Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଜହ୍ନମାମୁଁ -156
ଜହ୍ନମାମୁଁ -156
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.3K    16


Content Ranking

ଦର୍ପଣବାଲା ରୂପମ୍ 1

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଉକ୍ତ ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ନିଜ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ଶ୍ମାଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍, ମୋର ମନେହୁଏ ତୁମେ ତୁମର ଧନଦୌଲତ ଓ କୀର୍ତ୍ତି-ଯଶରେ ସନ୍ତୁଷ୍ଟ ନୁହଁ । କେଉଁ କାର୍ଯ୍ୟ ସିଦ୍ଧି କରିବା ପାଇଁ ତୁମେ ଏ ଅର୍ଦ୍ଧରାତ୍ରି ସମୟରେ ଏହି ଶ୍ମଶାନ ଭୂମିରେ ଏତେ କଷ୍ଟ କରୁଛ? କିନ୍ତୁ ମୁଁ କହୁଛି ତମେ ଅଧିକ ଧନ, ଐଶ୍ୱର୍ଯ୍ୟ ବା ଯଶ ପାଇଲେ ମଧ୍ୟ, କେବେବି ସନ୍ତୁଷ୍ଟ ହୋଇ ପାରିବ ନାହିଁ । ମଣିଷ ବଡ ବିଚିତ୍ର ଜୀବ; ନିଜ ପାଖରେ ଯାହା ଥାଏ ବା ଯାହା ପାଏ ସେଥିରେ ସେ ଆଦୌ ସନ୍ତୁଷ୍ଟ ହୋଇ ପାରେନାହିଁ, ଅଧିକ ଅଧିକ ଚାହେଁ ଓ ଜୀବନଟି କଷ୍ଟରେ ବିତାଏ । ଏ ବିଷୟରେ ମୁଁ ତୁମକୁ ଗଳ୍ପଟିଏ କହୁଛି ମନଦେଇ ସେ ଗପଟି ଶୁଣ, ଶୁଣିଲେ ତମ ଶ୍ରମଭାର ଲାଘବ ମନେ ହେବ ।”

ଏହାପରେ ସେ ବେତାଳ ଗପିଲା, “ଧବଳପୁରୀରେ ଦୟାରାମ ନାମକ ଜଣେ ବ୍ୟକ୍ତି ଥାନ୍ତି । ସେ ଅତିଥିସତ୍କାର ଯୋଗୁଁ ବହୁତ ବିଖ୍ୟାତ ଥିଲେ । ସେଥିପାଇଁ ଲୋକେ ତାଙ୍କୁ ‘ଅତିଥିପ୍ରିୟ ଦୟାରାମ’ ବୋଲି ନାମ ଦେଇଥା’ନ୍ତି । ରୂପମ୍ ନାମକ ଜଣେ ବ୍ୟକ୍ତି ଦୟାରାମଙ୍କର ପଡୋଶୀ ଥିଲେ । ସେ ମଧ୍ୟ ଦୟାରାମକଙ୍କ ପରି ନାମଯଶ ପାଇବାକୁ ଚାହିଁଲେ । ତେଣୁ ସେ ଅତିଥିସତ୍କାର ପାଇଁ ବହୁତ ଖର୍ଚ୍ଚ କଲେ କିନ୍ତୁ ତାଙ୍କୁ ଖ୍ୟାତି ମିଳିଲା ନାହିଁ ।”

ଦିନେ ରୂପମ୍ଙ୍କ ଘରକୁ ଜଣେ ସାଧୁ ଆସିଲେ । ସେ ଲାଗିପଡି ସେହି ସାଧୁଙ୍କର ଖୁବ୍ ଚର୍ଚ୍ଚା କଲେ ଏବଂ ଶେଷରେ ତାଙ୍କୁ ସେ କହିଲେ, “ମହାଶୟ, ମୋର ଇଚ୍ଛା ଦୟାରାମଙ୍କ ପରି ମୋର ଯଶ କୀର୍ତ୍ତି ମଧ୍ୟ ଚାରିଆଡେ ବ୍ୟାପି ଯା’ନ୍ତା । ମୁଁ ସର୍ବଦା ଅତିଥିମାନଙ୍କର ଚର୍ଚ୍ଚା କଲେ ମଧ୍ୟ ମୋର ନାମଯଶ ଦୟାରାମଙ୍କ ପରି କାହିଁକି ହେଉନାହିଁ?”

