Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Barik

Inspirational

3  

Chinmayee Barik

Inspirational

ଝରକା ସେପଟେ

ଝରକା ସେପଟେ

6 mins
7.2K


  ଚାରିଆଡେ କୋଳାହଳ ।"ଇନା"କାନଟା କିନ୍ତୁ କେମିତି ବଧିରା ହୋଇ ଯାଇଛି ।କିଛି ଶୁଭୁନି ତାକୁ । ଲାଗୁଛି ଯେମିତି ମ୍ୟୁଟ୍ ଭରସନ୍ ରେ ଗୋଟିଏ ଫିଲ୍ମ ଚାଲିଛି ଆଉ ସେ ଗୋଟିଏ ଦେଖଣା ହାରୀ ...ଠିକ୍ ହିନ୍ଦି ଫିଲ୍ମ"ପୁଷ୍ପକ"ପରି ।

ସନ୍ତାନ ଲାଗି ଦେଖିଥିବା ସବୁ ସ୍ୱପ୍ନ କୁ ସାର୍ଥକ କରିବାକୁ ଯାଇ ଅନେକ ବାପା ମା ସନ୍ତାନର ଇଛାକୁ ବଳୀ ପକେଇ ଦିଅନ୍ତି ।ସନ୍ତାନ ଟିଏ ହେବାର ଦାୟରେ ମଣିଷ ବେଳେ ବେଳେ ଭାରୀ ଛଟ ପଟ ବି ହୁଏ ।ଋଣ ଶୁଝିବାର ବୋଝରେ ଜୀବନ ତମାମ ଘୋଷାଡି ହୋଇ ଚାଲୁ ଥାଏ ।

ସାରା ଜୀବନ ଅବିବାହିତା ହେବାର ନିଷ୍ପତ୍ତି ରେ ବାଧକ ସାଜିଛନ୍ତି ବାପା ବୋଉ ।ବିଷ ଶିଶିକୁ ହଲେଇ ବୋଉ ଅନେକ ଥର ଇମୋସନାଲ୍ ବ୍ଲାକ ମେଲିଂ ବି କରୁଛି ।

ଏବେ ଇନା ଭାବୁଛି ...କଣ ଟା ଭାସି ଯାଇଥାଆନ୍ତା ଯଦି ସେ ବାହା ହୋଇ ନ ଥାଆନ୍ତା?ସେ ବାହା ହୋଇଗଲେ କଣ ବା ଅଧିକ ଉପକାର ହୋଇଯିବ ଦୁନିଆର??ଆଛା ଖାସା ଚାକିରିଟେ ତ କରୁଛି ।ମାସ ଶେଷରେ ଚାଳିଶ ହଜାର ଅଣ୍ଟିରେ ପୁରଉଛି ।ନିଜ ପରି ବଞ୍ଚିଛି ।ହେଲେ ତାର ଏଇ ବଞ୍ଚିବାଟା କୁ ବାପା ବୋଉଙ୍କୁ ଫାଳିକିଆ ଲାଗୁଛି ।ଆଉ ଫାଳେ ବାହାରୁ ଷଣ୍ଢ ଟେ ଆଣି ଯୋଡି ଦେଲେ ସେ କାଳେ ସଂପୂର୍ଣ ହେଇ ଯିବ ....ଅର୍ଦ୍ଧନାରୀଶ୍ୱର...ଛେଃ......।

ଷଣ୍ଢଟେ ବି ଠିକ୍ ହୋଇଛି ...ଗୋଟେ ଗୋରା ଷଣ୍ଢ । ଜାତକ ଟା ଠିକ୍ ମେଳ ହେଇଛି ପରା ।ରକ୍ତ ଠିକ୍ ମେଳ ହେଉଛି କି ନାହିଁ ସେ କଥା ସବୁ ଭୂଲି ଯାଇଛନ୍ତି ।ନା...ଭୂଲି ନାହାଁନ୍ତି ହେଲେ ଏ ବିଷୟରେ ଏ ଯାଏଁ ସମାଜ ସଚେତନ ନୁହେଁ ।

