Quotes New

Audio

Forum

Read

Contests


Write

Sign in
Wohoo!,
Dear user,
★ ଆଲୁଅର ଆରପାଖେ ★
★ ଆଲୁଅର ଆରପାଖେ ★
★★★★★

© Amiya Bej

Tragedy

8 Minutes   7.4K    17


Content Ranking

 ଏବେଏବେ ମଝିରାତିରେ ନିଦ ଭାଙ୍ଗିଲେ , ଆଉ ଚମକି ଉଠିପଡନ୍ତିନି ସାମନ୍ତରାଏ । ଅଭ୍ୟାସର କଥା ହେଇଗଲାଣି ଏସବୁ । ଗାଢରାତି ହେଲେ ସେ ନିଶ୍ଚୟ ଆସିବ । ଖଟ ଧାରରେ ବସିରହିବ ଚୁପଚାପ୍ । ସୁଧୀରଙ୍କର ନିଦ ନଭାଙ୍ଗିଲେ , ପାଦ ତଳକୁ ହାତମାରି କୁତୁକୁତୁ କରିବ । ଧଡପଡ ହୋଇ ଉଠିବସିବେ ସୁଧୀର ସାମନ୍ତରାଏ ।

- ସିଈଈଈଈଈଈ ! ଚୁପ୍ ! ସେ ଉଠିପଡିବ ।

ପାଟିରେ ଆଙ୍ଗୁଠି ଦେଇ ଚୁପ୍ ରହିବାର ଇଙ୍ଗିତ କରି , ଖଟ ଧାରକୁ ନିଘୋଡ଼ ନିଦରେ ଶୋଇ ରହିଥିବା 'ଆରାଧନା' ଆଡକୁ ଇଶାରା କରିବ ।

ଏଥର ସୁଧୀର ବାଥରୁମ୍ ଆଡକୁ ଉଠି ଚାଲିଯିବେ । ସେଠାରୁ ଫେରି ବାଲକୋନୀରେ ପଡିଥିବା ଆର୍ମଚେୟାରରେ ଯାଇ ବସିପଡିବେ । ଆକାଶ ଆଡକୁ ନିବିଷ୍ଟ କରିବେ । ଚୁମୁକି ଲଗା ଗାଢ କଳାରଙ୍ଗର ଚାଦରଟେ ପରି , ଆକାଶ ଭାସୁଥିବ ତାରା ମାନଙ୍କୁ ସାଥିରେ ଧରି ।

ସେଯାଏଁ ସେ ଖଟ ଉପରେ ମୁହଁପୋତି ଚୁପଚାପ ବସିରହିଥିବ । ଆରାଧନା ର ଗାଢ ନିଦର ସ୍ୱର ଶୁଭୁଥିବ । ଆହାଃ ! ବିଚାରୀକୁ ଟିକେ ଶୋଇବା ପାଇଁ ନିଦଗୋଲୀ ର ଭରସା କରିବାକୁ ହେଉଛି ଏବେଏବେ ।

ଏଥର ସେ ଖଟରୁ ଉଠିବ । ଫ୍ରିଜ୍ ଖୋଲି ପାଣିବୋତଲଟେ ଆଣି ସୁଧୀରଙ୍କ ପାଖକୁ ଲାଗି ଛିଡାହେବ । ତା' ହାତରୁ ବୋତଲଟି ନେଇ ଢକଢକ କରି ପିଇଯିବେ ସବୁଯାକ । ତାରି ଭିତରେ ସେ ଯାଇ କପବୋର୍ଡରୁ ସିଗାରେଟ୍ , ଲାଇଟର୍ , ଆସଟ୍ରେ ଆଦି ଆଣି ଟିପୟ ଉପରେ ସଜାଡି ସାରିଥିବ ।

ଗୋଟାକ ପରେ ଗୋଟାଏ ସିଗାରେଟ୍ ଜଳାଇ , ନିଜକୁ ପୋଡି ଚାଲୁଥିବେ ସୁଧୀର ସାମନ୍ତରାଏ। ଆକାଶ ଅଭିମୁଖେ ଛାଡୁଥିବା ଦୀର୍ଘଶ୍ୱାସର ଧୂଆଁ କୁଣ୍ଡଳୀ ସବୁ , ତାଙ୍କରି ଚାରିପାଖେ ଅନୁତପ୍ତର ଏକ ବହଳ ଆସ୍ତରଣ ତିଆରି କରୁଥିବେ ।

