Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

T.Durga Prasad Rao

Tragedy

4.3  

T.Durga Prasad Rao

Tragedy

ମତିଭ୍ରମ

ମତିଭ୍ରମ

5 mins
938


ମତିଭ୍ରମ


ମାଆଙ୍କ ମୃତ୍ୟୁ ପରେ ଗାଁରୁ ବାପା ଆସି ଯେତେବେଳେ ଆମ ସାଙ୍ଗରେ ସହରରେ ରହିବା ଆରମ୍ଭ କଲେ, ତାଙ୍କର ଖୁସିମିଜାଜ ଗୁଣଟି ଧୀରେ ଧୀରେ ଅପସରି ଯାଇଥିଲା। ସେ ସବୁବେଳେ ମୌନ ଓ ନିଜ ଭିତରେ ମଗ୍ନ ରହୁଥିଲେ। ମୋର ଚାକିରୀର ବ୍ୟସ୍ତତା, ପିଲାମାନଙ୍କର ପଢ଼ାପଢ଼ି ଆଉ ମୋ ପତ୍ନୀ ତାଙ୍କ ଘରକରଣାରେ ବ୍ୟସ୍ତ ରହି ବାପାଙ୍କ ସହ କଥୋପକଥନ ହେବାକୁ ମଧ୍ୟ ସମୟ ପାଉନଥିଲୁ। ଡାକ୍ତରଙ୍କୁ ଦେଖାଇବାରୁ ସେ କହିଲେ ଏଇଟା ବୟସଗତ ଡିପ୍ରେସନ। ଡାକ୍ତର ମହାଶୟ ଆମକୁ କିଛି ଔଷଧ ଦେଇ ବିଦା କଲେ।

ହେଲେ, ଆଜିକାଲି ମୋର ଏକ ଅଦ୍ଭୁତ ରୋଗ ବାହାରିଛି। ରିଟାଏର୍ ସମୟ ଯେତିକି ଯେତିକି ପାଖେଇ ଆସୁଛି, ରୋଗଟା ଜାଣିପାରୁଛି କି କଣ, ଆହୁରି ଆହୁରି ମାଡ଼ି ବସୁଛି ମୋତେ। ଦୁର୍ଦ୍ଦଶ ଶକ୍ତିର ପରାକାଷ୍ଠା ଦେଖାଇ କବଳିତ କରି ନେଉଛି ମୋର ମନ। ମୋତେ ସବୁ ଦିଗରୁ ଅସହାୟ ଆଉ ପରାଜିତ କରି। ଆଗରୁ ଏମିତି ନ ଥିଲା। ମୁଁ ଯାହା କିଛି ବି ଅନ୍ୟ ଆଗରେ ପ୍ରକାଶ କରୁଥିଲି, ବେଶ୍ ଦୃଢ଼ତାର ସହ ଆଉ ଆତ୍ମବିଶ୍ୱାସର ସହ ପ୍ରକାଶ କରୁଥିଲି। କୌଣସି ଦ୍ୱନ୍ଦ୍ୱ ଅଥବା ଦ୍ୱିଧାବୋଧ ରହୁନଥିଲା ମନରେ। ଏବେ ମୁଁ ପୁରାପୁରି କନ୍.ଫ୍ୟୁଜଡ୍। ବୁଝି ପାରୁନାହିଁ ଇଏ କି ପ୍ରକାର ରୋଗ ମୋର ମନଟାକୁ ଧୀରେ ଧୀରେ ସମ୍ପୂର୍ଣ୍ଣ ରୂପେ କବଳିତ କରିବାକୁ ଯାଉଛି।

ଅଳ୍ପଦିନ ତଳର କଥା। ବାଥ୍.ରୁମ୍.ରୁ ପତ୍ନୀ ମୋର ଚିତ୍କାର କରି ଉଠିଲେ – ଗାଧୋଇସାରି ସାୱାର ବନ୍ଦ କରିବା ଜାଣନି କି? ପିଲାଙ୍କୁ କହିଲା ପରି କଣ ସବୁକଥା ତମକୁ ବତେଇବାକୁ ହେବ?

