୍ନେହ ଆଦରରେ ବଢ଼ିଲି । ଏ ଭିତରେ ମୁଁ ଦୁଇଭାଇଙ୍କ ମଧ୍ୟରେ କେବେ ବି ବିଦ୍ୱେଷ ଲକ୍ଷ୍ୟ କରିନି । ବଡ଼ମାଆ ଓ ବୋଉ ଭିତରେ ବି ଏପରି କିଛି ମତାନ୍ତର ମନାନ୍ତର ଘଟିନି । ସବୁ ଚିରାଚରିତ ଢଙ୍ଗରେ ଚାଲିଲା ଭିତରେ ଆମର ସଂସାର ମଧ୍ୟ ବଢ଼ିଛି । ମୋର ଆଉ ଦୁଇଟି ଭାଇଭଉଣୀ ସଂସାରକୁ ଆସିଛନ୍ତି । ବଡ଼ବାପା ଓ ବଡ଼ ମାଆଙ୍କର ପିଲାଝିଲା ନହେବାର ଦୁଃଖକୁ ଲାଘବ କରି ଆମେ ସେମାନଙ୍କର କୋଳରେ ବଢ଼ିଛୁ । ଅଳିଅର୍ଦ୍ଦଳି କରିଛୁ । ସବୁ ଦୁଃଖକୁ ପଛରେ ପକାଇ ବଡ଼ବାପା ଓ ବଡ଼ ମାଆଙ୍କର ଆଦର ବଢ଼ିଛି ପଛେ କେବେ ବି କମିନାହିଁ ।

ଏଭିତରେ ଅନେକ ବର୍ଷ ବିତିଗଲାଣି । ମୁଁ ମଧ୍ୟ ଶିକ୍ଷୟତ୍ରୀ ହେଲିଣି । ଏବେ ଚାରିବର୍ଷ ତଳେ ବିବାହ

ସରିଛି । କୋଳକୁ ପୁଅଟିଏ ମଧ୍ୟ ଆସିଲାଣି । ଭାଇ ଭଉଣୀ କଲେଜରେ ପଢ଼ିଲେଣି, ଦୁହେଁ ହଷ୍ଟେଲରେ

ରହନ୍ତି । ଛୁଟିରେ ଆମଘର ପୂରିଉଠେ । ବାପା ରିଟାୟାର କରି ଘରେ ବଡ଼ ବାପାଙ୍କୁ ଚାଷ କାମଠାରୁ ଆରମ୍ଭ କରି ଅନ୍ୟସବୁ କାମରେ ସାହାଯ୍ୟ କରିବା ଆରମ୍ଭ କରିଦେଲେଣି । ଘରେ ଚାକର ପୁଝାରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ଚିରାଚରିତ ଭାବରେ ଆମର ସେଇ ହସଖୁସିର ସଂସାର ଭିତରେ ସତେ ଯେପରି ସ୍ନେହ ଆଦରରେ କାର୍ପଣ୍ୟ ନଥିବା ମମତାର ମୂର୍ତ୍ତି ସମ ବଡ଼ବାପାଙ୍କର ହସ ହସ ମୁହଁ ସର୍ବଦା ଆଶୀର୍ବାଦ ଭଙ୍ଗୀରେ

