Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଗ୍ରାହକ
ଗ୍ରାହକ
★★★★★

© Soumya Shubhadarshinee

Others

14 Minutes   6.7K    14


Content Ranking

ନିଜ ସହ ଟିକେ ସମୟ ବିତେଇବାକୁ ଭାରି ଇଚ୍ଛା ହୁଏ ନୁହେଁ । କିନ୍ତୁ ସେ ସୁଯୋଗ କେତେ ଜଣଙ୍କୁ ମିଳେ ?.....

***************

ସେ ଦଶଟଙ୍କାର ବାଦାମ କିଣେ ନିଇତି ଆଉ ବସେ ମହାନ୍ତି ପାର୍କର କଣିକିଆ ସିମେଣ୍ଟ ବେଞ୍ଚ ଉପରେ । ହଁ ସେଇଟା ତା' ଜାଗା । ସବୁଦିନ ଠିକ ସନ୍ଧ୍ୟାରେ ସେଠି ଖଟି । ତାକୁ ସବୁ ଦିଗରୁ ସୁହେଇଲା ପରି ପରିବେଶ ଥାଏ ସେଠି । ସେ ଏକା ଏକା ସେଠି ବସି ନିଜ ଜୀବନର ମାନଚିତ୍ର ଆଙ୍କେ ଆଉ ବିଭିନ୍ନ ଘଟଣା , ଦୁର୍ଘଟଣା ଆଉ ସୁଘଟଣାର ତର୍ଜମା କରେ ନିଜ

ବାଗରେ ।

ବୋଉ କୁହେ ସେଇଟା ଲାଜୁଆଟେ ମିଶାଣିଆ ନୁହେଁ ଜମା । କେବେବି ଖୋଲିକି ମିଶେନା କାହାରି ସହିତ । ଆବୁରୁ ଜାବୁରୁ ମଣିଷ ମେଞ୍ଚାଏ ତାକୁ ଭଲ

ଲାଗେନି । ହେଲେ ଭଲ ପିଲା କାହାର ଅସୁବିଧା କରେନି !ସେତକ ଠିକ ସେ ଭଲ ପିଲା କିନ୍ତୁ ଭିଡକୁ ନୁହେଁ !

ତେଣୁ ପରିଚିତ ସମାଜରେ ପୁଳେ ବନ୍ଧୁଙ୍କ ଭିଡ଼ ନଥାଏ ତା' ପାଖରେ । ସେ ସମୟ ବିତାଏ ଏକା ।

ଆଛା ଏକା ଏକା ବସି କି ଖଟି କରେ ସେ ?

ନିଜ ସହ କଥା ନିଶ୍ଚିତ ଟିକେ ବେଖାପ ନୁହେଁ କି ?.......

ମଣିଷ ଏକା ଆସେ ଏକା ଯାଏ କିନ୍ତୁ ଏକା ରହିପରେ

ନାହିଁ । ଖୋଜେ ଭିଡ଼ ଯେମିତି ପରିବାର , ବନ୍ଧୁ ବାନ୍ଧବ , ଚିହ୍ନା ପରିଚୟ । ମୁଳ କଥାଟି ହେଲା ମଣିଷ ସାମାଜିକ ହେଇ ବଞ୍ଚେ ତେଣୁ ଏକାକୀ ମଣିଷ ଟିକେ ଅସମାଜିକ ଲାଗେ । ସେ ସେଇ

ଗୋଷ୍ଠୀର ଯିଏ ନିଜ ସହ ସହବାସରେ ଜିଇଁ ପାରେ । ଏମିତି ଲୋକ ଅଛନ୍ତି ଅନେକ ଯେଉଁମାନେ ସମ୍ପୂର୍ଣ୍ଣ ନିଜ ଭିତରେ : ଆଉ କାହାର ସହଚାର୍ଯ୍ୟ ଲୋଡ଼ନ୍ତି ନାହିଁ କେବେ । ସେ ନିଜକୁହିଁ ସମ୍ଭାଳିବାରେ ସମୟ ଅପଚୟ କରେ ଅନ୍ୟ ପାଇଁ ତେଣୁ ସମୟର ଘୋର ଅଭାବ । ଏମିତି କାହିଁକି ହେଲା ? ଏତକ ଖୋଜିବା ଭିତରେ ହିଁ ସେ ବ୍ୟସ୍ତ ରୁହେ ।

***************

କଲେଜର ସବୁଠୁ ଭଲ ଛାତ୍ର ଭାବରେ ଲାଗ ଲାଗ ତିନି ବର୍ଷ ତାକୁ ବେଷ୍ଟ ଷ୍ଟୁଡେଣ୍ଟ ଆଉ ଲିଟେରାରୀ ଚମ୍ପିୟାନ ଉପାଧି ମିଳିଥିଲା । ବେଷ୍ଟ ଗ୍ରାଜୁଏଟ ଭାବେ ମେଡାଲବି ମିଳିଥିଲା । ସେ ସବୁଠାରୁ ପ୍ରତିଷ୍ଠିତ ୟୁନିଭର୍ସିଟିରେ ପାଠ ପଢି ନିଜକୁ ଶିକ୍ଷିତ ଭାବେ ଗଢିଥିଲା।

