Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମନ୍ତ୍ର ରାକ୍ଷସ କଥା
ମନ୍ତ୍ର ରାକ୍ଷସ କଥା
★★★★★

© Manoj Kumar Panda

Children

8 Minutes   301    13


Content Ranking

ଯମୁନାର ଉତ୍ତର ଦିଗରେ ଯାତ୍ରା କରୁ କରୁ ଚତୁର କଥାକାର ଓ ବୋଲକରାକୁ ରାସ୍ତାରେ ସଂନ୍ଧ୍ୟା ହୋଇ ଗଲା । ଚତୁର ବ୍ୟଙ୍ଗକାର ବୋଲକରା ଆଡକୁ ଚାହିଁ କହିଲେ ଏଥର ବାବା ଅନ୍ଧାର ହୋଇ ଯିବ । ଅନ୍ଧାର ହୋଇ ଯିବା ପରେ ଆମେ ଆଗକୁ ଯିବା କିପରି ବରଂ ଦେଖ ୟେ ହେଉଛି ମହାରାଷ୍ଟ୍ରର ଏକ ଛୋଟିଆ ରାଜ୍ୟ ବିନୟ ନଗର । ଏଠାରେ ପୁରାତନ କାଳରୁ ଏପରି ଅତିଥି ଶାଳା ଗୋଟିଏ ଅଛି । ତୁମେ ଗୋଟେ ପଟେ କାମ କର, ପଇସା ନିଅ, ଆମର ଆଜିର ନିମନ୍ତେ ଯାହା ଯାହା ସଉଦା ଦରକାର ତାହା ଘେନି ଆସ । ଏହା କହି ଚତୁର ବ୍ୟଙ୍ଗକାର ବୋଲକରାକୁ ଗାଞ୍ଜିଆରୁ ପଇସା କାଢି ଦେଇ ଦେବା ପରେ ନିଜେ ଯାଇ ପାଖ ପୁଷ୍କରିଣୀରୁ ସ୍ନାନାଦି କାର୍ଯ୍ୟ ସାରି ଆସି ନିଜର ନିତ୍ୟ ସଂନ୍ଧ୍ୟା କାର୍ଯ୍ୟରେ ବସି ଗଲେ ।

ୟେ ବି ନୂଆ ଜାଗା, ସବୁ ସ୍ଥାନ ପରି ଏ ସ୍ଥାନରେ ଥରେ ବୁଲି ଆସିବା ଲାଗି ବୋଲକରାର ମନ ତତ୍ପର ହେଲା । ଏହା ଛଡା ଅନ୍ଧାର ହୋଇ ଗଲେ ସେ ସ୍ଥାନ ବୁଲି ଦେଖିବାର ସୁଯୋଗ ଆଉ ତାକୁ ମିଳିବ ନାହିଁ । ଏହା ଭାବି କରି ବୋଲକରା କାନ୍ଧରେ ଅଖା ମୁଣି ଖଣ୍ଡିକ ଗଳାଇ ଦେଇ ତରତର ହୋଇ ନଗର ଆଡକୁ ଧସି ଚାଲିଲା ।

ନଗରର କିଛି ଆଗକୁ ଯାଇଛି, ବୋଲକରା ଆଖିରେ ଏକ ବୃହତ କାଚ ଘର ପଡିଲା । କି ସୁନ୍ଦର ଦେଖା ଯାଉଛି ସେହି କାଚ ଘର । ଦେଖିବାର ଉତ୍କଣ୍ଠା ନେଇ ବୋଲକରା ସେହି କାଚ ଘର ନିକଟକୁ ଯାଇ ଯାହା ଦେଖିଲା ସେଥିରେ ସେ ଆଚମ୍ବିତ ହୋଇ ଗଲା । କାଚ ଘରର କୌଣସି ଦିଗରେ ଦ୍ୱାର ନାହିଁ । ଦ୍ୱାର ନଥିବା କାଚ ଘର ଭିତରେ ସେ ଦେଖିଲା ବୃହତ ଏକ ମଣିଷ ଆକୃତିର ରୂପ । ଖୁବ୍ କଳା ମଚ୍ ମଚ୍ ଦେଖା ଯାଉଛି । ସେ ରୂପକୁ ଦେଖି ବୋଲକରାର ଦେହ ଥରି ଗଲା । ସେ ଗୋଟାଏ ମଣିଷ କି ରାକ୍ଷାସ ସେ କଥା ବୋଲକରା ଠଉରାଇ ପାରିଲା ନାହିଁ । ତା’ର ମନକୁ ଖୁବ୍ ଭୟ ଆସିଲା । ସେ ସଉଦା କିଣିବାକୁ ଯିବ କ’ଣ ଧାଇଁ ଧାଇଁ ପଳାଇ ଆସି ଉପଦେଷ୍ଟାଙ୍କୁ କହିଲା –