ଆଉ ଦିନେ ପାଟି କଲେ – ହଇ ହେ, କୁଆଡ଼େ ବାହାରିଛ? ମୁଁ କହିଲି - ମୁଁ ଆହୁରି ରିଟାଏର୍ କରିନାହିଁ। ଅଫିସ୍ ତ ଯିବି ନା? ସେ ରାଗିକି କହିଲେ – ଅଫିସ୍ ଯିବାକୁ ତମକୁ କିଏ ମନା କରୁଛି? ହେଲେ କଣ ଏମିତି ଯିବ? ମୁଁ ସ୍କୁଟିଟା ପିଣ୍ଡାତଳକୁ ଗଡ଼ାଇ ସାରି ଷ୍ଟାର୍ଟ୍ ମାରିବାକୁ ଉଦ୍ୟତ ସେତେବେଳେ। ପତ୍ନୀଙ୍କ କଥାରେ ମୁଁ ମୋ ଆଡ଼କୁ ଚାହିଁଲି। ଖାଲି ବାନିୟାନ୍.ଟାରେ ମୁଁ ସ୍କୁଟି ଉପରେ ବସିଛି। ଦେହରେ ସାର୍ଟ୍ ନାହିଁ। ମୋତେ ଚାଉଁ କିନା ଲାଗିଲା। ମନେ ହେଲା, ମୋର ସବୁ ପୁରୁଷପଣିଆ ଯେମିତି ଗଳ ଗଳ ହୋଇ ଗଳି ବୋହି ପଡ଼ିଲା ସେଇଠି। ମୁଁ ତରତରରେ ଘର ଭିତରକୁ ପଶିଗଲି।

