Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushama Parija

Tragedy

3  

sushama Parija

Tragedy

ପ୍ରଭାତୀ ତାରା

ପ୍ରଭାତୀ ତାରା

11 mins
4.9K


ସକାଳୁ ସକାଳୁ ଅନିରୁଦ୍ଧ ପଟ୍ଟନାୟକଙ୍କୁ ଜଗନ୍ନାଥ ମନ୍ଦିରର ଗୋଟିଏ କୋଣରେ ଆଖି ବନ୍ଦ କରି ବସି ଥିବାର ଦେଖି ଚମକି ପଡିଲା ସୁରଭି । ସବୁଦିନ ସକାଳୁ ସେ ଏଇ ମନ୍ଦିର ଆସେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି । ପଟ୍ଟନାୟକ ବାବୁଙ୍କୁ ସେ କେବେ ଏତେ ସକାଳୁ ଆସିବାର ଦେଖିନାଇଁ ସେ । ପଟ୍ଟନାୟକ ବାବୁ ଏଇ ସିଡିଏ ନଅ ନମ୍ବର ସେକ୍ଟର୍ ର ଜଣେ ଗଣମାନ୍ୟ ବ୍ୟକ୍ତି । ସେକ୍ଟର୍ ର ସବୁ ଉନ୍ନୟନ ମୂଳକ କାର୍ଯ୍ୟ ଓ ସଭାସମିତିରେ ତାଙ୍କ ଉପସ୍ଥିତି ଦେଖିଛି ସୁରଭି। ତାଙ୍କରି ଘର ବାଟ ଦେଇ ସବୁ ଦିନେ ଏଇ ମନ୍ଦିରକୁ ଆସିଥାଏ ସେ। କଲୋନୀରେ ଗୋଟିଏ ମୁଣ୍ଡରେ ତାଙ୍କର ସୁଦୃଶ୍ୟ ଦ୍ବିତଳ ପ୍ରାସାଦ ଆଉ ତା' ଆଗରେ ଥିବା ସୁନ୍ଦର ଫୁଲବଗିଚା ଯିଏ ଥରେ ଦେଖିବ ସହଜରେ ଆଖି ଫେରାଇ ନେଇ ପାରିବନି । ଅନେକ ଥର ସେପଟଦେଇ ଗଲାବେଳେ ସେଇ ଘରକୁ ଦେଖି ନିଜେ ବିମୋହିତ ହୋଇଛି ସୁରଭି। ଯେତେବେଳେ ଦେଖିବ ସେଇ ବଗିଚାରେ କିଛି ନା କିଛି କାମ କରୁଥିବେ ପଟ୍ଟନାୟକ ବାବୁ। ଭଳି କି ଭଳି ସୁନ୍ଦର ଗୋଲାପ ଫୁଲ ସହିତ ଋତୁ ଫୁଲ ମାନଙ୍କ ରେ ଭର୍ତ୍ତି ହୋଇ ରହିଥାଏ ସେ ବଗିଚା ଟି । କିନ୍ତୁ କେବେ ବି କାକାହାରିକୁ ସେଇ ବଗିଚାରୁ ଫୁଲଟିଏ ତୋଳିବାର ଦେଖିନଥିଲା ସେ।

ଥରେ କୌତୁହଳବଶତଃ ମନ୍ଦିର ର ପୂଜାରୀ ନନାଙ୍କୁ ପଚାରିଥିଲା ସୁରଭି " ଏଇ ଆମ ପଟ୍ଟନାୟକ ବାବୁ ଙ୍କ ଘରେ କ'ଣ କେହି ରହନ୍ତିନି କି ନନା? " । ମୁହଁ ଶୁଖାଇ ନନା ଉତ୍ତର ଦେଇଥିଲେ " କିଏ ଅଛି ଯେ ରହିବ ? ତାଙ୍କ ସ୍ତ୍ରୀ ଚାଲିଯିବାର ବୋଧହୁଏ ବାର କି ତେର ବର୍ଷ ହେବ ,ଗୋଟିଏ ବୋଲି ପୁଅ ସେ ବି ଆମେରିକାରେ ଚାକିରୀ ବାକିରୀ କରି ତିନି ବର୍ଷ ହେବ ରହିଲାଣି ସେଠି । ତାଙ୍କର ସ୍ତ୍ରୀ ଖୁବ୍ ଭଲ ମଣିଷ ଥିଲେ ମାଆ! ଦୁଃଖୀରଙ୍କି ଙ୍କର ପେଟ ଚିହ୍ନୁଥିଲେ । ତମେ ସିନା ଏଇ କେତେ ବର୍ଷ ହେବ ଆସି ଏଇଠି ରହୁଛ, ମୁଁ ପରା ଦୀର୍ଘ ବର୍ଷ ହେଲାଣି ଏଇ ମନ୍ଦିର ଗଢା ହେଲା ଦିନଠାରୁ ଏଠି

ଅଛି, ଘର ଘର କରି ସମସ୍ତଙ୍କୁ ଚିହ୍ନିଛି, ଜାଣିଛି । ସେ ବାବୁ ଖୁବ୍ ଭଲପାଉଥିଲେ ତାଙ୍କ ସ୍ତ୍ରୀଙ୍କୁ । ତାଙ୍କର ଫୁଲରେ ଶରଧା ଥିଲା ବୋଲି ଘର ଆଗରେ ମାଳୀ ଟିଏ ରଖି ସେଇ ସୁନ୍ଦର ଫୁଲ ବଗିଚା ଟି କରାଇଥିଲେ । ସେ ମାଆ ଜଣକ ତମରି ଭଳି ସବୁଦିନ ସକାଳେ ଆସୁଥିଲେ ପ୍ରଭୁଙ୍କୁ