ବାପା ଜଣେ ଏ କ୍ଲାସ କଣ୍ଟ୍ରାକ୍ଟର ଥିଲେ ତେଣୁ ପାଠ ସହ ତାଙ୍କର ଦୂରଦୁରାନ୍ତ ପର୍ଯ୍ୟନ୍ତ କୌଣସି ସମ୍ପର୍କ ନଥିଲା । ସେ ସବୁବେଳେ ତାକୁ ବ୍ୟବସାୟୀ ହେବା ପାଇଁ ପ୍ରସ୍ତୁତ କରୁଥିଲେ । ଚଳାଖ, ଚତୁର , ବିଚକ୍ଷଣ ବୁଦ୍ଧି ଲୋଡା ହେବାକୁ ଗୋଟେ ପେଷାଦାର କଣ୍ଟ୍ରାକ୍ଟର । କାରଣ ସେ ଆଗକୁ ଯାଇ ବାପାଙ୍କ ସହ ଯୋଗ ଦେବାକୁ ଥିଲା । କେବଳ ଏଇତକ ଇଚ୍ଛା ନେଇ ତାକୁ ସିଭିଲ୍ ଇଞ୍ଜିନିୟରିଂ ପଢେଇବାକୁ ଚାହୁଁ ଥିଲେ ବାପା।

କିନ୍ତୁ ତାକୁ ଆକାଶର ଇନ୍ଦ୍ରଧନୁ , ବନାନୀର ସବୁଜତା , ପକ୍ଷୀର କୁଜନ ଆଉ ନଦୀର ପ୍ରବାହ ଆକର୍ଷିତ କରୁଥିଲା । ସେ ନିଜକୁ ସବୁବେଳେ ସେମାନଙ୍କ ଭିତରେ ହଜେଇ ଆନନ୍ଦ ପାଉଥିଲା । ତା' ଦେଇ ଚମତ୍କାର ସାହିତ୍ୟ ଫୁଟି ପାରୁଥିଲା କିନ୍ତୁ ଗଣିତ ତାକୁ ଡରଉ ଥିଲା , ବିଜ୍ଞାନ ବ୍ୟତିବ୍ୟସ୍ତ କରୁଥିଲା ଆଉ ଇତିହାସ ନିଦ ମଡଉ ଥିଲା । ଏସବୁ ପାଠ ଭାରି ଅଡୁଆ ଲାଗୁ ଥିଲା।

ସେ ଗଣିତରେ ମ୍ୟାଟ୍ରିକ ପରୀକ୍ଷାରେ ଜମା ୫୦ ନମ୍ବର ରଖିଥିଲା । ତା' ପୁଣି ଦିନ ରାତି ଏକାକାର କରି , ପେଟେଇ ଆଣ୍ଠେଇ ଉପପାଦ୍ୟ ଘୋଷି ଘୋଷି । ହଁ ଗଣିତ ଯେଉଁଟା ପୂରା ବୁଝା ପାଠ , ଯେଉଁଥିରେ ଟିକିଏବି ପରିଶ୍ରମ ନାହିଁ , ଥରେ ସୂତ୍ର ଧରି ମାଡିଯିବା କଥା । ସେଇ ଗଣିତ ଗୁଡା ସେ ବୁଝି ପାରୁନଥିଲା ତେଣୁ ଘୋଷୁଥିଲା ଦିନ ରାତି ।

ଏତେ କଷ୍ଟ ପାଠକୁ ଆଉ କଲେଜରେ ଛୁଇଁବାକୁ ଇଚ୍ଛା ନଥିଲା ତା'ର । ତେଣୁ ସେ ବିଜ୍ଞାନ ପଢିଲା ହିଁ ନାହିଁ । ସିଧା ସିଧା କହିଲା ମୁଁ ଆର୍ଡ୍ସ ପଢିବି ଆଉ ସହିତ୍ୟିହିଁ ପଢିବି । ବାପା ତା'ର ଅଗ୍ନିଶର୍ମା ହେଇ ବହେ ଗାଳି ଦେଇଥିଲେ । କିଛି ନପଢ଼ି ବି ପାସ କରେଇଦେବେ ବୋଲି ବୁଝେଇଥିଲେ । ପଇସା ଦେଇ ଇଞ୍ଜିନିୟରିଂ ଡିଗ୍ରୀ କିଣିଦେବେ ବୋଲି ମଧ୍ୟ କହିଥିଲେ । ସେ କେବଳ ନାଁ ଲେଖୁ ଆଉ ବାକି ସବୁ ହେଇଯିବ । କିନ୍ତୁ ସେ ଏମିତି ଚୋର ଭଳିଆ ଡିଗ୍ରୀ କିଣିବାକୁ ଇଛୁକ ନଥିଲା । ଯେଉଁ ଜିନିଷରେ ମନ ନାହିଁ ସେତକ କରିବାକୁ ଆତ୍ମା ଯାଉନଥିଲା ।

ସେ ବାପାଙ୍କୁ ବୁଝେବାରେ ଅସସଫଳ ହେଲା । କିନ୍ତୁ ଅବାଧ୍ୟ ପୁଅ ହେଇ ଆର୍ଡ୍ସ ପଢିଲା । ସେଠି ସାହିତ୍ୟର ସବୁ ପ୍ରତିଯୋଗିତାରେ ଭାଗ ନେଲା ଆଉ ପ୍ରଚୁର ଆତ୍ମ ସନ୍ତୋଷ ପାଇ ଖୁସି ହେଲା । ବ୍ରିଲିଆଣ୍ଟ୍ ଷ୍ଟୁଡେଣ୍ଟ ଭାବେ ଖ୍ୟାତ ହେଲା । ସବୁକିଛି ତା' ମନମୁତାବକ ପାଇ ଖୁସି ରହିଲା ।

