Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶୂନ୍ୟହସ୍ତା
ଶୂନ୍ୟହସ୍ତା
★★★★★

© Shibashis Padhee

Romance Tragedy

6 Minutes   455    22


Content Ranking

ଆଣ୍ଟି ଆପଣ ଆମ ବାପା ଙ୍କୁ ବାହା ହେବେ କି? ପ୍ରଶ୍ନଟି ଶୁଣି ନିଜ କାନ କୁ ବିଶ୍ୱାସ କରି ପାରୁ ନ ଥିଲା ସୁପ୍ରିୟା। ଯେଉଁଟା ଶୁଣିଲା ସେଇଟା ସତ କି ? ଆଉ ଥରେ ପଚାରିଲା

“କଣ କହିଲୁ ରିୟା?? “

“ଆଣ୍ଟି ଆମେ ଜାଣିଛୁ ଆପଣ ଙ୍କ କଥା ଆଉ ବାପା ଙ୍କ କଥା ତା ସହ ଏଇଟା ଆମ ମା ର ବି ଅନ୍ତିମ ଇଛା ଥିଲା ।”ଏଥର ବଡ଼ ଝିଅ ସିୟା କହିଥିଲା ।

ପାର୍ଲର ଯିବା ପାଇଁ ପ୍ରସ୍ତୁତ ହୋଇଥିବା ସୁପ୍ରିୟା ସୋଫା ରେ ପ୍ରଥମେ ବସି ପଢିଲା ।ପଚାରିଲା “ତୁମେ ଦୁହେଁ ଏଠିକି ଆସିଛ ଏ କଥା ତୁମ ବାପା ଜାଣିଛନ୍ତି?? “

ହଁ ଆଣ୍ଟି ବାପା ସହ ପ୍ରଥମେ କଥା ହୋଇ ଆମେ ତାଙ୍କ ସହ ହିଁ ଆସିଛୁ ବାପା ବାହାରେ ଅପେକ୍ଷା କରିଛନ୍ତି “କହିଥିଲେ ସେମାନେ ।

ସୁପ୍ରିୟା କଣ କହିବ କିଛି ଭାବି ପାରୁ ନ ଥିଲା କେବଳ କହିଲା

“ବାପା ଙ୍କୁ କହିବ ମୋତେ ଟିକିଏ ସମୟ ଦରକାର ମୁଁ ଚିନ୍ତା କରି କି କହିବି “

ଯେମିତି ହେଲେ ହଁ କହିବ ଆଣ୍ଟି କହି ବାହାରି ଯାଇ ଥିଲେ ଦୁଇ ଭଉଣୀ ।ଝରକା ପରଦା ଫାଙ୍କ ରୁ ଦେଖିଥିଲା ସୁପ୍ରିୟା ବାହାରେ ଅପେକ୍ଷା କରିଥିଲେ ନୀଲେଶ ।ଦୁଇ ଜଣଙ୍କ ସହ ଅଳ୍ପ କଥା ହୋଇ ଭିତର କୁ ଆସୁଥିଲେ ।ନିଜକୁ ପ୍ରସ୍ତୁତ କରୁଥିଲା ସୁପ୍ରିୟା

ଭିତର କୁ ଆସି ନୀଲେଶ କହିଥିଲେ

“ଛୁଆ ଙ୍କ କଥା କୁ ଗୁରୁତ୍ୱ ର ସହ ଚିନ୍ତା କରିବ ପ୍ରିୟା ଜୀବନ ଆହୁରି ବାକି ଅଛି ଆଉ ଏଇୟା ବୋଧେ ଭଗବାନ ଙ୍କ ଇଛା ଥିଲା ଆମ ପ୍ରେମ କୁ ଅନ୍ତତଃ ଶେଷ ରେ ଠିକଣା ମିଳିଯିବ ।”

ମୁଣ୍ଡ ହଲାଇ ସ୍ୱୀକୃତି ଦେଇଥିଲା ସୁପ୍ରିୟା ମୁଁ କାଲି କହିବି କହି ଥିଲା ।

ଆଉ ପାର୍ଲର ଯିବା ପାଇଁ ଇଛା ହେଉ ନ ଥିଲା ଫୋନ ରେ ସହାୟିକା  ବିନିକୁ ଆବଶ୍ୟକୀୟ ନିର୍ଦେଶ ଦେଇ ଟିକିଏ ଚା ତିଆରି କଲା ନିଜ ପାଇଁ ।