ଦଣ୍ଡାୟମାନ । ମନେହୁଏ ଆମେ ଧନ୍ୟ ହୋଇଯାଇଛୁ ।

ମୋ ବିବାହ ସମୟର କଥା । ସ୍ୱାମୀ ଶିକ୍ଷକ । ସମ୍ପନ୍ନ ପରିବାର ତାଙ୍କର । ଯୌତୁକ ସାଙ୍ଗକୁ ମୋ ପରି ଶିକ୍ଷିତା ଓ କର୍ମନିପୁଣା ବୋହୁଟିଏ ପାଇ ଶାଶୁ କମ୍‍ ଗର୍ବ କରୁନଥାନ୍ତି । ହେଲେ ଭଲ ହାରଟିଏ ନ ଆଣିବାର ଅପବାଦ ବାର ମୁହଁରୁ ଶୁଣି ଶାଶୁଙ୍କ ମନଦୁଃଖ ହେବ ବୋଲି ଶାଶୁ ଘର ତରଫରୁ ମୋର ଜଣେ ବିଶ୍ଵସ୍ଥଙ୍କ ହାତରେ ଚିଠିଟିଏରେ ବଡ଼ବାପାଙ୍କୁ ଜଣାଇଥିଲି । ମୋ ଅର୍ଥ ଅପେକ୍ଷା ବାପଘର ଅର୍ଥ ମୋ ପାଇଁ ଢେର ଉଚ୍ଚରେ ଥିଲା । ମୁଁ ଚାହୁଁ ନଥିଲି କେହି କହୁ ଯେ ମୁଁ ହାରଟିଏ ନିଜ ରୋଜଗାର ଅର୍ଥରେ କରୁଛି । ଗଞ୍ଜଣା ଶୁଣିବା ତଥା ସହିବା ଅପେକ୍ଷା ବାପଘର ନାଆଁରେ ଅପବାଦ ହଜମ କରିବା ବେଶ୍‍ ଦୁଃଖଦାୟକ ।

ଆଶ୍ଚର୍ଯ୍ୟ ହେଲି, ଠିକ୍‍ ସାତଦିନ ପରେ ଖରାବେଳଟାରେ ବଡ଼ବାପା ତିନିଭରି ଓଜନର ବଣିଆ ଗଢ଼ା ସୁନାହାରଟିଏ ଧରି ପହଞ୍ଚúଲେ । ସେଦିନ କିନ୍ତୁ ମୁଁ ବଡ଼ବାପାଙ୍କୁ ଅଟକାଇ ପାରିନଥିଲି । ସେଇ ଖରାବେଳଟାରେ ହିଁ ଝଡ଼ପରି ଚାଲିଯାଇଥିଲେ ସେ’ ଯେପରି ସେ ଆସିଥିଲେ । ମୁଁ ବେଶ୍‍ ଜାଣେ ବଡ଼ବାପାଙ୍କ ମନକଥା । ସେଥିପାଇଁ ତ ସେଦିନ ତାଙ୍କୁ ଅଟକାଇ ନଥିଲି । ଏ ଭିତରେ ଅନେକ ଛୋଟବଡ଼ ଆଶା ବଡ଼ବାପା ପୂରଣ କରିଛନ୍ତି । ଯେମିତିକି ପୁଅର ସ୍ୱନକ୍ଷେତ୍ରକୁ ସୁନାଚେନ୍‍, ନୂଆଘର ପ୍ରବେଶ ପୂର୍ବରୁ ଦଶହଜାର ଟଙ୍କା ଇତ୍ୟାଦି । ଏସବୁକୁ ସତରେ କ'ଣ ଭୁଲି ହେବ ?

ସବୁ ସାହାଯ୍ୟ ବେଳେ ତାଙ୍କର ଗୋଟିଏ କଥା "ଆରେ ବୋକି ! ଏ ଗୁଡ଼ା ଆଉ କାହାର ! ସବୁତ ତମ ମାନଙ୍କ ପାଇଁ । ପୁଅଟା ଭଲ ପଢୁଛି, ଭବିଷ୍ୟତରେ ତା ମାମୁଁ ପରି ଡାକ୍ତର ହେବ । ଝିଅଟା ବି କୂଳରେ

ଲାଗିବ । ସେଥିପାଇଁ ଟଙ୍କା ଖର୍ଚ୍ଚ ହେବ ନା ନାହିଁ । ତୁ ବି କୋଉ ପର ! ଘର ସଂସାର କଲେ ବି ଆମ ଆଗରେ ସେଇ ପିଲା । ତମମାନଙ୍କ ଖୁସିରେ ଆମେ ଖୁସି । ତମର ଯାହା ଦରକାର ଆମେ ଖାଲି ଯୋଗାଇବା କଥା ।'

ବଡ଼ବାପାଙ୍କର ସେ ମନଖୋଲା ହସ, ନିର୍ମଳ ହୃଦୟ ସତେ ଯେପରି ମତେ ଶତଜନ୍ମର ଋଣୀ କରିବାରେ ଲାଗିଥିଲା । ସେଥିପାଇଁ ଖାସ୍‍ ପ୍ରତିଥର ବଡ଼ବାପାଙ୍କୁ ଦେଖିଲେ ହିଁ ମୋ ପେଟ ପୂରିଉଠେ । ଏତେ ସ୍ନେହ ଏତେ ଆବେଗ ଆଉ କେଉଁଠୁ ମିଳିବ ଯେ !