ସେ କିନ୍ତୁ ନିଜ ପାଠ ପଢା , ଡିଗ୍ରୀ ଆଉ ସମ୍ମାନ ସବୁ ଠୁଳେଇ ଗୋଟେ ଚାକିରୀ ପାଇଲା ନାହିଁ । ତା'ର ଚିର ଇପ୍ସିତ ସାହିତ୍ୟ ଗୋଟେ ଅନ୍ନ ସଂସ୍ଥାନର ବନ୍ଦୋବସ୍ତ କରିବାକୁ ସକ୍ଷମ ହେଲାନି। ହୁଏତ ଆହୁରି ଅଧିକ ସମୟ ଲୋଡ଼ା ଥିଲା ନିଜ ପାଦକୁ ସାହିତ୍ୟ ଜଗତରେ ଦୃଢ଼ କରିବାକୁ କିନ୍ତୁ ବାପା ତାକୁ ସେ ସୁଯୋଗ ଦେଲେନି । ତାକୁ ନେଇ ନିଜ ସଂସ୍ଥାର ମୁଖ୍ୟ କରିଦେଲେ ଆଉ ଟେଣ୍ଡର , ଅଡ଼ିଟ୍ , ବିଲ୍ , ଭାଉଚର୍ , ଇନକମଟ୍ୟାକ୍ସର

ଗୋଳକଧନ୍ଦା ଭିତରେ ଘାଣ୍ଟିଲେ । ଆଉ ସେ ପରିବେଶଟି ଚକ୍ରବ୍ୟୁହ ଗଢ଼ି ତାକୁ ଅଭିମନ୍ୟୁ ପରି ଶରବିଦ୍ଧ କଲା ସବୁବେଳେ ଶୁଷ୍କ ନିରସ ବାଲି , ଗୋଡି , ସିମେଣ୍ଟ ଭିତରେ ତା' ଭିତରର କୋମଳ , ମଞ୍ଜୁଳ ଭାବ ସବୁ କ୍ଷତ ବିକ୍ଷତ ହେଇ ଆର୍ତ୍ତ ଚିତ୍କାର କଲେ । ବଡ଼ ମୂମୂର୍ଷୁ ଅବସ୍ଥାରେ ପହଞ୍ଚି ଗଲା ସେ ।

ହଠାତ୍ ବାପା ଚାଲି ଗଲେ । ବିମୁଦ୍ରିକରଣ ଗୋଟେ ବିରାଟ ମୃତ୍ୟୁ ଫାଶ ହେଇ ଗଳାରେ ଫସି ଗଲା ତାଙ୍କର । ସେ ସଚ୍ଚୋଟ ମଣିଷ ନଥିଲେ । ବହୁ ପ୍ରକାରର କଳା କାରନାମା ଲୁଚି ଥିଲା ତାଙ୍କ ଗଢ଼ା ବାଟଘାଟ , ଘରଦ୍ୱାର , ବନ୍ଧବାଡ଼ ସବୁଠି ।

ରାତାରାତି କଳା କୁ ଧଳା କରିବାର ସୁଯୋଗ ଦେଲାନି ସରକାର । ହାଏହାଏ କରି ତାଙ୍କ ହୃଦ ଯନ୍ତ୍ରଟି ନୀରବ ହେଇଗଲା !.........

ସେ ବୁଦ୍ଧିଆ ନଥିଲା , ଇଞ୍ଜିନିୟର ନଥିଲା ଆଉ ସବୁଠୁ ଦୁଃଖର ବିଷୟ ସେ ବ୍ୟବସାୟୀ ନଥିଲା । ସେ ମୂର୍ଖ ସାହିତ୍ୟ ପ୍ରେମୀ ଥିଲା । ତେଣୁ ବାପାଙ୍କ ସଂସ୍ଥାର ଉପଯୁକ୍ତ ଉତ୍ତରାଧିକାରୀ ହେବା ସମ୍ଭବ ନଥିଲା । ସେ ବାପାଙ୍କ ଅନ୍ତେ ସବୁଠି

ଝୁଣ୍ଟିଲା । ବାପାଙ୍କ ପାଖରେ ଥିବା ପୋଖତ ବ୍ୟବସାୟ ବୁଦ୍ଧିକୁ ଝୁରିଲା । ଲାଞ୍ଚମିଛର ଅଡ଼ୁଆ ସୂତାକୁ ସଜାଡ଼ିବା ତା' ପାଇଁ ସହଜ ନଥିଲା । ସେ ବାଲି ସିମେଣ୍ଟର ଭାଗ ମାପ ହିସାବରେ ରହିଗଲା ଭାରି କଞ୍ଚା । ଦୁର୍ନୀତିର ତୀବ୍ର ପ୍ରତିଯୋଗିତା ଚାଲୁଥିବା କଣ୍ଟ୍ରାକ୍ଟ୍ରି ପାଇଁ ସେ ଅଯୋଗ୍ୟ ସାବ୍ୟସ୍ତ ହେଲା ।

ସତ କଥା ହେଲା ସେ ସାହିତ୍ୟ ପ୍ରତି ଯେଉଁ ଅହେତୁକ ପ୍ରେମ ପୋଷି ଥିଲା ସେତକ ବାପାଙ୍କ ଯିବା ପରେ ଆହୁରି ପ୍ରସ୍ଫୁଟିତ ହେବାକୁ ଲାଗିଥିଲେ । କେଉଁଠି ଗୋଟେ ତାକୁ ବ୍ୟତିବ୍ୟସ୍ତ କରୁଥିଲେ । ସେ ଏଇ ବ୍ୟବସାୟକୁ ସେମିତି ପ୍ରେମ କରୁନଥିଲା । ତେଣୁ ଉଚିତ ନ୍ୟାୟ ଦେଇ ପାରୁନଥିଲା।

