Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

T.Durga Prasad Rao

Others Romance

4.5  

T.Durga Prasad Rao

Others Romance

ମଲା ଜହ୍ନର ଅସ୍ତିତ୍ୱ

ମଲା ଜହ୍ନର ଅସ୍ତିତ୍ୱ

13 mins
7.9K


ମଲା ଜହ୍ନର ଅସ୍ତିତ୍ୱ


ନା ସୁପ୍ତ ନା ଜାଗ୍ରତ!

ଏକ ମୋହାଚ୍ଛନ୍ନ ସ୍ଵପ୍ନାବିଷ୍ଟ ବିସ୍ମୟ ବିସ୍ଫାରିତ ସମ୍ବିତ୍.ର ଅବିଶ୍ଵାସୀ ଆଖିଯୋଡ଼ିକ ଚାହିଁ ରହିଥିଲା ରାଗିଣୀର ପ୍ରପୋଜ୍ କରିବାର ଅଭିନବ ଶୈଳୀକୁ । କୋମଳା, ଶୁଭ୍ରାଙ୍ଗୀ ନୀଳ ବସନଧାରୀ ରାଗିଣୀ ତାର ମୃଣାଳିନୀ ହସ୍ତରେ ରକ୍ତ ଗୋଲାପଟିଏ ଧରି ଡାହାଣ ଆଣ୍ଠୁଟିକୁ ମାଟିରେ ସ୍ପର୍ଶ ଦେଇ ତଳକୁ ଚାହିଁ ରହିଛି ସମ୍ବିତ୍.ର ହଁ କୁ ଅପେକ୍ଷା କରି । ଆଉ ସମ୍ବିତ୍? ଲାଜକୁଳା ରାଗିଣୀର ସେଇ ଅଭ୍ଭୁତ ସାହସିକ ପଦକ୍ଷେପକୁ ଚାହିଁ ରହିଛି ଅପଲକ ନେତ୍ରରେ ବେଶ୍ କିଛି ସମୟ ଧରି ଅତ୍ୟନ୍ତ ସମ୍ମୋହନରେ । ଶ୍ରୀକାନ୍ତର କରତାଳିରେ ସମ୍ବିତ୍ ଆତ୍ମସ୍ଥ ହେଲା । ରାଗିଣୀ ହସ୍ତରୁ ଗୋଲାପ ଫୁଲଟିକୁ ଅତିବ ଯତ୍ନ ସହକାରେ ତୋଳି ନେଇ ରାଗିଣୀର ହାତ ଧରି ତଳୁ ଉଠାଇ ଆଣିଲା । ଦୁହେଁ ପରସ୍ପରକୁ ଚାହିଁ ଦେଇ କିଛି ସମୟ ପାଇଁ ନିର୍ବାକ୍ ହୋଇଗଲେ । କାହାରି ପାଟିରୁ କୌଣସି କଥା ବାହାରିଲା ନାହିଁ । ଶ୍ରୀକାନ୍ତ ଖଣ୍ଡିକାଶଟିଏ ଦେଇ ନିଜର ଉପସ୍ଥିତି ଜାହିର୍ କଲା ଓ କହିଲା - ତାହେଲେ ଆଜି ଗୋଟିଏ ଟ୍ରିଟ୍ ହେଇଯାଉ ବ୍ଳୁ ମୁନ୍.ରେ? ନା କଣ କହୁଛ ରାଗିଣୀ? ରାଗିଣୀ ମୁଣ୍ଡ ହଲାଇ ନିଜର ସମ୍ମତି ଜଣାଇଲା । ସମ୍ବିତ ନିଜକୁ ସମ୍ଭାଳି ପାରୁନଥିଲା । ଏକାସଙ୍ଗେ ଏତେଗୁଡ଼ିଏ ଖୁସି ଯେ ତା କୋଳରେ ଖସିପଡ଼ିବ ସେଥିପାଇଁ ସେ ପ୍ରସ୍ତୁତ ନ ଥିଲା । ସବୁ ଖୁସି ଯେମିତି ତା ଦୁଇ ଆଖିରେ ସମାବେଶିତ ହୋଇ ଖୁବ୍ ଉଜ୍ଜଳ ଦିଶୁଥିଲା ଆଖିଯୋଡ଼ିକ ।

ସେଦିନ କଲେଜ ସରୁ ସରୁ ଦୁଇ ବନ୍ଧୁ ପହଞ୍ଚି ଯାଇଥିଲେ ହୋଟେଲ୍ ବ୍ଳୁ ମୁନ୍.ରେ । କିଛି ସମୟ ପରେ ପହଞ୍ଚିଥିଲା ରାଗିଣୀ ତାର ପ୍ରୀୟ ବାନ୍ଧବୀ ଶୃତିକୁ ନେଇ । ସମ୍ବିତ୍ ଆଖିରେ ରାଗିଣୀ ଆଜି ନୂଆ ନୂଆ ଲାଗୁଥିଲା । କାଲି ପର୍ଯ୍ୟନ୍ତ ରାଗିଣୀ ସହିତ ତାର ସମ୍ପର୍କ କିଛି ନିଶ୍ଚିତତାରେ ଉପନୀତ ହୋଇ ପାରୁନଥିବା ବେଳେ ଆଜି ଯେମିତି ରାଗିଣୀ ତାର ଅତି ନିଜର, ଅତି ଆପଣାର । ଗୋଟିଏ ବିଶ୍ଵାସର ବୃକ୍ଷଡାଳରେ ବିଶ୍ରାମ ନେଇଥିବା ଦୁଇଟି ପ୍ରେମପକ୍ଷୀ । ଆଃ, ଏତେ ମୁଗ୍ଧକର କଣ ତାର ହୃଦୟର ଭାଗ୍ୟ ଆଉ ସମ୍ମୁଜ୍ଜଳ କଣ ତାର ମନର ଭବିଷ୍ୟ । ତାହେଲେ କିଏ କହୁଛି ପଢ଼ା ଜୀବନରେ ପ୍ରେମ ଓ ପ୍ରେମିକାକୁ ନେଇ ସ୍ଵପ୍ନ ଦେଖିବା ପାପ ବୋଲି । ଏଇତ ରାଗିଣୀକୁ ନେଇ ତାର ପ୍ରତି ରାତ୍ରିର ସ୍ଵପ୍ନ ଯେମିତି ସତ ହେଇଯାଇଛି । କହନ୍ତି ପ୍ରାତଃ କାଳରେ ସ୍ଵପ୍ନ ଦେଖିଲେ ତାହା ବାସ୍ତବତାରେ ରୁପାନ୍ତରିତ ହେବାକୁ ବେଶୀ ସମୟ ଲାଗେ ନାହିଁ । ସମ୍ବିତ୍.ର କିନ୍ତୁ ସ୍ଵପ୍ନ ଦେଖାରେ କିଛି କାର୍ଯ୍ୟନିର୍ଘଣ୍ଟ ନ ଥିଲା । ଆଖି ଖୋଲିଲେ ରାଗିଣୀ, ଆଖି ବନ୍ଦ କଲେ ରାଗିଣୀ । ରାଗିଣୀ ଏକ ସ୍ଥାୟୀ ଚିତ୍ରପଟ୍ଟଟିଏ ଯେମିତି ସମ୍ବିତ୍.ର ଚକ୍ଷୁପରଦାରେ ସଂଲଗ୍ନ ।