ତେବେ ଏତେ ସ୍ନେହ ଆଦର ଭିତରେ ବାଡ଼ କୁଆଡୁ ଆସିଲା !

 ବାଡ଼ !! 

ହଁ ବାଡ଼ ନୁହେଁ ତ ଆଉ କ'ଣ ! ମୋ ପିଲାଦିନ, ତାରୁଣ୍ୟ, ଯୌବନର ପୃଷ୍ଠଭୂମି ଓ ମୋ ବର୍ତ୍ତମାନ ମଧ୍ୟରେ ବାଡ଼ । ମୋ ସୁଖ ଦୁଃଖର ଜୀବନରେ ମୋ ଆତ୍ମା ଓ ଶରୀର ଭିତରେ ବାଡ଼ । ସ୍ନେହ ଛଳ ଛଳ ଝରଣା ଆଉ ସ୍ନେହ ପାଇଁ ତୃଷାର୍ତ୍ତ ପ୍ରାଣଟି ଭିତରେ ବାଡ଼ । ମୁଁ ଜାଣେ ମୁଁ ବଞ୍ଚିଛି ମୋ ପିଲାଦିନ ଭିତରେ । ଜିଇଁବା ଶିଖିଛି ମୋ ଖୋଲା ଅଗଣାରେ । ଅତୀତ ନାହିଁ ତ ମୁଁ ନାହିଁ । ବଡ଼ବାପାଙ୍କର ଆକାଶପରି ବିଶାଳ ହୃଦୟ ବଡ଼ମାଆଙ୍କର ଧରିତ୍ରୀ ପରି ମହନୀୟ ବୁକୁରେ ଗଢ଼ି ଉଠିଥିବା ମୋ ଜୀବନର ମାନେ କେବଳ ସ୍ନେହର ପରିଭାଷାକୁ ବୁଝିବା ଛଡ଼ା ଅନ୍ୟ କିଛି ବୁଝେନା ।

କିନ୍ତୁ ମୋ ପୃଥିବୀ ! ମୋ ଅତି ଆପଣାର ଆଦରର ଅଗଣା ଭିତରେ ମୋ ଛାତିର କଲିଜାକୁ ଓପାଡ଼ି ଫିଙ୍ଗି ଦେଉଥିବା ଏ ବାଡ଼ ମୋ ଦେହକୁ ଶତଧା ବିଦୀର୍ଣ୍ଣ କରୁଥିଲା ।

ମୋ ଭାବନାରେ ପୂର୍ଣ୍ଣଚ୍ଛେଦ ପକାଇ ବୋଉର ଡାକ ଶୁଭିଲା- ସରିତା ! ଗାଧୋଇ ପଡ଼ କଣ ଗଣ୍ଡେ ଖାଇଦେବୁ ।

ବାପା ବସ୍‍ଷ୍ଟାଣ୍ଡ ଯାଇଥିଲେ ସବୁଥର ପରି ଭାଇ ଓ ଭଉଣୀଙ୍କୁ ଘରକୁ ଆଣିବା ପାଇଁ । ମୁଁ ବିବଶ ହୋଇ ପଡିଲି । ବଡ଼ବାପାଙ୍କ ସହିତ ପଖାଳ କଂସାର ଦୃଶ୍ୟ ମୋ ଆଗରେ ଭାସିଗଲା । ମୁଁ ଅନ୍ୟମନସ୍କ ଭାବରେ କହିଲି-ମୁଁ ବାହାରକୁ ଯାଉଛି, ପଡ଼ିଶାଘରୁ ବୁଲି ଆସିଲେ ଖାଇବି !

