ଠକ
ଠକ
ନବକୁ ଆମେ ଏକ ନମ୍ବର ଠକ ବୋଲି ଜାଣିଥିଲୁ। ଅଫିସରେ ଜଏନ କଲା ଦିନ ଭାରି ଚିକଣ ଚାକଣ ହେଇକି ଆସିଥିଲା। ଯାଉଣୁ ଆସୁଣୁ ସମସ୍ତଙ୍କୁ ନମସ୍କାର କରେ ଓ ପୂର୍ବ ସିଫ୍ଟର ସବୁ କାମ ବଳକା ରଖିଦେଇଛନ୍ତି ବୋଲି ଆସୁ ଆସୁ ଜଣେଇ ଦିଏ। ଆମ ଅଫିସ ଚବିଶ ଘଣ୍ଟା ଖୋଳା ରହେ, ତିନି ସିଫ୍ଟରେ ଚାଲେ। ତିନି ସିଫ୍ଟରେ ତିନୋଟି ହେଲ୍ପର ଓ ଜଣେ ଲିଭ ରିଲିଭର । ସମୁଦାୟ ଚାରିଜଣ - ନବ, ଅର୍ଜୁନ, ହେମନ୍ତ ଓ ଗଦା।
ନବର ନାଇଟ ସିଫ୍ଟ ଦିନ ସକାଳୁ ଭାରି ଅଡୁଆ ପରିସ୍ଥିତି କରି କି ସେ ଚାଲିଯାଏ। ଠିକ ପରେ ପରେ ସକାଳୁ ଆସେ ଅର୍ଜୁନ। ଦିନ ଦଶଟା ହୋଇଯାଏ ଅର୍ଜ୍ଜୁନକୁ ବିଗତ ରାତିର ଅଡୁଆ କାମ ତୁଟେଇବାରେ। ରାତିରେ ଆଗରୁ ଦୁଇଜଣ ଡ୍ୟୁଟିରେ ଆସୁଥିଲେ। ଜଣେ ଜେସିବି ଅପରେଟର ଆସୁଥିଲା, ଯେତେବେଳେ ଜେସିବି ଦରକାର ପଡ଼େ, ସେ ନିଦରୁ ଉଠିକି ଜେସିବି ଚଲାଇକି ତା କାମ ସାରିଦିଏ ଓ ରେଷ୍ଟ ନିଏ।
ଦିନେ ରାତିରେ ମୁଁ ଡିଉଟି ରେ ଥାଏ ଓ ହେଲ୍ପର ଥାଏ ନବ। ରାତିରେ ଦେଖିଲି ନବ ଜେସିବି ଚଲଉଛି। "କିରେ କଥା କ’ଣ, ତୁମେ କ’ଣ ଦୁଇ ଜଣଙ୍କ ଡିଉଟି କରୁଛ?" "ହଁ ଆଜ୍ଞା" କହିଲା ନବ। "ରାତିରେ ଜେସିବି ଚଲାଇଲେ କଣ୍ଟ୍ରାକ୍ଟର ମୋତେ ଅଧିକା ଶହେ ଟଙ୍କା ଲେଖାଏଁ କରି କି ମାସରେ ହଜାରେ ଟଙ୍କା ଅଧିକ ଦେଉଛି। ଦୁଇଟା ପୁଅ ଥିଲେ, ଏବେ ଝିଅ ଟିଏ ହେଇଛି। ଚଳିବା କଷ୍ଟ ହେଉଛି। ଏହି ହଜାରେ ଅଧିକା ପାଇଲା ପରେ ମୋତେ ଟିକେ ସୁବିଧା ହେଉଛି।"
"ତା ମାନେ, ତୁମେ ମାତ୍ର ହଜାରେ ମାସକୁ ପାଇବା ପାଇଁ ଆଉ ଜଣକର ପୁରା ଚାକିରୀ ଉଠେଇଦେଲ? ସେ ବିଚରାର ଚାକିରୀ ଗଲା!!!! !" ନବ ଆଉ କିଛି କହିଲା ନାହିଁ। ତଳକୁ ମୁହଁ କରି ଆଗରୁ ଚାଲିଗଲା।
