Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶ୍ରୀ ଜଗନ୍ନାଥ ଓ ଆୟୁର୍ବେଦ
ଶ୍ରୀ ଜଗନ୍ନାଥ ଓ ଆୟୁର୍ବେଦ
★★★★★

© Dr Jagatabandhu Mohapatra

Abstract

4 Minutes   7.5K    14


Content Ranking

" ଶ୍ରୀଜଗନ୍ନାଥ" ଅନନ୍ତ କାଳରୁ ପୁରାଣ , ଧର୍ମ , ସଂସ୍କୃତି ,ଇତିହାସ ଓ ଆଧ୍ୟାତ୍ମିକ ଜଗତର ପ୍ରାଣ କେନ୍ଦ୍ର । ବ୍ରହ୍ମ ପୁରାଣ , ସ୍କନ୍ଧ ପୁରାଣ , ନୀଳାଦ୍ରୀମହୋଦୟ , ନାରଦ ପୁରାଣ , କପିଳ ସଂହିତା ଓ ବାମଦେବ ସଂହିତା ପ୍ରଭୃତି ଶାସ୍ତ୍ର ଝଙ୍କୃତ ହୋଇ ଉଠିଛି , ତାଙ୍କରି ଗୁଣଗାନଗାଥାରେ , ଧର୍ମଜଗତରେ ଆଲୋଡନ ସୃଷ୍ଟି କରିଛି , ତାଙ୍କର ଧର୍ମାଦର୍ଶ , ଦର୍ଶନ ଓ ଚିନ୍ତାଧାରା । ଗୋଟିଏ ସ୍ୱତନ୍ତ୍ର ସଂସ୍କୃତି - ଜଗନ୍ନାଥ ସଂସ୍କୃତି ପରିପ୍ରକାଶ ଲାଭ କରିଛି, ତାଙ୍କୁ ହିଁ କେନ୍ଦ୍ର କରି , ଇତିହାସ ଗଢ଼ି ଉଠିଛି, ତାଙ୍କୁ ଆଧାର କରି ଏବଂ ସେ ହିଁ ଇତିହାସର ସୃଷ୍ଟିକର୍ତ୍ତା ହୋଇଛନ୍ତି ଏବଂ ସର୍ବୋପରି ଆଧ୍ୟାତ୍ମିକ ଆକାଶର ସେ ହେଉଛନ୍ତି, ଉଜ୍ଜ୍ଵଳତମ ନକ୍ଷତ୍ର । ବେଦ , ଉପନିଷଦ, ରାମାୟଣ ,ମହାଭାରତ ତଥା ପୁରାଣ ସାହିତ୍ୟର ସ୍ରଷ୍ଟା , କର୍ତ୍ତା ତଥା ନାୟକ ହେଉଛନ୍ତି ଶ୍ରୀଜଗନ୍ନାଥ ।

ମହାଭାରତରେ ଜଗନ୍ନାଥ ଧର୍ମ ସମ୍ବନ୍ଧରେ କୁହାଯାଇଛି ,

"ଏଷଧର୍ମ ଜଗନ୍ନାଥାତ୍ ସାକ୍ଷାତ୍ ନାରାୟଣାତ୍ ନୃପଃ" l

"ଏବମେଷ ମହାଧର୍ମଃ ସତେ ପୂର୍ବେ ନୃପୋତ୍ତମଃ" l l

ମହାଭାରତ ଯୁଗରେ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ନାରାୟଣ ସ୍ୱରୂପରେ ଏବଂ ଜଗନ୍ନାଥ ଧର୍ମକୁ ମହା ଧର୍ମ ଭାବରେ ଗ୍ରହଣ କରାଯାଇଛି ।

ଶ୍ରୀ ଜଗନ୍ନାଥ ଲୀଳାମୟ । ସେ ସଗୁଣ - ନିର୍ଗୁଣ , ପରଂବ୍ରହ୍ମ । ସେ ସନାତନ । ସେ ଦାରୁବ୍ରହ୍ମ। ଅନିର୍ବଚନୀୟ ସଚ୍ଚିଦାନନ୍ଦ । ସେ ଅବ୍ୟକ୍ତ - ଗୁଣାକାର - ଇନ୍ଦ୍ରିୟାତିତ ।

ବିଷ୍ଣୁ ସହସ୍ରନାମରେ ଉଲ୍ଲେଖଥିବା ତିନିଗୋଟି ନାମ , ଔଷଧମ୍ , ଭେଷଜମ୍ , ଭିଷକ, ଏହା ପ୍ରମାଣ କରୁଛି ଯେ ଶ୍ରୀ ଜଗନ୍ନାଥ ହିଁ ଚିକିତ୍ସକ , ସେ ହିଁ ଔଷଧ , ସେ ହିଁ ପଥ୍ୟ ।