ଖାଲି ଦୁଇଟି କାଗଜର ଅଙ୍କା ବଙ୍କା ଲାଇନ୍ ମିଶିଗଲେ କାଳେ ତାହା ରାଜ ଯୋଟକ ।ସାରାଜୀବନ ହସ ଖୁସିରେ ଚାଲି ଯିବ ।ହଁ ଏମିତି ଖୁସିରେ ଲୀନା ବି ତ ବାହା ହୋଇଥିଲା ରାଜ ଯୋଟକରେ ।ମାସେ ପରେ ଲୀନା ବାପଘରେ ହାଜର ।କଥା କଣ ଜାଣୁ ଜାଣୁ ଧରା ପଡିଲା ଯେ ପିଲାଟା ଅଣପୁରୁଷାଟେ କାଳେ ।

ଜାତକ ମିଳେଇଲା ବେଳେ ଏଇ ରକ୍ତ ପରୀକ୍ଷା ଆଉ ନାରୀ ପୁରୁଷଙ୍କ ଯୌନ କ୍ଷମତା ଉପରେ ଟିକେ ଯାଞ୍ଚ କଲେ ହୁଅନ୍ତାନି???ହେଃ....ଏ କଥା ଗୁଡା କିଏ କହିବ ...ମୁଣ୍ଡ କୁଣ୍ଢଉ କୁଣ୍ଢଉ ଭାବିଲା ଇନା ।

ଇନା ମନରେ ଏ ଖିଆଲ ବି ଆସୁଥିଲା ସେ ଷଣ୍ଢ ଟାର ଦାନ୍ତ ପରୀକ୍ଷା ବି କରା ଯିବା ଉଚିତ୍...ଯଦି ତା ଦାନ୍ତ ଗୁଡା ହଳଦିଆ ହୋଇଥିବ ...ତେବେ???ଇସ୍...ବରଦାସ୍ତର ବାହାରେ....

ଇନା ର ଚାରିପାଖ ଏବେ ବି ମ୍ୟୁଟ୍ ଭର୍ସନରେ ଚାଲିଛି ...ମାନେ ଇନା ନିଜ ଭିତରେ ଏତେ କୋଳାହଳରେ ଅଛି ଯେ ବାହାର କୋଳାହଳ ତାକୁ କିଛି ଶୁଭୁନି ।

ଅସଲ ଫାଶ ଟା ତ ପଡିଛି ଏଇ "ପରେଶ "ପାଖରେ ....

କିଏ କହିଥିଲା ଏଇ ପରେଶକୁ ଡାକିବାକୁ?ବାହାଘର ମାସେ ଆଗରୁ ତାକୁ ଡାକି ଦିଆ ଯାଇଛି ।ସେ ବି ବେହିୟା ଆସି ହାଜର ହୋଇଯାଇଛି ।

ଉଫଫ୍....ତାକୁ ଦେଖିଲା ବେଳକୁ ସବୁ ମ୍ୟୁଟ୍....ମ୍ୟୁଟ୍.....ମ୍ୟୁଟ୍....

"ଇନା "ଜୀବନରେ "ପରେଶ "ହେଉଛି ଗୋଟିଏ ମାଙ୍କଡା ଇତିହାସ ।ଏ ଇତିହାସକୁ ଯେତେଥର ପଢିବାକୁ ଚାହିଁଛି ତା ମୁଣ୍ଡରେ ଉକୁଣି ବୁଲିବା ଭଳି ଲାଗିଛି ।ଦିନ ତମାମ ମୁଣ୍ଡ କୁଣ୍ଢାଇବାରେ ଯାଇଛି ।

