Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

sushama Parija

Inspirational

0.2  

sushama Parija

Inspirational

ସୁଡଙ୍ଗ ଶେଷର ସୂର୍ଯ୍ୟ --------

ସୁଡଙ୍ଗ ଶେଷର ସୂର୍ଯ୍ୟ --------

12 mins
7.5K


ପରିବା ବ୍ୟାଗ୍ ଟା ତଳେ ଥୋଇ ଦାଣ୍ଡଘରେ ପଡିଥିବା ଚୌକିଟି ଉପରେ ବସି ପଡିଲେ ବିମଳ । ଛୋଟିଆ ଘରଟିରେ ଲାଗି ଥିବା ପୁରୁଣା ପଙ୍ଖାର ପବନ ଯଥେଷ୍ଟ ହେଉନଥିଲା ତାଙ୍କର ଦେହରୁ ଥପ୍ ଥପ୍ କରି ନିଗିଡି ପଡୁଥିବା ଝାଳକୁ ଶୁଖାଇବା ପାଇଁ। ବିରକ୍ତିଆ ହୋଇ ଘର ଭିତରେ କାମରେ ବ୍ୟସ୍ତ ଥିବା ପତ୍ନୀ ଙ୍କୁ ଡାକ ଛାଡିଲେ '' ସବିତା ! ଓ ସବିତା ! ଶୁଣୁଛ ନା ନାଇଁ ମ । ମଣିଷ ଦିନ ସାରା ଖଟିଖଟି ମରୁଛି, ୟାଙ୍କୁ କ'ଣ

କିଛି ଜଣା ପଡୁଛି , ଖାଇପିଇ ଆନନ୍ଦରେ ବିଶ୍ରାମ ନେଉଥିବେ ନା ''। ପାଣି ଗ୍ଲାସ୍ ଟିଏ ଧରି ନସର ପସର ହୋଇ ଘର ଭିତରକୁ ପଶି ଆସୁ ଆସୁ କହିଲେ ସବିତା '' କାହିଁକି ଗୋଟାଏ ଘରପୋଡିଆ ଡାକ ପକାଇଛ ମ । କ'ଣ ହେଲା ? ତମେ ତ ଅଫିସ୍ ଗଲା ବେଳ ଠାରୁ ମୁଁ କାମରେ ଲାଗିଛି ଯେ ଲାଗିଛି, ଖାଇବା ପରେ ଟିକେ ନିଃଶ୍ବାସ ନେବାକୁ ଫୁରସତ୍ ନାହିଁ । ସକାଳୁ ଦିନ ଆଖି ଖୋଲିଲା ବେଳଠୁ ତମ କଥା, ତମ ପିଲାମାନଙ୍କ କଥା ,ତମ ଘରଦ୍ବାର କଥା ବୁଝି ବୁଝି ମୋ ଦିନ ସରୁ ନାହିଁ, ସେଥିଲାଗି କାହାର ଟିକିଏ ଦରଦ ନାହିଁ , ହେଲେ ଅଫିସ୍ ରୁ ଫେରି ତମେ ଭେରେଣ୍ଡା ରଡି ଟା ପକେଇ କାହିଁକି ଉଚ୍ଛନ୍ନ କରୁଛ କହିଲ? '' । ସବିତାଙ୍କର କାନ୍ଦ କାନ୍ଦ ହୋଇ ଆସୁଥିବା ଚେହେରାକୁ ଦେଖି ନରମି ଗଲେ ବିମଳ । ସତେ ତ ! କେତେ କଷ୍ଟ କରୁଛନ୍ତି ସବିତା ତାଙ୍କ ପାଇଁ ।

ସେକ୍ରେଟେରୀଏଟ୍ ରେ ପିଅନ ଚାକିରୀ କରିଥିବା ବିମଳ ବାହାଘରର ବର୍ଷଟିଏ ନ ପୁରୁଣୁ ବୋଉର ବାଧ୍ୟ ବାଧକତାରେ ସବିତାଙ୍କୁ ଆଣି ଭୁବନେଶ୍ବରରେ ଭଡା ଘରଟିଏ କରି ରଖିଥିଲେ । ନିଅଣ୍ଟିଆ ପରିବାରର

ସବୁ ଅଭାବ କଷଣ ସହି ସେଇ ବଖୁରିକିଆ ଟାଇଲିଛପର ଘରେ ପୁଅ ଝିଅ ଦି' ଜଣଙ୍କୁ ଜନ୍ମ ଦେଇଥିଲେ ସେ। ବୋଉ ବଞ୍ଚି ଥିଲା ଯାଏଁ ରବିବାରିଆ ତା'କୁ ଦେଖିବାକୁ ଗାଆଁକୁ ଛୁଟି ଯାଉଥିଲା ବିମଳ। ସେତିକିବେଳେ ତାଙ୍କରି ହାତରେ ଗାଁ ରୁ ମଝିରେ ମଝିରେ ବୋଉ ଚାଉଳ, ବିରି, କୋଳଥ, ମାଣ୍ଡିଆ, ନଟିଆ ,ପନିପରିବା ପୁଳାଏ ବାନ୍ଧି ଦେଉଥିଲା ଯେ ସେଥିରେ କଷ୍ଟେମଷ୍ଟେ ଚଳିଯାଉଥିଲା ସଂସାର । ପାଞ୍ଚ ବର୍ଷ ହେଲା ବୋଉ ଚାଲିଗଲା ପରେ ସେତକ ବନ୍ଦ । ଗାଁ ରେ ଘରଦ୍ବାର ଉଇ ଚରି ଗଲାଣି, ବିଲ ଦି ମାଣକ ସେମିତି ପଡିଆ ପଡିଛି । ଏଠି ରାଜଧାନୀରେ ସ୍ୱଳ୍ପ ଦରମାରେ ଟାରି ପ୍ରାଣୀ କୁଟୁମ୍ବ ଚଳେଇବା କେତେ ଯେ କଷ୍ଟ ତାହା କେବଳ ଅଙ୍ଗେ ନିଭାଇଥିବା ଲୋକ ହିଁ ବୁଝିପାରିବ। ତିନି ବର୍ଷ ହେଲା କ୍ଵାର୍ଟରଟିଏ ମିଳିଯିବାପରେ