ଦର୍ଶନ କରିବା ଲାଗି, ଡାଲାରେ ଡାଲାଏ ଲେଖାଏଁ ସେଇ ବଗିଚାରୁ ସଜଫୁଲ ଆଣୁଥିଲେ ଠାକୁରଙ୍କୁ ସଜାଇବା ପାଇଁ । ହଠାତ୍ ଦିନେ ରାତିରେ ହୃଦ୍ ଘାତ ହେଲା ତାଙ୍କର, ମେଡିକାଲ ନେବା ଭିତରେ କାଳ ହୋଇଗଲା ତାଙ୍କର । ପୁଅ ଟି ସ୍କୁଲ୍ ରେ ପଢୁଥାଏ ସେତେବେଳେ , ଯେଉଁ କଷ୍ଟରେ ପଟ୍ଟନାୟକ ବାବୁ ପାଳିଛନ୍ତି ସେଇ ପିଲାକୁ ତମେ କଳ୍ପନା କରି ପାରିବନି ମାଆ । ଛାତି ରେ ପଥର ରଖି ନିଜେ ଛୁଆର ସବୁ କାମ କରୁଥିଲେ । ଘରେ ପାର୍ଟ ଟାଇମ୍ କାମବାଲୀ ଟିଏ ଆସି ବାସନମଜା, ଲୁଗାସଫା, ରନ୍ଧାବଢା କରି ଦେଇ ଯାଉଥିଲା । ବାକି ସବୁ କାମ ନିଜ ହାତରେ କରୁଥିଲେ ପଟ୍ଟନାୟକ ବାବୁ । କଲେକ୍ଟରଙ୍କ ଅଫିସ୍ ରେ ଚାକିରୀ, ପୁଅର ଖାଇବା ପିଇବା, ପାଠ ପଢା ଇତ୍ୟାଦି ନିଜେ ବୁଝାବୁଝି କରି ସବୁ କରୁଥିଲେ ।

ସବୁ କାମ ଭିତରେ ବି ତାଙ୍କ ସ୍ତ୍ରୀଙ୍କର ପ୍ରିୟ ଫୁଲ ବଗିଚା କଥା ଭୁଲି ନଥିଲେ ସେ । ସବୁ ଗଛପତ୍ର ର ନିଜେ ଯତ୍ନ ନେଉଥିଲେ, ସେମିତି ଭଳି କି ଭଳି ସୁନ୍ଦର ଗୋଲାପ ଫୁଲ ସହିତ ଅନ୍ୟାନ୍ୟ ଫୁଲ ଫୁଟୁଥିଲା ହେଲେ ସେ ସେଥିରୁ ଗୋଟିଏ ହେଲେ ବି ତୋଳି ନଥିଲେ । ସେଇ ଫୁଟିଥିବା ଫୁଲ ମାନଙ୍କୁ ନିର୍ମିମେଷ ନୟନରେ ଚାହିଁ ବସି ରହୁଥିଲେ ବଗିଚାରେ ତିଆରି ହୋଇଥିବା ସେଇ ସିମେଣ୍ଟ ବେଞ୍ଚଟିରେ, ଯେଉଁଠି ତାଙ୍କର ସ୍ତ୍ରୀଙ୍କ ସହିତ ସେ ଆଗରୁ ବସି ରହୁଥିଲେ ଘଣ୍ଟା ଘଣ୍ଟା ଧରି । ଯାହା ଯେମିତି ଚାଲିଥିଲା , ତାଙ୍କ ରିଟାୟାରମେଣ୍ଟ୍ ପରେ ପରେ ପୁଅ ଟି ଚାଲିଗଲା ଇଞ୍ଜିନିୟରିଂ ପଢିବା ପାଇଁ ରାଉରକେଲା, ସେଇଠୁ ସଂପୂର୍ଣ୍ଣ ଭାବେ ଏକୁଟିଆ ହୋଇଗଲେ ସେ । ଧୀରେ ଧୀରେ କଲୋନୀର ସବୁ ଉନ୍ନୟନ ମୂଳକ କାର୍ଯ୍ୟ ରେ ସବୁବେଳେ ଲିପ୍ତ ରହିଲେ ପଟ୍ଟନାୟକ ବାବୁ । ଚାରିବର୍ଷର ଇଞ୍ଜିନିୟରିଂ ପଢା ପରେ କ୍ୟାମ୍ପସ୍ ସିଲେକ୍ସନ୍ ରେ ଚାକିରୀ ପାଇ ତାଙ୍କ ପୁଅ ସନତ୍ ଚାଲିଗଲା ବେଙ୍ଗାଲୁରୁ । ଯେଉଁ ଦିନ ବେଙ୍ଗାଲୁରୁରେ ଚାକିରୀ ପାଇବା କଥା ଜଣାଇଥିଲା ସନତ୍, ସେଦିନ ଖୁସିରେ କାନ୍ଦି ପକେଇଥିଲେ ପଟ୍ଟନାୟକ ବାବୁ ।

