Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମି ଠୁ
ମି ଠୁ
★★★★★

© Sasmita Mohanty

Tragedy

6 Minutes   1.9K    11


Content Ranking

ମି ଠୁ !!! ମି ଠୁ !!! ମି ଠୁ !!!

ଏବେ ସବୁଠି ମି ଠୁ ର ଚର୍ଚ୍ଚା।ଯୁଗେ ଯୁଗେ ନାରୀମାନେ ହିଁ ପୁରୁଷର ଘୃଣ୍ଯ କାମନା ବାସନାର ଶିକାର ହୋଇଥାନ୍ତି।କେତେବେଳେ ନିଜର ଲଜ୍ଜା ବା ସଂକୋଚ ପାଇଁ ତ କେତେବେଳେ ପରିବାରର ସମ୍ମାନ ପାଇଁ,କେବେ ନିଜର କ୍ଯାରିଅର ପାଇଁ ତ କେବେ ସମାଜର ବଡପଣ୍ଡାଙ୍କର ନାଲି ଆଖିକୁ ଡରି ସେମାନେ ଚୁପ୍ ରହିଥାନ୍ତି।ସେମାନେ କାହାକୁ କିଛି କୁହନ୍ତି ନାହିଁ ସତ କିନ୍ତୁ ନିଜ ଭିତରେ ଅପମାନର ନିଆଁରେ ଅହରହ ଜଳୁ ଥାଆନ୍ତି।ସୁଯୋଗ ପାଇଲେ ନ୍ଯାୟ ପାଇଁ ଲଢେଇ କରିବାକୁ ଭୁଲନ୍ତି ନାହିଁ।ଆଜି ଯଦି ନାରୀଟିଏ ନିଜ ଭିତରେ ସାହାସ ଜୁଟେଇ ଅତୀତରେ ତାସହ ଘଟିଥିବା ଘଟଣା ସମ୍ପର୍କରେ ଅଭିଯୋଗ କରୁଛି ସେ ଗୋଟିଏ ପ୍ରଶ୍ନର ସମ୍ମୁଖୀନ ହେଉଛି ଆଜି ପର୍ଯ୍ୟନ୍ତ ଚୁପ୍ ଥିଲ କାହିଁକି ? ପ୍ରମାଣ କଣ ଅଛି ?

ଏତେ ବର୍ଷ ପରେ କି ପ୍ରମାଣ ସେ ବା ଦେଇପାରିବ ? ମନେ ମନେ ହସିଲା ସେ।କୋଡିଏ ବର୍ଷ ତଳେ ସେ ନିଜେ କିନ୍ତୁ କାହାକୁ ଭୃକ୍ଷେପ ନକରି ସାହାସ ବାନ୍ଧି ଅଭିଯୋଗ କରିଥିଲା।ହେଲେ କଣ ପାଇଥିଲା ସେ !!

× × × × ×

ଶ୍ବେତା ମିଶ୍ର,ସହରର ପ୍ରତିଷ୍ଠିତ ବ୍ଯବସାୟୀ ମିଶ୍ର ଟ୍ରେଡର୍ସର ମାଲିକ ସ୍ବପ୍ନକାନ୍ତ ମିଶ୍ରଙ୍କ ଅଲିଅଳୀ ଝିଅ।ସୁନ୍ଦର, ସରଳ, ବନ୍ଧୁ ବତ୍ସଳ,ଭଲ ପାଠ ପଢିବା ସହ ନାଚ ଗୀତ ଓ ଅଭିନୟ ସବୁଥିରେ ପାରଦର୍ଶିତା ଥିବାରୁ ସମସ୍ତଙ୍କର ପ୍ରିୟପାତ୍ରୀ ଥିଲା ସେ।ସେଥର କଲେଜର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ସିନିଅର ଛାତ୍ର ସୁବ୍ରତ ସହ ପରିଚୟ ହୁଏ ତାର।ସୁବ୍ରତ ବହୁତ ସୁନ୍ଦର ଗୀତ ଗାଏ।ଏମିତି ଦେଖା ସାକ୍ଷାତ ଓ କଥାବାର୍ତ୍ତା ହେଉ ହେଉ ପରସ୍ପରକୁ ଭଲପାଇ ବସିଲେ।