ଘରଭଡ଼ାରୁ ରକ୍ଷା ମିଳିଛି ସିନା, ବଜାର ଦରଟା ହୁ ହୁ ହୋଇ ବଢି ଦରମା ତକ ପନ୍ଦର ଦିନରେ ଶେଷ ହୋଇଯାଉଛି । ବାକି ପନ୍ଦର ଦିନ ୟା ମୁଣ୍ଡ ତକିଆ ତା' ମୁଣ୍ଡ ତଳେ, ତା 'ମୁଣ୍ଡ ତକିଆ ୟା ମୁଣ୍ଡ ତଳେ କରି ଦିନ କଟୁଛି । ପଡୋଶୀନୀମାନଙ୍କୁ ସ୍ବାମୀମାନଙ୍କ ସ୍କୁଟର୍ ପଛରେ ବସି ଉଡି ଯାଉଥିବାର ଦେଖି ସକସକ ହୋଇ ସ୍କୁଟର୍ ଟେ ନିଅ ନିଅ ବୋଲି ହଜାରେ ଥର କହିସାରିଲାଣି ସବିତା , ହେଲେ ପେଟ୍ରୋଲ ଦର ବୃଦ୍ଧି ଦେଖି ତାଙ୍କର ସାହସ କୁଳୋଉ ନାହିଁ । ଶଶୁର ଘରୁ ଯୌତୁକରେ ପାଇଥିବା ସେଇ ପୁରୁଣା ସାଇକେଲ୍ ଖଣ୍ଡିକ ପେଲି ପେଲି ସେ ଅଫିସ୍ ଯିବା ଆସିବା କରୁଛନ୍ତି । ଅଫିସ୍ ରୁ ଫେରିବା ବାଟରେ ବଜାର ସଉଦା ପରିବା ବି ଧରି ଆସନ୍ତି ଆଉଥରେ କିଏ ଯିବ ଭାବି । ଏ ଭୁବନେଶ୍ବର ସହରଟା ପୁଣି ଏମିତି ଯେ ଯିଏ ଥରେ ୟା ମାୟାରେ ପଡିଛି ଯେତେ କଷ୍ଟ ପଡୁ ପଛେ ସେ ତା'କୁ ଛାଡି କୁଆଡେ ଯିବ ନାହିଁ । ସେଇ ମାୟାରେ ବାୟା ହୋଇ ଏଠି ପଡି ରହିଛନ୍ତି ବିମଳ । ଝିଅ ମାଧୁରୀ ଏବର୍ଷ ରାଜଧାନୀ କଲେଜ ରେ ନାଁ ଲେଖାଇଛି ପ୍ଲସ଼୍ ଟୁ ରେ , ପୁଅ ମଳୟ ଏବେ ନବମ ଶ୍ରେଣୀରେ ପଢୁଛି ମୁନିସିପାଲ୍ ସ୍କୁଲ ରେ । ଦୁଇ ଜଣଙ୍କ ପଢା ଖର୍ଚ୍ଚ ତୁଲାଇବାକୁ ଏବେ ଅଫିସ୍ କାମ ପରେ ଗୋଟିଏ ଦୋକାନରେ କାମ କରୁଛନ୍ତି ବିମଳ । ସନ୍ଧ୍ୟା ଛଅଟାରୁ

ରାତି ନଅଟା ଯାଏଁ , ହିସାବ କିତାବ ଦେଖି ଦେଲେ ମାସକୁ ପାଞ୍ଚ ହଜାର ଦରମା । ସବୁ ସତ୍ତ୍ବେ ମଧ୍ୟ ଅଭାବ

ଲାଗି ରହିଛି । ପିଲାଙ୍କ ଖାତା ବହି, ଟିଉସନ ମାଷ୍ଟରଙ୍କ ଦରମା, ସବୁ ଖର୍ଚ୍ଚ ପରେ ସଂଚୟ ଘର ଶୂନ୍ ।

ସେଥିଲାଗି ସବିତାଙ୍କର ସବୁବେଳେ ମନସ୍ତାପ । ଝିଅ ଆସି ଏଡୁଟେ ହେଲାଣି, ପାଞ୍ଚ ଟା ଟଙ୍କା କୋଉଠି ରଖିନ, କେମିତି ଝିଅ ବାହାଘର କରିବ? ହତାଶାର ଦୀର୍ଘଶ୍ଵାସଟିଏ ବାହାରି ଆସେ ବିମଳ ଙ୍କ ମୁହଁରୁ ।

ଦୁଇହାତ ଉପରକୁ ଟେକି ଦେଇ ସେ କହନ୍ତି ଯିଏ ଝିଅ ଦେଇଛି ସେଇ ବୁଝିବ, ମୋର କ'ଣ ଚିନ୍ତା ?

ଆଜି ଅଫିସ୍ ରୁ ଫେରିବା ବେଳକୁ ଖରା ତେଜ କମି ନଥିଲା, ସେଥିରେ ପୁଣି ଅଫିସ୍ ରେ ଦିନସାରା ବଡବାବୁଙ୍କର ଯେଉଁ ଟାଆଁସିଆ କଥା, ସବୁ ମିଶି ବିମଳଙ୍କ ମୁଣ୍ଡଟାକୁ ଗରମ କରି ଦେଇଥିଲେ । ସେଇ ରାଗକୁ ସେ

ସବିତାଙ୍କ ଉପରେ ଉଦ୍ ଗାରି ପକାଇଥିଲେ । ନିଜ ଭିତରେ ନିଜେ ସଂକୁଚିତ ହୋଇଗଲେ ବିମଳ । ସାଉଁଳେଇ ହୋଇ କହିଲେ ସବିତା ଙ୍କୁ '' ଆରେ ନାଇଁ ମ , ଆଜି ସେ ଖଡାଖିଆ ବଡବାବୁଙ୍କ ଦିନଯାକର

