Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arati Sahoo

Others Tragedy

3  

Arati Sahoo

Others Tragedy

ଗୁରୁଦକ୍ଷୀଣା

ଗୁରୁଦକ୍ଷୀଣା

8 mins
13.4K


ପନ୍ଦର ବାଇ ପନ୍ଦରର ଗୋଟିଏ ରୁମ । ରୁମ ତ ନୁହେଁ ରୀତିମତ ଗୋଟିଏ ହଲ୍ କହିବା ।ତିନି ପାଖ କାନ୍ଥରେ ତିନୋଟି ବଡ଼ ବଡ଼ ଝରକା । ଦି ଗୁଣ୍ଠ ଜାଗାର କୋଠା ଭିତରେ ଗୋଟିଏ କୋଣକୁ ଏ ରୁମ ଟି ଅଛି । କୋଠା ଚାରିପାଖରେ ଅନେକ ବଡ଼ ବଡ଼ ଗଛ ସବୁ ଘେରି ରହିଛି । ରୁମ ଟିରେ ଥଣ୍ଡା ପବନର ଅବାଧ ଚଳାଚଳ । ତେଣୁ ଖରାଦିନେ ମଧ୍ୟ ଯେତେ ଗରମ ହେଉ,ପଙ୍ଖାର ଦରକାର ପଡେ଼ନା । ରୁମରେ ଛାତକୁ ଲାଗି ରହିଥିବା କାଚଲଗା ଆଲମାରୀ ମାନଙ୍କରେ କେବଳ ବହି ଆଉ ବହି । ଓଡ଼ିଆ ,ହିନ୍ଦୀ, ଇଂରାଜୀ, ସଂସ୍କୃତ ଓ ବଙ୍ଗଳା ଇତ୍ୟାଦି ବିଭିନ୍ନ ଭାଷାର ବହି ସବୁ । ରାମାୟଣ ମହାଭାରତ, କୋରାନ, ବାଇବଲ ,ପୁରାଣ ଓ ବିଭିନ୍ନ ଶ୍ରେଣୀର ପାଠ୍ୟ ପୁସ୍ତକ । ତା ବ୍ୟତିତ ଗୀତା ପ୍ରେସର ଅନେକ ପୌରାଣିକ ଗ୍ରନ୍ଥାବଳୀ । ମାସିକ ପତ୍ରିକା, ଉପନ୍ୟାସ ଶିଶୁ ଉପନ୍ୟାସ, ଏମିତି କେତେ ପ୍ରକାରର ବହି । ଗଣିଲେ ଲକ୍ଷେ ଦିଲକ୍ଷ ବହି ବାହାରିବ । ଉତ୍ତର ପାଖ ଝରକାକୁ ଲାଗି ଗୋଟିଏ ବଡ଼ ଟେବୁଲ । ତା ଉପରେ କାଚଟିଏ ପଡ଼ିଛି । କାଚ ତିଆରି କେତୋଟି ପେପରୱେଟ ତା ଉପରେ ଥୁଆ ହୋଇଛି । ପିଲାବେଳେ ସେ କାଚର ପେପର ୱଏଟ ମୋତେ ଖୁବ କୌତୁହଳି କରି ତୋଳୁଥିଲା । କାରଣ ତା ଭିତରେ ସତ ସତିକା ଗଛ ଓ ଫୁଲ ଭଳିଆ ଡିଜାଇନ ସବୁ ଦେଖା ଯାଉଥିଲା । ମୁଁ ଜାଣି ପାରୁନଥିଲି ଯେ ସେ ଗଛ ସବୁ ତା ଭିତରେ ଲାଗିଲା କେମିତି । ଥରେ ଦିଥର ନ ଜାଣିବା ପରି ଗୋଟେ ଦିଟା କଚାଡି ଦେଇଛି କିନ୍ତୁ କି ମଜଭୁତ ସେ ସବୁ ।