ରୂପମ୍ଙ୍କ କଥା ଶୁଣି ସାଧୁ ଅଳ୍ପ ହସି କହିଲେ, “ଦେଖ ରୂପମ୍, ତମେ ନାମଯଶ ପାଇଁ ଆଦୌ ଚିନ୍ତା କରନାହିଁ ଯେତିକି ପାରିବ ଲୋକଙ୍କୁ ସାହାଯ୍ୟ କର, ସେଥିରୁ ସନ୍ତୋଷ ପାଇବ ।”

ରୂପମ୍ଙ୍କୁ ସାଧୁଙ୍କ କଥା ମୋଟେ ଭଲ ଲାଗିଲା ନାହିଁ । ସେ କହିଲେ, “ଆପଣଙ୍କ ପରି ସାଧୁମାନେ କେବଳ ନିଷ୍କାମ କର୍ମହିଁ କରିପାରିବେ । ମୋ ପରି ସାଧାରଣ ମଣିଷ ପାଇଁ ତାହା ସମ୍ଭବ ନୁହେଁ । ପ୍ରତ୍ୟେକ ବ୍ୟକ୍ତି ଚାହେଁ ସେ ଜଣେ ଅସାଧାରଣ ମଣିଷ ହେବ । ସମସ୍ତେ ତା’ର ପ୍ରଶଂସା କରିବେ । ଯଶପ୍ରାପ୍ତ ନ ହେବାରୁ ମୁଁ ଭଲ କାମ କରିବା ପାଇଁ କୌଣସି ଉତ୍ସାହ ପାଉନାହିଁ । ଆପଣ ଏପରି କିଛି କରିଦିଅନ୍ତୁ ଯେ ଅତିଥିସତ୍କାର କରିବା ପାଇଁ ଯେପରି ମୋର ମନ କେବେବି ଦବି ନଯାଏ ।”

ସାଧୁ ଅଳ୍ପ କିଛି ଭାବିବା ପରେ ରୂପମ୍ଙ୍କୁ ଗୋଟିଏ “ମାୟା ଦର୍ପଣ” ଦେଇ କହିଲେ, “ତୁମ ଘରର ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ ପ୍ରକୋଷ୍ଠରେ ଏଇଟି ରଖିବ । ଏଥିରେ କୁରୂପ ଥିବା ଲୋକର ରୂପ ସୁନ୍ଦର ଦିଶିବ । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ରୂପକୁ ଅଧିକ ସୁନ୍ଦର ଭାବରେ ଦେଖିଲେ ଅତ୍ୟନ୍ତ ପ୍ରସନ୍ନ ହୋଇ ତୁମର ପ୍ରଶଂସା କରିବେ । କ୍ରମେ ତୁମର ଯଶ ବ୍ୟାପିଯିବ ।” ଏତିକି କହି ସାଧୁ ସେଠାରୁ ଚାଲିଗଲେ ।

ସେହିଦିନଠାରୁ ଅତିଥିଙ୍କ ସଂଖ୍ୟା ଜୋର୍ରେ ବଢିବାରେ ଲାଗିଲା । ସମସ୍ତେ ନିଜ ନିଜର ସୁନ୍ଦର ଚେହେରା ଦେଖି ବାହାରେ ସେ ବିଷୟରେ ଖୁବ୍ ଆଲୋଚନା କଲେ । କିଛିଦିନ ମଧ୍ୟରେ ସମସ୍ତେ ରୂପମ୍କୁ ନାମ ଦେଲେ, “ଦର୍ପଣବାଲା ରୂପମ୍ ।”

ଗ୍ରାମର ଜମିଦାର ଏହି ମାୟାଦର୍ପଣ ବିଷୟରେ ଶୁଣି ଦିନେ ରୂପମ୍ଙ୍କୁ ନିମନ୍ତ୍ରଣ କରି କହିଲେ ଯେ ସେ ଯେପରି ଦର୍ପଣଟିକୁ ଧରି ଆସନ୍ତି । ରୂପମ୍ ସେହି ଦର୍ପଣଟି ଧରି ଜମିଦାରଙ୍କ ପାଖରେ ପହଁଚିଲେ ।

ସେହି ଦର୍ପଣରେ ନିଜ ଚେହେରା ଦେଖି ଜମିଦାର କହିଲେ, “ଏଥିରେ ତ ମୋ ଚେହେରା ଅସୁନ୍ଦର ଦିଶୁଛି? ଏପରି କାହିଁକି ହେଲା?”

ତା’ପରେ ଜମିଦାରଙ୍କର ସମସ୍ତ କର୍ମଚାରୀ ସେଥିରେ ନିଜ ନିଜର ମୁହଁ ଦେଖିଲେ ଓ ସେହି ଏକହିଁ ମତ ଦେଲେ ।

ଜମିଦାର ରାଗିଯାଇ କହିଲେ, “ଭୁଲ୍ କଥା ପ୍ରଚାର କରି ଯଶ ଅର୍ଜ୍ଜନ କରିବାକୁ ଚାହୁଁଛ?” ତା’ପରେ ଦର୍ପଣକୁ ସେ ଭୂଇଁ ଉପରେ କଚାଡି ଦେଲେ । ଆଶ୍ଚର୍ଯ୍ୟର କଥା ଦର୍ପଣ ମଧ୍ୟ ଭାଙ୍ଗିଲା ନାହିଁ । ରୂପମ୍ ମନ ଦୁଃଖରେ ଦର୍ପଣଟିକୁ ଧରି ନିଜ ଘରକୁ ଲେଉଟି ଆସିଲେ ।

ବିକ୍ରମାର୍କ ମାୟା ଦର୍ପଣ ଜମିଦାର

Rate the content


Originality
Flow
Language
Cover design

Comments

Post

Some text some message..