ବକର ବକର ଶୁଣି ମୁଣ୍ଡଟା ଝାଇଁ ମାରି ଯାଇଥିଲା, ସେଥିରେ ପୁଣି ଏତେ ଗୁଡ଼ାଏ ବାଟ ଖରାରେ ସାଇକେଲ୍ ପେଲି ପେଲି ଆସିଥିଲି ସେଥିଲାଗି ଟିକେ ଚିଡ୍ ଚିଡା ଲାଗୁଥିଲା । ଏବେ ତୁମ ହାତରୁ ଥଣ୍ଡା ପାଣି ଗ୍ଲାସ୍ ଟିଏ ପିଇବା ପରେ ସବୁ ଠିକ୍ ହୋଇଗଲା । ସତରେ ସବିତା ! ତମ ହାତରେ ଯାଦୁ ଅଛି ''। ସବିତା ଠିକ୍ ବୁଝି ପାରୁଥିଲେ ବିମଳ କଥା ବୁଲେଇବା ଲାଗି ଚେଷ୍ଟା କରୁଛନ୍ତି ତଥାପି ସେ ମୁରୁକି ହସି ମୁହଁରେ ଲୁଗା ଦେଇ ଫେରି ଗଲେ ରୋଷେଇ ଘର ଭିତରକୁ । ସେଠି ପୁଣି ଅନେକ କାମ ବାକୀ ପଡିଛି । ଝିଅ ଏଯାଏଁ କଲେଜ ରୁ ଫେରିନି । କ'ଣ ଏକ୍ସଟ୍ରା କ୍ଲାସ୍ ଅଛି ବୋଲି କହୁଥିଲା , ପୁଅ ମଧ୍ୟ ସ୍କୁଲ ରୁ ଫେରି ସାଙ୍ଗ ସାଥୀମାନଙ୍କ ସହିତ ଖେଳିବାକୁ ଯାଇଛି । ରୋଷେଇ ବାସ କରି ରଖିଲେ ସେମାନେ ଖାଇବେ । ପାଣି ଗ୍ଲାସ୍ ଟିଏ ପିଇ ବିମଳ

ବାହାରି ଗଲେ ଦୋକାନକୁ ।

ସେଦିନ ଝିଅ କଲେଜରୁ ଫେରିଲା ବେଳକୁ ସନ୍ଧ୍ୟା ସାତଟା ବାଜି କୋଡ଼ିଏ ମିନିଟ୍ । ସବୁ ଦିନେତ ଛଅଟା ସାଢେ ଛଅଟା ଭିତରେ ଫେରିଆସେ ମାଧୁରୀ। ଆଜି ଅପେକ୍ଷା କରି କରି ଧୈର୍ଯ୍ୟଚ୍ୟୁତି ହେଲାଣି ସବିତାଙ୍କର । ମଳୟ ଅନେକ ଆଗରୁ ଆସି ପଢାଧଶଧଧଧପଢି ଆରମ୍ଭ କଲାଣି । ଘରକୁ ପଶୁ ପଶୁ ସବିତାଙ୍କର ନାଲି ଆଖି ଦେଖି ଖୁସିରେ ଉଜ୍ଜ୍ବଳ ଦିଶୁଥିବା ମୁହଁଟା କଳା ପଡିଗଲା ମାଧୁରୀର। ସବିତାଙ୍କର ଆଖିରେ ଅନେକ ପ୍ରଶ୍ନବାଚୀ ଦେଖି ଟିକିଏ ହଡବଡେଇ ଗଲା ସେ । ଗମ୍ଭୀର ସ୍ୱର ରେ ପଚାରିଲେ ସବିତା '' କି ପାଠ ପଢା ହେଉଛି କଲେଜରେ ସଞ ଦି ଘଡି ଯାଏ ? ରହ କାଲି ତୋ ବାପାଙ୍କୁ ପଠାଇ ବୁଝୁଛି ''। ସହମି ଯାଇ ଉତ୍ତର ଦେଲା ମାଧୁରୀ '' ନାଇଁ ମ ବୋଉ ! ପଢାପଢି ତ ଅନେକ ବେଳୁ ସରି ଗଲାଣି । ଆଜି ସାଙ୍ଗ ମାନେ ଗୁପ୍ ଚୁପ୍ ଖାଇବାକୁ ବାଧ୍ୟ କରି ଡାକିଲେ, ସେଇଠି ପରା ଡେରି ହୋଇଗଲା '' । ରାଗ ଗର ଗର ହୋଇ ସବିତା ପୁନର୍ବାର ଡେରିରେ ନଫେରିବା ଲାଗି ଚେତାବନୀ ଦେଇ ଶିଘ୍ର ଲୁଗାବଦଳି ଧୁଆଧୋଇ ହୋଇ ପାଠ ପଢିବାକୁ କହି ଫେରିଗଲେ ରୋଷେଇ ଘରକୁ । ସେ ରୋଷେଇ କରୁ କରୁ ଭାବୁଥିଲେ ମାଧୁରୀ କଥା । ଆଜିକାଲି ମାଧୁରୀ କେମିତି ଅଲଗା ଅଲଗା ଲାଗୁଛି । ତାଙ୍କ ପାଖରୁ ଦୂରେଇ ଦୂରେଇ ରହୁଛି, ଅନେକ ସମୟରେ