ଦେଖିଲି ଦେଖିଲି କେତେ ଭୟ କରି

ଦୂର ହୋଇ ଗଲା ପରା

ଦେଖିଲା ଅସୁର ପଶି କାଚ ଘର

ଚତୁର ବ୍ୟଙ୍ଗକାର ଦିଅ ଉତ୍ତର ।

ଚତୁର ବ୍ୟଙ୍ଗକାର କହିଲେ – କିରେ, ତୋର ୟେ କ’ଣ ହେଲା । ଆରେ ଥରୁଛୁ କାହିଁକି? କ’ଣ ହୋଇଛି କିରେ? ଅବୋଲକରା କହିଲା – କ’ଣ ଦେଖିବି ଆଉ । ଗୋଟାଏ ଅସୁର ସେଠାରେ ଥିବା କାଚ ଘର ମଧ୍ୟରେ ଠିଆ ହୋଇ ରହିଛି । ବୋଲକରା ଠାରୁ ଏ କଥା ଶୁଣିବା ମାତ୍ରେ ଚତୁର କଥାକାର ମନେ ମନେ ଭାବିଲେ ଶଳା ଗୋଟାଏ ମୂର୍ଖ ହୁଣ୍ଡାଟାଏ କଥାରେ କହନ୍ତି ନାପିତ, ଧୃର୍ତ ହେଲେ କଣ ହେବ ଏ ଶଳାଟା ଏଡିକି ମୂର୍ଖଯେ ଏପରି ଏକ ଅସୁରକୁ କାଚ ଘର ମଧ୍ୟରେ ଦେଖି ଶଳାର ଦୁଇ ହୋଇ ଗଲା । ଚତୁର ବ୍ୟଙ୍ଗକାର କହିଲେ ଏଇଥି ଲାଗି ତୁ ସଉଦା ନଆଣି ପଳାଇ ଆସିଲୁନା ।

ବୋଲକରା କହିଲା – ଆଉ କରି ଥାଆନ୍ତି କ’ଣ । ମୋତେ କ’ଣ ଅସୁର ଖାଇ ଥିଲେ ତୁମର ଭଲ ହୋଇ ଥାଆନ୍ତା । ଚତୁର ବ୍ୟଙ୍ଗକାର କହିଲେ – କିରେ ଦ୍ୱାର ନଥିବା କାଚ ଘର ଭିତରକୁ ରାକ୍ଷସବା ଯିବ କିପରି । ପୁଣି ରାକ୍ଷସକୁ କାଚ ଘର ମଧ୍ୟରେ ବନ୍ଦୀ କରି ରଖା ଯାଇ ପାରିବ – ଏମିତି ଅସମ୍ଭବକୁ ସମ୍ଭବ କରିବାରେ ଲାଗିଛ । ତୁ ସେ କଳା ମନୁଷ୍ୟକୁ ଜାଣି ନାହୁଁ । କମ୍ବଳ ପକାଇ ବସି ପଡ । ମୁଁ ସେହି କଳା ରାକ୍ଷସ ବିଷୟରେ ଏବେ ତୋତେ କହୁଛି । ଉପଦେଷ୍ଟାଙ୍କ ଠାରୁ ଏ କଥା ଶୁଣି ବୋଲକରା ସଙ୍ଗେ ସଙ୍ଗେ ଆସନ ପକାଇ ବସି ପଡନ୍ତେ ଚତୁର ବ୍ୟଙ୍ଗକାର କଳା ଅସୁର ବିଷୟରେ କହିବାକୁ ଆରମ୍ଭ କଲେ ।

