Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Kar

Others

2.5  

Sachidananda Kar

Others

ଗାର୍ଲ୍ସ କମନରୁମ୍ : କଥା ଓ ବ୍ୟଥା

ଗାର୍ଲ୍ସ କମନରୁମ୍ : କଥା ଓ ବ୍ୟଥା

2 mins
374


ଗାର୍ଲ୍ସ କମନରୁମ୍।ମୁହାଁମୁହିଁ ବସିଥିଲେ ମିତା ଓ ସ୍ବପ୍ନା।

-  ତୋ ଓଠରେ କଳାଜାଇଟେ ଅଛି ମାନେ ତୁ ନିଶ୍ଚେ ଭଲପାଇ ବାହା ହେବୁ।ତତେ ଜଣେ ଭଲପାଇବ। ମିତାକୁ କହିଲା ସ୍ବପ୍ନା।

ମିତା ଟିକେ ବିରକ୍ତ ହୋଇ କହିଲା -  ସେଦିନ ରୁବିର ପିଠି ଉପରେ ଫିଟି ପଡିଥିବା ତାର ଚୁଟି ଦେଖି କହିଲୁ, ତୋର ଚୁଟି କଳାହାଣ୍ଡିଆ ମେଘ ପରି।ନିଶ୍ଚେ ତତେ ଜଣେ ପ୍ରେମ କରିବାକୁ ଆଗେଇ ଆସିବ।ତୋର ପ୍ରେମ ବାହାଘର ହେବ।କହିଥିଲୁ ନା ?

-  ହଁ, କହିଥିଲି।  ସ୍ବପ୍ନା କହିଲା।

ମିତା କହିଲା -  ଆଉ ଦିନେ ସୁଶ୍ରୀକୁ ତୁ କହିଥିଲୁ, ତୁ ଗୋଟେ ହସକୁରୀ ଝିଅ।ତୋ ହସ ମନଜିଣା।ଖୁବ୍ ଶୀଘ୍ର କିଏ ହେଲେ ତତେ ଭଲ ପାଇ ବସିବ।କହିଥିଲୁ ନା ?

-  ହଁ, କହିଥିଲି।  ସ୍ବପ୍ନା କହିଲା।

ମିତା ପୁଣି କହିଲା -  ସେଦିନ ମାମାର ଓଠ ଦେଖି କହିଲୁ,ତୋ ଓଠ ଗୋଲାପୀ ଗୋଲାପୀ।ତୋର ପ୍ରେମିକ ଖୁବ୍ ଶିଘ୍ର ତତେ ଆଇ ଲଭ୍ ୟୁ କହିବ।ତୋର ପ୍ରେମ ବାହାଘର ସୁନିଶ୍ଚିତ।

-  ହଁ,କହିଥିଲି।  ସ୍ବପ୍ନା କହିଲା।

ମିତା କହିଲା -  ଦିନେ ସୁମୀର ପାଦ ଦୁଇଟାକୁ ଖୁବ୍ ପ୍ରଶଂସା କଲୁ।ଲକ୍ଷ୍ମୀପାଦ ବୋଲି କହିଲୁ।ପରେ କହିଲୁ, ଗୋଟେ ଧନୀଘର ପିଲା ସହିତ ତୋର ପ୍ରେମ ହେବ।

-  ହଁ,କହିଥିଲି । ସ୍ବପ୍ନା କହିଲା।

ମିତା ପୁଣି କହିଲା -  ଲଗ୍ନାର ଚାଲିକି ସେଦିନ ପ୍ରଶଂସା କଲୁ ତୁ।ରାଜହଂସୀ ଚାଲି ବୋଲି କହିଲୁ।କହିଲୁ,ତତେ ଜଣେ ଭଲପାଇବ।ତୋର ପ୍ରେମ ବାହାଘର।