ଆଇନା ଆଗରେ ଠିଆ ହୋଇ ନିଜକୁ ଦେଖୁଛି, କେବେ କେବେ ମନକୁ ମନ ହସୁଛି ତ କେବେ ଅନ୍ୟମନସ୍କ ହୋଇ କ'ଣ ଭାବୁଛି । କ'ଣ ତାଙ୍କ ଝିଅ ପ୍ରେମରେ ପଡିଛି କି ? ପୁଣି ଭାବୁଥିଲେ ନାଇଁ ମ , ଆଦ୍ୟ ଯୌବନରେ ଏମିତି ଅନେକ କିଛି ହୁଏ । ମାତ୍ର ସତର ବର୍ଷର ଛୁଆଟା ମାଧୁରୀ, ସେ କାହିଁକି କାହା ପ୍ରେମରେ ପଡିବ? ତଥାପି ମାଆ ମନ ତାଙ୍କର ଡରୁଥିଲା, କାଳେ କିଛି ଅଘଟଣ ଘଟି ଯିବ କି ? ସେଇଠି ମନେ ମନେ ସ୍ଥିର କଲେ କାଲି ସୁବିଧା ସୁଯୋଗ ଦେଖି ସେ ମାଧୁରୀ ସହିତ ଏ ସମ୍ପର୍କରେ ଆଲୋଚନା କରିବେ। ଅନ୍ତତଃପକ୍ଷେ ତା'କୁ ସଂସାର ର ଭଲ ମନ୍ଦ ବୁଝାଇବା ଛଳରେ ସତର୍କ କରାଇ ଦେବେ । ତା' ପରଦିନ ମଧ୍ୟ ସେମିତି ଡେରିରେ ଫେରିଲା ମାଧୁରୀ । ସବିତା ପଚାରିବା ଆଗରୁ ସେ ଉତ୍ତର ଦେଲା ଆଜି ଗୋଟିଏ ସାଙ୍ଗର ଜନ୍ମଦିନ ଥିଲାତ ସେ ଗୋଟିଏ କେକ୍ ଆଣି ଆସିଥିଲା , ସେଇଠି କେକ୍ କାଟି ତା'ର ଜନ୍ମଦିନ ପାଳନ କରିବା ବେଳକୁ ଡେରି ହୋଇ ଗଲା । ମନ ଭିତରେ ସନ୍ଦେହ କଲେ ବି ଚୁପ୍ ରହିଲା ସବିତା । ରାତିରେ ସମସ୍ତେ ଶୋଇ ପଡିଲା ପରେ ମାଧୁରୀ ର ବହିଥାକ, ତା'ର ପର୍ସ୍ କୁ ଅଣ୍ଡାଳି ପକାଇଲା କିଛି ଅଭାବନୀୟ ଜିନିଷ ପାଇବା ଆଶାରେ । ସେମିତି କିଛି ଗୋଟିଏ ସୁରାକ ନପାଇ ମନକୁ ମନ ଗୁଣୁ ଗୁଣୁ ହେଲା ସେ ' ଧେତ୍ ! ଯେତେ ସବୁ ବାଜେ ଚିନ୍ତା ଖାଲି ମୋଅରି ମୁଣ୍ଡରେ ପଶୁଛି ' । ତା' ପରଠାରୁ ସେ ମାଧୁରୀର ଡେରିରେ ଫେରିବା ନେଇ ପ୍ରତିବାଦ କରିବା ବନ୍ଦ କରି ଦେଲା ।

କିଛି ଦିନ ବିତି ଯାଇଥିଲା ୟା ଭିତରେ । ସବୁ ଦିନ ରାତିରେ କାମରୁ ଫେରି ଗାଧୁଆପାଧୁଆ ସାରି ଖାଇବା ପାଇଁ ବସିଲା ବେଳକୁ ସବିତାଙ୍କୁ ପିଲାମାନଙ୍କ କଥା ପଚାରିବା ବିମଳଙ୍କର ଦୈନନ୍ଦିନ ଅଭ୍ୟାସ । ସେଦିନ ଚିରାଚରିତ ଢଙ୍ଗରେ ବିମଳ ଖାଇବା ମଝିରେ ପିଲାଙ୍କ କଥା ପଚାରିଲା ବେଳେ ଥତମତ ହୋଇ ସବିତା ମାଧୁରୀର ସବୁଦିନ ଡେରିରେ ଫେରିବାର କଥାଟି କହିଲେ । ତାଙ୍କର ସନ୍ଦେହ ଏବଂ ସନ୍ଦେହ ନିବାରଣର ବୃତ୍ତାନ୍ତଟି ମଧ୍ୟ ଜଣାଇବାକୁ ଭୁଲିଲେନି । ଅଳ୍ପ ହସି ବିମଳ କହିଲେ '' ତା'ହେଲେ ତମେ କ'ଣ ଚାହୁଁଛ ? ଝିଅର ପାଠପଢା ବନ୍ଦ କରି ତାକୁ ଘରେ ବସାଇ ରଖିବା? ବୁଝିଲ ସବିତା ! ଏଇ ସବୁ ତମ ଦୁର୍ବଳ ମନର ଅହେତୁକ ଭୟ । ଆମ ଝିଅ ବେଶ୍ ବୁଦ୍ଧିମତୀ, ଭଲ ମନ୍ଦ ବୁଝିବାର ଶକ୍ତି ଅଛି ତା'ର, ତମେ ମୋଟେ ବ୍ୟସ୍ତ ହେବନି । ସେ ବିଏ ପାସ କରିବା ପରେ ଆମେ ତା' ବାହାଘର କଥା ଚିନ୍ତା କରିବା , କିଛି ନହେଲେ ଗାଁ ଜମିଖଣ୍ଡିକ ବିକ୍ରି କରି ତା'କୁ ଭଲ ଘର ବର ଦେଖି ବାହା ଦେବା '' । ବିମଳଙ୍କ କଥା ଶୁଣି ସାହସ ପଶିଲା ସବିତାଙ୍କର ମନରେ । ସମୟର ଚକ ଗଡି ଚାଲିଥିଲା ।