କଥାକାର କହିଲେ – ଏହି ସେହି ରାଜ୍ୟ, ଯେଉଁ ରାଜ୍ୟରେ ରାଧା ମାଧବ ନାମରେ ଜଣେ ପ୍ରତିପତିଶାଳୀ ସୌଦାଗର ବାସ କରୁ ଥିଲେ । ସୌଦାଗରଙ୍କର ଦୁଇ ଗୋଟି ପୁଅ ଥିଲେ । ବଡ ପୁଅର ନାମ ଅଗାଧୁ ଓ ସାନ ପୁଅର ନାମ ବେଣୁ । ସୌଦାଗରଙ୍କର ଏପରି ଦୁଇଟି ଭେଣ୍ଡିଆ ପୁଅ ଥାଇ ମଧ୍ୟ ସୌଦାଗରଙ୍କ ମନରେ ସବୁବେଳେ ଦୁଃଖ । ଦୁଇ ଜଣଙ୍କର ଗୁଣ ସମାନ । ପୁଅ ଦୁଇଟା ନିତି ପ୍ରତି ଦିନ ମଦ ପିଇ ମାତାଲ୍ । ପାଠଶାଳାର ଦୁଆର ତ କେହି ମଧ୍ୟ ମାଡିଲେ ନାହିଁ । ଦିନେ ଚିନ୍ତା ମଗ୍ନ ସୌଦାଗର ତାଙ୍କ ଦୁଇ ପୁଅଙ୍କୁ ପାଖକୁ ଡାକି କହିଲେ ବାବୁରେ ତମ ମାନଙ୍କ ପାଇଁ କ’ଣ ସମୟ ବସୁଛି । ଏଡେ ଏଡେ ଭେଣ୍ଡା ପୁଅ ଦୁହେଁ ହେଲଣି, ବସି ଖାଇଲେ ତ ନଦୀ ବାଲି ସରେ । ମୋର ଆସି ଶେଷ ବୟସ ହେଲା । କେଉଁ ଦିନ ତୁମେ ନିଜ କଥାକୁ ହେଜିବ । ମୁଁ ତୁମକୁ ଗୋଟିଏ ଭଲ କଥା କହୁଛି ଶୁଣ । ମୋର ପୁରୁଣା ବ୍ୟବସାୟକୁ ତୁମେ ଆରମ୍ଭ କର । ମୋ ପରି ମୋର ବୋଇତ ନେଇ ଦୂର ଦେଶ ବିଦେଶକୁ ଯାଅ । ମୁଁ ଏଠାରେ ବସି ରହିଛି । ତମ ମାନଙ୍କୁ ବେପାର ବାଣିଜ୍ୟ ବତେଇ ଦେବି ।

ପିତାଙ୍କର କଥା ଦୁଇ ପୁଅଙ୍କ ମନକୁ ବେଶ୍ ପାଇଲା । ଦୁଇ ପୁଅ ପିତାଙ୍କର ଆଗରୁ ଥିବା ଦୁଇଟି ବୋଇତ ବାହାର କଲେ । ବଡ ପୁଅ ଯେଉଁ ବୋଇତ ନେଇ ଯାଇ ଥିଲା, ସେ ବୋଇତ ଯାଇ ସିଂହଳ ଦ୍ୱୀପରେ ଲାଗିଲା । ସେଠାରେ ସେ କିଛି ଦିନ ବେପାର ବଣିଜ କରିବା ସମୟରେ ସେଠାରେ ତା’ର ଜାମୁ ଗଡ ରାଜାଙ୍କର କନ୍ୟା ସହିତ ସମ୍ପର୍କ ହେବାରୁ ସେ ସେହି ରାଜ କନ୍ୟାଙ୍କୁ ସେଠାରେ ବିବାହ କରି ରହି ଗଲା । ଏହା ପରେ ସେ ଆଉ ପିତା ମାତା ଭାଇ ବନ୍ଧୁ ଘର ଦ୍ୱାର କଥା ମନେ ପକାଇଲା ନାହିଁ ।

