Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Others

4.0  

Satyabati Swain

Others

ଛେଳି

ଛେଳି

5 mins
347



ପାଣି ପଡିଲେ ନିଆଁ ଲିଭେ। କିନ୍ତୁ ଏ ବର୍ଷା ପାଣି ପଡିଲେ ନିଆଁ କାହିଁକି ଲାଗେ। କାହିଁକି ବର୍ଷା ଟୋପା ଆନମନା କରେ ହୃଦୟ। ନିଜ ଠାରୁ ନିଜକୁ ଛଡେଇ ନିଏ। ଦେହ ମନ କିଛି କିଛି ଖୋଜନ୍ତି। କାହିଁକି ଧୋଇ ହୋଇଯାଏ ନିର୍ଘାତ ବର୍ଷା କାଚି ଦେଇ ଗଲା ପରେ ମନ ଦର୍ପଣ।ଏଇତ ଦିଶି ଯାଇଛି ଆଜି ଅସରାଏ ବର୍ଷା ହୋଇଗଲା ପରେ ମୋତେ ।

         ମୋର ବୟସ ତେର। ମାଇଁ ଙ୍କ ସଙ୍ଗେ ଯାଇଥାଏ ତାଙ୍କ ଘରକୁ ରାକ୍ଷୀ ପୁନେଇଁରେ। ମାଇଁଙ୍କ ପୁଅ ନାହିଁ ବୋଲି ମୋତେ ଭାରି ଆଦର କରନ୍ତି। ଗୋଟିଏ ଦିନ ସ୍କୁଲ ଛୁଟି ହେଲେ ଦଉଡେ ମାଇଁ ପାଖକୁ। ମାଇଁ ଯୁଆଡେ ଯାଆନ୍ତି ମୋତେ ସାଙ୍ଗରେ ନେବା ଥୟ। ମାଇଁ ସହ ତାଙ୍କ ଘରକୁ ଯିବାର ଆଉ ଗୋଟିଏ ଗୁପ୍ତ ରହସ୍ୟ ଥାଏ। ସେ ହେଲା ଲିପ୍ସା ମାଇଁଙ୍କ ଭାଇ ଝିଅ। ମୋରି ସାଙ୍ଗର।ଏକା ଶ୍ରେଣୀରେ ପଢୁ। ସେ ମୋତେ ଭାରି ଭଲ ଲାଗେ।


      ଲିପ୍ସାଟା ସୁଦୁ ଡରକୁଳି ଟା । ଟିକିଏ ଟିକିଏ କଥାକୁ ଭାରି ଡର ତାର। ମେଘ ଉଠେଇ ଯଦି ଘଡ଼ ଘଡି ମାରିଲା ଲିପ୍ସା ଯାଇ ଲୁଚିବ ଘର କୋଣେ। କାନରେ ହାତ ଦେଇ ଛିନ୍ ଛିନ୍ ବାଜିବ ଆଖି ବୁଜି। ତା ଭାଇ ବାପୁ ଆଉ ମୁଁ ତାଳି ମାରି ଆହୁରି ଚିଡ଼େଇବୁ ତାକୁ। ହେଇ ହେଇ ମାଇଲା ଘଡଘଡି.. । ଆଇଲା ଆଇଲା ଲୋ ବୋପା ମେଘ..। ସେ କାନ୍ଦି କାନ୍ଦି ଯାଇ ଫେରାଦ ହେବ ମୋ ମାଇଁ ପାଖେ କହିବ"ପିଉସୀ ନାନୀ ଦେଖିଲ ତୁମ ଅଭିକୁ ମୋ ଭାଇକୁ ସାଙ୍ଗ କରି ମୋତେ କେମିତି ଡରାଉଛି। ନାନୀ ତୁମେ ତ ଆସୁଛ ତୁମ ସହ କାଇଁକି ଆଣୁଛ ଏ ମାଙ୍କଡ଼ ଅଭି ଟାକୁ?ସେ ଭାରି ଦୁଃଷ୍ଟ ପିଲା। ଯେତେବେଳେ ଆସିଲା ମୋତେ ଚିଡ଼ଉଛି।