ଆଜି ପଞ୍ଚାବନ ବର୍ଷ ବୟସରେ ପହଞ୍ଛିଲା ପରେ ସେ କୌତୁହଳ ଆଉ ନାହିଁ । ସେ ସବୁ ଦେଖିଲେ ଛାତି ଭିତରେ କଉଠି କଣ ହଜିଲା ହଜିଲାର ଭାବ ସୄଷ୍ଟି ହୁଏ । ବହି ଆଲମାରୀ ସବୁକୁ ଦେଖି ସାରି ଟେବୁଲ ପାଖକୁ ଆସି ଗୋଟିଏ ପେପର ୱଏଟ ହାତରେ ଧରି ପାଖରେ ଥିବା ଗୋଟିଏ କାଠ ଚୌକି ରେ ବସି ପଡ଼ିଲି । ଦୁଆର ପାଖରେ ଖଣ୍ଡି କାଶ ଶୁଣାଗଲା । ପଛକୁ ଅନେଇଲି, ଦୁର୍ବଳିଆ ଥକିଲା ଦେହକୁ ଘୋଷାରି ଘୋଷାରି ବୃଦ୍ଧ ଜଣେ ମୋରି ଆଡ଼କୁ ଆସିଲେ । ମୁଁ ବାକ୍ ରୁଦ୍ଧ ଅବସ୍ଥାରେ ତାଙ୍କ ଆଡ଼କୁ ନିର୍ନିମେଷ ଦୃଷ୍ଟିରେ ଅନେଇ ରହିଲି । ଇଏ କଣ ସେହି ପାଞ୍ଚ ଫୁଟ ଆଠ ଇଞ୍ଚ ଉଚ୍ଚତା ବିଶିଷ୍ଟ ସୌମ୍ୟଦର୍ଶନ ମଣିଷ ଜଣକ ? ଯାହାଙ୍କ ଗୋଟିଏ ଗର୍ଜନରେ ପୂରା ସ୍କୁଲ ନିଶବ୍ଦ ହୋଇ ଯାଉଥିଲା । ବୟସ ତାଙ୍କୁ ଚିପୁଡି଼ ପକେଇ କେତେ ଛୋଟିଆ କରି ଦେଇଛି । ଚିହ୍ନି ହେଉଛି କେବଳ ତାଙ୍କର ଅନୁଭବି ଉଜ୍ଜ୍ବଳ ଆଖି ଦୁଇଟିରୁ । ଏବେବି ସେ ଆଖିରୁ ଯେମିତି ଅନର୍ଗଳ ଜ୍ଞାନ ଅଜାଡି ହୋଇ ପଡ଼ିବ ।

ଇଏ ହେଉଛନ୍ତି ରାଧୁ ମାଷ୍ଟ୍ରେ,ଓ ମୋର ଦଦେଇ ମାଷ୍ଟ୍ରେ । ମୁଁ ପାଦ ଛୁଇଁ ପ୍ରଣାମ କଲି । ଚଷମାଟିକୁ ଆଉ ଟିକିଏ ନାକ ଉପରକୁ ଟେକି ମୋ କାନ୍ଧ ଧରି ମୋ ମୁହଁ ପାଖକୁ ମୁହଁ ଆଣି କହିଲେ,

ତୁ ବିପିନ କିରେ?

ମୁଁ ଆଶ୍ଚର୍ଯ୍ୟ ହେଲି, ଏଡ଼େ ଦୀର୍ଘ ବ୍ୟବଧାନ ପରେ ମଧ୍ୟ କି ପ୍ରଖର ତୃଟି ବିହୀନ ତାଙ୍କର ସ୍ମୃତି?

ମୁଁ ହଁ କହିବାରୁ ସେ କହିଲେ,

କଣ ଦେଖୁଛୁ ବାବା, ଏ ଜ୍ଞାନର ଭଣ୍ଡାର ? ଦିନେ ଭୁଷୁଡି଼ ପଡ଼ିବ ମୋର ଏ ଅତିପ୍ରିୟ ପୁସ୍ତକ ଭଣ୍ଡାର,ମୋ ବାପାଙ୍କ ଶେଷ ସ୍ମୃତି ଚିହ୍ନ । ରହିଯିବ କେବଳ କୋଣାର୍କର ମୂଖଶାଳା ପରି ଧ୍ୱଂସାବଶେଷ । କେହି ଜଣେ ହେଲେ ଏସବୁର ମହତ୍ତ୍ଵ ବୁଝିଲେନି । ଦେଖ୍ ସେ ଚାଟଶାଳୀ ପାଠ ଓ ପାଟି ଗଣିତର ଅବସ୍ଥା କଣ ହୋଇଛି ? ଆରେ!ଏ ବହିମାନେ ମଧ୍ୟ ସ୍ନେହ ଶ୍ରଦ୍ଧା ଲୋଡ଼ନ୍ତି । ନ ପାଇଲେ ନିରଵ ଲୁହ ଢାଳନ୍ତି,ଆଉ ତା ପରେ......

ସେ ଆଉ କିଛି କହି ପାରିଲେ ନାହିଁ । ଆଖିରୁ ତାଙ୍କର ଲୁହ ତ ନୁହେଁ, ଗରମ୍ ବାମ୍ଫ ଉଠି ମୋ ମୁହଁକୁ ଆର୍ଦ୍ର କରିଦେଲା ।