ବାରଣ୍ଡାରୁ ତଳକୁ ଓହ୍ଲାଇବାକୁ ଯାଉଛି, ବୋଉ ପଛରୁ ଆସି କହିଲା କିଲୋ କୁଆଡ଼େ ବାହାରିଲୁ କି ? ଶୁଣ, ସେ ପାଖକୁ ମୋଟେ ଯିବୁନି ।

ମୁଁ ଆଉ ସମ୍ଭାଳି ପାରିଲି ନାହିଁ । ମନରେ ଥିବା ସବୁ ଅସନ୍ତୋଷ ଲାଭା ପରି ଉଦ୍‍ଗୀରଣ ହୋଇଯିବ ଯେପରି, ସେପରି ଲାଗିଲା । ହେଲେ ନିଜକୁ ସଜାଡ଼ି ନେଲି । ବୋଉ ଆଡ଼େ କଟମଟ୍‍ କରି ଅନାଇ ରାଗରେ ଗର୍‍ଗର୍‍ ହୋଇ ପଚାରିଲି-ଶୁଣେ, କାହିଁକି ?

କୌଣସି ଗୁପ୍ତ କଥା କହିଲା ପରି ମୋ ପାଖକୁ ଲାଗି ଆସି ବୋଉ କହିଲା- ତତେ ତୋ ବାପା କିଛି କହି ନାହାନ୍ତି କି ? ଏ ଭିତରେ କେତେ କ'ଣ ଘଟିଗଲାଣି । ବୁଢ଼ାବୁଢ଼ିଙ୍କ ଅସଲରୂପ ପଦାକୁ ଆସିଲାଣି । ବୁଢ଼ାବୁଢ଼ୀ ଦିହେଁ ବୁଡ଼ିବୁଡିକା ପାଣି ପିଇବା ଲୋକ । ଗାଁ ଲୋକେ ଭୁଟ୍‍ଭାଟ୍‍ ହେଉଛନ୍ତି । କୁଆଡ଼େ ବୁଢ଼ା ଗୋଟେ କୋଉଠି ଧରମଝିଅ କରିଛି । ତା'ରି ପାଖରେ ସବୁଟଙ୍କା ଭର୍ତ୍ତି କରିଛନ୍ତି । ଆଉ ସଂପତ୍ତି ସବୁ ବାଟମାରଣା ହେଉଛି । ଆମେ କ'ଣ ଏସବୁ ଜାଣିଥାନ୍ତୁ କି ? ଆମ ଗାଁ ବଣିଆ ସୁଧାକର ସେଦିନ କହୁ କହୁ ତୋ ବାପାଙ୍କୁ ସବୁ କହିଦେଲା । ତିନିଭରି ଓଜନର ହାର, ଚେନ ସବୁ ତାରିପାଖରେ ଗଢ଼ା ହୋଇଛି ପରା । ସେଇଠୁ ମୋ ମୁଣ୍ଡରେ ଚଡ଼କ ପଡ଼ିଲା । ଆରେ ଗାଁ ଲୋକଙ୍କ କଥା ଠିକ୍‍ ଥିଲା ତା'ହେଲେ । ତୁ ତ ଜାଣୁ, ତୋ ବାପା ନିର୍ମାୟା

ଲୋକ । ବଗିଚାରୁ ପରିବା ଧାନକିଆରୀରୁ ଧାନ ବିକ୍ରିବେଳେ ଆଦୌ ହିସାବ ରଖନ୍ତି ନାହିଁ । ତେବେ ଏଇ ବର୍ଷ କେଇଟାରେ ଏତେ ଅମଳ ପରେ ବି ଟଙ୍କା ଗୁଡ଼ାକ ଗଲା କୁଆଡ଼େ ! ସେଠୁ ମୁଁ ଭାବିଲି, ସବୁ ସଫା ଜଣାଇ ଦେବା ହିଁ ଉଚିତ ହେବ । ମୁଁ ତୋ ବାପାଙ୍କୁ କହିଲି, ହେଇଟି ଦେଖ! ବୁଢ଼ାବୁଢ଼ୀଙ୍କର ସିନା କେହି ନାହାଁନ୍ତି, ହେଲେ ଆମର ପୁଅଝିଅ ଅଛନ୍ତି । ସେ ଏମିତି ଖର୍ଚ୍ଚ କଲେ କେମିତି ଚଳିବ ! ସେ ତାଙ୍କ ଭାଗରେ ଯାହା କରିବା କଥା କରୁନାହାନ୍ତି । ତୋ ବାପା ତ ମୋଟେ ରାଜି ହେଉନଥିଲେ । ସେମାନେ ଲୋକ ଦେଖାଣିଆ କାନ୍ଦିଲେ । ହେଲେ କିଏ ଶୁଣୁଛି ଯେ ! ଲୋକ ଡକେଇ ଏ ବାଡ଼ ବସେଇ ଦେଲି । ଏସନ ଧାନ ଅମଳ ପରେ ଜମି ମଧ୍ୟ ଭାଗକରି ନେବା । ସେ’ ତାଙ୍କ ଧରମ ଝିଅକୁ ଦିଅନ୍ତୁ କି ପାଖରେ ଆଣି ରଖନ୍ତୁ, ସେଥିରେ ଆମର ଯାଏ ଆସେ କେତେ ?