ଏଥୁ ଅନ୍ତେ ସାନ ଭାଇ ସାଗର ମଧ୍ୟରେ ବୋଇତ ନେଇ ହିମାଳୟର ଆର ପାରିକୁ ଚାଲି ଗଲା । ସେ ଜାଣି ନଥିଲା ଯେ ସେଠାରେ ଖୁବ୍ ତୁଷାର ପାତ ହେଉଛି । ସେ ଅଜଣାରେ ବିପଦ ମଧ୍ୟରେ ପଶି ଯିବାରୁ ତା’ର ବୋଇତଟି ସାଗର ମଧ୍ୟରେ ବୁଡି ଗଲା । ସାନ ଭାଇ କିନ୍ତୁ ସମୁଦ୍ର ମଧ୍ୟରେ ଗୋଟିଏ କାଠ ଗଡକୁ ଆଶ୍ରା କରି ଭାସି ଭାସି ଆସି ଏକ ଜଙ୍ଗଲ ନିକଟରେ ପହଁଚି ଗଲା । ସେ ବହୁ କଷ୍ଟରେ କାଠ ଗଡ ଛାଡି ଉପରକୁ ଆସି ସେଠାରେ ଚେତା ହୀନ ହୋଇ ପଡି ଗଲା ।

ସକାଳ ହେବାରୁ ସେହି ଜଙ୍ଗଲରେ ଆଶ୍ରମ କରି ରହୁଥିବା ଜଣେ ସ୍ନାନ କରିବା ନିମନ୍ତେ ଆସନ୍ତେ ସାଗର ପଠା ଜଙ୍ଗଲଠାରେ ସାନ ଭାଇକୁ ଦେଖି ତାକୁ ସଙ୍ଗେ ସଙ୍ଗେ ତାଙ୍କ ଆଶ୍ରମକୁ ନେଇ ତା’ର ଚିକିତ୍ସା କରିବାରୁ ସାନ ଭାଇର ଚେତା ଆସିଲା । ପିଲାଟିର ଚେତା ଆସିବାରୁ ଋଷି ତାକୁ ସମସ୍ତ କଥା ପଚାରିଲେ । ତା’ପରେ ତା ପ୍ରତି ଦୟା ପରବଶ ହୋଇ ତାଙ୍କୁ ଗୋଟିଏ ମୁଦ୍ରିକା ସହିତ ଗୋଟିଏ ମନ୍ତ୍ର ଲେଖି ଦେଇ କହିଲେ ତୁ ଏହି ମୁଦ୍ରିକାକୁ ଧାରଣ କରି ମୁଦ୍ରିକାକୁ ଚାହିଁ ଏହି ମନ୍ତ୍ର ପାଠ କଲେ ସଙ୍ଗେ ସଙ୍ଗେ ତୋ ଆଗରେ ଆସି ଗୋଟିଏ ରାକ୍ଷସ ଉପସ୍ଥିତ ହେବ । ତୁ ତାକୁ ଭୟ ନକରି ଯାହା ଆଦେଶ ଦେବୁ ରାକ୍ଷସ ତୋର ସବୁ ଆଦେଶକୁ ନିଶ୍ଚୟ ପାଳନ କରିବ ।

ମନ୍ତ୍ର ମୁଦ୍ରିକା ଓ ମନ୍ତ୍ର ପାଇ ସୌଦାଗରର ସାନ ପୁଅ ବେଣୁ ଖୁବ୍ ଆନନ୍ଦ ହୋଇ ଗଲା । ତା’ପରେ ତା’ର ପିତାମାତାଙ୍କ କଥା ବିଶେଷ ଭାବରେ ମନେ ପଡିବାରୁ ସେ ବିକଳରେ ଜଙ୍ଗଲ ମଧ୍ୟକୁ ପଳାଇ ଗଲା । ଜଙ୍ଗଲରେ ଯାଇ ମନ୍ତ୍ର ମୁଦ୍ରିକାକୁ ଚାହିଁ ମନ୍ତ୍ର ପାଠ କଲା । ସତକୁ ସତ ଋଷି ଯାହା କହିଥିଲେ ତାହା ହିଁ ହେଲା । ମନ୍ତ୍ର ଶେଷରେ ବେଣୁର ସମ୍ମୁଖ ଭାଗରେ ଆସି ସେହି ମନ୍ତ୍ର ରାକ୍ଷସ ତାକୁ ପ୍ରଣାମ କରି କହିଲା ଆପଣ ଏବେ ମୋର ପ୍ରଭୁ, ମୁଁ ଆପଣଙ୍କର ସେବାକାରୀ ଦାସ । ଏବେ ଆପଣ ମୋତେ ଆଦେଶ କରନ୍ତୁ । ମୁଁ ଆପଣଙ୍କ ଲାଗି କେଉଁ କାର୍ଯ୍ୟ କରି ପାରିବି ।

