Quotes New

Audio

Forum

Read

Contests


Write

Sign in
Wohoo!,
Dear user,
(ଶିଶୁ ଗଳ୍ପ)  ବାବୁଲା ବଦଳିଗଲା
(ଶିଶୁ ଗଳ୍ପ) ବାବୁଲା ବଦଳିଗଲା
★★★★★

© SARATA KUMAR DAS

Children Others

5 Minutes   511    37


Content Ranking

ଆଜି ରବିବାର । ସ୍କୁଲ୍ ଛୁଟି । ବାବୁଲାର ମନ ଖୁସି କହିଲେ ନ ସରେ । ଖେଳିବ, ବୁଲିବ ଓ ସାଙ୍ଗମାନଙ୍କ ସହ ମଜାକରିବ ।କେହି ତାକୁ ଆଜି ଆକଟ କରିପାରିବେନି । ବାପାଙ୍କ କଥା ଜମାରୁ ଶୁଣିବନି । ସବୁବେଳେ ଖାଲି ପଢ୍ ପଢ୍ । ନାଲି ଆଖି ସାଙ୍ଗକୁ ପୁଣି ଧମକ । ତାଙ୍କର ଯେମିତି ଆଉ କିଛି କଥାନାହିଁ ।

ବୋଉ ତ ବି ସେମିତି । ସବୁବେଳେ ବାପାଙ୍କ କଥାରେ ତାଳ ଧରୁଛି । ଆଜି ତାକୁ କେହି ଅଟକାଇ ପାରିବେନି । ସେ କାହାରି କଥା ଶୁଣିବନି। ସକାଳୁ ସକାଳୁ ବାହାରି ଯିବ। ମନଇଛା ବୁଲିବ । ଗଛରେ ଚଢିବ। ମାଛ ଧରିବ । ବରକୋଳି ଖାଇବ । ଗୁଡି ଉଡେଇବ । ବାଗୁଡି ଖେଳିବ । ଆହାଃ କି ମଜା !

-'ବାବୁଲା ! ତୁ ଏତବେଳଯାଏ ବିଛଣାରୁ ଉଠିନୁ ? ଗଧ , ଅଳସୁଆ କୋଉଠିକାର ।'- ବାପାଙ୍କ ପାଟି ଶୁଭିଲା ଅଗଣାରୁ ।

ବାବୁଲା ହଠାତ୍ ଚମକି ପଡିଲା । ତରବର ହୋଇ ସେ ବିଛଣାରୁ ଉଠିପଡିଲା । ସତକୁ ସତ ଘଣ୍ଟା ରେ ଆଠଟା ବାଜିଲାଣି । ଆଜି ତାକୁ ଆଉ ରକ୍ଷା ନାହିଁ । ସକାଳୁ ସକାଳୁ ତାକୁ ଆଜି ଗାଳି ଶୁଣିବାକୁ ପଡିବ । ସେ କେବଳ ବିଛଣାରେ ଶୋଇବାର ବାହାନା ଯାହା କରୁଥିଲା । ବାପା କେତେବେଳେ ଘରୁ ବାହାରି ଯିବେ, ସେ ସେହି ସୁଯୋଗ ଅପେକ୍ଷାରେ ଥିଲା ।

-'ହଁ ବାପା , ମୁଁ ଉଠି ସାରିଲିଣି। କାଲି ରାତିରେ କିଛି ଗଣିତ ବାକି ଥିଲା ତ ସେଗୁଡିକ ମୁଁ ବସି କରୁଥିଲି ।'- ଥରିଲା ଥରିଲା କଣ୍ଠରେ ବାବୁଲା ଉତ୍ତର ଦେଲା ।

-'ପୁଣି ଏଥର ମିଛ କହିଲୁ । ତୋତେ ଆଉ ପାରିହେବନି । କଥା କଥାକେ ମିଛ ।' - ବାପାଙ୍କ ପାଟି ଏଥର ଜୋର୍ ଶୁଭିଲା ।

