Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନ୍ଧ ବିଶ୍ବାସ
ଅନ୍ଧ ବିଶ୍ବାସ
★★★★★

© Rakesh Mishra

Inspirational

7 Minutes   13.9K    18


Content Ranking

||୧||

ଲିପ୍ସାର ସବୁଠୁ ବେଶି ରାଗ ହୁଏ, ବୋଉ ଯେବେ ସକାଳ ହେଲେ ତା ରୁମର ଝରକା ଖୋଲିଦିଏ ଆଉ ସକାଳର ସବୁତକ ଖରା ଆସି ଅଜାଡି ହୋଇ ପଡେ ତା ଶୋଇବା ଘରେ, ତା ମୁହଁ ଉପରେ । ସକାଳର ଝଲମଲ ଖରା ମୁହଁରେ ପଡିଲେ କେମିତି ଶୋଇବ ସେ !!

ଭୁବନେଶ୍ୱରରେ ଏକ ବହୁ ରାଷ୍ଟ୍ରୀୟ ସଂସ୍ଥାରେ ଚାକିରୀ କରେ ଲିପ୍ସା । ପ୍ରତି ସପ୍ତାହ ଶୁକ୍ରବାର ରାତି ଟ୍ରେନରେ ଘରକୁ ଆସେ । ଶନିବାର ରବିବାର ନନା ବୋଉଙ୍କ ସହ ସମୟ କଟେଇ ପୁଣି ସୋମବାର ସକାଳେ ଫେରି ଯାଏ ଭୁବନେଶ୍ୱର । ଘରକୁ ଆସିବାର ମୁଖ୍ୟ କାରଣ ମଧ୍ୟରୁ ଡେରି ଯାଏ ଶୋଇବାର ଲୋଭ, ଆଉ ବୋଉ ହାତ ରନ୍ଧା ଖାଇବାର ଲୋଭ ଅନ୍ୟତମ କାରଣ । ସପ୍ତାହର ପାଞ୍ଚଦିନ ପରେ ଏଇ ଦୁଇ ଦିନ ପାଇଁ ଯେମିତି ସେ ଚାହିଁ ରହି ଥାଏ । 

- ବୋଉ ପରଦା ଟା ଟାଣି ଦେ ନ ପ୍ଲିଜ଼.. ଆଉ ଟିକେ ଶୋଇବାକୁ ଦେ.. ।

- ୮ଟା ବାଜିଲାଣି ଉଠିପଡ଼ । ଆଜି ମକରା ବୋଉ ଘର କାମ କରିବାକୁ ଆସି ପାରିବନି ବୋଲି କହି ଦେଇ ଗଲା ସକାଳେ । ଘରଟା ଯାକର କାମ ପଡିଛି । ଆଉ ଶୋଇ ରହନି ଉଠିପଡ଼ ମା। ଉଠି ଆ, ଆଜି ତୋ ପାଇଁ ଆଳୁ ପରଟା କରିଛି ।

ଅନିଚ୍ଛା ସତ୍ତ୍ୱେ ଉଠିଲା ଲିପ୍ସା । ବ୍ରସ କରି ଆସି ଖାଇବା ଟେବୁଲ ରେ ବସିଲା । ବୋଉ ପାଖରେ ବସି ପରିବା କାଟୁଛି ।

- ମକରା ମା'ର କଣ ଦେହ ଖରାପ..? ଆସିବନି କାହିଁକି ??

- ତା' ବଡ ଝିଅ ଅରୁ କୁ କିଏ ସୁଆର ହୋଇଛି । ଭୋରରୁ ଉଠି ଶୌଚ ହବାକୁ ପଦାକୁ ଯାଇଥିଲା । ଗାଁ ମୁଣ୍ଡ ପୋଖରୀରୁ ଶୌଚ ସାରି ଫେରିବା ପରଠୁ ମୁଣ୍ଡ ଚୁଳ ଖୋଲା । ଘରକୁ ଫେରି ୟାଡୁ ସ୍ୟାଡୁ ବକୁଛି । ବିଚାରି ମକରା ମା'ର ମୁଣ୍ଡରେ ଚଡକ ।

