Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମିନିର ଗଛ
ମିନିର ଗଛ
★★★★★

© Arabinda Rath

Inspirational Tragedy

13 Minutes   3.8K    14


Content Ranking

ଅରବିନ୍ଦ ରଥ

ମିନି ସେଦିନ ଭାରି ଖୁସିରେ ହାତରେ ଏକ ଗୋଲାପ ଗଛ ଧରି ଘରେ ପହଞ୍ଚିଲା। ଛୋଟ କୁଣ୍ଡରେ ଗୋଲାପ ଗଛଟି ନୂଆ ଜନ୍ମ ହୋଇଥିବା ଛୁଆଟିଏ ପରି ଦିଶୁଥାଏ। ବଡ ଯତ୍ନ ସହକାରେ ମିନି ସେ ଗଛକୁ ନେଇ ଘରେ ସବୁ ଲୋକଙ୍କୁ ଦେଖେଇ କହିଲା “ ଦେଖ ସବୁ, ମୋ ନୂଆ ଗଛ। ଆଜି ଠାରୁ ସେ ମୋ ପାଖରେ ରହିବ ସଦା ବେଳେ। ମୁଁ ତାର ଯତ୍ନ ନେବି ଓ ତାକୁ ଏକ ବଡ ଗଛ କରିଦେବି। ସେଥିରେ ସବୁ ଦିନ ଫୁଲ ଫୁଟିବ, ସେ ଫୁଲରେ ଠାକୁର ପୂଜା ହେବେ। ଏମିିତି କେତେକଥା ଅନବରତ କହି ଚାଲୁଥାଏ ମିନି। ”


ମିନିର ବୟସ ଯମାରୁ ଆଠ। ପିଲାଟି ଦିନରୁ ମନରେ ଗଛ ପାଇଁ ଅହେତୁକ ଆଗ୍ରହ। ମାଆ ଯେତେବେଳେ ବାଡିରେ ଗଛ କାମ କରନ୍ତି, ମିନି ବସି ଥାଏ ତାଙ୍କରି ପାଖରେ। କେତେବେଳେ ସାର ଦିଆ ଯିବ, କେତେବେଳେ ପତ୍ର ସବୁ କଟା ଯିବ, ପୋକ ଲାଗିଥିଲେ କେମିତି ତାର ଉପଚାର କରାଯିବ , ସେସବୁ ଜିନିଷ ନିରେଖି ଦେଖେ ସେ। କେଉଁ ଗଛରେ ଫୁଲ ଫୁଟିଲେ ସବୁଠାରୁ ବେଶି ଖୁସି ହୁଏ ମିନି। ଘରେ ଗୋଟେ ପରସ୍ତ ନାଚିଯାଏ ସେ। ସତେ ଯେମିତି ବହୁତ ବଡ ଉପହାରଟେ ପାଇଯାଇଛି। ମାଆ ସଦାବେଳେ କୁହନ୍ତି “ ଆମ ମିନି ଗଛ ମାନଙ୍କୁ ନିଜ ପିଲା ପରି ଦେଖେ। କାହାର ଦେହ ଖରାପ ହେଲା, କାହା ମନ ଦୁଃଖ ସବୁ ଦିଶିଯାଏ ମିନିକୁ। ତାଙ୍କରି ପାଇଁ ତା ମନ ଖୁସି ହୁଏ ଓ ଦୁଃଖି ବି ହୁଏ। ” ସବୁ ସଦସ୍ଯଙ୍କୁ, ମିିନିର ଗଛ ପାଇଁ ଏମିତି ସ୍ନେହ ବେଶ ରୋଚକ ଲାଗେ।

ନିଜ ପଢା ଟେବୁଲରେ ସଜାଇ ରଖିଲା ଗଛଟିକୁ। ପଢା ଟେବୁଲ ଠିକ ଝରକା ପାଖରେ। ତେଣୁ ପବନ ଓ ସୂର୍ଯ୍ଯ କିରଣ ପାଇବାରେ ଅସୁବିଧା ନାହିଁ। ଗଛଟି ଛୋଟ ହେଲେ ବି ପତ୍ରରେ ଭରପୁର ହୋଇ ଥିଲା। ଦେଖିଲେ ମନ ପୁରିଯିବ। ଯତ୍ନର ସହ ଏକ କପଡା ଧରି ପତ୍ର ଗୁଡିକୁ ପୋଛି ପକେଇଲା। ସେଦିନ ଗଛର ନାମକରଣ ବି କରିଦେଲା। –

“ ଆଜିଠୁ ତୋ ନାମ ହେଲା ରୋଜି। ବୁଝିଲୁ ତ। ତୋତେ ସବୁ ସେଇ ନାଁ ରେ ଡାକିବେ। ତୁ ମୋର ପୋଷା ଗଛ। ସଦାବେଳେ ମୋ ପାଖରେ ରହିବୁ। ଯାହା ମନରେ ଦୁଃଖହେବ ମୋତେ କହିବୁ। ଦେହ ଖରାପହେଲେ କି କଣ କହିବାକୁ ଇଛାଥିଲେ ମୋତେ କହିବୁ। ” ଗଛ ସହ ଗପ ଆରମ୍ଭ କରିଦେଲା ସେ।


ସାନ ପିଲା ହେଲେ ମଧ୍ଯ ଦୁନିଆଦାରି ବିଷୟରେ ବେଶ୍ ଜ୍ଞାନଥିଲା ମିନିର। ସେ ଗଛଟିକୁ ନିଜ ଝିଅ ହିସାବରେ ପାଳିବାକୁ ଲାଗିଲା। ପାଣି ଦେଇ ସାରି ପଚାରେ “ ଦେଖିଲୁ, ଆଉ ପାଣି ପିଇବୁ ନା ସେତିକି।। ଶୁଖିଲା ପତ୍ର ଛିଡାଇ ଦେଇ ପଚାରେ “ତୋତେ କାଟୁନି ତ?” ଭାଇ ଭଉଣୀ ମାନେ ଗଛ ପାଖକୁ ଆସିଲେ ମିନି ବାରଣ କରି କୁହେ, କେହି ଲାଗନି ରୋଜି ସହ। ସେ ପିଲା ଟା। ତା ପତ୍ର କେହି ଛିଡାଇବନି, ତାକୁ କାଟିବ। ସେମାନେ ବି ସଜାଗ ହୋଇ ବସନ୍ତି ଗଛ ପାଖରେ। ବହୁତ ସମୟ ଯାଏ ଚାହିଁ ରୁହନ୍ତି। ପଚାରନ୍ତି --

– “ ମିନି ଅପା ,

କେବେ ରୋଜି ଆମକୁ ଫୁଲ ଦେବ ”