      କଣ କହିଲୁ ଡରକୁଳି, ଛେଳି ମୁଁ ମାଙ୍କଡ, ନାଇଁ ନାଇଁ ..ମୁଁ ମାଙ୍କଡ଼ କହି ତା ବାଗୁଲି ଛୁଟି ଧରି ଟାଣିଦିଏ। ସେ ମାଇଁ ଚାରି ପଡେ ବୁଲି ବୁଲି ଦଉଡେ ମୁଁ ତା ପଛେ ପଛେ।ମାଇଁ ହସି ହସି ଗଡି ଯାଆନ୍ତି। କୁହନ୍ତି ଅଭି ଏଇ ତାମସା ହେବ ବୋଲି ଆମ ଘରକୁ ଆସିବାକୁ ଅଳିତା ଲଗେଇ ବସେ। ଆରେ କାହିଁକି ଲାଗୁଛୁ ତା ସହ। ଘଡ଼ ଘଡିକୁ ସେ ଡରୁଛି,ପିଲା ଲୋକ ତୁମର ସେଥିରେ କଣ ଗଲା?


        ମାଇଁ ସେ କାହିଁକି ମୋତେ ମାଙ୍କଡ଼ କହୁଛି?ସେ ନିଜେ ଗୋଟେ ଛେଳି। ଘଡ଼ ଘଡିକୁ ଡର ପାଣିକୁ ବି ଡର।ଛେଳି ଯେମିତି ପାଣିକୁ ଡରେ ଲିପ୍ସା ସେମିତି ମେ...ଏଁ ମେ.. ଏଁ ଛେଳି।


    ଲିପ୍ସା ମୁହଁଟା ଉଷୁନା ହାଣ୍ଡି ପରି କୁହେ" ନାନୀ ଅଭି ମୋତେ ଛେଳି କହୁଛି"

       ଆଉ ତୁ ଛେଳି ନୁହଁ କି?ଏ କହି ମୁଁ ଟିକେ ଖତେଇ ହୁଏ। ଲିପ୍ସା ଆହୁରି ରାଗିଯାଏ। ଗୋଡ଼ କଚାଡି କାନ୍ଦେ।ସେ କାନ୍ଦିଲେ ବାପୁ ଆଉ ମୁଁ ଖୁବ୍ ମଜା ପାଉ। ମାଇଁ କୁହନ୍ତି ମୋ ଗେଲ୍ଲୀ ଟା କାଇଁ ଛେଳି ହେବ!!ସେ ବାଘ ହେବ।

       ମୁଁ କୁହେ "ବାଘ ନା ଫାଗ। ଦେଖିଆ ଛାତକୁ ଗଲୁ ବର୍ଷା ହେଉଛି ଓଦା ହେବୁ। ମାଈ ଛେଳି ଟା। ବର୍ଷା ରେ ଓଦା ହେବାକୁ ସବୁ ଛୁଆଙ୍କୁ ଭଲ ଲାଗେ।ଏଇ ମାଈ ଛେଳିଟା କୁ ଖାଲି ଡର। ବାଘ ହୋଇଥିଲେ ତ ବର୍ଷାରେ ଓଦା ହୁଅନ୍ତା ନାଚନ୍ତା, ଗୀତ ଗାଆନ୍ତା,ଡରିକି ଘର କୋଣେ ଲୁଚନ୍ତା କି"?ଆମେ ବାପୁ ଓ ମୁଁ ଛାତ ଉପରକୁ ଚାଲି ଗଲୁ ବର୍ଷାରେ ଓଦା ହେଲୁ। ଓ ବର୍ଷାରେ ଓଦା ହେଲେ କି ମଜା ଲାଗେ।କୈଶୋରର ଶେଷ ପାହାଚ ମୋର। କେଜାଣି ସେଦିନ ବର୍ଷା କିଛି ଅଲଗା ଲାଗୁଥିଲା।


     ମୁଁ ଦୁଇ ହାତ ମେଲି ଓଦା ହୋଇ ଖେଳିଲି ଓ ଗାଇଲି ହୁ ଉଁ..ହୁ ହୁ ହୁ ଉଁ,ଲା ଲା ଲାଲାଲା ଲା,ଏହେ ଏହେହେ ଏ। ବାପୁ ଗୋଡ଼ କଚାଡି ଓଦା ହେଉଥିଲା ଓ ବାରମ୍ବାର ମୁଣ୍ଡ ପାଣି ମୁହଁ ଆଖିରୁ ପୋଛୁଥିଲା।ମୁଁ କିନ୍ତୁ ମଜି ଯାଇଥିଲି ଏକବାରେ ବର୍ଷାରେ। ଲିପ୍ସା ଆସି ଚୁପି ଚୁପି ଆମକୁ ଶିଡି ଉପରେ ଥାଇ ଦେଖୁଥିଲା। ମୋ ଆଖି ଯେମିତି ତା ଉପରେ ପଡିଛି ଦଉଡ଼ି ଯାଉଥିଲା ତ ମୁଁ ଯାଇ ଖାପୁ କିନା ମାଡି ବସିଲି ତାକୁ। ରହ ଯାଉଛୁ କୁଆଡେ।ଘଡ଼ ଘଡି ତ ନାହିଁ।କେବଳ ବର୍ଷା।ଥରେ ଓଦା ହୋଇ ଦେଖ୍ କେତେ ମଜା ଏ ବର୍ଷାରେ ଭିଜିବା।