ଏବେ ନୁହେଁ ପାଞ୍ଚ ବର୍ଷ ତଳେ "ପରେଶ"ଭଡା ନେଇ ରହୁଥିଲା "ଇନା"ଘର ସାମ୍ନାରେ ।ଗୋଟିଏ କଲେଜରେ ପଢୁଥିଲେ ଦୁହେଁ ।ଇନା ରୁମ୍ ର ଝରକା ଖୋଲିଲେ ପରେଶର ଖୋଲା କବାଟ ଦେଖାଯାଏ ।ଦିନ ତମାମ୍ ନୀରବ ସେ କୋଠରୀ ହେଲେ ରାତି ହେଲେ ସେ ରୁମ୍ ରେ ଯେମିତି ସଇତାନ ଜାଗି ଉଠେ ।ମ୍ୟୁଜିକ୍ ଶୁଭେ...ହାଣ୍ଡିଆ ପାଟିରେ ଗଳାଫଟା ଆବାଜର ଗୀତ ଶୁଭେ...ବେଳେ ବେଳେ ଗୀଟାର୍ ଆବାଜ ବି ଆସେ...କାହିଁକି କେଜାଣେ ଇନାର ବିତୃଷ୍ଣାଭାବ ଆସେ ସେ ପରେଶ ପ୍ରତି ।ତାର କାରଣ ସେ ନିଜେ ବି ଜାଣେନି ।

କିଛି ଦିନ ପରେ ପରେଶ ର ଅବାଧ ପ୍ରବେଶ ଇନା ଘରେ ହୋଇଗଲା ।ହୁଅନ୍ତାନି କେମିତି ?ତା ବୋଉ ପରା ଧଣିଆ,ଲେମ୍ବୁ ଲଙ୍କା,ଔଷଧ ମଗାଏ ପରେଶ ହାତରେ ?ପରେଶର କୁଞ୍ଚୁ କୁଞ୍ଚିଆ ଗହଳ ଚୁଟି ବୋଉକୁ କାଳେ ଭାରୀ ଭଲ ଲାଗେ ।

ପରୀକ୍ଷା ଶେଷ ହୋଇଯାଇଥିଲା ।ତା ପରେ ଦୁଇମାସ ଛୁଟି ।ସେଦିନ ଘରେ କେହି ନ ଥିଲେ ।ଧଡ୍ କରି ପଶି ଆସିଲା ପରେଶ ।ହାତରେ ଗୋଟେ କାଗଜ ।ଇନା ହାତକୁ ବଢେଇ ଦି ଚାଲିଗଲା ଝଡପରି ।

କାଗଜରେ ଲେଖା ଥିଲା...."ପ୍ରେମ କଣ ଆଉ କେମିତି କୁହାଯାଏ ମୁଁ ଜାଣେନି ।ତଥାପି କହୁଛି "ଆଇ ଲଭ୍ ୟୁ" ।ତୁମେ ଯଦି ରାଜି ତେବେ ମୁଁ ଅପେକ୍ଷା କରିବି ।ମୋର ଚାକିରି ହୋଇ ଯାଇଛି ।ହଁ..ତୁମେ ରାଜି ହେଲେ ମନ ଭରି ଆଗେ ପ୍ରେମ କରିବି ଆଉ ତା ପରେ ଯଦି ଦୁହିଁଙ୍କୁ ଠିକ୍ ଲାଗିବ ତେବେ ସାରାଜୀବନ ସାଥୀ ହୋଇ ରହିବା ।ପ୍ରେମ ପତ୍ର ଲେଖି ଆସେନି ହେଲେ ଉତ୍ତର ଅପେକ୍ଷାରେ ରହିଲି।ଯଦି ଠିକ୍ ଭାବିବ ମୋତେ ଫୋନ୍ ରେ ଜଣେଇବ ।"