ବାବୁଲା ବହୁତ ଦୁଷ୍ଟ। ଚାଲିଲା ଶଗଡରେ ହାତଦେବା ପିଲା। କଥାକଥାକେ ମିଛ କହେ । କେତେଥର ଗାଳି ମାଡ ଖାଇଛି ।ଛେପ ପକାଇ ନାକ ଘସିଛି। ଏକଗୋଡିକିଆ ବି ଛିଡା ହୋଇଛି ।ଆଜି ତାକୁ ବୋଧେ ଅନ୍ୟ କିଛି ଭୟଙ୍କର ଦଣ୍ଡ ମିଳିବ। ଭୟରେ ଥରୁଥାଏ ସେ । ବୁଢୀ ମା' ଥିଲେ ଅବଶ୍ୟ କଥା ଅଲଗା ହୋଇଥାନ୍ତା । ଆଗରୁ ତାକୁ ସେ କେତେଥର ବାପାଙ୍କ ରାଗରୁ ରକ୍ଷାକରିଛି । ଏତିକି ବେଳକୁ ସେ କୁଆଡେ ଯାଇଛି ଯେ ତା' ଦେଖା ମିଳୁନି । ବାପା ଯଦି ଦୁନିଆରେ ଜଣକୁ ଡରନ୍ତି ସେ କେବଳ ତା' ବୁଢୀ ମା' କୁ । ଆଉ ଅନ୍ୟ କାହାରିକୁ ନୁହେଁ।

ଡରି ଡରି ବାବୁଲା ଆସି ଛିଡା ହେଲା ବାପାଙ୍କ ଆଗରେ । ମୁହଁ ଉପରକୁ ଉଠଉ ନଥାଏ ।କାଳେ ତାକୁ ବାପା କ'ଣ ପଚାରିଦେବେ ,ମନେ ମନେ ସେ ସେହି କଥା ଭାବୁ ଥାଏ। ତଳକୁ ମୁହଁ ମାଡି କେବଳ ତା' ବୁଢୀ ମା' କୁ ହିଁ ଖୋଜି ଚାଲିଥାଏ ।

-"ହଉ ହେଲା । ଏଥର ତୋତେ କ୍ଷମା କରିଦେଲି । ତୁ ଅଉ କେବେ ବି ମିଛ କହିବୁନି । ଯା' ବାହାରିପଡ ସାଙ୍ଗ ହୋଇ ବଜାର ଯିବା ।ଆଜି ତୋତେ ଗୋଟିଏ ଭଲ ଜିନିଷ କିଣିଦେବି ।"-ବାପା ଏଥର ଟିକେ ଗେହ୍ଲେଇ ହୋଇ କହିଲେ ।

ବାବୁଲା ଅଳ୍ପଟିକେ ମୁଣ୍ଡ ହଲେଇ ଚୁପ୍ ଚାପ୍ ଛିଡା ହେଲା । ବଡ ଅସୁବିଧା ରେ ସେ ପଡିଗଲା। କ'ଣ କରିବ ଭାବିବାକୁ ଲାଗିଲା । ବାପାଙ୍କ ସାଙ୍ଗରେ ଗଲେ ତା'ର ସମସ୍ତ ଯୋଜନା ମାଟିରେ ମିଶିଯିବ । ଯେକୌଣସି ପ୍ରକାରେ ବାପାଙ୍କୁ ଠକିବାକୁ ପଡିବ।

-" ବାପା,ଏଥର ମୁଁ ତୁମ ସାଙ୍ଗରେ ଯାଇପାରିବିନି ।

ମୋର ଜଣେ ସାଙ୍ଗ ଆସିବାକୁ ଆଜି କହିଥିଲା ତ । "-ଧୀରେ ଧୀରେ ବାବୁଲା କହିଲା ।

-"ହଉ, ଠିକ୍ ଅଛି ।"

