Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପ୍ରଣାମ ତୁମକୁ
ପ୍ରଣାମ ତୁମକୁ
★★★★★

© Aravinda Das

Inspirational

2 Minutes   7.4K    15


Content Ranking

ବୁଢ଼ୀଟାକୁ ଦେଖି ମନରେ ଦୟା ଆସୁଥିଲା।

ମାନସିକ ବିକଳାଙ୍ଗ ପୁଅକୁ ସାଙ୍ଗରେ ଧରି ସେ ଆସିଥିଲା ଆଧାର କାର୍ଡ କରିବାକୁ।

ବେଶ୍ ହୃଷ୍ଟପୃଷ୍ଟ ଯୁବକଟା ଛୋଟପିଲାଙ୍କ ଭଳି ବୋଧେ କିଛି ଜିଦି ଏବଂ ମା କୁ ମାରଧର କରୁଥିଲା।

ଲାଇନରେ ଠିଆ ହୋଇଥିବା ଲୋକମାନେ ସେ ଟୋକାକୁ ଆକଟ କରିବାକୁ ଚେଷ୍ଟା କରୁଥାଆନ୍ତି।

ହଠାତ୍ କଣ ହେଲା କେଜାଣି, ବୁଢୀ'ର ମୁଣ୍ଡ ବାଳକୁ ଓଟାରି ଆଣି ତଳକୁ ଠେଲି ଦେବାରୁ ଗୋଟେ ପଥରରେ ବୁଢ଼ୀର ମୁଣ୍ଡ ବାଜିଗଲା।

ଲୋକମାନେ ବୁଢ଼ୀକୁ ପାଣି ଛାଟି ସାଷ୍ସମ କଲେ।ସେ ଟୋକା କିଛି ନ ଜାଣିଲା ପରି ଚୁପଚାପ ଠିଆ ହୋଇଥିଲା।

ବିରକ୍ତି ଓ ଅସହାୟତାରେ ମନ ଭରିଗଲା ମୋର।ମୁଁ ବି ଦୁଇଟା ପିଲାଙ୍କ ମା।ପାଖ ଗାଁ ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାମ କରେ ମୁଁ।ଆଧାର କାର୍ଡ ଡ୍ୟୁଟି ପଡିଛି ଏଠି।ମା ହିସାଵରେ ପିଲାଙ୍କୁ ଆକଟ କରିବା ବି ଆମ କାମ।ଅଥଚ ଏ ବୁଢ଼ୀ ଏତେ ଗେଲ୍ହା କରିଛି ନିଜ ପୁଅକୁ ?

ଲୋକ ପଠାଇ ସେ ବୁଢ଼ୀ ଓ ତା ପୁଅକୁ ଡାକି ଆଣି ,ପାଖରେ ବସାଇ ଖାଇବାକୁ କିଛି ବିସ୍କୁଟ ଓ ପାଣି ଦେଲି। କୃତକୃତ୍ୟ ହୋଇଗଲା ସେ ବିଧବା ବୁଢ଼ୀ।ନିଜ ନାଁ 'ମାଣିକ' ଓ ଏକମାତ୍ର ପୁଅ ନାଁ ଜଗନ୍ନାଥ ବୋଲି କହିଲା।ପୁଅର ବୟସ ୩୫ ବର୍ଷ । ବିକଳାଙ୍ଗ ଭତ୍ତା ବାବଦରେ ପୁଅ ପାଇଁ ୨୦୦ ଟଙ୍କା ଓ ବିଧବା ଭତ୍ତା ୩୦୦ ଟଙ୍କା ସହ ମାସକୁ ୨୫ କିଲୋ ଚାଉଳ ମିଳୁଛି ବୋଲି କହିଲା ମାଣିକ ମାଉସୀ।

"ଆସ,ତମର ଆଧାର କାର୍ଡ ବନାଇ ଦେବା।"

ମୋ କଥା ଶୁଣି ମାଣିକ କହିଲା,"ମୋର କାର୍ଡ ଅଛି ଦିଦି।ହେଲେ ମୋ ଜଗା ର କାର୍ଡ ନାହିଁ।ଜମାରୁ ସେ ମେସିନ ରେ ହାତ, ଆଖି ରଖୁନି।ଗତ ଥର ସାର୍ କହିଥିଲେ ,ଜଗା ହାତରେ ରେଖା ନାହିଁ।ପିଲାବେଳେ ଚୁଲିରେ ଦୁଇ ହାତ ପୁରାଇ ଦେଇଥିଲା।ବାୟାଟା ,କଅଣ ବୁଝୁଚି ନା ଜାଣୁଛି ?ଫଟ କ୍ୟାମେରା ଦେଖିଲେ ଭୟ କରି ଦୌଡିବ।ତମେ ଟିକେ ଜଗାର କାର୍ଡ କରିଦିଅ ଦିଦି।"

ପାଖରେ ବସି ଵିସ୍କୁଟ ଖାଉଥିଲା ଜଗା।ତା କଥାବାର୍ତ୍ତା ଅସ୍ପଷ୍ଟ ଥିଲା।ଦୁଇହାତର ପାପୁଲି ମେଞ୍ଚାଏ ମାଂସ ପିଣ୍ଡୁଳା ପରି ଦିଶୁଥିଲା।ଆଖି ବୁଜି ହୋଇଗଲା ମୋର।

ପାଖରେ ବସିଥିବା ଟେକ୍ନିସିଆନ କହିଲେ,"ଏମିତି ଅକ୍ଷମ,ଭିନ୍ନକ୍ଷମଙ୍କର ଆଧାର ହୋଇପାରିବ ନାହିଁ।ତା ଛଡ଼ା ପାଗଳାମି ଲକ୍ଷଣ ଅଛି।କାମୁଡା,କାମୁଡ଼ି କିମ୍ବା କ୍ୟାମେରା ଭାଙ୍ଗି ଦେଇ ପାରେ।ଚାନ୍ସ କିଏ ନେବ ?"