ଅଭିବାଦନ ଜଣାଇ ରାଗିଣୀ ଆଉ ଶୃତି ଆସି ବସିଲେ ସମ୍ବିତ୍ ଓ ଶ୍ରୀକାନ୍ତ ସମ୍ମୁଖରେ ଦୁଇଟି ଚେୟାର୍ ଅଳଙ୍କୃତ କରି । ସମ୍ବିତ୍ ସବୁଦିନ ପରି ଆଖି ଫେରାଇ ପାରୁନଥିଲା ରାଗିଣୀ ଠାରୁ । ଶ୍ରୀକାନ୍ତ ହିଁ ପ୍ରଥମେ ଆରମ୍ଭ କଲା - କଣ ଏମିତି ଚାହିଁ ରହିଥିବା ନା କିଛି ଅର୍ଡର ଦେବା? ସମ୍ବିତ୍ ଟିକିଏ ଲଜ୍ଜିତ ହୋଇ ମେନୁ କାର୍ଡଟିକୁ ବଢ଼ାଇ ଦେଲା ରାଗିଣୀ ଆଡ଼କୁ । କହିଲା - ରାଗିଣୀ ଅର୍ଡର କରୁ । ଆଜି ତା ପସନ୍ଦର ଖାଦ୍ୟ ହିଁ ଖିଆଯିବ । ଶ୍ରୀକାନ୍ତ କହିଲା- କଣ ଏବେ ଠାରୁ ଆମର ସବୁ ମନମର୍ଜି ତାଲା ପକାଇ ବ୍ୟାଙ୍କ୍ ଲକରରେ ରଖିବାକୁ ପଡ଼ିବ? ସମ୍ବିତ୍ ପାର୍ଶ୍ୱରୁ ଖୁନ୍ଦାଟାଏ ମାରିଲା ଶ୍ରୀକାନ୍ତକୁ । ଅଗତ୍ୟା ଚୁପ୍ ହୋଇଗଲା ଶ୍ରୀକାନ୍ତ । ୱେଟର୍ ଆସି ବୁଝି ଦେଇଗଲା ସବୁକିଛି । ରାଗିଣୀ ମଝିରେ ମଝିରେ ସମ୍ବିତ୍ ଆଡ଼କୁ ଚାହିଁ ଦେଇ ନ ଜାଣିଲା ପରି ଆଖି ଫେରାଇ ନେଉଥାଏ । ଶ୍ରୀକାନ୍ତ ଅବା କେତେ ସମୟ ଚୁପ୍ ରହିବ! ସେ ଗପ ଆରମ୍ଭ କରି ଦେଇଥାଏ ଶୃତି ସହ । ଶୃତି ରାଗିଣୀ ପରି ଦେଖିବାକୁ ଗୋରା ନ ହେଲେ ବି ମୁହଁଟା କିନ୍ତୁ ଭାରି ସୁନ୍ଦର । ଆଉ କଥାବାର୍ତ୍ତା ଅନ୍ୟକୁ ଆକୃଷ୍ଟ କଲା ପରି । ଟିକିଏ ଖୋଲା ମନା । ଯାହାକୁ ଇଂରାଜୀରେ କହନ୍ତି ଓପେନ୍ ମାଇଣ୍ଡେଡ୍ । ରାଗିଣୀକୁ ପାଇବା ପାଇଁ ଶୃତି ହିଁ ଥିଲା ମାଧ୍ୟମ, ସେତୁ । ସମ୍ବିତ୍ ବିଷୟରେ ଶୃତି ହିଁ ଦେଇଛି ଯେତେ ପ୍ରକାର ସାର୍ଟିଫିକେଟ୍ ରାଗିଣୀକୁ । ତେବେ ରାଗିଣୀ ପରି ଝିଅ ଯେ କେବଳ ଶୃତିର ସାର୍ଟିଫିକେଟ୍.ରେ ତାକୁ ଭଲ ପାଇ ବସିଛି, ସେକଥା କହିବା ଏକ ଦୁରୁହ ବ୍ୟାପାର । ତା ପରି ଝିଅମାନେ କମ୍ ସମୟ ଭିତରେ କାହା ସହିତ କଥା ହୁଅନ୍ତି ନାହିଁ କି ମିଳାମିଶା କରନ୍ତି ନାହିଁ । ଖୁବ୍ ତନଖି, ବିବେକ, ହୃଦୟ ଓ ମସ୍ତିଷ୍କର ଅଙ୍କ କଷି, ତାପରେ ଜଣକ ବିଷୟରେ ନିଶ୍ଚିତ ହୋଇ ଆପଣାନ୍ତି । ଥରେ ନିଜର କରି ସାରିଲା ପରେ ପୁରା ଦୁନିଆଁ ଗୋଟିଏ ପଟେ ଆଉ ତା ମନର ମଣିଷ ଆଉ ଗୋଟେ ପଟେ ଠିଆ ହୁଏ । ଏକଦମ୍ ଅଲଗା ବାରି ହୋଇଯାଏ ତା ଆଖିରେ । ରାଗିଣୀର ଭଲ ପାଇବା ସେମିତି ଏକ ଆସନରେ ଠିଆ କରାଇ ଦେଇଛି ସମ୍ବିତ୍.କୁ । ବୋଧେ ଆଇନ୍ଷ୍ଟାଇନ୍ ତାଙ୍କ ସ୍ପେସିଆଲ୍ ଥିଓରୀ ଅଫ୍ ରିଲାଟିଭିଟି ଲୋକାର୍ପିତ କଲାବେଳେ ସେତିକି ଖୁସି ଜାହିର୍ କରି ନ ଥିବେ, ଯେତିକି ସମ୍ବିତ୍ ରାଗିଣୀକୁ ପାଇ ଅନୁଭବ କରୁଛି । ସମ୍ବିତ୍.ର ହଠାତ୍ ମନେ ପଡ଼ିଲା ସେ ରାଗିଣୀ ପାଇଁ ଖଣ୍ଡେ ଉପହାର ନେଇ ଆସିଛି । ସେ ତାର ପ୍ୟାଣ୍ଟ ପକେଟ୍ ଅଣ୍ଡାଳି ଛୋଟ ଏକ ପ୍ୟାକେଟ୍ ବାହାର କରି ରାଗିଣୀ ଉଦ୍ଦେଶ୍ୟରେ ବଢ଼ାଇଦେଲା । ରାଗିଣୀ ପ୍ରଶ୍ନବାଚୀ ନୟନରେ ଚାହିଁଲା ସମ୍ବିତ୍.କୁ । ସମ୍ବିତ୍ ଇଶାରାରେ କହିଲା ଭ୍ୟାନିଟିରେ ରଖି ଦେବାପାଇଁ । ବିନା ବାକ୍ୟବ୍ୟୟରେ ରାଗିଣୀ ପ୍ୟାକେଟ୍.କୁ ଭ୍ୟାନିଟିରେ ରଖିବାକୁ ଯାଉଛି, ଶ୍ରୀକାନ୍ତ ମଝିରେ ନାକ ଓହଳାଇ କହିଲା - ଆରେ ଆରେ... ଆମେ ଦୁଇଟା ଅଛୁ ବୋଲି ଜାଣିପାରୁଛ କି ନାହିଁ? ଜଣେ ଚୁପ୍ ଚାପ୍ ଦେଉଛି ଆଉ ଜଣେ ତାକୁ ନ ଦେଖି ନ ପରଖି ଭ୍ୟାନିଟିରେ ପୁରାଉଛି, ଯଦି ମାଇକ୍ରୋ ବୋମ୍ ହେଇଥିବ! ସମ୍ବିତ୍ ଖୁବ୍ ଜୋର୍.ରେ ଚିମୁଟି ଦେଲା ଶ୍ରୀକାନ୍ତକୁ । ଆଃ କରି ଶବ୍ଦଟିଏ ଉଚ୍ଚାରଣ କରି ଶ୍ରୀକାନ୍ତ ଚିମୁଟା ଜାଗାକୁ ଆଉଁଷୁ ଆଉଁଷୁ କହିଲା - ଭାଇ, ଏତେ ଜଲ୍ଦି ଆମେ ପର ହେଇଯିବୁ ଆଶା କରି ନ ଥିଲୁ । ନା କଣ ଶୃତି? ଶୃତି ରାଗିଣୀ ଉଦ୍ଦେଶ୍ୟରେ କହିଲା - ଖୋଲୁନୁ ଦେଖିବା । ଅଗତ୍ୟା ଖୋଲିଦେଲା ରାଗିଣୀ । ନୀଳ ରଙ୍ଗର ପଥର ବସା ସୁନ୍ଦର କେଶ କ୍ଲିପ୍.ଟିଏ । ଏକାସଙ୍ଗେ ସମସ୍ତେ ଚାହିଁଲେ ସମ୍ବିତ୍ ଆଡେ଼ । ଲାଜେଇ ଗଲା ସମ୍ବିତ୍ । ମଣିଷର ଅଧିକାଂଶ ପ୍ରତିକ୍ରିୟା ତା ଆଖିରୁ ହିଁ ଜଣାପଡେ଼ । ସମ୍ବିତ୍ ତା ଆଖିଯୋଡ଼ିକୁ କେଉଁଠି ଲୁଚାଇବ ଜାଗା ଖୋଜି ପାଇଲା ନାହିଁ ସେଦିନ ।