କଥାଟା ସେଇଠି ଅଟକିଲା ନାହିଁ। ମୋ ପତ୍ନୀଙ୍କୁ ଏବେ କଥା ହେବା ପାଇଁ ଖୋରାକଟିଏ ମିଳି ଯାଇଥିଲା। ପ୍ରତିଦିନ କିଛି ନା କିଛି ଭୁଲ୍ ଭଟକାରେ ମୋ ପତ୍ନୀ ତାଙ୍କ ବାପ ଘରକୁ ଫୋନ୍ ଲଗାଇଲେ। ମୋର ଭୁଲାମନ ଉପରେ ଧୁମ୍ ଚର୍ଚ୍ଚାଟିଏ ହେଲା ପରେ ଫୋନ୍ ରଖୁଥିଲେ। କଥା କେଉଁଠୁ ନା କେଉଁଠୁ ଯାଇ ଅନାବଶ୍ୟକ ସତ୍ତ୍ୱେ ମୋର ସେଇ ରୋଗ ପାଖରେ ପହଞ୍ଚି ଯାଉଥିଲା। କେବଳ ପତ୍ନୀ ନୁହେଁ ପିଲାମାନେ ମଧ୍ୟ ମୋର ଏହି ରୋଗର ଭରପୁର ଫାଇଦା ଉଠାଉଥିଲେ। ଏଇ ଯେମିତି କାହା ହାତରୁ ଜୁସ୍ ଗ୍ଳାସ୍ ଖସି ତଳେ ଇଡ଼ି ହୋଇ ଯାଇଥିବ, ଦୋଷ ହେବ ମୋର। ଫ୍ରିଜ୍.ର ଡୋର୍ ଖୋଲା ଥିବ ତ ଦୋଷ ହେବ ମୋର। ଦିନେ ମୋ ଝିଅ ସାଇନି ଆସି ତାର ଟ୍ୟୁସନ୍ ଫିଜ୍ ମାଗିଲା। ମୁଁ ତା ହାତକୁ ଅନ୍ୟମନସ୍କ ଭାବରେ ଦୁଇହଜାର ଟଙ୍କାର ନୋଟ୍.ଟିଏ ବଢ଼େଇ ଦେଉ ଦେଉ ଅଟକିଗଲି। ପଚାରିଲି - କାଲି ତୋତେ ଦୁଇହଜାର ଟଙ୍କା ଦେଲିନା? ସେ ଦୃଢ଼ କଣ୍ଠରେ କହିଲା – କାଲି? ଗତମାସର କଥା ହେଇଥିବ। ମୋର କିନ୍ତୁ ଠିକ୍ ମନେ ଥିଲା ମୁଁ ତାକୁ ଗତକାଲି ଟଙ୍କା ଦେଇଛି। ତାର ମିଛ ଶୁଣି ମୋର କାନ ଭାଁ ଭାଁ ହେଇଗଲା। ମୁଁ ମୋର କ୍ରୋଧ ସମ୍ଭାଳି ନ ପାରି ତା ଗାଲରେ ଚଟକଣିଟାଏ କଷିଦେଲି। କେଉଁଠି ଥିଲେ କେଜାଣି ମୋ ପତ୍ନୀ ଅରଣା ମଇଁଷି ପରି ଦୌଡ଼ି ଆସିଲେ। ଝିଅର ପଟ ନେଇ ବଢ଼ିଲା ଝିଅଟାକୁ ମୋର ହାତ ଉଠେଇବା ଠିକ୍ ହେଉନି, ନିଜର ଭୁଲାରୋଗକୁ ଚପାଇବା ପାଇଁ ୟା ତା ଉପରେ ଗର୍ଜିଲେ ତୁଛା ଅଶାନ୍ତି ସୃଷ୍ଟି ହେବ, ସବୁବେଳେ ଏ ପ୍ରକାର ଅଶାନ୍ତି ଗଣ୍ଡଗୋଳରେ ତାଙ୍କର ମୋ ସହ ଘର ସଂସାର ଦୁର୍ବିସହ ହୋଇ ଉଠୁଛି ଇତ୍ୟାଦି ଇତ୍ୟାଦି କହିଚାଲିଲେ। କହିଲେ – ତୁମର ଯଦି ହିସାବ କିତାବ ମନେ ରହୁନାହିଁ, ତାହେଲେ ଦରମାତକ ଆଣି ମୋ ହାତରେ ଦେଇଦିଅ, ମୁଁ ବୁଝିବି କାହାକୁ କେତେ ଦେବି? ସାଧାରଣତଃ ଯେଉଁ ମଧ୍ୟବିତ୍ତ ପରିବାରରେ ପୁରୁଷ ଏକମାତ୍ର ରୋଜଗାରକ୍ଷମ ହୋଇଥାଏ, ସେ ଅର୍ଥବଳରେ ପରିବାରର ଅନ୍ୟ ସଦସ୍ୟଙ୍କ ଉପରେ ନିଜର ପ୍ରଭାବ ଓ ହୁକୁମ୍ ଜାହିର୍ କରିଥାଏ। ଆଗରୁ ହୋମ୍.ଟା ପତ୍ନୀଙ୍କ ଦାୟିତ୍ୱରେ ଥିଲା, ଏବେ ଫାଇନାନ୍ସ୍ ଡିପାର୍ଟ୍.ମେଣ୍ଟଟା ଯଦି ପତ୍ନୀଙ୍କୁ ଚାଲିଯାଏ, ତାହେଲେ ମୋ ହାତରେ କିଛି ବି କ୍ଷମତା ରହିବ ନାହିଁ। ହେଲେ ମୋତେ ଉପାୟଶୂନ୍ୟ କରିଦେଇ ମା, ପୁଅ ଓ ଝିଅ ଏକାଠି ହୋଇ ମୋ ହାତରୁ ସେ ଡିପାର୍ଟମେଣ୍ଟଟା ଝାମ୍ପି ନେଇଗଲେ। ଏବେ ପ୍ରତି କଥାରେ ମୋତେ ପତ୍ନୀଙ୍କୁ ହାତ ପତାଇବାକୁ ପଡୁଥିଲା। ଯୋତା ଦରକାର ପତ୍ନୀ, ଛତା ଦରକାର ପତ୍ନୀ, ଗାଡ଼ିରେ ପେଟ୍ରୋଲ୍ ନାହିଁ ପତ୍ନୀ।