ମୋ ପୁଅ ସନତ୍ ଚାକିରୀ ପାଇ ଯାଇଛି କହି ଏଇ ମନ୍ଦିରରେ ପାଆଁଶ ଟଙ୍କାର ଲଡୁ ଭୋଗକରି କଲୋନୀରେ ବାଣ୍ଟିଥିଲେ । ମତେ ଶହେ ଟଙ୍କା ଦକ୍ଷିଣା ଦେଇ କହିଥିଲେ " ବୁଝିଲ ନନା ! ଚାରୁ ଗଲା ପରେ ମୁଁ ଭାବିନଥିଲି ଯେ ଏକୁଟିଆ ଏଇ ପୁଅଟିକୁ ପାଳି ପୋଷି, ତା'ର ଯତ୍ନ ନେଇ ,ତା'କୁ ଏଡୁଟି ରୁ ଏଡୁଟିଏ କରି ପାରିବି, ସବୁ ଦିନେ ରାତିରେ ଶୋଇବା ବେଳେ ଚାରୁଙ୍କୁ କ୍ଷମା ମାଗେ, ଯଦି ତମ ପୁଅକୁ କିଛି ଅଣହେଳା କରି ଥିବି ମତେ ମାଫ୍ କରିଦେବ । ଆଜି ସେ ମଣିଷ ହୋଇ ତା'ର ନିଜ ଗୋଡରେ ନିଜେ ଛିଡା ହୋଇଛି, ମୋର ଦାୟିତ୍ଵ ସରିଛି , ଖାଲି ତା'କୁ ହାତକୁ ଦିହାତ କରିଦେଲେ ମୋ କାମ ଶେଷ । ତେଣିକି ତାଙ୍କ ସଂସାର ସିଏ ବୁଝିବେ, ମୋର ଜଗନ୍ନାଥ ଭରସା " ।

ବୟସ ମଧ୍ୟ ବଢି ଚାଲିଥିଲା, ତାଙ୍କର ଏକୁଟିଆପଣ ତାଙ୍କୁ ଖାଇ ଗୋଡାଉଥିଲା କି କ'ଣ କେଜାଣି? ସେ ବେଶୀ ସମୟ ମନ୍ଦିର କାମ,କଲୋନୀର

ଉନ୍ନତି ପାଇଁ ସଭାସମିତିରେ କାଟିବାରେ ଲାଗିଥିଲେ। ଚାକିରୀ କରିବାର ବର୍ଷ ଟିଏ ପରେ ସନତ୍ କୁ ତା'ର କମ୍ପାନୀ ପକ୍ଷରୁ ବିଦେଶରେ କାମ କରିବା ଲାଗି ସୁଯୋଗ ମିଳିଥିଲା । ତା'ର ଭଲ କାମ ଦେଖି କମ୍ପାନୀ ତା'କୁ ଆମେରିକା ପଠାଇ ଦେଇଥିଲେ । ଖବର ପାଇ ଖୁବ୍ ବ୍ୟତିବ୍ୟସ୍ତ ହୋଇ ପଡିଥିଲେ ପଟ୍ଟନାୟକ ବାବୁ । ଛୋଟ ପିଲାଟା ବିଦେଶରେ ଏକୁଟିଆ କେମିତି ରହିବ, କେମିତି ଚଳିବ , ଏଇ ଚିନ୍ତା ରେ ସବୁବେଳେ ସେ ମନେ ମନେ ଘାରି ହେଉଥିଲେ । ପ୍ରଥମେ ପ୍ରଥମେ ସନତ୍ ବାପାଙ୍କ ପାଖକୁ ପ୍ରାୟ ସବୁ ଦିନେ ଫୋନ୍ କରି ସେ ଭଲ ଅଛି, ତା' ପାଇଁ କୌଣସି ଚିନ୍ତା କରିବାର ନାହିଁ, ବରଂ ସେ ନିଜର ଯତ୍ନ ନିଅନ୍ତୁ ବୋଲି କହୁଥିଲା , କିନ୍ତୁ ସମୟ ଗଡିବା ସହିତ ସେଇ ଫୋନ୍ ଆସିବାର ବ୍ୟବଧାନ ବଢି ଯାଇଥିଲା।

ସବୁ ଦିନ ରାତି ଅନିଦ୍ରା ରହି ପୁଅର ଫୋନ୍ କୁ ଅପେକ୍ଷା କରି ରହୁଥିଲେ ପଟ୍ଟନାୟକ ବାବୁ । ଧୀରେ ଧୀରେ ତାଙ୍କର ଶରୀର ଦୁର୍ବଳ ହେବାରେ ଲାଗିଥିଲା , ଏଇ ସମୟରେ ପୁଅ ଦିନେ ଫୋନ୍ କରି ଜଣାଇ ଦେଲା ଯେ ସିଏ ସେଠାରେ ତା'ର ଜଣେ ସହକର୍ମୀ କୁ ରେଜିଷ୍ଟ୍ରି ମ୍ୟାରେଜ୍ କରିଛି ଏବଂ ତାଙ୍କର ଆଶୀର୍ବାଦ ନେବା ପାଇଁ ସେମାନେ ସୁବିଧା ସୁଯୋଗ ଦେଖି କେବେ ଇଣ୍ଡିଆ ଆସିବେ। ସେଦିନ ସ୍ତବ୍ଧ ହୋଇ ଯାଇଥିଲେ ପଟ୍ଟନାୟକ ବାବୁ ।

