Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସାର୍ଥକ
ସାର୍ଥକ
★★★★★

© sushama Parija

Inspirational Tragedy

6 Minutes   14.0K    12


Content Ranking

ଭୁବନେଶ୍ଵର ଏରୋଡ୍ରମରେ ଗାଡି ଲାଗିଲା ବେଳକୁ ସନ୍ଧ୍ୟା ପାଞ୍ଚଟା । ଭୋର୍ ପାଞ୍ଚଟାରୁ ଗାଡିରେ ବସିଛି ସାରିଆ । କାଲି ରାତିରେ ସରକାରୀ ଗାଡି ଲାଗିଥିଲା ତା' ଘର ଦୁଆରମୁହଁରେ ,ସେଥିରୁ ଓହ୍ଲାଇ ଥିଲେ ଚାରି ଜଣ ପୋଲିସ ପୋଷାକ ପିନ୍ଧିଥିବା ଲୋକ । ଭୁସ୍ ଭାସ୍ ହୋଇ ପଶି ଆସିଥିଲେ ସାରିଆର ସେଇ ନୁଆଁଣିଆ ଚାଳଘର ଭିତରକୁ । ଚୂଲି ମୂଳେ ବସି ଘସି ମୁହାଁଉଥିବା ସାରିଆ ଚମକି ପଡି ଉଠି ଆସିଥିଲା ଅଗଣାକୁ। କ'ଣ କ'ଣ ବୋଲି ପଚାରିବା ଆଗରୁ ତା ଘରକୁ ପଶି ଆସିଥିଲେ ଗାଁ ସରପଞ୍ଚ ଆଉ କିଛି ପୁରୁଖା ଗ୍ରାମବାସୀ ତାଙ୍କ ପଛକୁ ଚାହିଁଲା ବେଳକୁ ତାଙ୍କ ଗାଁର ଭେଣ୍ଡିଆ ଦଳ। କିଛି ଗୋଟାଏ ଅଘଟଣର ଆଶଙ୍କାରେ ଚମକି ପଡିଲା ସାରିଆ। ତ।' ପୁଅ ସାହେବ ତ ଦି’ ବରଷ ହେଲା ଯାଇଛି ଫଉଜରେ ,ଘରେ ସେ ଏକୁଟିଆ ମାଇପି ଲୋକ, କାହାର କ'ଣ କଲା ଯେ ଏତେ ଲୋକ ଜମା ହୋଇଛନ୍ତି ତା' ଦୁଆରେ । ଏକଦମ୍ ହଡବଡେଇ ଗଲା ସେ ।ବାହାରେ କ' ଗୋଟିଏ କୋଳାହଳ ଶୁଣା ଯାଉଛି, ଟିକିଏ କାନ ପାରିଲା ସାରିଆ।