- ହୁଃ, ସୁଆର ହେଇଛି !! ଯେତେ ସବୁ ଗାଉଁଲି ଅନ୍ଧବିଶ୍ୱାସ.. କିଛି ନୁହେଁ ଦେହ ଖରାପ ଥିବ ।

- ତୁ ବେଶି ବୁଝିଛୁ । ମୁଁ ସକାଳେ ଯାଇ ଦେଖି ଆସିଛ । ତା ରୂପ ଦେଖିଲେ ତୋତେ ଡର ମାଡ଼ିବ । ମୁଣ୍ଡ ଚୁଳ ଖୋଲି ଦାଣ୍ଡଘରେ ଗୋଡ ହାତ ଲମ୍ବେଇ ବସିଛି । ଖାଲି କହୁଛି ବଂଶ ନିପାତ କରିବି । ଯେମିତି ମୋ ତଣ୍ଟି ଚିପି ମାରିଲ ସେମିତି ତୁମ ତଣ୍ଟି ଚିପି ରକ୍ତ ପିଇ ଯିବି । 

ଏ ସନ ଫଗୁଣରେ ତା ବାହାଘର ହବାର ଥିଲା, ପିଲାଟା ଭୁବନେଶ୍ୱରରେ କୋଉଠି ସିକୁରିଟି ଗାର୍ଡର କାମ କରେ । ଏବେ ଶଶୁରଘର ଲୋକେ ଜାଣିଲେ ବାହାଘର ଭାଙ୍ଗିଯିବ । ବିଚାରି ମକରା ମା ଟା ମୁଣ୍ଡ ବାଡେଇ କାନ୍ଦୁଚି, ପୋଡାକପାଳି ।

-ଆଛା ଅବିକା କଣ କରିବେ କିଛି ଜାଣୁ ? 

- ଅବିକା ଆଉ କଣ । ମକରା ଯାଇଥିଲା ଗୁଣିଆ ଡାକି ଆଣିବାକୁ । ଗୁଣିଆ ନାହିଁ, ବାଲେଶ୍ୱର ଯାଇଛି କୋଉ କାମରେ । ଫୋନ କଲାରୁ କହିଲା ଆଜି ସଂଜରେ ଫେରିବ । ସଂଜରେ ଆସିଲେ ଯାହା ହେବ।

||୨||

ଦିପହରେ ଲଞ୍ଚ ସାରି ନିଜ ବିଛଣାରେ ଶୋଇ ଶୋଇ ଲିପ୍ସା ଗୋଟେ ଗପ ବହି ନେଇ ପଢୁଥିଲା । କିନ୍ତୁ ତା ମନ ଗପରେ ଜମା ଲାଗୁ ନଥିଲା । ସେ ଖାଲି ଭାବୁ ଥିଲା ଅରୁଣିମା କଥା ।