ବାପା ତାଙ୍କ କାମରେ ଚାଲିଗଲେ। ବାବୁଲା ର କି ଖୁସି ! ସେ ତ ସେହି ଅପେକ୍ଷାରେ ଥିଲା। ଆଉ ବିଳମ୍ବ ନ କରି ସଅଳ ସଅଳ କ'ଣ ଗଣ୍ଡା ପାଟିରେ ଦେଇ ବାହାରି ଚାଲିଗଲା।ଆଗେ ସେ କେଉଁଠିକି ଯିବ ସେ ଚିନ୍ତା କଲା ।ହଁ,ତା'ର ମନେପଡି ଗଲା କାଲି ତା' ସାଙ୍ଗ ରାମୁ ତା' ସହିତ ଯିବା ପାଇଁ କହିଥିଲା। ତେଣୁ ତରବର ହୋଇ ସେ ରାମୁ ପାଖକୁ ଚାଲିଗଲା ।

ବାବୁଲା ଓ ରାମୁ ମିଶି ପ୍ରଥମେ ପୋଖରୀ ହୁଡାକୁ ଗଲେ । ବନସି ପକାଇ ମାଛ ଧରିଲେ । ମନଇଛା ଖେଳିଲେ ।ସେଠାରୁ ଗଲେ ସ୍କୁଲ୍ ବଗିଚାକୁ ।ରଙ୍ଗ ବେରଙ୍ଗର ଫୁଲ ଦେଖି ତାଙ୍କର ବହୁତ ଲୋଭ ହେଲା ।କିଛି ଫୁଲ ଛିଡାଇ ପକେଟରେ ପୁରାଇଲା ବାବୁଲା । ରାମୁ ବି ତାକୁ ସାଥୀ ଦେଲା । ଦୁଇଜଣ ସ୍କୁଲ୍ ପଡିଆରେ ଗୁଡି ଉଡାଇଲେ କିଛି କ୍ଷଣ। ତା' ପରେ ଗଲେ ନଈପଠା ଆଡେ । ଏକ ବଡ ବୁଦା ମୂଳରେ ଥିବା କଣ୍ଟେଇ ଗଛରୁ କୋଳି ତୋଳିଲେ ।

ସୁଲୁ ସୁଲିଆ ପବନ ବହୁଥିଲା । ଖରା ବି ଟାଣ ନଥିଲା। କେତେବେଳେ ବେଳ ଗଡି ଯାଇଥିଲା ସେମାନେ ଜାଣି ପାରିନଥିଲେ । ରାମୁ ର ହଠାତ୍ ମନେ ପଡିଗଲା ନିଧି ନନା ଙ୍କ ବାଡିରେ ଥିବା ଗୋଟିଏ ଝଙ୍କାଳିଆ ବରକୋଳି ଗଛ କଥା।

ସେ ସାଙ୍ଗେ ସାଙ୍ଗେ ବାବୁଲା କୁ କହିଲା-"ବାବୁଲା,ଯିବା ଚାଲ ନିଧି ନନାଙ୍କ ବାଡିକୁ । ତାଙ୍କ ବାଡିରେ ଗୋଟିଏ ବଢିଆ ବରକୋଳି ଗଛ ଅଛି। ନିଧି ନନା ଏବେ ଘରେ ନ ଥିବେ। ଶୀଘ୍ର ଚାଲ । ବହୁତ ମଜା ହେବ ।"

- "ହଁ, କିଛି ଖାଇବା । ଆଉ କିଛି ଘରକୁ ନେଇ ଆସିବା ।"-ବାବୁଲା ମୁଣ୍ଡ ହଲେଇ ରାମୁକୁ ଉତ୍ତର ଦେଲା।

ବାବୁଲା ଓ ରାମୁ ଏକ ମୁହାଁ ହୋଇ ଚାଲିଲେ ନିଧି ନନାଙ୍କ ବାଡିକୁ । ପାଦ ଚାପି ଚାପି ଧୀରେ ଧୀରେ ବାଡିକୁ ପଶିଲେ । ଚାରିଆଡକୁ ଚାହିଁଲେ । କେହି କୁଆଡେ ନଥିବା ଦେଖି ବାବୁଲା ଗଛ ଉପରକୁ ଚଢିଗଲା। ରାମୁକୁ ତଳେ କୋଳି ଗୋଟାଇବା ପାଇଁ କହିଲା। ବଡ ବଡ କୋଳି ଗଛରେ ପାଚିଥିବାର ଦେଖି ବାବୁଲା ମନେ ମନେ ଭାରି ଖୁସି ହେଉଥିଲା।