ଏଇ କୋଠାଟିକୁ ତୋଳିଥିଲେ ରାଧୁମାଷ୍ଟ୍ରଙ୍କ ବାପା ଗୋପାଳ ଚନ୍ଦ୍ର ଚୌଧୁରୀ । ସେ ରାଜମହଲରେ ଶିକ୍ଷକ ନିଯୁକ୍ତି ହୋଇ ଥିଲେ । ତାଙ୍କରି ଅମଳରୁ ଏ ପୁସ୍ତକ ସବୁ ସଯତ୍ନେ ରଖା ହୋଇ ଥିଲା ଏ ହଲ୍ ଟିରେ । କୋଠା ତୋଳାଇବାର ସମସ୍ତ ଖର୍ଚ୍ଚ ବହନ କରି ଥିଲେ ଏ ଗଡ଼ଜାତର ମହାରାଜା ପ୍ରତାପ ଭାନୁ ସିଂହ ଦେଓ ଚୌଧୁରୀଙ୍କର ସବୁଠାରୁ ବଡ଼ ସଉକ ଥିଲା ବହି ଜମା କରିବା । 1930 ମସିହାର ବହି ସବୁ ମଧ୍ୟ ଏଠାରେ ଖୋଜିଲେ ମିଳିବ । ଏ ସଉକ ପୁଣି ବଂଶାନୁକ୍ରମେ ଫୁଟି ଉଠିଲା ରାଧୁମାଷ୍ଟ୍ରଙ୍କ ଠାରେ । ବାପାଙ୍କ ଭଳି ସେ ମଧ୍ୟ ଶିକ୍ଷକତା କଲେ ନୂଆ ନୂଆ ସ୍ଥାପିତ ହୋଇଥିବା ଗାଁ ଚାଟଶାଳୀ ରେ । ସେ ସମୟରେ ରାଧୁମାଷ୍ଟ୍ରେ ମାଟ୍ରିକ ପାସ କରିଥିଲେ । ଗାଁରେ ସେ ଥିଲେ ସର୍ବାଧିକ ସମ୍ମାନୀୟ ବ୍ୟକ୍ତି । ସବୁ ପିଲାମାନେ ତାଙ୍କୁ ଯେତିକି ଭୟ କରୁଥିଲେ ସେତିକି ଭଲ ମଧ୍ୟ ପାଉଥିଲେ । ରାଧୁମାଷ୍ଟ୍ରଙ୍କ ପାଖରେ ଟିଉସନ୍ ପଢ଼ିବା ପାଇଁ ପ୍ରତିଯୋଗିତା ଚାଲୁଥିଲା । ମୋ ବାପା ତାଙ୍କର ନିକଟତମ ପଡୋଶୀ ଥିଲେ । ବାପା ତାଙ୍କୁ ଜ୍ୟେଷ୍ଠ ଭ୍ରାତା ତୁଲ୍ୟ ଭକ୍ତି କରୁଥିଲେ । ସେହି ଦୃଷ୍ଟିରୁ ରାଧୁମାଷ୍ଟ୍ରେ ଥିଲେ ମୋର ଦଦେଇ ମାଷ୍ଟ୍ରେ । ଏଇ ହଲ୍ ଟିରେ ଆମେ ସବୁ ଟିଉସନ୍ ପଢ଼ୁଥିଲୁ । ରାଧୁମାଷ୍ଟ୍ରେ କିନ୍ତୁ କୌଣସି ପିଲା ଠାରୁ ପଇସା ନେଉ ନଥିଲେ । ନେଉଥିଲେ କେବଳ ବର୍ଷ ଶେଷରେ ପିଲାଙ୍କର ଅନୁପୋଯୋଗି ପୁରୁଣା ବହି ସବୁ । କୌଣସି ଛାତ୍ରର ବିଦ୍ୟାରମ୍ଭ ଦିନ ସଜ ତାକୁ ଅ ଆ ନ ଶିଖେଇ ବହିର ମହତ୍ତ୍ଵ ବୁଝାଉଥିଲେ, ବହିର ଯତ୍ନ ନେବାକୁ କହୁଥିଲେ । କାହାକୁ ପାଠ ବୁଝି ନ ଆସିଲେ ସେ ବାରମ୍ବାର ବୁଝାଇ ଦେଉଥିଲେ ମାତ୍ର ବହି ଟିକିଏ ଚିରା ଦେଖିଲେ ଚଡା଼ସ୍ କିନା ତାଙ୍କ ବେତ ଵସି ଯାଉଥିଲା ପିଠିରେ । ଗପ ,ମଜାକଥା ମାଧ୍ୟମରେ ସେ ପାଠ ବୁଝାଉଥିଲେ । ତାଙ୍କ ପାଠପଢ଼ା ଢଙ୍ଗ ଥିଲା ନିଆରା । କୌଣସି ପିଲା ସ୍କୁଲରେ ଅନୁପସ୍ଥିତ ଥିଲେ କାରଣ ଜାଣିବା ପାଇଁ ଅଭିଭାବକଙ୍କୁ ଡକାଇ ପଠାଉଥିଲେ । ଗରିବ ପିଲାମାନଙ୍କୁ ଘରେ ଖାଇଵାକୁ ଦେଇ ପାଠ ପଢା଼ଉଥିଲେ । ଏମିତି ଥିଲେ ଆମ ରାଧୁମାଷ୍ଟ୍ରେ ।