ମିନି କୁହେ “ ରୋଜିକୁ ଏମିତି ବ୍ଯସ୍ତ କରନି, ସେ ଆଗ ବଡ ହୋଇଯାଉ। ଏତେ ଫୁଲ ଦେବ ଯେ ସମ୍ଭାଳି ପାରିବନି। ଏମିତି କହି ହସିହସି ଗଡି ଯାଏ। ସାନ ଭାଇ ଭଉଣି ମାନେ କିଛି ବୁଝି ନ ପାରି ମିନି ମୁହଁକୁ ବଲବଲ କରି ଚାହାନ୍ତି।

ସ୍କୁଲ ଗଲା ବେଳକୁ ମିନି ସେ ଗଛଟିକୁ ସବୁ ଦିନ କୁହେ, ତୁ ଯମା ଡରିବୁନି। ଏଇଟା ତୋ ନୂଆ ଘର। ତୁ ଆରାମରେ ଖାଇିପିଇ ଥିବୁ। ମୁଁ ଜଲଦି ପଳେଇ ଆସିବି ସ୍କୁଲରୁ। ତା ପରେ ଆମେ ବହୁତ ଗପିବା। ଫେରିବା ପରେ ଦଉଡି ଯାଏ ଗଛ ପାଖକୁ। ହାତରେ ଟେକି ଗେଲ ଟିିକେ କରିଦିଏ। କୁହେ, ସଦାବେଳେ ଖୁସିରେ ଥାଆ, ମୁଁ ଅଛି ତୋ ପାଖେପାଖେ। ସବୁ ଦିନର କାମ ହେଲା, ଗଛର ପତ୍ର ମାନଙ୍କୁ ନିରେଖି ଦେଖେ। କାଳେ କେଉଁଠି ପୋକ ଲାଗିଥିବ କି ପତ୍ର ପୋଡି ଯାଇଥିବ। ଯଦି ସେମିତି କିଛି ଆଖିରେ ପଡେ ସାଙ୍ଗସାଙ୍ଗେ ସଫାକରି ଦିଏ ସେ। କୁନି ପିଲାଙ୍କ ଯତ୍ନ ନେଲା ପରି ଗଛର ଯତ୍ନ ନିଏ। ଘରଲୋକ ମାନଙ୍କୁ ଟିକେ ଅଜବ ଲାଗେ ମିନିର ବ୍ଯବହାର। ସଦା ବେଳେ ଗଛ ପଛରେ ସମୟ କାଟିବା ଭଲ ଲାଗେନି ସେମାନଙ୍କୁ।


ଦିନେ ସକାଳୁ ମିନି ଜୋରରେ କାନ୍ଦିକାନ୍ଦି ମାଆଙ୍କ ପାଖକୁ ଆସି କହିଲା ଯେ ରୋଜିର ଦେହ ଖରାପ ହୋଇ ଯାଇଛି। ପତ୍ର ସବୁ ଶୁଖିଲା ପରି ଦିଶୁଛି। କିଛି ପତ୍ରଝଡି ଯାଇଛି। ରୋଜିର କିଛି ହେଇ ଯିବନି ତ?

ମାଆ କହିଲେ ଯମାରୁ ବ୍ଯସ୍ତ ହୁଅନି ରେ ଝିଅ। କିଛି ହୋଇନି ତୋ ରୋଜିର। ସବୁ ଗଛର ପତ୍ର ସେମିତି ଝଡେ ଓ ନୂଆ ପତ୍ର କଁଅଳେ। ତୁ ଅଧର୍ଯ୍ଯ ହେଲେ ଚଳିବନି। କିଛି ଦିନ ଅପେକ୍ଷା କର, ପୁଣି ବହୁତ ପତ୍ର କଅଁଳିବ।

ସତକୁ ସତ ସବୁ ପତ୍ର ଝଡି ଗଛ ଟା ଲଣ୍ଡା ଦିଶିଲା। ମିନି ମନ ଏତେ ଦୁଃଖ ହେଲା ଯେ ସେ ଖାଇବା ପିଇବା ଛାଡି ଦେଲା। ସଦାବେଳେ ସେଇ ଗୋଟିଏ ଚିନ୍ତା, ତା ରୋଜିର କଣ ହୋଇଗଲା। ଗଛ ପାଖରେ ବସି ଲୁହ ଗଡାଇ କୁହେ ତୋର କଣ ହେଲା ରୋଜି। କଣ ପାଇଁ ତୋର ଏମିତି ହେଲା। ଜଲଦି ଭଲ ହୋଇ ଯା। ଏମିତି ଚିନ୍ତା ରେ ପଡି ପଡି ମିନି କୁ ଜ୍ବର ହୋଇଗଲା। ଶୋଇଲା ବେଳେ ବିି ସେ ବାଉଳେଇ ହୋଇ କହୁଥାଏ “ ଜଲଦି ଭଲ ହୋଇ ଯା ରୋଜି , ମୋତେ ଛାଡି କୁଆଡେ ଯାଆନି। ”

ଡାକ୍ତର ଆସି ଦେଖିଲେ ମିନି କୁ। କହିଲେ ଅତ୍ଯଧିକ ମାନସିକ ଚାପ ପାଇଁ ପିଲାଟିକୁ ଜ୍ବର ଛାଡୁନି। ଉପଦେଶ ଦେଲେ ତାକୁ ଖୁସି ରଖିବା ପାଇଁ। ଗଲା ବେଳେ କହିଲେ “ ବ୍ଯସ୍ତ ହେବାର କିଛି ନାହିଁ। ଯେତେବେଳେ ପିଲା ର ମନ ଭଲ ହୋଇଯିବ ଦେହ ବି ଠିକ ହୋଇଯିବ।” ମିନି ଓ ରୋଜି ପାଖାପାଖି ଥାଆନ୍ତି। ଦୁଇ ଜଣ ଅସୁସ୍ଥ। ଘର ଲୋକ ବ୍ଯସ୍ତ ହେବା ସ୍ବାଭାବିକ।

ମିନି ଶୋଇଯିବା ପରେ ମାଆ ଯାଇ ଦେଖିଲେ ସେ ଗୋଲାପ ଗଛଟିକୁ। କୁଣ୍ଡରୁ କାଢି ଦେଖିଲା ବେଳକୁ ଗଛର ଚେର ରେ ଉଈ ଲାଗି ଯାଇଛି। ଏତେ ବେଳକେ କାରଣ ଟି ଜାଣି ମାଆ ଆଶ୍ବସ୍ତ ହେଲେ। ଗଛର ଏପରି ଅବସ୍ଥାର କାରଣ ଉଈ। ଅତି ଯତ୍ନର ସହକାରେ ମୁଳରୁ ସବୁ ମାଟି କାଢି ମାଆ ଉଈ ସବୁ ସଫା କରିଦେଲେ। ନୂଆ ମାଟିରେ କିଛି ସାର ଦେଇ ପୁଣି ଥରେ ଗଛଟିକୁ ପୋତି ଦେଲେ କୁଣ୍ଡରେ। କିଛି ହରମୋନ୍ ମଧ୍ଯ ଦେଇଦେଲେ ଗଛଟି ଠିକରେ ବଢିବା ପାଇଁ। ଗଛଟି ଏଥର ବଞ୍ଚିଯିବ ଏ କଥା ମାଆ ଜାଣିଥିଲେ।