ମାଧୁରୀର ଫାଇନାଲ୍ ପରୀକ୍ଷା ଆଉ ଅଳ୍ପ ଦିନ ବାକି ଥାଏ, ସବିତା ଦେଖିଲେ ସାତ ଆଠ ଦିନ ହେଲା ମାଧୁରୀ ଟିକେ ବିମର୍ଷ ଜଣା ପଡୁଛି । ମନେ ମନେ ଭାବୁଥିଲେ ବୋଧହୁଏ ଝିଅଟା ପରୀକ୍ଷା ଭୟରେ ଏମିତି ଦିଶୁଛି । ଦିନେ ଦୁଇଦିନ ଲକ୍ଷ୍ୟ କଲେ ସବିତା। କେମିତି ଗୋଟାଏ ପରିବର୍ତ୍ତନ ହୋଇଛି ଝିଅଟିର, ଖାଇବା ପିଇବା ରେ ଠିକଣା ନାହିଁ, କଲେଜ ଯିବାର ସେ ତତ୍ପରତା ନାହିଁ , ଆଖିରେ ଗୋଟିଏ ଅଜଣା ଭୟର ଛାୟା । ମାଆ ମନ ବିଚଳିତ ହୋଇ ଉଠିଲା ତାଙ୍କର । ଭାବିଲେ ସିଧାସଳଖ ପଚାରି ଦେବେ କି ଝିଅକୁ, କ'ଣ ହୋଇଛି ବୋଲି । ପୁଣି ଭାବୁଥିଲେ ଝିଅ କାଳେ ଅନ୍ୟଥା ଭାବିବ । ଏମିତି ଚିନ୍ତା କରି ବାଆଁରେଇ ହୋଇ ପୁଅ ମଳୟକୁ ପଚାରିଲେ ସେ '' ଆରେ ବାବୁ ! ଅପାର କ'ଣ ହୋଇଛି କିରେ ? କାହିଁକି ତା' ମୁହଁରେ ହସ ନାହିଁ , ଦୁଇ ଜଣ ଯାକ କଳିଗୋଳ ଲାଗିଛ ନା କ'ଣ ? '' । ସରକାରୀ କ୍ଵାର୍ଟରକୁ ଆସିବା ଦିନଠାରୁ ଭାଇଭଉଣୀ ଗୋଟିଏ ଘରେ ପଢାପଢି କରନ୍ତି ଆଉ ସେଇଠି ଶୁଅନ୍ତି ଆର ଘରଟିରେ ବିମଳ ଆଉ ସବିତା ।ଭାଇଭଉଣୀ ଙ୍କ ମଧ୍ୟରେ ଗଭୀର ସ୍ନେହଭାବ ଥିବାରୁ ଦୁହେଁ ବନ୍ଧୁ ଭଳି ସବୁ କଥା ବାଣ୍ଟି ଥାଆନ୍ତି । କେହି କାହାକୁ କୌଣସି କଥା ଲୁଚାଇ ରଖି ପାରନ୍ତି ନାହିଁ । ସେଇ ଭରସା ରେ ସବିତା କଥା ଆଦାୟ କରିବା ଲାଗି ପଚାରିଥିଲେ ମଳୟ କୁ । ମଳୟ କହିଲା '' ହଁ ବୋଉ ! କିଛି ଗୋଟେ ହୋଇଛି ଅପା ର । ସେ ଦୁଇ ତିନି ଦିନ ହେଲା ରାତ ତମାମ ଶୋଉନି, ତକିଆ ରେ ମୁହଁକୁ ମାଡି କାନ୍ଦୁଛି , ମୁଁ ଯେତେ ପଚାରିଲେ ସେ କିଛି କହୁନି । ତୁ ପଚାରି ଦେଖ୍ , ତତେ ଯଦି କିଛି କହିବ ''। ଛାତିରେ ଛନକା ପଶିଲା ସବିତା ଙ୍କର। ନିଶ୍ଚିତ ଭାବରେ କିଛି ଗୋଟାଏ ଘଟିଛି ଯାହା ଭିତରେ ଭିତରେ ଝିଞାରି ପକାଉଛି ମାଧୁରୀକୁ । ଏମିତି କିଛି ଘଟଣା ଯାହା ସେ କାହାରିକୁ କହି ପାରୁନି କି ନିଜେ ସହି ପାରୁନି ।

ରାତିରେ ଖାଇପିଇ ଶୋଇବାକୁ ଗଲାବେଳକୁ ମନରେ କିଛି ସିଦ୍ଧାନ୍ତ କରି ମଳୟ କୁ କହିଲେ '' ଆଜି ଦିନକ ତୁ ବାପାଙ୍କ ପାଖରେ ଶୋଇପଡ କି ମୁଁ ଟିକେ ଅପା ପାଖରେ ଶୋଉଛି ''। ମଳୟ ସିନା ବିନା କୌଣସି ପ୍ରତିକ୍ରିୟା ପ୍ରକାଶ କରି ଚାଲିଗଲା ବାପାଙ୍କ ପାଖକୁ ଶୋଇବା ପାଇଁ ହେଲେ ବିମଳଙ୍କୁ ଏଥି ଲାଗି କ'ଣ ଉତ୍ତର ଦେବେ ସେ କଥା ଚିନ୍ତା କରି ପାରୁ ନଥିଲେ ସେ । ଚୁପ୍ ରହିବା ଶ୍ରେୟସ୍କର ମଣି ଚାଲିଗଲେ ମାଧୁରୀ ପାଖକୁ ଶୋଇବା ଲାଗି । ରୁମ୍ ରେ ପଶି ଭିତରୁ କିଳିଣୀଟା ଦେଇ ମାଧୁରୀର ଖଟ ପାଖରେ ଛିଡ଼ା ହେଲେ ସେ । ତକିଆରେ ମୁହଁକୁ ମାଡି ଶୋଇ ରହିଥିଲା ମାଧୁରୀ । ସବିତା ଅନୁଭବ କଲେ ସେ ନିଦର ଶୋଇବାର ଅଭିନୟ କରୁଛି ମାତ୍ର । ଲାଇଟ୍ ଅଫ୍ କରି ସେ ତା'ରି ପାଖରେ ଶୋଇପଡି ତା'କୁ ଛାତିରେ ଚାପି ଧରିଲେ । ମାଧୁରୀର ମୁଣ୍ଡ ଆଉଁସି ମଥାରେ ଚୁମାଟିଏ ଦେଲା ବେଳକୁ ଦେଖିଲେ ଅତ୍ୟଧିକ ଭୟରେ ଛାତି ଧଡଧଡ ହେଉଛି ତା'ର, ବହୁତ କାନ୍ଦିଛି ବୋଧହୁଏ ସେଥିଲାଗି କଇଁ ଉଠିଯାଉଛି ଯାହାକୁ ଚାପି ରଖିବାକୁ ସେ ଅନ୍ଧାର ଭିତରେ ଅସଫଳ ଚେଷ୍ଟା କରୁଛି । ତା'କୁ ଆହୁରି ନିବିଡ ଭାବରେ ଜାକି ଧରି ଗେଲ କରି ପକାଇଲେ ସବିତା । ଆଶ୍ବାସନା ଦେଲେ '' କ'ଣ ହୋଇଛି ମତେ ଖୋଲିକରି କହ। କିଛି ଭୟ କରନା , ତୋ'ର ବୋଉ ତୋ' ପାଖରେ ଥିଲା ଯାଏଁ ତୋ'ର କେହି କିଛି କ୍ଷତି କରି ପାରିବେନି । ସବୁ ଠିକ୍ ହୋଇଯିବ ମା , ତୁ ମୋଟେ ବ୍ୟସ୍ତ ହ' ନା । ଆଗ କାନ୍ଦ ବନ୍ଦ କର '' । ମାଆର ଅଭୟବାଣୀ ଶୁଣି ଆହୁରି ଜୋର୍ ରେ କାନ୍ଦି ଉଠିଲା ମାଧୁରୀ । ବିଛଣାରୁ ଉଠିପଡି ଗୋଡ ଦୁଇଟାକୁ ଧରି ତଳେ ବସିପଡି ସେମିତି କାନ୍ଦି କାନ୍ଦି କହିଲା '' ମୋର ମସ୍ତବଡ ଭୁଲଟିଏ ହୋଇ ଯାଇଛି ବୋଉ ! ମୋ ଉପରେ କେତେ ଭରସା କରି ବାପା ଆଉ ତୁ ମୋତେ କଲେଜରେ ପାଠ ପଢି ଭଲ ମଣିଷଟିଏ ହେବାକୁ ହେଲେ ମୁଁ ଚଣ୍ଡାଳୁଣୀ ତମର ସେଇ ଭରସାକୁ ରଖି ପାରିଲିନି, ସବୁ ପୋଡିଜାଳି ପାଉଁଶ କରିଦେଲି । ପାଠପଢି ବଡ଼ମଣିଷ ହୋଇ ତମ ନାଁ ରଖିବି କ'ଣ ବଂଶରେ କଳଙ୍କ ଲଗାଇ ତମ ମୁହଁରେ କଳା ବୋଳିଦେଲି । ମୋର ଏ ସଂସାରରେ ବଞ୍ଚି ରହିବାର କୌଣସି ଅଧିକାର ନାହିଁ । ମୋ' ଭଳିଆ କୁଳ କଳଙ୍କିନୀ ଝିଅକୁ ତୁ କ'ଣ କ୍ଷମା କରି ପାରିବୁ ବୋଉ ? ମୋ ପାପର ବୋଝ ମୁଣ୍ଡାଇ ବାପା କ'ଣ ରାସ୍ତାରେ ବାଟ ଚାଲି ଯାଇ ପାରିବେ? ମୋ ପାପ ପଦାକୁ ଆସିବା ପୂର୍ବରୁ ମୋର ମରିଯିବା ହିଁ ଶ୍ରେୟସ୍କର । ମୁଁ ମରିବାକୁ ଚାହେଁ ବୋଉ । ସେଇଟା ହିଁ ଶେଷ ସମାଧାନ '' । ଆଉ କିଛି