ନବମ ଶ୍ରେଣୀ ପର୍ଯ୍ୟନ୍ତ ମୁଁ ତାଙ୍କ ତତ୍ତ୍ୱାବଧାନରେ ପାଠ ପଢ଼ିଲି । ମୋ ବାପାଙ୍କ ଅକାଳ ବିୟୋଗ ମୋତେ ତାଙ୍କ ଠାରୁ ବିଛିନ୍ନ କରି ଦେଲା । ବାପାଙ୍କ ମୃତ୍ୟୁ ପରେ ମାମୁ ମୋତେ ଓ ବୋଉକୁ କଲିକତା ନେଇ ଗଲେ । ତାପରେ ପଛକୁ ଫେରି ଚାହିଁ ବାକୁ, ବାପା ବିହୀନ ଘରକୁ ଯିବାକୁ ମୋର ସମୟ ନଥିଲା କି ବୋଉର ଇଚ୍ଛା ଓ ସାହସ ମଧ୍ୟ ନଥିଲା । ମୁଁ ମୋର ଗ୍ରାଜୁଏସନ୍ ପରେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲି । ତାପରେ କାର୍ଯ୍ୟ ବ୍ୟସ୍ତତା ଓ ଓଡିଶା ବାହାରେ ରହିବା ଇତ୍ୟାଦି ଭିତରେ ଆଉ ଗାଁ କଥା ମନେ ପଡ଼ି ନାହିଁ । ସମ୍ପ୍ରତି ଭୂବନେଶ୍ୱର ବଦଳି ହୋଇ ଆସିବା ପରେ,ବୋଉର ଗାଁ ପ୍ରତି ଆକର୍ଷଣ ହଠାତ ଜାଗ୍ରତ ହେଲା । ଭିଟାମାଟିକୁ ଫେରିବା ପାଇଁ ମନ ତାର ଡହଳ ବିକଳ ହୋଇ ପଡ଼ିଲା ।

ପୈତୃକ ଘରର ଅବସ୍ଥା ଦେଖିବା ପାଇଁ ଓ ତାକୁ ବାସୋପଯୋଗୀ କରିବା ପାଇଁ ମୁଁ ଗାଁକୁ ଆସିଥିଲି । ଗାଁ ମାଟି ମାଡୁ ମାଡୁ ମନେ ପଡ଼ିଲେ ମୋର ଦଦେଇ ମାଷ୍ଟ୍ରେ । ବସ୍ ଷ୍ଟାଣ୍ଡରୁ ସିଧା ମୁହାଁଇଲି ସ୍କୁଲକୁ । ଦେଖିଲି, ଝାଟିମାଟି ଚାଟଶାଳୀ ବଦଳରେ ଠିଆ ହୋଇଛି ବିରାଟ ଏକ ସ୍କୁଲ ଘର । ଚଉଡ଼ା ଫାଟକରେ ଲୁହାର ଗେଟ ଲାଗିଛି । ସ୍କୁଲ ହତାର ଉଭୟ ପାର୍ଶ୍ଵରେ ସୁନ୍ଦର ଫୁଲ ବଗିଚା । ଗୋଟିଏ ପାଖରେ ବିଶାଳ ଏକ ଖେଳପଡି଼ଆ । ସେଥିରେ ବିଭିନ୍ନ କିସମର ଦୋଳି । ଆମେ ସିନା ପ୍ୟାଂଟ ରେ ସେଫ୍ଟିପିନ୍ ଲଗେଇ, କିଏ କିଏ ଖାଲି ଦେହରେ ସ୍କୁଲ ଆସୁଥିଲୁ । ଏବେ କିନ୍ତୁ ସବୁ ପିଲା ୟୁନିଫର୍ମରେ । ଭାରି ଭଲ ଲାଗିଲା ମୋ ସ୍କୁଲର ଉନ୍ନତି ଦେଖି ।

ସ୍କୁଲ ଅଫିସ ପାଖରେ ପହଞ୍ଛିଲା ବେଳେ ପିଅନ ଜଣେ କଣ ଦରକାର ବୋଲି ପଚାରିଲେ । ମୁଁ ରାଧୁମାଷ୍ଟ୍ରଙ୍କ ବିଷୟରେ ଜାଣିବାକୁ ଚାହୁଁଚି ବୋଲି କହିବାରୁ ସେ କହିଲେ ଯେ ରାଧୁମାଷ୍ଟ୍ରେ କେବେଠାରୁ ଅବସର ଗ୍ରହଣ କରି ସାରିଲେଣି । ମୁଁ ମନେ ମନେ ବହୁତ ଲଜ୍ଜିତ ହେଲି । ମୋର ଖିଆଲରେ ପଶି ନଥିଲା ଯେ ମୋର ତ ଅବସର ଗ୍ରହଣର ବୟସ ହେଲାଣି ଆଉ ସେ କଣ ଏ ପର୍ଯ୍ୟନ୍ତ ଚାକିରୀରେ ଥିବେ ? ହଠାତ ମନରେ ଭୟ ଆସିଲା, ତେବେ କଣ ରାଧୁମାଷ୍ଟ୍ରେ......! ନା ନା ଭଗବାନ ନ କରନ୍ତୁ । ପିଅନ ନିଜେ ମୋର ଭୟର ନିରାକରଣ କଲେ,