ତା ପର ଦିନ ସକାଳେ ମିନି ଦେଖିଲା ଗଛଟି ସୁସ୍ଥ ଦିଶୁଛି। ଖୁସିରେ ମାଆଙ୍କୁ ଡାକ ପକେଇ କହିଲା “ମାଆ ଆସ ଦେଖିବ, ରୋଜିର ଦେହ ଆଜି ବୋଧେ ଭଲ ଅଛି। ତା ସ୍ବରରେ ଉତ୍ସାହ ଥିଲା। ମାଆ ଜାଣିଗଲେ ଏବେ ମିନିର ଦେହ ବି ଠିକ ହୋଇଯିବ। ସତ କୁ ସତ ସଂନ୍ଧ୍ଯା ବେଳକୁ ଗଛର ରୂପରେ ଆଶ୍ଚର୍ଯ୍ଯଜନକ ପରିବର୍ତ୍ତନ ଆସିଲା। ମିନି ଧିରେଧିରେ ସୁସ୍ଥ ହେବା ଆରମ୍ଭ କଲା। ତା ପର ଦିନ ସକାଳେ ମିନି ଓ ରୋଜି ପୁଣି ସୁସ୍ଥ ହୋଇଗଲେ। ମିନି ଗଛଟି ପାଖରେ ବସି କହିଲା “ଦେଖିଲୁ ତ, ତୋ ଦେହ ଖରାପ ଥିଲା ବୋଲି ମୁଁ ବି ଅସୁସ୍ଥ ହୋଇଗଲି। ତୁ ସଦା ବେଳେ ଭଲରେ ରହିଲେ ମୁଁ ବି ଭଲରେ ରହିବି। ଗଛ ଟି କେମିତି ଭଲ ହେଲା ସେ କଥାଟି ମାଆ ଗୁପ୍ତ ରଖିଲେ। କିଛିଦିନ ଗଲା ପରେ ମିନିର ଗଛ ଛନଛନିଆ ହୋଇ ବଢିବାକୁ ଲାଗିଲା। ଦେହରେ ପତ୍ରର ଅପୂର୍ବ ସମ୍ଭାର। କୁଣ୍ଡ ଭିତରେ ଗଛଟିକୁ ଦେଖିଲେ ପେଟ ପୁରି ଯିବ। ଦିନେ ସ୍କୁଲରୁ ଫେରି ମିନି ଦେଖିଲା ଗଛଟି ଦେହରେ କଅଁଳିଛି କିଛି କଢ। ଦେଖି ତା ମନ କୁଣ୍ଢେମୋଟ ହୋଇଗଲା। ଖୁସିରେ ପରସ୍ତେ ନାଚି ଗଲା ସେ। ସମସ୍ତଙ୍କୁ ବୁଲିବୁଲି କହିଲା--

“ ରୋଜି ଦେହରେ ଏବେ ଫୁଲ ଫୁଟିବ। କେତେ ସୁନ୍ଦର ଦିଶିବ ସେ। ସେ ଫୁଲ ଠାକୁରଙ୍କୁ ଲଗେଇବା।”

ଘରଲୋକେ ବି ଖୁସି ହୋଇଗଲେ ଖବରଟି ଶୁଣି। ସବୁ ଯାଇ ଦେଖିଲେ। ସତ କୁ ସତ ପାଞ୍ଚ ଦଶ ଟି କଢ ଆସିଥିଲା ଗଛଟିରେ। ସେଦିନ ରାତିରେ ରୋଜି ଆଖିରେ ନିଦ ନାହିଁ। କେତେ ବେଳେ ଫୁଲ ଫୁଟିବ ଚାହିଁ ରହିଲା। କେତେ ବେଳେ ଆଖି ପଡି ଯାଇଛି ତାର। ଏକ ସ୍ବପ୍ନ ଦେଖିଲା। ରୋଜି ଏକ ଝିଅରେ ରୂପାନ୍ତରିତ ହୋଇଯାଇଛି। ହାତରେ ଧରିଛି ବହୁତ ଗୁଡିଏ ଫୁଲ। କହୁଛି “ ନିଅ ମିନି ନାନୀ ଏସବୁ ତୁମ ପାଇଁ। କେତେ କଣ ଗପି ଯାଉଛି ରୋଜି।”

ନିଦ ଭାଙ୍ଗିଗଲା ମିନିର। ଦେଖିଲା ବେଳକୁ ରୋଜି ଦେହରେ ଫୁଟିସାରିଛି ଫୁଲ। ଯାହା ଦେଖିଲା ତାହା ସ୍ବପ୍ନ ନା ସତ୍ଯ ଜାଣି ପାରିଲାନି। ଘଣ୍ଟା ଦେଖିଲା ରାତି ଚାରିଟା ବାଜିଛି। ଏତେ ରାତି ରେ କାହାକୁ ଉଠେଇ ଦେବ ଏ ଖୁସି ଖବର। ଖୁସିରେ ତା ଆଖିରୁ ନିଦ ହଜି ଗଲା। ଲାଲ୍ ରଙ୍ଗର ଫୁଲ ଗୁଡିକ ଏତେ ସୁନ୍ଦଦର ଦିଶୁଥିଲା ଯେ ସେଠାରୁ ନଜର ହଟେଇବା ମୁସ୍କିଲ ଥିଲା ମିନି ପାଇଁ।

ତୁ କଣ ସତରେ ମୋ ପାଖକୁ ଆସିଥିଲୁ ରୋଜି, ପଚାରିଲା ମିନି। ମୁଁ ତୋତେ ବହୁତ ଭଲ ପାଏ। ଗଛଟିକୁ ଗେଲ କରି ପକେଇଲା ମିନି।

ସେଦିନ ସକାଳେ ଘରେ ଗୋଟେ ଉତ୍ସବର ଆୟୋଜନ ହୋଇଗଲା। ମିନିର ରୋଜି ଆଜି ଫୁଲ ଦେଇଛି। ଲାଲ ଗୋଲାପ ଫୁଲ। ବଗିଚାରେ ଯେତେ ଗଛ ଅଛି ସବୁଠାରୁ ସୁନ୍ଦର ଫୁଲ ରୋଜି ଗଛର। ମାଆ ବି ସେଇ କଥା କହିଲେ। ଏତିକି ଶୁଣି ମିନି ର ମନ କୁଣ୍ଢେମୋଟ ହୋଇଗଲା। ସାନ ଭାଇ ଭଉଣୀ ମାନେ ଘରେ ପରସ୍ତେ ନାଚି ଗଲେ, ରୋଜିର ଜୟ ଗାନ କରି।

