✿ ଅଫୁଟା ✿
✿ ଅଫୁଟା ✿
{୧}
ଗରିବ ପିଲାଏ କାଁଭାଁ ଜିଦ୍ କଲେବି ଆଦୌ ଅବୁଝା ନଥାନ୍ତି । ସତ୍ୟକୁ ମାନିନିଅନ୍ତି ।
ଭାଇର କଥାକୁ ମାନିନେଉଥିଲା ଟୁନା । ବାପା ନଥିବାରୁ ବଡଭାଇ ହିଁ ବାପା । ମଦ ପି' ପି' ରୋଗରେ ବାପା ମରିଗଲା । କା'କୁ ବି ଦୁଃଖ ହେଲାନି । ଭଲହେଲା , ଭାରି ଦହଗଞ୍ଜ କରୁଥିଲା । ଏମାନେ ମୂଲ ଆଣିବେ , ସେ ମାରିପିଟି ଛଡେଇ ମଦପି'ବ ! ଓଲଟା । ବାପ ନୁହେଁ ତ ବୋଝ ଗୋଟେ ।
ଦୁନିଆର ସବୁ ବାପ ଗୋଟେ ଗୋଟେ ମୂଲିଆ । ଯେ' ମୂଲ ନଆଣେ , ସେ ମୂଲ୍ୟହୀନ !
ମା' କୁହେ , ଠାକୁର ନିରାଶକୁ ଟିକେ ବାଟ ଦେଇଥାନ୍ତି । ସେଇ ବାଟ ହେଲା ମୋ ବଡପୁଅ ' ରଙ୍ଗା ' ।
ରଙ୍ଗା , ମଣିଷ ନୁହେଁ ତ ବଳଦଟେ ! ପିଠି ଚଉଡା ହେବା ଆଗରୁ , ବୋହିନେଲାଣି ସଂସାର ବୋଝ । ତା'ଯୋଗୁଁ ବଞ୍ଚି ରହିଛନ୍ତି ବାକି ତିନି ପ୍ରାଣୀ ।
ରଙ୍ଗାର ଭାରି ଇଚ୍ଛା , ଟୁନା ମୂଲ ନଲାଗି , ପାଠ ଟିକେ ପଢୁ । ଭାଗ୍ୟ ଥିଲେ ବାବୁ ହେବ !
{୨}
ଏଇ ପୂଜା ପର୍ବ ଆସିଲେ , ଗରିବଗୁରୁବାଙ୍କ ଦୁଃଖ ସବୁ ଛାତିରେ ଚଢେ । ସବୁ ଠିକଠାକ୍ ଚାଲିଥିବାବେଳେ , କାଇଁ ଏ ବଡବଡିଆ ଗୁଡା ଏମିତି ଉତ୍ସବ ମୁଖର ହୋଇପଡନ୍ତି କେଯାଣି ? ସେମାନଙ୍କ ଏଇ ଦେଖାଣିଆ ମନ ପାଇଁ , ଗରିବ ମାନେ ବାଧ୍ୟ ହୁଅନ୍ତି କଷ୍ଟ ଭୋଗିବାକୁ ।
ତାଙ୍କ ପିଲେ ସଜବାଜ , ଜାମା ଯୋଡ ହେଉଥିବେ । ତାଙ୍କ ଘର ପିଠାପଣା , କୁଣିଆଁମୈତ୍ରରେ ଭାସୁଥିବ । ଏଇ ଦୁଃଖରେ , ଗରିବ ଛୁଆ ଘର କୋଣରୁ ବାହାରି ପାରୁନଥିବ !
ଯାଃ! କ’ଣ ମିଳେ ଅବା ୟେ' ସବୁଦିନିଆ ପୂଜା ପାଉଥିବା ଠାକୁର ଗୁଡାଙ୍କୁ , ଦିନେ ଅଧେ ପାଇଁ , ଦାଣ୍ଡକୁ ଆସି ନିଜ ବଡପଣ ଜାହିର୍ କରିବାରେ ?????
{୩}
- ମୁହଁ କାଇଁ ଶୁଖେଇଚୁ କିରେ ଟୁନୁ?
- ଭାଇ, ବାଣ?
- ଆମର ପା' କାଲି ଦୀପାବଳୀ । ଭୂଲିଗଲୁ କି’?