ଆପଣ ତାଙ୍କ ଘରକୁ ଗଲେ ତାଙ୍କୁ ଭେଟି ପାରିବେ।

ମୁଁ ଆମର ଘରର ରାସ୍ତା ଧରିଲି । ଦୂରରୁ ରାଧୁମାଷ୍ଟ୍ରଙ୍କ ସୁଉଚ୍ଚ କୋଠା ଦେଖାଗଲା । ଧଡ଼। ଖୋଲି ହତା ଭିତରେ ଠିଆ ହୋଇ ଚାରିପଟେ ନିରିକ୍ଷଣ କଲି । କଞ୍ଚା ସିଜୁବାଡ଼ ପାଖେ ପାଖେ ପିଜୁଳି, ପଣସ,ଆତ,ଆମ୍ବ, ନଡ଼ିଆ ଇତ୍ୟାଦି ଗଛ ସବୁ ପବନରେ ଝୁଲି ଝୁଲି ମୋତେ ସ୍ୱାଗତ ଜଣାଉଥିଲେ।ମୋତେ ଯେମିତି ହାତ ଠାରି ଡାକୁଥିଲେ, ତାଙ୍କ ଉପରେ ଚଢ଼ି ବାକୁ, ଦୋଳି ଖେଳିବାକୁ । ହତା ପାରିହୋଇ ସିଧା ତାଙ୍କ ପାଠାଗାରରେ ଠିଆ ହୋଇ କବାଟ ଖଡ଼ ଖଡ଼ କଲି । ପାଠାଗାରର ପୂର୍ବ ସମ୍ଭାର ଆଉ ନଥିଲା । ବହି ମାନଙ୍କ ଜୀର୍ଣ୍ଣ ଶୀର୍ଣ ଅବସ୍ଥା ଦେଖି ଭାରି ଦୁଃଖ ଲାଗିଲା । ତା ଠାରୁ ବେଶି କଷ୍ଟ ହେଲା ରାଧୁମାଷ୍ଟ୍ରଙ୍କ ଓ ଦେଠେଇଙ୍କ ଏକାକିତ୍ୱକୁ ଅନୁଭବ କରି । ରାଧୁମାଷ୍ଟ୍ର ତାଙ୍କ ବହି ମାନଙ୍କ ଦୁରାବସ୍ଥା ସମ୍ପର୍କରେ କହି କହି ଖଣ୍ଡେ କପଡ଼ାରେ ବହି ଗୁଡ଼ିକୁ ଝାଡୁ଼ଥାଆନ୍ତି । ମଝିରେ ମଝିରେ ଖୁଁ ଖୁଁ ହେଉଥାନ୍ତି । ସେ ଖଣ୍ଡେ ବହିଆଣି ପଢ଼ିବାକୁ ଲାଗିଲେ ଅନ୍ୟମନସ୍କ ହୋଇ । ମୁଁ ଦେଠେଇଙ୍କ ପାଖରେ ଯାଇ ବସିଲି । ତାଙ୍କ ଆଖିରେ ଅଚିହ୍ନା ଭାବ ,ମୁଁ ପରିଚୟ ଦେଲି । ସେ ବହୁତ ଖୁସି ହୋଇଗଲେ,କିନ୍ତୁ ହଠାତ ମୁହଁ ଶୁଖାଇ ଦେଲେ । ଆଖି କୋଣରେ ଲୁହ ଜକେଇ ଆସିଲା । ତାଙ୍କ ଦୁଇ ପୁଅଙ୍କ ବିଷୟରେ ଭରସି ପଚାରି ପାରୁ ନଥାଏ । ତଥାପି ବର୍ତ୍ତମାନ ସେମାନେ କେଉଁଠି ବୋଲି ପଚାରି ଦେଲି । ତାଙ୍କ ହୃଦୟର କେଉଁ ଏକ ସୂକ୍ଷ୍ମ ତନ୍ତ୍ରିରେ ଆଘାତ ଲାଗିଲା । ଆଖିରୁ ବନ୍ୟା ସୁଅ ପରି ଲୁହ ଅଜାଡି଼ ହୋଇ ପଡ଼ିଲା । ମୋତେ ବଡ଼ ଅପ୍ରସ୍ତୁତ ଲାଗିଲା । ତାଙ୍କୁ କୌଣସି ପ୍ରକାର ପ୍ରକୃତିସ୍ଥ କରାଇ ଘରକୁ ଯିବାକୁ ବାହାରିଲି । ସେ ମୋତେ ଯୋର କରି ଅଟକାଇଲେ ଓ ପୂର୍ବ ଭଳି ବଳେଇ ବଳେଇ ଜଳଖିଆ ଖୁଆଇଲେ । କହିଲେ,

ତୁ ତ ଏଠାରେ ଆଠଦିନ ଖଣ୍ଡେ ରହିବୁ,ଖିଆପିଆ ଏହିଠାରେ କରିବୁ । ତୋର ମାଷ୍ଟ୍ରେ ତ କିଛି କହିବେ ନାହିଁ ହେଲେ ମୁଁ କହିବି, ଏତେ ଗେଲ ବସରରେ ପାଳିଥିବା ପୁଅଙ୍କ କଥା, ଶୁଣିବୁ ?