ସୁବ୍ରତର ଆର୍ଥିକ ଅବସ୍ଥା ଏତେଟା ସ୍ବଚ୍ଛଳ ନୁହେଁ।ଘରେ ବିଧବା ମାଆ ଓ ତିନି ତିନିଟା ବିବାହଯୋଗ୍ଯା ଭଉଣୀ।ବି ଏ ପାଶ୍ କଲାପରେ ଆଉ ଅଧିକ ପଢିବା ସମ୍ଭବ ନୁହେଁ ଜାଣି ପରୀକ୍ଷା ସରୁ ସରୁ ଚାକିରୀ ଅନ୍ବେଷଣରେ ମନ ଦେଲା ସୁବ୍ରତ।ଅଧିକ ବିଳମ୍ବ ନ କରି ପ୍ରଥମେ ପାଇଥିବା ଗୋଟିଏ ପ୍ରାଇଭେଟ କମ୍ପାନୀରେ କିରାଣୀ ଭାବରେ ଯୋଗ ଦେଲା।ଶ୍ବେତାର ପଢା ଶେଷ ହେବା ପରେ ତା ପାଇଁ ବିଭିନ୍ନ ଆଡୁ ଭଲ ଭଲ ପ୍ରସ୍ତାବମାନ ଆସିଲା।ବାପା ତା ବାହାଘର ପାଇଁ ବ୍ଯସ୍ତ ହୋଇ ପଡିଲେ।ଶ୍ବେତା ବାପାଙ୍କୁ ସୁବ୍ରତ କଥା କହିଲା।ସବୁ ଶୁଣିବା ପରେ ବାପା ସୁବ୍ରତକୁ ଭୁଲି ଯାଇ ଅନ୍ୟତ୍ର ବିବାହ କରିବାକୁ କହିଲେ।ସେ ଯେତେ ବୁଝେଇଲେ ମଧ୍ୟ ବାପା ବୁଝିବାକୁ ନାରାଜ ଥିଲେ।ସୁବ୍ରତକୁ ଛାଡି ବଞ୍ଚିବା ଅସମ୍ଭବ ଜାଣି ସେ ବାଧ୍ୟ ହୋଇ ଘର ଛାଡିବାକୁ ନିଷ୍ପତ୍ତି ନେଲା।କାହାକୁ ନ ଜଣାଇ ସେ ଘରୁ ଲୁଚି ଚାଲି ଆସିଲା ଓ ସୁବ୍ରତକୁ ମନ୍ଦିରରେ ବିବାହ କଲା।

ଏ ଘଟଣା ପରେ ବାପା ଅପମାନିତ ବୋଧ କରି ତାକୁ ତେଜ୍ଯ ପୁତ୍ରୀ କରି ଦେଇ ଥିଲେ ଓ ବୋଉ ନିଜର ମାନସିକ ଭାରସାମ୍ୟ ହରାଇ ପାଗଳୀ ହୋଇ ଯାଇଥିଲା।ସୁବ୍ରତର ମାଆ କିନ୍ତୁ ତାକୁ ଆଦରି ନେଇ ବୋହୁ ଭାବରେ ସ୍ବୀକୃତି ଦେଇଥିଲେ।ଜନ୍ମରୁ ଅତି ଅଲିଅଳରେ ବଢିଥିବା ଶ୍ବେତାକୁ ଗାଁ ରେ ମାଆ ପାଖରେ ଛାଡି ଅଷ୍ଟମଙ୍ଗଳା ପରଦିନ ସୁବ୍ରତ ଆସି କାର୍ଯ୍ୟରେ ଯୋଗ ଦେଲା।ପ୍ରଥମେ ପ୍ରଥମେ ଗାଁ ପରିବେଶରେ ଚଳିବାକୁ ବହୁତ କଷ୍ଟ ହେଉଥିଲେ ମଧ୍ୟ ସୁବ୍ରତର ପ୍ରେମ ପାଇଁ ହସି ହସି ସବୁ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚଳିବାକୁ ଚେଷ୍ଟା କରୁଥିଲା।ତା ଅବସ୍ଥା ପାଇଁ ସୁବ୍ରତ ନିଜକୁ ଦାୟୀ କରି ବହୁତ ମନ ଦୁଃଖ କରୁଥିଲା।କ୍ରମେ ସବୁ ଦେହସୁଆ ହୋଇଗଲା।