-"କୋଳି ସବୁ ରଖିଥା । ମୁଁ ତଳକୁ ଗଲେ ବାଣ୍ଟି ନେବା ।"-ଗଛ ଉପରେ ଥାଇ ବାବୁଲା ରାମୁକୁ କହିଲା। ଗଛ ଡାଳ ହଲାଇବାରୁ ପାଚିଲା କୋଳି ଏଣେତେଣେ ବିଛାଡିହୋଇ ପଡିଲା । ରାମୁ ମନ ଖୁସି ରେ ସେସବୁକୁ ସାଉଁଟିବାରେ ଲାଗିଲା ।

- "ଗଛ ଉପରେ କିଏ ସେ ?"-ନିଧି ନନା ଙ୍କ ପାଟି ଶୁଭିଲା ବାଡି ପଟରୁ ।

ରାମୁ ତ ଗଛ ତଳେ ଛିଡାହୋଇ କୋଳି ଗୋଟଉଥିଲା । ନିଧି ନନା ଙ୍କ ପାଟି ଶୁଣି ସେ ଚମକି ପଡିଲା ।ପଛକୁ ଚାହିଁଲା ବେଳକୁ ନିଧି ନନା ବାଡିଧରି ତା' ପାଖରେ ପହଞ୍ଚି ଗଲେଣି। ଧରାପଡିଯିବା ଭୟରେ ରାମୁ ଧାଇଁବାକୁଲାଗିଲା।

-"ଶୀଘ୍ର ଗଛରୁ ଓହ୍ଲାଇ ଆସ୍ । ତୋତେ ମୁଁ ଦେଖୁଛି , ବଦମାସ୍ ।"-ନିଧି ନନା ଚିତ୍କାର କଲେ ।

ବାବୁଲା ତଳକୁ ଚାହିଁଲା ବେଳକୁ ନିଧି ନନା ବରକୋଳି ଗଛ ତଳେ ଛିଡା ହୋଇ ତା' ଆଡକୁ ଏକଲୟରେ ଚାହିଁରହିଛନ୍ତି । ସେ ଚମକି ପଡିଲା। କ'ଣ କରିବ ବିଚରା ଚିନ୍ତାକରି ଥରିବାକୁ ଲାଗିଲା । ଆଜି ନିଶ୍ଚୟ ଧରାପଡ଼ି ମାଡଖାଇବ ।ବାପାଙ୍କ କଥା ମନେପଡିଯିବାରୁ ଜୋର୍ ରେ କାନ୍ଦିବାକୁ ଲାଗିଲା। ସେ ଭଲଭାବେ ଜାଣେ ଯେ ତା' ବାପା ବହୁତ କଡା । ତା'ର ଆଜି ଆଉ ରକ୍ଷା ନାହିଁ।

ତରବରରେ ଗଛରୁ ଓହ୍ଲାଇବାକୁ ଚେଷ୍ଟା କଲାବେଳେ ବାବୁଲା ର ଗୋଡ ଖସିଗଲା । ଦୁଲକରି ତଳେ ପଡିଗଲା ।

ମୁଣ୍ଡ ଫାଟି ରକ୍ତ ବହିବାକୁ ଲାଗିଲା। ସାର୍ଟ ପ୍ୟାଣ୍ଟ ଚୀରିଗଲା।

ଦେହ ହାତ ରକ୍ତ ରେ ଜୁଡୁବୁଡୁ ।

ବାବୁଲା ର ଏ ଅବସ୍ଥା ଦେଖି ନିଧି ନନା ଙ୍କ ରାଗ କୁଆଡେ ଚାଲିଗଲା । ତାକୁ ତଳୁ ଉଠାଇ ଦେହ ହାତ ରକ୍ତ ପୋଛିଦେଲେ। ଔଷଧ ଲଗାଇ ଦେଇ ମୁଣ୍ଡ ରେ ପଟି ବାନ୍ଧିଦେଲେ । "ଏ ଭୁଲ୍ ଆଉ କେବେ କରିବୁନି ।"-ନିଧି ନନା କହିଲେ ।ହଁ କହି ବାବୁଲା ଭୋ ଭୋ କରି କାନ୍ଦି ଉଠିଲା ।