ଶରୀର ତ ଦୁର୍ବଳ ଥିଲା କିନ୍ତୁ ମନର ବଳରେ ସେ ମାଡି ଚାଲିଥିଲେ, ହେଲେ ସନତ୍ ର ବାହାଘର କଥା ଶୁଣି ତାଙ୍କର ହୃଦୟ ଭାଙ୍ଗି ଗଲା। ତାଙ୍କୁ ଚାରିଦିଗ ଶୂନ୍ୟ ଦିଶୁଥିଲା, ମନରେ ଆଶଙ୍କା ହେଉଥିଲା ଯଦି ପତ୍ନୀର ମୋହରେ ସନତ୍ ଆମେରିକାରେ ସବୁଦିନ ପାଇଁ ରହିଯାଏ , ତେବେ ତାଙ୍କର କ'ଣ ହେବ? ତାଙ୍କ ମଲା ମୁହଁରେ ନିଆଁ ଟିକିଏ ଦେବାକୁ ଏ ସଂସାର ରେ କେହି ନାହିଁ । ତିରିଶି ବର୍ଷ ତଳେ କଟକରେ ଜାଗା କିଣି ଘର କଲାବେଳେ ସେ ଗାଁ ରେ ଥିବା ପୈତୃକ ସମ୍ପତ୍ତି ବିକ୍ରି କରିବା ସହିତ ଗାଁ ସହ ସବୁ ସଂପର୍କ ତୁଟେଇ ଦେଇଥିଲେ । ନିଜର ଚାକିରୀ, ନିଜର ସ୍ତ୍ରୀ, ନିଜର ପୁଅ, ନିଜର ଘରଦ୍ବାର କଥା ଚିନ୍ତା କରି କରି ଚାକିରୀ ସରିଗଲା ପରେ ଏଇ ଘରେ ବାନ୍ଧି ହୋଇ ରହି ଯାଇଛନ୍ତି , ଏବେ ସେ କ'ଣ କରିବେ ? କେମିତି କାଟିବେ ତାଙ୍କ ବଳକା ଜୀବନ ? କିଏ ତାଙ୍କର ସାହା ଭରସା ହେବ ? ଏମିତି ଅନେକ ଚିନ୍ତା କରି କରି ରୋଗାକ୍ରାନ୍ତ ହୋଇ ପଡିଥିଲେ ସେ । ଏବେ ସବୁବେଳେ ଚୁପ୍ ଚାପ୍ ରୁହନ୍ତି ସେ , କେହି କିଛି ପଚାରିଲେ ମନ ହେଲେ ଉତ୍ତର ଦିଅନ୍ତି ନହେଲେ ନାହିଁ, ସେମିତି ଚୁପ୍ ହୋଇ ଘରେ ବସିଥାନ୍ତି ।

ସେଦିନ ପୂଜାରୀନନାଙ୍କ କଥା ଶୁଣି ଖୁବ୍ ଦୁଃଖିତ ହୋଇଥିଲା ସୁରଭି । ପଟ୍ଟନାୟକ ବାବୁ ଙ୍କ ଲାଗି ତା'ର ମନରେ କେମିତି ଗୋଟେ ଦୟାର ଭାବ ଉଦ୍ରେକ ହୋଇଥିଲା । ତା'ର ନିଜର ବାପା ମାଆଙ୍କୁ ଖୁବ୍ ଛୋଟବେଳୁ ହରାଇ ସେ ମାମୁଁ ଘରେ ମାଇଁ ଙ୍କ ପାଖରେ ବଢିଥିଲା । ବାହାଘର ପରେ ଶାଶୁଘରକୁ ଆସିଲା ବେଳକୁ ଶଶୁର ନଥିଲେ, ଦୁଇଟା ବର୍ଷରେ ଶାଶୁ ଚାଲିଗଲେ । ବାହାଘରର ସାତ ବର୍ଷ ପରେ ବି ତା'ର କୋଳ ଖାଲି ଥିଲା ।

ସ୍ୱାମୀ ବୈଜୟନ୍ତ ଙ୍କର ଅମାପ ସ୍ନେହ ସତ୍ତ୍ୱେ ମଧ୍ୟ ତା'ର ମନ ସନ୍ତାନଟିଏ ପାଇଁ ବ୍ୟାକୁଳ ହେଉଥିଲା। ସେଇ ମନାସ କରି ସବୁଦିନ ସେ ଜଗନ୍ନାଥ ମନ୍ଦିରକୁ ଆସୁଥିଲା । ସେଠି ପ୍ରାୟତଃ ପଟ୍ଟନାୟକ ବାବୁଙ୍କ ସହିତ ଦେଖା ହେଉଥିଲା । ତାଙ୍କୁ ନମସ୍କାର ଟିଏ କରି ଆଗେଇ ଯାଉଥିଲା ସୁରଭି ।

ପଟ୍ଟନାୟକ ବାବୁଙ୍କୁ ଦେଖିଲେ ତା'କୁ ଲାଗୁଥିଲା ସେ ତା'ର କେହି ଆପଣାର ଲୋକ ବୋଲି । ମନରେ ସ୍ବତଃ ଭକ୍ତି ଆସୁଥିଲା, ତା'ର ଖୁବ୍ ଇଚ୍ଛା ହେଉଥିଲା ସେ ତାଙ୍କର ସେବା ଶୁଶ୍ରୁଷା କରନ୍ତା,ତାଙ୍କର ଦୁଃଖ ସୁଖ ବାଣ୍ଟନ୍ତା । କିନ୍ତୁ ମୁହଁ ଖୋଲି କିଛି କହି ପାରୁନଥିଲା କାଳେ ସେ ଖରାପ ଭାବିବେ ବୋଲି । ଆଜି ତାଙ୍କୁ ମନରେ ଏମିତି ଭାବରେ ବସି ଥିବାର ଦେଖି ମନଟା ସମ୍ଭାଳି ହେଲାନି ସୁରଭି ର। ତାଙ୍କର ପାଖକୁ ଯାଇ ଡାକିଲା " ମଉସା !