ଏଥିରେ ପାରଙ୍ଗମ ଥିଲା ତା' ସାନ ଭଉଣୀ ଶିଲା । ସେ ଶିଲାକୁ ସବୁ ଧରେଇ ନିଜକୁ ମୁକ୍ତ କରିନେଲା । ବାପାଙ୍କ ଧିକ୍କାର ,'' ତୁ ମୂର୍ଖ ସାହିତ୍ୟ ପ୍ରେମୀ । '' କଥାକୁ ଭୁଲ ସାବ୍ୟସ୍ତ କରିବାର ଝୁଙ୍କ ନେଇ ନିଜକୁ ସାହିତ୍ୟ ପାଇଁ ବିନିଯୋଗ କରିବାକୁ ଚାହିଁଲା।

***************

ବହୁତ ସୁନ୍ଦର ଲେଖା ତା'ର ବିଲକୁଲ କ୍ଲାସିକ୍ । ସାହିତ୍ୟରେ ବହୁତ ଗଭୀର ତା'ର ଦଖଲ । ସେ ସେଇଥିରେ ବୁଡି ରହିଛି ଆକଣ୍ଠ । ୟୁନିଭର୍ସିଟିର ପୂରା ସମୟ ସେ ପ୍ରସିଦ୍ଧ ସାହିତ୍ୟିକ ମାନଙ୍କର ସୃଷ୍ଟି ସବୁ ପଢ଼ିଛି ଖୁବ୍ ଧ୍ୟାନ ଦେଇ । ପିଇଛି ସାହିତ୍ୟ ରସ ମନଭରି । ନିଜର ସମସ୍ତ ସୃଜନଶୀଳତାକୁ ନିଗିଡେଇ ଲେଖିପାରେ ଚମତ୍କାର । ସେ ଭାବୁଥିଲା ଏମିତି ନିଚ୍ଛକ ଲେଖା ସବୁ ବଞ୍ଚିବାର ମାଧ୍ୟମ କରିବା ସମ୍ଭବ। ସେଇତକ ସମ୍ବଳ କରି ସଜାଡି ହେବ ଜୀବନର ମାନଚିତ୍ର ।

ନିଜ ବ୍ୟବସାୟକୁ ପୂରା ଛାଡି ଦେଇ ପାଞ୍ଚ ବର୍ଷ ନିଜ ପାଇଁ ମାଗି ନେଇଥିଲା । ବୋଉ କିଛି କହି ନଥିଲା , କାରଣ ସେ ବୁଝୁଥିଲା ତାକୁ ଭଲ ଭାବେ । ସେ କୌଣସି ସାହାଯ୍ୟ ନେବ ନାହିଁ ବୋଲି ସ୍ପଷ୍ଟ କହିଦେଇଥିଲା । ମାନେ ନିଜ ଦାୟୀତ୍ୱ ନିଜେ ନେବ ।

ତା' ପାଖରେ ଅଫୁରନ୍ତ ସୃଜନଶକ୍ତି ଥିଲା ଏଥିରେ ସନ୍ଦେହ ନାହିଁ । କିନ୍ତୁ ସବୁ ସ୍ଥାନରେ ବଞ୍ଚିବାକୁ ହେଲେ ପ୍ରତିଯୋଗିତା କରିବାକୁ

ହୁଏ । ପୁଣି ସେଇଠି ରୁହେ ଗୋଟେ ଦେଣ ନେଣର ପ୍ରକ୍ରିୟା । ସାହିତ୍ୟବି ସେପରି ପରିପାର୍ଶ୍ବିକ ସ୍ଥିତିରୁ ମୁକ୍ତ ନଥିଲା। ସେ ଯେବେ ସାହିତ୍ୟକୁ ସ୍ୱାବଲମ୍ବୀ ହେବାକୁ ବିନିଯୋଗ କଲା ସେଠି ବାପାଙ୍କ କଥା ସତ ଲାଗିଲା , '' ସାହିତ୍ୟକୁ ନେଇ ସ୍ୱପ୍ନ ଦେଖିହେବ କିନ୍ତୁ ପେଟ ପୋଷି ହେବନି । ଯେଉଁମାନେ ଏମିତି ଭାବିବେ ସେମାନେ ମୂର୍ଖ ! ''

ସେ ପ୍ରକୃତରେ ଯେବେ ସାହିତ୍ୟକୁ ନିଶା ପରିବର୍ତ୍ତେ ପେଷା କଲା ଏମିତି ଅନୁଭୂତି ପ୍ରତ୍ୟକ୍ଷ ମିଳିଲା । ନିଜ

ଅଜ୍ଞାତ ବାସର ଦୁଇ ବର୍ଷ ଭିତରେ ସେ ସାହିତ୍ୟକୁ ନେଇ ସଫଳ ହେଲା କିନ୍ତୁ ଧନୀ ହେଇପାରିଲା ନାହିଁ ।

ସେ ନିଜ ସହ ନିଜେ ସଂଘର୍ଷରତ ଥିଲା ବିଗତ ଦୁଇ ବର୍ଷ ଧରି । ସେ ନିକାଞ୍ଚନ ସ୍ଥାନକୁ ଭଲ ପାଉଥିବା ମଣିଷ ହେଇଯାଇଥିଲା କାରଣ ସେଇଠି ସେ ସୁରକ୍ଷିତ ଥିଲା ଆଉ ସୃଜନ ପାଇଁ ସୁଯୋଗ ପାଉଥିଲା । କିନ୍ତୁ ପ୍ରକୃତରେ ଏ ଭିତରେ ସେ ଟିକେ ଅସାମାଜିକ ଆଉ ଆତ୍ମ ନିମଗ୍ନ ହେଇଯାଇଥିଲା ।