ଦିନେ ଅତିଷ୍ଠ ହୋଇ ମୋର ଅତି ନିକଟ ବନ୍ଧୁଙ୍କୁ ମୋର ଦୁଃଖ ଜଣାଇ କହିଲି – ଏ କାଙ୍ଗାଳ ଜୀବନ ରହିବା ନ ରହିବା ସମାନ। ସବୁକଥାରେ ପତ୍ନୀଙ୍କ ହାତଟେକାକୁ ଚାହିଁବା ମୋ ଦ୍ୱାରା ସମ୍ଭବ ହେଇପାରୁନି। ଖୁବ୍ ଶୀଘ୍ର କିଛି ଯଦି ତୁମେ ନ କରୁଛ, ତାହେଲେ ଡିପାର୍ଟମେଣ୍ଟ ମୋତେ ରିଟାଏର୍ କରିବା ପୂର୍ବରୁ ମୁଁ ନିଜେ ରିଜାଏନ୍ ଦେଇ ହୃଷିକେଶ ପଳେଇବି। ମୋ ବନ୍ଧୁ କହିଲେ – ମୁଁ ଜଣେ ଭଲ ହୋମିଓପ୍ୟାଥି ଡାକ୍ତରଙ୍କୁ ଜାଣିଛି। ଡକ୍ଟର ସୁବ୍ରତ ଦାଶ। ତମ ସମସ୍ୟାର ସମାଧାନ ଏକମାତ୍ର ସେହିଁ କରିପାରିବେ ବୋଲି ମୋର ଦୃଢ଼ ବିଶ୍ୱାସ। ମୋ ଆଖିରେ ଆଶାର ଚମକ ଝଲମଲ ହେଲା।

ତାପରଦିନ ମୁଁ ଓ ମୋର ବନ୍ଧୁ ଉଭୟେ ଯାଇ ପହଞ୍ଚିଲୁ ଡକ୍ଟର ସୁବ୍ରତ ଦାଶଙ୍କ କ୍ଳିନିକ୍.ରେ। ସବୁକଥା ଅତ୍ୟନ୍ତ ଗମ୍ଭୀରତାର ସହ ଶୁଣିଲା ପରେ ସେ ମୋତେ କେତୋଟି ପ୍ଳାଷ୍ଟିକ୍ ଶିଶି ଧରାଇ ଦେଇ ଖାଇବା ବିଧି ବତେଇଦେଲେ। କହିଲେ – ଦୁଇ ମାସ ପାଇଁ ଔଷଧ ଦେଇଛି। ଔଷଧ ସରିବାର ଦିନଟିଏ ପୂର୍ବରୁ ଖାଲି ଶିଶି ସହ ଆସି ଦେଖା କରିବାକୁ ହେବ। ମୁଁ ପକେଟ୍ ଅଣ୍ଡାଳି ଦେଖିଲି ମାତ୍ର ପଚାଶ ଟଙ୍କାଟିଏ ପଡ଼ିଛି। ଫିଜ୍ ଆଉ ଔଷଧ ବାବଦକୁ ବନ୍ଧୁ ପାଞ୍ଚଶ ଟଙ୍କା ନୋଟ୍.ଟିଏ ଡାକ୍ତର ମହାଶୟଙ୍କୁ ବଢ଼ାଇଦେଲେ। ମୋ ରୋଗର ଚିକିତ୍ସାର ଖର୍ଚ୍ଚ ମୋ ବନ୍ଧୁ ବହନ କରୁଥିବାରୁ ମୋତେ ଟିକିଏ ଲଜ୍ଜାବୋଧ ହେଉଥାଏ।