ବିବାହର ତିନି ବର୍ଷ ପରେ ସୁବ୍ରତ ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ଯ ହେଲା।ନୂଆ ଚାକିରୀରେ ଯୋଗ ଦେଇ କ୍ବାଟର ପାଇବା ପରେ ଶାଶୁ ତାକୁ ବାଧ୍ୟ କରି ତାସହ ପଠେଇ ଦେଲେ।ଧୀରେ ଧୀରେ ଭଉଣୀମାନଙ୍କ ବାହାଘର ସରିଗଲା।ତାକୁ ମାତୃତ୍ବର ଗୌରବରେ ଗୌରବାନ୍ବିତ କରି ସୋନଲ୍ ତାଙ୍କ ଜୀବନ ପରିଧିକୁ ଆସିଲା।ସୁବ୍ରତ ଖୁସିରେ ଅଧୀର ହୋଇ ପଡିଲେ। ସବୁ ଠିକଠାକ୍ ଚାଲି ଥିବା ବେଳେ ସୁବ୍ରତର କାର୍ଯ୍ୟବ୍ୟସ୍ତତା କିନ୍ତୁ ବଢି ଚାଲିଥିଲା।ବଢି ଚାଲିଥିଲା ମଧ୍ୟ ମିଟିଂ, ଟୁର,ବିଭିନ୍ନ ପ୍ରକାର ପାର୍ଟି ପିକନିକ୍ ରେ ଯୋଗଦାନ।ଘରେ ବି ବହୁତ କମ୍ ସମୟ ଦେଉଥିଲା।ପାର୍ଟି ପିକନିକ୍ ରେ ସୌଜନ୍ୟତା ରକ୍ଷା କରି ଟିକିଏ ଟିକିଏ ପିଉ ପିଉ ମଦ୍ୟପାନ ତାର ଅଭ୍ୟାସରେ ପରିଣତ ହୋଇ ଯାଇଥିଲା।ଶ୍ବେତା ଓ ମାଆଙ୍କର ଶତ ବାରଣ ସତ୍ତ୍ବେ ସେ ଏଇ ଅଭ୍ୟାସକୁ ବଦଳାଇବାକୁ ଅକ୍ଷମ ହେଉଥିଲା।ମନେ ମନେ ମାଆଙ୍କ ଉପରେ ବିରକ୍ତ ହେଲେ ମଧ୍ୟ ମୁହଁ ଉପରେ କିଛି କହିପାରୁ ନଥିଲା।