ଅରୁଣିମା - ଡାକ ନାଁ ଅରୁ । ସେମାନଙ୍କ ଅବସ୍ଥା ଏମିତି ନଥିଲା । ପିଲା ବେଳେ ଶୁଣିଚି ସନିଆ କଲିକତାରେ ମୋଟ କାମ କରି ଯାହା କିଛି ଉପାର୍ଜନ କରୁଥିଲା ସେଥିରେ ଗାଁରେ ଚଳି ଯାଉଥିଲେ ପରିବାର । ପରିବାର କହିଲେ ସ୍ତ୍ରୀ, ବଡ ଝିଅ ଅରୁଣିମା, ସାନ ପୁଅ ମକରଧ୍ବଜ । କିନ୍ତୁ ତାଙ୍କ ସୁଖର ସଂସାରକୁ କାହା ନଜର ଲାଗିଲା କେ ଜାଣେ, ହଠାତ ଦିନେ ସନିଆ ଫେରି ଆସିଲା କଲିକତାରୁ ଦୁରାରୋଗ୍ୟ ଏଡ୍ସ ରୋଗ ନେଇ । ଗାଁରେ ସମସ୍ତେ ଘୃଣାରେ ତା ଘରକୁ ପ୍ରାୟ ଏକ ଘରିକିଆ କରି ଦେଲେ । କାହାଠୁ କିଛି ସାହାଯ୍ୟ ସହଯୋଗର ସମ୍ଭାବନା ନଥିଲା ଉପରନ୍ତୁ ଗାଁ ମାଇପେ ପୋଖରୀ ତୁଠରେ କେତେ କଥା କୁହା କୁହି ହୁଅନ୍ତି । ମକରା ମା ସବୁ ଶୁଣେ, କିଛି କୁହେନି । ଏମିତି ଭୋଗି ଭୋଗି କେଇ ଦିନରେ ସନିଆ ମରିଗଲା । ଗାଁରେ ଯାହା କିଛି ଜମି ଜମା ଥିଲା ସବୁ ବିକି ଭାଙ୍ଗି, ସନିଆର ଚିକିତ୍ସା ପାଇଁ ଖର୍ଚ କରିଦେଇଥିଲା ମକରା ମା ଯଦିଓ ସେ ଜାଣିଥିଲା ୟେ ରୋଗର ଚିକିତ୍ସା ନାହିଁ । କିନ୍ତୁ ଜୀବନ ଥିବା ଯାଏ ଲୋଭ ଥାଏ । ସନିଆ ମଲା ବେଳକୁ ଅରୁଣିମାକୁ ବୟସ ୭, ମକରାକୁ ୫ ବର୍ଷ । ସେବେଠୁ ମକରା ମା' ତାଙ୍କ ଘରେ କାମ କରୁଛି. କାମ କହିଲେ ରାତି ବାସନ ସକାଳେ ଧୋଇ ଦିଏ, ଘର ପୋଛାପୋଛି କରି ବୋଉ କୁ ରୋଷେଇ ଯୋଗାଡ଼ କରି ଦେଇ ଯାଏ । ପୁଣି ବେଳ ବୁଡ଼େ ଆସେ ଦିପହର ବାସନ ଧୋଇ, ଘର ଝାଡୁ ମାର । ଆଉ ରାତି ରୋଷେଇପାଇଁ ବୋଉ କୁ ସାହାଯ୍ୟ କରେ । ବେଳେ ବେଳେ ମକରା ମା ସାଙ୍ଗରେ ତା ପୁଅ ଝିଅଙ୍କୁ ସାଙ୍ଗରେ ନେଇ ଆସେ । ତେଣୁ ଅରୁ ସହ ତାର ସମ୍ପର୍କ ୮-୯ ବର୍ଷର । ଅରୁ, ଲିପ୍ସାକୁ ଅପା ବୋଲି ଡାକେ, ଆଉ ବେଳେ ବେଳେ ପାଠ ବୁଝି ନପାରିଲେ ଲିପ୍ସା ତାକୁ ପଢ଼େଇ ବି ଦିଏ । ଅରୁ ପଢା ଶୁଣା ରେ ଥିଲା ଖୁବ ଭଲ । ହାୟର ସେକେଣ୍ଡାରୀ ରେ ସାଇନ୍ସ ନେଇ ପଢୁଥିଲା । ପରୀକ୍ଷାରେ ଫାଷ୍ଟ ଡିଭିଜନ ପାଇଛି । ଇଛା ଆଗକୁ ଜଏଂଟ ପାଇଁ ଚେଷ୍ଟା କରିବ । କିନ୍ତୁ ଦରିଦ୍ରତା କାରଣରୁ ମକରା ମା ଚାହୁଁଥିଲା ଅରୁ ଆଉ ନ ପଢୁ । ଲିପ୍ସା ମକରା ମା କୁ ବହୁତ ବୁଝେଇଛି, ଯେ ଅରୁକୁ ମୋ ସାଙ୍ଗରେ ଛାଡି ଦିଅ. ମୋ ସହ ଭୁବନେଶ୍ୱରରେ ରହି କୋଚିଂ ନେବ । ତା ପଢ଼ାର ସବୁ ଦାଇତ୍ୱ ନେବାକୁ ରାଜି ଥିଲା ଲିପ୍ସା । କିନ୍ତୁ ୟେ କୋଚିଂ, ଜଏଂଟ ମକରା ମା ମୁଣ୍ଡରେ ପଶିବାର ନଥିଲା.. କହିଥିଲା, ପର ଘରେ ପାଇଟି କରି ସେ ପାରି ଉଠିବନି । କେତେ ଆଛା ଆଛା ପିଲା କେତେ କେତେ ପାଠ ପଢି ଚାକିରୀ ନ'ପାଇ ଘରେ ବସିଛନ୍ତି । ୟେ କଣ ପଢି ବାରିଷ୍ଟର ହବ.. !!