       ସେ ଛାଟି ପଟି ହେଉଥିଲା। ବାପୁ ଓ ମୁଁ ତାକୁ ଶୁନ୍ୟେ ଶୁନ୍ୟେ ଟେକି ଆଣି ଛାତ ମଝିରେ ଠିଆ କରିଦେଲୁ। ସେ ଭୟରେ ହାଉଳି ଖାଇଲା। ମୁଁ ତାକୁ କହିଲି ଦେଖ୍ ତୁ ଯଦି ଛେଳି ହେବାକୁ ଚାହୁନୁ ତ ଓଦା ହୋଇ ଦେଖା ଯେ ତୁ ବାଘ। ଥରେ ଓଦା ହଅ। ଏହା ପରେ ବର୍ଷା ତୋତେ ଆଉ ଡରେଇବ ନାହିଁ।ତୋ ସାଙ୍ଗ ହୋଇଯିବ।ତୋତେ ଖୁବ୍ ଭଲ ପାଇବ।


        ବର୍ଷା କାଚୁଥିଲା ଜୋର୍ ଜୋର୍। ମୁଁ ଓ ବାପୁ ହାତ ମେଲି ଚକା ଚକା ଭଉଁରୀ ଖେଳ ଖେଳିଲା ପରି ଖେଳୁଥୁଲୁ।ଲିପ୍ସା କିଛି ସମୟ ଚୁପ୍ ଚାପ୍ ଓଦା ହେଲା।ତାପରେ ସେ ବି ଆମ ପରି ହାତ ମେଲି ନାଚିଲା। ଖୁସିରେ ମୋତେ ଆସି କୁଣ୍ଢାଇ ପକାଇଲା।ତା ଓଦା ଦେହରେ ତା ଫ୍ରକ ପୁରା ଲାଗିଯାଇଥିଲା। ମୁଁ କେବଳ ହ୍ୟାପ ପ୍ୟାଣ୍ଟ ଟି ପିନ୍ଧିଥିଲି। ଖାଲି ଦେହରେ ଲିପ୍ସା ଯେପରି ଚିପି ହୋଇ ଯାଇଥିଲା ମୋ ଦେହରେ।ମୁଁ ବି ଖୁସିରେ ତାକୁ ଜାବୁଡି ଧରିଲି।ତା ଛାତି ମୋ ଛାତିରେ ଲାଗିବାରୁ ଏକ ଅଦ୍ଭୁତ ଅନୁଭବ ମୋତେ କାବୁ କଲା। ତା ଛାତିରେ ଯେମିତି ନିଆଁ ଜଳୁଥିଲା। ମୋ ଛାତିରେ ସେ ନିଆଁ ପାଏଁ କରି ଗଳିଗଲା।ମୁଁ ଆହୁରି ଜୋର ତାକୁ ଚାପି ଧରିଲି। ସେ ଖିଲି ଖିଲି ହସୁଥିଲା। ତା ପିଠି ରେ ମୋ ହାତ ଛକି ପଡିଥିଲା। ତା ହାତ ମୋ ଅଣ୍ଟା ଚାରିପଡ଼େ ଗୁଡେଇ ହୋଇଥିଲା।


    ବାପୁ ତାଳି ମାରି ନାଚୁଥିଲା।ବଢିଆ ହୋଇଛି ଦି ଆଜି ଓଦା ହେଲା।ଏ... ଏ..