କହିବା ପୂର୍ବରୁ ତା' ପାଟିରେ ହାତକୁ ଦେଇ ତା'କୁ ଉଠାଇ ଆଣି ଖଟ ଉପରେ ବସାଇ ଦେଲେ ସବିତା । ମାଧୁରୀ ବର୍ଣ୍ଣନା କଲା ତା' ଦୁର୍ଦ୍ଦଶାର କଥା ।

ନୂଆ ନୂଆ କଲେଜ ଗଲାବେଳକୁ ତା'ର ସାଙ୍ଗ ହୋଇଥିଲା ସହପାଠିନୀ ଲତିକା । ଥିଲାବାଲାଘର ଝିଅ ହୋଇ ଥିବାରୁ ଖୁବ୍ ପଇସା ପତ୍ର ଆଣୁଥିଲା ଘରୁ ଏବଂ ସାଙ୍ଗସାଥୀ ମେଳରେ ଖର୍ଚ୍ଚ କରୁଥିଲା ଖାଇବା ଆଉ ଖୁଆଇବାରେ। ତା'ର ଏମିତି ମେଳାପୀ ଗୁଣ ଦେଖି ବହୁତ ସାଙ୍ଗସାଥୀ ଆକୃଷ୍ଟ ହୋଇଥିଲେ ତା' ଆଡକୁ । କଲେଜ ସମୟ ପରେ କେତେବେଳେ ଗୁପ୍ ଚୁପ୍ ତ କେତେବେଳେ ଆଇସ୍କ୍ରିମ୍ ରେ ଆପ୍ୟାୟିତ କରୁଥିଲା ସମସ୍ତଙ୍କୁ । ନିମ୍ନମଧ୍ୟବିତ୍ତ ପରିବାର ରେ ବସିଥିବା ମାଧୁରୀ କୁ ଏଇସବୁ ବିଳାସ ଖୁବ୍ ଭଲ ଲାଗୁଥିଲା । ବେଳେବେଳେ ଲତିକାର କଲେଜ ବାହାର ସାଙ୍ଗମାନେ ବି ଆସି ଯୋଗ ଦେଉ ଥିଲେ ସେ ମେଳ ରେ । ସେଇ ସୂତ୍ର ରେ ଧୀରେନ୍ ସହିତ ପରିଚୟ ହୋଇଥିଲା ମାଧୁରୀର। ଧୀରେନ୍ ଥିଲା ଲତିକାର ବଡଭାଇର ବଂଧୁ ମାତ୍ର ଲତିକା ସହ ତା'ର ଭଲ ସମ୍ପର୍କ ଥିବାରୁ ପ୍ରାୟତଃ ସେ ଲତିକା ପାଖକୁ ଆସୁଥିଲା। ସେମିତି ଲତିକାର ଘନିଷ୍ଠ ବାନ୍ଧବୀ ହୋଇ ଥିବାରୁ ମାଧୁରୀ ସହିତ ମଧ୍ୟ ବନ୍ଧୁତା ବଢିଥିଲା ଧୀରେନ୍ ର। ସେଇ ବନ୍ଧୁତା କ୍ରମେ କ୍ରମେ ବୃଦ୍ଧି ପାଇ ରୂପାନ୍ତରିତ ହୋଇଥିଲା ପ୍ରେମରେ । କଅଁଳ ବୟସ ର ପ୍ରଥମ ପ୍ରେମ ଖୁବ୍ ଆଛନ୍ନ କରି ରଖିଥିଲା ମାଧୁରୀ କୁ । ସ୍ବପ୍ନର ଆକାଶରେ ବେଲଗାମ୍ ପକ୍ଷୀରାଜ ଘୋଡା ରେ ଉଡି ବୁଲୁଥିଲା ସେ ।