ସକାଳଯାଏଁ ପଡିରହିଥିବେ ସେଇମିତି ଆର୍ମଚେୟାରରେ । ଫେରିପାରୁନଥିବେ ବିଛଣାକୁ । ଆରାଧନା ନିଦବଟିକାର ପ୍ରଭାବରେ ଶୋଇରହିଥିବ ଆଠଟାଯାଏଁ । ତା' ଅଗୋଚରରେ , ରାତିସାରା ଘଟୁଥିବା ଘର ଭିତରର ଦୃଶ୍ୟ ସବୁକୁ ଜଣାଇ , ଆଉରି ଯନ୍ତ୍ରଣା ବଢାଇବାକୁ ଚାହୁଁନଥିବେ ସୁଧୀର ବାବୁ । ପ୍ରଚଣ୍ଡ ମାନସିକ ଅବସାଦ ଭୋଗୁଥିବା ପତ୍ନୀ ଉପରେ ଅଯଥା ଭାର ବଢାଇବାକୁ ଇଚ୍ଛୁନଥିବେ ସେ ।

ସେ' ଏପଟସେପଟ ହେଉଥିବ ଘରସାରା । କେବେ ଯାଇ ବାଥରୁମର ଅଧାଖୋଲା ନଳକୁ ବନ୍ଦ କରୁଥିବ , କେବେ ହ୍ୟାଙ୍ଗରରେ ଶୁଖୁଥିବା କପଡାସବୁ ସଜାଡୁଥିବ । ପଢାଘରର ବହିଥାକ ପୁଣିଥରେ ବାଗେଇଦେଉଥିବ । ଧୂଳି ଜମିଥିବା ସୁଧୀର-ଆରାଧନାଙ୍କର ବନ୍ଧେଇ ଫଟୋକୁ ପୋଛିପକାଉଥିବ। ଡାଇନିଂ ଉପରର ଇତସ୍ତତଃ ବାସନ , ଅସ୍ତବ୍ୟସ୍ତ ଜୋତାସବୁ , ସୋଫାମାନଙ୍କ କଭର , ଏମିତି କେତେକଣ ଘରକରଣାକୁ ସନ୍ତର୍ପଣରେ କରିଚାଲିଥିବ ।

ତା' ପାଦ ପାଉଁଜିର ରୁଣୁଝୁଣୁ ଶବ୍ଦ ଘରସାରା ଗୁଞ୍ଜୁରୁଥିବ । ଆଖିବୁଜି ବି ତା'ର ସବୁଯାକ ଉପସ୍ଥିତିକୁ ଅନୁଭବ କରିପାରୁଥିବେ ସୁଧୀର । ଏକ ଭୌତିକ ବାତାବରଣରେ ବି ବିଚଳିତ ହେଉନଥିବେ ସେ । କେତେବେଳେ ବୁନ୍ଦାବୁନ୍ଦା ଲୁହ ଝରି , ଶୁଖିସାରିଥିବ ମୁହଁସାରା ।

ଧିରେଧିରେ ଆକାଶ ଛାତିରୁ କଳାରଙ୍ଗ ଅପସରିବା ଆରମ୍ଭ ମାତ୍ରେ , ସେ ପାଖକୁ ଆସି ବେକପଛପଟୁ ହାତଛନ୍ଦି କହିବ -

- ଯାଉଛି ! କପବୋର୍ଡରେ ତୁମ ୟୁନିଫର୍ମ ଇସ୍ତ୍ରୀକରି ଥୋଇଦେଇଛି । ଜୋତା ବି ପଲିସ୍ ହୋଇଯାଇଛି । ଆଖି ଖୋଲ । ସ୍ମାଇଲ୍ ଦିଅ । ଯାଉଛି ବାଏ ।

ସ୍ମାଇଲ୍ ଦେଇପାରନ୍ତିନି ସୁଧୀର ସାମନ୍ତରାଏ । କୋହଯାକ ଦେହରେ ଏମିତି ଠୁଳ ହୋଇଥାନ୍ତି ଯେ' , ଟିକେ ସହଜ ହୋଇ ତା'କୁ ବିଦାୟ ବି ଦେଇପାରନ୍ତିନି।

ସକାଳୁ ଆରାଧନା ଉଠିସାରି ପଚାରିବେ -

- ଏ ଅଧାଖିଆ ଚକୋଲେଟ୍ ଫ୍ରିଜ୍ ଭିତରେ କିଏ ରଖିଲା ?

