Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କାହ୍ନୁ
କାହ୍ନୁ
★★★★★

© Amiya Bej

Drama Others

6 Minutes   7.5K    22


Content Ranking

 ଅଧାଇଞ୍ଚ୍ ଚମଡାର ପଛପାଖେ ଖେଳୁଛି 'କଳାକାହ୍ନୁ' (!) , ଏପାଖେ ଝୁରୁଛି ବାପମନ । ଅସ୍ୱାଭାବିକ ଗୋଲ୍ ହୋଇଗଲାଣି 'ସ୍ୱପ୍ନା' ର ନ'ମାସର ପେଟ। ସେଇ ବଢିଲା ପେଟ ଭିତରେ ରହିଛି ,'ପ୍ରବାଳ' ର ଅହମିକା , ଅହଂକାର । ସମ୍ମାନରେ ମୁଣ୍ଡ ଟେକି ଚାଲିବାର ସୁଖଟିକକ । ଶହଶହ ପ୍ରଶ୍ନର ଉତ୍ତର । ସହସ୍ରାଧିକ ସନ୍ଦେହର ସୁଜବାବ ।

ପୁରୁଷ ର ସର୍ବାଧିକ ଅପମାନ ହେଲା 'ଅଯୋଗା' ! ନିଜ ପାରିବାପଣ ଉପରକୁ ଅନ୍ୟର ଆଙ୍ଗୁଳି ! ସେଇତକ ପାଇଁ ସେ ପାହାଡ ଚଢିପାରେ ଅବା ଭାଙ୍ଗିପାରେ ।

ବର୍ଷବର୍ଷ ଧରି ଏଇ ଜହରକୁ ପିଇପିଇ ନୀଳକଣ୍ଠ ସାଜିଛି 'ପ୍ରବାଳ' ! ଏବେ ପ୍ରତୀକ୍ଷାର ଯବନିକା। ପେଟ କାନ୍ଥରେ ଦୃଶ୍ୟମାନ ହେଉଛି , କଅଁଳ ପାଦହାତର ଚଳପ୍ରଚଳ । ହେଇତ ଘୁରିବୁଲୁଛି ତଳଉପର !

- ଆ' ଆ'ରେ 'କାହ୍ନୁ' କୋଳକୁ ମୋର । କେତେ ନାଟ ଲଗାଇଛୁ ଭିତରଟାରେ ଧନ ?

ଉଛନ୍ନପଣରେ ଅଧୀର ହେଉଥିଲା 'ପ୍ରବାଳ' !

'ସ୍ୱପ୍ନା' ଶୋଇଛି ଆଖିଏ ସ୍ୱପ୍ନ ନେଇ ନିଘୋଡ଼ରେ । ଏଇ ଶୋଇରହିଥିବାବେଳେ , ଖୁବ୍ ଆଖିପୁରାଇ ଦେଖେତାକୁ 'ପ୍ରବାଳ' । ଘରକୁ ପର କରି , ତା' ହାତକୁ କେଡେ ଭରସାରେ ଧରିନେଇ, ଚାଲିଆସିଲା ଯେ' ଏଯାଏଁ ଥରୁଟିଏ ପଛକୁ ଫେରି ଚାହିଁନାହିଁ। ପ୍ରେମକୁ ପାପ ମନେକରୁଥିବା 'ପ୍ରବାଳ' ର ଘରଲୋକବି କେଉ ଆଦରିନେଲେ ଯେ' ?

ଅଯଥାରେ ଘୃଣା କରୁଥିବା ସମାଜ ଆଗରେ , ଆଣ୍ଠୁମାଡ଼ି ଦେବା ଅପେକ୍ଷା , ସ୍ୱତନ୍ତ୍ର ହୋଇ ମୁଣ୍ଡଟେକି ଜୀଇନେବାରେ କ୍ଷତି କଣ ?

ସେଇଦିନୁ ଭଲପାଇବାର ସର୍ବୋଚ୍ଚ ଶିଖରରେ ଥାଇ , 'ପ୍ରବାଳ' ପୃଥିବୀକୁ ଚାହେଁ। 'ସ୍ୱପ୍ନା' ର ପ୍ରେମ ଆଗରେ , ଖୁବ୍ ଛୋଟ ହୋଇପଡେ , ବ୍ରହ୍ମାଣ୍ଡର ବିଶାଳତା !!!