ସୌଦାଗର ପୁଅ ବେଣୁ କହିଲା ମୁଁ କ’ଣ ଯାହା କହିବି ତୁ ତାହା କରି ପାରିବୁ ।

ମନ୍ତ୍ର ରାକ୍ଷସ କହିଲା – ଏଥିରେ ପଚାରିବାର କ’ଣ ଅଛି । ମୁଁ ପରା ସେଇଥି ଲାଗି ଆସିଛି ।

ସୌଦାଗର ପୁଅ ବେଣୁ କହିଲା – ତାହା ହେଲେ ତୁ କହ ମୋର ପିତା ମାତା କେଉଁଠାରେ ଅଛନ୍ତି । ମୁଁ ତାଙ୍କୁ ପାଇବି କିପରି ।

ମନ୍ତ୍ର ରାକ୍ଷସ କହିଲା ମୁଁ ଆସନ୍ତା କାଲି ସେମାନଙ୍କୁ ଆଣି ଏଠାରେ ପହଁଚାଇ ଦେବି ।

ସୌଦାଗର ପୁଅ ତେଣୁ କହିଲା – ଏଠାରେ ମୁଁ ରହିବି କିପରି । ମୋ ପାଖରେ ତ କିଛି ଖାଇବା ଲାଗି ନାହିଁ । ମୁଁ ଖାଇବି କ’ଣ । ମନ୍ତ୍ର ରାକ୍ଷସ କହିଲା ଠିକ୍ ଅଛି ଆପଣ ଏହି ଠାରେ କିଛି କ୍ଷଣ ନୀରବରେ ବସି ଯାଆନ୍ତୁ, ମୁଁ ଆପଣଙ୍କ ଲାଗି ଏ ସବୁର ବ୍ୟବସ୍ଥା କରି ଦେଇ ସାରିବା ପରେ ଆପଣଙ୍କର ପିତା ମାତାଙ୍କୁ ଏଠାକୁ ଆଣିବାରେ ଲାଗି ଯିବି ।

ଏଥୁ ଅନ୍ତେ ମନ୍ତ୍ର ରାକ୍ଷସ ଜଙ୍ଗଲ ମଧ୍ୟରେ ବଡ କୋଠା ଘରଟିଏ ନିର୍ମାଣ କରି ଦେଲା । କୋଠା ଭିତରେ ଖଟ ପଲଙ୍କ, ଚେୟାର୍ ଟେବୁଲ୍, ସୁନ୍ଦର ଶଯ୍ୟାର ବ୍ୟବସ୍ଥା ମଧ୍ୟ କରିଦେଲା । ତା’ପରେ ରୋଷେଇ ଘରେ ଖାଇବା ଲାଗି ଫଳମୂଳ ଠାରୁ ଆରମ୍ଭ କରି ସମସ୍ତ ଦ୍ରବ୍ୟ ଖଞ୍ଜା କରି କହିଲା ଆପଣ ମୋତେ ଏବେ ବିଦାୟ ଦିଅନ୍ତୁ । ଏହା ପରେ ମୁଁ ଆପଣଙ୍କର ପିତା ମାତାଙ୍କୁ ଆଣିବା ଲାଗି ଯିବି ।