ମାଣିକ କହିିଲା"କିନ୍ତୁ ଦିଦି,ସରକାର କାଳେ ନିୟମ କରିଛି ଯାହାର ଆଧାର ନଥିବ ,ତାକୁ କିଛି ସାହାଯ୍ୟ ,ଭତ୍ତା ମିଳିବନି।"

ସାନ୍ତ୍ବନା ଦେଇ କହିଲି,"ବ୍ୟସ୍ତ ହୁଅନା ମାଉସୀ,ମୁଁ ଉପର ହାକିମଙ୍କୁ କହି କିଛି ବ୍ୟବସ୍ଥା କରିବି।"

ମୋ ମୁହଁକୁ ଏକ ଅବିଶ୍ବାସ ଭରା ଚାହାଣୀରେ ଅନାଇ ସେ ଧୀର ସ୍ୱରରେ କହିଲା,"ଗଲାଥର ସେ ସାର୍ ବି ଏମିତି କହିଥିଲେ।ମୋ ଜଗାର କଣ ହେବ?

ପୁଅକୁ ନେଇ ଚୁପଚାପ ଚାଲିଗଲା ମାଣିକ।ହତାଶାରେ ମନ ଭରିଗଲା ମୋର।ସେଦିନ ସଂଧ୍ୟାରେ ଘରକୁ ଫେରିବା ବାଟରେ ,ଗାଁ ମନ୍ଦିରରେ ପଶିଲା ବେଳେ ଭେଟିଲି ପୁଣି ଥରେ ମାଣିକ ମାଉସୀକୁ।

ସ୍ମିତ୍ସି କହିଲି "କଣ ମାଉସୀ,ଜଗା'ର ଦୀର୍ଘ ଆୟୁଷ ନା ଆଧାର କାର୍ଡ ପାଇଁ ଠାକୁରଙ୍କୁ ମନାସିଲ ?

ମୋ ନିକଟକୁ ଆସି ମାଣିକ କୋହ ଭରା କଣ୍ଠରେ କହିଲା,"ସତ କହିବି ଦିଦି ?ସବୁଦିନ ସକାଳ ଓ ସଂଧ୍ୟା ରେ ଠାକୁରଙ୍କୁ ଗୁହାରି କରେ,ମୁଁ ଥାଉ ଥାଉ ,ମୋ ଜଗା କୁ ନେଇଯାଅ।ମୁଁ ମରିଗଲେ ତା କଥା କିଏ ବୁଝିବ?ମା ବୋଲି ବିଷ ଟୋପେ ଦେବାକୁ ହାତ ଯାଏନା।ହେଲେ କଣ କରିବି ଦିଦି ?ଜଗାର ଭବିଷ୍ୟତ କଥା ଭାବିଲେ ମୋତେ ଅନ୍ଧାର ଦିଶେ।କେଉଁ ମା ଚାହେଁ ତା ପୁଅ ହଇରାଣ ହେଉ ?ଭିକ ମାଗୁ ?ଭୋକରେ ମରୁ ?ମୁଁ ବି ମା।ମୋ ପୁଅର ଭଲ ଚିନ୍ତା ମୋ ଛଡ଼ା କିଏ କରିବ ? ମା ହୋଇ ପୁଅର ମରଣ କାମନା କରି ,ମୁଁ କଣ ଭୁଲ କରୁଛି ?"

ଛଳ ଛଳ ଆଖିରେ ତା'ର ଅନେକ ଚିନ୍ତାର ଲହଡି ଖେଳିଲା ପରି ଲାଗୁଥିଲା ମୋତେ ।

ନିର୍ବାକ ହୋଇ କେଵଳ ଚାହିଁ ରହିଥିଲି ଜଣେ ନିଆରା ମାଆ'କୁ ଓ ବୁଝିବାକୁ ଚେଷ୍ଟା କରୁଥିଲି ତା ହୃଦୟ'ର ଆବେଗ ଓ ମମତାରେ ଭରା ହୃଦୟ'ର ଭାଷାକୁ।

ମୋ ପାଟିରୁ ବାହାରି ଆସିଲା, ପ୍ରଣାମ ତୁମକୁ ହେ ମା।

😢(ଅରବିନ୍ଦ ଦାସ)

ପ୍ରଣାମ ତୁମକୁ ବୁଢ଼ୀ ବିକଳାଙ୍ଗ

Rate the content


Originality
Flow
Language
Cover design

Comments

Post

Some text some message..