ତାପରେ ରାଗିଣୀ ଓ ସମ୍ବିତ୍.ର ସମ୍ପର୍କ ଆଗେଇଛି ଅନେକ । କେହି କାହାକୁ ଘଡ଼ିଏ ନ ଦେଖିଲେ ରହିପାରିଲେ ନାହିଁ । ଧୀରେ ଧୀରେ ସମୟ ଅତିକ୍ରାନ୍ତ ହୋଇ କଲେଜ ଜୀବନ ଶେଷ ହେବାକୁ ବସିଲା । ପରୀକ୍ଷା ଶେଷ ହେଲା ଯେଉଁଦିନ ସମ୍ବିତ୍ ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ । ତା ଆଖି ଲୁହରେ ଛଳ ଛଳ । ରାଗିଣୀର ବି ଅବସ୍ଥା ତଦନୁରୂପ । ପୁଣି କେତେ ଦିନ ପରେ ସେମାନଙ୍କର ଦେଖା ସାକ୍ଷାତ ହେବ, ତାହା କେହି ବି ଜାଣି ନ ଥିଲେ । ସମ୍ବିତ୍.ର ଇଚ୍ଛା ଥିଲା ସେ ପଦାର୍ଥ ବିଜ୍ଞାନରେ ପିଜି କରିବ । ତା ସହିତ ତାର ଆଉ ଏକ ପ୍ରଚ୍ଛନ୍ନ ଅଭିଳାଷ ଥିଲା ଯେ ରାଗିଣୀ ମଧ୍ୟ ତାର ଡାଡିଙ୍କୁ ମନେଇ ସେଇ ବିଶ୍ୱବିଦ୍ୟାଳୟରେ ତାର ରସାୟନ ବିଜ୍ଞାନରେ ଅଧ୍ୟୟନ ଜାରି ରଖୁ ଯେଉଁଥିରେ ସମ୍ବିତ୍ ପଦାର୍ଥ ବିଜ୍ଞାନ ପଢ଼ିବାକୁ ଚାହୁଁଛି । ହେଲେ ସେ ବିଷୟରେ ଭଲଭାବରେ ଆଲୋଚନା କରି ପାରିନାହିଁ ସମ୍ବିତ୍ ରାଗିଣୀ ସହିତ ।

ସକାଳୁ ସକାଳୁ ହଠାତ୍ ସମ୍ବିତ୍ ଖବର ପାଇଲା ତାର ମାମୁଁଙ୍କର ଆକ୍ସିଡେଣ୍ଟ ହୋଇଛି । ତାଙ୍କୁ ଗାଁ ପାଖ ସହର ମେଡ଼ିକାଲରେ ଆଡମିଶନ କରିଛନ୍ତି । ଅବସ୍ଥା ଭାରି ସଙ୍କଟାପର୍ଣ୍ଣ । ସେ ତରତର ହୋଇ ତାର ବ୍ୟାଗପଟା ସଜାଡ଼ି ଦୌଡ଼ିଲା ବସ୍.ଷ୍ଟାଣ୍ଡ ଦିଗରେ । କାରଣ ତାଙ୍କ ଗାଁକୁ ଯାଉଥିବା ଏକ ମାତ୍ର ବସ୍.ର ଛାଡ଼ିବା ସମୟ ହେଇ ଯାଇଥିଲା । ଗଲାବେଳେ ଶ୍ରୀକାନ୍ତକୁ କହିଗଲା ଯଦି ରାଗିଣୀ କିଛି ତା ବିଷୟରେ ପଚାରେ ତାହେଲେ କହିବାକୁ ଯେ ସେ ଗାଁ କୁ ଯାଉଛି ଆଉ ସେ ଲ୍ୟାଣ୍ଡ୍ ଲାଇନ୍.ରେ ଘରକୁ ଲଗାଇ ତା ସହ କଥା ହେବ । ନମ୍ବରଟା ଦେଇ ଦେଇ ଗଲା ଶ୍ରୀକାନ୍ତକୁ ।

ଘରେ ପହଞ୍ଚି ସମ୍ବିତ୍ ଜାଣିପାରିଲା ଯେ ମାମୁଁଙ୍କର ଚିକିତ୍ସା ଚାଲିଛି । ଚିନ୍ତା କରିବାର ଏତେ କାରଣ ନାହିଁ । ସେ ତାଙ୍କୁ ପରଦିନ ସକାଳେ ଯାଇ ଦେଖା କଲେ ଚଳିବ । ଭାରି ଥକ୍କା ଥକ୍କା ଅନୁଭବ କରୁଥିଲା ସମ୍ବିତ୍ । ଗୋଟିଏ ପଟେ ରାଗିଣୀକୁ କିଛି ନ କହି ନ ଜଣାଇ ବାହାରି ଆସିଥିଲା । ଅନ୍ୟ ପଟେ ମାମୁଁଙ୍କର ଏ ଦୂରାବସ୍ଥା ।