'ସାହେବ ନାଏକ ଅମର ରହେ , ସାହେବ ନାଏକ ଅମର ରହେ' ଧ୍ଵନିରେ ଫାଟି ପଡୁଛି ଗାଁଆ ଦାଣ୍ଡ । ଆଖି ଦୁଇଟା ବିସ୍ଫାରିତ ହେଇ ଗଲା ସାରିଆର ,ମୁଣ୍ଡ ଉପରେ ସତେ କି ପାହାଡଟାଏ ଖସି ପଡିଲା, କାନ ପାଖରେ କିଏ ବୋମାଟିଏ ଫୁଟାଇ ଦେଲା କି , କେହି କିଛି କହିବା ଆଗରୁ ଚେତା ହରାଇ ଦୁଲ୍ କରି ଭୂମି ଉପରେ ଲୋଟି ପଡିଲା ସେ । କେତେବେଳ ପରେ ତା'ର ଚେତା ଆସିଲା ବେଳକୁ ଦେଖିଲା ସେ ଘରେ ଗୋଟିଏ ଖଟ ଉପରେ ଶୋଇଛି ଓ ଗୁଡାଏ ଲୋକ ତାକୁ ଘେରି ବସିଛନ୍ତି । କିଏ ବିଂଚଣା ଟାଏ ଧରି ତାକୁ ବିଂଚି ପକାଉଛି ତ ଆଉ କିଏ ତା'ର ପାଦକୁ ଆଉଁସି ପକାଉଛି । ପୋଲିସ୍ ପୋଷାକ ପିନ୍ଧା ଲୋକମାନେ ମଧ୍ୟ ତାକୁ କ'ଣ ସବୁ କହି ଲାଗିଛନ୍ତି ତାଙ୍କ ଭାଷାରେ , ଯେଉଁଟା ତାର ବୋଧଗମ୍ୟ ହେଉନାହିଁ । ତାକୁ ଜଳଜଳ ଚାହିଁଥିବାର ଦେଖି ଗାଁଆ ସରପଞ୍ଚ ତା ପାଖକୁ ଆସିଲେ । ତାଙ୍କରି ଭାଷାରେ ବୁଝେଇ ଦେଲେ ଯେ ସୈନ୍ୟ ବାହିନୀରେ ଚାକିରି କରୁଥିବା ତ।'ପୁଅ ସାହେବ ନାଏକ ଶତ୍ରୁମାନଙ୍କ ଗୁଳିରେ ଶହୀଦ ହୋଇଛି । ମରିବା ପୂର୍ବରୁ ସେ ଯେଉଁଭଳି ଭାବରେ ବୀରତ୍ୱର ସହିତ ଶତ୍ରୁମାନଙ୍କର ମୁକାବିଲା କରି ଦେଶ ପାଇଁ ପ୍ରାଣବଳି ଦେଇଛି ସେଥିଲାଗି ସରକାର ତାକୁ ବୀର ଚକ୍ରରେ ସମ୍ମାନିତ କରିଛନ୍ତି । ସେ ଆମ ଦେଶର, ଜାତିର, ଆମ ଗାଁର ଗୌରବ। ତମେ ତାକୁ ଜନ୍ମ ଦେଇଥିବାରୁ ଦେଶ ତମ ପାଖରେ ଋଣୀ । ଆସନ୍ତା କାଲି ତ'ର ମର ଶରୀର ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବ। ତା'କୁ ସ୍ୱାଗତ କରିବା ପାଇଁ ଆମକୁ ସବୁ ଯିବାକୁ ହେବ ଭୁବନେଶ୍ଵର ବିମାନ ବନ୍ଦରକୁ। ତମେ ଆଉ ଡେରି କରନାହିଁ, ଶୀଘ୍ର ଲୁଗାପଟା ପିନ୍ଧି ବାହାର। ସାରିଆ ଆଖିରେ ଲୁହ ନଥିଲା । ସେ ଯନ୍ତ୍ରବତ୍ ଲୁଗାପଟା ପିନ୍ଧି ଗାଡିରେ ଆସି ବସିଥିଲା ।ତାର ସାଙ୍ଗରେ ଆସି ଥିଲେ ଗାଁର ସରପଞ୍ଚ ଓ ଆଉ କେଇଜଣ ଗ୍ରାମବାସୀ । ଗାଡି ଧୀରେ ଧୀରେ ଚାଲିବାକୁ ଆରମ୍ଭ କରି ଥିଲା ଭୁବନେଶ୍ଵର ଅଭିମୁଖେ । ଗାଡି ସିନା ଆଗକୁ ଆଗକୁ ଚାଲୁଥିଲା ହେଲେ ସାରିଆର ମନ ଉଡି ଯାଉଥିଲା ପଛକୁ ପଛକୁ ।