ବେଳ ଆସି ଉଛୁର ହେଲାଣି। ଏପର୍ଯ୍ୟନ୍ତ ବାବୁଲା ଘରକୁ ଫେରନି । ବୁଢୀ ମା' ଏଣେତେଣେ ଖୋଜୁଛନ୍ତି ।ବାବୁଲା ର ବୋଉ ଭାରି ବ୍ୟସ୍ତ। ମାତ୍ର ବାବୁଲା ର ବାପା ରାଗରେ କଡମଡ ହେଉଥାନ୍ତି।

-" ଆସୁ ଆଜି ସେ ଆଛାକରି ପାନେ ଦେବି । ତା'ର ଦିନେ କୁ ମୋର୍ ଦିନେ ।"-ବାପା ଜୋର୍ ରେ ପାଟି କରୁଥିଲେ।

ଠିକ୍ ଏହି ସମୟରେ ନିଧି ନନା ଙ୍କ ସହିତ ବାବୁଲା ଆସି ଘରେ ପହଞ୍ଚିଲା। ବରଡା ପତ୍ର ଭଳି ସେ ଥରୁଥଏ । ବାବୁଲା ର ମୁଣ୍ଡରେ ପଟି ଓ ରକ୍ତ ଦାଗ ଲାଗିଥିବା ଚୀରା ପ୍ୟାଣ୍ଟ ସାର୍ଟ ଦେଖି ବାପା ଗର୍ଜନ କଲେ ।

--"ତୋର ଏ ଦୁଷ୍ଟାମି ଆଉ ସହି ପାରିବିନି ।ବହୁତ ହୋଇଗଲା। କାଲି ତୋତେ ନେଇ ହଷ୍ଟେଲରେ ଛାଡି ଆସିବି ।"--ବାପା ଭଲକରି ବାବୁଲାକୁ ଶୁଣେଇ ଦେଲେ ।

ବାବୁଲା ଚୁପ୍ ଚାପ୍ ମୁଣ୍ଡ କୁ ତଳକୁ ମାଡି ଛିଡା ହୋଇଥାଏ ।କିଛି ବି କହୁ ନଥାଏ । ବାପା ଙ୍କ କଥା ଶୁଣି କଇଁ କଇଁ ହୋଇ କାନ୍ଦି ଉଠିଲା। ସିଧା ବାପାଙ୍କ ଗୋଡତଳେ ଲମ୍ବ ହୋଇ ପଡିଗଲା। ଆଉ କେବେ ବି ମିଛ କହିବନି ବୋଲି ଶପଥ କଲା । ଆଉ କେବେ ବି ଦୁଷ୍ଟ ହେବ ନାହିଁ କିମ୍ବା ଖରାପ ପିଲାଙ୍କ ସହିତ ସାଙ୍ଗ ହେବ ନାହିଁ । ବାବୁଲା ବାପା ଙ୍କୁ କଥା ଦେଲା। ଭଲ ପାଠପଢି ଦିନେ ଭଲ ମଣିଷ ହେବ ବୋଲି କହିଲା । କରିଥିବା ଭୁଲ୍ ପାଇଁ ବିଚରା ଅନୁତାପ କରୁଥିଲା।

-------------------------

ଶରତ କୁମାର ଦାସ

ଅନୁତାପ ବାହାନା ଗଣିତ

Rate the content


Originality
Flow
Language
Cover design

Comments

Post

Some text some message..