***********

ଜଣେ ବିଶିଷ୍ଟ କଥାକାର ତାକୁ ଥରେ ନୂଆ ଚିନ୍ତାଧାରା ଗୋଟେ ଦେଲେ । ସୃଷ୍ଟି ପାଇଁ ତୁମେ ଲୋକ ସମ୍ପର୍କ

ବଢାଅ । କୋଳାହଳ ଭିତରେ ହଜ । ହଜାରେ ଲୋକ ଭିତରୁ ଦଶହଜାର କାହାଣୀ ଆଉ କବିତାର ପୃଷ୍ଠଭୂମି ମିଳିବାର ସମ୍ଭାବନା ଅଛି । ଏମିତି ନିକାଞ୍ଚନରେ କ'ଣ ଆଉ ଲେଖା ସମ୍ଭବ ! ସତ କହିବାକୁ ଗଲେ ତୁମେ କାହାଣୀ କିଣ ସମ୍ପର୍କ

ଯତେଇ ।

ଏଇଟା ତା' ପାଇଁ ନୂଆ ଥିଲା , ସେ ପୁସ୍ତକ କୀଟ ହେଇ ବହୁତ ପଢ଼ିପଢି ଗୋଟେ କାହାଣୀ କି କବିତା ତିଆରିବାକୁ ଚେଷ୍ଟା

କରୁଥିଲା । କିନ୍ତୁ କେବେ ଗୋଟେ ମଣିଷ , ସ୍ଥିତି , ଘଟଣା , ଦୁର୍ଘଟଣାକୁ ନେଇ କିଛି ଗଢିବାର ପ୍ରୟାସ କରିନଥିଲା । ତେଣୁ ଏଇ ପ୍ରକାର ଲେଖା ସହ ନୂଆ ପରୀକ୍ଷା ନିରୀକ୍ଷା ପ୍ରସଙ୍ଗ ପ୍ରଭାବିତ କଲା ।

ତେଣୁ ଏବେ କିଛି ଦିନ ହେବ ସେ ତା' ସୃଜନ ପାଇଁ ଜୀବନ୍ତ ଚରିତ୍ର ଗୋଟେ ସନ୍ଧାନ କରୁଥିଲା । ହେଲେ ସେ ତ' ଲୋକଙ୍କ ଗହଳିରେ ଅଣନିଶ୍ଵାସୀ ହେଇଯାଏ , ତେଣୁ ଭିଡକୁ ଯାଇ ପାରିଲା ନାହିଁ । ତେବେ ଚରିତ୍ର କେଉଁଠୁ ମିଳିବ ? ଏଇ ଚିନ୍ତା ତାକୁ ଘରିଲା । ସେ ଗୋଟେ ଭିନ୍ନ ସ୍ୱାଦର , ଚାଞ୍ଚଲ୍ୟକର ଉପନ୍ୟାସ ଲେଖିବାର ପ୍ରଚେଷ୍ଟାରେ ଥିଲା । କାରଣ ପାଞ୍ଚ ବର୍ଷ ସମୟ ସରି ସରି ଆସୁଥିଲା । ତାକୁ ପୁଣି ନିଜ ପୃଥିବୀକୁ ଫେରିବା ପୂର୍ବରୁ ନିଜକୁ ପରିଚିତ କରିବାର ଥିଲା । ସାହିତ୍ୟକୁ ନେଇ ଅନ୍ନ ସଂସ୍ଥାନ ନହେଲେ ନାହିଁ ଆତ୍ମ ପରିଚୟ ଅନ୍ତତଃ ତିଆରିବାକୁ ଚେଷ୍ଟା କରୁଥିଲା।

ତା' ଘରୁ ପାର୍କ ପର୍ଯ୍ୟନ୍ତ ଦୂରତା ଖୁବ୍ ଥିଲା ଆଉ ସେଠି ଭିଡ଼ ଥିଲା । ସେଇ ଗତିଶୀଳତା ଭିତରେ ସେ ସନ୍ଧାନ କାମ ଯୋଡ଼ିଲା । ଏବେ ତାକୁ ବିବିଧ ଚରିତ୍ର ଦିଶିଲେ । ସେ ଆଶ୍ଚର୍ଯ୍ୟ ହେଲା ଏତେ ଭିନ୍ନତା ଥିବା ଲୋକଗୁଡାଙ୍କୁ ଦେଖି ।

ହେଲେ ତାକୁ ନିଜ ସୃଜନ ପାଇଁ ଗତିଶୀଳ ମଣିଷ ନୁହେଁ ଜଣେ ସ୍ଥିର ମଣିଷ ଲୋଡ଼ା ଥିଲା । କହିବାର ଅର୍ଥ ହେଲା ଏମିତି ମଣିଷ ଯାହାକୁ ସଠିକ ଭାବେ ନିରୀକ୍ଷଣ କରିହେବ , ଟିକେ ତା' ଉପରେ ଗବେଷଣା କରିହେବ , ତା' ମନସ୍ତତ୍ତ୍ୱ ବୁଝି ହେବ , ଜୀବନଚର୍ଯ୍ୟା ସହ ଏକାତ୍ମ ହେଇହେବ । ବିରାଟ ଉପନ୍ୟାସ ପାଇଁ ଅନେକ ତଥ୍ୟ ଲୋଡ଼ା । ଗତିଶୀଳ ମଣିଷ ଛୋଟ କବିତା କି ଗଳ୍ପ ପାଇଁ ଉପଯୁକ୍ତ କିନ୍ତୁ ମହାନ ଉପନ୍ୟାସ ପାଇଁ ସ୍ଥିରତା ଲୋଡ଼ା।