||୩||

ସଞ୍ଜ ବେଳେ ଲିପ୍ସା ଯାଇ ପହଁଚିଲା ଅରୁଣିମା ଘରେ. ଘର ସାମ୍ନାରେ ନାହିଁ ନଥିବା ଭିଡ । ଶୁଣିବାକୁ ପାଇଲା ଟିକେ ପରେ ସଦା ଗୁଣିଆ ଆସି ପହଞ୍ଚି ଯିବ. ଆଖ ପାଖ ୧୦ ଖଣ୍ଡ ଗାଁ ରେ କାହାକୁ ସାପ କାମୁଡ଼ିଲା, ନଜର ଲାଗିଲା କି ଆତ୍ମା ସବାର ହେଲେ ଖୋଜା ଯାଏ ସଦା ଗୁଣିଆକୁ । ଲୋକେ କୁହନ୍ତି ସଦା ଗୁଣିଆ ନାଁ ଶୁଣିଲେ ଭୁତ ପ୍ରେତ ଡାହାଣୀ ଚିରୁଗୁଣିଙ୍କ ପିଳେହି ପାଣି ହୋଇ ଯା । ଲିପ୍ସା ବି ଟିକେ ଦୂରରେ ଛିଡା ହୋଇ ଦେଖୁଥିଲା କି ତାମସା ଚାଲିଛି. କେଇ ଜଣ ଗାଁ ମାଇପେ ଟିକେ ଦୂରରେ ନଡ଼ିଆ ଗଛ ମୂଳେ ବସି ଟୁପୁରୁ ଟାପୁରୁ କରୁଥିଲେ ।

- ଆଲୋ ଜାଣିଛୁ ନା, ଆଜି ଦି ପହରେ ଅରୁର ଭାବି ଶଶୁର, ଆଉ ଦିଅର ଆସି ଥିଲେ. କୋଉଠୁ ଖବର ପାଇଲେ କେ ଜାଣେ. ଆସି ଥିଲେ ଜଣେଇବାକୁ ଯେ ୟେ ଝିଅ ସହ ତାଙ୍କ ପୁଅର ବିଭାଘର ହୋଇ ପାରିବନି ବୋଲି ।

- ହଁ ଲୋ, ମକରା ମା'ଟା ସତରେ ପୋଡା କପାଳିଟା । ଯୁଆନ ବଅସ ରେ ଘଇତାଟା ମଲା । ପର ଘରେ ପାଇଟି କରି ଯା'ହେଉ ଝିଅଟାର ବିଭାଘର କରିବ ବୋଲି କେତେ ଭାବିଥିଲା, ଦଇବ ସେତକ ବି କରେଇ ଦେଲାନି ।

- ହେଲେ ତୁ ଯାହା କାହା, ଆମ ଅରୁକୁ ଦେଖିବାକୁ କିନ୍ତୁ ଗୋଟିଏ ଚାଉଳରେ ଗଢା ।

 ||୪||

 କିଛି ସମୟ ପରେ ଲାଲ ଧୋତି ପିନ୍ଧି, ଲାଲ ଚାଦରଟିଏ ଦେହରେ ପକେଇ ସଦା ଗୁଣିଆ ଆସି ପହଞ୍ଚି ଗଲେ । ମୁହଁରେ ସଫେଦ ଦାଢ଼ି, କପାଳରେ ରକ୍ତ ଚନ୍ଦନ, ଭୟଙ୍କର ଚେହେରା,ବାଁ କାନ୍ଧରେ ଝୁଲୁଛି ରକ୍ତବର୍ଣ୍ଣର ଝୁଲା । ସଦା ଗୁଣିଆ ଅରୁ ବସିଥିବା ଘରେ ଯାଇ ପହଞ୍ଚି ଝୁଲରୁ ଗୋଟା ଖପୁରି, ଯୋଡ଼େ ହାଡ, ତମ୍ବା ଗଡୁ, ତମ୍ବା ପାତ୍ର, କୁଶା କୁଶି ଇତ୍ୟାଦି କାଢି ସାମ୍ନାରେ ରଖିଲେ । ପ୍ରଥମେ ହାଡ, ଖପୁରୀରେ ସିନ୍ଦୁର, ରକ୍ତ ଚନ୍ଦନ ଲଗେଇ ସାମ୍ନାରେ ରଖା ଗଲା । ତାପରେ ବିଡ ବିଡ କରି କଣ ସବୁ ମନ୍ତ୍ର ପଢି ଅରୁ ଉପରକୁ ମନ୍ତ୍ରପୂତ ପାଣି ଫିଙ୍ଗିବା ସଂଗେ ସଂଗେ ଏତେ ବେଳ ଯାଏ ଅଦ୍ଭୁତ ଆଚରଣ କରୁଥିବା ଅରୁ ସାମାନ୍ୟ ଶାନ୍ତ ହେଲା ପରି ଜଣା ପଡିଲା । 

