Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମୋ ଠେକୁଆଟି ତିନି ଗୋଡିଆ
ମୋ ଠେକୁଆଟି ତିନି ଗୋଡିଆ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   295    35


Content Ranking

ବହୁବର୍ଷ ତଳର କଥା । ଜଣେ ଗୁରୁ ରହୁଥିଲେ । ତାଙ୍କର ନାମ ଗୁରୁ ଶିବଯୋଗୀ । ତାଙ୍କର କେତେଜଣ ବିଶ୍ୱସ୍ତ ଶିଷ୍ୟ ଥିଲେ । ଥରେ ସେ ତାଙ୍କର ସବୁଠାରୁ ସାହସୀ ଛାତ୍ର ଭୋରାନକୁ କହିଲେ - “ତମେ ଜଙ୍ଗଲକୁ ଯାଇ, ମୋ ପାଇଁ ଗୋଟିଏ ମୋଟା ଠେକୁଆ ଧରିଆଣ । ତାକୁ ଆଣି ତା ମାଂସ ଏବଂ ଗୋଡକୁ ତରକାରୀ କର ।”

ଛାତ୍ରଟି ତା ଗୁରୁଙ୍କର ଆଦେଶ ପାଳନ କଲା । ସେ ଜଙ୍ଗଲକୁ ଯାଇ ଗୋଟିଏ ଧଳା ଠେକୁଆ ଧରି ଆଣିଲା । ସେ ପ୍ରଥମେ ତାର ମାଂସକୁ କାଟି ତରକାରୀ କଲା । ତାପରେ ସେ ତାର ଗୋଡକୁ ରାନ୍ଧିଲା । ଗୋଡ ତରକାରୀରୁ ସୁନ୍ଦର ବାସ୍ନା ବାହାରୁଥାଏ । ସେ ନିଜକୁ ଆଉ ରୋକିପାରିଲା ନାହିଁ । ସେ ଗୋଟେ ଗୋଡ ସେଥିରୁ ଖାଇଦେଲା ଏବଂ ଆଉ ତିନୋଟି ଗୋଡ ନେଇ ଗୁରୁଙ୍କୁ ଖାଇବାକୁ ଦେଲା ।

ଯେତେ ବେଳେ ଗୁରୁ ନିଜର ଖାଇବା ଆରମ୍ଭ କଲେ, ସେ ଦେଖିଲେ ଗୋଟିଏ ଗୋଡ ନାହିଁ । ସେ ଏ କଥା ଭୋରାନକୁ ପଚାରିଲେ ।

ଭୋରାନ କହିଲା - “ଗୁରୁଜୀ ଯେଉଁ ଠେକୁଆଟିକୁ ମୁଁ ଆଣିଥିଲି ତାର କେବଳ ତିନୋଟି ଗୋଡଥିଲା ।”

ଗୁରୁ ଶିବଯୋଗୀ ବୁଝିନେଲେ ଯେ ଏହା ଗୋଟେ ଅସମ୍ଭବ ଉତ୍ତର । ତେଣୁ ସେ ବିଷୟରେ ଭୋରାନକୁ ବାରମ୍ବାର ପଚାରିଲେ । କିନ୍ତୁ ସେଇ ଏକା ଉତ୍ତର ଦେଉଥାଏ । ଗୁରୁ ଛାତ୍ରର ଏହି ଦୃଢତାକୁ ପରୀକ୍ଷା କରିବା ପାଇଁ ଚାହିଁଲେ । ସେଥିପାଇଁ ସେ ଗୋଟେ ଉପାୟ କଲେ ।

ଗୁରୁ ଏବଂ ତାଙ୍କର ଶିଷ୍ୟମାନେ ପବିତ୍ର ଭସ୍ମକୁ ନିଜ କପାଳରେ ଲେପନ କରନ୍ତି । ଗୁରୁ ଭୋରାନକୁ ମନ୍ତୁରିଲେ । ସେ କହିଲେ ଏ ମନ୍ତୁରା ଭସ୍ମକୁ ଯେ ନିଜ କପାଳରେ ଲଗାଇବ ସେ ସଙ୍ଗେ ସଙ୍ଗେ ଅଦୃଶ୍ୟ ହୋଇଯିବ । ଭୋରାନ ସେହି ପବିତ୍ର ଭସ୍ମକୁ କପାଳରେ ଲଗାଇଲା ଏବଂ ଅଦୃଶ୍ୟ ହୋଇଗଲା । ତାର ଖୁସି କହିଲେ ନସରେ । ଯେହେତୁ ସେ ପୃଥିବୀର ଅନ୍ୟ ସବୁ ଜିନିଷ ଅପେକ୍ଷା ଖାଦ୍ୟକୁ ବେଶି ଭଲପାଏ । ସେ ନିଜର ସୌଭାଗ୍ୟ ପାଇଁ ରାଜାଙ୍କ ରୋଷେଇ ଘରକୁ ଚାଲିଗଲା । ଖାଦ୍ୟ ଚୋରିକରି ଖାଇଲା । ସେ ଏଇଭଳି ପ୍ରତିଦିନ କରିବାକୁ ଲାଗିଲା ।

