Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rakesh Mishra

Comedy

5.0  

Rakesh Mishra

Comedy

ମନୁଆର କୀର୍ତ୍ତି - ଯମପୁରରେ ମନୁଆ

ମନୁଆର କୀର୍ତ୍ତି - ଯମପୁରରେ ମନୁଆ

11 mins
14.6K


ଗତକାଲି ରାତି ଯାଏ ସବୁ କିଛି ଠିକ୍ ଠାକ୍ ଥିଲା । ଅଫିସରୁ ଫେରି ରବୀନର ଉଇକ୍ ଏଣ୍ଡ ପ୍ରମୋଶନ ପାର୍ଟି ଆଟେଣ୍ଡ କରିବାକୁ ଯାଇଥିଲା। ପାର୍ଟିରେ ଅବଶ୍ୟ ଖାଦ୍ଯ କମ୍ ପାନୀୟ ବେଶି ହୋଇଥିଲା। ଏମିତି ବି କାମ ପ୍ରେସରରେ ଲଞ୍ଚ ସ୍କିପ୍ କରିଥିଲା, ପେଟ ଖାଲି ଥିଲା। ରାତିରେ 3-4 ପେଗ୍ ପରେ ନିଶା ଚଢ଼ି ଯାଇଥିଲା । ଶେଷରେ ପ୍ରକାଶ, ରାଜୁ ଧରା ଧରି କରି ଆଣି ଘର ଦୁଆର ପାଖେ ଛାଡି ଦେଇ ଗଲେ। ତାର ଯେତେ ଦୂର୍ ମନେ ପଡୁଛି ବୋଉ ଧରି ଧରି ଆଣି ବେଡ୍ ପାଖରେ ଛାଡ଼ି ଦେଇଥିଲା। ତା’ପର ଘଟଣା ତାର ମନେ ନାହିଁ। ସକାଳୁ ଉଠି ଦେଖେ ଏଇ ଅବସ୍ଥା। ଖାଲି ପେଟରେ ମଦ ଗୁଡ଼ା ଚୋକ୍ କରି ଗଲା କି କଣ... ନିଜ ମୃତ୍ୟୁକୁ ନେଇ ହଜାରେ କଥା ଚିନ୍ତା କରୁଥିଲା ଏବଂ ସାମ୍ନା ବେଡ୍ ରେ ପଡିଥିବା ନିଜ ନିସ୍ତେଜ୍ ଦେହଟାକୁ ଦେଖୁଥିଲା ମନୁଆ । ପାଖ ଘରେ ବୋଉ କାନ୍ଦି କାନ୍ଦି 3-4 ଥର ଚେତା ହରେଇ ସାରିଲାଣି। ପଡୋଶୀ ରୀନା ଆଣ୍ଟି, ସୁରମା ଆଣ୍ଟି ବୋଉକୁ କୁଣ୍ଢେଇ ଧରି ତୁନି କରିବାକୁ ଚେଷ୍ଟା କରୁଛନ୍ତି। ବୋଉର ଏମିତି ଅବସ୍ଥା ଦେଖି ମନୁଆ ଆଖିରୁ ଦୁଇ ଧାର ଲୁହ ବୋହି ଆସିଲା । ବୋଉର ଲୁହ ସେ ଜମା ଦେଖି ପାରେନା। ଲୁହ ପୋଛିବାକୁ ଯାଇ ଅନୁଭବ କଲା, ଗାଲରେ ଲୁହ ହିଁ ନାହିଁ । ମରିଗଲା ପରେ କଣ ଆଖିରୁ ଲୁହ ଶୁଖି ଯାଏ ନା କଣ !! ବୋଉ’ତ ଏଠି, ହେଲେ ବାପା କାହିଁ ଦିଶୁ ନାହାନ୍ତି, କୁଆଡେ ଗଲେ ! ଏମିତି ଭାବୁ ମନୁଆ ଯାଇ ପହଞ୍ଚିଲା ଡ୍ରଇଂ ରୁମରେ । ବାପା ବସିଛନ୍ତି ସୋଫା ଉପରେ । ପାଖ ସୋଫାରେ ସାମ୍ନା ପଡିଶା ଘର ରଞ୍ଜିତ ଅଙ୍କଲ ବସିଛନ୍ତି । ବାପାଙ୍କୁ ଏତେ ଉଦାସୀନ ସେ କେବେ ଦେଖି ନଥିଲା। ବାପା ଫୋନ୍ ବାହାର କରି କାହାକୁ କଲ୍ କରିବା ପାଇଁ ନମ୍ବର ମିଳାଉଛନ୍ତି । ସବୁ ବନ୍ଧୁ ବାନ୍ଧବ ଆସି ପହଞ୍ଚି ଯିବେ ଟିକେ ପରେ। ତା' ମୃତ୍ୟୁର କାରଣ ସମ୍ପର୍କରେ ସମସ୍ତ ପ୍ରଶ୍ନର କି ଉତ୍ତର ଦେବେ ବାପା !! ନିଜ ଉପରେ ପ୍ରଚଣ୍ଡ ରାଗ ହେଉଥିଲା ମନୁଆର । ନା, ସେ ଏଠି ଆଉ ଛିଡା ହୋଇ ବୋଉର କାନ୍ଦ ଆଉ ବାପାଙ୍କ ଉଦାସୀନ ଚେହେରାଟା ଦେଖି ପାରୁନି।