ପଚିଶ ବର୍ଷ ତଳେ ତା'ର ସ୍ଵାମୀ ଧରଣୀ ନାଏକ ତାକୁ ସାଥୀରେ ଧରି ଫୁଲବାଣୀ ର ସୋରିଷପଦର ଗାଁ ଛାଡ଼ି ରୋଜଗାର ଖୋଜି ଖୋଜି ଭୁବନେଶ୍ବର ଆସିଥିଲା ଜଣେ ଠିକାଦାର ଜରିଆରେ । ସ୍ବାମୀ ସ୍ତ୍ରୀ ଦୁଇ ଜଣ ଯାକ ମୂଲିଆ କାମ କରୁଥିଲେ ଠିକାଦାର ପାଖରେ ଆଉ ରହୁଥିଲେ ମୁଣ୍ଡାବସ୍ତି ରେ। ଦିନରାତି କାମ କରିକରି ପଇସା ରୋଜଗାର କରୁଥିଲେ ସତ କିନ୍ତୁ ମନରେ ପିଲା ଟିଏ ପାଇଁ ଖୁବ୍ ଅବଶୋଷ ଥିଲା। ବାହାଘରର ଦଶ ବର୍ଷ ପରେ ବି ସାରିଆର କୋଳ ଶୂନ୍ୟ ଥିଲା ,ସେଇ ଚିନ୍ତାରେ କି କ'ଣ ଧରଣୀର ପିଆପିଇ ବଢିଯାଇଥିଲା ପ୍ରଚୁର ପରିମାଣରେ । ସେମିତି ପିଇକି କାମ କରୁଥିବା ସମୟରେ ଦିନେ ସେ ତିନି ମହଲା ଛାତ ଉପରୁ ଗଳି ପଡି ପଙ୍ଗୁ ହୋଇ ଗଲା । ସାରିଆର ସଂସାରଟା ଛାରଖାର ହୋଇଗଲା । ଏକୁଟିଆ ମାଇପି ଲୋକଟି କେତେ ରୋଜଗାର କରିବ ଯେ ଘର ଚଳେଇବ ତା ଉପରେ ପୁଣି ଧରଣୀର ପଥି ପାଂଚଣ। ସେଥିଲାଗି ସାରିଆ ଏବେ ଦିନ ମଜୁରିଆ କାମ ସହିତ ବାହାଘର ଲାଇଟ୍ ମୁଣ୍ଡାଇବାକୁ ମଧ୍ୟ ଯାଉଥିଲା । ଥରକୁ ତିନିଶହ ଟଙ୍କା ଦେଉଥିଲା ଠିକାଦାର ।