ବଡ ଭାଇ କହିଲେ “ଏତେ ସୁନ୍ଦର ଫୁଲକୁ ବଜାରରେ ବିକିଲେ ଗୋଟାକୁ ପନ୍ଦର ଟଙ୍କା ରେ ବିକ୍ରି ହୋଇଯିବ।”

ଭାଇଙ୍କ କଥା ଜମାରୁ ଭଲ ଲାଗିଲାନି ମିନି କୁ। ସେ ଭେଁ ଭେଁ କରି କାନ୍ଦି ପକେଇଲା।

“ମୋ ରୋଜିର ଫୁଲ ମୁଁ କାହାକୁ ଦେବିନି। ତା ଫୁଲ ମୁଁ କେବେ ବି ବଜାରରେ ବିକ୍ରି କରିବାକୁ ଦେବିନି। ସେ ମୋ ରୋଜି। କେବଳ ମୋର ସେ।”

ବଡ ଭାଇ ବହୁତ୍ ବୁଝାଇ ଶାନ୍ତ କଲେ ମିନିକୁ। କହିଲେ “ ଆରେ ବୋକି ମୁଁ କଣ ତୋ ଫୁଲ ବିକ୍ରି କରିବା କଥା କହୁଥିଲି କି ? ମୁଁ କହିଲି ଏ ଫୁଲ ଏତେ ସୁନ୍ଦର ଯେ, ଯିଏ ଦେଖିବ ସିଏ ଲୋଭେଇ ଯିବ।

ମିନି ବୁଝିଲା ପରେ ଚୁପ୍ ହେଲା। ବାପା ଅଫିସରୁ ଆସିଲା ପରେ ମିନି ଦେଖେଇଲା ରୋଜିର ଦେହରେ ଆସିଥିବା ଫୁଲର ଅପୂର୍ବ ସମ୍ଭାରକୁ। ବାପା ଖୁସି ହୋଇଗଲେ ଓ କହିଲେ “ ଆରେ ବାଃ ମିନି, ଏତେ ସୁନ୍ଦର ଫୁଲ ଦେଖି ମୋ ମନ ପୁରା ଖୁସି ହୋଇଗଲା। ବହୁତ ଭଲରେ ରଖିଛୁ ରୋଜି କୁ। ସେଇଥି ପାଇଁ ସେ ଦେଲା ଏତେ ଭଲ ଫୁଲ।” ମୁଣ୍ଡ ଟୁଙ୍ଗାରିଲା ମିନି।


ବାପା ମାଆ କଥା ହେଉଥିଲେ ଯେ ମିନିର ଗଛଟି ପୁରା ଫଟୋରେ ଦିଶୁଥିବା ଗଛ ପରି ଦିଶୁଛି। ବାପା କହିଲେ

“ ଆସନ୍ତା କାଲି ଆମ ଅଫିସର ଘରକୁ ଆସିବେ ବୋଲି କହିଛନ୍ତି। ତାଙ୍କର ଚର୍ଚ୍ଚା ଭଲରେ କରିବାକୁ ହେବ। କିଛି ରୋଷେଇ କରି ଆପ୍ଯାୟିତ ନ କଲେ ଆଗକୁ ଅଛି ପ୍ରମୋଶନ। ଆରେ ହଁ ,କାଲି ଘରକୁ ଟିକେ ସଜେଇ ରଖିବାକୁ ହେବ। ଡାଇନିଂ ଟେବୁଲରେ ଖାଇଲା ବେଳେ ମିନି ର ଗୋଲାପ ଗଛଟିକୁ ରଖିଦେଲେ ବହୁତ ସୁନ୍ଦର ଦିଶିବ।”

ମାଆ ବି ରାଜି ହେଲେ ସେ କଥାରେ।

ମିନି ଖୁସି ହୋଇଗଲା। ଦଉଡିଗଲା ଗଛ ପାଖକୁ।

କହିଲା “ ମୋ ସୁନ୍ଦରୀ ରୋଜି। ତୁ ଏତେ ସୁନ୍ଦର ହେଇଛୁ ବୋଲି କାଲି ବାପାଙ୍କ ଅଫିସର ତୋତେ ଦେଖିବେ। ଆଉ କିଛି ଫୁଲ ଫୁଟେଇ ଦେ, ବହୁତ ସୁନ୍ଦର ଦିଶିବୁ।”

ଏଠାରେ କହିବା ବାହୁଲ୍ଯ ଯେ ତା ଗଛରୁ ଗୋଟିଏ ଫୁଲ କାହାକୁ ଦେଇ ନ ଥିଲା ମିନି। ମନରେ ଭୀଷଣ ଲୋଭ। କିଏ ଫୁଲ ମାଗିଲେ କୁହେ “ ରୋଜି କୁ କଷ୍ଟ ହେବ ଫୁଲ ଛିଡେଇଲେ।”