- ମୁଁ ।

- ହ୍ୟାଙ୍ଗରରୁ କପଡା ... ଇସ୍ତ୍ରୀ .. ???

- ମୁଁ ! ନିଦ ହେଉନଥିଲା । କିଛି କାମ କରିନେଲି ....

★★★

ସମାଜ ସବୁବେଳେ ବୟସ୍କମାନଙ୍କ ଅଧୀନସ୍ଥ । ବିବାହ ଆଳରେ , ପ୍ରେମ କରିବାର ଏକ ସାମାଜିକ ବୟସ ନିର୍ଦ୍ଧାରଣ କରିଆସୁଥିବା ସମାଜ , ପ୍ରେମ ସରିବାର ଏକ ବୟସିକ ସୀମାରେଖା ଟାଣିପାରେନି କାହିଁକି ? ପ୍ରାପ୍ତ ଅବା ଅପ୍ରାପ୍ତବୟସରେ କାହାସହ ପ୍ରେମଟିଏ ହେବା ଅବା ସରିବା ଉପରେ ଏତେଯାକ ଅଙ୍କୁଶ କାହିଁକି ??

ସକାଳୁ ସକାଳୁ ପିଲାଦୁଇଟି ଆସି ସରେଣ୍ଡର କରିଥିଲେ । ବଡବାବୁଙ୍କୁ ଷ୍ଟେଟମେଣ୍ଟ୍ ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇ , ପୁରୁଣା ଏକ କେଶ୍ ର ଫାଇଲ୍ ଘାଣ୍ଟିଲେ ସୁଧୀର । ଝିଅଟି କହୁଥିଲା -

{ - ମୋ ନାଁ ଲିପ୍ସା । ବାପାଙ୍କ ନାଁ ଗୌତମ ଲେଙ୍କା । ଆମେ ଦି'ଜଣ ଦି'ଜଣଙ୍କୁ ବହୁତ ଭଲପାଉ । ଏକଥା ମୁଁ ଘରେବି କହିଥିଲି । ଘରେ କେହି ରାଜି ଥିଲେନି । ସେଥିପାଇଁ ମୁଁ ଘରଛାଡି ପଳେଇ ଆସିଲି । ଏବେ ୟା'ର କେମିତି ସଲ୍ୟୁସନ ହେବ ସେକଥା ନକରିକି , ଘରଲୋକ ଗୁଣ୍ଡା ପଠେଈଛନ୍ତି ତାଙ୍କୁ ମାରିଦେବାପାଇଁ । ଆଉ ମୋର ଏବେ ଅଠରବର୍ଷ ବି ହେଇନାହିଁ। ସେଥିପାଇଁ ଆମେ ଘରକୁ ବି ଯାଇପାରୁନୁ । ଆପଣମାନେ ୟା'ର କିଛି ସଲ୍ୟୁସନ ନକଲେ , ଆମପାଖରେ ଲାଷ୍ଟ୍ ଅପସନ୍ ଅଛି । ସେଇଟା ହେଉଛି ସୁଈସାଇଡ୍ । ଆମେ ସୁଈସାଇଡ୍ କରିଦେବୁ । }

- ଚୋପ୍ ! ମରିବାର ଅଧିକାର ଟେ କେ' ଦେଲାବେ ତୁମକୁ ??

ସୁଧୀର ଭୟଙ୍କର ଭାବେ ଗର୍ଜନ କଲେ । ଝିଅଟି କଡରେ ମୁହଁ ପୋତି ବସିଥିବା ପିଲାଟା ଜବାବ୍ ଦେଲା ଏଥର ।

- ସାର୍ ! ମାରିବାର ଅଧିକାର ଟେ' ସେମାନଙ୍କୁ କେ' ଦେଇଛି ?