★★★

'ସ୍ୱପ୍ନା' ଶୋଇଛି ନିର୍ଭୟରେ, ନିଘୋଡ଼ରେ , 'ପ୍ରବାଳ'ର ଛତ୍ରଛାୟାରେ । ତା'କୁ ଏବେ ଅନେକ ମନା । ଚିତ୍ ହୋଇ ଶୋଇବା ମନା । ଚମକିବା ମନା । ଭୟଙ୍କର ସ୍ୱପ୍ନ ଦେଖିବାମନା । ପାଣି ବାଲତିକୁ ମନା । ଘର ଶିଢୀକୁ ମନା । ଲୁହ ଗଡାଇବା ମନା । ଏତେଯାକ ସହିସାହି ମା' ଟିଏ ହୁଏ ନାରୀ !

ନିଦ ନାହିଁ 'ପ୍ରବାଳ' ଆଖିରେ । କେଉ ଆଉ ଶୋଇପାରୁଥିଲା ଯେ' ଦଶବର୍ଷ ଧରି ? ଛାତିଟାକୁ ଚଟାଣ କରି , ମନର ସଂକୀର୍ଣ୍ଣତା ଠୁଁ ନିଜକୁ ଉପରକୁ ନନେଇ ପାରିଥିଲେ , ସହିହୋଇପାରିଥାନ୍ତା କି ଅପମାନର ଜାଳାସବୁ ??

'ସ୍ୱପ୍ନା' ନିଜେ ତାକୁ କେତେଯେ' ନସମ୍ଭାଳିଛି ? ସାନ୍ତ୍ବନା ଛଳରେ କହିଛି -

- ନିଜ ନିୟନ୍ତ୍ରଣରେ ନଥିବା କଥାକୁ ନେଇ , ଏତେ ବିବ୍ରତ ହୁଅନା ଯମା । ଥିଲାବାଲାଙ୍କୁ ବି ଲୋକେ କହିବାକୁ ପଛାନ୍ତିନି । କେବଳ ନିଜ ବାବଦରେ ଛାଡିଦେଇ , ବାକି ସମସ୍ତଙ୍କପାଇଁ , ଲୋକମାନଙ୍କର ଗୋଟାଏ କାମ ହେଲା , 'କହିବା' !! ଫେଡି ହୋଇଯାଉଛି ଜୀବନ । ଗୋଟାଏ ଯାଗାରେ ଅଟକିଯାଇ , କଷ୍ଟ ପାଅନି । ଏବେବି ସମୟ ଅଛି ।

- କଅଣ ?

- ମୋର ଜଣେ ମାଉସୀଙ୍କ ପିଲାପିଲି ନହେବାରୁ , ମଉସା ଦ୍ୱିତୀୟା ହୋଇପଡିଥିଲେ । ତାପରେ ଯାଇ ତାଙ୍କ ପଛ ସ୍ତ୍ରୀ ଙ୍କ ଠୁ ତିନୋଟି ପିଲା ପାଇଥିଲେ । ସେମିତି କିଛି ...

- ଚୁପ୍ କର । ତୁମ ମଉସାଙ୍କ ପରି କିଛି ଦୁର୍ବଳ ପୁରୁଷଙ୍କ ପାଇଁ , ଆଜି ନାରୀ ତ୍ୟାଗର ମୂର୍ତ୍ତି ହୋଇ ମହୀୟସୀ ପାଲଟିଯାଇଛି । ଦ୍ୱିତୀୟା ହେବାର ଅଧିକାର ଟିଏ , କେବେ କିଏ ନାରୀକୁ ସ୍ୱଇଛାରେ ଦେଇପାରିଛିକି ???

'ସ୍ୱପ୍ନା'ର ଏଇ ନିରୀହ କଥାତଳର ବେଦନାକୁ 'ପ୍ରବାଳ' ବୁଝିପାରେ। ଅର୍ଦ୍ଧାଙ୍ଗିନୀ ତା'ର । ବୁଝିପାରିବନି କେମିତି ?