ଶ୍ରୀମଦ୍ଭଗବତଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ଉପଦେଶ ଦେବା ଛଳରେ କହିଛନ୍ତି l

"ଅହଂ କ୍ରତୁରହଂ ଯଜ୍ଞ ସ୍ବଧାହମହମୌଷଧମ୍" l

"ମନ୍ତ୍ର ଅହଂ ହମେବାଜ୍ୟମହମଗ୍ନିରହମ ହୁତମ" l l

ଅର୍ଥାତ ମୁଁ କ୍ରତୁ , ମୁଁ ଯଜ୍ଞ, ମୁଁ ସ୍ୱଧା , ମୁଁ ଔଷଧ , ମୁଁ ମନ୍ତ୍ର , ମୁଁ ଘୃତ , ମୁଁ ଅଗ୍ନି ଏବଂ ମୁଁ ହିଁ ହବନରୂପୀ କ୍ରିୟା ।

ଆୟୁର୍ବେଦ ମଧ୍ୟ ଗଢିଉଠିଛି, ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି । ଭଗବାନ ଧନନ୍ତରୀ ଆୟୁର୍ବେଦର ଆଦି ପ୍ରବର୍ତ୍ତକ। ସେ ବିଷ୍ଣୁଙ୍କର ସାକ୍ଷାତ ଅବତାର ।

ତତୋ ଧନନ୍ତରୀବିଷ୍ଣୁରାୟୁବେଦ ପ୍ରବର୍ତ୍ତକଃ

ଶ୍ୱେତମକ ମଣ୍ଡଳୁମ ପୂର୍ଣ୍ଣମ ମୃତେନ ସମୁସ୍ଥିତ l l (ଅଗ୍ନିପୁରାଣ)

ଆୟୁର୍ବେଦର ପ୍ରତିଷ୍ଠା ପାଇଁ ଭଗବାନ ବିଷ୍ଣୁ ଧନନ୍ତରୀ ଭାବରେ ପୂର୍ଣ୍ଣଅମୃତ କୁମ୍ଭ ଧରି ଅବତୀର୍ଣ୍ଣ ହୋଇଥିଲେ । ସେଥିପାଇଁ ଆୟୁର୍ବେଦ ଚିକିତ୍ସା ବିଜ୍ଞାନ ବ୍ୟତୀତ ସାମାଜିକ ବିଜ୍ଞାନ , ସ୍ୱାସ୍ଥ୍ୟ ବିଜ୍ଞାନ , ମାନସିକ ବିଜ୍ଞାନ , ଆଧ୍ୟାତ୍ମିକ ବିଜ୍ଞାନ , ଦର୍ଶନ , କଳା , ସଂସ୍କୃତି ,ସାହିତ୍ୟ ଆଦି ସମସ୍ତ ଦିଗରୁ ପୁଷ୍ଟ ଓ ପରିପୂର୍ଣ୍ଣ ।

ଇତିହାସର ପୃଷ୍ଠା ଉନ୍ମୋଚନ କଲେ ଜଣାଯାଏ , କାଶୀର ରାଜା ଦିବୋଦାସ ଧନନ୍ତରୀ ଥିଲେ । ରାଜ୍ୟର ଶାସନ ପରିଚାଳନା କରିବା ସହିତ ରୋଗ ଚିକିତ୍ସା କରିବା ତାଙ୍କର ଦୈନନ୍ଦିନ କାର୍ଯ୍ୟ ଥିଲା । ଵୈଦ୍ୟ ହିସାବରେ ତାଙ୍କର ସୁନାମ ଚତୁର୍ଦ୍ଦିଗରେ ବ୍ୟାପି ଯାଇଥିଲା । ପ୍ରତିଦିନ ହଜାର ହଜାର ବ୍ୟଧିଗ୍ରସ୍ତ ନରନାରୀ କାଶୀ ଆସି ଧନନ୍ତରୀଙ୍କ ଚିକିତ୍ସା ବଳରେ ରୋଗମୁକ୍ତ ହେଉଥାନ୍ତି ।