ଧୀରେ ଧୀରେ ସାଙ୍ଗମେଳ ଛାଡି ଦୁହେଁ କଲେଜ ବନ୍ଦ କରି ବୁଲାବୁଲି କରିବା , ସିନେମା ଦେଖିବାକୁ ଆରମ୍ଭ କରିଥିଲେ । ଦିନେ ସିନେମା ଦେଖିସାରିବା ପରେ ଗୋଟିଏ ହୋଟେଲରେ ଖାଇବା ଲାଗି ଜିଦ୍ କରି ମାଧୁରୀ କୁ ଡାକିନେଇଗଲା ଧୀରେନ୍ । ଖାଇବା ଟେବୁଲ ରେ ପ୍ରଥମେ ସୁପ୍ ସର୍ଭ୍ କରିଦେଇଗଲା ୱେଟର୍। ତା'ପରେ ପରେ ନାନା ପ୍ରକାରର ସୁସ୍ୱାଦୁ ଖାଦ୍ୟ । ଖାଇସାରିବା ପରେ ମୁଣ୍ଡ ଟା କେମିତି ଘୁରାଇବାକୁ ଆରମ୍ଭ କରିଥିଲା

ମାଧୁରୀର , ଆଖିପତା ମୁଦି ହୋଇ ଯାଉଥିଲା । ଚେୟାର୍ ରୁ ଉଠିଲାବେଳକୁ ପଡି ଯାଉ ଯାଉ ଧୀରେନ୍ ଧରି ପକାଇଥିଲା ତା'କୁ । ତା'ପରେ କ'ଣ ହେଲା ଆଉ ତା'ର ମନେ ନାହିଁ । ତା'ର ହୋସ୍ ଆସିଲା ବେଳକୁ ସେ ସେଇ ହୋଟେଲ୍ ର ଗୋଟିଏ ରୁମ୍ ରେ ବେଡ୍ ଉପରେ ନିଜକୁ ଆବିଷ୍କାର କରିଥିଲା । ପାଖରେ ଛିଡ଼ା ହୋଇ ଥିଲା ଧୀରେନ୍ , ମୁହଁ ରେ ବିଶ୍ୱବିଜୟୀ ର ହସ ଧରି । ନିଜର ବିପର୍ଯ୍ୟସ୍ତ ବେଶପୋଷାକ ଦେଖି ବେଶ୍ ବୁଝି ପାରିଥିଲା ମାଧୁରୀ ଯେ ତା' ଉପରେ ଝଡଟିଏ ବୋହି ଯାଇଛି । ସେଇ ଝଡ ଲୁଟି ନେଇଛି ତା'ର ସର୍ବସ୍ବ । ବହୁତ କାନ୍ଦିଲା ସେ, ଖୁବ୍ ଅଭିଶାପ ଦେଲା ନିଜକୁ, ଖୁବ୍ ଅନୁତାପ କଲା ଏମିତି ଅନ୍ଧ ଭାବରେ ବିଶ୍ବାସ କରିଥିବାରୁ ଧୀରେନ୍ କୁ , ଲତିକାକୁ କହି ଧୀରେନ୍ କୁ ଏଥିପାଇଁ ଶାସ୍ତି ଦେବ ବୋଲି ଧମକଟିଏ ମଧ୍ୟ ଦେଲା ।

ହେଲେ ଠୋ ଠୋ ହସି ଉଠିଥିଲା ଧୀରେନ୍ । କହିଥିଲା '' ବୁଝିଲ ବେବୀ ! ଏଇଟା ଧୀରେନ୍ ପଟ୍ଟନାୟକର ନିତିଦିନିଆ ଖେଳ। କାହାରିକୁ କହିବା ପୂର୍ବରୁ ଭାବି ନେବ ଥରେ, ଆମର ଏ ମଜାଦାର ଖେଳର ଗୋଟାଏ ସୁନ୍ଦର ରଙ୍ଗୀନ ଭିଡିଓ ଅଛି ମୋ ପାଖରେ । ଏପଟେ ତମର ମୁହଁ ଖୋଲିବ ମାନେ ସେପଟେ ମୋ ଭିଡିଓ ଖୋଲିଯିବ, ଭାଇରାଲ୍ ହୋଇଯିବ ସାରା ବିଶ୍ୱରେ । ଏଣିକି ନିର୍ଣ୍ଣୟ ତୁମର , ତମେ ଏ ଖେଳକୁ ଏମିତି ମୋ ଇଚ୍ଛାରେ ଚାଲିବାକୁ ଦେବ ନା ଲୋକ ମାନଙ୍କୁ ଭିଡିଓ ଦେଖିବାକୁ ଦେବ ''। ଛାତିରେ ପଥର ଲଦି କାନ୍ଦି କାନ୍ଦି ବେଶପୋଷାକକୁ ସଜଡା ସଜଡି କରି ଧୀରେନ୍ ସାଥିରେ ବାହାରକୁ ଆସିଲି ମୁଁ। ସେଦିନ ସେଇ ମୁହୂର୍ତ୍ତରେ ଭାବିଥିଲି ଆତ୍ମହତ୍ୟା କରିଦେବି ବୋଲି ହେଲେ ସାହସ ପାଇଲାନି ।

ସେଇଦିନ ଠାରୁ ମୁଁ ପ୍ରତିଦିନ ପ୍ରତି କ୍ଷଣରେ ମରୁଛି ତିଳ ତିଳ ହୋଇ କିନ୍ତୁ ତୁମ ମାନଙ୍କର ମୁହଁକୁ ଚାହିଁଲା ବେଳକୁ ମୋ ମନରେ ବଞ୍ଚିବାର ଇଚ୍ଛା ବଳବତ୍ତର ହେଉଛି । ମୁଁ ନା ବଞ୍ଚି ପାରୁଛି ନା ମରି ପାରୁଛି । ମୁଁ କ'ଣ କରିବି ବୋଉ ! କେମିତି ମୁହଁ ଦେଖାଇବି ବାପାଙ୍କୁ , ମଳୟକୁ , ସାରା ଦୁନିଆଁ କୁ ? କେମିତି ବଞ୍ଚିବି ??