ଏମିତି ଦିନେ ଲାଇଟ୍ ମୁଣ୍ଡା କାମ ସାରି ଘରକୁ ଫେରିଲା ବେଳକୁ ରାତି ଦୁଇଟା ବାଜି ସାରିଥାଏ। ସାଙ୍ଗରେ ଯାଇଥିବା ଲୋକମାନେ ଯିଏ ଯାହା ଘରକୁ ଫେରି ଗଲା ପରେ ଏକା ଏକା ଘରକୁ ଫେରୁଥାଏ ସାରିଆ। ତାଙ୍କ ବସ୍ତିର କିଛି ବାଟ ପୂର୍ବରୁ ପଡେ ଗୋଟିଏ କିଆବୁଦା। ସେଇ ବୁଦାମୂଳରେ ପହଞ୍ଚିବା ବେଳକୁ କଣ ଗୋଟାଏ ଖସ୍ ଖସ୍ ଶବ୍ଦ ଶୁଣି ପାରିଲା ସେ। ସାପ ହୋଇଥିବ ଭାବି ପାଖରେ ପଡିଥିବା ବାଡି ଟିକୁ ଧରି ବୁଦାମୂଳକୁ ଆଗେଇ ଗଲା ସାରିଆ, ଦେଖିଲା କଣ ଗୋଟିଏ ପୁଟୁଳି ଧରି ଟାଣୁଛି କାଳିଆ କୁକୁର ଟାଏ। ହୁସ୍ ହୁସ୍ କରି ଘଉଡେଇ ଦେଲା ତାକୁ ଏବଂ ଚାଲିବାକୁ ଆରମ୍ଭ କଲା। ଦି ଚାରି ପାଦ ଆଗେଇଛି କି ନାହିଁ ଶୁଣାଗଲା ଗୋଟେ ଅସ୍ପଷ୍ଟ କୁଆଁ କୁଆଁ ଶବ୍ଦ । ଚମକି ଉଠିଲା ସାରିଆ,ଏଠି ଏ ଅପନ୍ତରା ଯାଗାରେ ଏମିତି କୁଆଁ କୁଆଁ ଶବ୍ଦ କୁଆଡୁ ଆସୁଛି ବୋଲି ଧାଇଁଲା ବୁଦା ମୂଳକୁ । ପୁଟୁଳିଟାକୁ ଟାଣି ଆଣି ଖୋଲି ପକେଇଲା, ତା' ଭିତରେ ଦେଖିଲା କଅଁଳା ଛୁଆଟିଏ, ନାହିନାଡ ଲାଗିଛି, ଦେହଯାକ ରକ୍ତ ଲାଳ ବାଲୁବାଲୁ , କୁଆଁ କୁଆଁ ହୋଇ କାନ୍ଦି ଚାଲିଛି । କିଏ କୋଉଠି ପାଖରେ ଥିବ ଭାବି 'କିଏ ଅଛ ' 'କିଏ ଅଛ ' ବୋଲି ଦି'ଚାରି ଡାକ ମାରିଲା । କିଛି ଜବାବ ନପାଇ ଚାରିଆଡ଼କୁ ଅନେଇଲା ସିଏ। କେହି ଦେଖା ନଯିବାରୁ ସନ୍ତର୍ପଣରେ ପୁଟୁଳିଟାକୁ ଉଠେଇ ଆଣିଲା ସାରିଆ । କୋଳରେ ଧରି ଘରକୁ ଫେରି ଧରଣୀ କୁ ସବୁ କଥା କହିଲା । ଈଶ୍ଵର ଏ ପିଲାଟିକୁ ଆମକୁ ଦେଇଛନ୍ତି ।ଆମ ଶୂନ୍ୟ କୋଳ ପୂରଣ କରିଛନ୍ତି କହି ପିଲାଟିକୁ ଧୁଆ ପୋଛା କରିବାରେ ଲାଗିଗଲା। ଧରଣୀ ଇଆଡେ ଗାରୁଗାରୁ ହେଉଥାଏ 'କାହା ଛୁଆ କେଜାଣି, କୋଉ କୁଆଁରୀ ମାଆର ପାପ ଗର୍ଭ ହୋଇଥିବ, ଜାତି ଗୋତ୍ର କଣ ହୋଇ ଥିବ , କାଲି ସକାଳୁ ପୁଲିସ ଆସି ତତେ ଧରିବ ଇତ୍ୟାଦି ଇତ୍ୟାଦି ' । ସେ କଥା ସବୁ ସାରିଆ କାନରେ ପଶୁ ନଥାଏ, ତେଲ ହଳଦୀ ଲଗେଇ ଗାଧୋଇ ଦେଲା ପରେ କଅଁଳା ପୁଅଟିକୁ ଦେଖି ତ।' ମନ ଖୁସିରେ ନାଚି ଉଠୁଥାଏ, ତ।' ଶୁଖିଲା ଥନରେ କ୍ଷୀର ଉତୁରି ଆସୁଥାଏ ଯେମିତି । ଛୁଆଟାକୁ କୋଳରେ ଧରି ବହେ ଗେଲ କରି ପକାଉଥାଏ, ହସି ହସି ଗଡି ଯାଉଥାଏ । ଧରଣୀ ଭାବିଲା ସାରିଆ ପାଗଳ ହୋଇଗଲାଣି ବୋଧହୁଏ। କାହାରିକୁ କିଛି ନ କହି ତା'ପରଦିନ ସକାଳୁ ଧରଣୀ ଆଉ ପୁଅକୁ ନେଇ ଗାଁ ବସ୍ ଧରିଲା ସାରିଆ। ଗାଁ ରେ ଖଟିଲା ଖାଇଲା, ଧରଣୀ ଆଉ ପୁଅ କୁ ଧରି ନୂଆ କରି ଜୀବନ ଆରମ୍ଭ କଲା ସାରିଆ। ୟା ଭିତରେ ଗାଁ ନଦୀରେ କେତେ ପାଣି ବୋହି ଯାଇଛି, ଧରଣୀ ତାକୁ ଛାଡ଼ି ଚାଲିଯାଇଛି, ତା'ପୁଅ ସାହେବ ସ୍କୁଲ, କଲେଜ ପାଠ ସାରି ସୀମା ସୁରକ୍ଷା ବାହିନୀରେ ଯୋଗଦେଇ କାଶ୍ମୀରର କୁପ୍ ୱାଡା ସେକ୍ଟରରେ ପୋଷ୍ଟିଂ ହୋଇଛି , ସେ ସବୁ ତା 'ପାଇଁ କାହାଣୀ ହୋଇ ରହି ଯାଇଛି । ଆଜି ସେ ସାରିଆ ନାଏକର ପୁଅ । ଏଇ ଗାଁ ସୋରିଷ ପଦରର ପୁଅ ।