ଗୋଟାପଣେ ଥରିଉଠିଲେ ସୁଧୀର ବାବୁ । ରାଉତ୍ କୁ ନିର୍ଦ୍ଦେଶ ଦେଲେ -

- ଏ ଦି'ଟାକୁ ଭିତରେ ନେଇ ବସା । ଖାଇବା ବ୍ୟବସ୍ଥା କର୍ । ସେମାନଙ୍କ ଘରଲୋକଙ୍କୁ ଖବର ପଠା ।

★★★

ମାରିବାର ଅଧିକାରଟେ କିଏ ଦେଲା ?????

ସେ ପାଣିବୋତଲ ବଢାଇଲା ବେଳେ , ତା'କୁ ଛାତି ଉପରକୁ ଭିଡିନେଇ , ଭୋ ଭୋ ହୋଇ କାନ୍ଦିପକାଇଲେ ସୁଧୀର ।

- ଚୁପ୍ ଚୁପ୍ । ବାବା ଚୁପ୍ ଚୁପ୍ । ମାମା ଉଠିପଡିବ । ନ ଶୋଇଲେ , ସେ ଦିନଯାକ ବାୟାଣୀ ପରି ବିହେଭ୍ କରିବ । ଚୁପ୍ ହୋଇଯାଅ ବାବା ।

- ମା' ରେ , ଦେଖ୍ ତୋ' ବିନା ଆମେଦୁହେଁ କେମିତି ପଙ୍ଗୁ ହୋଇଗଲୁଣି । ଥରେତ ଭାବିଥାନ୍ତୁ ?

- ଥରେତ ତୁମେ ଭାବିପାରିଥାନ୍ତ ମୋକଥା ବାବା ?

- ତୁ ଖୁବ୍ ଛୋଟ ଥିଲୁ ମା । ପ୍ରେମ କେବଳ ଏକ ଭାବପ୍ରବଣତା । ନିଷ୍ପତ୍ତି ନୁହେଁ । ନିଷ୍ପତ୍ତି ନେବାର ବୟସଟେ ବି ତୋ'ର ନଥିଲା ।

- ମୁଁ ତାକୁ ଭଲପାଉଥିଲି । ଭଲପାଇବାକୁ କେଉଁ ବୟସଯାଏଁ ଅପେକ୍ଷା କରିବାକୁ ହେବ , ସେଇ ନିଷ୍ପତ୍ତି ଟା' କିଏ ନେଇଥିଲା ବାବା ?

- ଝିଅ ?

- ତୁମ ହାତରେ ଆଇନ୍ ଥିଲା । ତା'ର ଉପଯୋଗ କରିନେଲ । କିନ୍ତୁ ଅଟକାଇ ପାରିଲକି ମୋତେ ? ମୁଁ ବି ଦେଖ ଖୋଜିଖୋଜି ଭଲପାଇବା ପାଖକୁ ହିଁ ଚାଲିଗଲି ।

- ମା ?

- ଯାଉଛି ବାବା । କପବୋର୍ଡରେ ତୁମ ୟୁନିଫର୍ମ ଇସ୍ତ୍ରୀକରି ଥୋଇଦେଇଛି । ଜୋତା ବି ପଲିସ୍ ହୋଇଯାଇଛି । ଆଖି ଖୋଲ । ସ୍ମାଇଲ୍ ଦିଅ । ଯାଉଛି ବାଏ ।

★★★

କୌଣସିମତେ ଖବର ବ୍ୟାପି ଥାନା ସାମ୍ନାରେ ଭିଡ ବଢିଯାଇଥିଲା । କାଲି ସକାଳଯାଏଁ ନିଜ ଗାଁମାଟିରେ ସ୍ୱାଧୀନ ହୋଇ ବଞ୍ଚିଆସୁଥିବା , ମଣିଷ ପିଲା ଦୁଇଟି , ହଠାତ୍ ଦର୍ଶନୀୟ ବନିଯାଇଥିଲେ । ସମସ୍ତଙ୍କ ମୁହଁରେ ଛି' !! ଦୁଇପକ୍ଷକୁ ନେଇ କାଉନସେଲିଂ କରିବାର ଚେଷ୍ଟାତକ ଅପଚେଷ୍ଟା ହୋଇଯାଉଥିଲା । ସମ୍ମାନ, ଇଜ୍ଜତ ପରି ଅନେକ ସାମାଜିକ ଶବ୍ଦ ସବୁକୁ ନେଇ କେହି ଜିଦ୍ ରୁ ଓହରୁ ନଥିଲେ । ନାବାଳିକା ଝିଅଟିକୁ ଘରକୁ ଫେରାଇନେବାତ ଦୂର , ବରଂ ତା' ଭାଈ ଗର୍ଜୁଥିଲା -