ଏମିତି କାମ ଚାଲିଥାଏ। ନବ ରାତି ଡିଉଟି ରେ ଆସିବାକୁ ବେଶି ଇଛୁକ ଥାଏ। ଦୁଇଟା ରୋଜଗାର। ତା ନିଜ କାମ ବାକି ରହିଯାଏ ଓ ତାପର ଦିନ ଗାଳି ଶୁଣୁଥାଏ।
ସେଦିନ ରାତି ଚାରିଟା ବେଳକୁ ମୋ ପାଖରେ ଠିଆ ହୋଇଥିଲା ନବ। "ଆଜ୍ଞା, ମୋ ଝିଅଟିକୁ ଜ୍ୱର , ମୋ ପଡ଼ୋଶୀ ଆସିଛି ଡାକିବାକୁ, ମୁଁ ଘରକୁ ଯିବି।"
ପ୍ରଥମେ ଭାବିଲି, ଠକ ନଂବର ଏକ ଏ ନବ। ଅଧା କାମ ଛାଡ଼ିକି ଘରକୁ ପଳାଏ। ସବୁବେଳେ ଅଲଗା ଅଲଗା ବାହାନା କରି କି ଯାଏ। ଆଜି ହୁଏତ ନୂଆ ବାହାନା। ତାପରେ କ’ଣ ଗୋଟେ ଭାବି, ମୋ ମନ କଥା ମନରେ ରଖି, ତାକୁ ଛାଡ଼ିଦେଲି। "ହଉ ଯାଅ, କିନ୍ତୁ ଶିଘ୍ର ଫେରି କି କାମ ସମ୍ପୂର୍ଣ୍ଣ କରିବ। ସବୁବେଳେ ତୁମ ନାଁରେ କମ୍ପ୍ଲେନ, ଆଜି ଯେମିତି ନହୁଏ।" "ହଉ ଆଜ୍ଞା।"
ପ୍ରାୟ ଦୁଇ ସପ୍ତାହ ପରେ ଆଜି ସକାଳ ଡିଉଟିରେ ନବକୁ ଅଫିସରେ ଦେଖିଲି। ଅସନା ଦେଖାଯାଉଥିଲା। ଦାଢ଼ି ବଲବଲ ମୁହଁରେ କଳା ଛାଇ। ତଳକୁ ମୁହଁ କରି କାମ କରୁଥିଲା। ମୁଁ ବି ୟା ଭିତରେ ବାରଦିନ ଛୁଟିରେ ଗାଁକୁ ଯାଇଥିଲି। ଚିରାଚରିତ ଭାବରେ ନମସ୍କାର କଲା ଓ ଯାଉଥିଲା। ପଛରୁ ଡାକିଲି, "ନବ କ’ଣ ଖବର ? କେମିତି ଅଛ ?" କହିଲା, "ଦୁଇ ଦିନ ହେବ ଡିଉଟି ଆସୁଛି। ସେଦିନ ରାତି ଚାରିଟାରେ ମୋତେ ଡାକିବାକୁ ଯୋଉ ଆସିଥିଲା ମୋ ପଡ଼ୋଶୀ, ଆପଣଙ୍କୁ କହିଁକି ଅଫିସରୁ ଗଲି, ଘରକୁ ଯାଇ ଦେଖିଲା ବେଳକୁ ମୋ ଝିଅଟି ମରିଯାଇଥିଲା।"
ଚମକି ପଡିଲି ମୁଁ, " କେମିତି କ’ଣ ହେଲା ଯେ..?" "ଦିନରେ ଜ୍ବର ହେଇଥିଲା। ରବିବାର ଥିଲା ବୋଲି ମେଡ଼ିକାଲ ନେଇ ନଥିଲି। ସକାଳକୁ ଡିଉଟିରୁ ଫେରିକି ମେଡିକାଲ୍ ନେଇଯାଇଥାନ୍ତି। ହେଲେ, ରାତି ତିନିଟା ବେଳକୁ ସେ ମରିଯାଇଥିଲା।"
ଏଥର ନବ ଠକୁ ନଥିଲା। ତା ଆଖିରେ ଲୁହ ବି ନଥିଲା। କହୁଥିଲା ଯେ "ତା ମା ସେ ଦିନରୁ କାନ୍ଦୁଛି ଯେ କାନ୍ଦୁଛି।"