ସୌଦାଗର ପୁଅ ଏହା ସବୁ ଦେଖି କହିଲା – ସବୁ ଭଲ ହେଲା । ହେଲେ ମୁଁ ଏଠାରେ ରହିବି କିପରି । ଏକା ଏକା ରହିଲେ ମୋର ମନ ଲାଗିବ ନାହିଁ । ଏହା ପରେ ମନ୍ତ୍ର ରାକ୍ଷସ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରିବା ଲାଗି ଦୁଇ ଚାରି ଜଣ ମାୟାରେ ଅର୍ଦ୍ଧ ଉଲଗ୍ନ କନ୍ୟା ମାନଙ୍କୁ ଆଣି ସେଠାରେ ଛାଡି ଦେଇ ବିଦାୟ ନେଲା ।

ଅସୁର ବିଦାୟ ନେଲା । ମାୟା ସୁନ୍ଦରୀ ମାନେ ମାୟାରେ ଖୁବ୍ ମନଲୋଭା ପୋଷାକ ପରିଧାନ କରି ସୌଦାଗର ପୁଅକୁ ବହୁ ମୂଲ୍ୟବାନ ମାୟା ପୋଷାକରେ ରାଜା ବେଶରେ ସଜାଇ ଦେଲେ । ତାପରେ ସେହି ସ୍ଥାନଟି ନିର୍ଜନ ଥିଲା । ଏତେ ବଡ କୋଠା ଘରେ, ମାତ୍ର ସେହି ମାନେ କେତେ ଜଣ, ସେମାନେ ଅଦଳ ବଦଳ କରି ସର୍ବଦା ସୌଦଗର ପୁଅ ସାଥିରେ ରତି ରସରେ ମାତି ଗଲେ ।

ଏହି ଭଳି ଭାବରେ ସେଦିନ ରାତ୍ରଟି ମଉଜ ମଜଲିସ୍ରେ ସୌଦାଗରର ସାନ ପୁଅ ବିତାଇ ସୁନ୍ଦରୀ ରମଣୀ ମାନଙ୍କ ସହିତ ପଲଙ୍କ ଉପରେ ଶୋଇ ପଡିଲା । ରାତି ପାହି ସକାଳ ହୁଅନ୍ତେ ସୌଦାଗର ପୁଅ ବେଣୁର ନିଦ ଭାଙ୍ଗି ଗଲା । ସୂର୍ଯ୍ୟ ଉଦୟ ହେବେ । ଦିନତ ହୋଇ ଯାଇଛି । ସୌଦାଗର ପୁଅ କାହିଁକିବା କାହାକୁ ଭୟ କରିବ । ସେ ପଦାକୁ ଆସି ଦେଖିଲା ଯେ ମନ୍ତ୍ର ରାକ୍ଷସ ମୁଣ୍ଡରେ ଗୋଟିଏ ପଲଙ୍କ ମୁଣ୍ଡାଇ ସେହି ଜଙ୍ଗଲ ଆଡେ ଆସୁଛି ।

ମନ୍ତ୍ର ରାକ୍ଷସକୁ ଦେଖି ସୌଦାଗର ପୁଅ ମନରେ ଆନନ୍ଦ କହିଲେ ନସରେ । ବହୁ ଦିନ ପରେ ସେ ତାଙ୍କର ପିତା ମାତାଙ୍କୁ ଦେଖିବ । ଆଉ ତା ପିତା ମଧ୍ୟ ତାଙ୍କ ସାନ ପୁଅର ଅସମ୍ଭବ ବିଭବ ଦେଖି ଆନନ୍ଦ ହୋଇ ଯିବେ । କିନ୍ତୁ ମାୟା ରାକ୍ଷସ ପାଖକୁ ଆସି ଯିବାରୁ ସେ ତା’ର ନିଜର ବଡ ଭାଇ ଅଗାଧୁ ଓ ଭାଉଜଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲା । ପିତା ମାତା ସାଥିରେ ନଥିବାରୁ ସେ ମନ୍ତ୍ର ରାକ୍ଷସକୁ ଚାହାନ୍ତେ ମନ୍ତ୍ର ରାକ୍ଷସ କହିଲା ମୁଁ ନିରୁପାୟ ହୋଇ ପଡିଲି । ସେଠାରେ ଯାଇ ଦେଖିଲି ଆପଣଙ୍କର ପିତା ମାତା ନାହାଁନ୍ତି । ଆପଣଙ୍କ ଘରେ ସେହି ଗ୍ରାମର ଅନ୍ୟ କେହି ଜଣେ ନିଜର ପିଲା ଛୁଆ ଧରି ରହୁ ଛନ୍ତି । ସେଠାରେ ମୋତେ ମାୟାରେ ମନୁଷ୍ୟ ହେବାକୁ ହେଲା । ମାୟା ମନୁଷ୍ୟ ହେବା ପରେ ମୁଁ ସେଠାରୁ ଯାହା ଖବର ପାଇଲି ତାହା ଶୁଣିବା ପରେ ମୋର ମନରେ ବହୁତ ଦୁଃଖ ଆସିଲା । ଆପଣଙ୍କ ପିତା ମାତାଙ୍କର ଏହା ମଧ୍ୟରେ ମୃତ୍ୟୁ ହୋଇ ଯାଇଥିବା ସମ୍ବାଦ ପାଇବା ପରେ ମୁଁ ସଙ୍ଗେ ସଙ୍ଗେ ସେଠାରୁ ଫେରି ଆସି ଆପଣଙ୍କର ଭାଇ ଭାଉଜଙ୍କୁ ଧରି ଜାମୁ ଗଡରୁ ସିଧା ଏଠାକୁ ଚାଲି ଆସିଲି ।