***************

ବସ୍ତି କୁହାଯାଉଥିବା ସ୍ଥାନଟା ଖୁବ ଚଳ ଚଞ୍ଚଳ । ମଣିଷ ସବୁ ସେଠି ଭାରି ବ୍ୟସ୍ତ । ନିଜ ଦାନା ପାଣି ଯୋଗାଡୁ ଯୋଗାଡୁ ଅନ୍ୟ କାହା ପାଇଁ ସମୟ ନଥାଏ । ସେଇ ମଣିଷ ଗୁଡା କିନ୍ତୁ ପୂର୍ଣ୍ଣ ପ୍ରାଣରେ ଜୀବନ ଜୀଇଁବାର କଳା ଜାଣନ୍ତି । କାରଣ ତାଙ୍କର ଭୂତ ଭବିଷ୍ୟତ ନଥାଏ । ଆଜି ପାଇଁ ଭାତ ମୁଠେ ମିଳିଗଲା ପରେ ସୁଖି ହେଇଯାଆନ୍ତି ପ୍ରଚୁର । ଚିନ୍ତା ନଥାଏ କାଲିର କାରଣ ସେଗୁଡିକ ବୁଝନ୍ତି କାଲିର ସମ୍ଭାବ୍ୟତା କେତେ ଅଳିକ । କିଏ ଦେଖିଛି କାଲି ?.........

କିନ୍ତୁ ସମ୍ପନ୍ନ ମଣିଷ ସବୁ ଭବିଷ୍ୟତରେ ଚିନ୍ତାରେ ବର୍ତ୍ତମାନକୁ ମଧ୍ୟ ଜିଇଁ ପାରନ୍ତି ନାହିଁ । ସବୁବେଳେ କାଲି ପାଇଁ ସଞ୍ଚି ସଞ୍ଚି ଆଜିର ଆନନ୍ଦବି ହରେଇ ଦିଅନ୍ତି ।

ତା' ଯିବା ରାସ୍ତାରେ ପଡୁଥିଲା ସେମିତି ଗୋଟେ ବସ୍ତି । ସେଇଠି ଗୋଟେ ମଣିଷ ଭିଡ଼ ଥିଲା ଯାହାର ସ୍ଥିରତା ରହିଥିଲା । ଏବେ ସେଇଠୁ ଗୋଟେ ଚରିତ୍ର ଖୋଜିବାର ପ୍ରୟାସ କଲା

ସେ । ହେଲେ ଗୋଟେ ସାଧାରଣ ଚରିତ୍ର ନୁହେଁ ବିଶେଷ ମଣିଷ ସନ୍ଧାନୀ ବାକୁ ଥିଲା ତା'ର !

ମାଳେ ଆବୁରୁ ଜାବୁରୁ ଝୁମ୍ପୁଡି ଘର ଭିତରୁ ଗୋଟିଏ ନିର୍ଦ୍ଧିଷ୍ଟ ଘର ଅଲଗା ଥିଲା । ସେଇଟି ଭାରି ବ୍ୟବସ୍ଥିତ ଲାଗୁଥିଲା । ଯେଉଁଠି ବଡ଼ ଆଦରରେ ଫୁଲ ଗଛ ଗୁଡିଏ ଦୋଳି ଖେଳୁଥିଲେ , କାନ୍ଥରେ ସୁନ୍ଦର ଚିତା ଲେଖା ଥିଲା , ଛୋଟ ଖଟିଆ ଟିଏ ବାହାରେ ପଡି ଅତିଥିର ପ୍ରତୀକ୍ଷା କରୁଥିଲା , ଘରର ଚାଳ ଉପରେ ସବୁଜ ଛନ୍ ଛନ୍ ଲତା ଟିଏ ମାଡି ସୁନ୍ଦର ମଧୁମାଳତୀ ଫୁଲର ବାସ ଚହଟୁ ଥିଲା । ଅନ୍ୟ ଘର ପରି ଅବ୍ୟବସ୍ଥିତ ନଥିଲା ସେଇଟି । କେମିତି ଗୋଟେ ଅଦୃଶ୍ୟ ଆମନ୍ତ୍ରଣ ଥିଲା ସେଇ ଘରୁ ଖାସ କରି ତା' ପାଇଁ ।

ବଡ଼ ବିଚିତ୍ର କଥା ହେଲା ସବୁ ଘର ଗୁଡିକ ସମ୍ନାରେ ଭିଡ଼ ଥିଲା କିନ୍ତୁ ସେଇ ଘର ଥିଲା ନିକାଞ୍ଚନ । ସେ ସେଇ ଘରର ଜୀବନ୍ତ ଚରିତ୍ର ସହ ପରିଚିତି ପାଇଁ ସେଠିକୁ ଯିବାକୁ ବାଧ୍ୟ ହେଲା । ଅବଶ୍ୟ ସେମିତି ଗୋଟେ ଅପରିଚିତ ଘରକୁ ଯିବା ତା' ପାଇଁ ସହଜ ନଥିଲା କିନ୍ତୁ ନିଜ ସୃଜନ ପାଇଁ ଏତକ ସେ କଲା।

ସେ ଘରର ଦରଜା ଖୋଲା ରହୁଥିଲା ସବୁବେଳେ । ସେଇଟି କେବେ ବନ୍ଦ ଥିବାର ଦେଖିନଥିଲା ସେ । ତେଣୁ ଦରଜା ସାମ୍ନାରେ ଠିଆ ହେଇ ସେ ଡାକ ଦେଲା , '' କେହି ଅଛନ୍ତି କି ?''