ଥରେ ଗୋଟିଏ ବିଚିତ୍ର ଘଟଣା ଘଟିଲା । ଜଣେ ବ୍ୟାଧି ପ୍ରପୀଡ଼ିତ ଦୁରାରୋଗ୍ୟ ଲୋକ ଚିକିତ୍ସା ନିମିତ୍ତ ତାଙ୍କର ଦ୍ୱାରସ୍ଥ ହେଲା । ଧନନ୍ତରୀ ରୋଗର ବିବରଣୀ ବୁଝି ରୋଗୀକୁ ଔଷଧ ଦେଲେ । ରୋଗୀ ଔଷଧ ଗ୍ରହଣ କରି ସ୍ବଗୃହକୁ ପ୍ରତ୍ୟାବର୍ତ୍ତନ କଲା । ରୋଗ ଯେତେ ଦୁଃସାଧ୍ୟ ହେଲେ ମଧ୍ୟ କୌଣସି ବ୍ୟକ୍ତି ଦ୍ୱିତୀୟ ଥର ଧନନ୍ତରୀଙ୍କ ଦ୍ୱାରସ୍ଥ ହୁଏ ନାହିଁ । କିନ୍ତୁ ବ୍ୟାଧି ଉପଶମ ନ ହେବାରୁ ରୋଗୀଟି ପୁନର୍ବାର ଧନନ୍ତରୀଙ୍କ ଦ୍ୱାରସ୍ଥ ହେଲା । ଧନନ୍ତରୀ ରୋଗୀର ଅବସ୍ଥା ବୁଝି ପୁନର୍ବାର ଔଷଧ

ପ୍ରଦାନ କରିବା ସତ୍ତ୍ୱେ ରୋଗ ଉପଶମ ହେଲା ନାହିଁ ।

ଧନନ୍ତରୀ କିଂକର୍ତ୍ତବ୍ୟମୁଢ ହୋଇଗଲେ l ଅନ୍ୟ ଉପାୟ ନ ପାଇ ରୋଗୀକୁ ଧରି ସେ ପୁରୁଷୋତ୍ତମ କ୍ଷେତ୍ରରେ ପହଁଚିଲେ l ପୁରୁଷୋତ୍ତମ କ୍ଷେତ୍ରରେ ପହଞ୍ଚି ଧନନ୍ତରୀ ଅରୁଣସ୍ତମ୍ଭ ପାଖରେ ଜଣେ କଳା କିଟିକିଟି ଲୋକ ଠିଆ ହୋଇଥିବାର ଦେଖିଲେ l ଧନନ୍ତରୀଙ୍କୁ ଦେଖୁ ଦେଖୁ ଲୋକଟି ହସି ହସି ତାଙ୍କ ଆଡ଼କୁ ଆଗେଇ ଆସି ଚିନ୍ତାଗ୍ରସ୍ତ ହେବାର କାରଣ ପଚାରିଲା l ଧନନ୍ତରୀ ନିଜର ବଡ଼ିମାକୁ ତଳେ ନ ପକାଇ ନିଜର ପରିଚୟ ନ ଦେଇ ନିଜେ ଚିକିତ୍ସା କରିବା କଥା ଲୁଚାଇ ଦେଇ ରୋଗୀର ରୋଗ ଓ ତାକୁ ଦିଆଯାଇଥିବା ଔଷଧ କଥା ସବୁ କହିଲେ l

କଳା ଲୋକଟି ସବୁ ଶୁଣିସାରି ଧନନ୍ତରୀଙ୍କୁ କହିଲା, ମୋ ମନରେ ସନ୍ଦେହ ଉପୁଜୁଛି ?

ଜଣେ ଜଣେ ଚିକିତ୍ସକ ଯେତେ ପାରଙ୍ଗମ ହେଲେ ମଧ୍ୟ ବିଷହସ୍ତା ହୋଇଥାନ୍ତି l ଯେତେ ଚେଷ୍ଟା କଲେ ବି ତାଙ୍କ ଦେବା ଅମୃତ ଔଷଧ ତାଙ୍କ ହସ୍ତ ସ୍ପର୍ଶରେ ରୋଗୀ ପାଇଁ ବିଷ ହୋଇଯାଏ l ଧନନ୍ତରୀ କହିଲେ, ନା' ନା', ଏ ଚିକିତ୍ସକ ବିଷହସ୍ତା ନୁହନ୍ତି l ତାଙ୍କ ଚିକିତ୍ସା ବଳରେ ହଜାର ହଜାର ରୋଗୀ ଭଲ ହୋଇଯାଇଛନ୍ତି l କେବଳ ଏଇ ରୋଗୀ........

କଳା ଲୋକଟି ହସି ହସି ଉତ୍ତର ଦେଲା, ତା' ହେଲେ ତ ଚିକିତ୍ସା ଅତି ସହଜ l ଧନନ୍ତରୀ ପଚାରିଲେ, କିପରି?