ଶିଢ଼ି ଚଢ଼ି ଛାତ ଉପରକୁ ଆସିଲା ମନୁଆ। ଆରେ ୟେ କଣ ! ରୁବି ତାଙ୍କ ଛାତ ଉପରେ ବସି କଣ କରୁଛି !! ରୁବି କଥା ବିଲକୁଲ ଭୁଲି ଯାଇଥିଲା ସେ। ମୋବାଇଲ ହାତରେ ନେଇ କଣ କରୁଛି ନା କଣ ! ଯାଇ ଟିକେ ଦେଖି ଆସିଲେ ହୁଅନ୍ତା। ସେ’ତ ଏବେ ଅଶରୀରୀ, ଯେଉଁଠିକୁ ଇଛା ଯେତେ ବେଳେ ଇଚ୍ଛା ଯାଇ ପାରିବ । ଶକ୍ତିମାନ ଷ୍ଟାଇଲରେ ଘିରରର୍ କିନା ଘୁରି ଯାଇ ପହଞ୍ଚିଲା ରୁବି ଘର ଛାତରେ । ରୁବି ଛାତ କଣରେ ଅଧିକାନ୍ଥି କୁ ଡେରି ହୋଇ ବସିଛି । ଆଖି ଯୋଡ଼ାକ ଟମାଟୋ ପରି ଲାଲ୍, ଫୁଲି ବି ଯାଇଛି କାନ୍ଦି କାନ୍ଦି । ମୁଣ୍ଡ ଚୁଳ ସବୁ ଅଲରା, ପାଗିଳିଙ୍କ ପରି। ବସି ବସି ମୋବାଇଲରେ ତା ପଠେଇ ଥିବା ପୁରୁଣା ମେସେଜ ସବୁ ପଢୁଛି । ପୁରୁଣା ଫଟୋ ଦେଖୁଛି ଆଉ ଅବିରାମ କାନ୍ଦି ଚାଲିଛି । ଝିଅଟା ସତରେ ତାକୁ ବହୁତ ବେଶି ଭଲ ପାଉଥିଲା ତାହେଲେ । ଛାଡ଼ ଏବେ ସେ ସବୁ ଭାବି ଆଉ କିଛି ଲାଭ ନାହିଁ । ମନୁଆ ଦେଖିଲା ତାଙ୍କ ଘର ଆଗରେ କାହା କାର୍ ଆସି ଠିଆ ହେଲା। କାରରୁ ବାହାରି ଆସିଲେ ଯିଏ, ସେ ତାର ଅତି ପରିଚିତ ନିହାର ବାବୁ, ତା ରିପୋଟିଙ୍ଗ୍ ମ୍ଯାନେଜର । ଶଳା ଛୋଟଲୋକ୍ । ବଞ୍ଚିଥିବା ବେଳେ ଟିକେ ଭଲ ଭାବେ କଥା ହୁଏନି ଏବେ ଆସିଛି ସମବେଦନା ଜଣେଇବାକୁ। ତାର ଇଚ୍ଛା ହେଉଥିଲା ଲୋକଟାର ପଛ ପଟେ ଗୋଟେ ଶକ୍ତ ଗୋଇଠା ମାରିବାକୁ । ନା ଥାଉ, ବରଂ ଯାଇ ଦେଖାଯାଉ ହାରାମିଟା କି ଡ୍ରାମା କରୁଛି।

ପୁଣି ଘିରର୍ ଘିରର୍ ହୋଇ ଦୁଇ ପଟ ଘୁରି ଯାଇ ପହଞ୍ଚିଲା ଘରେ। ଘରେ ଲୋକାରଣ୍ୟ । ବାପାଙ୍କ ସାମ୍ନା ସୋଫାରେ ବସି ନିହାର ବାବୁ ଭାଷଣ ଦେଉଛନ୍ତି ।

- ଅତ୍ୟନ୍ତ କର୍ମ କୁଶଳ , ସମୟାନୁବର୍ତ୍ତିତା ଇତ୍ୟାଦି ବହୁ ଗୁଣର ଅଧିକାରୀ ଜଣେ ସହକର୍ମୀକୁ ହରାଇ ମୁଁ ଭୀଷଣ ଭାବେ ମର୍ମାହତ ।

ନିହାର ବାବୁ ତା ପ୍ରଶଂସାରେ ଶତମୁଖ। ଏଇଥି ପାଇଁ କୁହନ୍ତି ବଞ୍ଚିଥିଲେ “ବୋହୁ ହଗୁରୀ ମୁତୁରି, ମରି ଗଲେ ବୋହୁ ଭଲ” !! ହୁଃ ଯେତେ ସବୁ ଡ୍ରାମାବାଜ ।

ହଠାତ କାନ୍ଧ ଉପରେ କାହା ହାତର ଛୁଆଁ ପାଇ ଚମକି ଉଠିଲା ମନୁଆ। ବୁଲି ଦେଖେ ଶେରୱାନୀ ପରିହିତ, ଲମ୍ବା ବାଳ, ମୋଟା ନିଶ ସହ ହୃଷ୍ଟପୃଷ୍ଟ ଜଣେ ବ୍ୟକ୍ତି। ସବୁଠୁ ଅଧିକ ତାକୁ ଯାହା ବିସ୍ମିତ କରୁଥିଲା, ସେଇଟି ହେଲା ଅନ୍ୟ କେହି ତାକୁ ଦେଖି ବା ଛୁଇଁ ନପାରୁଥିବା ବେଳେ ୟେ ଭଦ୍ରବ୍ୟକ୍ତି ତାକୁ କେମିତି ଛୁଇଁ ପାରିଲେ। ଆଉ ତା' ସାଙ୍ଗକୁ ୟେ ଅଦ୍ଭୁତ ବେଶ ପୋଷାକ।

-କୁହନ୍ତୁ । କହିଲା ମନୁଆ ।

-କୁହନ୍ତୁ ନୁହେଁ, ଚାଲନ୍ତୁ । Your time is Over।

- କିଏ ଆପଣ ? ଆଉ ଆପଣ ମୋତେ ଦେଖିଲେ ବା ଛୁଇଁଲେ କେମିତି ?? ଆପଣ କଣ ମୋ ପରି ...