ଦୁଇ ଭାଇ ଯାକ ନିଜ ପିତା ମାତାଙ୍କର ମୃତ୍ୟୁ ସମ୍ବାଦ ଶୁଣି ସେମାନେ ଦୁହେଁ ବହୁତ ମନ ଦୁଃଖ କଲେ । ବଡ ଭାଇ ସାନ ଭାଇର ଧନ ଦୌଲତ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇ ଗଲା ଓ ସେମାନେ ସମସ୍ତେ ସେହି ସାନ ଭାଇର ମାୟା କୋଠାରେ ବାସ କଲେ ।

ସେଠାରେ କିଛି ଦିନ ରହିବା ପରେ ସାନ ପୁଅ ବେଣୁ ଧର ନିଜ ରାଜ୍ୟ ବୁଲିବାକୁ ଆସି ଦେଖିଲା ଯେ ସେ ରାଜାଙ୍କ ସହିତ ବାହାରର ଶତ୍ରୁ ରାଜା ଆସି ଯୁଦ୍ଧ କରୁଛି । ସାନ ପୁଅ ବେଣୁ ଧର ରାଜାଙ୍କୁ ଯାଇ କହିଲା ମୁଁ ଆପଣଙ୍କ ଶତ୍ରୁ ମାନଙ୍କୁ ଯୁଦ୍ଧରେ ନିଶ୍ଚୟ ହରାଇ ଆମ ରାଜ୍ୟର ଟେକ ରଖିବି । ରାଜା ନିରାଶ୍ରୟ ହୋଇ ପଡି ଥିଲେ । ସୌଦାଗରର ସାନ ପୁଅ ବେଣୁ ଧରକୁ କହିଲେ ଠିକ୍ ଅଛି ତୁମେ ଯଦି ମୋର ସମସ୍ତ ଶତ୍ରୁକୁ ହରାଇ ମୋ ରାଜ୍ୟକୁ ଉଦ୍ଧାର କରିବ ତାହା ହେଲେ ମୋର ଅଲିଅଳି କନ୍ୟାକୁ ମୁଁ ତୁମ ସହିତ ନିଶ୍ଚୟ ବିବାହ କରାଇ ଦେବି ।

ଏହା ପରେ ସୌଦାଗରର ସାନ ପୁଅ ବେଣୁ ଧର ମନ୍ତ୍ର ରାକ୍ଷସକୁ ଆଦେଶ ଦିଅନ୍ତେ ମନ୍ତ୍ର ରାକ୍ଷସ ତା ମନ୍ତ୍ର ଦ୍ୱାରା ଅସଂଖ୍ୟ ରାକ୍ଷସ ସୈନ୍ୟ ଜନ୍ମ କରି ଶତ୍ରୁ ସହିତ ଯୁଦ୍ଧ କରି ଶତ୍ରୁ ମାନଙ୍କୁ ହତ୍ୟା କଲେ ଓ ନିଜ ରାଜ୍ୟକୁ ସେହି ଶତ୍ରୁ କବଳରୁ ଉଦ୍ଧାର କରିଥିବା ହେତୁ ରାଜା ପ୍ରିତ ହୋଇ ସୌଦାଗରର ସାନ ପୁଅ ବେଣୁ ଧରକୁ ନିଜର କନ୍ୟାକୁ ବିବାହ ଦେଇ ତାଙ୍କୁ ବହୁ ଧନ ରତ୍ନ ଦାନ କଲେ ।