ମୁଁ ଆମ ଘରକୁ ଆସିଲି, ବାପା ତୋଳିଥିବା ମଜଭୁତ ଘର ଯେମିତିକୁ ସେମିତି ଥିଲା । କିନ୍ତୁ ଏତେକାଳ ବ୍ୟବହୃତ ହୋଇ ନଥିବା କାରଣରୁ,ପୋକ ଯୋକ, ମୂଷା, ଚୁଚୁନ୍ଦ୍ରା,ବିଲେଇ ଇତ୍ୟାଦି ବସା କରି ଅତ୍ୟନ୍ତ ଅପରିସ୍କାର କରି ଦେଇ ଥିଲେ । ବାଡ଼ି ପଛରେ ଅନାବନା ଗଛ ଲତା ଭର୍ତ୍ତି । ମୁଁ କିଛି ମୂଲିଆ ଲଗେଇ ତାକୁ ସଫା କରିବାକୁ କହି ପୁଣି ପଳେଇ ଆସିଲି ଦେଠେଇଙ୍କ ପାଖକୁ । ଦେଠେଇ ସେତେ ବେଳକୁ ଛଅ ତିଅଣ ନଅ ଭଜା କରି ରଖି ଥାଆନ୍ତି । ଚଟେଇଟେ ଟ୍ରଙ୍କ ଉପରୁ ଟାଣି ଆଣି ବାରଣ୍ଡାରେ ବସି ପଡ଼ିଲି । ଦେଠେଇଙ୍କୁ ପଚାରିଲି, ଦଦେଇ ଖାଇ ସାରିଲେଣି ନା ନାହିଁ । ସେ ଖାଇ ସାରି ବିଶ୍ରାମ ନେଉଥିଲେ । ଦେଠେଇ ମୋତେ ବାଢ଼ି ଦେଇ ମୋ ପାଖରେ ପିଢ଼।ଟି ଉପରେ ବସି ପଡ଼ିଲେ । ବାସ୍ପାରୁଦ୍ଧ କଣ୍ଠକୁ ସଫା କରି ଆରମ୍ଭ କଲେ ତାଙ୍କର ଦୁଃଖ କାହାଣୀ । ଦୁଇ ପୁଅଙ୍କୁ ଜଗି ରଖି ଖୁବ ଭଲ ଶିକ୍ଷା ଦେଇ ଥିଲେ ରାଧୁମାଷ୍ଟ୍ରେ, ଦୁହେଁ ବେଶ ଆଜ୍ଞାକାରୀ ଓ ପାଠରେ ଖୁବ ବିଚକ୍ଷଣ ଥିଲେ । ଦୁହେଁ ଯାକ ଇଞ୍ଜିନିୟର ହୋଇ ଦେଶ ବାହାରକୁ ଗଲେ । ଜଣେ ଜାପାନ ଗଲା ଓ ଅନ୍ୟ ଜଣକ ବର୍ତ୍ତମାନ ଦିଲ୍ଲୀରେ । ଏହିଠାରେ ହିଁ ଦଦେଇ ଦେଠେଇଙ୍କର ଆଶା ଧୂଳି ସାତ୍ ହୋଇ ଥିଲା । ଆଜ୍ଞାକାରୀ ପୁତ୍ର ମାନେ ବାପା ମାଆଙ୍କ ବିନାନୁମତୀରେ ବିଜାତୀୟ ବିବାହ କରିଥିଲେ । ସେ ଯାହା କଲେ କଲେ, ତାପରେ ଓଡ଼ିଆ ଭାଷାକୁ ଓଡିଶା ମାଟିକୁ ହେୟଜ୍ଞାନ କଲେ । କୁଆଡ଼େ ଗଲା ଏତେ ମହତ୍ ଶିକ୍ଷା ଏତେ ସୁସଂସ୍କାର । ଦୁହେଁ ଯାକ ବାପା ମାଆଙ୍କୁ ଏକ ପ୍ରକାର ଭୂଲି ଗଲେ କହିଲେ ଚଳେ । କାଁ ଭାଁ କେବେ କେମିତି ଫୋନ ଆସେ । କିନ୍ତୁ ଏତିକିରେ କାହାଣୀ ଶେଷ ହୋଇ ନଥିଲା । ଦଦେଇ ଦେଠେଇଙ୍କ ସବୁଠାରୁ ବଡ଼ ଦୁଃଖ ହେଲା, ପୁଅମାନେ ସ୍ଥିର କରି ଛନ୍ତି, ଏ ଘରବାଡି଼ କେଉଁ ଏକ ବିଲ୍ଡରକୁ ବିକ୍ରି କରି ଦେବେ,ଓ ବହି ସବୁ ସରକାରୀ ଲାଇବ୍ରେରିରେ ଦେଇ ଦେବେ । ବିଲ୍ଡର ଏଠାରେ ବହୁତ୍ତଲ ବିଲ୍ଡିଂ ତିଆରି କରିବ । ସେଥିରେ ଗୋଟିଏ ଫ୍ଲାଟ ଦଦେଇଙ୍କୁ ଦେବ । ରାଧୁମାଷ୍ଟ୍ରେ ଏଥିପାଇଁ ଖୁବ ବିଚଳିତ ଓ ଚିନ୍ତିତ ଅଛନ୍ତି । ବହିଗୁଡ଼।କୁ ରାଧୁମାଷ୍ଟ୍ରେ ନିଜ ଛୁଆ ଭଳି ଭଲ ପାଆନ୍ତି । ପାଠାଗାରଟି ହେଉଛି ତାଙ୍କର ସବୁଠାରୁ ବଡ଼ ଦୁର୍ବଳତା । ମାଷ୍ଟ୍ରେ ନିଜ ଦରମାର ପ୍ରାୟ ଅଧାଅଧି ଖର୍ଚ୍ଚ କରିଥିଲେ ପୁସ୍ତକ କ୍ରୟ କରିବାରେ । ନିତ୍ୟକର୍ମ, ସ୍କୁଲ ଓ ଟିଉସନ୍ ଛାଡି ବାକି ତକ ସମୟ ତାଙ୍କର କଟୁଥିଲା ପାଠାଗାରରେ । ପୁସ୍ତକ ମାନଙ୍କ ସହ ଗପ କରୁଥିଲେ । ରିକ୍ତତା,ତିକ୍ତତା, ଶୂନ୍ୟତା ସବୁ କିଛି ଉଭେଇ ଯାଉଥିଲା ବହିର ପୃଷ୍ଠା ଭିତରେ । ପୁସ୍ତକ ପ୍ରେମ କ୍ରମେ ସଂକ୍ରମିତ ହୋଇ ଦେଠେଇଙ୍କୁ ମଧ୍ୟ ଆଚ୍ଛାଦିତ କରିଥିଲା ।