- ଥରୁଟିଏ ଛାଡିଦିଅନ୍ତୁ ସାର୍ , ସେ ଦୁହିଁଙ୍କୁ ଆମ ହାତରେ । ମିନିଟିକରେ ଦି'ଟା କଟାମୁଣ୍ଡ ଥୋଇଦେବି ଆପଣଙ୍କ ପାଦତଳେ ।

ରାଗ ସମ୍ଭାଳି ପାରନ୍ତିନି ସୁଧୀର ସାମନ୍ତରାଏ । ସର୍ବସମ୍ମୁଖରେ ଏକ ଶକ୍ତ ଜାବୁଡାଟେ କଷିଦେଲେ ଝିଅର ଭାଈ ଗାଲରେ ।

- ଯା'ଅ ଏଠୁ ସବୁ । କୋର୍ଟରେ ନିଜନିଜର ବଳ ଦେଖେଇବ ।

ଏ ବୟସର ବନ୍ଧନ ନଥାନ୍ତାକି ? ଏଇ ସରକାରୀ ଥାନା ଭିତରେ , ହୋମକୁଣ୍ଡ ଜାଳି ସାତଜନ୍ମ ପାଇଁ ପିଲାଦୁଇଟିକୁ ବାନ୍ଧି ଦେଇଥାନ୍ତେ ସୁଧୀର ସାମନ୍ତରାଏ। ଦେଖନ୍ତେ କେ' ଆଗକୁ ଆସି ବିରୋଧ କରୁଛି ?

ଅପରାଧୀକୁ ଅପ୍ରାଧ କରିବାରେ କିଛି ଅଡୁଆ ନାହିଁ । ତାପାଇଁ ଶାସନବ୍ୟବସ୍ଥା ଅଛି । କିନ୍ତୁ ଅପରାଧ କରି ସାଧାରଣ ହୋଇ ସମାଜ ଭିତରେ ସୁରକ୍ଷିତ ରହୁଥିବା ଅସାମାଜିକ ମାନଙ୍କ ଉପରକୁ ଏଇ ରିଭଲଭର ରୁ ଅନ୍ତତଃ ଗୁଳିଟିଏ ତ ଫୁଟୁ !!!!!

ଏଇପରି ହଜାରେ କେଶ୍ ଦେଖି ସାରିଲେଣି ସୁଧୀର । ସମାଜ ଆଖିରେ ପ୍ରେମ ଏକ କ୍ରାଇମ୍ । ଅଭଦ୍ର ଆଚରଣ । କୋର୍ଟ ବି ଦୋପାଞ୍ଚ୍ ହୁଏ । ନାବାଳିକା ଟିକୁ ନିଜ ଅଭିଭାବକଙ୍କ ପାଖରେ ଅସୁରକ୍ଷିତ ମନେକଲେ ପଠାଇଦେବ କେଉଁ ଚିଲ୍ଡ୍ରେନ୍ ହୋମ୍ କୁ । ସାବାଳକ ପିଲାଟିକୁ ଅପରାଧୀ ସଜାଇ ଜେଲ୍ ର କାଳ କୋଠରୀ କୁ !!

କୌଣସିମତେ ମଣିଷର ଭବିଷ୍ୟତ ବିକଳାଙ୍ଗ ହେଉଥିବ !

କ'ଣଟା ଯେ' ଅଧିକା ଭରସାପାଏ ଠିକ୍ ଅଠରବର୍ଷରେ ? କ'ଣଯେ କମ୍ ରହିଯାଏ ସତରବର୍ଷ ଏଗାରମାସରେ ?????