- Shutup.. ମନୁଆକୁ କଥା ପୁରା କରିବାର ସୁଯୋଗ ନଦେଇ ଗର୍ଜି ଉଠିଲେ ଆଗନ୍ତୁକ। ମୁଁ ଚିତ୍ରଗୁପ୍ତ । ବାହାରେ ଯମରାଜ ତୁମ ପାଇଁ ଅପେକ୍ଷାରତ । ଆଉ ବେଶି ଡେରି କରି ହବନି। ତୁମ ପରେ ଆଜି ଆହୁରି ୧୩୭ଟା ଆତ୍ମା ପିକଅପ କରିବାର ଅଛି। ଚାଲ ଚାଲ.. କହି ମନୁଆର ହାତ ଧରି ଏକପ୍ରକାର ଭିଡ଼ି ବାହାରକୁ ନେଇଗଲେ ଆଗନ୍ତୁକ। ମନୁଆ ନିଜ ହାତ ଛଢ଼େଇବାର ବିଫଳ ଚେଷ୍ଟା କରି ଅସନ୍ତୁଷ୍ଟ ଭାବରେ ଘୋଷାଡ଼ି ହୋଇ ଚାଲିଥିଲା ଆଗନ୍ତୁକ ଅର୍ଥାତ ଚିତ୍ରଗୁପ୍ତଙ୍କ ସହ । ସେତେବେଳକୁ ଦୁହେଁ ପହଞ୍ଚି ସାରିଥିଲେ ଦାଣ୍ଡରେ। ମନୁଆ ଦେଖିଲା ଗୋଟେ କଳା ମଚ ମଚ ମଇଁଷି କୁ ଡେରି ହୋଇ ସମାନ ବେଶ ଭୂଷା ର ଜଣେ ବ୍ୟକ୍ତି, ଚିତ୍ରଗୁପ୍ତଙ୍କ କହିବା ଅନୁସାରେ ସ୍ଵୟଂ ଯମରାଜ ଦଣ୍ଡାୟମାନ।

- ଆଛା ସାର୍, ମୁଁ କଣ କହୁଥିଲି କି..

- No, nothing.. We are already running late । ତୁମର ଯାହା କିଛି କହିବାର ବା ପଚାରିବାର ଅଛି ରାସ୍ତାରେ ପଚାରିବ। ମନୁଆକୁ କଥା ଶେଷ କରିବାକୁ ନଦେଇ କହିଲେ ଚିତ୍ରଗୁପ୍ତ ।

- ସାର୍, ଆପଣ ୟେ ଓଡିଆ, ଇଂରାଜୀ ମିଶେଇ କାହିଁ କହୁଛନ୍ତି ?

- ତୁମରି ମାନଙ୍କ ପାଇଁ । ତୁମ ଭଳିଆ ଫୁଲବାବୁ ଓ ବାବୁଆଣୀ ମାନେ ଆଜି କାଲି ନୂଆ ଟ୍ରେଣ୍ଡ ଆରମ୍ଭ କରିଛ । କଥା ମଝିରେ ଦୁଇ ଚାରିଟା ଇଂରାଜୀ ଶବ୍ଦ ନ କହିଲେ ତୁମକୁ ଲୋକେ ଶିକ୍ଷିତ ବୋଲି ମଣିବେନି... ତୁମ ଭଳିଆ ଟୋକା ଟୋକଳିଙ୍କ ପାଇଁ ଆମ ଅଭ୍ଯାସ ବି ଖରାପ ହେଇ ଗଲାଣି। ଆମ ଦେବଲୋକର ଭାଷା ଅର୍ଥାତ ସଂସ୍କୃତ କହିଲେ ତ ତୁମେ ଆଉ ବୁଝିବନି।

- ଆଃ, ଚିତ୍ର.. ଅଯଥା କଥାରେ ସମୟ ନଷ୍ଟ କରନି । ତୁମେ ଯାହା ଆରମ୍ଭ କରିଛ ଆଜିର ଟାର୍ଗେଟ କଭର କରିବା ମୁସ୍କିଲ ହେବ ।ଏତକ କହି ସର୍ବାଗ୍ରେ ଯମରାଜ ମଇଁଷିର ଦୁଇ ଶିଙ୍ଘକୁ ଧରି ବୁଲେଟ ଉପରେ ବସିଲା ପରି, ବସି ପଡ଼ିଲେ। ମନୁଆକୁ ମଝିରେ ବସିବାକୁ ନିର୍ଦ୍ଦେଶ ଦେଲେ ଚିତ୍ରଗୁପ୍ତ ।

- ମଝିରେ ?? ପଛରେ ବସିଲେ ଚଳନ୍ତାନି ??

- ନା ନା, ଥରେ ସେ ଭୁଲ କରି ଏବେ ବି ଆମେ ଦୁଇ ଜଣ ଭୋଗୁଛୁ ।

- ସାର, ଯଦି କିଛି ମନେ ନକରନ୍ତି ଦୟା କରି କହିବେ କଣ ଭୁଲ କରି ଭୋଗୁଛନ୍ତି , ମୁଁ କିଛି ବୁଝି ପାରିଲିନି । ମନୁଆ ପଚାରିଲା ।

- ଆରେ ସେ ଅନେକ କଥା । ବହୁତ ଦିନ ଆଗେ ଖପରପଦାର ଜଣେ ମଧ୍ୟବୟସ୍କା ବିବାହିତା ମହିଳାଙ୍କ ଆତ୍ମା ପିକଅପ୍ କରିବାକୁ ଆସି ଭାବିଲୁ, ଯେ ମହିଳାଙ୍କୁ ମଝିରେ ବସେଇବା ଠିକ ହେବନି । ତେଣୁ ବାଧ୍ୟ ହୋଇ ତାଙ୍କୁ ପଛରେ ବସାଇ ଯମପୁର ଅଭିମୁଖେ ଯାତ୍ରା ଆରମ୍ଭ କରିବା ପାଇଁ ଜଷ୍ଟ ଟେକଅଫ୍ କରିଛୁ, ସେ ମହିଳାଙ୍କ ଆତ୍ମା ସଟ୍ କିଣା ଖସିରି ଯାଇ ପଡିଲେ ସିଧା ତାଙ୍କ କୋକେଇ ଉପରେ।

- ତା ପରେ ?? ଉତ୍ସାହୀ ହୋଇ ପଚାରିଲା ମନୁଆ..