ଖାଇ ସାରି ସମ୍ବିତ୍ ଚାଲି ଆସିଲା ଛାତ ଉପରକୁ । ଚେୟାରଟିଏ ପକାଇ ବସିଲା ଅନେକ ସମୟ ଉର୍ଦ୍ଧ୍ୱ ଆକାଶକୁ ଚାହିଁ ଚାହିଁ । ଅର୍ଦ୍ଧ ଚନ୍ଦ୍ରର ରୂପେଲି କିରଣ ତାର କାୟା ବିସ୍ତାର କରିଛି ପୁରା ଛାତ ଉପରେ । ମିଞ୍ଜି ମିଞ୍ଜି ତାରାର ଆଲୋକକୁ ସେ ତା ଛାତ ପର୍ଯ୍ୟନ୍ତ ଆସିବାକୁ ଦେଉନାହିଁ । ସେମାନେ ଯାହା ସେଇ ଉର୍ଦ୍ଧ୍ୱକାଶରେ ରହି ଜୁଳୁ ଜୁଳୁ କରି ଅନେଇ ରହିଥିଲେ ସମ୍ବିତ୍.କୁ । ସତେ ଅବା ସେମାନେ ତା ମନ କଥା ବୁଝି ପାରି ସମବେଦନା ଜଣାଉଥିଲେ । କଣ କରୁଥିବ ରାଗିଣୀ ଏ ସମୟରେ? ତା ଭଳି କଣ ତା କଥା ମନେ ପକାଉଥିବ? ଯଦି ମନେ ପକାଉଥିବ ତେବେ କାହିଁ ଫୋନ୍ ଟିକେ ତ କଲା ନାହିଁ? ଶ୍ରୀକାନ୍ତକୁ ଦେଇ ଆସିଥିବା ଫୋନ୍ ନମ୍ବର କଣ ତା ପାଖରେ ଆହୁରି ପହଞ୍ଚି ନାହିଁ? ଭାବିଲା ଘର ମାଲିକଙ୍କ ନମ୍ବରକୁ ଥରେ ଫୋନ୍ କରି ଦେଖିବ, ଶ୍ରୀକାନ୍ତ ଅଛି ନା ତା ଘରକୁ ଗଲାଣି । ନା, ଥାଉ । ରାତି ଅନେକ ହେଲାଣି । ଏବେ ବୁଢ଼ାକୁ ଡିଷ୍ଟର୍ବ କଲେ ସମୟ ଜ୍ଞାନ ଉପରେ ବେଶ୍ ଦୁଇପଦ ଶୁଣାଇବ । ବରଂ ସକାଳେ ଫୋନ୍ କରିବା ଉଚିତ୍ ହେବ ।

ସକାଳେ ସମ୍ବିତ୍ ମେଡ଼ିକାଲ୍ ଯାଇ ମାମୁଁଙ୍କର ସ୍ୱାସ୍ଥ୍ୟ କଥା ବୁଝିଲା । ସ୍କୁଟରରୁ ପଡ଼ି ତାଙ୍କର ବାଁ ହାତଟିର ହାଡ଼ ଭାଙ୍ଗି ଯାଇଥିଲା । ତା ସହିତ ଶରୀରରେ ସୃଷ୍ଟି ହୋଇଥିଲା ଅନେକ କ୍ଷତ । ଦିନତମାମ ତାଙ୍କ ପାଖେ ପାଖେ ରହିଲା ସମ୍ବିତ୍ । ତା ଭିତରେ ସେ ଭୁଲି ଯାଇଥିଲା ଶ୍ରୀକାନ୍ତ ଠାରୁ ରାଗିଣୀର ଖବର ନେବା ବିଷୟ । ଯେତେବେଳେ ତାର ମନେ ପଡ଼ିଲା, ସେ ନିକଟସ୍ଥ ପି.ସି.ଓରୁ ଫୋନ୍ କଲା ଶ୍ରୀକାନ୍ତ ଓ ସେ ରହୁଥିବା ଭଡ଼ାଘରର ମାଲିକ ମାଧବାନନ୍ଦ ମଉସା ପାଖକୁ । ପଚାରି ବୁଝିଲା, ଶ୍ରୀକାନ୍ତ ଗତକାଲି ଖରାବେଳେ ହିଁ ତାର ସବୁ ସାମାନପତ୍ର ନେଇ ଘର ଛାଡ଼ି ଦେଇଛି । ସମ୍ବିତ୍ ସମସ୍ୟାରେ ପଡ଼ିଗଲା । ଏବେ ସେ କାହାଠାରୁ ରାଗିଣୀ ବିଷୟରେ ପଚାରି ବୁଝିବ । ରାଗିଣୀର କୌଣସି ଯୋଗାଯୋଗ ନମ୍ବର ତା ପାଖରେ ନଥିଲା । ଯଦି ଶ୍ରୀକାନ୍ତ ତା ଘର ନମ୍ବରଟି ରାଗିଣୀକୁ ଦେଇଥାଏ, ତାହେଲେ ସେ ହିଁ ହେବ ସମ୍ବିତ୍ ଓ ରାଗିଣୀର ଏକମାତ୍ର ଯୋଗାଯୋଗର ମାଧ୍ୟମ ଅନ୍ୟଥା ନୁହେଁ। ଖୁବ୍ ଛଟପଟ ଲାଗିଲା ସମ୍ବିତ୍.କୁ । ରାତି ଘରକୁ ଫେରି ସେ ଟେଲିଫୋନ୍ ପାଖରେ ହିଁ ବସି ରହିଲା । ଘରେ ପଚାରି ବୁଝିଲା, କେହି ତା କଥା ଫୋନ୍.ରେ ପଚାରି ବୁଝୁଥିଲେ କି ତା ଅନୁପସ୍ଥିତିରେ? କିନ୍ତୁ ନା, ସେ ଦୁଇଦିନ ହେଲା କେହି ସମ୍ବିତ୍ ବିଷୟରେ ପଚାରି ନାହିଁ । କେଉଁଠାରୁ ବି କିଛି ସନ୍ଦେଶ ସେ ପାଇଲା ନାହିଁ । ଖୁବ୍ ଅଶ୍ୱସ୍ତିରେ ବିତୁଥିଲା ଦିନ ଓ ରାତି ସମ୍ବିତ୍.ର । ସବୁ ସମୟରେ ରାଗିଣୀ ହିଁ ମନେ ପଡୁଥିଲା । ତାରି ଚେହେରା ଭାସି ଆସୁଥିଲା ପ୍ରତି ମୁହୁର୍ତ୍ତରେ ତା ଚକ୍ଷୁ ସାମ୍ନାରେ ।