ଗାଡି ରହିବାର ଶବ୍ଦ ରେ ଚେତା ପଶିଲା ସାରିଆର। ଗାଡିରୁ ତା' ର ହାତ ଧରି ଓହ୍ଲାଇ ଦେଲେ ସରପଞ୍ଚ ।

ସାଙ୍ଗରେ ଆସିଥିବା ସବୁ ଲୋକ ମାନଙ୍କୁ ଧରି ଆଗେଇ ଗଲେ ଏରୋଡ୍ରମ ଅଭିମୁଖେ । ସାରିଆ ଯନ୍ତ୍ର ମଣିଷ ଭଳି ଚାଲିଥାଏ ସେମାନଙ୍କ ସାଥୀରେ। ତା'କୁ ଦେଖି କିଏ କ'ଣ କହୁଥାନ୍ତି, କିଏ ହାତ ଜୋଡି ନମସ୍କାର କରୁଥାନ୍ତି କିଛି ଜଣା ପଡୁ ନଥାଏ ତା'କୁ । ମୁଣ୍ଡରେ ଖାଲି ପୁଅର ଚିନ୍ତା, ଆଖିରେ ଖାଲି ପୁଅର ମୁହଁ ଦିଶି ଯାଉଥାଏ। ଜଳକା ହୋଇ ଠିଆ ହୋଇଥାଏ ସାରିଆ ଉଡାଜାହାଜ ମାନଙ୍କୁ ଚାହିଁ। କୋଳାହଳ ଟିଏ ଶୁଣି