ଚିଠିଟି ପଢିଲା ପରେ ଇନାର ମୁଣ୍ଡ ଗରମ ହୋଇ ଯାଇଥିଲା ।ପାଦ ତଳ ରକ୍ତ ତା ମୁଣ୍ଡକୁ ଉଠି ଯାଇଥିଲା ।ସାଙ୍ଗେ ଫୋନ୍ ଲଗେଇଲା ସେ ପରେଶ ପାଖକୁ ।ମନ ଇଛା ଗାଳି ଦେଲା ।କଞ୍ଚୁ କୁଞ୍ଚିଆ ଚୁଟି..ଅଛଞ୍ଚା ଦାଢିଆ ଟା ତାର ପ୍ରେମିକ ହୋଇ ପାରେନା ବୋଲି ବି କହିଲା ।ଆଉ ଧଡାସ୍ କରି ତା ଝରକା ବି ବନ୍ଦ କରି ଦେଇଥିଲା ଯେଉଁଟା ପରେଶ ରୁମ୍ ର ସାମ୍ନାରେ ଥିଲା ।

କିଛି ଦିନ ପରେ ବୋଉ ନାକ ସୁଁ ସୁଁ କରି କହୁଥିଲା ମୋର ଡାହାଣ ହାତଟା କଟି ଗଲା ।ପରେଶ ର ଚାକିରି ହୋଇଗଲା ।ସେ ପଳେଇବ ।ମୋ କଥା କିଏ ବୁଝିବ??

ବୋଉର କଥା ଶୁଣି ଇନାକୁ ଖୁବ୍ ହାଲକା ଲାଗିଥିଲା ।ଖୁସି ବି ହେଇଥିଲା ଗୋଟେ କାଳ ଗ୍ରହ ଗଲା ଶୁଣି ।

ଏବେ ବାହାଘର ମାସେ ବାକି ଅଛି ଅଥଚ ବୋଉ ଡାକି ସାରିଛି ପରେଶକୁ ଏବେଠୁ ।ଇନାକୁ ଭାରୀ ଅଡୁଆ ଲାଗୁଛି ।ଟିକେ ବେଖାପ ବି ଲାଗୁଛି ସେଦିନର ନିଜର ବ୍ୟବହାର ଲାଗି ।ଏହା ଭିତରେ ପାଞ୍ଚ ବର୍ଷ ବିତି ଯାଇଛି ।କେଜାଣେ ସେ ଏକଥାକୁ ମନେ ରଖି କି କଣ ।ମୁଣ୍ଡ କୁଣ୍ଢାଇବାକୁ ଆଇନା ଆଗରେ ଠିଆ ହେଲେ ଦିଶୁଛି ସେଇ କୁଞ୍ଚୁ କୁଞ୍ଚିଆ ଅଛଞ୍ଚା ଦାଢିଆ ମୁହଁଟା ।ଇସ୍ ..ଭାରୀ ଇରିଟେଟିଂ ...

ଆଜି ପରେଶ ଆସିବ ତାଙ୍କ ଘରକୁ ।କୋଉ ଗୋଟେ ହୋଟେଲ୍ ରେ ରହୁଛି ଦୁଇଦିନ ହେଲା ।ଯାହା ବି ହେଉ ଇନା ତାକୁ ଏଭୋଏଡ୍ କରିବ ...ତା ଛଡା ତ ଉପାୟ ବି ନାହିଁ ।

ଗାଧୁଆ ଘରେ ଗୁଣୁଗୁଣୁ ହୋଇ ସାମ୍ପୋ ଲଗାଇଲା ବେଳେ ହିଁ ବୋଉର ହାଣ୍ଡିଆ ପାଟି ଶୁଭିଲା ।କିଏ କୁଆଡେ ଅଛ..ପରେଶ ଆସିଲାଣି ପରା ।ଏ ଇନା...କୁଆଡେ ଗଲୁ??