ହଠାତ୍ ମାତ୍ର ତିନି ଚାରି ଦିନ ଜ୍ବରରେ ପୀଡିତ ହୋଇ ମାଆ ସବୁଦିନ ପାଇଁ ଆଖି ବୁଜିଲେ।ଏହା ପରଠାରୁ ସୁବ୍ରତ କେମିତି ଅଲଗା ପ୍ରକାରର ହୋଇଗଲା।ଶ୍ବେତାର କଥା ଆଦୌ ଶୁଣୁ ନଥିଲା କି ସୋନଲ୍ ସହ ଖେଳୁ ନଥିଲା।ଅଫିସରୁ ଫେରିବା ସମୟ ଠିକ୍ ରହୁ ନଥିଲା କି ଖାଇବା ପିନ୍ଧିବାରେ ଧ୍ଯାନ ବି ଦେଉ ନଥିଲା।ବିଳମ୍ବିତ ରାତିରେ ମଦ ନିଶାରେ ଚୁର୍ ହୋଇ ଘରକୁ ଫେରୁଥିଲା।ଧୀରେ ଧୀରେ ସେ ଘରେ ମଧ୍ୟ ମଦ୍ୟପାନ କରିବାକୁ ଲାଗିଲା।ଏଥିପାଇଁ ସେମାନଙ୍କ ମଧ୍ୟରେ ବାରମ୍ବାର କଥା କଟାକଟି ଓ ଝଗଡ଼ା ହେଲେ ମଧ୍ୟ ସେ ଆଦୌ ଶୁଣୁ ନଥିଲା।ଶ୍ବେତା ବି ସୁବ୍ରତର ଏପରି ଅଧଃପତନର କାରଣ ଜାଣି ନପାରି ଚିନ୍ତିତ ରହୁଥିଲା।ଏଇ ବଦଭ୍ଯାସ ତାକୁ ଏମିତି ଗ୍ରାସ କଲା ଯେ ସେ ପ୍ରାୟ ପ୍ରତିଦିନ ସାଙ୍ଗମାନଙ୍କୁ ଡାକି ବିଳମ୍ବିତ ରାତି ପର୍ଯ୍ଯନ୍ତ ଘରେ ଆସର ଜମେଇଲା ଏବଂ ସେମାନଙ୍କୁ ଖାଦ୍ଯ ଓ ପାନୀୟ ପରିବେଷଣ କରିବାକୁ ଶ୍ବେତାକୁ ଆଦେଶ ଦେଲା।ଶ୍ବେତା ରାଜି ନହେବାରୁ ସେ ତା ଉପରେ ହାତ ଉଠେଇଲା।ନିଜ ଭାଗ୍ୟକୁ ଧିକ୍କାରି କୁଣ୍ଠିତ ମନରେ ସେ ବାଧ୍ୟ ହୋଇ ସବୁ କରୁଥିଲା।ମଦ୍ୟପାନ କରି ବନ୍ଧୁମାନେ ଶ୍ବେତାକୁ କୁତ୍ସିତ ଟିପ୍ପଣୀ ଦେଲେ ବି ସୁବ୍ରତ ଉପରେ କୌଣସି ପ୍ରଭାବ ପଡୁ ନଥିଲା।ବରଂ ସେ ଉତ୍ସାହ ସହକାରେ ଏ ସବୁକୁ ଉପଭୋଗ କରୁଥିଲା।

ସମୟ ସହ ତାଳ ଦେଇ ସୋନଲ୍ ବଡ ହେଉଥିଲା।ଶ୍ବେତା ଏ ପ୍ରକାର ଜୀବନଚର୍ଯ୍ଯାରେ ଅଣନିଶ୍ବାସୀ ହୋଇ ଯାଉଥିଲା।ନାନା ପ୍ରକାର ଆଶଙ୍କାରେ ତାର ଦିନ ବିତୁଥିଲା।ତାକୁ ଏତେ ଭଲ ପାଉଥିବା ସୁବ୍ରତ ଯେ ଏମିତି ବଦଳି ଯିବ ତାହା ତାର କଳ୍ପନାର ବାହାରେ ଥିଲା।ବାପଘର ଦୁଆର ବି ତା ପାଇଁ ବନ୍ଦ ଥିଲା।କାହାକୁ କିଛି କହି ନପାରି ନିଜ ଭିତରେ ରଡ ନିଆଁ ପରି କୁହୁଳୁ ଥିଲା ସେ।ହେଲେ ସେଦିନ ରାତିରେ ଯାହା ଘଟିଲା ମନେ ପଡି ତାର ରୋମମୂଳ ଟାଙ୍କୁରି ଉଠୁଥିଲା।ନିଜ ଉପରେ ଘୃଣା ଆସୁଥିଲା।ରାତି ପ୍ରାୟ ନଅଟା ବେଳକୁ ସୁବ୍ରତ ସାଙ୍ଗମାନଙ୍କ ସହିତ ପହଞ୍ଚିଲା।ମଦ ସହ କାଜୁ,ପନିର୍ ଟିକା,ଚିକେନ ପକୋଡା,କଟଲେଟ୍ ଇତ୍ୟାଦି ଆଣି ଆସି ଥିଲା।ରାତି ବାରଟା ପର୍ଯ୍ୟନ୍ତ ଖାଇବା ପିଇବା ପର୍ବ ଚାଲିଲା।କେହି ଯିବା ନାଆଁ ଧରୁ ନଥିଲେ।ସେମାନେ ଜାଣିକି ସୁବ୍ରତକୁ ଅଧିକ ମଦ୍ୟପାନ କରାଇଥିଲେ କି ସେ ସ୍ବଇଚ୍ଛାରେ ପିଇଥିଲା କେଜାଣି ସେ କିନ୍ତୁ ହୋସ୍ ରେ ନଥିଲା।ଏହି ସମୟରେ ସେମାନଙ୍କ ଘୃଣ୍ଯ ଦୃଷ୍ଟି ତା ଉପରେ ପଡିଥିଲା।ସେମାନେ ସୁଯୋଗକୁ ହାତଛଡା ନକରି ତାକୁ ଟଣା ଘୋଷରା କରିବା ଆରମ୍ଭ କରି ଦେଇ ଥିଲେ।ତାର ଆକୁଳ ନିବେଦନ କାହା କାନକୁ ଶୁଭୁ ନଥିଲା।ସୁବ୍ରତ ମାତାଲ ହୋଇ ଖଟ ଉପରେ ପଡିଥିଲା।ଏକୁଟିଆ କେତେ ସମୟ ବା ସେ ହିଂସ୍ର ପଶୁଗୁଡାକ ସହ ଲଢେଇ କରି ପାରି ଥାଆନ୍ତା।ଶେଷରେ ସେମାନେ ନିଜ ନିଜର ବିକୃତ କାମନା ପୂର୍ଣ୍ଣ କରି ଚାଲିଗଲେ।