ପ୍ରେମଜନିତ କିଛି ନିଷ୍ପତ୍ତି ନେବାବେଳେ ଏତେ କଠୋର ହୋଇଯା'ନ୍ତି ସମସ୍ତେ କାହିଁକି ? ସେମାନେ ସୁଖମୟ ଜୀବନଟେ ଭିକ୍ଷା ମାଗନ୍ତି , ସମସ୍ତେ ଘୃଣାର ଦଲଦଲ୍ କୁ ଠେଲିଦିଅନ୍ତି !!

ସମାଜପ୍ରତି ସାମାଜିକର ଆନୁଗତ୍ୟ ରହିବା ଉଚିତ୍ । କିନ୍ତୁ ସାମାଜିକ ପ୍ରତି , ସମାଜର ଦାୟିତ୍ୱବୋଧତା ରହୁଛିକି ?

ନିୟମ ପ୍ରଣେତା ମାନେ , ନିଜେ ନିୟମିତ ହେଉଛନ୍ତି କି ?

ଯଦି ନା' , ତେବେ ମଣିଷଟେ ତା' ନିଜ ବାଗରେ ବଞ୍ଚି ମରି ପାରିବନି କାହିଁକି ????

★★★

ବହୁ ଅପେକ୍ଷା ପରେ ସେ' ଆସିଥିଲା। 'ଶୁଭେଛା' । ମାତୃତ୍ୱର ଗର୍ବରେ ଫାଟିପଡୁଥିଲା ଆରାଧନା । କେଉଁ ଅଳିଅର୍ଦଳୀ ବାକି ରହୁନଥିଲା । କଣ୍ଢେଇ ପିତୁଳାଟେ ପରି ଗଢିବାର ରାଣ ଖାଇନେଇଥିଲେ ଦୁହେଁ । ସେ ହିଁ ସୁଖ , ସେ ହିଁ ଭାଗ୍ୟ , ସେ ହିଁ ଥିଲା ସ୍ୱର୍ଗ ।

ବାପାମା' ମାନିବାକୁ ପ୍ରସ୍ତୁତ ନଥିଲେ ସୁଦ୍ଧା , ଆଖିପିଛୁଳାକେ ଦେହମନରେ ବଢିଯା'ନ୍ତି ଝିଅ ।

କେତେଆଉ ?

ମାତ୍ର ପନ୍ଦର ବର୍ଷ ଯଥେଷ୍ଟ ଏବେକାର ପିଲାମାନଙ୍କୁ , ନିଜକୁ ନିଜେ ନଷ୍ଟ କରିବାର !!

ଧୀରେଧୀରେ 'ଶୁଭେଛା' ର ହାବ ସ୍ୱଭାବ ଅସ୍ୱାଭାବିକ ହେବାରେ ଲାଗୁଥିଲା କେମିତି । ପୋଲିସଙ୍କର ଚିଲ ଆଖି । ଆରାଧନାକୁ ସତର୍କ କରାଇଦେଇଥିଲେ ସୁଧୀର ।

- ଆଖି ଫିଟିନଥିବା ପିଲାଟାକୁ ଅଯଥାରେ ସନ୍ଦେହ କରୁଛ ? ରଖ ତୁମ ପୋଲିସିଆ ଢଙ୍ଗ ସବୁ । ଘର ଭିତରେ ଏସବୁ ଚାଲିବନି ।

- ନାଃ ! ସତର୍କ ରହିବାକୁ ବାଧ୍ୟ ।

ଆଦେଶ୍ ଜାରୀ କରିଦେଇଥିଲେ ଘରେ ସୁଧୀର ।

ଦୂରତା ହିଁ ବିଚ୍ଛେଦ ର ପ୍ରକୃଷ୍ଟ ମାଧ୍ୟମ । ଏଇକଥାକୁ ବେଶ୍ ଜାଣନ୍ତି ସୁଧୀର । ସେଥିପାଇଁ ନିଜ ବଦଳି ବି କରାଇନେଲେ ସମ୍ବଲପୁର କୁ । ଗୋଟାଏ ପ୍ରାନ୍ତରୁ ଆଉଏକ ପ୍ରାନ୍ତ ।