ଘଟଣାକ୍ରମଟି ଠିକ ଚଳଚିତ୍ର ପରି ଘଟି ଯାଉଛି କିନ୍ତୁ ଏ ତ ଚଳଚିତ୍ର ନୁହେଁ ବାସ୍ତବ ଏଠି ନିର୍ଦେଶକ ହେଉଛନ୍ତି ସ୍ୱୟଂ ଭଗବାନ ଯାହା ହେଉଛି ବୋଧେ ତାଙ୍କର ସ୍ୱୀକୃତି ଅଛି ।ତାର ଅଟଳ ଜିଦକୁ ଦେଖି ଘଟଣାକ୍ରମର ଦିଗ ମୋଡିଛନ୍ତି ସେ ।ତାକୁ ନିର୍ଣ୍ଣୟ ନେବାକୁ ହେବ ।

ମନେ ପଡୁଥିଲା ପୁରୁଣା କଥା କଲେଜକୁ ନୂଆ ନୂଆ ପାଦ ଦେଇଥିଲା ସେ ।କାହାରି ସହ ବେଶି ପରିଚିତି ନ ଥିଲା ।ବାପାଙ୍କ ସର୍ବ ଭାରତୀୟ ଚାକିରୀ ଯୋଗୁଁ ଓଡିଶାର ଏଇ ଉପାନ୍ତ ଅଂଚଳକୁ ଆସିଥିଲେ ସେମାନେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ । ନୂଆ ନୂଆ ଲାଗୁଥିଲା ସବୁକିଛି । ଆଦ୍ୟ ଯୌବନର ପହିଲି ପରଶ ତାକୁ ଆକର୍ଷିତ କରିଥିଲା ନୀଲେଶ ପ୍ରତି ।

ଏକ ପ୍ରତିଷ୍ଠିତ ମାରୱାଡି ପରିବାରର ସୁନ୍ଦର ସ୍ମାର୍ଟ ତଥା ଏକ ଆକର୍ଷକ ବ୍ୟକ୍ତିତ୍ୱର ଅଧିକାରୀ ନୀଲେଶ ବି ପ୍ରଥମ ଦେଖାରେ ହିଁ ଟାଣି ହେଇ ଯାଇ ଥିଲା ତା ପ୍ରତି । କଲେଜ କ୍ୟାଣ୍ଟିନରେ ପ୍ରଥମ କଥା ବାର୍ତ୍ତାରୁ ଆରମ୍ଭ ହୋଇଥିବା ପ୍ରେମ ଆଉ ବନ୍ଧ ବାଡ଼ ମାନି ନ ଥିଲା ।ଜାତିଗତ, ସଂସ୍କୃତି ଗତ ଭାଷାଗତ ପ୍ରତିବନ୍ଧକକୁ ମାନୁ ନ ଥିଲେ ସେମାନେ । କଲେଜ ପଛ ପଟେ ଥିବା ଦେବଦାରୁ ମୂଳେ ନିୟମିତ ଦେଖା କରୁଥିଲେ ସେମାନେ । ସ୍ବପ୍ନ ସବୁ ଡେଣା ମେଳାଉ ଥିଲେ ।ଯୋଜନା ହେଉଥିଲା ଏକ ସୁନେଲି ଭବିଷ୍ୟତର । ସମୟ ତା ନିର୍ଧାରିତ ପଥରେ ଆଗକୁ ବଢ଼ୁଥିଲା । କଲେଜର କିଛି ବର୍ଷର ସୁବର୍ଣ୍ଣ ସମୟ ଏକ ସୁନ୍ଦର ସ୍ବପ୍ନ ପରି ହଟାତ ସରି ଯାଇଥିଲା ।

ତା ପାଇଁ ପ୍ରେମ ଥିଲା ଶାଶ୍ୱତ ।ସମ୍ପୂର୍ଣ ଭାବେ ସମର୍ପିତ । ନୀଲେଶକୁ ନେଇ ହିଁ ସ୍ବପ୍ନ ଦେଖୁଥିଲା ସେ । ଭବିଷ୍ୟତ ପାଇଁ କରୁଥିବା ପ୍ରତ୍ୱେକ ଯୋଜନାର କେନ୍ଦ୍ର ରେ ଥିଲା ସେ ।ଉଭୟ ପରିବାରର ସହମତିରେ ବିବାହ କରିବା ପାଇଁ ଓ ଯଦି ସହମତି ନ ମିଳେ ତେବେ ବି ହାରି ନ ଯାଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅପେକ୍ଷା କରିବାର ପ୍ରତିଶୃତିରେ ଆବଦ୍ଧ ହୋଇ ଚେଷ୍ଟା ଆରମ୍ଭ କରିଥିଲେ ।