ଯେଉଁଦିନ ଯୁକ୍ତ ତିନି ବିଜ୍ଞାନ ପରୀକ୍ଷା ଫଳାଫଳ ପ୍ରକାଶିତ ହେଲା, ସମ୍ବିତ୍.ର ବିରସ ମନୋଭାବ କିଛି ମାତ୍ରାରେ ଲଘୁ ହୋଇଗଲା । ସେ ଓ ରାଗିଣୀ ଉଭୟ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଶ୍ରୀକାନ୍ତ ପାଇଥିଲା ଦ୍ୱିତୀୟ ଶ୍ରେଣୀ ଏବଂ ଶୃତି ଅଳ୍ପକେ ପ୍ରଥମ ଶ୍ରେଣୀ ପାଇବାରୁ ବଞ୍ଚିତ ହୋଇ ଯାଇଥିଲା । ଫଳାଫଳର ଖୁସିରେ ସାମିଲ୍ ହେବା ପାଇଁ କିନ୍ତୁ ଗୋଟିଏ ବି ସାଙ୍ଗ ତା ପାଖରେ ନ ଥିଲେ । ତେବେ ସମ୍ବିତ୍ ଠିକ୍ ଜାଣିଥିଲା ମାର୍କସିଟ୍ ଓ ଟି.ସି. ନେବା ପାଇଁ ସମସ୍ତେ ନିଶ୍ଚୟ କଲେଜ୍.କୁ ଆସିବେ ।

କଲେଜ୍.ର କାର୍ଯ୍ୟାଳୟ କକ୍ଷ ପୁରା ଭିଡ଼ । ସବୁ ଛାତ୍ର ଛାତ୍ରୀ ବ୍ୟସ୍ତ ଥିଲେ ସାର୍ଟିଫିକେଟ୍ ଓ ମାର୍କସିଟ୍ ନେବା ପାଇଁ । ନିଜ ସାର୍ଟିଫିକେଟ୍ ଓ ମାର୍କସିଟ୍ ନେଲା ବେଳେ ସମ୍ବିତ୍ ଜାଣି ପାରିଲା ଶୃତି ଓ ଶ୍ରୀକାନ୍ତ ନିଜ ନିଜର ସାର୍ଟିଫିକେଟ୍ ସବୁ ନେଇ ସାରିଛନ୍ତି । ରାଗିଣୀ କିନ୍ତୁ ସେ ପର୍ଯ୍ୟନ୍ତ ନିଜର କୌଣସି କାଗଜପତ୍ର ନେଇନଥିଲା କଲେଜ୍.ରୁ । ସମ୍ବିତ୍ ମନରେ ଟିକିଏ ଆଶାର ସଞ୍ଚାର ହେଲା । ରାଗିଣୀ ସହିତ ଦେଖା ହେବାର ତଥାପି ସୁଯୋଗ ଅଛି । ସେ ଦିନ ଯାକ କଲେଜ୍.ରେ ରାଗିଣୀର ଆଗମନକୁ ଅପେକ୍ଷା କରି ଏପଟ ସେପଟ ହେଲା । ଧିରେ ଧିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଗହଳି କମି ଆସିଲା । ଷ୍ଟାଫ୍ ସବୁ ଯେ ଯା ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ । ସମ୍ବିତ୍.ର ମନଟା ନିରାଶାରେ ଭରିଗଲା । ତାକୁ ଯେମିତି ହେଲେ ରାଗିଣୀର ଆସିବା ଯାଏଁ ସହରରେ ରହିବାକୁ ହେବ । କଣ କରିବ? ରହିବ କେଉଁଠି? ଶ୍ରୀକାନ୍ତ ତ ଘର ଛାଡ଼ି ଦେଇଛି । ଘର କିନ୍ତୁ ଖାଲି ଥିବ । କାରଣ ପୁଣି ପିଲାଏ ଆଡମିଶନ୍ ନେଲେ ହିଁ ସେ ଘର ଭଡ଼ାରେ ଲାଗିବ । ସେ ବୁଢ଼ା କଣ ତାକୁ ଦିନେ ଦୁଇଦିନ ପାଇଁ ରହିବାକୁ ଅନୁମତି ଦେବ? ନା, ବୁଢ଼ାକୁ ଗୋଡ଼ ହାତ ଧରି ଯେମିତି ହେଲେ ମନେଇବାକୁ ହେବ । ତାଛଡ଼ା ତାର ଆଉ ଉପାୟ ନାହିଁ ।

ମାଧବାନନ୍ଦ ମଉସାକୁ ସମ୍ବିତ୍ ଯେମିତି କାକୁତି ମିନତି ହୋଇ କହିଲା ବୁଢ଼ା ରାଜି ହୋଇଗଲା । ସମ୍ବିତ୍ ଆଜି କାଲି କରି ପୁରା ସପ୍ତାହେ ରହିଗଲା । ନିତି ସେ ଦଶଟାରୁ କଲେଜ୍ ଯାଏ, ଫେରେ ପାଞ୍ଚଟା ପରେ । ହେଲେ ରାଗିଣୀ ପାଇଁ ତାର ଅପେକ୍ଷା, ଅପେକ୍ଷାରେ ହିଁ ସୀମିତ ରହିଯାଏ । ଶେଷରେ ଦିନେ ବହୁତ ନେହୁରା ହୋଇ ବଡ଼ କଷ୍ଟରେ ଆଡମିଶନ୍ ରେଜିଷ୍ଟର୍.ରୁ ରାଗିଣୀର ଘର ନମ୍ବରଟା ପଚାରି ବୁଝିଲା ।

ପ୍ରଥମ ଥର ଜଣେ ସ୍ତ୍ରୀଲୋକ ଫୋନ୍ ଉଠାଇଲେ, ରାଗିଣୀର ମା ହୋଇଥିବେ ବୋଧହୁଏ । କହିଲା - ଏଇଟା ରାଗିଣୀର ଘର ତ? ସେପଟୁ ଶୁଭିଲା - ହଁ କଣ ହେଲା?

- ରାଗିଣୀ ଅଛି କି?

- କିଏ କହୁଥିଲ?

- ମୁଁ ସମ୍ବିତ୍ କହୁଥିଲି, ରାଗିଣୀର କ୍ଲାସମେଟ୍ । ଆରପଟୁ ଫୋନ୍ କଟିଗଲା ।

ଆଶ୍ଚର୍ଯ୍ୟ ହେଲା ସମ୍ବିତ୍ । ସେ ତ ଠିକ୍ ଶୁଣିଛି ସ୍ତ୍ରୀଲୋକଟି ହଁ କହିବାର । ତା ନାଁ ଶୁଣିଲା ପରେ ତାହେଲେ କାହିଁକି ସେ ଫୋନ୍ କାଟିଦେଲେ? କିଛି ବୁଝି ହେଲାନି । ସମ୍ବିତ୍ ପୁଣି ଥରେ ଫୋନ୍ ଲଗାଇଲା । ପୁଣି ଥରେ ଉଠାଇଲେ ସେହି ମହିଳା ଜଣକ ।