ଖୁବ୍ କଷ୍ଟ ହେଉଥିଲା ଶ୍ବେତାକୁ। ଅସହ୍ୟ ଯନ୍ତ୍ରଣାରେ ସମଗ୍ର ଶରୀର ଖଣ୍ଡ ବିଖଣ୍ଡିତ ହେଲା ପରି ଲାଗୁଥିଲା।ବହୁତ କଷ୍ଟରେ ଉଠି ବସିଲା ସେ।ନାଁ ଆଉ ନୁହେଁ,ଆଜି ହିଁ ତାକୁ କିଛି କରିବାକୁ ହେବ।ବହୁତ ଭାବିଚିନ୍ତି ମନ ସ୍ଥିର କରି ପୋଲିସ ଷ୍ଟେସନ ଯିବା କଥା ଭାବିଲା ବେଳକୁ ସୁବ୍ରତର ସମ୍ମାନ ଓ ନିଜର ଇଜ୍ଜତ କଥା ମନକୁ ଆସିଲା।ଏକଥା ପ୍ରଚାର ହୋଇଗଲେ ସୁବ୍ରତର ସମ୍ମାନରେ ଆଞ୍ଚ ଆସିବ ଓ ସେ ଅଫିସରେ ମୁହଁ ଟେକି ଚାଲିପାରିବ ନାହିଁ।ସମସ୍ତେ ଅଫିସରେ ତାକୁ ଭିନ୍ନ ଦୃଷ୍ଟିରେ ଦେଖିବେ।ତାଛଡା ଶ୍ବେତାକୁ ବି ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ।ସମସ୍ତେ ତା ଆଡକୁ ହିଁ ପ୍ରଥମେ ଆଙ୍ଗୁଳି ଉଠେଇବେ।ତାର ଗର୍ବ ଅହଙ୍କାର ସବୁ ଚୁନା ହୋଇଯିବ।ସହରରେ ଚର୍ଚ୍ଚା ପାଇଁ ଖୋରାକଟିଏ ବନିଯିବ ସେ।ତା ଝିଅ ର ଭବିଷ୍ୟତ ମଧ୍ୟ ନଷ୍ଟ ହୋଇଯାଇ ପାରେ।ନା ଥାଉ, କିଛି ନହେଲାପରି ସେ ଚୁପ୍ ଚାପ୍ ରହିଯିବ।ସମୟ ତା ବାଟରେ ଚାଲିଯିବ।କିଛି ଦିନ ପରେ ସେ ବି ଆସ୍ତେ ଆସ୍ତେ ସବୁ ଭୁଲିଯିବ।