- ଦେଖ୍, ତୁ ଯିଏ ବି ହୋଇଥା, ଯଦି ପୁରୁଣା କେହି ହୋଇଥିବୁ ମୋତେ ନିଶ୍ଚିତ ଭାବେ ଜାଣିଥିବୁ । ତୋଠାରୁ ଆହୁରି ବଡ଼ ବଡ଼ ବଜ୍ଜାତ ଭୁତ ପ୍ରେତଙ୍କୁ ବଶ କରି ମୋ ଆଶ୍ରମ ଆମ୍ବଗଛରେ ବାନ୍ଧି ରଖିଛି ବୁଝିଲୁ । ଯଦି ଭଲ ଦଶା ଥାଏ ଛାଡି ପଳେଇ ଯା । କହିଲେ ସଦା ଗୁଣିଆ ।

- ଯିବିନି.. ମୁଁ ଯିବିନି.. ତୁ ମତେ ଚିହ୍ନିନଉ .. ତଣ୍ଟି ଚିପି ରକ୍ତ ପିଇ ଯିବି ମୁଁ ତୋର..।

ହଠାତ ବିକୃତ ମୁଖ କରି ଅଦ୍ଭୁତ ସ୍ୱର ବାହାରି ଆସିଲା ଅରୁ କଣ୍ଠରୁ. ଅରୁକୁ ଦୁଇ ଦୁଇଟା ଭେଣ୍ଡିଆ ଟୋକା ଧରି ରଖିବାକୁ ଅସମର୍ଥ ହେଉ ଥିଲେ.. ସତେ ଅବା ତା ଦେହରେ ସତ ସିଂହର ବଳ ଆସି ଯାଇଥିଲା. 

- ରକ୍ତ ପିଇବୁ ? ମୋ ରକ୍ତ ପିଇବୁ ? ମୋ ସଂଗେ ଟକ୍କର ?? 

ଅରୁଣିମାର ଚୁଳକୁ ମୁଠେଇ ଧରି ପଚାରିବା ସଂଗେ ସଂଗେ ହାତରେ ଧରି ଥିବା ଯୋଡି ବେତରେ ଦୁଇ ପାହାର କଷି ଦେଲା ଅରୁ ଦେହରେ। 

-"ଛାଡ଼ ଛାଡ଼ ବୋଲି କାହାର ଆଜ୍ଞା ?ନିତେଇ ମା' ଧୋବଣୀ,ପିତେଇ ମା' ସଉରୁଣୀଙ୍କ କୋଟି କୋଟି ଆଜ୍ଞା । କହ କିଏ ତୁ ? କଣ ଚାହୁଁ ??" ପୁଣି ବେତ୍ରାଘାତ କରି ପଚାରିଲା ଗୁଣିଆ..

- ଆଃ କହୁଛି କହୁଛି । ମୋ ନାଁ ମିନତୀ, ଘର ବେଦପୁର । ମୋ ଶାଶୁ ଶଶୁର ଦିଅର ସବୁ ମିଶି ଯୌତୁକ ପାଇଁ ମୋ ତଣ୍ଟିରେ ଶାବଳ ପକେଇ ମୋତେ ମାରିଲେ । 

- ଏଠିକୁ କେମିତି ଆସିଲୁ ? ୟେ ବିଚାରି କୁ କାହିଁ ହଇରାଣ କରୁଚୁ ??