- ଆପଣ ଟିକେ ରାଗିଣୀକୁ ଡାକି ଦିଅନ୍ତୁନା । ମୋର ତା ସହିତ ଟିକିଏ କଥା ଅଛି ।

- ଭାରି ତ ରାଗିଣୀ ରାଗିଣୀ ହେଉଛ । ରଖ ଫୋନ୍ । ପୁଣି ଥରେ ଲାଇନ୍ କଟିଗଲା ।

ରାଗିଣୀର ନମ୍ବରଟିକୁ ନିଜ ପର୍ସରେ ରଖି ସମ୍ବିତ୍ ଉଦାସ ହୋଇ ଘରକୁ ଫେରିଲା । ମନ ତାର ମାନୁ ନ ଥାଏ । ଏମିତି ଯେ ରାଗିଣୀ ସହିତ ତାର ଯୋଗାଯୋଗ ବିଛିନ୍ନ ହୋଇଯିବ ସେ ସ୍ଵପ୍ନରେ ସୁଦ୍ଧା ଭାବି ନ ଥିଲା । ଅନ୍ତର ଭିତରୁ କୋହ ଉଠି ଆସୁଥିଲା ସମ୍ବିତ୍.ର । ଦୁଇଦିନ ଯାଇଛି କି ନାହିଁ ଅସ୍ତବ୍ୟସ୍ତ ଲାଗିଲା ସମ୍ବିତ୍.କୁ । ସେ ପୁଣି ଥରେ ଫୋନ୍ ଲଗାଇଲା ରାଗିଣୀ ପାଖକୁ । ଏଥର ବି ଫୋନ୍ ଉଠାଇଲେ ଜଣେ ସ୍ତ୍ରୀଲୋକ । ହେଲେ ଏ ସେ ସ୍ତ୍ରୀଲୋକ ନ ଥିଲେ । କଣ୍ଠସ୍ଵର ଅଲଗା ଶୁଭୁଥିଲା ।

- ହ୍ୟାଲୋ! କିଏ କହୁଛ? ସମ୍ବିତ୍ ଟିକିଏ ଶଙ୍କିଯାଇ କହିଲା - ରାଗିଣୀ ଅଛି କି? ଅପର ପାର୍ଶ୍ୱରୁ ଶୁଭିଲା - ସରି । ଲାଇନ୍ କଟି ଗଲା ପରି ଲାଗିଲା ।

ତଥାପି ସମ୍ବିତ୍ ଟିକିଏ ଅପେକ୍ଷା କରି ରହିଲା । ବହୁତ ବିଳମ୍ବରେ ଏକ ଶୁଷ୍କ ନିରସ ସ୍ଵର ଶୁଭିଲା - ହଁ ରାଗିଣୀ କହୁଛି । ସମ୍ବିତ୍ ନିଜ କାନକୁ ବିଶ୍ୱାସ କରି ପାରିଲା ନାହିଁ ଏ କଣ ରାଗିଣୀର ସ୍ଵର । ରାଗିଣୀର ଓଠ ଥରିଲେ କେତେ କୋଇଲିର ଶୃତିମଧୁର ଗୁଞ୍ଜନ ଶୁଭୁଥିଲା ଏ କାନରେ । ମନେ ହେଉଥିଲା କୁଳୁ କୁଳୁ ନିନାଦରେ ନିର୍ଝରିଣୀଟିଏ ଅବା ବହି ଯାଉଛି ଅତି ନିକଟରେ । ସେ ସ୍ଵର ଏତେ ନିରସ! ଭଗ୍ନ ବ୍ୟଥିତ ସ୍ଵରରେ ସମ୍ବିତ୍ ଡାକିଲା - ରାଗିଣୀ! ନା, ଆଉ ତ କାହିଁ କିଛି ଶୁଭୁନାହିଁ । ଲାଇନ୍ କଟିଗଲା କି?

- ହଁ ସମ୍ବିତ୍ କୁହ । ଆର ପଟୁ ଭାସି ଆସିଲା ରାଗିଣୀର କଣ୍ଠସ୍ଵର । କାହିଁ କିଛି ତ ଆଗ୍ରହ, ଉଲ୍ଲାସ ଥିଲା ପରି ମନେ ହେଉନି ସେ କଣ୍ଠରେ । ରାଗିଣୀ କଣ ଏ ଦୁଇ ମାସରେ ସବୁ ଭୁଲିଗଲା!

- ରାଗିଣୀ କେମିତି ଅଛ? ତୁମେ ଫୋନ୍ କଲ ନାହିଁ ଅଭିମାନରେ ଏ ଦୁଇ ମାସ ମୋର କେମିତି କଟିଛି ମୁଁ ହିଁ ଜାଣେ । ବହୁ କଷ୍ଟରେ ତୁମ ନମ୍ବରଟି ଯୋଗାଡ଼ କରିଛି । ତୁମେ କଣ ମୋ ନମ୍ବର ପାଇନାହଁ?

- ପାଇଛି ।

- ତେବେ ଫୋନ୍ କଲ ନାହିଁ କାହିଁକି?

- ମୋର ବାହାଘର ସ୍ଥିର ହୋଇଯାଇଛି ସମ୍ବିତ୍ । ନିର୍ବନ୍ଧ ବି ସରିଯାଇଛି । ଆସନ୍ତା ସପ୍ତାହରେ ମୋର ବାହାଘର । ଅତି ଧିର ସ୍ଵରରେ କହୁଥିଲା ରାଗିଣୀ ।

- କଣ କହିଲ? ବାହାଘର! ଅସମ୍ଭବ! ମୁଁ ତୁମକୁ ଠିକ୍ ଚିହ୍ନେ । ତୁମେ ମୋ ଛଡ଼ା ଆଉ କାହା କଥା ସ୍ଵପ୍ନରେ ସୁଦ୍ଧା ଚିନ୍ତା କରିପାରିବ ନାହିଁ । ଆମ ଭଲପାଇବାକୁ ତୁମେ ଏତେ ଶୀଘ୍ର ତୁମ ହୃଦୟରୁ ପୋଛି ଦେଇ ପାରିବ ନାହିଁ । ମିଛ କଥା । ତୁମେ ମୋତେ ପରୀକ୍ଷା କରୁଛ ।

- ପିଲାଳିଆମି ଛାଡ ସମ୍ବିତ୍ । ସେ ସମୟ ବିତିଯାଇଛି । ଏବେ ମୁଁ ଆଉ କାହାର ହେବାକୁ ଯାଉଛି ।

- ଆଛା ବିଶ୍ୱାସ କଲି । କହିଲ ଦେଖି ସେ ଭାଗ୍ୟବାନ ଯୁବକ ଜଣକ କିଏ?

- ତୁମେ ଜାଣ ନାହିଁ ତାଙ୍କୁ ।

- କେତେ ମିଛ କହିବ ରାଗିଣୀ? ବହୁତ ହେଇଗଲା ଥଟ୍ଟାମଜା । ଆଉ କୁହ ତୁମ ସାର୍ଟିଫିକେଟ୍ ସବୁ ନେବାକୁ କେବେ ଆସୁଛ । ତୁମେ ଯେଉଁଦିନ କହିବ ମୁଁ ବି ସେଦିନ ଆସିବି । ଦେଖା ସାକ୍ଷାତ ହେବ ।

- ଆଉ ଦେଖା ସାକ୍ଷାତରେ କଣ ଅଛି ସମ୍ବିତ୍ । ମୁଁ ଶୃତିର ପ୍ରରୋଚନାରେ ପଡ଼ି ତୁମ ଆଡ଼କୁ ଆକର୍ଷିତ ହୋଇଥିଲି ସିନା ପ୍ରକୃତରେ ମୁଁ ତୁମକୁ କେବେ ଭଲ ପାଇନାହିଁ । ମୁଁ ମୋର ଜୀବନସାଥୀ ବାଛି ସାରିଛି । ଏବେ ତୁମେ ବି ତୁମର ଜୀବନସାଥୀଟିଏ ବାଛି ନିଅ । ଖୁସିରେ ରୁହ । ରଖୁଛି...