ବୋଉର ସବୁ କୈଫିୟତ ଏତେବେଳଯାଏ ଶୁଣୁଥିଲି । ମୋର ଧୈର୍ଯ୍ୟର ସବୁ ସୀମା ଭାଙ୍ଗି ସାରିଥିଲା । ମନେ ମନେ ସବୁ ବୁଝି ସାରିଥିଲି ମୁଁ । ବର୍ତ୍ତମାନ କିଛି ଗୋଟେ ସମାଧାନ ଲୋଡ଼ା । ମୋ ପାଟିରୁ ସ୍ୱତଃ ବାହାରି ଆସିଲା - ହଁ, ହଁ, ଠିକ୍‍ ହୋଇଛି ବୋଉ । ବୁଢ଼ାବୁଢ଼ୀଙ୍କୁ ଠିକ୍‍ ହୋଇଛି । ବାଡ଼ ସେ ପାଖକୁ ମୁଁ ମୋଟେ

ଯିବିନି ।

ବାରଣ୍ଡାରୁ ତଳକୁ ଓହ୍ଲାଇ ଦୁଆର ମଝିରେ ମୁଁ ଠିଆ ହେଲି । ତଳେ ପକ୍‍କା ଦୁଆର ମଝିରେ ଦୁଇଧାଡ଼ି ଇଟା ଉଠି ତା ଉପରେ ଚଉରାକୁ ଲାଗି କାଠ ବେଟନ୍‍ପିଟା ଛକି ଛକି ବାଡ଼ । କେବଳ ଇଟା ଧାରର ମଝିରେ ଲାଖି ରହିଛି ସେଇଟା । ମିସ୍ତ୍ରୀକୁ ବେଶି ମେହେନତ୍‍ କରିବାକୁ ପଡିନି । ମୁଁ ଅଣ୍ଟାରେ ଲୁଗା ଖୋସିଲି । ଦେହର ସବୁ ବଳକୁ ଏକାଠି ସଞ୍ଚୟ କରି ବଡ଼ ପାଟିରେ ଡାକ ଛାଡ଼ିଲି-ବଡ଼ମା ! ବଡ଼ମା !! 

ବୋଉ ମୋ ପଛକୁ ଚାଲି ଆସିଲା ବୋଧହୁଏ ମୋ ଉଗ୍ରରୂପ ଦେଖି ସେ କିଛି ଗୋଟେ ଘଟିବାର ପୂର୍ବାନୁମାନ ଲଗାଇ ସାରିଥିଲା । ତେଣୁ ସାହାଯ୍ୟ ପାଇଁ ପଛରେ ଠିଆ ହୋଇ ଘଟଣାକୁ ଲକ୍ଷ୍ୟ କରୁଥିଲା ମନେ ମନେ ।

ବାଡ଼ଟାକୁ ଧରିପକାଇବା ଭିତରେ ସବୁ ଘୃଣା, ସବୁ ଅବସାଦ, ସବୁ ଗ୍ଲାନି ପୁଞ୍ଜିଭୂତ ହେବାରେ ଲାଗିଥିଲା ଅନ୍ତର ଭିତରେ । ନାକପୁଡାରୁ ତତଲା ପବନ ବାହାରି ଚାଲିଥିଲା । ମନେ ପଡୁଥିଲା ଶୈଶବର କିତ୍‍କିତ୍‍, ଡାଳମାଙ୍କୁଡ଼ି, ଲୁଚକାଳି ଖେଳ । ପୋଖରୀର ସ୍ୱଚ୍ଛ ନିର୍ମଳ ଜଳରାଶିର ଫୁଆରା ଭିତରେ ପହଁରିଲାବେଳେ ପାଣି ଛିଟିକାରେ ଇନ୍ଦ୍ରଧନୁ ମୋ ମନକୁ ପୁଣି ରଙ୍ଗୀନ କଲାପରି ଲାଗୁଥିଲା । ମୁଁ ନିଜକୁ ଶତ ଚେଷ୍ଟା କରି ବି ସଂଯତ କରି ପାରୁନଥିଲି । ସେତେ ଯେପରି ମୋ ଆଗରେ ପିଲାବେଳଟା ଦୌଡୁଥିଲା ଖୁବ୍‍ ଦ୍ରୁତ ବେଗରେ !