ଯେଉଁ ଔଷଧ ତାକୁ ଦିଆଯାଇଛି, ସେ ଔଷଧ ସାଙ୍ଗରେ ଅଛି?

କଳା ଲୋକଟି ପଚାରିଲା l ଧନନ୍ତରୀ ହଁ କହିଲେ, ମୋ ହାତକୁ ଦିଅ, କଳା ଲୋକଟି ମାଗିଲା l ଧନନ୍ତରୀ ନିଜ ଝୁଲା ମୁଣିରୁ ଔଷଧ ପୁଡିଆଟି ବାହାର କରି ବଢ଼େଇ ଦେଲେ l କଳା ଲୋକଟା ରୋଗୀ ଆଖି ଉପରେ ନିଜର ବାମ ହାତଟିକୁ ରଖି ତା ଆଖି ଦୁଇଟିକୁ ବୁଜିଦେଲେ ଓ ସେ ଔଷଧ ତାକୁ ଖୁଆଇ ଦେଲେ l

ଧନନ୍ତରୀ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିବାର ଦେଖି କଳା ଲୋକଟି ପଚାରିଲା, କିଛି ବୁଝିପାରିଲେ l ଧନନ୍ତରୀ ଉତ୍ତର ଦେଲେ, ନା l

କଳା ଲୋକଟି କହିଲା , ଯେମିତି କେତେ ବୈଦ୍ୟ ବିଷହସ୍ତା ଥାନ୍ତି , ସେମିତି କେତେକ ରୋଗୀ ବିଷଦ୍ରଷ୍ଟା ଥାନ୍ତି । ସେମାନଙ୍କ ଆଖି ଯାହା ଉପରେ ପଡ଼େ , ଏପରିକି ତାଙ୍କୁ ଦିଆ ଯାଇଥିବା ଔଷଧ ଉପରେ ପଡିଲେ, ସେ ଅମୃତ ହେଲେ ବି ବିଷରେ ପରିଣତ ହେଇଯାଏ । ସେ ଔଷଧ ଆଉ କାମ କରିବ କେମିତି?

ସତକୁ ସତ ରୋଗୀର ରୋଗ ଭଲ ହେଇଗଲା । ଗରୁଡ଼ ସ୍ତମ୍ଭ ପାଖରେ ଠିଆ ହୋଇ ରୋଗୀ ରତ୍ନ ସିଂହାସନ ଆଡ଼କୁ ଚାହିଁ କହିଲା, ମହାରାଜ, ମତେ ଲାଗୁଛି ସେଦିନ ଯେଉଁ ଲୋକଟି ଔଷଧ ଦେଇଥିଲା, ତା ମୁହଁ ଯେମିତି ଏ ଜଗନ୍ନାଥଙ୍କ ମୁହଁ ଠିକ ସେମିତି ତେବେ କ'ଣ.....?

ହଁ, ଏ ସେହି ବୈଦ୍ୟ ...ଉତ୍ତର ଦେଉ ଦେଉ ଧନନ୍ତରୀ ଲମ୍ବ ହୋଇ ପଡିଗଲେ, ମହାପ୍ରଭୁଙ୍କ ଜଗମୋହନରେ ।

ସହାୟକ ଗ୍ରନ୍ଥସୂଚୀ :-

୧. ଅଷ୍ଟାଙ୍ଗ ହୃଦୟ (ସୂତ୍ରସ୍ଥାନ) - ଡାକ୍ତର ବ୍ରହ୍ମାନନ୍ଦ ତ୍ରିପାଠୀ

୨. ଚରକ ସଂହିତା (ଚରକ ଚନ୍ଦ୍ରିକା ବ୍ୟାଖ୍ୟା) - ଡାକ୍ତର ବ୍ରହ୍ମାନନ୍ଦ ତ୍ରିପାଠୀ

୩. ମହଲଷ୍ମୀ, ମହାପ୍ରସାଦ, ମହାପ୍ରଭୁ - ରବୀନ୍ଦ୍ର ନାରାୟଣ ମିଶ୍ର

୪. ଶ୍ରୀମଦଭାଗବତଗୀତା - ଜୟଦୟାଲ ଗୋୟନ୍ଦକା

ଶ୍ରୀ ଜଗନ୍ନାଥ ଅନନ୍ତ ସଂସ୍କୃତି

Rate the content


Originality
Flow
Language
Cover design

Comments

Post

Some text some message..