ଏତେ ସକାଳୁ ଏଠି ଏମିତି କାହିଁକି ବସି ରହିଛନ୍ତି ?" କୌଣସି ଉତ୍ତର ନପାଇ ତାଙ୍କ ବାହୁକୁ ଧରି ହଲାଇ ଦେବାରୁ ତଳକୁ ଗଡି ପଡିଲେ ସେ। ଛାନିଆଁ ହୋଇ ଡାକ ପକେଇଲା ସୁରଭି " ନନା ! ନନା !ଧାଇଁ ଆସ , ମଉସା ଏଠି ପଡି ଗଲେ " । ସୁରଭି ର ଚିତ୍କାର ଶୁଣି ମନ୍ଦିର ବେଢା ଭିତରେ ଥିବା ନିଜର ବସାଘରୁ ଧାଇଁ ଆସିଲେ ନନା । ଦୁହେଁ ମିଶି ଟେକି ନେଇ ମନ୍ଦିରର ନାଟ ମଣ୍ଡପ ଉପରେ ଶୁଆଇ ଦେଇ ମୁହଁରେ ପାଣି ଛାଟି ଚେତା ଫେରାଇବା ଲାଗି ଚେଷ୍ଟା କରୁ କରୁ କଲୋନୀର ଅନେକ ଲୋକ ଜମା ହୋଇଗଲେ ସେଠାରେ । ପଟ୍ଟନାୟକ ବାବୁଙ୍କ ଦେହରେ ଭୀଷଣ ତାତି , ଥରଥର ହୋଇ ସାରା ଶରୀର କମ୍ପୁଥାଏ । ଦେଖଣାହାରୀଙ୍କ ଭିତରେ ଥିଲେ ଜଣେ ଡାକ୍ତର । ସେ ଆଗେଇ ଆସି ପରୀକ୍ଷା କଲେ ପଟ୍ଟନାୟକ ବାବୁଙ୍କୁ । କହିଲା " କିଛି ଗୋଟିଏ ମାନସିକ ଆଘାତରେ ପଟ୍ଟନାୟକ ବାବୁ ଙ୍କର ହୃଦଘାତ ହୋଇଛି, ସାଙ୍ଗେ ସାଙ୍ଗେ ମେଡିକାଲ ନେବାକୁ ହେବ " ।

ଆସନ୍ତୁ ମୋ ସାଥିରେ, ଏଇ ପାଖରେ ଥିବା ନର୍ସିଂ ହୋମ୍ କୁ ନେଇଯିବା । କିଛି ଲୋକଙ୍କ ସହାୟତାରେ ତତ୍ କ୍ଷଣାତ୍ ନିଆଗଲା ତାଙ୍କୁ ନର୍ସିଂ ହୋମ୍ କୁ । ସେମାନଙ୍କ ସହିତ ସୁରଭି ମଧ୍ୟ ଗଲା । ଡାକ୍ତର ଜଣକ ସାଙ୍ଗରେ ଥିବାରୁ ନର୍ସିଂ ହୋମ୍ ର ଷ୍ଟାଫ୍ ମାନେ ତୁରନ୍ତ ଚିକିତ୍ସା ଆରମ୍ଭ କରି ଦେଲେ ପଟ୍ଟନାୟକ ବାବୁଙ୍କର। କଲୋନୀର କିଛି ଯୁବକ ମଧ୍ୟ ପହଞ୍ଚି ଯାଇଥିଲେ ସେଠାରେ, ସୁରଭି ସହିତ ସେମାନେ ବି ଜଗି ରହିଥାନ୍ତି ପଟ୍ଟନାୟକ ବାବୁଙ୍କୁ । କଲୋନୀ ର ବୟସ୍କ ଲୋକମାନେ ସାହସ ଦେଉଥାନ୍ତି " କିଛି ଚିନ୍ତା ନକରି ପଟ୍ଟନାୟକ ବାବୁ ଙ୍କ ଚିକିତ୍ସା ଜାରି ରଖ, ଯାହା ଖର୍ଚ୍ଚ ହେବ ଆମେ ସମସ୍ତେ ମିଶି କରିବା, ତାଙ୍କର କେହି ନଥିଲେ କ'ଣ ହେଲା, ସେ ଆମର ନିଜଲୋକ , ଆମରି ଭିତରୁ ଜଣେ, ଆମେ ସମସ୍ତେ ମିଳିମିଶି ତାଙ୍କର ସେବା ଶୁଶ୍ରୁଷାରେ ଲାଗିବା, ତାଙ୍କର କିଛି ହେବନି, ଆମେ ତାଙ୍କୁ ଏଠୁ ସୁସ୍ଥ କରି ନେଇ ତାଙ୍କ ଘରେ ଛାଡିବା" । ସମସ୍ତେ ମିଶି ପଟ୍ଟନାୟକ ବାବୁଙ୍କ ଆରୋଗ୍ଯ କାମନା କରି ପ୍ରାର୍ଥନା କରୁ ଥାଆନ୍ତି । ସମସ୍ତଙ୍କ ପ୍ରାର୍ଥନା ବୋଧହୁଏ ଜଗନ୍ନାଥ ମହାପ୍ରଭୁ ଶୁଣିଲେ । ସନ୍ଧ୍ୟା ସୁଦ୍ଧା ପଟ୍ଟନାୟକ ବାବୁ ଙ୍କ ଚେତା ଫେରିଲା, ଧୀରେ ଧୀରେ ଆଖି ଖୋଲି ଚାହିଁଲେ ସେ । ମୁଁ କୋଉଠି ବୋଲି ଧୀରସ୍ୱରରେ ପଚାରିଲେ ସେ। ତାଙ୍କ ପାଦ ତଳେ ବସି ରହିଥିଲା ସୁରଭି, ତାଙ୍କୁ ଆଖି ଖୋଲିବାର ଦେଖି ଭାବବିହ୍ବଳ ହୋଇ " ମୋ ବାପା" ବୋଲି ଡାକି ବହେ ଆଉଁସି ଦେଇ ଛାତିରେ ଲୋଟି ପଡିଲା ତାଙ୍କର ।