ସବିତା ଙ୍କୁ ଚତୁର୍ଦ୍ଦିଗ ଅନ୍ଧକାର ଦେଖାଯାଉଥିଲା । କୋହ ସବୁ ତଣ୍ଟି ପାଖରେ ଜମାଟ ବାନ୍ଧି ପାଟିରୁ କଥା ବାହାରୁ ନଥିଲା । ପାଦ ତଳେ ଭୂଇଁ ଖସି ଯାଉଥିଲା ତଳକୁ ତଳକୁ । ଭାବୁଥିଲେ ସତରେ ଟିକିଏ ଭୁଲ୍ ପାଇଁ କେତେ ଯନ୍ତ୍ରଣା ଭୋଗୁଛି ତାଙ୍କର ଅଲିଅଳି ଝିଅ ଟି। ସବୁ ଝିଅମାନେ ବୟସ ବଢ଼ିଲେ ମାଆର ବଂଧୁ ହୋଇ ଯାଆନ୍ତି । ସେଇ ବନ୍ଧୁତା ରେ ଝିଅଟି ନିଜର ସବୁ ଭଲ ମନ୍ଦ କଥାମାନ ଜଣାଇ ଥାଏ ମାଆଙ୍କୁ । ସେ କ'ଣ ସେଇ ବନ୍ଧୁତାଟି ଦେଇ ପାରିଲେନି ତାଙ୍କର ଝିଅ କୁ ? ଯାହା ଫଳରେ ସେ ତାଙ୍କ ପାଖରେ କଥା ଲୁଚାଇଲା। ବିମଳ ତ ତାଙ୍କ ଯଥାସାଧ୍ୟ ଚେଷ୍ଟା କରିଥାନ୍ତି ତାଙ୍କ ପିଲାମାନଙ୍କୁ ଭଲ ଖାଇବା, ଭଲ ପିନ୍ଧିବା ଯୋଗାଇବା ଲାଗି । ତଥାପି ମାଧୁରୀ ଆହୁରି ଭଲ ଖାଇବା ଲୋଭରେ ସେ ଲତିକା ସହିତ ବନ୍ଧୁତା କଲା କାହିଁକି ? କ'ଣ ଦେଖି ସେ ଧୀରେନ୍ କୁ ପ୍ରେମ କରି ବସିଲା ଆଉ ନିଜର ସର୍ବନାଶ କୁ ଡାକି ଆଣିଲା ? ଏମିତି ଅନେକ ଗୁଡିଏ କଥା ମନରେ ଆସି ମୁଣ୍ଡ ଟା ଗୋଳମାଳ ହୋଇ ଯାଉଥିଲା ସବିତା ଙ୍କର। ସେ ମନେ ମନେ ଭାବୁଥିଲେ କ'ଣ କରିବାକୁ ହେବ ? କେମିତି ଏଇ କଥାଟିକୁ ସେ ବିମଳଙ୍କୁ କହିବେ। ଯଦି ବିମଳ ସବୁ କଥା ଶୁଣିବା ପରେ ଧୈର୍ଯ୍ୟହରା ହୋଇ କିଛି ଅଘଟଣ ଘଟାଇ ବସନ୍ତି ତେବେ କ'ଣ ହେବ? ବହୁତଭାବି ଚିନ୍ତି ଶେଷରେ ସେ ସ୍ଥିର କଲା ଯେ ପରିସ୍ଥିତି ଯାହା ହେଉନା କାହିଁକି ସେ ମାଧୁରୀକୁ ଏଇ ନର୍କ ଯନ୍ତ୍ରଣାରୁ ଉଦ୍ଧାର କରିବ । ସେ ମନରେ ସାହସ ବାନ୍ଧି ପୁରୁଣା ଭୁଲ୍ କୁ ସୁଧାରି ନୂଆ ଜୀବନ ଆରମ୍ଭ କରିବ।

ମାଧୁରୀ ର ଆଖିରୁ ଲୁହ ପୋଛି ଦେଇ ତା'କୁ ସାନ୍ତ୍ବନା ଦେଲା '' ଭୟ କରନା ମା' , ମୁଁ ଅଛି, ତୋ'ର ବାପା ଅଛନ୍ତି ତୋ'ର ପାଖରେ । ଈଶ୍ବର ଜାଣନ୍ତି ତୁ ନିର୍ଦ୍ଦୋଷ । ସେ ନିଶ୍ଚୟ ତତେ ରକ୍ଷା କରିବେ। ଆମେ କାଲି ସକାଳେ ଯାଇ ଥାନାରେ ଅଭିଯୋଗ କରିବା । ଆଇନ୍ ର ହାତ ବହୁତ ଲମ୍ବା । ସେ ନିଶ୍ଚିତ ଭାବରେ ଦୋଷୀକୁ ଦଣ୍ଡ ବିଧାନ କରି ତତେ ନ୍ୟାୟ ଦେବେ। ତୁ ପୁଣି ଥରେ ପୁରୁଣା କଥା ସବୁ ଭୁଲି ନୂଆ ଜୀବନ ଆରମ୍ଭ କରିବୁ ''। ମୁକ୍ତିର ଆଶାରେ ଆଲୋକିତ ହୋଇ ଉଠୁଥିଲା ମାଧୁରୀର ମୁହଁଟା । ତା' ପରଦିନ ସକାଳୁ ଦୃପ୍ତ ସିଂହୀ ଭଳି ନିଜର ଶାବକକୁ ସୁରକ୍ଷା ଦେବା ଲାଗି ସବିତା ଆଗେଇ ଯାଉଥିଲା ବିମଳଙ୍କ ସହିତ ସ୍ଥାନୀୟ ପୋଲିସ୍ ଷ୍ଟେସନ୍ କୁ .....


Rate this content
Log in

Similar oriya story from Inspirational