କିନ୍ତୁ ସେ' ପୁରୁଷ । ନାରୀର ଈର୍ଷା , ପୁରୁଷର ଅହଂକାର , ବସ୍ତୁତ୍ୱ ଏକ ସ୍ୱଭାବିକ୍ ଗୁଣ । 'ସ୍ୱପ୍ନା' ପାଇଁ , ଆକାଶରୁ ତାରାଟିଏ ତୋଳିଆଣିବାର ଲମ୍ବା ହାତଟିଏ , ତା'ପାଖରେ ଅଛି । ଏଇସବୁ ଥିବା ଭିତରେ ବି , ଯେଉଁ ଟିକକ ଅସହାୟତା , ତାକୁନେଇ ଢେର୍ ସନ୍ତୁଳି ହେବାକୁ ପଡିଛି ବର୍ଷବର୍ଷ ।

'ସ୍ୱପ୍ନା' ଶୋଇପଡିଛି , ନିଶ୍ଚିନ୍ତରେ । ତା' ଦୁଇ ଖୋଲା ଜଙ୍ଘ ମଝିର ବନ୍ଦଦୁଆରକୁ ଅପଲକ ହୋଇ ଚାହିଁ ବସିଛି 'ପ୍ରବାଳ' ! ଫିଟିଯା'ନ୍ତାନି ଏଇ ସାଙ୍ଗେସାଙ୍ଗେ ଆଉଜା କବାଟ ? ମା'ର ପେଟ ଭିତରୁ , ଡେଇଁପଡନ୍ତା ବାପର ଛାତି ଉପରକୁ ସନ୍ତାନ ! ଅସହ୍ୟ ହେଲାଣି ଅପେକ୍ଷା। 'ପ୍ରବାଳ'ର ଆଖି ଲୁହରେ ଭିଜିଗଲାଣି , 'ସ୍ୱପ୍ନା'ର ଜଙ୍ଘଯାକ । ପେଟଚିରି ମଣିଷଟେ ବାପ ହୋଇନପାରେ , କିନ୍ତୁ ପ୍ରସବର ଯନ୍ତ୍ରଣା କିଛି କମ୍ ସହେନି ପିତୃତ୍ୱ । ଦେହ ପୀଡା ସିନା ଭୋଗୁଥାଏ ମା' , ବାପର ପୀଡା ତ ଅଛି ଛାତିରେ । ଛୁଆଟିକୁ ଜନ୍ମ କରୁଥାନ୍ତି ସମାନ୍ତରାଳ ଭାବେ ଦୁହେଁଯାକ !!!

★★★

ବା'ଘର ପରର ପହିଲି କେଇଟା ବର୍ଷ, କହିକାହି ଏଡେଇ ଦେଇ ହେଉଥିଲା , ଏବେନୁହଁ ଏବେନୁହଁ ବୋଲି । ପରେପରେ ନିଜକୁ ସନ୍ଦେହ ଲାଗିବାରୁ , ଆରମ୍ଭ ହେଲା ସଂସାର ଯାକର ପରୀକ୍ଷା , ଔଷଧ । ତୁଚ୍ଛା ସବୁ । ଦୁନିଆରେ କୋଟିଏ ନିଃସନ୍ତାନ ଡାକ୍ତର ନିଜେ ଥିବେ। ଡାକ୍ତର ଟିଏ କେବଳ କାରଣ ଜଣାଇବା ଛଡା , ନିୟତି ଆଗରେ କଣ ଅବା ଚମତ୍କାର କରିପାରେ ?

କେବଳ ଗୋଟିଏ ମାତ୍ର ରାସ୍ତାଥିଲା ଛାତିକୁ ପଥର କରିନେବାର । 'ସ୍ୱପ୍ନା'ର ଉଷୁମ ଲୁହତକ ଯେବେ 'ପ୍ରବାଳ'ର ଛାତିକୁ ଓଦାକରିଦିଏ , ସେଇ ପଥରପଣ ବି ତରଳି ନଦୀ ହୋଇ ବୋହିଯାଏ ତଳକୁ । ଖୁବ୍ ଅଥୟ ହୋଇପଡେ 'ପ୍ରବାଳ' । ନିଜକୁ ଧିକ୍କାରେ ନିଜ ଭିତରର ପୌରୁଷ । ପୃଥିବୀରେ ଏମିତି କେହିଜଣେ ସ୍ୱାମୀ ନଥିବ , ଯେ' ତା ନିଜ ସ୍ତ୍ରୀ କୁ ଭଲପାଉନଥିବ । ସେସବୁ ଦୃଶ୍ୟମାନ ଅବା ଅଦୃଶ୍ୟ ହୋଇପାରେ । ସେଇ ଭଲପାଇବାକୁ ନେଇ ସଚଳ ପୃଥିବୀ। ସଫଳ ସଂସାରର ସହାବସ୍ଥାନ। ନଚେତ୍ ଧ୍ୱଂସଟାଏ ହେବାକୁ କେଇକ୍ଷଣ ଲାଗେଯେ' ???