ବାହାଘର ଚେଷ୍ଟାକୁ କିନ୍ତୁ ଘୋର ବିରୋଧ କରିଥିଲେ ଉଭୟ ପରିବାର । ସେତେବେଳେ ସୁପ୍ରିୟା ର ନୈଷ୍ଟିକ ତେଲେଗୁ ବ୍ରାହ୍ମଣ ପରିବାର ପାଇଁ ତ ଏ କଥା ଘୋର ଅପମାନର ବିଷୟ ଥିଲା ।ବାପା ଭାଇ ମା କେହି ବି ସମର୍ଥନ କରି ନ ଥିଲେ ।କୋଡିଏ ବର୍ଷ ତଳର ସାମାଜିକ ଅବସ୍ଥା ବି ତାଙ୍କୁ ସମର୍ଥନ କରିବାକୁ ଦେଇ ନ ଥିଲା । କିନ୍ତୁ ଅଟଳ ରହିଥିଲା ସୁପ୍ରିୟା ଯାହାକୁ ଥରେ ସ୍ୱାମୀ ବୋଲି ମାନି ନେଇଛି ଯାହାକୁ ନେଇ ଏତେ ବର୍ଷ ହେଲା ସେ ସ୍ବପ୍ନ ଦେଖି ଆସିଛି ତା ଛଡା ଅନ୍ୟ କାହାକୁ ବିବାହ କରିବାର ପ୍ରଶ୍ନ ଉଠୁନି କହି ଦେଇଥିଲା ସେ ।ବହୁତ ବୁଝାଇଥିଲେ ବାପା ମା ।କିନ୍ତୁ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲା ସେ ।ତାର ଜିଦ ଆଗରେ ଧୀରେ ଧୀରେ ମୁଣ୍ଡ ନୂଆଉଥିଲେ ବାପା କିନ୍ତୁ ନିଜ ପ୍ରତିଶୃତି ରକ୍ଷା କରି ପାରିଲାନି ନୀଲେଶ ।

ସେ ଦିନ ଜୋର ଧକ୍କା ଲାଗିଥିଲା ସୁପ୍ରିୟାକୁ ଯେତେବେଳେ ପରିବାରର ଦ୍ୱାହି ଦେଇ ଆତ୍ମ ସମର୍ପଣ କରି ଦେଇଥିଲା ନୀଲେଶ ।ବିବାହ କରିଥିଲା ମଧୁଲିକାକୁ ।ନିଜର ପ୍ରେମ ଉପରୁ ତଥା ଭଗବାନଙ୍କ ଉପରୁ ବିଶ୍ୱାସ ହରେଇ ବସୁଥିଲା ସୁପ୍ରିୟା ।ମନକୁ ବୁଝେଇ ବାର ଚେଷ୍ଟା ବି କରିଥିଲା ଅନ୍ୟ କାହା ସହ ନୀଡ଼ ରଚନା ପାଇଁ କିନ୍ତୁ ମନ ବୁଝି ନ ଥିଲା ।କଳ୍ପନାରେ ବି ନୀଲେଶ ହିଁ ଆସି ଯାଉଥିଲା ।ଦୃଢ ନିଷ୍ପତି ନେଇଥିଲା ସେ ।ନା ବିବାହ ଆଉ ଏ ଜନ୍ମରେ ନୁହେଁ ।