ଲାଇନ୍ କଟିଗଲା ।

ଆଶ୍ଚର୍ଯ୍ୟ ହୋଇଗଲା ସମ୍ବିତ୍ । ଖୁସିରେ ରହିବ, ତା ପୁଣି ରାଗିଣୀ ବିନା । କେତେ ସହଜରେ କହିଗଲା ରାଗିଣୀ ତାର ଅନ୍ୟତ୍ର ବିବାହ କଥା । ତାହେଲେ... ସେ ଭଲପାଇବା, ଘଣ୍ଟା ଘଣ୍ଟା ଧରି ଲାଇବ୍ରେରୀରେ ବହି ଆଢ଼ୁଆଳରେ ଫୁସ୍ ଫୁସ୍ କଥାବାର୍ତ୍ତା? ନିରୋଳା ଜାଗା ଦେଖି ପାର୍କରେ ତା କୋଳରେ ମୁଣ୍ଡ ରଖି ଶୋଇଯିବା? ଜଣେ ଆଉ ଜଣକୁ ଅଳ୍ପ ସମୟ ଦେଖି ନ ପାରିଲେ ସେ ଯେଉଁ ଅଭିମାନ? ସବୁ ତାହେଲେ କଣ ମିଛ? ପରୀକ୍ଷା ଶେଷ ଦିନ ରାଗିଣୀ ଆଖିର ଲୁହ? ତା ବି କଣ ମିଛ?

ଏତେ ବଡ଼ ଧୋକା? ଏତେ ବଡ଼ ପ୍ରତାରଣା? ଏମିତି ନିଖୁଣ ଅଭିନୟ କିଏ କଣ କରିପାରେ? ରାଗିଣୀ ତାହେଲେ କେବଳ ସମୟ ଅତିବାହିତ କରୁଥିଲା ସମ୍ବିତ୍ ସହିତ... ନା ଆଉ ଗୋଟିଏ ଭଲ ପାତ୍ର ପାଇ ତାର ପସନ୍ଦ ବଦଳିଛି... । ସମ୍ବିତ୍.ର ମୁଣ୍ଡଟା ଗୋଳମାଳିଆ ହୋଇ ଯାଉଥିଲା । ରାତିରେ ନିଦ ହେଲା ନାହିଁ ସମ୍ବିତ୍.ର । ରାଗିଣୀ ଚିନ୍ତାରେ ମୁଣ୍ଡଟା ଭାରାକ୍ରାନ୍ତ । ବାରମ୍ବାର କଡ଼ ଲେଉଟାଉଛି ସମ୍ବିତ୍ । ସେ ଅନୁଭବ କଲା କେହି ଜଣେ ତାର ମୁଣ୍ଡରେ ହାତ ରଖି କେଶ ସାଉଁଳି ଦେଉଛି । ଖୁବ୍ ଭଲ ଲାଗୁଛି ସମ୍ବିତ୍.କୁ । ନାକ ଆଗରେ କିଛି ପରିଚିତ ବାସ୍ନା । ଭାରି ମଧୁର, ଚିତ୍ତ ମୋହକ । ସମ୍ବିତ୍.ର ଆଖି ପତା ନଇଁ ଆସୁଥିଲା ଧିରେ ଧିରେ । ଅର୍ଦ୍ଧ ନିମିଳିତ ଚକ୍ଷୁରେ ତାର ମନେ ହେଲା ରାଗିଣୀ ସତେ ଯେମିତି ଆସ୍ତେ କରି ତାର ପଲଙ୍କରୁ ଉଠି ଦୂରେଇ ଯାଉଛି ଦରଜା ଆଡ଼କୁ । ହଠାତ୍ ସେ ଖୁବ୍ ଜୋର୍.ରେ ପାଟି କରି ଉଠିଲା - ରାଗିଣୀ... ।

ପାଖ ଘରୁ ମା ଦୌଡ଼ି ଆସିଲେ । ସମ୍ବିତ୍ କପାଳରେ ହାତ ମାରି ଦେଖିଲେ ଅସମ୍ଭବ ତାତି । ସାନ ଭଉଣୀ ବି ଆସି ପହଞ୍ଚି ଯାଇଥିଲା ସେ ସମୟରେ । ଥାକରୁ ପାରାସିଟାମୋଲ୍.ଟିଏ ବାହାର କରି ସେ ସମ୍ବିତ୍.କୁ ଖାଇ ନେବାକୁ କହିଲା । ମା ତାର କପାଳରେ ଓଦା କପଡ଼ାର ପଟି ଦେଲେ । ସକାଳକୁ ଅଳ୍ପ ସୁସ୍ଥ ଅନୁଭବ କରୁଥିଲା ସମ୍ବିତ୍ । ରାଗିଣୀ ଚିନ୍ତାରୁ ସେ କିନ୍ତୁ ମୁକ୍ତ ହୋଇ ପାରୁନଥିଲା ।

ସାନ ଭଉଣୀ ଆସି କହିଲା ଶ୍ରୀକାନ୍ତର ଫୋନ୍ ଆସିଛି । ସମ୍ବିତ୍ ଫୋନ୍ ଧରିଲା । ଆରପଟୁ ଶ୍ରୀକାନ୍ତ କହିଲା - ତୋ ସହିତ ଟିକିଏ କଥା ଅଛି, ହେଲେ ଫୋନ୍.ରେ ନୁହେଁ । ତୁ ଆସିପାରିବୁ ଆମ ଘରକୁ? ସମ୍ବିତ୍ କହିଲା - କଣ ଏମିତି କଥା ଫୋନ୍.ରେ କହୁନୁ ।

- ନା ଫୋନ୍.ରେ ନୁହେଁ । ତୋତେ ଆସିବାକୁ ପଡ଼ିବ । ପ୍ଳିଜ୍ । ତାପରେ ଫୋନ୍ ରଖିଦେଲା ଶ୍ରୀକାନ୍ତ । ସମ୍ବିତ୍ ଏମିତିରେ ଥରେ ଯାଇଥିଲା ଶ୍ରୀକାନ୍ତ ସହ ତା ଘରକୁ ଛୁଟିଦିନରେ ।

ଅସୁସ୍ଥ ଦେହ ଓ ମଉଳା ମୁହଁ ନେଇ ସେ ଯେତେବେଳେ ପହଞ୍ଚିଲା ଶ୍ରୀକାନ୍ତ ଘରେ, ରୁମ୍ ଭିତରେ ଶଯ୍ୟାଶାୟୀ ହେଇ ପଡ଼ିଥିଲା ଶ୍ରୀକାନ୍ତ । ଅଯତ୍ନରେ ମୁହଁ ଯାକ ତାର ଦାଢ଼ି ଭର୍ତ୍ତି । ଶୁଖି କଳା ଦିଶୁଥିଲା । ଚମକି ପଡ଼ିଲା ସମ୍ବିତ୍ । ଶ୍ରୀକାନ୍ତର ଏ କି ଅବସ୍ଥା! ସେ ଯାଇ ପାଖରେ ବସିଲା । ସମ୍ବିତ୍.କୁ ଦେଖି ଶ୍ରୀକାନ୍ତ ଉଠି ବସିଲା । ତରତରରେ ଦରଜା ବନ୍ଦ କରି ଦେଇ ଅନୁତପ୍ତ ଓ ଭୀତତ୍ରସ୍ତ ଚାହାଣୀରେ ସମ୍ବିତ୍.ର ହାତ ଦୁଇଟାକୁ ଧରି ପକାଇ କାନ୍ଦି ପକାଇଲା ।

- ଆରେ ତୋର ପୁଣି କଣ ହେଲା?