ତେଣୁ ଗଛରେ ଫୁଲ ଖୁନ୍ଦି ହୋଇଥାଏ।

ସେଦିନ ଠିକ ସମୟରେ ଆସି ଅଫିସର ପହଞ୍ଚିଗଲେ। ତାଙ୍କ ସାଙ୍ଗରେ ତାଙ୍କ ପାଞ୍ଚ ବର୍ଷର ଝିଅ ଓ ଧର୍ମପତ୍ନୀ। ସସମ୍ମାନେ ସେମାନଙ୍କୁ ଆଣି ଘରେ ବସାଇଲେ ବାପା ଓ ମାଆ। ମିନି ଓ ତାର ଭାଇ ଭଉଣୀ ମାନେ ଆସି ଅଫିସରଙ୍କୁ ନମସ୍କାର କଲେ। ଅଫିସର ଘର ର ସାଜସଜ୍ଜା ଦେଖି ବହୁତ୍ ଖୁସି ହେଲେ। କିଛି ସମୟ କଥାବାର୍ତ୍ତା ପରେ ବାପା ଡାକିଲେ ଅଫିସରଙ୍କୁ ଖାଇବା ପାଇଁ। ଅଫିସରଙ୍କ ସ୍ତ୍ରୀ ଭାରି ଖୁସି ହେଲେ ମିନିର ଫୁଲ ଗଛ ଦେଖି। ଏତେ ଫୁଲ ପୁଟିଥିବା ଦେଖି ସେମାନେ ବହୁତ ଆଶ୍ଚର୍ଯ୍ଯ ହେଲେ। ମିନିର ବାପା ମାଆ ସେ ଗଛ ବିଷୟରେ ବର୍ଣ୍ଣନା କଲେ। କେମିତି ସେ ଗଛଟିକୁ ମିନି ନିଜ ଝିଅ ବୋଲି କହି ତାର ଯତ୍ନ ନେଉଛି ସେ କଥା ବି କହିଲେ। ମିନି ଖୁସିରେ କୁରୁଳି ଉଠୁଥାଏ। ଖାଇଲା ବେଳେ ମିନି ଲକ୍ଷ୍ଯ କଲା ଅଫିସରଙ୍କ ସ୍ତ୍ରୀ ବାରମ୍ବାର ଗଛଟିକୁ ଆଉଁସି ବାର। ମନରେ ତାର ଇଛା ଥାଏ କହିଦେବା ପାଇଁ ଗଛରେ ନ ଲାଗିବାକୁ। ମାତ୍ର ବାପା କାଳେ କିଛି ଭାବିବେ ସେଥିପାଇଁ ଚୁପ୍ ହୋଇ ବସିଥାଏ। ଅଫିସର ଖୁସିରେ ଖାଇ ସାରିଲେ ଓ ବହୁତ ଖୁସି ଜଣା ପଡୁଥିଲେ। ତାଙ୍କ ନିଜ ଆଡୁ ଅଫିସରଙ୍କ ସ୍ତ୍ରୀ କହିଲେ ଏ ଗଛଟିକୁ ସାଙ୍ଗରେ ନେଇ ଗଲେ ହୁଅନ୍ତା। ଆମ ଘରେ ବହୁତ୍ ସୁନ୍ଦର ଦିଶିବ ଏ ଗଛଟି। ଅଫିସର ବି କହିଲେ ହଁ ଭଲ କଥାଟେ କହିଲ, ମୁଁ ବି ସେଇଆ ଭାବୁଥିଲି। ଏ କଥା ଶୁଣି ମିନି ପାଦ ତଳୁ ଭୁଇଁ ଖସିଗଲା ପରି ଲାଗିଲା। ହଠାତ୍ ସେ କାନ୍ଦିବା ଆରମ୍ଭ କରିଦେଲା। ମିନିର ବାପା ମାଆ ଏମିତି କିଛି ଗୋଟେ ଘଟିବ ସେଥିପାଇଁ ଆଦୌ ପ୍ରସ୍ତୁତ ନଥିଲେ। ଏ ପରିସ୍ଥିତିରେ ସେମାନେ କଣ କହିବେ ବା କଣ କରିବେ ମୁଣ୍ଡକୁ କିଛି ଜୁଟିଲାନି। ଗୋଟେ ପଟେ ଅଫିସରଙ୍କୁ ମନା କରି ବାର ସାହାସ ନଥିଲା, ଅନ୍ଯ ପଟେ ମିନି ପାଖରୁ ଗଛ ନେଇଯିବା ଅର୍ଥ ମିନିର ଜୀବନ ନେଇଯିବା। ସେମାନେ ମୁଣ୍ଡ ପୋତି ଠିଆ ହୋଇ ରହିଲେ। ଅଫିସର ଟିକେ ବିରକ୍ତ ହେଲା ପରି କହିଲେ--

“ କଣ ଗଛଟି ମିଳିବ କି ନାହିଁ। ନା ଆମେ ଯିବୁ।”

ତାଙ୍କ ସ୍ତ୍ରୀ ଙ୍କ ମୁହଁରେ ବି ବିରକ୍ତିର ଚିହ୍ନ। ସେ ଟିକେ ଚିଡିଲା ପରି କହିଲେ “ ମିନି ତୁମେ ଆଉ ଗୋଟେ ଗଛ ଆଣି ନିଜ ପାଖରେ ରଖ। ଏ ଗଛଟା ଆମକୁ ଦେଇଦିଅ। ମିନି ତାଙ୍କ କଥା ଶୁଣି ବେଶି କାନ୍ଦିଲା।

ଅଫିସରଙ୍କ ଝିଅ କାହାକୁ ଅପେକ୍ଷା ନକରି ଗଛର ଛୋଟ କୁଣ୍ଡକୁ କାଖେଇ ଧରି କହିଲା-

“ ବାପା ଚାଲ ଯିବା। ଏ ଗଛଟି ମୋର। ମୁଁ ତାକୁ ନିଜ ପାଖରେ ରଖିବି।”

ମିନି ଆଉ ସମ୍ଭାଳି ପାରିଲାନି। କହିଲା ମୋ ରୋଜି କୁ ମୋତେ ଦେଇ ଦେ। ଏତିକି କହି ଗଛଟିକୁ ଛଡାଇ ନେଲା ସେ ଝିଅ ପାଖରୁ। ଅଫିସର ରାଗରେ ନିଆଁବାଣ ହୋଇଗଲେ। ମିନିର ବାପାଙ୍କୁ କହିଲେ--

“ ଅାପଣଙ୍କ ଝିଅକୁ ଭଦ୍ରାମୀ ଜଣା ନାହିଁ ନା କଣ। ମୋ ଝିଅକୁ କନ୍ଦେଇ ଦେଲା । ଏତେ ସାହାସ। ଏବେ ଆମେ ଆସୁଛୁ। ଆପଣ ଗଛଟିକୁ ନେଇ ଗାଡି ପାଖକୁ ଆସନ୍ତୁ।”

ମିନିର ବାପା ହତବାକ୍ ହୋଇଗଲେ। ମିନିର କାନ୍ଦକୁ ଅଣଦେଖା କରି , ମିନିର ଜୀବନ ଠାରୁ ବି ଅଧିକ ପ୍ରିୟ ରୋଜି କୁ ହାତରେ ଧରି ବାଧ୍ଯ ପିଲା ପରି ଚାଲିଲେ ଅଫିସରଙ୍କ ପଛରେ। ବାରମ୍ବାର ଭୁଲ ମାଗିବା ପରେ ବି ଅଫିସରଙ୍କ ରାଗ ଶାନ୍ତ ହେଲାନି।

ଅଫିସରଙ୍କ ଗାଡି ଧୂଆଁ ଉଡେଇ ଚାଲିଗଲା ମିନିର ପ୍ରାଣକୁ ସାଙ୍ଗରେ ନେଇ।

ମିନି ପାଗଳପ୍ରାୟ ହୋଇଗଲା। ଭୂଇଁରେ ଲୋଟି କାନ୍ଦିଲା। ଏମିତି କିଛି ଘଟିଯିବ ତା କଳ୍ପନା ବାହାରେ ଥିଲା। ସେ ବାପାଙ୍କ ଗୋଡ ଧରି କହିଲା –

“ ବାପା, ମୋ ରୋଜିକୁ ମୋ ପାଖକୁ ଆଣ ଭାରି। ସେ ମୋତେ ଖୋଜିଖୋଜି ମରିଯିବ। ତୁମ ସାରଙ୍କୁ କୁହ ତାକୁ ମୋତେ ଦେଇଦେବେ। ତାଙ୍କର ତ ବହୁତ ପଇସା। ସେ ନିଜେ ବଜାରରୁ ଆହୁରି ଭଲ ଗଛ କିଣି ପାରିବେ। ମାଆ, ତୁ ଟିକେ ବାପାଙ୍କୁ କହ। ସେ ଜମା ଶୁଣୁ ନାହାନ୍ତି।