- ତା ପରେ ଆଉ କଣ ? ଆତ୍ମା ଯେମିତି ନିଜ ଶରୀର ହାତ ପାହନ୍ତାରେ ପାଇଲା ଫଟ କିଣା ସୁଇଙ୍ଗ୍ କରି ପଶି ଗଲା ଦେହ ଭିତରେ ଆଉ ମଡ଼ା ସିଧା ଉଠିବସିଲା କୋକେଇ ଉପରେ । କୋକେଇ ବୋହି ନେଇ ଯାଉଥିବା ଲୋକ ମାନେ ଭୁତ ଭୁତ କହି ହାଉଳି ଖାଇ ଯିଏ ଯୁଆଡେ ପଳେଇ ଗଲେ । ନିୟମ ଅନୁସାରେ ଆତ୍ମା ଥରେ ଦେହ ଭିତରେ ପଶିଲେ ପୁଣି ତାକୁ ସେଥିରୁ କାଢ଼ିବା ପାଇଁ ଲମ୍ବା ପ୍ରୋସେସ , ହଜାରେ ଆପ୍ରୁଭାଲ । ସେ ଯାଇଛାତା କାଣ୍ଡ । ପୁଣି କର୍ତବ୍ୟର ଅବହେଳା ପାଇଁ ଦେବରାଜ ଇନ୍ଦ୍ର ସୋ କଜ ନୋଟିସ ଦେଲେ ସେ ତ ଯାହା ହେଲା ହେଲା, ଆଜି ଯାଏ ସେ ସ୍ୱାମୀ ସ୍ତ୍ରୀ ଝଗଡା କଲେ ଉଭୟ ପକ୍ଷରୁ ମୁଁ ଗାଳି ଶୁଣୁଛି.. କହିଲେ ଯମରାଜ ।

- ଗାଳି ଶୁଣୁଛନ୍ତି ମାନେ ?? ପଚାରିଲା ମନୁଆ

- ଆଉ କଣ ?? ସ୍ତ୍ରୀ ସମ୍ପୁଛି, କହୁଛି ବାଡ଼ି ପୋଡ଼ା, ପୋଡ଼ା ମୁହାଁ ଯମ ବି ମୋତେ ନେଉନି । ସ୍ୱାମୀ ମୋ ଜନନୀ ଭଗିନୀ ଉଦ୍ଧାର କରି କହୁଛି, ନବନି କାହିଁକି ନେଇଥିଲା ତ.. କିନ୍ତୁ ତୁମ ଭଳି ସ୍ତ୍ରୀକୁ ଯମ ବି ରଖି ପାରିଲାନି, ଫେରେଇ ଦେଲା.. ମୋ ନିଜ କପାଳ ତ ଖରାପ, କହିବି କାହାକୁ ।

ଏମିତି କଥା ବାର୍ତ୍ତା ଭିତରେ ମଇଁଷି ଟେକଅଫ୍ କରି ସାରିଥିଲା.. ଦୁହିଁଙ୍କ ମଝିରେ ଚାପି ହୋଇ ବିକଳିଆ ଅବସ୍ଥାରେ ବସି ରହି ଥିଲା ମନୁଆ । କିଛି ବାଟ ଗଲା ପରେ ମନୁଆ ପୁଣି ପଚାରିଲା ।

- ଆଚ୍ଛା ପ୍ରଭୁ ମାନେ, ମୋତେ ଆପଣ ନେଇ ବର୍ତ୍ତମାନ କଣ କରିବେ ?

- କଣ ଆଉ! ଯମପୁରରେ ତୁମ ବିଚାର ହେବ। ବିଚାର ଅନୁସାରେ ତୁମ ଭଲ କର୍ମ ଆଉ ଖରାପ କର୍ମ ହିସାବରେ ତୁମକୁ ସ୍ୱର୍ଗ ବା ନର୍କ କେଉଁଠାକୁ ପଠାଯିବ ସେ ନିଷ୍ପତି ନିଆଯିବ। କହିଲେ ଚିତ୍ରଗୁପ୍ତ ।

- ପୃଥିବୀର ସମସ୍ତ ମଣିଷଙ୍କ ଭଲ କର୍ମ ଆଉ ଖରାପ କର୍ମର ଲିଷ୍ଟ କଣ ଆପଣଙ୍କ ପାଖରେ ଅଛି ? ପଚାରିଲା ମନୁଆ ।

- ହା ହା ହୋଇ ହସି ଉଠିଲେ ଚିତ୍ରଗୁପ୍ତ । କହିଲେ, ତୁମେ ମଣିଷ ମାନେ ଏବେ ଏବେ ଯେଉଁ ସିକ୍ରେଟ ସର୍ଭିଲାନ୍ସ କ୍ୟାମେରା ବା ସିସିଟିଭି ବ୍ୟବହାର କରିବା ଶିଖିଲ, ଆମେ କିନ୍ତୁ ସେ ଟେକ୍ନୋଲୋଜି ବହୁ ପୂର୍ବରୁ ବ୍ୟବହାର କରୁଛୁ । ଆଉ ସେ କ୍ୟାମେରା 24 X 7 ସମସ୍ତଙ୍କ ଉପରେ ନଜର ରଖିଛି । କିଏ କୋଉଠି କଣ କରୁଛ ସବୁର ଗୁପ୍ତ ଚିତ୍ର ଆମ ଯମପୁରରେ କଣ୍ଟ୍ରୋଲ ରୁମର ସର୍ଭରରେ ଗଛିତ ଅଛି। ଆମ ଚିତ୍ରଗୁପ୍ତ ଅଲଗା ଅଲଗା ତାରିଖ ଅନୁଯାୟୀ ଅଲଗା ଅଲଗା ଫୋଲ୍ଡର୍ ପ୍ରତିଦିନ ଚେକ୍ କରି ସଟିଙ୍ଗ୍ କରି ରଖନ୍ତି । ସେ ସବୁ ଗୁପ୍ତ ଚିତ୍ରକୁ ହ୍ୟାଣ୍ଡେଲ କରୁଥିବାରୁ ତାଙ୍କ ନା ଚିତ୍ରଗୁପ୍ତ । କହିଲେ ଯମରାଜ ।