ରାଜାଙ୍କ ମୁଖ୍ୟ ରାନ୍ଧୁଣିଆ ରାଜାଙ୍କୁ ଏଇ ଚୋରି ବିଷୟରେ ଜଣାଇଲେ । ରାଜା ଚୋର ଧରିବା ପାଇଁ ଅନେକ ପ୍ରହରୀ ନିଯୁକ୍ତ କଲେ । କିନ୍ତୁ କିଛି ଲାଭ ହେଲାନାହିଁ । ଭୋରାନ ଅଦୃଶ୍ୟ ହୋଇ ପ୍ରତିଦିନ ରାତିରେ ଖାଦ୍ୟ ଚୋରି କରୁଥାଏ । ସେମାନେ କେହି ଜାଣିପାରିଲେନାହିଁ ।

ରାଜା ଘୋଷଣା କଲେ - “ଯେ ଏହି ଚୋରକୁ ଧରି ପକାଇବ ତାକୁ ଶହେ ସ୍ୱର୍ଣ୍ଣମୂଦ୍ରା ପୁରସ୍କାର ଦିଆଯିବ ।”

ଗୁରୁ ଶିବଯୋଗୀଙ୍କୁ ପ୍ରକୃତ ଚୋର କିଏ ଜଣା ଥିଲା । ସେ ରାଜାଙ୍କ ପାଖକୁ ଆସି କହିଲେ - “ହଜୁର, ଚୋରକୁ ଧରିବା ଅତି ସହଜ । ଆପଣ ରୋଷେଈଶାଳକୁ ବନ୍ଦ କରି ଦିଅନ୍ତୁ ଏବଂ ଆପଣଙ୍କର ପ୍ରହରୀମାନଙ୍କୁ ସେହି ଘରର ଝରକା ପାଖରେ ଜଗାଇ ଦିଅନ୍ତୁ । ଆପଣ ନିଶ୍ଚିତ ଭାବରେ ଚୋରକୁ ଧରିପାରିବେ ।”

ତାପର ଦିନ ରୋଷେଈ ଘରର ମୁଖ୍ୟ ଦ୍ୱାର ବ୍ୟତୀତ ଅନ୍ୟ ସମସ୍ତ କବାଟ ଝରକାକୁ ବନ୍ଦକରି ଦିଆଗଲା । ଯେପରିକି ପବନ ସେ ବାଟରେ ବି ଯାଇପାରିବ ନାହିଁ ।

ଭୋରାନ ପ୍ରତିଦିନ ଭଳି ରୋଷେଈ ଘର ଭିତରକୁ ଗଲା । ସେ ଗୋଟିଏ ପରେ ଗୋଟିଏ ଖାଦ୍ୟକୁ ଖାଇଲା । ଏଣେ ରୋଷେଈଘର ଭିତରେ ଗରମ ଲାଗୁଥିବାରୁ ଅଦୃଶ୍ୟ ଲୋକ ଦେହରୁ ଝାଳ ବୋହିବାକୁ ଲାଗିଲା ଏବଂ କପାଳରୁ ଝାଳ ବୋହିବା ଫଳରେ କପାଳରେ ଲାଗିଥିବା ମନ୍ତୁରା ଭସ୍ମ ଧୀରେ ଧୀରେ ଧୋଇ ହୋଇଗଲା ଏବଂ ଭୋରାନ ଧୀରେ ଧୀରେ ଦୃଶ୍ୟମାନ ହେବାକୁ ଲାଗିଲା । ସେ ନିଜକୁ ସେଠାରୁ ଖସାଇବା ପୂର୍ବରୁ ସେଇ ଝରକା କୋଣରେ ଲୁଚି ଥିବା ପ୍ରହରୀମାନେ ତାକୁ ଧରି ପକାଇଲେ । ତାକୁ ରାଜାଙ୍କ ପାଖରେ ହାଜର କରାଇଲେ । ବନ୍ଦୀଶାଳାରେ ପକାଇଦେଲେ ଏବଂ ପରଦିନ ଫାଶୀ ଖୁଣ୍ଟରେ ବସାଇବାକୁ ଆଦେଶ ଦେଲେ ।

ଗୁରୁ ରାଜାଙ୍କର ରାୟ ଶୁଣିଲେ । ସେ ତାଙ୍କର ସାହସୀ ଶିଷ୍ୟକୁ ହରାଇବାକୁ ଚାହୁଁ ନଥିଲେ । ସେ ବନ୍ଦୀଶାଳାକୁ ଗଲେ ଏବଂ ଭୋରାନକୁ କହିଲେ - “କାଲି ତତେ ଫାଶୀ ଦିଆଯିବ । ଯଦି ତୁ ମତେ ଠେକୁଆର ଗୋଡ ବିଷୟରେ କହିବୁ ମୁଁ ତତେ ବଞ୍ଚାଇ ଦେବି ।”

କିନ୍ତୁ ଭୋରାନ ଭାରି ଏକଜିଦିଆ । ସେ କହିଲା ଠେକୁଆକୁ ଧରିଥିଲି , ତାର କେବଳ ତିନୋଟି ଗୋଡ ଥିଲା । ଗୁରୁ ତାର ସାହସୀକତାକୁ ସ୍ୱୀକାର କରିନେଲେ । ସେ ରାଜାଙ୍କୁ ଅନୁରୋଧ କଲେ ଯେ ତାଙ୍କ ଶିଷ୍ୟକୁ କ୍ଷମା କରିଦେବା ପାଇଁ । ରାଜା ସବୁକଥା ଶୁଣିଲେ ଏବଂ ଦୋଷୀକୁ ବିନା ଦ୍ୱିଧାରେ କ୍ଷମା କରିଦେଲେ ।

ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି


ଠେକୁଆ ଗୁରୁ ତରକାରୀ

Rate the content


Originality
Flow
Language
Cover design

Comments

Post

Some text some message..