ବାପାଙ୍କ ଚାକିରୀ ସରି ଆସୁଥିଲା ଭାଇର ବି ବ୍ୟବସାୟ ଭଲ ଜମିଥିଲା ଏ ସହରରେ ତେଣୁ ଆଉ ଆନ୍ଧ୍ରକୁ ନ ଫେରି ଜାଗା କିଣି ଘର କରିଥିଲେ ସେମାନେ ।ସୁପ୍ରିୟା ଦିଲ୍ଲୀ ଯାଇ ପାର୍ଲର କୋର୍ସ କରି ନିଜକୁ ସ୍ୱାବଲମ୍ବୀ କରିବାର ଚେଷ୍ଟା କରିଥିଲା ।ବିବାହ ପାଇଁ ସକଳ ଚେଷ୍ଟା କରି ବିଫଳ ହେବା ପରେ ବାପା ତା ପାଇଁ ସ୍ୱତନ୍ତ୍ର ଘର ଓ ଅତ୍ୟାଧୁନିକ ପାର୍ଲର କରି ଦେଇଥିଲେ ।

ସେତେବେଳେ ପ୍ରଥମ କରି ଏ ଛୋଟ ସହରରେ ପାର୍ଲର ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିଲା ।ଧୀରେ ଧୀରେ ବ୍ୟବସାୟ ବଢି ଚାଲିଥିଲା ।

ଅପର ପଟେ ଦୁଇଟି ଝିଅଙ୍କ ବାପା ହୋଇଥିଲା ନୀଲେଶ ।କେବେକେମିତି ଭେଟ ହେଉଥିଲେ ଆଖି ଲୁଚାଉଥିଲା ସେ କିନ୍ତୁ ତାଙ୍କ ଅତୀତକୁ ଭଲ ଭାବେ ଯାନିଯାଇଥିବ ମଧୁଲିକା ତାକୁ ବହୁତ ସମ୍ମାନ କରୁଥିଲା ।ତାର ଚେହେରାରୁ ଫୁଟି ଉଠୁଥିଲା କରୁଣା ର ଭାବ ।ଆଜି ସୁପ୍ରିୟା ଅବିବାହିତ ରହିବାର କାରଣ ସେ ନିଜେ ଭାବି ଅନେକ ଥର ଦୁଃଖ ପ୍ରକାଶ ବି କରିଥିଲା କିନ୍ତୁ “ସବୁ ଭାଗ୍ୟ ର ଖେଳ ଆଉ ଯଦି କିଏ ଦୋଷୀ ତାହେଲେ ନୀଲେଶ ତୁ କାହିଁକି “ବୋଲି କହି ତାକୁ ବୁଝାଇ ଥିଲା ସୁପ୍ରିୟା ।

ସମୟର ଚକ ତା ନିର୍ଧାରିତ ବେଗ ରେ ଘୁରୁଥିଲା ।ୟା ଭିତରେ ପନ୍ଦର ବର୍ଷର ଅତିବାହିତ ହୋଇ ଯାଇଥିଲା ।ନିଜ ନିଷ୍ପତି ନେଇ କୌଣସି ପଶ୍ଚାତାପ ନ ଥିଲା ସୁପ୍ରିୟାର ।ପାର୍ଲର ବ୍ୟବସାୟ ବହୁତ ଭଲ ଚାଲିଥିଲା ।ଭାଇର ବାହାଘର ପରେ ସମସ୍ତେ ଏକାଠି ରହିଲେ ବି ନିଜ ନିଜ କାମରେ ବ୍ୟସ୍ତ ରହୁଥିଲେ ।ସେ ଦିନ ଭାଇ କିନ୍ତୁ ବହୁତ ଖୁସି ଥିଲା ।

“"ଠିକ ହେଇଛି ଯିଏ ଯେମିତି କରିବ ସେମିତି ପାଇବ ଜଣକୁ ଧୋକା ଦେଇ ସୁଖ ର ସଂସାର କରୁଥିଲା ଏମିତି ତ ହେବ “ଇତ୍ୟାଦି କଥାରୁ ସେ କହି ଥିଲା ମଧୁଲିକର ଦୁର୍ଘଟଣାରେ ମୃତ୍ୟୁ କଥା ।