ମୋ ସାମ୍ନାରେ ବଡ଼ବାପା ଓ ବଡ଼ ମାଆ ଠିଆ ହୋଇଥିଲେ । ମୁଁ ପାଖରେ ପଡ଼ିଥିବା ଶାବଳକୁ ଧରି ପ୍ରବଳ ଘୃଣାରେ ତଳ ଦୁଇଧାର ଇଟାକୁ ଆଘାତ କଲି । ମୋ ଶରୀରରେ ଏତେ ବଳ ଆସିଲା କୁଆଡୁ କେଜାଣି ! ବାଡ଼ ଭାଙ୍ଗି ପଡ଼ିଲା । ବେଶୀ ପ୍ରୟାସ କରିବାକୁ ପଡ଼ିନି । ମତେ ପରମ ଆଗ୍ରହ ଓ ଆଶ୍ଚର୍ଯ୍ୟରେ ସେମାନେ ଦେଖୁଥିଲେ । ଏସବୁ ଘଟଣା ଏତେ କମ୍‍ ସମୟ ମଧ୍ୟରେ ଘଟିଗଲା ଯେ କିଛି କହିବାକୁ ଓ ପ୍ରତିରୋଧ କରିବାକୁ କାହାରି ପାଖରେ ସମୟ ହିଁ ନଥିଲା ।

ଶାବଳ ଫିଙ୍ଗି ଆର ପାଖକୁ ଦୌଡ଼ିଯାଇ ବଡ଼ ବାପାଙ୍କୁ କୁଣ୍ଢାଇ ପକାଇଲି । ସତେ ଯେପରି ଅନେକ ଦିନର ସ୍ନେହ କାଙ୍ଗାଳଟିଏ ତାର ପରମ ଆକାଂଙ୍‍କ୍ଷିତ ବ୍ୟକ୍ତି ନିକଟରେ ପହଞ୍ଚି ଯାଇଛି । ଲୁହର ବୈତରଣୀ ବହିଚାଲିଥାଏ । ବଡ଼ ପାଟିରେ କୋହମିଶା ସ୍ୱରରେ କହିଲି - ବୋଉ ! ବାଡ଼ବାପାଙ୍କର ସେଇ ଧରମ ଝିଅ ମୁଁ ! ଏଇ ବାପାଙ୍କର କେତେ ସ୍ନେହ କେତେ ଆଦର ! ଛି ! ତୁ ଶେଷରେ ଏମିତି ଭାବି ପାରିଲୁ ! ତୁମେମାନେ କେମିତି ଭାବି ପାରିଲ ଯେ ସାମାନ୍ୟ ବାଡ଼ଟା ଆମ ଭିତରେ ପାଚେରୀ ପରି ଠିଆ ହୋଇପାରିବ ! କେମିତି, କେମିତି !

ସମସ୍ତେ କାନ୍ଦୁଥିଲେ । ଅନୁଶୋଚନାରେ ବୋଉ ବି ପଣତରେ ମୁହଁ ଘୋଡ଼ାଇ ନେଲା । ବୋଧହୁଏ ସେ ବି କାନ୍ଦୁଥିଲା ।

ରାଜୀବ ଗୋପାଳ ସ୍ଵାଇଁ ମାତୃକୁଟୀର, କୁରୁଣ୍ଟି, ମେରାମଣ୍ଡଳୀ, ଢେ଼ଙ୍କାନାଳ-୭୫୯୧୨୧ Contact No:7684989557(M)


Rate this content
Log in

Similar oriya story from Inspirational