ଇନା ଜାଣି ଶୁଣି ଡେରୀ କରି ଆସିଲା ଫୁଲ୍ ମେକ୍ ଅପ୍ ନେଇ ବେପରୁଆ ଢଙ୍ଗରେ ।

ବୋଉ ତା ହାତ ଟାଣିନେଇ ଜବରଦସ୍ତି ବସାଇଦେଲା ପରେଶ ଆଗରେ ।ଇନା ଏକ କଣ ଦେଖୁଛି?ଏ ପରେଶ ନା ଆଉ କିଏ?ତାର ଚୁଟି ଷ୍ଟାଇଲ୍ ଡିଫେନ୍ସ କଟ୍..କ୍ଲିନ୍ ସେଭ୍ ଫେସ୍...ଗୋଲ୍ଡେନ୍ ପ୍ଲେଟେଡ୍ ସ୍ପେକ୍ ...ଲୁକ୍ ପୁରା ଜେନ୍ଟେଲ୍ ....ମୁହଁଟା ପୁରା ଦେଖା ଯାଉଛି ଚିକ୍କଣ..ଛିଲକା ହୁଆ ଅଣ୍ଡା ଜୈସା...

ଇନା ତାକୁ ଏଭୋଏଡ୍ କରିବ କଣ... ସେ ଇନାକୁ ଗୋଟିଏ ଲୁକ୍ ରେ ହାଏ କହିଦେଇ ବୋଉ ସହ କଥା ହୋଇ ଚାଲିଲା ।ପରେଶର ଏପରି ଆଟିଚ୍ୟୁଡ୍ ରେ ଇନା ଟିକେ ଅନ୍ୟ ମନସ୍କ ହେଲା ।

😟

ପନ୍ଦର ଦିନ ହେଲା ପରେଶ ବୋଉ ସହ ସବୁ କାମରେ ସହଯୋଗ କରି ଆସୁଛି ।ବୋଉ ଭାରୀ ଛଳ ଛଳ ଆଜିକାଲି ।ଯେମିତି ତାକୁ ସରଗର ଚାନ୍ଦ ମିଳି ଯାଇଛି । ବାପା ପୁରା ନିଶ୍ଚିନ୍ତ ହୋଇ ବସିଛନ୍ତି ।

ଇନାକୁ କାହିଁକି ଆଜିକାଲି ଭାରୀ ଅଣନିଃଶ୍ୱାସୀ ଲାଗେ।କାହିଁକି ଲାଗୁଛି ସେ ନିଜେ ଜାଣି ପାରେନା ।ତା ପ୍ରତି ପରେଶର ଗମ୍ଭୀର ପଣିଆ ନା ଇନା ଭିତରର ଘୃଣା ତାକୁ ଅଣନିଃଶ୍ୱାସୀ କରଉଛି? ଜାଣେନା ସେ ।

କିନ୍ତୁ ଆଇନାରେ ନିଜ ଛବି ଦେଖିଲା ବେଳେ କାହିଁକି ସେ ଅଛଞ୍ଚା ଦାଢିଆ ମୁହଁଟା ତାକୁ ବାର ବାର ଦେଖା ଯାଉଛି?

ବାପା ବୋଉଙ୍କ ଇଛାରେ ପିଲାଟାକୁ ନ ଦେଖି ବି ସେ ବାହା ହେବାକୁ ରାଜି ହୋଇ ଯାଇଛି ,ହେଲେ ଆଜି କାଲି ତା ଭିତରେ କିଛି ଗୋଟିଏ ପ୍ରକ୍ରିୟା ଚାଲୁଛି ।ଖେଞ୍ଚି ପେଲି ହେଲା ଭଳି କଷ୍ଟ ଅନୁଭବ ହେଉଛି। ।ତା ଭିତରେ କିଛି ନଷ୍ଟ ହେଇ ଚାଲିଛି ...କିଛି ସୃଷ୍ଟି ବି ହେଉଛି ।ହେଲେ କଣ ତାହା ..କାହିଁକି...ଏ କଥା ବୁଝିବା ବି ମୁସ୍କିଲ୍ ।

ଆପେ ଆପେ କାନ୍ଦିବାକୁ ଇଛା ବି ହେଉଛି ବେଳେ ବେଳେ ।

😂

ଆଜି ବାପା ବୋଉ ସହ ସବୁ ସଂପର୍କିୟ ମାନେ ଯାଇଛନ୍ତି କ୍ଷୀରଚୋରା ମନ୍ଦିର ବୁଲିବାକୁ । ଘରେ କେବଳ ଏକା ଇନା ।