ଅବୁଝା ଆଖିରେ ଚାହିଁ ରହିଥିଲେ ପଟ୍ଟନାୟକ ବାବୁ । ସୁରଭି ସହିତ ଥିବା ଯୁବକ ମାନେ ତାଙ୍କ ପାଖକୁ ଆସି ସବୁ ଘଟଣା କହିଥିଲେ ,କେମିତି ସୁରଭି ଅପା ମନ୍ଦିରରେ ତାଙ୍କୁ ବେହୋସ ଅବସ୍ଥାରେ ଦେଖି ନନା ଆଉ କଲୋନୀର ଅନ୍ୟ ଲୋକମାନଙ୍କ ସାହାଯ୍ୟ ନେଇ ଏଇ ନର୍ସିଂ ହୋମ୍ କୁ ଆଣି ଚିକିତ୍ସା କରାଇଥିଲେ ଏବଂ ସୁରଭି ଅପା ନିଜର ଝିଅ ଭଳିଆ ତାଙ୍କର ପାଖେ ପାଖେ ରହିଛନ୍ତି ସେଇ ସମୟ ଠାରୁ । ଗଭୀର କୃତଜ୍ଞତା ରେ ଭାରି ହୋଇ ଯାଉଥିଲା ପବୁ ଙ୍କ କଣ୍ଠସ୍ବର । ଧାର ଧାର ହୋଇ ଲୁହ ଗଡି ପଡୁଥିଲା ପଟ୍ଟନାୟକ ବାବୁ ଙ୍କ ଆଖି ରୁ , ସେ ଥର ଥର କଣ୍ଠ ରେ କହିଟ୍ଟନାୟକ ବା ଉଠିଲେ " ମା ! " ପୁଣି ତାଙ୍କର ଆଖି ପତା ମୁଦି ହୋଇଗଲା । ପାଖରେ ଥିବା ନର୍ସ୍ ଡାକି ଆଣିଲେ ଡାକ୍ତରଙ୍କୁ। ସେ ତାଙ୍କୁ ଇଞ୍ଜେକସନ୍ ଟିଏ ଦେବା ପରେ ସୁରଭି କୁ ଡାକି କହିଗଲେ , ପେସେଣ୍ଟ୍ କୁ ଯଥାସମ୍ଭବ ଚିନ୍ତାମୁକ୍ତ କରି ରଖନ୍ତୁ, କୌଣସି ପ୍ରକାର ଷ୍ଟ୍ରେସ୍ ତାଙ୍କ ପାଇଁ ପ୍ରାଣଘାତକ ହୋଇପାରେ । କ'ଣ କରିବ ବୋଲି ଚିନ୍ତାରେ ପଡିଲା ସୁରଭି । ପଟ୍ଟନାୟକ ବାବୁ ଙ୍କ ବର୍ତ୍ତମାନ ର ଚିନ୍ତା ର କାରଣ ସିନା ସେ ଜାଣିଲେ ତା'ର ପ୍ରତିକାର କ'ଣ କରିବ, ହେଲେ ସେ କେମିତି ପଚାରିବ ତାଙ୍କୁ? କ'ଣ ଭାବିବେ ସେ ? ଏମିତି ଚିନ୍ତା କରି କରି ସେ ବ୍ୟତିବ୍ୟସ୍ତ ହୋଇ ପଡୁଥିଲା, ସେଇ ସମୟରେ ସେଠାରେ ପହଞ୍ଚିଲେ ବୈଜୟନ୍ତ । ସକାଳେ ତାଙ୍କୁ ସବୁ ଘଟଣା ଫୋନ୍ କରି ଜଣାଇ ଦେଇଥିଲା ସୁରଭି । ପଟ୍ଟନାୟକ ବାବୁଙ୍କ ପାଇଁ ସୁରଭିର ଆତ୍ମୀୟତା ବେଶ୍ ଜଣାଥିଲା ତାଙ୍କୁ । ବୈଜୟନ୍ତଙ୍କର ମଧ୍ୟ ପଟ୍ଟନାୟକ ବାବୁଙ୍କ ଦୁଃଖର କଥା ଶୁଣି ତାଙ୍କ ପ୍ରତି ସମବେଦନା ବଢିଥିଲା । ଘଟଣାଟି ଘଟିବା ବେଳକୁ ତାଙ୍କର ଅଫିସ୍ ବେଳ ହୋଇ ଯାଇଥିବାରୁ ସୁରଭିକୁ ଯାହା କରିବାର ଦରକାର ଅଛି କର ବୋଲି ଅନୁମତି ଦେଇଥିଲେ ବୈଜୟନ୍ତ । ଏବେ ଅଫିସ୍ ରୁ ଫେରି ସିଧା ନର୍ସିଂ ହୋମ୍ କୁ ଆସିଛନ୍ତି ସେ । ସୁରଭି ସହିତ ସେ ଆଜି ରାତିରେ ପଟ୍ଟନାୟକ ବାବୁ ଙ୍କୁ ନର୍ସିଂ ହୋମ୍ ରେ ଜଗି ରହିବେ ବୋଲି କହି ସେଠାରେ ଥିବା କଲୋନୀର ଯୁବକ ମାନଙ୍କୁ ଘରକୁ ପଠାଇ ଦେଇଥିଲେ ସେ । ସାରାରାତି ସେମିତି ତାଙ୍କର ବେଡ୍ ପାଖରେ ଜଗି ବସିଥିଲେ ସ୍ୱାମୀ ସ୍ତ୍ରୀ ଦୁହେଁ । ସକାଳେ ନିଦ ଭାଙ୍ଗିଲା ପଟ୍ଟନାୟକ ବାବୁଙ୍କର । ସୁରଭି ସହିତ ତା'ର ସ୍ୱାମୀଙ୍କୁ ଦେଖି ସେ ବୁଝିଗଲେ ଯେ