ଅଭାବବୋଧକୁ କଣ ଚେଷ୍ଟା କରି ଭରଣା କରିହୁଏ ? 'ସ୍ୱପ୍ନା'ପାଇଁ ସକଳ ସୁଖ ଖଞ୍ଜି ଦେଲେ ସୁଦ୍ଧା କମ୍ ଲାଗେ 'ପ୍ରବାଳ'କୁ । ଅପୂର୍ଣ୍ଣ ନାରୀଟିଏ , ବସ୍ତୁବାଦୀ ହୋଇପାରେନା ।

- ମୋତେ ଖୁସିକରାଇବାକୁ ତୁମର ସବୁସମୟରେ ଚେଷ୍ଟାତକ ଅଯଥା ହେଉନି ତ ?

- ତୋ' ଖୁସି ପୁଣି କଣଗୋଟେ ? ସବୁତକ ତ ଆମର । ହସଟିକେ ତୋ' ମୁହଁରେ ଖେଳିଲେ , ମୋ ପେଟ ଭରେନିକି ?

ଚୁପ୍ ହୋଇପଡେ ଏତିକିରେ 'ସ୍ୱପ୍ନା' । 'ପ୍ରବାଳ' ସାମ୍ନାରେ , ସବୁବେଳେ କାନ୍ଦିବାକୁ ଭଲପାଏନି ସେ । ସବୁ ସ୍ୱାମୀ ଦେବତା ହୋଇପାରନ୍ତି , କିନ୍ତୁ କେତେଜଣ ଅବା ସୁବନ୍ଧୁ ???

★★★

- ବଦଳି ? ପାଟଣାଗଡ ?

- ନା , ଡେପୁଟେସନ୍ ରେ ଯାଉଛି କିଛିଦିନ। ସରକାରୀ ନିର୍ଦ୍ଦେଶ।

- ଠିକ୍ ଅଛି। କେବେକୁହ । ମୁଁ ସଜାଡିବା ଆରମ୍ଭ କରିଦେବି ?

- ତୁ ନୋହୁଁ । ମୁଁ ଏକା ଯିବି । ନକ୍ସଲ୍ ଏରିୟା । ଏମିତି ବି ଆମେ ସରକାରୀ ଅଫିସର, ସବୁବେଳେ ସେମାନଙ୍କ ଟାର୍ଗେଟ ରେ ।

- ସେ ପାଟଣାଗଡ ହେଉକି କାଲିମେଳା । ତୁମଠୁଁ ମୁହୁର୍ତ୍ତେ ବି ଅଲଗାହୋଇ ରହିପାରିବିନି । ଏ ଘର ଭଡା ଦେଇ ମୋତେ ସାଙ୍ଗରେ ନେଇଚାଲ । ବାସ୍ ।

- ଜିଦ୍ କରନା ଅଯଥାରେ । ଏଠି ସବୁ ସୁବିଧା ଅଛି । 'ଅଲେଖ'କୁ ବି ଫୁଲଟାଇମ୍ ଆପଏଣ୍ଟ କରିଦେଉଛି । ଗାଡି ଚଲାଇବା ସହ , ଘରର ଆବଶ୍ୟକ କାମକାର୍ଯ୍ୟ ବି କରିନେବ । ଦୁଇହଜାର ଅଧିକା ବଢାଇଦେଲେ କାମଶେଷ୍ । ତା'ରହିବାପାଇଁ ସେ ଆଉଟପୋଷ୍ଠକୁ ସଫା କରିଦେଲେ ହେବ । ମାନି ଯା । ଜାଣେ ଏକୁଟିଆ ତୋତେ କଷ୍ଟ ହେବ । କିନ୍ତୁ ସୁଖ ଆଗରେ କଷ୍ଟ ର କେତେଯେ ବଳ ?

- ନା ନା ନା !