ଘରେ ପହଞ୍ଚି ଏତେ ଗୁଡ଼ିଏ ଶିଶିରେ ଔଷଧ ନ ରଖି ବାପାଙ୍କର ଡିପ୍ରେସନ୍ ଔଷଧର ଖାଲି ଶିଶିରେ ସବୁତକ ଢ଼ାଳିଦେଇ ଅଲଗା ଅଲଗା ଔଷଧ ପାଇଁ ଅଲଗା ଅଲଗା ଦୁଇଟି ଶିଶି କରିଦେଲି। ଔଷଧ ଖାଇ ମୋର ମନୋବଳ ଧୀରେ ଧୀରେ ବୃଦ୍ଧି ପାଇଲା ପରି ମନେ ହେଲା। ମୋତେ ଲାଗୁଥିଲା ଆଗପରି ମୁଁ ଆଉ କନ୍.ଫ୍ୟୁଜଡ୍ ନୁହେଁ। ଘରେ ଏବେ ମୋ ଭୁଲ୍.ଭଟକାକୁ ନେଇ କିଛି ଅପ୍ରୀତିକର ପରିସ୍ଥିତି ହେଲେ ମୁଁ ଉଚ୍ଚ ସ୍ୱରରେ ପ୍ରତିବାଦ କରୁଥିଲି। ମୁଁ ମୋ ପତ୍ନୀଙ୍କୁ ଦର୍ଶାଇଦେବାକୁ ଚାହୁଁଥିଲି ଯେ ମୁଁ ଆଉ ଆଗପରି କୌଣସି କଥା ଭୁଲୁନାହିଁ। ସବୁକଥା ମୋର ଏବେ ମନେ ରହୁଛି। ଏଣିକି ଦରମାତକ ମୋ ପତ୍ନୀଙ୍କୁ ନ ଦେଇ ଘରର ହିସାବ କିତାବ ମୁଁ ରଖିଲି। ପତ୍ନୀ ଏ କଥାରେ ଚିଡ଼ି ଉଠୁଥିଲେ ମଧ୍ୟ ମୁଁ ଜିଦ୍ ଧରିଲି ଯେ ଏଣିକି ଫାଇନାନ୍ସ ଡିପାର୍ଟ୍.ମେଣ୍ଟଟା ମୋ ଦାୟିତ୍ୱରେ ରହିବ। ଭାବିଲି ସବୁ ଠିକ୍ ହୋଇଯାଉଛି ଧୀରେ ଧୀରେ। ହେଲେ ହଠାତ୍ ଦିନେ ପତ୍ନୀ ତାଙ୍କର ସୁଟ୍.କେଶ ସଜାଡ଼ି ମୋତେ ବିଦାୟ ଜଣାଇ ତାଙ୍କ ମା ଘରକୁ ଚାଲିଗଲେ। ଯିବା ପୂର୍ବରୁ କହିଗଲେ – ଆଗରୁ ତୁମର କେବଳ ଭୁଲିବା ରୋଗ ଥିଲା, ଏବେ ତୁମର ପାଗଳାମୀ ବାହାରିଛି। ତୁମ ଭଳି ପାଗଳଙ୍କ ସହ ଆଉ କିଛି ଦିନ ରହିଲେ ମୁଁ ବି ପାଗଳୀନୀ ପାଲଟିଯିବି।

ପତ୍ନୀଙ୍କର ଘର ଛାଡ଼ିବା ପରେ ମୁଁ କିନ୍ତୁ ସତରେ ପାଗଳ ହୋଇ ଯାଇଥିଲି। ଦୁଇ ମାସର ଠିକ୍ ଦିନଟିଏ ପୂର୍ବରୁ ମୋ ବନ୍ଧୁ ମୋତେ ମନେ ପକାଇଦେଲେ ଡକ୍ଟର ସୁବ୍ରତ ଦାଶଙ୍କ କ୍ଳିନିକ୍.କୁ ଯିବା କଥା। ସେଦିନ ଘରକୁ ଯାଇ ମୁଁ ଶିଶିଗୁଡ଼ିକୁ ପରୀକ୍ଷା କରି ଦେଖିଲି ଔଷଧ ଗୋଲିଗୁଡ଼ିକ ଯେମିତି ସେମିତି ଅଛି।

ମୁଁ ବିସ୍ମୟରେ ହତବାକ୍! ତାହେଲେ ଏତେଦିନ ମୁଁ ଖାଉଥିଲି କଣ???

ଟି.ଦୁର୍ଗା ପ୍ରସାଦ ରାଓ


Rate this content
Log in

Similar oriya story from Tragedy