ସତରେ ସେ କଣ ସବୁ ଭୁଲି ପାରିବ ? ନାରୀତ୍ବର ଅପମାନକୁ କେମିତି ସେ ଏତେ ସହଜରେ ଗ୍ରହଣ କରିପାରିବ ?ନିଜ ପାଖରେ ଛୋଟ ହୋଇ ଯାଉଥିଲା ସେ।ଏତେ ବଡ ବୋଝକୁ ବୋହି ଅବଶିଷ୍ଟ ଜୀବନ ସେ କଦାପି ଚାଲି ପାରିବ ନାହିଁ।ନାଁ ତାକୁ ଶକ୍ତ ହେବାକୁ ପଡିବ।ତାର ସ୍ବାମୀ ହୋଇ ସୁବ୍ରତ ଯଦି ତାକୁ ସୁରକ୍ଷା ଦେଇ ନ ପାରିଲା ସେଥିରେ ତାର କିଛି ଦୋଷ ନାହିଁ ବରଂ ତାହା ସୁବ୍ରତର ଅପାରଗତା।ଏପରି ଜଣେ କାପୁରୁଷର ସମ୍ମାନ କଥା ସେ କାହିଁକି ଚିନ୍ତା କରିବ ? ସେ ଆଜିଠାରୁ ଯଦି ଦୃଢ ପଦକ୍ଷେପ ନ ନିଏ ତେବେ ତା ସହ ତା ଝିଅ ର ଭବିଷ୍ୟତ ମଧ୍ୟ ଅନ୍ଧାର ହୋଇଯିବ।

ସେ ଆଉ ଡେରି ନ କରି ପୋଲିସ ଷ୍ଟେସନ ବାହାରି ଯାଇଥିଲା।ପୋଲିସ ଇନିସପେକ୍ଟର ତାକୁ ଏତେ ରାତିରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।ଯେହେତୁ ତା ସ୍ବାମୀ ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ଥିଲେ ଓ ତାଙ୍କର ଅଖଣ୍ଡ କ୍ଷମତା ଥିଲା ତାକୁ ସମସ୍ତେ ଜାଣିଥିଲେ।ସବୁ ଶୁଣିବା ପରେ ସେ ସୁବ୍ରତଙ୍କୁ ଡକେଇ ପଠେଇଲେ ଓ ତାକୁ ଆପୋଷ ବୁଝାମଣା ପାଇଁ ରାଜି କରାଇବାକୁ ଉଦ୍ୟମ କଲେ।ସେ ଏଫଆଇଆର ଗ୍ରହଣ ନକରି ସୁବ୍ରତ ପହଞ୍ଚିଲା ପରେ ତାକୁ ବୁଝାସୁଝା କରି ଘରକୁ ପଠେଇ ଦେଇଥିଲେ।

ବାଟ ସାରା ସୁବ୍ରତ ଚୁପ୍ ଚାପ୍ ଥିଲେ।ଘରେ ପହଞ୍ଚି କହିଲେ କାହିଁକି ଏମିତି ପ୍ରହସନ କରୁଥିଲ ଶ୍ବେତା ମୋ ମାନ ସମ୍ମାନର ଟିକିଏ ବି ଖିଆଲ ନାହିଁ ?ଯାହା ହେଲେ ବି ତୁମେ ମୋ ସ୍ତ୍ରୀ।ତୁମ ସହ ଯାହା ଘଟିଲେ ମଧ୍ୟ ମୁଁ ତୁମକୁ ଗ୍ରହଣ କରିବାକୁ ରାଜି।ସବୁ କଥା ଦୁଃସ୍ବପ୍ନ ପରି ଭୁଲିଯାଅ।