- ଆରେ ମାସକୁ ଥରେ ଦି'ଥର ତ ମୁଁ ଆସିବିନା । କେତେ ବାଟ ଯେ ? ଛୁଟିତ ଢେର୍ ଅଛି ।

★★★

ମଣିଷ ନିହାତି ଗୋଟେ ସାଧାରଣ ଜୀବ । ମୁହୁର୍ତ୍ତ, ବେଳ,ଋତୁ, କାଳ ସବୁବେଳେ ବଦଳୁଥାଏ। ଏଇ ବଦଳାପଣରେ ଛନ୍ଦିହୋଇଯାଏ ସମ୍ପର୍କ । ଦେଖୁଦେଖୁ ସୁଖ, ଛାଏଁ ପାଦଟିଏ ଆଗକୁ ବଢେଇଦିଏ । ଅନେକ ଥୁଣ୍ଟା ଗଛରେ ପତ୍ର କଅଁଳେ । ଅନେକ ଶୁଷ୍କ ଝର ଫିଟି କୁଳୁକୁଳୁ ହୋଇପଡେ । ଅନେକ ଦବିଯାଇଥିବା କଣ୍ଠରେ କୁହୂତାନ ଶୁଭେ । ଅନେକ ପର ହୋଇଯାଈଥିବା ମନ ପୁଣି ଲେଉଟିଆସେ । ସମୟ ସବୁକିଛି ର ସମାଧାନ ଅବା ବ୍ୟବଧାନ କରିଦିଏ ।

'ସ୍ୱପ୍ନା'ଠୁଁ ଖବରଟା ଶୁଣି ପାଗଳ ହୋଇଯାଇଥିଲା 'ପ୍ରବାଳ' ! ଧାଇଁ ଆସିଲା ସବୁକିଛି ଛାଡିଛୁଡି , ପାଟଣାଗଡରୁ ଭୁବନେଶ୍ୱର। ଏ ସମୟରେ ତାକୁ ଏକୁଟିଆ ଛାଡିହେବନି । କେହିନାହିଁ ସେମାନଙ୍କ ଆତ୍ମୀୟ। ପ୍ରେମକୁ ପାପ ମନେକରୁଥିବା ଲୋକଙ୍କର ଏକ ବୃହତ୍ ସମାଜଟିଏ ଅଛି । ନିଜ ଦୁଇ ପରିବାର ବି ଏଥିରୁ ବର୍ତ୍ତି ପାରିନାହାନ୍ତି । ବରଂ ସେମାନଙ୍କ ଏଇ ପିଲା ନହେବାକୁ ଅନ୍ୟଅର୍ଥରେ ନେଇ ପରଲୋକଙ୍କ ସହ ମିଶି ପରୋକ୍ଷରେ ଢେର୍ ଗଞ୍ଜଣା ଦେଇଆସିଛନ୍ତି।

'ପ୍ରବାଳ' ଦରଖାସ୍ତ ଦେଇ ବଦଳି କରାଇନେଲା ନିଜ ପୁରୁଣା ଅଫିସ୍ କୁ ତୁରନ୍ତ। ସେଇଦିନଠାରୁ ନ'ମାସଯାଏଁ , 'ସ୍ୱପ୍ନା'ର ଯତ୍ନ ନେବାରେ କୌଣସି ଅବହେଳା କରିନି ସେ । ଛଳଛଳ ହୋଇପଡେ 'ସ୍ୱପ୍ନା' , ଏସବୁ ଦେଖି ।

ପୁରୁଷଟିଏ ଏଡେ ଉଦାର ହୋଇପାରେ ???

ଏଯାଏଁ ପ୍ରେମ ସାଇତି ରଖିପାରେ ହୃଦୟରେ ???

ଏତେ ଆତ୍ମବିଶ୍ବାସ ରଖି ସାହାସ କରିପାରେ ???

ନିଜ ଅହଂକାର ଟିକକପାଇଁ ଏତେସବୁ ବଳିଦାନ କରିନିଏ ???

- ଝିଅଟିଏ ହେଲେ ?

- ଖାଲି ନାଁ ବଦଳିଯିବ । 'କାହ୍ନୁ'ରୁ 'ନୟନା' । ନ'ମାସ ଧରି ପୁଅସୁଖତ ଭୋଗିସାରିଲେଣି ଅନ୍ତତଃ। କିଛି ଅଡୁଆ ନାହିଁ ।

- ଭଲ ନାଁ ଟେ ତ । 'ନୟନା' !

