ଦୁହିତା ଜନମ
ଦୁହିତା ଜନମ
ଦୁହିତା ଦୁଇକୁଳର ହିତା ।ଦୁହିତାମାନଙ୍କର ଦୁଇଟି ପର୍ଯ୍ୟାୟରେ-ଦୁଇ କୁଳର ଜୀବନ ।ଏନ୍ତୁଡିଶାଳ ନିଆଁରୁ ବିବାହ ବେଦୀର ହୋମନିଆଁ ପର୍ଯ୍ୟନ୍ତ ପିତୃକୂଳରେ ଜୀବନର ପ୍ରଥମ ପର୍ଯ୍ୟାୟ
ପୁନଶ୍ଚ ବିବାହ ବେଦୀର ହୋମନିଆଁରୁ ମଶାଣୀର ଜୁଇପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟର ଜୀବନ ସ୍ବାମୀ କୂଳରେ ।ଦ୍ବିତୀୟ ପର୍ଯ୍ୟାୟ ଜୀବନରେ ଦୁଃଖ କଷ୍ଟ ,ନିର୍ଯ୍ୟାତନା,ଅବହେଳା ପରିଣାମ କିଛି କମ୍ ନୁହେଁ ।ଅପରିଚିତମାନଙ୍କୁ ଆପଣାର କରି,ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ପତିକୁ ପରମେଶ୍ବର ମଣି ନିଜର ଶରୀର,ମନ,ପ୍ରାଣକୁ ସମର୍ପିତ କରି ନିର୍ଯ୍ୟାତନା ଭୋଗିବାକୁ ପଡେ।କେତେବେଳେ ଗୁଣକୁ ନେଇ , କେତେବେଳେ ରୂପକୁ ନେଇ,କେତେବେଳେ ଶିକ୍ଷାକୁ ନେଇ ତ କେତେବେଳେ ପିତୃକୂଳକୁ ଆଳକରି ,କେତେବେଳେ କନ୍ୟାସନ୍ତାନଟିଏ ଜନ୍ମଦେଇ !
ଠିକ୍ ସେପରି ଦେଖାଯାଇଥିଲା ମମତା ଜୀବନରେ ।ଅତି କମ ବୟସରୁ ବାହାହୋଇ ଦୁଇ ଦୁଇଟା ଝିଅକୁ ଜନ୍ମଦେଇଥିଲା । ସେଥିପାଇଁ ଶାଶୁ ଘରେ ସିଏ କେତେ ମାଡଗାଳି ଖାଇଛି ।ତଥାପି ସିଏ ପଡିରହିଛି ସେହି ଘରେ ।ସିଏ ପରା ଦୁହିତା ତା ଶାଶୁ ଶଶୁରଙ୍କୁ ନିଜ ବାପାମାଆ ରୂପେ ଭାବିନେଇଛି ।ଏଥର ପୁଣି ତାର ଗୋଟିଏ ଝିଅ ହୋଇଛି ।ମମତାର ଝିଅ ହେବା ଶୁଣି କାଞ୍ଚନ ମାଉସୀ ମମତାର ଶାଶୁଗାଁ ଦାଣ୍ଡେ ଦୂରରୁ ଡାକ ଛାଡି ମୁଣ୍ଡକୁ ବାଡେଇ ବାଡେଇ ଡାକ ପକାଉଥିଲା ଦେଖ ଦେଖ ମୋ ବହୁ ମାଇପି ଗୋଟାଏ ଜନମ ଦେଲା ଜନମ କଲା ପୂର୍ବରୁ ମରିଯାଇଥାନ୍ତା କି ?ଆଉ କେତଟି ଝିଅ ଜନମ କରିବ ଆକୁ ମିଶାଇ ତିନିଟା ହେଲାଣି ।ଛି.....ଛି....ବାଞ୍ଝ ହୋଇରହିଥିଲେ ଭଲ ହୋଇଥାନ୍ତ।
ମୋତେ ନାତିଟିଏ ଦେଲାନି। ପଡିଶା ଘର ମଲ୍ଲୀ ନାନିର ବୋହୁର ପୁଅଟିଏ ହୋଇଛି ତାର କି ଭାଗ୍ୟ ।ହଇଲ ଗେଣ୍ଡୁ ବଉ ଆଲୋ ଶୁଣୁ କି ଫଟା କପାଳ ମୋର ଘରକୁ ମୋର ପୁଣି ଦୁହିତା ଆସିଛି ।ତୋର କି ଭାଗ୍ୟ ଲୋ ଗୋଲାପ ନାତିଟୋକାକୁ ଧରି ଥେଇ ଥେଇ ହେଉଛୁ।ନାତି ପ୍ରେମ ଉଛୁଳି ପଡୁଛି ।କ'ଣ କରିବି ଲ ମା ତିନିତିନିଟା ଝିଅ !