କେହି କିଛି ଉତ୍ତର ଦେଲେନି କି ବାହାରି ଆସିଲେ ନାହିଁ । ବଡ଼ ଅଡ଼ୁଆ ହେଲା । ସେ କିନ୍ତୁ ପୁଣି ସେମିତି ଡାକିଲା । କିଛି ସମୟ ପରେ ଆସିଲେ ଜଣେ ବୁଢ଼ୀ ମାଉସୀ । ଭାରି ପରିଷ୍କାର , ମାର୍ଜିତ ଆଉ ସ୍ନେହୀ ଦିଶୁଥିଲେ ।

ତାକୁ ଦେଖି ଆଶ୍ଚର୍ଯ୍ୟ ହେଲେ କାରଣ ସେମିତି କେହି ହୁଏତ ତାଙ୍କ ଦ୍ୱାରସ୍ଥ ହେଇନଥିଲା କେବେ । ବା ସେ ଅପରିଚିତ ଥିଲା । କିନ୍ତୁ ସେ ତାକୁ ଘରକୁ ଡାକିନେଲେ ଆଉ ଚଟେଇ ଗୋଟେ ଦେଇ ବସେଇଲେ ।

କାହିଁକି କେଜାଣି ସେ ବାଧ୍ୟ ଛାତ୍ର ପରି ତାଙ୍କୁ ଅନୁସରଣ କରି ବସିଗଲା । ସେ ଗୋଟେ କଂସା ଗିନାରେ ଚା' ଆଉ ଚୁଡ଼ା ଭଜା ଦେଲେ

ଖାଇବାକୁ । ପ୍ରକୃତରେ ତାକୁ ଭୋକ ଲାଗୁଥିଲା ତେଣୁ ସେ ଖାଇନେଲା ବିନା ଶବ୍ଦ ବିନିମୟରେ । ସେ ପୁଣି ଚୁଲି ମୁଣ୍ଡକୁ ଯାଇ ରାତି ରୋଷେଇର ଲାଗିଗଲେ ।

ଖାଇବା ସରିଗଲା ପରେ ତା'ର ମନେ ପଡ଼ିଲା ତାକୁ ଏଇ ଚରିତ୍ର ସହ ସମ୍ପର୍କ ଯତେଇବାକୁ ଅଛି । ଆଉ ସେଇ ସମ୍ପର୍କ ଭିତରୁ ଗୋଟେ ପୃଷ୍ଠଭୂମି ତିଆରିବାକୁ ଅଛି ।

ସେ ବଡ଼ ସରଳ ଭାବେ ଡାକିଲା ତାଙ୍କୁ , '' ଶୁଣନ୍ତୁ ମୋର ଟିକେ କାମ ଥିଲା !'' ସେ ଟିକେ ହସିଲେ ଆଉ କହିଲେ , '' ଆଉ କାମ କରୁନି ମୁଁ ।''

ଏବେ ତାର ହଡ଼ବଡ଼ ହେବାର ପାଳି , କି କାମ ନ ବୁଝି ସିଧା ସିଧା ମନା କରିଦେବାର କ'ଣ ଅଛି !

ସେ ନିଜ ଚଟେଇ ଛାଡି ଉଠିଗଲା ତାଙ୍କ ଚୁଲୀ ପାଖକୁ ଆଉ ସେଇଠି ବସିଲା ଜାକି ଜୁକି ହେଇ । କହିଲା ,

'' ମୋର ନିଜର କେହି ନାହିଁ ଏଇ ସହରରେ , ସବୁଦିନ ଏଇ ରାସ୍ତାରେ ଯିବା ଆସିବା ଭିତରେ ଆପଣଙ୍କ ଘରଟିକୁ ଦେଖେ ଆଉ ଭାରି ଭଲ ଲାଗେ । ତେଣୁ ଏଡ଼େ ସୁନ୍ଦର ଘରେ କିଏ ରୁହନ୍ତି ଦେଖିବାକୁ ଆସିଗଲି ଟିକେ । "

ସେ ଏବେ ଆହୁରି ହସିଲେ , ଚମତ୍କାର ହସ । ଆଉ ହସିଲା ବେଳେ ସୁନ୍ଦର ଭଉଁରି ଖେଳିଯାଉଥିଲା ତାଙ୍କ ଗାଲରେ । ଦେଖିବାକୁ ସୁନ୍ଦରୀ ଥିଲେ । ସଫା ରଙ୍ଗର ଦେହରେ ଏବେବି ସ୍ନିଗ୍ଧ ଚମକ ଥିଲା । ବେଶ ସୁନ୍ଦର କୁଞ୍ଚିତ କେଶ ଥିଲା ମୁଣ୍ଡରେ ଯେଉଁଥିରେ ମଧୁମାଳତି ଫୁଲ ଯୋଡ଼େ ହସୁଥିଲେ । ଆଖି ଗୁଡିକର ତାରା ଥିଲା ଆକର୍ଷକ ଯାହା ତାକୁ ଘଡ଼ିଏ ବସେଇବାର ସଫଳ ଥିଲେ । ଚିକ ମିକ ପଥର ଗୋଟେ ପିନ୍ଧି ଥିଲେ ନାକ ଫୁଲ ଭିତରେ ଯେଉଁଟି ବଡ଼ ସୁନ୍ଦର ଥିଲା ତା' ପାଇଁ । କାରଣ ସେଇଠି ସେ ବୋଉ ପରି ଲାଗୁଥିଲେ । ବୋଉ ନାକରେ ପିନ୍ଧୁଥିଲା ହୀରା ।

ହସୁଥିବା ବୁଢ଼ୀଙ୍କୁ ଏମିତି ନିରିଖେଇ ଦେଖୁଥିଲା ସେ ଆଉ ହଜୁଥିଲା ତାଙ୍କ ଭିତରେ । ସେ ହସ ବନ୍ଦ କରି କହିଲେ , '' ମୁଁ କ'ଣ ଏବେବି ସୁନ୍ଦରୀ ?''