ମିନିର କଣ୍ଠ ବାଷ୍ପରୁଦ୍ଧ ହୋଇ ଆସୁଥାଏ। ଯେତେ ଉଠେଇଲେ ବି ସେ ସେମିତି ପାଗଳ ପରି କାନ୍ଦୁଥାଏ। ସେ ରାହା ଧରି କାନ୍ଦିବା ଆରମ୍ଭ କଲା। କେବଳ ରୋଜି ରୋଜି ହୋଇ ଅଚେତହୋଇ ପଡିଗଲା।

ବାପା ମିନିକୁ ଉଠାଇଲା ବେଳେ ଦେଖିଲେ ଦେହରେ ଭୀଷଣ ଜ୍ବର। ତାକୁ ନେଇ ଶୁଆଇ ଦେଲେ ଶେଯରେ। ଆଖିରୁ ଅନବରତ ବୋହି ଯାଉଥାଏ ଲୁହ। ଏମିତି ଅବସ୍ଥା ଦେଖି ପଥର ବି ତରଳି ଯିବ। ବେଳ କୁ ବେଳ ମିନିର ଅବସ୍ଥା ଖରାପ ହେବାକୁ ଲାଗିଲା। ଶେଷରେ ଡାକ୍ତରଙ୍କ ପାଖକୁ ନେବାକୁ ପଡିଲା ମିନିକୁ। ପରିକ୍ଷା କଲା ପରେ ଡାକ୍ତର କହିଲେ ମିନିର ମନରେ ଲାଗିଛି ଭୀଷଣ ମାନସିକ ଆଘାତ। ଅଳ୍ପ ବୟସ ହେତୁ ସେ ଆଘାତ ସମ୍ଭାଳିବାର କ୍ଷମତା ମିନିର ନାହିଁ। ବେଶି ସମୟ ଏମିତି ଲାଗି ରହିଲେ ମିନିର ଜୀବନ ପ୍ରତି ବିପଦର ଆଶଙ୍କା ରହିଛି। ଡାକ୍ତରଖାନା ପିଣ୍ଡାରେ ଲଥ୍ କରି ବସି ପଡିଲେ ମିନିର ବାପା। ନିଜକୁ ଧିକ୍କାର କରିବାରେ ଲାଗିଲେ। ଯଦି ମିନିର ଗଛଟିକୁ ଖାଇବା ଟେବୁଲରେ ନ ରଖି ଥାଆନ୍ତେ ଏ ଅବସ୍ଥା ଦେଖିବାକୁ ପଡି ନ ଥାନ୍ତା। ଏବେ ଗଛ ତ ଗଲା, ତା ସହ ମିନିର ଜୀବନ ବି ବାଜିରେ ଲାଗିଗଲା।

ଯେତେ ଯାହା କଲେ ବି ମିନିର ହୋସ ଆସୁନି। ଆଖି ବନ୍ଦ କରି ପାଗଳଙ୍କ ପରି ପ୍ରଳାପ କରି କହୁଛି--

“ ରୋଜି ତୁ ମୋତେ ଛାଡି କୁଆଡେ ଯାଆନି। ମୋ ସୁନାଟା ପରା। ତୋ ଫୁଲ କେତେ ସୁନ୍ଦର ହୋଇଛି ଜାଣିଛୁ ? ଏମିତି ଫୁଲ ଆଉ କାହା ପାଖରେ ନାହିଁ। ତୋର କଣ ଦରକାର ମୋତେ କହ। ଡର ଲାଗୁଛି କି ତୋତେ ? ଯମା ଡରନି। ମୁଁ ତୋ ପାଖରେ ଅଛି ପରା। କେହି ନେବେନି ତୋତେ। ତୁ ପରା ମୋର.......

ପୁଣି ଯୋରରେ କାନ୍ଦି କହୁଛି ନିଅନି ମୋ ରୋଜିକୁ ମୋ ପାଖରୁ। ତାକୁ ନେଲେ ମୁଁ ମରିଯିବି। ସେ ବି ବଞ୍ଚିବନି ମୋ ବିନା। ଅଲଗା କରନି ଆମକୁ। ଛାଡିଦିଅ.........

ମିନି କପାଳରେ ହାତ ରଖିଲେ ମାଆ। ବେଳକୁ ବେଳ ଦେହର ଉତ୍ତାପ ବଢି ଚାଲିଛି। ଏମିତି ଚାଲିଲେ ସେ ପାଗଳ ହୋଇଯାଇପାରେ। ସେ ଭାବିଲେ ଅଫିସରଙ୍କ ଘରକୁ ଯିବେ। ମାଗି ଆଣିବେ ମିନିର ଗଛ। କିନ୍ତୁ ବାପା କହିଲେ ଯେ କାଳେ ଅଫିସର ବିରକ୍ତ ହୋଇ ଗାଳିଗୁଲଜ କରିବେ। ରାଗିଲେ ତାଙ୍କ ଚାକିରି ଉପରେ ବିପଦ ଅଛି। ଚକ୍ରବ୍ଯୁହରେ ଫସି ଯାଇଥିଲେ ବାପା। ଗୋଟେ ପଟେ ତାଙ୍କ ଅଲିଅଳି ଝିଅର ଜୀବନ ଓ ଅନ୍ଯପଟେ ତାଙ୍କ ଚାକିରି।

ସକାଳ ହୋଇ ଆସୁଥିଲା। ବାପା ମନସ୍ଥ କରିନେଇଥିଲେ କଣ କରିବାକୁ ହେବ। ସାଇକେଲରେ ଚାଲିଲେ ଅଫିସରଙ୍କ ଘରକୁ। ବାଟ ସାରା ଭାବୁଥାଆନ୍ତି କଣ କହିବେ ଓ କେମିତି ମାଗିବେ ଗଛ। କେତେବେଳେ ଆସି ଅଫିସରଙ୍କ ଘର ଆଗରେ ପହଞ୍ଚିଗଲେ ଜଣା ବି ପଡିଲାନି।

ଗେଟ ପାଖରେ ଥିବା ବାହାଦୁରକୁ ସବୁ କଥା କହି କାନ୍ଦି ପକେଇଲେ। ଟିକେ ହାଲୁକା ଲାଗିଲା ମନ। ବାହାଦୁରର ବୟସ ପାଖାପାଖି ୬୦ ହେବ। ସେ ବୁଝି ପାରିଲା ମନର ବେଦନା। ଏକଥା ବି କହିଲା ଯେ ଗତକାଲି ରାତିରେ ଫୁଲ ଗଛକୁ ନେଇ ଅଫିସର ଓ ତାଙ୍କ ସ୍ତ୍ରୀଙ୍କ ଭିତରେ ଜୋରଦାର ଗଣ୍ଡଗୋଳ ଲାଗିଛି। ଅଫିସର ବିରକ୍ତ ହୋଇ ପତ୍ନୀଙ୍କୁ କହିଲେ---