ରାତିସାରା ଅନିଦ୍ରା ରହି ଦୁଇଜଣ ଯାକ ତାଙ୍କୁ ଜଗି ବସିଛନ୍ତି । କୃତଜ୍ଞତା ରେ ମୁଣ୍ଡ ନଇଁ ଯାଇଥିଲା ତାଙ୍କର । ସେ ଭୋ ଭୋ ହୋଇ ପିଲାଙ୍କ ଭଳି କାନ୍ଦି ଉଠିଲେ । ସୁରଭିକୁ ଚାହିଁ କହିଲେ " ମାଆ ରେ ! ତୁ ଆର ଜନ୍ମରେ ମୋର ମାଆ ଥିଲୁ ନିଶ୍ଚୟ,, ନହେଲେ ପର ଲୋକଟିଏ ପାଇଁ ଏତେ କିଏ କରେ? ଆଜିକାଲି ନିଜର ଜନ୍ମ କଲା ପୁଅ ତ ବାପକୁ ପଚାରୁନି, ଆଉ ପର ପାଇଁ ? ତୁ ମତେ ୠଣୀ କରିଦେଲୁ ରେ ମାଆ ! କେମିତି ଏ ଜୀବନରେ ତୋର ଋଣ ଶୁଝିବି? " । ତାଙ୍କର ଦୁଇ ହାତକୁ ଧରି ପକାଇଲା ସୁରଭି, କହିଲା " ଛି, ଛି , ଇଏ କି କଥା କହୁଛନ୍ତି ବାପା !

ମୁଁ କ'ଣ ଆପଣଙ୍କ ଝିଅ ନୁହେଁ? ପିଲାଟି ଦିନରୁ ବାପକୁ ହରାଇଛି ମୁଁ , ଏଠିକି ଆସି ରହିବାପରେ ଆପଣଙ୍କୁ ଦେଖି ସବୁବେଳେ ଆପଣଙ୍କ ଭିତରେ ମୋ ବାପାଙ୍କୁ ଦେଖିଛି, ଆପଣଙ୍କୁ ନିଜର ବାପା ବୋଲି ଭାବିଛି, ସେଇ ସ୍ନେହ, ସେଇ ଅଧିକାର ନେଇ ମୋର କର୍ତ୍ତବ୍ଯ ମୁଁ କରିଛି " । ଆହୁରି ଜୋର୍ ରେ କାନ୍ଦି ଉଠିଲେ ପଟ୍ଟନାୟକ ବାବୁ । କହିଲେ " ମାଆ ରେ ! କହିଲା ବେଳକୁ ଲାଜ ଲାଗୁଛି, ମୋ ସ୍ତ୍ରୀ ଚାରୁଲତା ଅଧା ବୟସରେ ଚାଲିଗଲା, ମତେ ଆଉ ମୋର ସାନ ପୁଅ ଟିକୁ ସଂସାରରେ ଏକୁଟିଆ ଛାଡି ଦେଇ। ସେଇ ପୁଅଟିକୁ ମାଆବାପ ଦୁଇଜଣଙ୍କ ସ୍ନେହ ଦେଇ ନିଜ ଲୁହକୁ ନିଜେ ପିଇ ମଣିଷ ଭଳିଆ ମଣିଷଟିଏ କରିବାରେ ସାରା ଜୀବନ ବିତିଗଲା ମୋର । ପାଠ ପଢି ବଡ କମ୍ପାନୀ ରେ ଚାକିରୀ ପାଇ ବିଦେଶ ଚାଲିଗଲା ସିଏ । ଆଖିରେ ଦେଖିଥିବା ଏ ବୁଢା ବାପ ଟାର ସବୁ ଦୁଃଖ, ସବୁ କଷ୍ଟ ପାଶୋରି ଦେଲା ବିଦେଶିନୀ ସ୍ତ୍ରୀ ଟିଏ ପାଇଗଲା ପରେ । ମୋର ତା' ଛଡା କିଏବା ଅଛି ଏଇ ସଂସାରରେ? ସେ ଥରଟିଏ ବି ଭାବିଲାନି ମୋ କଥା , ତା ବିନା ଏଠି କେମିତି , କେତେ କଷ୍ଟ ରେ ଜୀବନ ବିତାଉଛି ମୁଁ ସେକଥା ତ ଚିନ୍ତା କଲାନାହିଁ, ଏବେ ମତେ କହୁଛି ଏଠାର ଘରଦ୍ବାର ବିକ୍ରି କରି ଦେଇ ଆମେରିକା ଯାଇ ତା'