ଏ ଘର ବିକ୍ରି କରି ଦେଲେ ଏ ଦୁହେଁ ବଞ୍ଚି ପାରିବେ ତ?ବହି ବିନା ତାଙ୍କର ସର୍ବଥା ନୀରବ ମୁହୂର୍ତ୍ତ ସବୁ ବିତିବ କିପରି?

ଭାରି ଚିନ୍ତା ଲାଗିଲା ମୋତେ । ଯେତେଦିନ ସେଠାରେ ରହିଲି,ଦେଠେଇଙ୍କ ପାଖରେ ଖିଆ ପିଆ କରି ରାଧୁମାଷ୍ଟ୍ରଙ୍କ ପାଖରେ ପାଠାଗାରରେ ସମୟ କଟେଇଲି । ଏ ଭିତରେ ଅନେକ ଗ୍ରନ୍ଥାବଳୀ ସମ୍ପର୍କରେ ତାଙ୍କ ସହିତ ଚର୍ଚ୍ଚା ମଧ୍ୟ କଲି । ସେତେବେଳେ ମାଷ୍ଟ୍ରଙ୍କ ଆଖି ଉଜ୍ଜ୍ବଳି ଉଠୁଥିଲା । ମୂଖମଣ୍ଟଳ ପ୍ରଫୁଲ୍ଲ ଦେଖା ଯାଉଥାଏ । ସେ ଅନେକ ସମସାମୟିକ ବିଷୟରେ ପ୍ରାଞ୍ଜଳ ଭାବରେ ବିଶଦ୍ ବ୍ୟାଖ୍ୟା ମଧ୍ୟ କରୁଥାଆନ୍ତି । ମୋତେ ଲାଗୁଥାଏ ମୋର ବାଲ୍ୟସମୟ ଫେରି ଆସିଛି ଓ ମୁଁ ରାଧୁମାଷ୍ଟ୍ରଙ୍କ ଓଜସ୍ୱଇନୀ ବକ୍ତୃତାକୁ ପିଇ ଯାଉଛି ଆଖିରେ ଆଖିରେ । ତାଙ୍କର ମଧ୍ୟ ଯେମିତି ପୂର୍ବ ଶକ୍ତି ଫେରି ଆସୁଥାଏ । ସ୍ଫିତ ଶୀରା ସବୁ କଣ୍ଠ ପାଖରେ ଥରି ଉଠୁଥାଏ । ଆଉ ଆଖିରୁ ଝରି ପଡୁଥାଏ ଅସଂଖ୍ୟ ଆଶୀର୍ବାଦ ମୋରି ଉଦ୍ଦେଶ୍ୟରେ ।