କିନ୍ତୁ ଖୁସି ହୋଇ ପାରି ନ ଥିଲା ସୁପ୍ରିୟା ।ଆଖି ରେ ଦିଶିଯାଉଥିଲା ବିନା ଦୋଷ ରେ ନିଜକୁ ଦୋଷୀ ଭାବୁଥିବା ତାର ନିରୀହ ଚେହେରା ।ଛୋଟ ଛୋଟ ଛୁଆଙ୍କୁ ନେଇ କିଭଳି ପରିସ୍ଥିତିର ସାମ୍ନା କରୁଥିବ ନୀଲେଶ ସେହି ଚିନ୍ତା ତାକୁ ବ୍ୟଥିତ କରୁଥିଲା ।ଭାଇ କେବେ ବୁଝି ପାରିବନି ନାରୀ ମନର ଗଭୀରତା କେତେ ।କେତେ କରୁଣାମୟୀ ସେ ।କେତେ ସମର୍ପିତା, ଯାହାକୁ ଥରେ ଭଲ ପାଇଛି ଯେତେ ଧୋକା ଖାଇଲେ ବି ତାର ଅମଙ୍ଗଳ ଚିନ୍ତା କରି ପାରେ ନି ଏଇଟା ତ ତାର ମହନୀୟତା ।

ସେଇ ଦିନଠୁ ଆଜି ଯାଏ ଆଉ ନୀଲେଶକୁ ଭେଟି ନ ଥିଲା ସେ ।କିନ୍ତୁ ଆଜି ଯେତେବେଳେ ନିଜେ ଆସି ତାକୁ ଅନୁରୋଧ କରୁଛି । ଛୁଆ ଦୁଇଟାଙ୍କ ପାଇଁ ନା ନିଜ ପାଇଁ ।ତା ପ୍ରତି କରିଥିବା ବିଶ୍ୱାସଘାତକତାର ପଶ୍ଚାତାପ ପାଇଁ ନା ନିଜ ଲୁପ୍ତ ପ୍ରେମ ପାଇଁ । ନିଜ ବୁଡି ଯାଇଥିବା ବ୍ୟବସାୟକୁ ତାର ପାର୍ଲର ବ୍ୟବସାୟ ରେ ମିଶାଇ ଅର୍ଥ ଉପାର୍ଜନ ପାଇଁ ।ବିବେକ ମନା କରୁଥିଲା ଥରେ ଧୋକା ଦେଇଥିବା ନୀଲେଶ ଉପରେ ପୁନଃ ବିଶ୍ୱାସ ପାଇଁ କିନ୍ତୁ ମନ ଚହଲି ଉଠୁଥିଲା ।ମନ ପୁଣି ଥରେ ପୁରୁଣା ସ୍ବପ୍ନ ସବୁ କୁ ପୁନଉଜ୍ଜିବିତ କରୁଥିଲା ।ଚିନ୍ତା କରି ପାରୁ ନ ଥିଲା ସେ ।

ବାପା ଭାଇଙ୍କ କିଛି କହିବାର ନ ଥିଲା ।ବାପା ମା ସବୁବେଳେ ଚାହାନ୍ତି ନିଜ ଝିଅର ସୁଖ ଆଉ ମିଳେ ନିଜର ପରିବାରରେ ।ଏମିତି ଅବିବାହିତ ରହି ଯେତେ ସୁଖରେ ଥିଲେ ବି ସେଇଟା ତାଙ୍କୁ ଖୁସି ଦିଏନି ବରଂ ଚିନ୍ତା ବଢାଏ ।ତା ପାଇଁ ବହୁତ ହଇରାଣ ହୋଇ ସାରିଲେଣି ସେମାନେ ।

ଶେଷରେ ବିବେକ ଉପରେ ମନର ବିଜୟ ହୋଇଥିଲା କିନ୍ତୁ ବ୍ୟବସାୟ ସବୁ ନିଜ ଭାଇଙ୍କୁ ହସ୍ତାନ୍ତରିତ କରିଥିଲା ସେ ।କୋର୍ଟରେ ବିବାହ କରିଥିଲେ ସେମାନେ ।ନୀଲେଶକୁ ବାହା ହେବାର କୋଡିଏ ବର୍ଷ ତଳର ସ୍ବପ୍ନ ବାସ୍ତବତାର ରୂପ ନେଇ ଥିଲା ।ଚାଳିଶ ବର୍ଷରେ ପୁଣିଥରେ ନୂଆ ନୂଆ ସ୍ବପ୍ନ ସବୁ ଅଙ୍କୁରିତ ହେଉଥିଲେ ମନରେ ।