ସୌଦାଗରର ସାନ ପୁଅ ବେଣୁ ଧର ସେହି ରାଜ କନ୍ୟାକୁ ବିବାହ କଲା । ସୌଦାଗର ପୁଅ ଖୁସିରେ ଥାଏ । ଏତିକି ବେଳେ ମନ୍ତ୍ର ରାକ୍ଷସ ଆସି ସୌଦାଗର ପୁଅକୁ ପ୍ରଣାମ କରି ଯିବାକୁ ବିଦାୟ ମାଗନ୍ତେ ସୌଦାଗର ପୁଅ ସେ ମନ୍ତ୍ର ରାକ୍ଷସକୁ କହିଲା – ତୁମେ ପୁଣି ଯିବ କୁଆଡେ । ମୋର ତୁମକୁ ଆଦେଶ ହେଲା ଯେ, ୟେ ମୋର ଶ୍ୱଶୁରଙ୍କ ରାଜ୍ୟ । ମୁଁ ଓ ତାଙ୍କ ଅଲିଅଳି କନ୍ୟା ଏଠାରୁ ବିଦାୟ ନେଇ ଗଲା ପରେ ତାଙ୍କର ବିପଦ ଆପଦ ବେଳକୁ ତାଙ୍କୁ ସାହାଯ୍ୟ କରିବ କିଏ । ସେଥି ଲାଗି ତୁମକୁ ଏଠାରେ ରହିବାକୁ ହେବ । ତୁମେ ଏହି ରାଜ୍ୟରେ ରହି ଶତ୍ରୁ ପକ୍ଷ ଉପରେ ନଜର ରଖିବ ।

ସୌଦାଗର ସାନ ପୁଅର ଏପରି ଆଦେଶ ଶୁଣି ମନ୍ତ୍ର ଅସୁର କହିଲା ଆପଣଙ୍କର ଆଦେଶ ମୋର ଶିରୋଧାର୍ଯ୍ୟ । ମୁଁ ଆଜି ଠାରୁ ଏହି ଠାରେ ରହିଲି । ଏହା ପରେ ସେହି ମନ୍ତ୍ର ରାକ୍ଷସ ସେଠାରେ ଏକ କଳା ପଥରରେ ମୂର୍ତ୍ତି ହୋଇ ଗଲା । ସୌଦାଗର ପୁଅ ରାଜାଙ୍କୁ କହି ମନ୍ତ୍ର ରାକ୍ଷସର ପାଷାଣ ମୂର୍ତ୍ତିର ଚାରି ପାଶ୍ୱର୍ରେ ଗୋଟିଏ କାଚର ଗୃହ ନିର୍ମାଣ କରାଇ ନିଜ ସ୍ଥାନକୁ ଚାଲି ଗଲେ ।

ଶୁଣିଲୁ ବାବୁ ବୋଲକରାରେ

ମନ୍ତ୍ର ରାକ୍ଷସର କଥା

ପାଷାଣ ହୋଇ ରହିଲା ଏଠି

ତୋର ଲାଗି ଚିନ୍ତା ।

ଉପଦେଷ୍ଟାଙ୍କ ଠାରୁ ଏ କଥା ଶୁଣି ବୋଲକରା କହିଲା, ଗଲା ମୋ ମୁଣ୍ଡରୁ ଗୋଟିଏ ମସ୍ତ ବଡ ଚିନ୍ତା ଗଲା ।

ମନୋଜ କୁମାର ପଣ୍ଡା

ଅଡା,ବାଲେଶ୍ବର

ଯମୁନା ଯାତ୍ରା ବୋଲକରା

Rate the content


Originality
Flow
Language
Cover design

Comments

Post

Some text some message..