ଆମର ଘରବାଡି଼ ଠିକ ଠାକ କରି ସାରି ମୁଁ ଦଦେଇ ଦେଠେଇଙ୍କ ଠାରୁ ବିଦାୟ ନେବାପାଇଁ ଆସିଲି । ମୋ ପିଠିକୁ ଥାପୁଡେଇ ଦେଇ ଦଦେଇ ମୁହଁ ବୁଲେଇ ଦେଲେ, ଜୀବନରେ ବୋଧେ ପ୍ରଥମ ଥର ପାଇଁ ତାଙ୍କ ଆଖିରୁ ଥପ ଥପ ଲୁହ ଝରି ପଡ଼ିଲା କେଇ ବୁନ୍ଦା ।

ରାସ୍ତା ସାରା ମୋତେ ଭାରି ବ୍ୟସ୍ତ ଲାଗିଲା । ତାଙ୍କ ପାଇଁ ମୁଁ କଣ କରି ପାରିବି ଏହି ଚିନ୍ତା ମୁଣ୍ଡକୁ ଘାରୁଥାଏ । ଘରେ ପହଞ୍ଚି ବୋଉକୁ ଓ ମୋ ସ୍ତ୍ରୀକୁ ସବୁ କଥା କହିଲି । ବୋଉ ମଧ୍ୟ ସବୁ ଶୁଣି ଭାରି ବ୍ୟସ୍ତ ହେଲା । ଯଥା ଶୀଘ୍ର ଗାଁକୁ ଯିବାକୁ ବାହାରିଲା । କିଛି ଦିନ ଉତ୍ତାରୁ ଆମେ ସମସ୍ତେ ଗାଁକୁ ଯିବା ପାଇଁ ବାହାରିଲୁ ।

ଗାଁରେ ପହଞ୍ଛିଲା ପରେ ବିଦେଶରେ ଥିବା ମୋର ଏକମାତ୍ର ପୁଅ ପାଖରୁ ଫୋନ ଆସିଲା । ତା ସହ କଥା ହୋଇ ସାରିଲା ପରେ ମୋତେ ଖୁବ ହାଲକା ଲାଗିଲା । ମୋ ମୁଣ୍ଡରୁ ବିରାଟ ଏକ ବୋଝ ଓହ୍ଲେଇ ଗଲା ଭଳି ମୋତେ ଆଶ୍ୱସ୍ତ ଲାଗିଲା ।

ମୁଁ ଆଶ୍ଚର୍ଯ୍ୟ ହୋଇ ବୋଉ ଓ ସ୍ତ୍ରୀକୁ ଅନେଇଲି । ଆଖିରେ ମୋର ଅନେକ ପ୍ରଶ୍ନବାଚୀ । ସେ ଦୁହେଁ ଏକ ଆରେକକୁ ଚାହିଁ ହସୁଥାଆନ୍ତି । ମୁଁ ସବୁ ବୁଝି ପାରିଲି ।

ସଙ୍ଗେ ସଙ୍ଗେ ମୁଁ ସେ ଦୁହିଁଙ୍କୁ ନେଇ ରାଧୁମାଷ୍ଟ୍ରଙ୍କ ଘରକୁ ଗଲି । ଦେଠେଇ ତ ଆନନ୍ଦରେ ଆତ୍ମହରା ହୋଇ ପଡ଼ିଲେ,ବୋଉ ଏଠାରେ ରହିବ ବୋଲି ଶୁଣି । ମୁଁ ସିଧା ରାଧୁମାଷ୍ଟ୍ରଙ୍କ ପାଖକୁ ଯାଇ ତାଙ୍କ ପବିତ୍ର ପାଦଯୁଗଳରେ ହାତ ରଖି କହିଲି,

ଏ ଘର ଓ ଏ ପାଠାଗାର ତାଙ୍କ ଠାରୁ କେହି ଛଡ଼ାଇ ନେଇ ପାରିବେ ନାହିଁ । ତାଙ୍କ ଘର ଏବେ ମୁଁ କିଣି ତାଙ୍କୁହିଁ ଉପହାର ଦେବି ଗୁରୁ ଦକ୍ଷୀଣା ସ୍ୱରୂପ ।ସେ ଆସ୍ତେ ମୁଣ୍ଡ ଟେକି ମୋତେ ଟିକେ ଅନେଇଲେ । ସେ ଗଭୀର ଦୃଷ୍ଟିରେ ନା ଥିଲା ଖୁସି,ନା ଆବେଗ, ନା ଉତ୍ସୁକତା,ଥିଲା କେବଳ ଅସରନ୍ତି ଶୂଭେଚ୍ଛା ଓ ଆତ୍ମସନ୍ତୁଷ୍ଟି । ପଢ଼ୁଥିବା ଶ୍ରୀମଦ୍ଭଗବଦ୍ଗୀତାଟିକୁ ମୋର ମସ୍ତକରେ ଛୁଆଁଇ ଦେଲେ ଆସ୍ତେ କରି ।

ଆରତୀ ସାହୁ(ଆଶା)


Rate this content
Log in