ଘର କୁ ଆସି କିନ୍ତୁ ଗଜା ମରୁଡି ର ଶିକାର ହୋଇଥିଲେ ସେ ସ୍ବପ୍ନ ସବୁ ।ବାସ୍ତବତା ର କଠୋର ସ୍ବର୍ଶ ରେ ମନ ର କାଚ ଘର ଭାଙ୍ଗି ଚୁରମାର ହୋଇ ଯାଇଥିଲା । ତାକୁ ବାହା ହେବାର ପଛରେ ଥିବା ଅସଲି କାରଣ ଏଵେ ଜାଣୁଥିଲା ସେ ।ଯାହାକି ତାକୁ କଲବଳ କରି ଦେଉଥିଲା ।

କେବଳ ଘରେ ରହି ରନ୍ଧାବଢ଼ା କରିବା ଛୁଆଙ୍କ ଯତ୍ନ ନେବା ଓ ନିଜର ଜୈବିକ ଆବଶ୍ୟକତା ପୂରଣ ହିଁ ନୀଲେଶଙ୍କ ପ୍ରକୃତ ଉଦେଶ୍ୟ ଥିଲା ।ନିଜ ମୃତ୍ୟୁ ପରେ ବି ସେ ଘରେ ଛୁଆଙ୍କ ମନରେ ଓ ନୀଲେଶର ହୃଦୟରେ ରାଜତ୍ୱ କରୁଥିଲା ମଧୁ ଲିକା ।ବିବାହ ନାମରେ ଏକ ଅବୈତନିକ ଚାକରାଣୀ ରୂପେ ନିଜକୁ ପାଇଥିଲା ସେ ।ନାରୀ ଜୀବନର ସର୍ବ ଶ୍ରେଷ୍ଠ ଉପଲବ୍ଧି ମା' ହେବାର ସୁଯୋଗ ବି ନ ଥିଲା ତା ପାଇଁ କାରଣ ବାରମ୍ବାର କହିବା ପରେ ବି ଆଣ୍ଟି ଡାକୁଥିଲେ ଛୁଆ ମାନେ ।

ନୀଲେଶକୁ ବ୍ୟାକୁଳ ହୋଇ ଅନୁରୋଧ କରିଥିଲା ସେ ନିଜର ଏକ ଛୁଆ ପାଇଁ ମା' ଡାକ ଶୁଣିବା ପାଇଁ ନିଜର ଆତୁରତାକୁ ବୟାନ କରିଥିଲା ସେ କିନ୍ତୁ “ସେ ସ୍ବପ୍ନ ଦେଖା ଛାଡିଦିଅ ପ୍ରିୟା ମୁଁ ତୁମକୁ ବାହାହେବା ଆଗରୁ ନିଜର ଅସ୍ତ୍ରୋପଚାର କରି ଦେଇଛି କାଳେ ନିଜ ଛୁଆକୁ ଧ୍ୟାନ ଦେଇ ଝିଅ ଦୁଇ ଜଣକୁ ଅବହେଳା ନ ହେବ ବୋଲି ସେଇଟା କରି ମୁଁ ବାପାର କର୍ତ୍ତବ୍ୟ କରିଛି “ଅତି ସହଜ ଭାବେ କହିଦେଇଥିଲା ନୀଲେଶ ।

ଛାତି ଚିରି ହୋଇଯାଉଥିଲା ସୁପ୍ରିୟାର ମନ ଚାହୁଁଥିଲା ପଚାରିବାକୁ ଆଉ ମୋ ପାଇଁ କଟଣ କିଛି କର୍ତ୍ତବ୍ୟବ୍ୟ ନାହିଁ ? ନିଜ ଜୀବନକୁ ତିଳ ତିଳ କରି ନୀଲେଶ ପାଇଁ ଖର୍ଚ୍ଚ କରି ସେ ପାଇଲା କଣ ? କିନ୍ତୁ ପଥରରେ କର ମାରି ଲାଭ କଣ ।

ଥରେ ଥରେ ଚିନ୍ତା କରେ ସେ ଗୋଟିଏ ମରୀଚିକା ପଛରେ ଗୋଡାଉ ଥିଲା ସେ ।ପ୍ରେମ ପାଇଁ ନିଜର ସର୍ବସ୍ୱ ଜଳାଞ୍ଜଳି ଦେଇ ସେ ପାଇଲା କ’ଣ? ଆଜି ବି ସେ ଶୂନ୍ୟହସ୍ତା ।

ପ୍ରେମ ନୀଲେଶ ମରୀଚୀକା

Rate the content


Originality
Flow
Language
Cover design

Comments

Post

Some text some message..