- ଓ ଆଛା । ତା ମାନେ ଚିତ୍ରଗୁପ୍ତ ବାବୁଙ୍କ ଦାୟିତ୍ୱ ବହୁତ ଗୁରୁତର । କୋଟି କୋଟି ଲୋକଙ୍କ ଡାଟା ମ୍ୟାନେଜ କରିବା କଣ ଟିକେ କଥା!!

- ତେବେ ନୁହେଁ ତ କଣ.. ସାମାନ୍ୟ ଉତ୍ଫୁଲ୍ଲିତ ହୋଇ କହିଲେ ଚିତ୍ରଗୁପ୍ତ ।

ଏମିତି କଥା ବାର୍ତ୍ତା ହେଉ ହେଉ ସେମାନେ ଆକାଶରେ ଉଡ଼ି ଚାଲିଥିଲେ ମଇଁଷି ପିଠିରେ ବସି । ମନୁଆର ମନେ ହେଉଥିଲା ସେ ଏକ ଖୋଲା ହେଲିକପ୍ଟରରେ ବସିଛି । ବାଦଲ ସବୁ କାନ ପାଖ ଦେଇ ସାଇଁ ସାଇଁ ଭାସି ଯାଉଛନ୍ତି । ଆହା ଅଭୂତପୂର୍ବ ଅନୁଭୂତି । କିଛି ସମୟ ପରେ ଯମରାଜ କହିଲେ- ଚିତ୍ରଗୁପ୍ତ, ମନୁଷ୍ୟକୁ ଧରି ରଖ । ଏବେ ଆମେ ଯମପୁରରେ ଲ୍ୟାଣ୍ଡ୍ କରିବାକୁ ଯାଉଛେ ।

ଏତେ ଶୀଘ୍ର ପହଂଚି ଗଲେ । ରକ୍ଷା ପାଇଗଲା ମଣିଷ । ୟେ ଦି ଜଣ ଅତିକାୟ ଶରୀର ମଝିରେ ପେଷି ହୋଇ ତା ହାଲତ ଖରାପ ହେଉଥିଲା ।

ଯମପୁରରେ ପହଂଚି ଚିତ୍ରଗୁପ୍ତ ଜଣେ ଯମଦୂତକୁ ଆଦେଶ ଦେଲେ, ମନୁଆକୁ ନେଇ ତା’ ପାଇଁ ଉଦ୍ଧିଷ୍ଟ ବିଚାରଧୀନ କୋଠରୀରେ ଛାଡି ଆସିବାକୁ । ମନୁଆ ଦେଖିଲା କୋଠରୀଟି ଉନ୍ନତ, ପ୍ରାୟ ଗେଷ୍ଟ ହାଉସ୍ ଭଳି । କିନ୍ତୁ ବିନା ଅନୁମତିରେ ବାହାରକୁ ଯିବାର ଉପାୟ ନାହିଁ । ମନୁଆର ଭାରି ମନ ହେଉଥିଲା ବାହାରେ ଯାଇ ଟିକେ ଯମପୁରର ଆଖ ପାଖରେ ବୁଲି ଆସନ୍ତା। କିନ୍ତୁ ଯମଦୂତଙ୍କ ଧମକ୍ ପାଇ ନିଜ ଇଛାକୁ ନିଜ ଭିତରେ ଚାପି ରଖି ନିଜ କୋଠରୀରେ ବସି ରହିଲା ।

କିଛି ସମୟ ପରେ ଜଣେ ଯମଦୂତ ଆସି ଖବର ଦେଲେ, ବିଚାର କକ୍ଷରେ ଯମରାଜ, ଚିତ୍ରଗୁପ୍ତ ଇତ୍ୟାଦି, ବିଚାର ପାଇଁ ପ୍ରସ୍ତୁତ। ତେଣୁ କାଳ ବିଳମ୍ବ ନକରି ସେ ଯଥା ଶୀଘ୍ର ବିଚାର କକ୍ଷରେ ପହଂଚିବାକୁ ଯମରାଜଙ୍କ ନିର୍ଦ୍ଦେଶ ।

- ଏତେ ଶୀଘ୍ର ?? ପଚାରିଲା ମନୁଆ ।

- ହଁ, କାରଣ ଯମପୁରରେ ଆମେ ବିଶ୍ୱାସ କରୁ justice delayed is justice denied । ତୁମ ମର୍ତ୍ତ୍ୟରେ ଲାଉ ଚୋରି କଲେବି ସେ କେଶ୍ କୋର୍ଟରେ 10-12 ବର୍ଷ ଚାଲିବ ।