ବୟସ୍କ ସମାଜର ଏଇ ରାଜନୀତିକୁ ଠିକ୍ ମାପିନିଅନ୍ତି ଆଜିର ଅପ୍ରାପ୍ତବୟସ୍କ ମାନେ ! ପ୍ରଖର ଯୋଗାଯୋଗ ର ଦୁନିଆଁରେ ଆଉ ଦୂରନିକଟ ର ମୂଲ୍ୟ କିଛି ନଥାଏ।

ଭୁଲ୍ ପରେ ଭୁଲ୍ କରି , ଠିକ୍ ସାବ୍ୟସ୍ତ କରିବାର ଏ ବୟସ । ପାଦରେ ବଳ ନଥାଇ ବି ଶିଖର ଚଢିବାର ସାହସ ଜୁଟାଏ ଏ ବୟସ । ସ୍ରୋତ ବିପକ୍ଷରେ ନାଆ ବାହିନିଏ ଏ ବୟସ । ନୀତି ଉପଦେଶ କୁ ପ୍ରତିବାଦ କରେ ଏ ବୟସ । ମନ ଶରୀର ରେ ଅହେତୁକ ପରିବର୍ତ୍ତନ ଆଣେ ଏ ବୟସ ।

★★★

ଆରାଧନା ବ୍ୟସ୍ତ ହୋଇ ଫୋନ୍ କରିଥିଲା -

- ଏଯାଏଁ ଶୁଭେଛା ଫେରିନି । ତା' କ୍ଲାସ୍ ସରେ ଗୋଟାକରେ । ଫୋନ୍ ସୁଇଚ୍ ଅଫ୍ । ମାମାଲୀ କହୁଥିଲା , ସେ ଆଜି କ୍ଲାସ୍ ବି କରିନି ।

- ହ୍ୱଆର୍ଟ ???

ବୁଝିବାକୁ ବାକି କିଛିନଥିଲା । ନିଜ ପାରିବାପଣକୁ ଧିକ୍କାରୁଥିଲେ ସୁଧୀର ସାମନ୍ତରାଏ । ପାରୁପର୍ଯ୍ୟନ୍ତ ସମ୍ମାନଟିକକୁ ବଞ୍ଚାଇବାକୁ ହେବ ଏବେ ।

ଅତି ନୀରବରେ ନିଜ ଅନୁଭବ ଆଉ ଦକ୍ଷତାକୁ ନିୟୋଜିତ କରି , ଦୁହିଁଙ୍କୁ ଆବିଷ୍କାର କଲେ ପୁରୀ ର ଏକ ହୋଟେଲ୍ କୋଠରୀରୁ , ଦୁଇଦିନ ପରେ । ସୁରକ୍ଷା ବଳୟରେ ଶୁଭେଛା କୁ ଘରକୁ ଆଣି ସାରିବାପରେ , ପରଦିନ ସମ୍ବାଦପତ୍ରରେ ଖବର ଛପିଥିଲା " ବେଳାଭୂମି ରେ ଅପରିଚିତ ଯୁବକର ମୃତଦେହ । ପୋଲିସର ତଦନ୍ତ ଜାରୀ ।"

ଉପାୟ କିଛି ନଥିଲା ସୁଧୀରଙ୍କ ପାଖରେ । ସମ୍ମାନ କୁ ବଳିପକାଇଦେଲେ , ଜୀଇବା କଷ୍ଟକର ହୋଇପଡିଥାନ୍ତା ।

କିନ୍ତୁ ! ବିଜୟ ର ଖୁସି ସବୁବେଳେ କ୍ଷଣସ୍ଥାୟୀ । ଦକ୍ଷ ଅଫିସର ହିସାବରେ ଝିଅକୁ ଖୋଜିଆଣିପକାଇଲେ । କିନ୍ତୁ ଦକ୍ଷ ପିତା ହିସାବରେ ଝିଅ ଜୀବନକୁ କେଉଁ ବଞ୍ଚାଇପାରିଲେ ଯେ' ??

ଅପ୍ରାପ୍ତବୟସ୍କ ମାନେ ଆତ୍ମସମର୍ପଣ କୁ ପସନ୍ଦ କରନ୍ତିନି । କାରଣ ସେମାନେ ଜୀବନୀକୁ ସଠିକ୍ ଭାବେ ବୁଝିପାରିନଥାନ୍ତି ।

ଶୁଭେଛା ଚାଲିଗଲାପରେ , ଆରାଧନା କୁ ନିୟନ୍ତ୍ରଣ କରିରଖିବା ସୁଧୀରଙ୍କର କେବଳମାତ୍ର କାମ ହୋଇ ରହିଗଲା । ଅହଂକାର ଖାଲି ସର୍ବସ୍ୱନ୍ତ ନୁହେଁ, ମା'ଟିଏକୁ କୋଳଶୁନ୍ୟ କରିଦିଏ ମଧ୍ୟ !!!