ଇନା ଚକା ମାଡି ତଳେ ବସିଛି । ଅଇନାକୁ ବାରବାର ଅନାଉଛି । ନିଜକୁ ନିଜେ ଆଜି ପ୍ରଶ୍ନ କରିବ..ଉତ୍ତର ବି ଖୋଜିବ ।ଏ ସମାଧାନ ନ ହେଲେ ସେ ପାଗଳ ହୋଇଯିବ ପ୍ରାୟ ।

ଆଖିବୁଜି ଭାବିଲା ...ଭାବନାରେ କାହାରି ଝାପସା ମୁହଁ ...ସେ ଆଉ କେହି ନୁହେଁ ..ପରେଶ ।

ହେଲେ ପରେଶ କାହିଁକି?ଯାହାକୁ ସେ ଏତେ ଘୃଣା କରେ? ଏଇ ଘୃଣାର ଶେଷ ରଂଗ କଣ ପ୍ରେମ..ନା ତା ଛିଲକା ହୁଆ ଅଣ୍ଡା ଭଳି ମୁହଁଟା ତା ଆକର୍ଷଣ ହୋଇପଡିଲା ?ଏମିତି ବି ହୋଇପାରେ ପ୍ରତ୍ୟାଖ୍ୟାନ କରା ଯାଇଥିବା ପ୍ରସ୍ତାବ ହଠାତ୍ କିଛି ବର୍ଷ ପରେ ଆସିଲେ ପୁଣି ପ୍ରେମ ଜାଗି ଉଠେ... ନା ପରେଶର ଆଟିଚୁଡ ତାକୁ ପ୍ରେମ କରିବାକୁ ବାଧ୍ୟ କରାଉଛି?ଯାହା ବି ହେଉ ତାକୁ ତର୍ଜମା କରି କିଛି ଲାଭ ନାହିଁ ।

ଏବେ ଯଦି ପରେଶ ତାର ପ୍ରେମ ...ତେବେ ଏ ବାହାଘରଟା ....?

ପ୍ରେମ କରିବାକୁ କଣ ଆଉ କେହି ନ ଥିଲେ?ଶେଷରେ ସେ ତାକୁ ପ୍ରେମ କରିବସିଲା ଯାହାକୁ ସେ ନିଷ୍ଠୁର ଭାବରେ ପ୍ରତ୍ୟାଖ୍ୟାନ କରି ଥିଲା ପୁଣି ଏପରି ଘଡି ସନ୍ଧି ମୁହୁର୍ତ୍ତରେ??ମଲା ମଣିଷ ଏଠି...

କବାଟରେ ନକ୍ ଆବାଜ....

ବାହାରେ ପରେଶ ଠିଆ ହୋଇଛି ।ଇନା କୁ କିଛି ନ କହି ଘର ଭିତରକୁଯାଇ ଆପେ ପାଣି ବୋତଲ ନେଇ ଦୁଇ ଢୋକା ପିଇଲା । ।ଅସୁସ୍ଥ ଲାଗୁଥିଲା ।ବର୍ଷାରେ ଭିଜି ବି ଯାଇଥିଲା ।ସପିଂ କରିଥିବା କିଛି ଜିନିଷ ଇନା ହାତକୁ ବଢାଇ ଦେଇ ସୋଫାରେ ଆଖିବୁଜି ବସିଲା ।

--ପରେଶ..ଆଇ ଆମ୍ ସରି ।ଇନା ଧିର କଣ୍ଠରେ କହିଲା ।

-ହ୍ୱାଟ୍?