-  ହଁ,କହିଥିଲି।  ସ୍ବପ୍ନା କହିଲା।

ମିତା କହିଲା -  ଆଉ ଦିନେ ପ୍ରିୟାର ଛାତି ଆଡେ ଚାହିଁ ରହିଲୁ ଯେ ଚାହିଁ ରହିଲୁ।ସୁନ୍ଦର, ସୁଉଚ୍ଚ, ଆକର୍ଷଣୀୟ - ଆହୁରି କେତେ କଣ ବିଶେଷଣ ଲଗେଇ ଦେଲୁ।ଶେଷରେ କହିଲୁ, ତୋର ଏଭଳି ଛାତି ଦେଖିଲେ ତତେ କିଏ ପ୍ରେମ ନିବେଦନ ନ କରିବ କହତ !ତୁ ଭଲପାଇ ବାହାହେବୁ।

-  ହଁ, କହିଛି ନିଶ୍ଚୟ। ସ୍ବପ୍ନା କହିଲା।

ଏହାପରେ ମିତା ଗୋଟେ ଦୀର୍ଘଶ୍ବାସ ବାହାରକୁ ଦେଇ କହିଲା -  ସେମାନଙ୍କ କଥା ସେମାନେ ଆସିଲେ କହିବେ।ମୋ କଥା ମୁଁ କହୁଛି ଶୁଣ୍।ଆଜିଯାଏ କେହି ମତେ ଭଲ ପାଇନାହିଁ।ତୁ ଗୋଟେ ପକ୍କା ମିଛେଇ।

-  ଲାଗୁଛି ସମସ୍ତେ ଏକାଠି ହୋଇ ଆଜି ମୋତେ ଆକ୍ରମଣ କରିବ।  ସ୍ବପ୍ନା କହିଲା।ଟିକେ ଡରିଗଲା ମନେମନେ।

ସମସ୍ତେ ଆସି ପହଞ୍ଚିଲେ।

-  କାହିଁ କେହି ଜଣେ ପ୍ରେମିକ ତ ଆସିନି ଏଯାଏଁ।ଯେମିତି ଥିଲି ସେମିତି ଅଛି।ତୁ ଏଡେ ମିଛେଇ ! କାହିଁକି ଏମିତି ମନଗଢା କଥା କହୁ କିଲୋ ତୁ ?

ଏଇ ଗୋଟିଏ କଥା ଥିଲା ସମସ୍ତଙ୍କ ମୁହଁରେ।

ସମସ୍ତଙ୍କୁ ଶୁଣିଲା ସ୍ବପ୍ନା।ଟିକେ ଗମ୍ଭୀର ହୋଇ କହିଲା -  ସେ କଳାଜାଇ ହେଉ କି କଳାବଉଦିଆ କେଶ,ଗୋଲାପୀ ଓଠ ହେଉ କି ସୁନ୍ଦର ଲକ୍ଷ୍ମୀପାଦ,ହସହସ ମୁହଁ ହେଉ କି ରାଜହଂସୀ ଚାଲି, ହେଉ ଅବା ଆକର୍ଷଣୀୟ ଛାତି - ଆମ ପରି ନିମ୍ନ ମଧ୍ୟବିତ୍ତ ଝିଅଙ୍କ ଜୀବନରେ ତାର କିଛି ମୂଲ୍ୟ ନାହିଁ।ଏହି କଥାଟି କହିବାକୁ ଭୁଲି ଯାଇଥିଲି।ଆଜି କହିଦେଉଛି।

ସ୍ବପ୍ନାର ଏହି କଥା ଶେଷରେ ସମସ୍ତେ ସ୍ତବ୍ଧ ହୋଇଗଲେ।ପରସ୍ପରକୁ ଚାହାଁଚାହିଁ ହେଲେ।

ସେମାନଙ୍କ ମୁହଁ ସବୁ ଧୀରେ ଝାଉଁଳା ଦିଶିଲା।

ଏହାପରେ କେବଳ ଦୀର୍ଘଶ୍ବାସ ଆଉ ଦୀର୍ଘଶ୍ବାସ।


Rate this content
Log in