- ମୁଁ ବହୁତ ଦିନ ଧରି, ଗାଁ ମୁଣ୍ଡ ପୋଖରୀପାଖ ଲିମ୍ବଗଛରେ ଥିଲି । ୟେ ଆଜି ସକାଳେ ପୋଖରୀକୁ ଯାଇ, ମୋତେଦେଖି ଚମକିବାରୁ ମୁଁ ୟା ଦିହରେ ସୁଆର ହେଇଗଲି ।

- ଦେଖ, ୟେ ନିରୀହ ଝିଅଟା ତୋର କିଛି କ୍ଷତିକରିନି । ଛାଡି ଦେ ତାକୁ। କଣ କହୁଚୁ କହ, ଛାଡ଼ିବୁ ନା ନାଇଁ ?? ବେତ ଊଂଚେଇ ପଚାରିଲା ସଦା ଗୁଣିଆ ।

- ଯାଉଛି ଯାଉଛି.. ମାରନା..। କାନ୍ଦି କାନ୍ଦି କହିଲା ଅରୁଣିମା ।

- ମୁଁ କେମିତି ଜାଣିବୁ ତୁ ଗଲୁ ବୋଲି ?

- ଗଲା ବେଳେ ପୋଖରୀକୁଳ ଲିମ୍ବଗଛର ଡାଳ ଭାଙ୍ଗି ଦେଇଯିବି..।

- ସତ କହୁଚୁ ?? 

- ହଁ ସତ କହୁଛି..

- ଠିକ ଅଛି,ଉଠା ୟେ କୁଲା ଦାନ୍ତରେ..। ନାକସିଧା ଯିବୁ.. ଆଉ ଯଦି କେବେ ଏ ଗାଁରେ ତୋତେ ଦେଖିଛି, ସେଦିନ ମୋତେ ଚିହ୍ନିବୁ..।

ସାମ୍ନାକୁ ଝୁଙ୍କି ନିଜ ଦାନ୍ତରେ କୁଲା ଧରିଲା ଅରୁଣିମା.. ଗୁଣିଆର ଇସାରାରେ ତାକୁ ଧରି ଥିବା ଟୋକା ଦିହେଁ ତା ହାତ ଛାଡିବା ମାତ୍ରେ ଦୌଡିବାକୁ ଆରମ୍ଭ କଲା ଅରୁଣିମା..। ସମସ୍ତଙ୍କୁ ସାମ୍ନାରୁ ହଟି ଯିବାକୁ କହିଲା ସଦା । ଦୌଡ଼ି ଦୌଡ଼ି କିଛି ଦୂରରେ ପୋଖରୀ ଆଡେ ମୁହଁ କରି କଚାଡି ହୋଇ ପଡିଲା ଅରୁ ।

ଥୋକେ ଅରୁର ଅଚେତ ଦେହଟାକୁ ଘରକୁ ନେଇ ଆସିଲେ ଗୁଣିଆ କହିବା ଅନୁସାରେ.. ଆଉ ଥୋକେ ଧାଇଁଲେ ପୋଖରୀ କୂଳ ଲିମ୍ବ ଗଛ ନିକଟକୁ..। 

-ଭାଙ୍ଗିଛି ଭାଙ୍ଗିଛି.. ଡାଳ ଭାଙ୍ଗିଛି.. ଚିତ୍କାର ଶୁଭିଲା ପୋଖରୀ ପଟୁ.. ।

||୫||

ଭୁବନେଶ୍ୱରସ୍ଥିତ ନିଜ ଭଡାଘରେ ସୋଫା ଉପରେ ବସି Rhonda Byrneଙ୍କ The Secretର ପୃଷ୍ଠା ଲେଉଟାଉ ଥିଲା ଲିପ୍ସା। ଡୋରବେଲ ଶୁଣି, କବାଟ ଖୋଲିଦେଖେ ତ ସାମ୍ନାରେ ଅରୁଣିମା, ହାତରେ ମିଠା ପ୍ୟାକେଟ।

- Congratulation । ମୁଁ ଜାଣିଥିଲି କ୍ୟାମ୍ପସ ସିଲେକସନରେ ତୋର ନିଶ୍ଚେ ହେବ.. କେଉଁ କମ୍ପାନୀରେ ହେଲା ??