-ହଉ ଚାଲ ଚାଲ । କେତେ ବକୁଛ ମଉସା ।

ଯମଦୂତଙ୍କ ସହ ମନୁଆ ଯାଇ ଉପସ୍ଥିତ ହେଲା ବିଚାର କକ୍ଷରେ। ବିଚାର କକ୍ଷ ଦେଖିବାକୁ ପୁରୁଣା ରାଜା ରାଜୁଡା ଅମଳର ରାଜ ସଭା ପରି । ସମ୍ମୁଖରେ ମଧ୍ୟ ଭାଗରେ ସ୍ୱୟଂ ଯମରାଜ ଉଚ୍ଚ ସିଂହାସନରେ ଉପବିଷ୍ଟ । ତାଙ୍କ ଡାହାଣ ପଟେ ଚିତ୍ର ଗୁପ୍ତ ଏକ ଆଧୁନିକ ଟ୍ୟାବ ପରି ଦିଶୁଥିବା ଯନ୍ତ୍ର ଧରି ଦଣ୍ଡାୟମାନ। ଦୁଇ ପଟେ ଯମପୁରର ବିଭିନ୍ନ ମାନ୍ୟ ଗଣ୍ୟ ଯମଦୂତ ଗଣ । ମନୁଆ ପହଂଚିବା ମାତ୍ରେ ଚିତ୍ରଗୁପ୍ତ ଆରମ୍ଭ କଲେ, ମନୁଆ ତୁମ କୃତ କର୍ମର ବିଚାର କରିବା ଆମେ ସମସ୍ତେ ପ୍ରସ୍ତୁତ, ତୁମେ ପ୍ରସ୍ତୁତ ତ ?

- ହେ ପ୍ରଭୁ, ମୋ ନିଜ ମକଦ୍ଦମା ମୁଁ ନିଜେ କେମିତି ଲଢ଼ିବି। ଯଦି ମୋ ପାଇଁ ଦୟାକରି ଯମପୁରର କୌଣସି ଓକିଲଙ୍କର ବ୍ୟବସ୍ଥା କରି ଦିଅନ୍ତେ ଭଲ ହୁଅନ୍ତା ।

- ଚୁପ କର ମୁଢ ମଣିଷ । ଏଇଟା ମର୍ତ୍ତ୍ୟ ନୁହେଁ ଯମପୁର । ଏଠି ସମସ୍ତେ ନିଜ ସଫେଇ ନିଜେ ହିଁ ଦିଅନ୍ତି। ରଜତ୍ ଶର୍ମାଙ୍କ ଆପ୍ କି ଅଦାଲତ ଦେଖିଛ ତ ! ସେଇ ଷ୍ଟାଇଲରେ । ତୁମକୁ ଯାହା ପ୍ରଶ୍ନ କରିଯିବ ତାର ଠିକ୍ ଠାକ୍ ଉତ୍ତର ଦେବ, ଆଉ ହଁ ବେଶି ଚାଲାକି କରିବାର ଚେଷ୍ଠା କରିବନି । କହିଲେ ଚିତ୍ରଗୁପ୍ତ ।

- ବିଚାର ଆରମ୍ଭ କରାଯାଉ - ନିର୍ଦ୍ଦେଶ ଦେଲେ ଯମରାଜ

- ଧର୍ମାବତାର.. ୟେ ମଣିଷର ସମସ୍ତ କୃତକର୍ମର ତଥ୍ୟକୁ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରି ମୁଁ ନିମ୍ନ ଲିଖିତ ଆରୋପ ଉପରେ ଆଲୋକପାତ କରୁଛି ।

ୟେ ପାଷଣ୍ଡ ମଣିଷ ନିଜ ବାଳୁତ କାଳରୁ ବିଭିନ୍ନ ଅନୈତିକ କାର୍ଯ୍ୟ କଳାପରେ ଜଡିତ। ସେଥି ମଧ୍ୟରୁ ଶୈଶବରେ ପ୍ରାଥମିକ ଶ୍ରେଣୀରେ ପଢିଲା ବେଳେ ନିଜ ସହପାଠୀର ମୁଣ୍ଡ ଫଟେଇବା, ନିଜ ଶ୍ରେଣୀ ଶିକ୍ଷକଙ୍କ ନିମନ୍ତେ ଉଦ୍ଧିଷ୍ଟ ଆସନରେ କଣ୍ଟା ଲଗାଇରଖିବା, ନିଜ ସହପାଠିନୀଙ୍କ ଖାଦ୍ୟପେଟରା (TiffinBox)ରେ ମୃତ ଅସରପା ରଖିବା ଇତ୍ୟାଦି ବହୁବିଧ ଦୁଷ୍କର୍ମ ଉଲ୍ଲେଖଯୋଗ୍ୟ । କହିଲେ ଚିତ୍ରଗୁପ୍ତ ।

- ଧର୍ମାବତାର.. ମୁଁ ସେତେ ବେଳେ ଶିଶୁ.. ଶୈଶବର ଚପଳତାରେ କରିଥିବା କର୍ମ କେବେ ଦୋଷାବହ ନୁହେଁ । ମୋର ଅନୁରୋଧ ମୋ ଶୈଶବର କୃତକର୍ମ ପାଇଁ ମୋତେ ଦଣ୍ଡିତ ନ କର ଯାଉ । ମର୍ତ୍ତ୍ୟରେ ତ ଆଜି କଲି ୧୮ ବର୍ଷ ପର୍ଯ୍ୟନ୍ତ କେହି ବଳାତ୍କାର ଓ ହତ୍ୟା ଭଳି ସଂଗୀନ ଅପରାଧ କଲେ ମଧ୍ୟ ସରକାରଙ୍କ ତରଫରୁ ତାକୁ ବାଳ ଅପରାଧୀର ଆଖ୍ୟା ଦେଇ, ସିଲାଇ ମେସିନ, ଅର୍ଥ ସାହାଯ୍ୟ ଦିଆ ଯାଉଛି ।

- ଆଛା ? ଶୈଶବର ଚପଳତା ?? ଶିକ୍ଷକଙ୍କ ପାଣି ବୋତଲରେ ଏକ କରି ରଖିବା ବି ଶୈଶବର ଚପଳତା ? ସଂସୃତ ପଣ୍ଡିତଙ୍କ ସାଇକେଲ ଚକା ତଳେ ପିରିକ ରଖିବା ବି ଶୈଶବର ଚପଳତା ?? ରାତିଆ ଟିଉସନ ହେଲା ବେଳେ ଶିକ୍ଷକଙ୍କ ଅନୁପସ୍ଥିତିରେ ଲୁଚୁକାଳି ଖେଳିବା ବାହାନାରେ ଅନୁରାଧାକୁ ଅନ୍ଧାରିଆ କୋଣକୁ ନେଇ ଯାହା କରିଥିଲ ସେ ସବୁ ବି ଶୈଶବର ଚପଳତା ??