     ମୁଁ ଜାଣି ପାରୁ ନଥିଲି କିଛି, ଲିପ୍ସାକୁ ନିଜ ଛାତିରେ ଜଡାଇ ଧରିବାରେ ମୋତେ ଏମିତି ଗୋଟେ ନୂଆ ଅନୁଭବ ଲାଗୁଛି କାହିଁକି। ଯେଉଁଟା କି ମୋତେ ଅତି ଭଲ ଲାଗୁଛି।ସେଇ ଓଦା ସର ସର ଗାଲରେ ତାକୁ ଗୋଟେ କିସ୍ କରିଦେଲି। ତା ଅଣ୍ଟା ପାଖରୁ ଧରି ଟିକେ ଉପରକୁ ଟେକି ଦେଲି। ସେ ଆକାଶକୁ ଚାହିଁ,ହାତ ମେଲାଇ ଖୁବ୍ ଖୁସିରେ କହୁଥିଲା ମୁଁ ଛେଳି ନୁହେଁ ଆଜିଠୁ ବାଘ। ନାନୀ, ମାଆ ଦେଖିବ ଆସ।ମୋତେ ବର୍ଷା ଆଉ ଡରେଇବ ନାହିଁ।ହେ ହେ।ମୁଁ ଦେଖୁଥୁଲି ଲିପ୍ସାର ଖୁସି।ମୋତେ ଲାଗୁଥିଲା ଏମିତି ଦିନ ସାରା ବର୍ଷା ହୁଅନ୍ତାକି ମୁଁ ଲିପ୍ସାକୁ ଉପରକୁ ଟେକି ବୁଲୁଥାନ୍ତି।

      ମୋ ହାତ କଣ ହୋଇଗଲା।ଲିପ୍ସାକୁ ଧୀରେ ତଳେ ଠିଆ କରାଇଲି।ଆଉ କେଉଁ ଦିନ ହୋଇଥିଲେ ତଳେ ଧାଲୁ କିନା କଚାଡି ଦେଇ ଥାଆନ୍ତି।ସେଦିନ ଲିପ୍ସା ମୋ ଛାତିରେ ତା ଛାତି ନିଆଁ ଭରିଦେଲା ପରେ ତାକୁ କିଛି ବି କଷ୍ଟ ଦେବାକୁ ଇଛା ହେଲା ନାଇଁ। ଆଉ ଥରେ ତାକୁ କୋଳେଇ ନେଇ କହିଲି ଭଲ ଲାଗିଲା ନା ବର୍ଷା!!


       ସେ ଟିକେ ଗମ୍ଭୀର ହୋଇ କହିଲା ନା ,ବର୍ଷା କେବଳ ପୋଡିଲା। କିନ୍ତୁ ଭଲ ଲାଗିଲା ତୋ ଜାବୁଡି ଧରିବା,ତୋ କିସ କରିବା, ମୋତେ ଉପରକୁ ଟେକି ମୋ ପ୍ରକରେ ତୋ ମୁହଁ ଗୁଞ୍ଜିବା।ମୋତେ ଭଲ ଲାଗିଲୁ ତୁ ତୋ ଖୋଲା ଓଦା ଦେହ।କଣ ଅଛି ତୋ ପାଖରେ କି ଏମିତି ଭଲ ଲାଗିଲା!ଲିପ୍ସା ଅବୁଝା ଆଖିରେ ଅୟୁତ ପ୍ରଶ୍ନ।


     ତାପରେ ଲିପ୍ସା ମୋଠୁ ଅଲଗା ହୋଇ ଚକା ଚକା ଭଉଁରୀ ଖେଳି ଖିଲି ଖିଲି ହସି" ବୋଲୁଥିଲା ଚକା ଚକା ଭଉଁରୀ ବର୍ଷାରେ ନିଆଁ ଅଛି ମୁଁ ତୁଚ୍ଛାଟାରେ ଡରିଲି। ଛେଳି ନୁହେଁ ବାଘ ମୁଁ ଶିକାର ଟେ ପାଇଲି"।

       ବାପୁ ରଡି ଛାଡିଲା ମାଆ, ନାନୀ ଦେଖିବ ଆସ ଦି ବର୍ଷାରେ ଓଦା ହୋଇ ଗୀତ ଗାଉଛି। ମାଇଁ ଓ ଲିପ୍ସା ମାଆ ଦଉଡ଼ି ଆସିଲେ ଛାତ ଉପରକୁ। ଲିପ୍ସାକୁ ଏତେ ଖୁସି ହେବା ଦେଖି ତାଜୁବ୍ ହୋଇ ଗଲେ। ବର୍ଷା ଠୋପେ ଦେହରେ ପଡ଼ିଲେ ଯେ କାନ୍ଦି ଉଠେ,ଘରେ କୋଣେ ଲୁଚେ,ସେ ଆଜି ଚକା ଚକା ଭଉଁରୀ ଖେଳି ଗୀତ ଗାଉଛି ବର୍ଷାରେ!!!