- ନା' ।
- ଆଉ ତେବେ? ବେସ୍ତ କିଆଁ ? ଯାଆ ପନି ମାଉସୀ ପିଠା ପଠେଇଛି , ଖାଇଦେ । ମାଁ , ଦେଲୁ ତାକୁ ମୋ' ଭାଗଟା ବି ।
{୪}
ସହର କ’ଣ , ବସ୍ତି କ’ଣ ? ଆଜିକାଲି ସବୁ ସମାନ । ଆଲୋକର ପର୍ବ , ଶୁଭ ଦୀପାବଳୀ । ଅମା ଅନ୍ଧାରକୁ , ଦୀପ ସଳିତାରେ ଧୋଇ ଦେବାରେ , ସବୁ ବ୍ୟସ୍ତ । ଅହଂକାରର ହାବେଳି ଛାଚି , ନିଜ ଅସ୍ଥିତ୍ୱ ପଦର୍ଶିତ କରିବାରେ , ପ୍ରତିଯୋଗିତା !
ଦେଖି ନଦେଖିବାର , ଚେଇଁ ଶୋଇଥିବାର ଇଶ୍ଵରଙ୍କ ତନ୍ଦ୍ରା ଭଙ୍ଗ କରାଇ , ନିଜ ଆଡକୁ ଆକର୍ଷିବାର ମାନସିକତା ।
ଫଳତଃ ଭସ୍ମାସୁର ହୋଇପଡେ , କେଇକ୍ଷଣରେ ପୃଥିବୀ । ଧୂଆଁ ବାରୁଦ ର ତାପ ରେ ଅସ୍ତ ବ୍ୟସ୍ତ ଜୀବନ ! ଭ୍ରୂକ୍ଷେପ ନାଇଁ । ହଁ ମଁ , ଦିନଟିଏ ତ , ସହିନେବ ନି କି ଧରା ?
{୫}
ଥକିହାରି ଶୋଇପଡିଥିଲା କାକରସ୍ନାତା ସହର । ଶିତଳ ଏବେ ମାଟି ପବନ । ଚତୁର୍ଦ୍ଦିଗ ବିକ୍ଷିପ୍ତ କୁଢକୁଢ ଅହଂକାରର ବାରୁଦ ,କାଗଜର ଟୁକୁଡା ସବୁ !
ରଙ୍ଗା ମା' ମେହନ୍ତରାଣୀ । ଏସବୁକୁ ଗୋଟେଇ ପୋଛି ସଫା କରିବାର ଦାୟିତ୍ଵ ତା'ର । ଆଜି କାମ ଭିଡ । ଭୋଅରୁ ଟୋକେଇ ଝାଡୁ ନେଇ ବାହାରିଗଲା ଦାଣ୍ଡକୁ । ମା'କୁ ସାହାଯ୍ୟ ହେବାପାଇଁ , ପଛେପଛେ ଗଲା ରଙ୍ଗା । ଘରେ ଶୋଇଛନ୍ତି ଟୁନା ଆଉ ସାନ । ଶୋଇଥାନ୍ତୁ ।
- ମା' ! ର ର...
- କଅଣ ?
- ବାଣଟେ ! ଫୁଟିନି ! ର' ଓଳାନା । ନେବି ଟୁନୁ ଲାଗି ।
- ପଲିଥିନିଟେ ଧଅ । ମେଞ୍ଚେ ମିଳିଯିବ ।
{୬}
ଢେର୍ ବାରୁଦ , ଅକାରଣେ ଜଳିବାକୁ ନୁହଁ , ଜାଳିବାକୁ ଟାକି ରହିଥାନ୍ତି , ଦେହରେ ଟିକେ ପାଉଁଶ ଝୁଲ ସାଇତି !
ସରକାରୀ ଡାକ୍ତରଖାନାର ଜଳାପୋଡା ବିଭାଗରେ , ଅନେକ ରଙ୍ଗା ଛଟପଟ ହେଉଥିଲେ । କେ' ନିଜ ଅହଂକାର ପାଇଁ , କେ' ଆଉ କାହାର ଅହଂକାରକୁ ଗୋଟେଇଗାଟି !
ରଙ୍ଗାର ମୁହଁହାତ ପୋଡିଯାଇଥିଲା । କଷ୍ଟ ତ ସେ ଫି'ଦିନ ଭୋଗେ। ଏବେ ପୀଡା ଏଥିଲାଗି ଯେ , ପଙ୍ଗୁ ବଡଭାଇ ଟେ'କୁ ବାପ ଦାୟିତ୍ଵ ତୁଲାଇବାରେ ଏଣିକି ଢେର୍ ଅଡୁଆ ହେବ ।
ଅଫୁଟା ହୋଇ ରହିଥିଲା , ଘର ଚଳୁଥିଲା । ଫୁଟିଗଲା ପରେ , ରଙ୍ଗା ଆଉରି କାଙ୍ଗାଳ ହୋଇଗଲା ସତେ !!!!!!!
✿ ଅମିୟ ବେଜ୍, ଘଟଗାଁ , କେନ୍ଦୁଝର ✿