- ଧର୍ମାବତାର ସେ ସଂସ୍କୃତ ପଣ୍ଡିତ ଶବ୍ଦରୂପ ଧାତୁରୁପ ଘୋଷା ନେଇ ବହୁତ ପିଟା ପିଟି କରନ୍ତି। ତେଣୁ ରାଗରେ କରି ଦେଇଥିଲି। ମୁଣ୍ଡ ତଳକୁ କରି କହିଲା ମନୁଆ ।

- ଛାତ୍ରାବାସରେ ରହୁଥିବା ସମୟରେ ତୁମ ବନ୍ଧୁ ବସନ୍ତ ମିଶ୍ରର ନୂତନ ଜୀବବିଜ୍ଞାନ ପୁସ୍ତକଟି, ବିକ୍ରି କରି ସେ ଟଂକାରେ ମଦ୍ଯ ପାନ କରିବା କଣ ନିହାତି ଜରୁରୀ ଥିଲା ?

- ସେ କଞ୍ଜୁସ ବାମୁଣ ସବୁବେଳେ ମୋତେ ପଟେଇ ପିଏ.. କେବେ ଟଙ୍କାଟିଏ କାଢ଼େନି ଧର୍ମାବତାର.. କିନ୍ତୁ ତା ବହି ବିକ୍ରୀ ଟଙ୍କାରେ କିଣା ମଦରୁ ଭାଗ ସେ ପାଇଛି ଯଦିଓ ଟଙ୍କାର ଉତ୍ସ ବିଷୟରେ ସୂଚନା ନଥିଲା ତା ନିକଟରେ ।

- କେବଳ ସେତକ ନୁହେଁ ଧର୍ମାବତାର, ଯେ ପାଷଣ୍ଡ ଏକ ସଙ୍ଗେ ତିନି ତିନୋଟି ବାଳିକାଙ୍କ ସଙ୍ଗେ ସମ୍ପର୍କ ରଖିଛି । କୁହ ରେଖା, ରେଣୁ, ମୀନା ୟେ ତିନି ଜଣଙ୍କ ସହ ତୁମର ସମ୍ପର୍କ କଣ । କାହିଁକି ତୁମେ ସେମାନଙ୍କ ଜୀବନ ନେଇ ଖେଳୁଛ ?? ଚିତ୍ରଗୁପ୍ତ ପଚାରିଲେ ।

- ଧର୍ମାବତାର, ଆପଣ ରେଖାକୁ ବାଳିକା କହୁଛନ୍ତି ?? ତାର ପରା 2 ବର୍ଷର ପୁଅଟେ ଅଛି । ତାର ନିଜ ସ୍ଵାମୀ ସହ ଟିକେ ପ୍ରବ୍ଲେମ ଚାଲିଛି । ଭାରି ଦୁଃଖରେ ଅଛି ବିଚାରୀ । ତେଣୁ ମୁଁ ମଝିରେ ମଝିରେ ତ ନିସଙ୍ଗ ଜୀବନରେ ଟିକେ ହସ ଭରିବା ପାଇଁ ତାକୁ ସଙ୍ଗ ଦେଇ ଦିଏ। ଏଇ ଯାହା । ୟେ ତ ପୂଣ୍ୟ ପୂଣ୍ୟ ମହାପୁଣ୍ୟ। କହିଲା ମନୁଆ ।

- ପାପ ପୂଣ୍ୟର ବିଚାର କରିବା ପାଇଁ ଆମେ ଅଛୁ ତୁମେ ସେ ସବୁ ନେଇ ଭାବ'ନା। ଏବେ କୁହ ରେଣୁ ଆଉ ମୀନା ସହ ତୁମର କଣ ସମ୍ପର୍କ। କହିଲେ ଚିତ୍ରଗୁପ୍ତ।

- ଧର୍ମାବତାର , ମୀନା ସହ ତ ମୋର ବ୍ରେକଅପ ହେଇଯାଇଛି । ତାର ଟିକେ ବେଶି ରୋଲ ଥିଲା । ଆଉ ରେଣୁ ଟୋଟାଲ ଟାଇମ ପାସ । ତାର ମୋ ପରି 3-4 ଜଣ ଆହୁରି ଅଛନ୍ତି। ସମସ୍ତଙ୍କୁ ସେ ଫ୍ରେଣ୍ଡ ଜୋନରେ ପକେଇ ରଖିଛି କେବଳ ମୋବାଇଲ ରିଚାର୍ଜ ଆଉ ରେସ୍ତୋରାରେ ଭଲ ଭଲ ଖାଇବାକୁ । କେବଳ ସପିଙ୍ଗରେ ତା’ପଛରେ ମାସକୁ ହଜାର ହଜାର ଟଙ୍କା ଖରଚ କରି ଯଦି ସେ ଟଙ୍କା ଅସୁଲ ନ କରି ପାରିଲି, ତା ହେଲେ ଧିକ ମୋ ପୁରୁଷ ପଣିଆକୁ । କହିଲା ମନୁଆ ।

- ଓହୋ । ପୁରୁଷ ପୁଙ୍ଗବ । ଏଇ ପୁରୁଷତ୍ଵ କୁଆଡେ ଯାଏ ରୁବି ବେଳକୁ ?