ପାଖରେ ରହିବା ପାଇଁ । ମୁଁ ମନା କଲାରୁ କହୁଛି କ'ଣ ନା ତା'ର ଆଉ ଇଣ୍ଡିଆ କୁ ଫେରିବାର ନାହିଁ, ତେଣୁ ଏଠାରେ ଏଇ ପ୍ରପର୍ଟି ରଖି ଲାଭ କ'ଣ? ବରଂ ୟାକୁ ବିକ୍ରି କରି ଆମେରିକାରେ ନିଜର ପ୍ରପର୍ଟି କିଣି ସେଇଠି ସେଟେଲ୍ ହୋଇଯିବା ବୁଦ୍ଧିମାନ୍ ର କାମ । ତା ଛଡା ମୁଁ ଏଠି ରହିଲେ ମୋର ଦେହ ମୁଣ୍ଡ ଦେଖିବ କିଏ ? ସେ ଏଠିକାର କୋଉ ପ୍ରପର୍ଟି ଡିଲର୍ ସହିତ ଯୋଗାଯୋଗ କରି ସାରିଛି,ଆର ମାସ ରେ ଆସି ଏ ଘରଦ୍ବାର ବିକ୍ରି କରି ମତେ ସାଥିରେ ନେଇଯିବ ଆମେରିକା । ତୁ କହିଲୁ ଝିଅ ! ମୁଁ ନିଜର ଝାଳବୁହା ଧନରେ କରିଥିବା ଏଇ ଘରଟା ଛାଡି ଯାଇ ପାରିବି? ଏଠି ପରା ତା' ମାଆର ସ୍ମୃତି ସାଇତା ହୋଇ ରହିଛି, ତା' ନିଜର ବାଲ୍ୟ, ଶୈଶବ, କୈଶୋର ର ସମସ୍ତ ସ୍ମୃତି ଏଠି ଲେସି ହୋଇ ରହିଛି ,ଯାହା ମତେ ବଞ୍ଚି ରହିବା ପାଇଁ ସାହସ ଦେଉଛି, ମୋ ଜୀବନର ଉର୍ଜା ପରା ଏଇ ଘରଟି , ୟାକୁ ଛାଡି ମୁଁ ବଞ୍ଚିବି କେମିତି ? କଥା ଶେଷ କଲା ବେଳକୁ କୋହ ଜମାଟ ବାନ୍ଧି ତାଙ୍କର କଣ୍ଠସ୍ବର କାନ୍ଦିଲା ଭଳିଆ ଶୁଣା ଯାଉଥିଲା ସୁରଭି କୁ । ବୈଜୟନ୍ତ ମୁଣ୍ଡ ତଳକୁ ପୋତି ବସି ରହିଥିଲେ ମଧ୍ୟ ସୁରଭି ଅନୁଭବ କରି ପାରୁଥିଲା ଯେ ସେ କାନ୍ଦୁଛନ୍ତି । ସେ ଦୁହିଁଙ୍କ ମନର କୋହ ଲୁହ ହୋଇ ବୋହି ଯାଉଥିଲା ସୁରଭିର ଆଖିରୁ । କିଛି ସମୟର ନୀରବତା ପରେ ଉଠି ଠିଆ ହେଲେ ବୈଜୟନ୍ତ । ପଟ୍ଟନାୟକ ବାବୁଙ୍କ ହାତକୁ ଚାପିଧରି ତାଙ୍କୁ ଆଶ୍ୱାସନା ଦେଲେ " ଆପଣ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ ମଉସା ! ମୁଁ କଥା ଦେଉଛି ଆପଣଙ୍କୁ, ଆପଣଙ୍କ ଘର ଆପଣଙ୍କ ପାଖରୁ କେହି ଛଡାଇ ନେଇ ପାରିବେନି, ଆପଣ ଏଇଠି ରହିବେ ଆପଣଙ୍କ ଘରେ, ଆମେରିକାରେ ରହୁ ଆପଣଙ୍କ ପୁଅ, ଆମେ ସମସ୍ତେ ମିଶି ଆପଣଙ୍କ ସେବା କରିବୁ, ଆପଣଙ୍କ ଭଲ ମନ୍ଦ ବୁଝିବୁ। ମୁଁ ଏବେ ଯାଉଛି ମନ୍ଦିରରେ ଆମ କଲୋନୀର ଲୋକମାନଙ୍କୁ ଏକତ୍ରିତ କରି ଏଇ କଥା ଜଣାଇବି, ଆମେ ଦେଖିବୁ କୋଉ ଆଇନ୍ ବଳରେ ସନତ୍ ଆପଣଙ୍କ ଠାରୁ ଆପଣଙ୍କ ଜୀବନର ସହାରା ଛଡାଇ ନେବ । ଦରକାର ହେଲେ ଆମେ ଥାନା ପୋଲିସ୍ ର ସହାୟତା ନେବୁ, ଆପଣ ଖାଲି ମନ ଦୃଢ କରି ସୁସ୍ଥ ହୋଇ ବସି ରୁହନ୍ତୁ , ସନତ୍ ଏକା ଆପଣଙ୍କ ପୁଅ ନୁହେଁ, ଆମେ ସମସ୍ତେ ଆପଣଙ୍କ ପୁଅ, ଆପଣ ଆମ ସମସ୍ତଙ୍କର ଦାୟିତ୍ଵ " ।

ପଟ୍ଟନାୟକ ବାବୁଙ୍କ ମୁହଁରେ ହସ ଉକୁଟି ଉଠିଲା । ତାଙ୍କୁ ଲାଗୁଥିଲା ଘନଘୋର ବର୍ଷାରାତିର ତମିସ୍ରା ଅପସରି ଯାଇଛି । ପ୍ରଭାତୀ ତାରା ଟି ତା'ର ଉଜ୍ବଳ ଆଲୋକ ବିକିରଣ କରି ତାଙ୍କୁ ଜୀବନର ଏକ ନୂତନ ଦିଗନ୍ତ ଦେଖାଇ ଦେଉଛି। ଗଭୀର ନିଶ୍ବାସ ଟିଏ ନେଇ ସେ ଆଖି ବନ୍ଦ କରି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହାତ ଯୋଡିଲେ ।।


Rate this content
Log in

Similar oriya story from Tragedy