ବଇଦ ପାଖକୁ ନେଇଥିଲି ବୋହୁକୁ କେଡେ ସରଧାରେ ଏଥର ନାତିଟିଏ ହେବବୋଲି କି ଔଷଧ ଦେଲାଲ ମା ......ଧାନ ନୁହେଁ ଅଗାଡିଟିଏ ଆସିଛି ! ପରିବାର ପାଈଁ ବୋଝ ହୋଇ ଆସିଛି ।
ବାପା ମା'ଙ୍କୁ କୋଉ ପୋଷିବ ନା ମଲା ପରେ ପିଣ୍ଡ ଦେବ ! ବଞ୍ଚିଲେ ବଞ୍ଚୁ ମଲେ ମରୁ । ଘରକୁ ସୁନାମୀ ମାଡିଆସିଲା ଲ.....!
ଜନମ ଦେଲା ପୂର୍ବରୁ ମରିଯାଇଥିଲେ ମୂଳରୁ ଯାନ୍ତା ! ମୋ ପୁଅକୁ ଆଉ ଜଣ ସହ ବିଭା କରେଇଦିଅନ୍ତି ଆହା କି ସରାଗରେ ମୋତେ ନାତିଟିଏ ଦେଇଥାନ୍ତା ।ଏ ଦିବା ସପନ ଦେଖି ଲାଭ କ'ଣ? ଝିଅଟାକୁ ଜନମ ଦେଇ ବିପତ୍ତିକୁ ଡାକି ଆଣିଲା? ସବୁ ଦୋଷ ମୋ ବହୁର।ଏଇଟା କଳି ଯୁଗ ଲ ମା ଦୁହିତା-ଦୁଇ କୁଳକୁ ପିତା। ଠିକ୍ ଏହିସମୟରେ କାଞ୍ଚନ ମାଉସୀର ଜଣେ ସଂପର୍କୀୟ ଆସି କାଞ୍ଚନ ମାଉସୀକୁ ବୁଝାଇ କହିଲେ ତୁମେ ଜଣେ ନାରୀ ହୋଇ ଏପରି କହିପାରୁଛ?
ବିଚାରି ଜନ୍ମଦାତ୍ରୀ ମାଆ ଅନ୍ତଫାଡି, ଦଶମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଛି। ଅଭାଗିନୀ ଜୀବନ ନେଇ ଜନ୍ମ ଦେଇଛି ବିଚାରିଟା-ଅନ୍ତତଃ ପକ୍ଷେ ବଞ୍ଚିରହୁ ।କନ୍ୟାସନ୍ତାନ ଜନ୍ମ ହେବାର ଶତପ୍ରତିଶତ ଦୋଷ କେବଳ ତୁମ ବୋହୁର ! ପୁଅର ଲେଶମାତ୍ର ଦୋଷ ନାହିଁ ?
ପ୍ରତି ଅବସ୍ଥାରେ , ପ୍ରତ୍ୟେକକ୍ଷେତ୍ରରେ ଅବହେଳା,ପାତର ଅନ୍ତର ଆଉ କିଛି ନିର୍ଯ୍ୟାତନା ମଧ୍ୟ ।ବାପା ମାଆଙ୍କ ସେବା ,ଭାଇଭଉଣୀଙ୍କ ପ୍ରତି ସ୍ନେହଶ୍ରଦ୍ଧା,ଗୁରୁଜନମାନଙ୍କୁ ଭକ୍ତିକରିବାରେ ,ସେବା ଦେବାରେ ସେ କେବେ କାର୍ପଣ୍ୟ କରେ ନାହିଁ।ପରିବାରର ଛୋଟଠାରୁ ବଡଯାଏଁ ସମସ୍ତଙ୍କ ଯତ୍ନ ନିଏ-ଯେହେତୁ ସିଏ ନାରୀ।ଜୀବନସାରା ପରିକ୍ଷା ହିଁ ପରିକ୍ଷା ।ତ୍ରେତେୟାରେ ମାତା ସୀତାଙ୍କୁ ଜୀବନରେ ଥରେ ମାତ୍ର ଅଗ୍ନି ପରିକ୍ଷା ଦେବାକୁ ପଡିଥିଲା ।ଏବେ କଳିଯୁଗରେ କିନ୍ତୁ ନାରୀଟିଏ ବାରମ୍ବାର ଅଗ୍ନି ପରିକ୍ଷାର ସମୁଖୀନ ହୁଏ।ମାତା ସୀତାଙ୍କୁ ଥରେ ମାତ୍ର ରାବଣ ଅପହରଣ କରି ନେଇଥିଲା ।ଏବକାର ରାବଣମାନେ ସୀତାଙ୍କୁ ବାରମ୍ବାର ଅପହରଣ କରିନେଉଛନ୍ତି ।