- ଧର୍ମାବତାର। ରୁବି ର ଭଲ ପାଇବାକୁ ମୁଁ କେବେ ବୁଝି ପାରିନି। ସାରା ଜୀବନ ପିଲାଟି ବେଳୁ ସାଙ୍ଗରେ ବଡ ହୋଇଛୁ , ସାଙ୍ଗରେ ଖେଳିଛୁ କିନ୍ତୁ ତାକୁ ନେଇ ମୁଁ କେବେ ସେମିତି ଭାବିନଥିଲି ଧର୍ମାବତାର । କିନ୍ତୁ ମୁଁ ମୃତ୍ୟୁ ପରେ ବୁଝି ପାରିଛି ରୁବି ମୋତେ କେତେ ପରିମାଣରେ ଭଲ ପାଏ, ଆଉ ତା ପରି ଶାନ୍ତ ସରଳ ଝିଅ ପ୍ରତି ମୁଁ ବହୁତ ଅନ୍ୟାୟ କରିଛି । ଦୋଷ ତାର । ସେ ବି ଟା କେବେ ନିଜ ମନ କଥା ଖୋଲି କହିନି ମୋତେ । ସବୁବେଳେ ଅଧିକାର ଜାହିର୍ କରି କଥା ହେବ । ସବୁ କଥାର କୈଫିୟତ୍ ତାର ଦର୍କାର୍ । କୋଉଠି ଅଛି , କାହା ସହ ଅଛି। କଣ କରୁଛି। ଏ ଝିଅ କାହିଁକି ଫୋନ କରୁଛି, ସେ ଝିଅ କାହିଁକି ତୁମକୁ ଫୋନ କରୁଛି ! ହଜାରେ କଥା । ଏତେ କଥାର ଜବାବ ଦେଇ ହୁଏନି ସବୁ ବେଳେ । ବିନା କାରଣରେ ତାକୁ ଅନେକଥର ଅପମାନ କଲା ପରି କଥା ମଧ୍ୟ କହିଛି। ମୋ କଥାରେ ବ୍ୟଥା ପାଇ ହୁଏତ ଏକା ଏକା ବସି ଲୁହ ଝରେଇ ଥିବ। ଆଉ ତା’ ଆଖିର ଲୁହ ବୋଧେ ମୋ ଉପରେ ପଡିଲା, ପରିଣାମ ସ୍ୱରୂପ ମୁଁ ଆଜି ଏଠି । ସତ କହୁଛି ଧର୍ମାବତାର ମୁଁ ତା ଭଲ ପାଇବାକୁ କେବେ ବୁଝି ପାରି ନାହିଁ । ଆପଣ ମୋତେ ଥରୁଟେ ସୁଯୋଗ ଦିଅନ୍ତୁ, ରୁବି ପାଇଁ ମୋ ଭଲ ପାଇବାକୁ ପ୍ରମାଣ କରିବାକୁ ।

- ଚୁପ୍ । ଏକ୍ ଦମ୍ ଚୁପ୍ । ସୁଯୋଗ ? ବେଶି ଚାଲାକ ଭାବୁଛ ନିଜକୁ ? ? ଏତକ କହି ଚିତ୍ରଗୁପ୍ତ ରାଗରେ ମାଡ଼ି ଆସିଲେ ମନୁଆ ଆଡ଼କୁ । ଆଉ ଆସିବା ସଙ୍ଗେ ସଙ୍ଗେ ଗାଲରେ ଶକ୍ତ ଚାପୁଡ଼ା।

- ବୋଉ ଲୋ... ଚିତ୍କାର କରି ଉଠିଲା ମନୁଆ ।

- ଓହୋ କାହିଁ ଛୁଆଟାକୁ ମୋର ନିଦ ବିଛଣାରେ ମାରୁଛ ?? ଏତେ ବଡ ପୁଅ ଦେହରେ କିଏ ହାତ ଦିଏ ?? ସେ କଣ ସାନ ପିଲା ହୋଇ ଅଛି ?? ରୋଷେଇ ଘରୁ ଦଉଡି ଆସିଲା ବୋଉ ।

- ତୁମେ ଚୁପ ରୁହ । କେବଳ ତୁମରି ପାଇଁ ସେ ଆଜି ଏତିକି ବିଗିଡ଼ିଛି । ଚାରି ପାଞ୍ଜିରୁ ଯାଇଛି ଏଇଟା । ଯଦି ପିଲା ବେଳେ ଏମତି ଦୁଇ ଚାରୋଟି ଶକ୍ତ ଚାପୁଡା ମାରିଥାନ୍ତି, ଆଜି ମୋତେ ଏ ଦିନ ଦେଖିବାକୁ ହୋଇ ନଥାନ୍ତା । ତୁମେ ମା-ପୁଅ କଣ ଭାବୁଛ, ସେ ଯେତେବେଳେ ରାତିରେ ଫେରିଲା ମୁଁ ଶୋଇ ପଡିଥିଲି ? ବିଛଣାରେ ଶୋଇ ମୁଁ ସବୁ ଦେଖିଛି । ମଦ ପିଇ ମାତାଲ ହୋଇ ଘରକୁ ଫେରିବ । ନିଦରେ ଶହେ ଝିଅଙ୍କ ନା ନେଇ ଗପିବ। କୁଳାଙ୍ଗାର, ମୋ ମାନ ସମ୍ମାନ ସବୁ ଖାଇଗଲା । ଏ ସବୁ କେବଳ ତୁମ ପାଇଁ ବୁଝିଲ ??

ବାପା ଗାଳି କରି ଚାଲି ଥିଲେ, ଆଉ ମନୁଆ ବିଛଣାରେ ବସି ଗାଲ ଆଉଁସୁ ଆଉଁସୁ ମୋବାଇଲ ଫୋନ ନେଇ ୱାଟସଆପ୍ ରେ ମେସେଜ୍ ଟାଇପ୍ କଲା ।

- ରୁବି, ଆଜି ଟିକେ ଦେଖା କରି ପାରିବୁ , ତୋତେ କିଛି କହିବାର ଅଛି ।

© ରାକେଶ ମିଶ୍ର


Rate this content
Log in

Similar oriya story from Comedy