ଚମକି ଉଠି ଦେଖିଲାବେଳକୁ ସେ ଠିଆ ହୋଇଛି ଗୋଟିଏ ବଡ ପଡିଆ ଭିତରେ । ଶହଶହ ପୋଲିସ୍ ପୋଷାକ ପିନ୍ଧା ଲୋକମାନେ ଧାଡ଼ି ବାନ୍ଧି ଛିଡ଼ା ହୋଇଛନ୍ତି ହାତରେ ବଡବଡ ବନ୍ଧୁକମାନ ଧରି। ସେମାନଙ୍ ଭିତରୁ କେତେଜଣ ଗୋଟିଏ ବଡ କଳାବାକ୍ସ କାନ୍ଧରେ ବୋହି ଆଣୁଛନ୍ତି, ବାକ୍ସଟି ଉପରେ ଘୋଡା ହୋଇଛି ଭାରତର ଜାତୀୟ ପତାକା ,ଫୁଲମାଳ ରେ ସଜ୍ଜିତ ହୋଇଛି ବାକ୍ସଟି । ଆଚମ୍ବିତ ହେଲା ସେ ,କ'ଣ ଅଛି ସେବକାନ୍ ରେ? ଯାହା ଲାଗି ଏତେ ସାଜ ସଜ୍ଜା। ପଛପଟୁ ଶୁଣାଗଲା ସରପଞ୍ଚଙ୍କର ଫିସ୍ ଫିସ୍ କଥା ଏଇ ଆସି ଗଲା ତୁମ ପୁଅର ଶବ। ସାରିଆ ଦେଖିଲା କାନ୍ଧରେ ବୋହି ଆଣିଥିବା ବାକ୍ଯଟି ତଳେ ରଖିଲେ ବାହକ ମାନେ । ନିଜେ ମୁଖ୍ୟମନ୍ତ୍ରୀ ବଡ ଫୁଲ ମାଳଟିଏ ବାକ୍ଯ ଉପରେ ରଖି ହାତ ଯୋଡ଼ି ନମସ୍କାର ଜଣାଇଲେ ସାହେବର ମର ଶରୀରକୁ । ତା'ପରେ ଆହୁରି ଅନେକ ଲୋକ ଫୁଲମାଳ ଦେଇ ପ୍ରଣାମ ଜଣାଉଥାନ୍ତି । ସାରିଆକୁ ଲାଗୁଥିଲା ସାହେବ ଠାକୁର ହୋଇ ଯାଇଛି । ତା'କୁ ଲୋକ ମାନେ ଦେବତା ଭଳି ପୂଜା କରୁଛନ୍ତି ।

ସେ ପ୍ରକୃତିସ୍ଥ ହେଲା ବେଳକୁ ଶୁଭିଲା ଢୋ ଢୋ ହୋଇ ବନ୍ଧୁକରୂ ତୋପ ସଲାମୀ ଦେବାର ଶବ୍ଦ, ତା'ପରେ ଜାତୀୟ ସଂଗୀତର ମୂର୍ଚ୍ଛନା, ଶହୀଦ ସାହେବ ନାଏକ ଅମର ରହେର ସ୍ବରରେ କମ୍ପି ଉଠିଲା ଗଗନ ପବନ। ଲକ୍ଷ ଲକ୍ଷ ଲୋକଙ୍କ ଗହଳି ଭିତରେ ଆଗେଇ ଯାଉଥିଲା ସାହେବର ମର ଶରୀର ଆଗକୁ ଆଗକୁ। ସାରିଆ ଆଖିରେ ଲୁହ ନଥିଲା ତା'ଛାତି ଗର୍ବରେ ଫୁଲି ଉଠୁଥିଲା, ସେ ଭାବୁଥିଲା ତା ମାତୃତ୍ବ ସାର୍ଥକ ହୋଇଛି। ତା'ପୁଅ ଖାଲି ତା'ର ନୁହଁ , ତାଙ୍କ ଗାଁର,ତାଙ୍କ ରାଜ୍ୟର, ତାଙ୍କ ଦେଶ ର ମର୍ଯ୍ୟାଦା ରକ୍ଷା କରି ସବୁ ଦିନ ପାଇଁ ମରି ବି ଅମର ହୋଇ ଯାଇଛି । ସେ ବି ଜୋର୍ ରେ ଚିତ୍କାର କରି କହିଲା

'' ଶହୀଦ ସାହେବ ନାଏକ ଅମର ରହେ '' । ତା ' କଥା ହଜାର ଗୁଣରେ ପ୍ରତିଧ୍ଵନିତ ହୋଇ ଫେରିଆସିଲା ।।

ସାରିଆ ସାହେବ ଶହୀଦ

Rate the content


Originality
Flow
Language
Cover design

Comments

Post

Some text some message..