-ହଁ ମୁଁ ତୁମକୁ ଖୁବ୍ ଖରାପ ବ୍ୟବହାର କରିଛି ।

-ସେଥିରେ କଣ ଅଛି ?ସମସ୍ତଙ୍କର ଗୋଟେ ପସନ୍ଦ ନାପସନ୍ଦ ଅଛି ନା?ମୁଁ ଭୂଲି ଯାଇଛି ସେ ସବୁ ।

-ବଟ୍.. ନାଓ..ନାଓ ଆଇ ଲଭ୍ ୟୁ..ପରେଶ..

-ହ୍ୱାଟ୍?ଆର୍ ୟୁ ମ୍ୟାଡ??ତୁମ ଦିମାକ୍ ଠିକ୍ ଅଛି ତ?

-ନାଁ ଠିକ୍ ରେ ନାହିଁ ।

-ତୁମେ କଣ ଜାଣ ମୋ ବିଷୟରେ?ହାଁ?

-କିଛି ନ ଜାଣି ବି ପ୍ରେମରେ ...

-ଆଉ ତୁମ ବାହାଘର..ମାନ ସମ୍ମାନ...ଆଭିଜାତ୍ୟ???

-ହଁ..ସବୁ ବୁଝୁଛି...କିନ୍ତୁ ତୁମେ କଣ ମୋତେ ଭଲ ପାଅ ପରେଶ?

-ଫାଲତୁ କଥା କୁହନି ...ପ୍ରେମ ଫ୍ରେମ ସବୁ ଭୂଲି ଯାଅ ...

ପରେଶର ଏତିକି କଥା ଯଥେଷ୍ଟ ଥିଲା ଇନା ଆଖିରେ ଠୋପାଏ ଲୁହ ସୃଷ୍ଟି କରିବାକୁ ନୀରବରେ...

ତଳେ ଚୁପ୍ ହୋଇ ବସିଥିବା ଇନା ପାଖକୁ ଆସି ପରେଶ ଆଣ୍ଠେଇ ପଡି କହିଲା ...ପ୍ରେମ କଥା ବୁଝିବା ଆଗରୁ ତୁମେ ଏତିକି ବୁଝିନେବା ଯଥେଷ୍ଟ ଯେ ମୋ ହାର୍ଟରେ ଥରେ ବାଇପାସ୍ ସର୍ଜରୀ ହୋଇ ସାରିଛି ।ଆଇ ଆମ୍ ନଟ୍ ସେଫ୍ ।

ଝଡ ଭଳି ବାହାରିଗଲା ପରେଶ ଘରୁ ।

ଏକ ଲୟରେ ଚାହିଁ ଥିଲା ଇନା ଆଇନାକୁ...ଆଇନା ଭିତରେ ପରେଶର ମୁହଁ ..ତା ସାର୍ଟ ର ଖୋଲା ବୋତାମ ଭିତରୁ ଲୋମଶ ଛାତି...ଆଉ ଛାତି ତଳେ ଗୋଟେ ସିଲେଇ ହୋଇଥିବା ହୃତ୍ ପିଣ୍ଡ...

💘

ଇନା ବସିଛି ନୀରବରେ ଝରକା ପାଖରେ କେତେବେଳୁ.....

ବାପା,ବୋଉ ଆସିଲା ପରେ ଆଜି ସେ ଜଣାଇ ଦେବ ଯେ ସେ ଏକ ଅସୁରକ୍ଷିତ ଜୀବନକୁ ଆପଣେଇ ନେବାର ସ୍ୱପ୍ନ ସେ ଦେଖୁଛି ଆଜିକାଲି ।

ଘରର ଏରୁଣ୍ଡି ବନ୍ଧ ଭିତରେ ଗୋଟିଏ ଆଭିଜାତ୍ୟ ଆଉ ଝରକା ବାହାରେ ଗୋଟିଏ ଜୀବନ ।

ଆଉ ସେ ଗୋଟିଏ ଜୀବନ ଜିଇଁବାକୁ ଚାହେଁ....ହେଉ ପଛେ ତାହା ଅଳ୍ପ ...


Rate this content
Log in

Similar oriya story from Inspirational