“ କଣ ଯୁଆଡେ ଯାହା ଦେଖିବ ସବୁ ଉଠେଇ ନିଜ ଘରେ ପୁରେଇ ଦେବ ନା କଣ ? ଏମିତି କରିକରି ମୋ ଘର ଜିନିଷରେ ଭରିଗଲାଣି। ଚୌକି, ଟେବୁଲ, ଖଟ, ଟେଲିଭିଜନ ଆଉ ଯେତକ ସଜେଇବା ଜିନିଷ ଘରେ ଅଛି, ସବୁ ତ ଏଇ ଉପାୟରେ ହାତେଇଚ ତୁମେ। ଶେଷରେ ଫୁଲ ଗଛକୁ ବି ଛାଡିଲନି। ମୋ ଇଜ୍ଜତ ପାଇଁ ଟିକେ ବି ସଚେତନ ନୁହଁ ତୁମେ। ମୋ ଅଧସ୍ତନ କର୍ମଚାରୀ ସେ। କଣ ଭାବିଥିବ ? ତା ପିଲାର ଅବସ୍ଥା ଦେଖିପାରିଲନି, କେମିତି ବିକଳ ହୋଇ କାନ୍ଦୁଥିଲା। ସେ ଜାଗାରେ ବାଧ୍ଯହୋଇ ତୁମକୁ ସମର୍ଥନ କଲି। ମାତ୍ର ମୋ ବିବେକ ମୋତେ ଜାଳି ପୋଡି ଦେଉଥିଲା। ସେ ଝିଅର ନିରୀହ ଆଖିରେ ଥିବା ଘୃଣା ଓ ଅବିଶ୍ବାସ ଭାବ ଦେଖିପାରିଲନି ତୁମେ। ପଥର ହୋଇ ଗଲଣି ତୁମେ। କେବଳ ଲୋଭ ଛଡା ତୁମ ଜୀବନରେ ଆଉ କିଛି ନାହିଁ।

ଏତିକି ଶୁଣି ଅଫିସରଙ୍କ ସ୍ତ୍ରୀ ନିଆଁବାଣ ହୋଇ ମନଇଛା ଗାଳି ଦେଲେ। କହିଲେ –

“ ତୁମ ପରି ନିକମା ଲୋକ କୁ ବାହା ହୋଇ ମୋ ଜୀବନ ନର୍କ ହୋଇ ଯାଇଛି। ବେଶି ସଚ୍ଚୋଟ ପଣିଆ ଦେଖେଇ ହେଉଛ ତୁମେ। ତୁମ ସାଙ୍ଗସାଥି ମାନେ ମହଲ ପରେ ମହଲ ଠିଆ କଲା ବେଳକୁ ତୁମେ ସେଇ ଆଦର୍ଶକୁ ଧରି ଚାଟିବାରେ ବ୍ଯସ୍ତ। ୟାଠୁ ତାଠୁ ଜିନିଷ ଆଣିବିନି କଣ ପାଇଁ? ଆରେ ତୁମର ଯେତେବେଳେ କିଛି ଆଣିବାର କ୍ଷମତା ନାହିଁ ବେଶି ବକବକ୍ କରୁଛ କଣ ପାଇଁ।”

ବାସ୍ ଏତିକିରେ ସାହେବଙ୍କ ରାଗ ପଞ୍ଚମକୁ ଚଢିଗଲା ଓ ସେ ଫୁଲ ଗଛଟିକୁ ଗାଡି ଭିତରୁ କାଢି ବାହାରେ ପକେଇଦେଲେ। କହିଲେ --

“ଆଜିଠାରୁ ମୁଁ ତୁମକୁ ନେଇ କୁଆଡେ ବି ଯିବିନି। ଦେଖିବା ନିଜେ କୁଆଡେ ଯାଇ କେତେ ଜିନିଷ ଆଣିବ”

ତାପରେ ତ ସାରା ରାତିି ଚାଲିଛି ଝଗଡା। ସକାଳୁ ଅଫିସରଙ୍କ ସ୍ତ୍ରୀ ବ୍ଯାଗ ଆଟାଚି ଧରି ନିଜ ବାପଘରକୁ ଗଲେଣି। ଅଫିସର ପେଟେ ମଦ ପିଇ ଶୋଧାବକା ଚଲେଇଛନ୍ତି।

ମିନିର ବାପା ଉତ୍କଣ୍ଠାର ସହ ପଚାରିଲେ ଆଉ ସେ ଗଛଟି।

ବାହାଦୁର ହସହସ ମୁହଁରେ ବାପାଙ୍କ ହାତରେ ଧରେଇଦେଲା ଗଛଟିକୁ। ସେ କହିଲା--

ଗଛଟିକୁ ଫିଙ୍ଗିଲା ବେଳେ ମୁଁ ଥିଲି। ଯତ୍ନରେ ଆଣି ନିଜ ପାଖରେ ରଖିଥିଲି। ମନେମନେ ଭାବିଥିଲି ଆଜି ନିଜେ ଯାଇ ଆପଣଙ୍କ ଘରେ ଦେଇ ଆସିଥାନ୍ତି।

ମିନି ବାପାଙ୍କ ଆଖିରୁ ଦୁଇ ବୁନ୍ଦା ଲୁହ ଝରିଗଲା। ନିଜ ଝିଅପରି ଗେଲ କରି ପକେଇଲେ ଗଛଟିକୁ। କହିଲେ ରୋଜି, ତୋ ବିନା ମୋ ମିନି ର ଜୀବନ ଆଉ ନାହିଁ କହିଲେ ଚଳିବ। ଜଲଦି ଚାଲ ମୋ ଝିଅକୁ ବଞ୍ଚେଇ ଦେ।

ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଦେଖିଲେ ଘରଲୋକେ କାନ୍ଦୁଛନ୍ତି। ତାଙ୍କ ମନକୁ ପାପ ଛୁଇଁଲା। ପଚାରିବାରୁ ଜାଣିଲେ ଯେ ଯଦି ମିନି ଏମିତି ଅବସ୍ଥାରେ ଆଉ କିଛି ସମୟ ରହିବ କୋମା କୁ ଚାଲିଯିବାର ସମ୍ଭାବନା ବେଶି। ମିନି ଦେହରୁ ତାତି କମୁ ନ ଥିଲା ଓ ଚେତା ଜମା ବି ଆସୁ ନଥିଲା। ଅତି କଷ୍ଟରେ ଖାଲି ଗୋଟିଏ କଥା କହୁଥିଲା--