★★★

ଡାକ୍ତରୀମାଇନା ରେ ଜଣାପଡିଲା ଝିଅଟି ଗର୍ଭବତୀ !! ସମୟ ଜୋଡିନେଲେ , ପିଲାଜନ୍ମ ବେଳକୁ ଅଠର ପୁରି ସାରିଥିବ । ନିୟମତଃ ପିଲାଟିକୁ ସର୍ବାଧିକ ସୁରକ୍ଷିତ ସ୍ଥାନରେ ରଖାଯିବ । ନିଜ ଜନ୍ମିତ ପିତାମାତା ରଖିବାକୁ ଅଗ୍ରାହ୍ୟ କରିନେଲେ , କୌଣସି ପାଳିତ ଅଭିଭାବକଙ୍କ ପାଖକୁ ଯାଇପାରିପାରିବ । ତେବେ ପାଳିତ ପିତାର ବୟସ ବ୍ୟବଧାନ ଅନ୍ତତଃ ଏକୋଈଶ୍ ବର୍ଷ ହୋଇଥିବା ଜରୁରୀ । ଅଭାବବୋଧ ସବୁବେଳେ ଆଗ୍ରହ ବଢାଏ ।

ଚାଇଲ୍ଡ୍ ୱଲଫେୟାର୍ କମିଟିର ଅନୁମୋଦନ ପରେ କୋର୍ଟ, ଝିଅଟିକୁ ସୁଧୀରଙ୍କ ହେପାଜତରେ ଛାଡିବବାକୁ ରାଜି ହୋଇଥିଲା ।

★★★

ଏବେଏବେ ଆଗପରି ସେ ଆସୁନଥିଲା । ଯେଉଁଦିନ ପୁଣି ଆସିଲା , ସେଇଦିନ ସୁଧୀର-ଆରାଧନାଙ୍କର ଆନିଭରସାରୀ ଥିଲା । ଛୋଟମୋଟ ପାର୍ଟି ସାରି ବିଛଣାକୁ ଯିବାପରେ , ଅଭ୍ୟାସବସତଃ ଆରାଧନା ଶୋଇପଡିଥିଲେ । ଅବଶ୍ୟ ଆଉ ନିଦଗୋଲୀ ଖାଇବାକୁ ପଡୁନଥିଲା ତାଙ୍କୁ ।

- ବାବା , ବାବା , ଉଠ ।

- ହଁ ମା , କେତେବେଳୁଁ ବସିଛୁ ?

- ହାପି ଆନିଭରସାରୀ ବାବା ।

- ଥାଙ୍କୁ ମା । ଢେର୍ ଦିନ ହେଲା ଆସୁନଥିଲୁ ?

- ଲିପ୍ସା ଦିଦି ଅଛିନା ? ସେ ତ ଏବେ ତୁମ ଝିଅ ।

- ମା ?

- ବାବା ! ସିକ୍ରେଟ୍ ଟିଏ ଜାଣିବ ?

- କହ ମା ?

- ଦୁଇଜଣ ନୁହେଁ । ତୁମଦ୍ୱାରା ତିନିଜଣଙ୍କ ହତ୍ୟା ହୋଇଥିଲା ।

- ଝିଅ ?????

- ହଁଅଁ ବାବା ! ମୁଁ ବି ସେତେବେଳେ ଲିପ୍ସା ଦିଦି ପରି ......!!!!

■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ■

ବି .ଦ୍ର : ବନ୍ଧନୀ ଭିତରର କଥାଛାଡି ବାକିତକ ସମ୍ପୂର୍ଣ୍ଣ କାଳ୍ପନିକ

ଆଲୁଅ ପାଉଁଜି ହତ୍ୟା

Rate the content


Originality
Flow
Language
Cover design

Comments

Post

Some text some message..