ଶୋଷ
ଶୋଷ
ସହର ଉପକଣ୍ଠ ଦେବୀ ମା’ ମନ୍ଦିର ବେଢାରେ ପୂଜା ନୁହଁ , ପ୍ରେମ ସାରି ଫେରୁଫେରୁ ମଧ୍ୟାହ୍ନ । ଗରମରେ ଦେହ ପୋଡିଯାଉଥିଲା । ବାଇକ୍ ପଛରୁ ଲିତୁ କହିଲା -
- ରଖ, ରଖ ଟିକେ ।
- କାଇଁ?
- ଭାରି ଶୋଷ!
- ଆଛାହେଉ ।
ଦୋକାନଟିଏ କଡକୁ ଗାଡିରଖି ଥଣ୍ଡା ପାଣି ବୋତଲଟାଏ କିଣିଲି । ଢକଢକ କରି ଲିତୁ ପିଇ ଯାଉଥିଲା ଏକା ନିଶ୍ୱାସରେ ।
- ଏତେ ଶୋଷ?
- ତୁମେ ଥିଲେ ବଢିଯାଏ ପରା!
- ଆଛା ହେଉ ।
ପିଲାଟାଏ ଧକଉଥିଲା ଦୋକାନ କଡ ଛାଇରେ । ଲିତୁ ମୁହଁରୁ ପାଣିଧାରଟିଏ ବୋହି , ତଣ୍ଟି ଉପରଦେଇ ତା କୁର୍ତ୍ତିର 'ଭି' ଦେଇ ପଶିଯାଉଥିଲା ଭିତରକୁ । ଏଇ ମନୋରମ ଦୃଶ୍ୟଟିକୁ ଅପଲକ ଆଖି ନେଇ ଚାହିଁ ରହିଥିଲା ସେ ମଇଳା ପିଲାଟି । ଜାଣିପାରି ଲିତୁ ମୁହଁ ବୁଲାଇ କହିଲା -
- ଛିଇଇଇ!
ମୁଁ ଦୋକାନୀକୁ ପଇସା ଦେଇ ଗାଡି ଷ୍ଟାର୍ଟ କଲି । ବୋତଲର ଶେଷ ଠୋପାକୁ ଜିଭରେ ଢାଳି , ଲିତୁ ତା' ବଳ ପ୍ରମାଣେ ଫୋପାଡିଦେଲା ରାସ୍ତା କଡକୁ । ଏଇ ବାଗରେ ବୋଧେ ପିଲାଟା ଉପରେ ସେ ରାଗ ଓଗାଳିଲା ।
ଏଥର କିନ୍ତୁ ପିଲାଟା ବୋତଲ ମୁହାଁ ହୋଇ କ୍ଷିପ୍ର ଗତିରେ ଧାଇଁଲା ରାସ୍ତା ଧାରକୁ । ଖାଲି ବୋତଲଟାକୁ ଗୋଟାଇ ଏକ ଜରିବ୍ୟାଗରେ ପୁରାଇ ନେଲା ।
ମୋ' ମୁହଁରୁ ଛାଏଁ ବାହାରିଗଲା -
- ଓଃ! କି ଶୋଷ !!!!!!!!