“ କେତେବେଳେ ଆସିବୁ ରୋଜି। ଜଲଦି ଆସେ, ତୁ ନ ଆସିଲେ ମୁଁ ମରିଯିବି।”

ଡାକ୍ତରଙ୍କ ମୁଣ୍ଡ ବି କାମ କରୁ ନଥିଲା। ଏତେ ବର୍ଷର ଅଭିଜ୍ଞତା ଭିତରେ ଏମିତି ଘଟଣା ସେ କେବେ ବି ଦେଖି ନଥିଲେ। ସାମାନ୍ଯ ଗଛ ପାଇଁ କେହି ଏତେ ମାତ୍ରାରେ ପାଗଳପ୍ରାୟ ହୋଇପାରେ ତାହା ବିଶ୍ବାସ କରିବା କଷ୍ଟଥିଲା।

ମିନିର ବାପା ମୃତସଞ୍ଜିବନୀ ଆଣିଲା ପରି ଶେଯ ପାଖରେ ରଖିଦେଲେ ଗୋଲାପ ଗଛଟିକୁ। ଧିରେ ଧିରେ ମିନିର ନାକ ପାଖରେ ଶୁଙ୍ଘାଇଲେ ସେ ଗଛର ଫୁଲ।

ସମସ୍ତଙ୍କ ଆଶ୍ଚର୍ଯ୍ଯର ସୀମା ରହିଲାନି ଯତେବେଳେ ମିନି ଖନେଇ ଖନେଇ କହିଲା--

“ ତୁ ଆସିଗଲୁ ରୋଜି......କେତେ ଖୋଜୁଥିଲି ତୋତେ, ଏତିକି କହି ଭୋ ଭୋ କାନ୍ଦିବା ଆରମ୍ଭ କଲା।”

ମାଆ ମିନିକୁ ଧରିବାକୁ ଦଉଡି ଆସିଲା ବେଳେ ଡାକ୍ତର ବାରଣ କରି କହିଲେ-

“ ତାକୁ କାନ୍ଦିବାକୁ ଦିଅନ୍ତୁ। ମନ ଭିତରେ ଯାହା କିଛି ବି ଅଛି ଲୁହ ଦେଇ ବାହାରି ଯିବା ପରେ ସେ ଠିକ ହୋଇଯିବ। ବ୍ଯସ୍ତ ହେବାର କାରଣ ନାହିଁ।”

କିଛି ସମୟ ପରେ ମିନି ଆଖି ଖୋଲିଲା। ତା ସାମନାରେ ଫୁଲର ସମ୍ଭାର ନେଇ ଚାହିଁଛି ଅତି ନିଜର ରୋଜି। କେବଳ ତାର ରୋଜି। ମିନି କୁନି ପିଲା ଟିଏ ପରି ଗେଲ କରି ପକେଇଲା ସେ ଗୋଲାପ ଗଛଟିକୁ। ଆଶ୍ଚର୍ଯ୍ଯର କଥା ଗୋଲାପ ଗଛରେ କଣ୍ଟା ଥିଲେ ବି ଗୋଟିଏ କଣ୍ଟା ପଶିନାହିଁ ମିନି ଗାଲରେ। ରୋଜି କୁ କୋଳରେ ଧରି ମିିନି ଶୋଇଗଲା ନିଘୋଡ ନିଦରେ। ଯେମିତି କେତେ ଦିନରୁ ସେ ନ ଶୋଇ ଚାହିଁ ରହିଥିଲା ରୋଜିର ଫେରିବା ବାଟକୁ। ଘରଲୋକେ ଉତ୍କଣ୍ଠାର ସହ ଚାହିଁ ରହିଥାଆନ୍ତି। କିଛି ସମୟପରେ ମିନି ଉଠିଲା। ଆଖିରେ ସେଇ ଚମକ। ମୁହଁରେ ଅପୂର୍ବ ପ୍ରଶାନ୍ତି। ତାକୁ ଦେଖିଲେ ଲାଗୁଥିଲା ଯେ ତା ଦେହ ବୋଧେ ଟିକେ ବି ଖରାପ ନଥିଲା। ଡାକ୍ତରଖାନାର ଶେଯରୁ ଓହ୍ଲେଇ ଆଗେଇଲା ମିନି ହାତରେ ରୋଜି କୁ ଧରି। କହୁଥାଏ –

“ ଚାଲ ତୋତେ ଟିକେ ଖରା ଖୁଏଇ ଦିଏ। ଖରା ନ ଖାଇ କେମିତି ଅବାଗିଆ ଦିଶଛୁ ତୁ।”

ସେଠାରେ ଉପସ୍ଥିତ ସବୁ ଲୋକଙ୍କ ଆଖିରେ ଲୁହ। ଏପରିକି ଡାକ୍ତରବାବୁ ବି ରୁମାଲ କାଢି ନିଜ ଆଖି ପୋଛିଲେ।

ମିନି ଆଶ୍ଚର୍ଯ୍ଯ ହୋଇ ପଚାରିଲା--

ଆରେ ସବୁ କାନ୍ଦୁଛ କଣ ପାଇଁ, ଦେଖୁନ ମୋ ରୋଜି କେମିତି ହସୁଛି ତୁନ ମାନଙ୍କ ଲୁହ ଦେଖି।”

ବାପା ମାଆ କୋଳେଇ ନେଲେ ମିନି କୁ । କହିଲେ ଚାଲ ମାଆ ଘରକୁ ଯିବା। ରୋଜିର ଘର କଥା ବହୁତ ମନେ ପଡିଲାଣି।

ଡାକ୍ତର ମନେ ମନେ ଭବୁଥିଲେ-

“ ଅଜବ ଏ ସ୍ନେହ। ସ୍ନେହର ପରିଭାଷା ମନେ ପକେଇଲା ବେଳେ ଭାବୁଥିଲେ ନିଜ କଥା। କାଇଁ ସେ କେବେ ତ ଏମିତି ସ୍ନେହ ଦେଖେଇ ନାହାନ୍ତି ନିଜ ବାଡିରେ ଥିବା ଗଛ ମାନଙ୍କୁ। ମିନି ପାଇଁ ତାଙ୍କ ହାତ ମନ କୁ ମନ ଉଠି ଆସୁଥିଲା ପ୍ରଣାମ କରିବାକୁ। ପିଲା ମାନେ ଯେ ସତରେ ଇଶ୍ବରଙ୍କ ପ୍ରତିଛବି, ସେ କଥା ସେ ହୃଦୟଙ୍ଗମ କରି ସାରିଥିଲେ ବୋଧେ।

************ସମାପ୍ତ*********








ଗଛ ମାଆ ଫୁଲ

Rate the content


Originality
Flow
Language
Cover design

Comments

Post

Some text some message..