- "Wipro" କହି ଲିପ୍ସା କୁ ଜାବୁଡି ଧରିଲା ଅରୁଣିମା..। ଦୁହିଁଙ୍କ ଆଖିରୁ ଧାର ଧାର ଲୁହ ବୋହି ଚାଲିଥିଲା.. ୟେ ଲୁହ ଥିଲା ଆନନ୍ଦର, ପ୍ରାପ୍ତିର.. ।

- ମୁଁ ଜାଣିଥିଲି ତୁ ପାରିବୁ, ଦେଖ ଆଜି ତୁ ପାରିଛୁ.. ଏଇ ଦିନ ପାଇଁ ହିଁ ତା ଅପେକ୍ଷା ଥିଲା ମୋର

 

- କିନ୍ତୁ ଅପା ତୁମ ସହ ସେଦିନ ଷ୍ଟେସନରେ ଦେଖା ହୋଇନଥିଲେ ମୁଁ ଆଜି ଏଇ ଜାଗାରେ ପହଞ୍ଚି ପାରି ନଥାନ୍ତି.. କହିଲା ଅରୁଣିମା ।


X X X X X X X


ଅରୁଣିମାର ମନେ ପଡୁଥିଲା ୫ ବର୍ଷ ତଳର ଘଟଣା । ଶୁକ୍ରବାର ରାତି ଟ୍ରେନ ଧରି ଷ୍ଟେସନରୁ ଓଲ୍ହେଇ ରିକ୍ସା ଖୋଜୁଛି ସେ । ହଠାତ ଚିହ୍ନାସ୍ୱରର, ଅପା ଅପା ଡାକଶୁଣି ଚମକି ଉଠିଲା । ବୁଲି ଦେଖେ ତ ଅରୁ । 

-ଏତେ ରାତିରେ ଷ୍ଟେସନରେ କଣ କରୁଛୁ? 

- ତୁମ ପାଇଁ ଅପେକ୍ଷା କରୁଥିଲି ଅପା ।

- କାହିଁକି..? 

- ବୋଉ ମୋ ବାହାଘର ଠିକ୍ କରିଛି । ମୁଁ ଏତେ କମ୍ ବୟସରେ ବାହାହେବା ପାଇଁ ଚାହେଁନି ଅପା । ମୁଁ ପାଠପଢିବା ପାଇଁ ଚାହେଁ। ତୁମେ କିଛି କର ଅପା । 

 ସବୁ ଶୁଣି ସାରିବା ପରେ ଏକ ନାଟକର ଆୟୋଜନ କରିଥିଲେ ତିନି ଜଣ ମିଶି । ସେ, ଅରୁ ଏବଂ ସୌରଭ । ସୌରଭ ଅରୁଣିମାର କ୍ଲାସମେଟ୍ । ଲିମ୍ବ ଗଛର ଡାଳ ଭାଙ୍ଗିବା ଦାଇତ୍ୱ ଥିଲା ସୌରଭର ।

ଭୂତ ସବାର୍ ନାଟକର ସଫଳତା ପରେ ଲିପ୍ସା ମକରା ମା'କୁ ଅନେକ୍ ବୁଝେଇ ଅରୁଣିମାକୁ ନିଜସହ ନେଇ ଯାଇଥିଲା ଭୂବନେଶ୍ୱର।

ଭୁବନେଶ୍ବରରେ ନିଜ ସହ ରଖି ତା ପଢ଼ା ପଢ଼ିର ଦାୟିତ୍ବ ନେଇଥିଲା । ସେଦିନର କଥା ମନେ ପକେଇ ଅରୁଣିମାକୁ କହିଲା... 

- ଅରୁ, ଗୋଟେ କଥା କହିବି, ତୁ ଏତେ ଭଲ ଅଭିନୟ କରି ପାରିବୁ ବୋଲି ମୁଁ ଭାବି ପାରି ନଥିଲି..। ତୁ ସିନେମାରେ ଚେଷ୍ଟା କରି ଦେଖିପାରୁ.. କହିଲା ଲିପ୍ସା..।

ହସି ଉଠିଲେ ଦୁହେଁ..


- : ସମାପ୍ତ :-


© ରାକେଶ ମିଶ୍ର

ଅନ୍ଧ ବିଶ୍ବାସ ବୋଉ ସଞ୍ଜ

Rate the content


Originality
Flow
Language
Cover design

Comments

Post

Some text some message..