★★★

'ମଦରକେୟାର' ନର୍ସିଂହୋମର ଦ୍ୱାରଦେଶରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଣ୍ଠେଇ ପଡିରହିଛି 'ପ୍ରବାଳ' ଈଶ୍ୱରଙ୍କ ଆଗରେ । ବିସ୍ମିତ ହୋଇ ଚାହୁଁଛନ୍ତି ଚଳପ୍ରଚଳ ଲୋକେ । 'ସ୍ୱପ୍ନା'କୁ ନେଇସାରିଲେଣି ଭିତରକୁ । ଡାକ୍ତର କହୁଥିଲେ ମାଇନର୍ ଡିଫିକଲ୍ଟିଜ୍ ଅଛି । ବ୍ୟସ୍ତ ହବାର କିଛି ନାହିଁ। ସହରର ସବୁଠାରୁ ଭଲ ଚିକିତ୍ସାଳୟରେ ଆପଣ ।

'ପ୍ରବାଳ' ସେଇମିତି ଆଣ୍ଠେଇ ପଡିଛି । ଆଉ କେଇଟା ମୁହୁର୍ତ୍ତରେ ଛିଡିପଡିବ ହାତ ଆଞ୍ଜୁଳାରେ ଆକାଶ । ମିଳେଇଯିବ ବର୍ଷବର୍ଷର ଅପମାନ । ଖୁବ୍ ବିକଳରେ କୋଣରେ ମୁହଁପୋତି ବସିରହିଥିବା 'ଅଲେଖ' ଆଡକୁ ମୁହଁ ବୁଲାଇ ଚାହିଁଲା 'ପ୍ରବାଳ' !!!

କାହିଁକି କେଜାଣି ବସିଥିବା ଯାଗାରୁ ଉଠିଆସି , 'ଅଲେଖ' କହିଲା -

- ସାର୍ ! ଉଠିପଡି ଚୟାରରେ ବସନ୍ତୁ ଆସି । ସବୁ ଠିକ୍ ହୋଇଯିବ ମ୍ୟାଡାମ୍ ଙ୍କର । ଧୈର୍ଯ୍ୟ ଧରନ୍ତୁ।

ଏଇଟିକକ ସାନ୍ତ୍ବନା ରେ 'ପ୍ରବାଳ' ଉଠିପଡି କୁଣ୍ଢାଇ ପକାଇଲା 'ଅଲେଖ'କୁ । ଭୋଭୋ ହୋଇ କାନ୍ଦିପକାଇ କହିଲା - ହଁଅଁରେ ନିଶ୍ଚୟ ସବୁ ଠିକ୍ ହେବ । ଆମେ ସମସ୍ତେ ଠିକ୍ ବାଟରେ ।

'ଅଲେଖ' ପୁରୁଷ ଟିଏ ହୋଇସୁଦ୍ଧା , ଆଉଜଣେ ପୁରୁଷର ଏଇ ନିରୀହପଣ ଦେଖି ଖୁବ୍ ବିଚଳିତ ହେଇପଡୁଥିଲା ଯାହା !!!

ଭିତରପଟୁ ନର୍ସଟିଏ ଝପଟି ଆସି ଚିଲ୍ଲୋଉଥିଲା -

- ମିଠା ମିଠା ମିଠା । ପୁଅ ହେଇଛି ।

ହାତରେ ତାର ନବଜାତ ।

ଆଖି ଆଉ ସମ୍ଭାଳୁ ନଥିଲା 'ପ୍ରବାଳ'ର । ସନ୍ତାନ ସୁଖ ତାପାଇଁ ଏବେ ତୁଚ୍ଛ ହୋଇପଡିଥିଲା । କୋହଭରା ସ୍ୱରନେଇ ଖୁବ୍ କରୁଣରେ ନର୍ସଟିକୁ ପଚାରିଲା -

- ମୋ' 'ସ୍ୱପ୍ନା' କେମିତି ଅଛି ସିଷ୍ଟର୍ ????

- ଏକଦମ୍ ଠିକ୍ । ଡ୍ରେସିଂ ସରିବା ଉପରେ । ଆପଣ ଦେଖିଆସିପାରନ୍ତି ।

'ଅଲେଖ'ର କୋଳକୁ ପିଲାଟିକୁ ଟେକିଦେଇ , ଏବେ ଲେବର ରୁମ୍ ଭିତରକୁ ଏକମୁହାଁ ହୋଇ ଧାଇଁଗଲା 'ପ୍ରବାଳ' !!!!

■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ■

ସ୍ୱପ୍ନା ପ୍ରବାଳ କାହ୍ନୁ

Rate the content


Originality
Flow
Language
Cover design

Comments

Post

Some text some message..