      ଲିପ୍ସା ମାଆ ଟାଣି ନେଲେ ଲିପ୍ସାକୁ।ଆଲୋ ଏତେ ଓଦା ହେଲେ ଜର ହୋଇଯିବ ମା।ସେ କିନ୍ତୁ ଗାଉଥିଲା ବର୍ଷାରେ ନିଆଁ ଅଛି,ମୁଁ ଛେଳି ନୁହେଁ ବାଘ।। ମୁଁ ବି ଆଶ୍ଚର୍ଯ୍ୟ ହେଲି କଣ ହେଲା ହଠାତ୍ ଲିପ୍ସାର!। ତା ଡର କୁଆଡେ ଗଲେ! ମୋତେ ବି ଏତେ ଖୁସି ଲାଗୁଛି କାହିଁକି??


        ସତକୁ ସତ ସେଦିନ ଲିପ୍ସାକୁ ଜର ହୋଇଗଲା।ମାଇଁ ଚିଡିଲେ ମୋତେ। ଲିପ୍ସା ଜରରେ ବିଳି ବିଳଉଥିଲା ବର୍ଷାରେ ନିଆଁ ଅଛି। ମୁ ଛେଳି ନୁହେଁ ବାଘ। ବାପୁ ବି ଗାଳି ଖାଇଲା।ଆମେ ଦୁହେଁ ଚିଡାଇ ଲିପ୍ସାର ଏପରି ଅବସ୍ଥା କରିଛୁ ବୋଲି।ମୁଁ ରାତି ସାରା ଜଗି ବସି ଥିଲି ଆଖି ପିଛଡ଼ା ନପକାଇ। ତା କପାଳ ଆଉଁସୁଥିଲି। ସତ ତ ଆମ ପାଇଁ ଲିପ୍ସାର ଏ ଅବସ୍ଥା। ତାପର ଦିନ ମୁଁ ମାଇଁ ସାଙ୍ଗରେ ଘରକୁ ଫେରିଲି।କିନ୍ତୁ ମନଟି ବନ୍ଧା ପକେଇ ଦେଇ ଆସିଲି ଲିପ୍ସା ପାଖେ।


     ଜର ପନ୍ଦର ଦିନ ଯାଏ ଲାଗି ରହିଲା ଲିପ୍ସାକୁ, ଟାଇଫଏଡ଼ ହୋଇଗଲା ତାକୁ।ସେଇ ଭୟରେ ଆଉ ମାଇଁ ସଙ୍ଗେ ତାଙ୍କ ଘରକୁ ଯାଇନି କେବେ ବି।

      ଏବେ କିନ୍ତୁ ମୋତେ ଚାଳିଶି ଛୁଉଁବି ଛୁଇଁବ ହେଲାଣି।ଘର ସଂସାର ବି କଲେଣି। ଦିଟା ପୁଅ ଓ ଝିଅର ବାପା ।କେତେ ବର୍ଷା ଓଦା କଲାଣି, କରୁଛି ଏବେ ବି। କିନ୍ତୁ ଲିପ୍ସାକୁ ଜାବୁଡି ଧରି ଓଦା ହେବା ଆନନ୍ଦ କେବେ ବି ମିଳିନି ଏଯାଏ।ସେ କଥା ମନେ ପଡ଼ିଲେ ବର୍ଷା ନ ଥିଲେ ବି ମୋ ଉପରେ ବର୍ଷି ଯାଏ ଅସରାଏ ବର୍ଷା। ମନେ ପଡେ ଲିପ୍ସା ଛେଳି କଥା। ବହେ ହସେ ମନେ ମନେ କୋମଳ କୈଶୋର ପ୍ରାଣର ପାଗଲାମୀ କଥା ଭାବି।ହା ହା ଲିପ୍ସା ପୁଣି ଛେଳି!

     ସେଇ ଛେଳିଟା ଏବେ ସତସତିକା ଜଣେ ବାଘ ପୋଲିସ୍ ଅଫିସର,ଲିପ୍ସା ଚୌଧୁରୀ। ସେ ମୋ ପରି କଣ ମନେ ପକାଉଥିବ ସେଇ ବର୍ଷାର ଓଦା କଥା !!ମନେ ଥିବ ତାର ସେ ଛେଳିରୁ କେମିତି ବାଘ ହେଲା !



Rate this content
Log in