ଏଯୁଗର ଦୁର୍ଯ୍ୟଧନ,ଦୁଃଶାସନ ମାନେ ରାଜରାସ୍ତାରେ ବାରମ୍ବାର ଦ୍ରୌପଦୀମାନଙ୍କର ବସ୍ତ୍ରହରଣ କରୁଛନ୍ତି।ଅଗ୍ନିପରିକ୍ଷା ଦେଉ ଦେଉ ଜଳିଗଲାଣି କେତେ ନିରିହ ଜୀବନ ।ଯୁଗ ଆସି କେଉଁଠି ପହଞ୍ଚିଲାଣି ।ଝିଅମାନେ ଚନ୍ଦ୍ରକୁ ପହଞ୍ଚିଲେଣି ।ରାଜ୍ୟଶାସନ ଭାର ହାତକୁ ନେଲେଣି ।ସରକାର ବର୍ତମାନ ସବୁକ୍ଷେତ୍ରରେ ସେମାନଙ୍କ ପାଈଁ ସଂରକ୍ଷଣ ବ୍ୟବସ୍ଥା କଲେଣି ।ଦ୍ବିତିଚାନ୍ଦଠୁ ଆରମ୍ଭ କରି କଳ୍ପନା ଚାଓ୍ବଲା ପର୍ଯ୍ୟନ୍ତ ଏବଂ କିରନ ବେଦିଠାରୁ ପ୍ରତିଭା ପାଟେଲ ପର୍ଯ୍ୟନ୍ତ ଅନେକ ନାରୀ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଛନ୍ତି ।
ହଁ ସତରେ ପୁଅ ତୁ ମୋ ଆଜି ଆଖି ଖୋଲିଦେଲୁ! ମୁଁ ଆଜି ଗାଁ ଯାକ ମିଠା ବାଣ୍ଟିବି ।ସତରେ ମୋ ଘରକୁ ମା ଲକ୍ଷ୍ମୀ ଦୁହିତା ହୋଇଆସିଛନ୍ତି ।ମୋ ନାତୁଣିକୁ ଆଜିଠୁ ଲକ୍ଷ୍ମୀ ବୋଲି ଡାକିବି ।ମଗୁଶିର ମାସରେ ମୋ ନାତୁଣି ଆସିଛି ।ଏଥର ମୋର ଘର ପୂରି ଉଠିବ ।ଆଲୋ ଲିନା ମାନା କୁଆଡେ ଗଲ ଧାଇଁ ଆସ ଆମେ ସମସ୍ତେ ମିଶି ଗାଁ ଯାକ ମିଠାବାଣ୍ଟିବା।ଗେଲେଇ ଫୁଲେଇ ହୋଇ ଦୁଇ ନାତୁଣି ଜେଜେମା ବୋଲି କୁଣ୍ଡେଇ ପକାଇଲେ ।କାଞ୍ଚନ ମାଉସୀର ଆନନ୍ଦ କହିଲେ ନ ସରେ ।
ଏହି ଅପସଂସ୍କୃତିର ସ୍ଖଳିତ ଧାରା ଆଉ କେତେଦିନ ଧରି ଚାଲିବ?କେବେ ପରିବର୍ତ୍ତନ ହେବ ଏ ପ୍ରକାର ରୁଗ୍ଣ ମାନସିକତା।ପୁତ୍ର ସନ୍ତାନଟିଏ ହେଲେ ପରିବାରରେ ଖୁସି,କନ୍ୟା ସନ୍ତାନ ଜନ୍ମଦେଲେ ପୁଣି ସେହି ଘଟଣାର ପୁନରାବୃତ୍ତି ।ଜନ୍ମିତ କନ୍ୟାସନ୍ତାନ ଓ ଜନ୍ମଦାତ୍ରୀ ମାଆ -ଉଭୟ ହୁଅନ୍ତି ଲାଞ୍ଛିତା ।ଏହି ଅନ୍ଧବିଶ୍ବାସ ମୂଳଉତ୍ପାଟନ ନିମନ୍ତେ ଏ ଯୁଗର ସମସ୍ତ ନରନାରି ମୁଖ୍ୟତଃ ଶିକ୍ଷିତା ନାରି ସମାଜର ସଚେତନତା ନିତାନ୍ତ ଅପରିହାର୍ଯ୍ୟ ।
ଡକ୍ଟର ଝରଣା ଶତପଥୀ
ଭୁବନେଶ୍ବର