- ମସ୍ତବଡ଼ ଭୁଲ୍.ଟିଏ ହୋଇଗଲା ଭାଇ । କିଛି ବୁଝିପାରିଲି ନାହିଁ କଣ ନାଇଁ କଣ ହୋଇଗଲା । ରାତି ଦିନ ସେଇକଥା ଭାବି ଭାବି ଶୋଇ ପାରୁନାହିଁ । ନିଶା ମଣିଷକୁ ଏତେ ତଳକୁ ଖସାଇ ଦେଇପାରେ ମୁଁ ଚଣ୍ଡାଳ ଟିକିଏ ଆଗରୁ ହେଲେ ବୁଝି ପାରିଥାନ୍ତି...ଛି... । ମୋତେ ନିଜକୁ ନିଜେ ଘୃଣା ଲାଗୁଛି ।

- କଣ ହେଲା? ନିଶା ଅଭ୍ୟାସ ତୋର ତ ମୂଳରୁ ଥିଲା । ହେଲେ ଏବେ ପୁଣି ଅସୁବିଧା କଣ ହେଲା ।

- ମୋତେ ନର୍କରେ ବି ଜାଗା ନାହିଁ । ମୁଁ ପାପାତ୍ମା ତୋ ପ୍ରତି କେତେ ବଡ଼ ଅନ୍ୟାୟଟେ କରି ବସିଲି ।

- କଣ କହୁଛୁ ତୁ? ମୋତେ କେତେବେଳେ ତୁ ଅନ୍ୟାୟ କଲୁ?

- ମୁଁ କେମିତି କହିବି ମୋତେ ହିଁ ଭାବି ବସିଲେ ଅସହ୍ୟ ଲାଗୁଛି । ସେଦିନ ତୁ ଘରକୁ ଗଲା ପରେ ପରେ ତୋତେ ଖୋଜି ରାଗିଣୀ ଆସିଥିଲା ଆମ ରୁମ୍.କୁ । ଆଉ ମୁଁ ସବୁଦିନ ପରି ରାତିର ନିଶା କାଟିବା ପାଇଁ ସକାଳୁ ସକାଳୁ ଦୁଇ ପେଗ୍ ପିଇ ସାରିଥିଲି । ମୋତେ ଆଉ ସାଙ୍ଗସାଥୀ କିଛି ଦିଶିଲେନି । ଦିଶିଲା ଖାଲି ରକ୍ତମାଂସ ଗଢ଼ା ନାରୀର ଲୋଭନୀୟ ଶରୀରଟିଏ ।

- ଶ୍ରୀକାନ୍ତ!

- କେତେ କାକୁତି ମିନତି ହେଲା ବିଚାରୀ । ହେଲେ ମୁଁ ଯେମିତି କାମ ବାସନାରେ ଜର୍ଜରିତ ରାକ୍ଷସଟିଏ ପାଲଟି ଯାଇଥିଲି । ଏଇ ହାତରେ ତାକୁ ଅତି ନିର୍ଦ୍ଦୟ ଭାବରେ ... ହାଃ... ହାୟରେ ବିଧାତା... । ଶ୍ରୀକାନ୍ତ ଚାପୁଡ଼ା ପରେ ଚାପୁଡ଼ା ପକାଇ ଚାଲିଲା ନିଜ ଗାଲରେ ।

ସମ୍ବିତ୍ ବ୍ୟସ୍ତ ହୋଇ ପଡ଼ିଲା । ଏଣେ ତାତି ଉଠୁଥିଲା ତା ଦେହର ରକ୍ତ । ଖୁବ୍ ଜୋର୍.ରେ ଶ୍ରୀକାନ୍ତ ମୁହଁରେ ମୁଥଟାଏ ମାରି ପଚାରିଲା -କଣ କଲୁ ତୁ... ମୋ... ରାଗିଣୀ ସହିତ...? ଜଲ୍ଦି କହ ଅପେକ୍ଷା କରିବାକୁ ମୋର ଧୈର୍ଯ୍ୟ ନାହିଁ ।

- ଗୋଟିଏ ବ୍ୟାଘ୍ର ପାଖରେ ଗୋଟିଏ ହରିଣୀର ଅବସ୍ଥା ଯାହା ହେଇଥାନ୍ତା... ।

ଖୁବ୍ ଜୋର୍.ରେ ଧକ୍କାଟିଏ ମାରିଲା ସମ୍ବିତ୍ । ତୁ ଏତେ ତଳକୁ ଖସିଗଲୁ!

ତଳେ ପଡ଼ି ଅସହାୟ ଅନୁତପ୍ତ ଶ୍ରୀକାନ୍ତ ଉଠିବାର କୌଣସି ଉପକ୍ରମ ନ କରି କହିଲା - ଶୁଣିଲି ତାର ବାହାଘର ଅନ୍ୟତ୍ର ସ୍ଥିର କରିଛନ୍ତି ତାର ଘର ଲୋକେ । ଏତେ ଦିନ ମୁଁ ଭାବୁଥିଲି ବୋଧହୁଏ ସମୟର ସୁଅରେ ରାଗିଣୀ ଘଟଣାଟି ଭୁଲିଯିବ ଧିରେ ଧିରେ । ଆଉ ନିଜକୁ ସମୟ ସହିତ ସହଜ କରିନେବ । ହେଲେ ସେ ତ ତୋତେ ଭୁଲି ପାରୁନାହିଁ କି ସେ କଳୁଷିତ ଶରୀର ନେଇ ତୋତେ ନିଜର କରି ପାରୁନାହିଁ । ଆଉ ଜଣକୁ ବାହା ହୋଇ କଣ ଖାସ୍ ସୁଖରେ ରହିଥାନ୍ତା । ପହରଦିନ ରାତିରେ ସେ ଆତ୍ମହତ୍ୟା କରିଛି । ସବୁ ମୋରି ପାଇଁ...

-ନା, ଅସମ୍ଭବ । ମୁଁ ତା ସହ କାଲି କଥା ହେଇଛି । ତୁ ମିଛ କହୁଛୁ । ସମସ୍ତେ ମିଶି ମୋତେ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛ... । ତୁ, ରାଗିଣୀ ଆଉ ମୋର ଏ ମସ୍ତିଷ୍କ ବି... । ସମ୍ବିତ୍ ଉପରକୁ ଚାହିଁ ଆଙ୍ଗୁଳି ଉଠାଇ କଣ ସବୁ ଅଙ୍କ କଷିଲା । ତାପରେ ହଠାତ୍ ଗଛ କାଟିଲା ପରି ସେଇଠି ଚେତା ହରାଇ ପଡ଼ିଗଲା ।


Rate this content
Log in