ସୁବ୍ରତଙ୍କ କଥା ଶୁଣି ହସିଲା ସେ।ତାକୁ ଗ୍ରହଣ କରି ସୁବ୍ରତ ଯେମିତି ଦୟା କରୁଛନ୍ତି ତା ଉପରେ।ନିଜ ମାନ ସମ୍ମାନ କଥା ଚିନ୍ତା କରୁଛନ୍ତି।ଅଥଚ ତାର ମାନ ସମ୍ମାନ ଇଜ୍ଜତ ମହତ ବୋଲି କିଛି ନାହିଁ ?କେମିତି ଏତେ ସ୍ବାର୍ଥପର ହୋଇପାରିଲେ ସୁବ୍ରତ ?ଦିନେ ତାଙ୍କ ପାଇଁ ସେ ଘରଦ୍ବାର ବାପାମାଆ ସମସ୍ତଙ୍କୁ ପରିତ୍ୟାଗ କରିଥିଲା କିନ୍ତୁ ଆଜି ନିଜର ସମ୍ମାନ,ସ୍ବାଭିମାନ ଓ ଝିଅ ର ସୁରକ୍ଷା ପାଇଁ ସେ ତାଙ୍କୁ ପରିତ୍ୟାଗ କରିବ।ଏ ସମାଜ ତାକୁ କେବେ ବି ନ୍ଯାୟ ଦେବନି କି ଦୋଷୀକୁ ଦଣ୍ଡ ଦେବନି।ତାଙ୍କର ଗର୍ବ,ଅହଙ୍କାର,ଧନ ସଂପତ୍ତି ଓ ପ୍ରତିପତ୍ତି ଆଗରେ ସବୁ ଆଜି ତୁଚ୍ଛ।ସମସ୍ତେ ପଛେ ତାକୁ ସ୍ବାମୀ ପରିତ୍ଯକ୍ତା କୁହନ୍ତୁ ସେ ସୁବ୍ରତଙ୍କୁ ଛାଡି ଚାଲି ଯିବ।ଆତ୍ମସମ୍ମାନର ସହ ବଞ୍ଚି ରହି ଝିଅକୁ ମଣିଷ କରିବ।ମନେ ମନେ ଏଇ ନିଷ୍ପତ୍ତି ନେଇସାରି ବୁଲିକି ସୁବ୍ରତଙ୍କୁ ଚାହିଁଲା ଶ୍ବେତା।ସେ କିନ୍ତୁ ନିଶ୍ଚିନ୍ତରେ ଖଟ ଉପରେ ନିଘୋଡ ନିଦରେ ଶୋଇ ଥିଲେ।ଆଉ ଡେରି ନ କରି ଦୁଇ ଖଣ୍ଡ ଶାଢୀ, ତାର ଓ ଝିଅ ର କିଛି ଆବଶ୍ୟକୀୟ ଜିନିଷ ପତ୍ର ବ୍ଯାଗରେ ରଖି ବାହାରକୁ ଆସିଲା।ରାତି ତଥାପି ବାକି ଥିଲା।ସିନ୍ଦୁରା ଫାଟିବାକୁ ଆହୁରି ଅନେକ ଡେରି ଥିଲା।ଚତୁର୍ଦ୍ଦିଗରେ ବହଳ ଅନ୍ଧାରର ଆସ୍ତରଣ। ରାତିର ନୀରବତାକୁ ଭେଦ କରି କୋଉଠି କେଜାଣି ବୁଲା କୁକୁର ଦଳେ ଭୋକୁଥିଲେ।ଦୂରରୁ ଟ୍ରେନ୍ ଆସିବାର ଶବ୍ଦ ଶୁଭୁଥିଲା।ହାତରେ ବ୍ଯାଗ ଧରି ଝିଅ କୁ କାନ୍ଧରେ ପକେଇ ସେହି ଅନ୍ଧାର ଭିତରେ ସେ ଚାଲୁଥିଲା ଆଗକୁ ଆଗକୁ।

ସସ୍ମିତା ମହାନ୍ତି

ମହାନଦୀ ବିହାର,କଟକ

ପ୍ରମାଣ ସମାଜ ମି ଠୁ

Rate the content


Originality
Flow
Language
Cover design

Comments

Post

Some text some message..