ସେ ଏମିତି ପ୍ରଶ୍ନରେ ଟିକେ ହଡ଼ବଡ଼ ହେଇଗଲା । ସାଧାରଣ ଭାବେ ବୁଢ଼ୀ ମାଉସୀ ଗୋଟେ ଏମିତି ପ୍ରଶ୍ନ କରିବାର ନୁହେଁ । କିନ୍ତୁ ତାକୁ ଏଇ ପ୍ରଶ୍ନ କରୁଥିଲେ ସେ ।

କି ଉତ୍ତର ଦେବ ଭାବି ପାରିଲା ନାହିଁ କେଵଳ ନୀରବ ରହିଲା । ସେ ପୁଣି ହସି କହିଲେ , ''ତୁମେ ଯେମିତି ଅନେଇଥିଲ ସେମିତି ସୁନ୍ଦରୀ ମାନଙ୍କୁ ଦେଖାଯାଏ ତେଣୁ ପଚାରିଲି , ଅବଶ୍ୟ ମୁଁ ସୁନ୍ଦରୀ ଥିଲି କେବେ !''...

ସେ ଲାଜରେ ଆଖି ତଳକୁ କଲା । କାରଣ ଅଜାଣତରେ ସେ ବହୁତ ସମୟ ହେବ ତାଙ୍କୁ ଦେଖୁଥିଲା ବିଚିତ୍ର

ଦୃଷ୍ଟିରେ । ପ୍ରକୃତରେ ସେ ନିଜ କାହାଣୀ ଭିତରେ ହଜିଯାଇଥିଲା ।

ସେ କହିଲେ , '' ବହୁତ ଦିନ ହେବ ଏକା ରହୁଛନ୍ତି ସେ । ତେଣୁ ଆଜି ଜଣେ ଅତିଥି ଦେଖି ଖୁସି ଲାଗିଛି । ସେ ବି ଏ ସହରର ନୁହଁନ୍ତି ଠିକ ତା' ପରି ଗୋଟେ ବାହାରୁ ଆସିଥିବା ମଣିଷ ଯିଏ ଏଇଠି ରହିଯାଇଛି ପରିସ୍ଥିତିରେ ପଡି ।''

ସେ ଖୁସି ହେଲା ତା' ଚରିତ୍ରର ସାବଲୀଳତା , ଆପଣାର କରିବାର କଳା , ଅଜଣା ମଣିଷ ସହ ଏକାତ୍ମ ହେବାର ପ୍ରୟାସ , ନିଜ ଏକାକୀ ଜୀବନରେ ତାକୁ ଖୁସି ଖୁସି ଗ୍ରହଣ କରିବାର ଇଚ୍ଛା ଦେଖି । ସାଧାରଣ ମଣିଷ ଯିଏ ଭାରି ସଙ୍କୁଚିତ ,

ଆତ୍ମକୈନ୍ଦ୍ରିକ , ସ୍ୱାର୍ଥପର ଆଉ ଭୟାତୁର ସେଇ ଧାରାରେ ଏଇ ଚରିତ୍ର ଥିଲେ ଭିନ୍ନ।

ସେ ଧୀରେ ଧୀରେ ତାଙ୍କ ସହ ଯୋଡ଼ିଲା ଗୋଟେ ଅଦୃଶ୍ୟ ସମ୍ପର୍କ । ମାଉସୀ ମଧ୍ୟ ତା' ସହ ନିଜ ସମୟ ବିତେଇଲେ ଆଉ କିଛି ସୁଖ ଦୁଃଖ ବାଣ୍ଟିଲେ । ତାଙ୍କ ହାତ ରନ୍ଧା ଖେଚୁଡ଼ି ତାକୁ ଭଲ ଲାଗିଲା ଆଉ ତା' ହାତ ଲେଖା ଗଳ୍ପ କବିତା ତାଙ୍କୁ । ଦୁଇଟି ଭିନ୍ନ ମଣିଷ ଏକ ଅଭିନ୍ନ ସମ୍ପର୍କରେ ବାନ୍ଧିହେଲେ ସୁନ୍ଦର ଭାବରେ । ତାଙ୍କ ଅତୀତ ଥିଲା ତା' ଉପନ୍ୟାସ ପାଇଁ ଗୋଟେ ରୋଚକ ପ୍ରସଙ୍ଗ କାରଣ ସେ ବୃଦ୍ଧା ଥିଲେ ଗୋଟେ ବେଶ୍ୟା । ଯିଏ ଜୀବନରେ ଅଗଣିତ ମଣିଷଙ୍କ ସହ ସମ୍ପର୍କରେ ଥିଲେ କେବେ । ଗୋଟେ ସଂଘର୍ଷ , କିଛି ଅସହାୟତା , ଅଗଣିତ ଅଧୁରା ସ୍ୱପ୍ନ , ଅସଜଡ଼ା ଜୀବନ ଆଉ ଅତୃପ୍ତ ଆକାଂକ୍ଷା ମିଶି ତିଆରି ହେଇଥିଲା ତାଙ୍କ ଜୀବନର ଦସ୍ତାବିଜ ।

ବହୁତ ଗୁଡିଏ ଅନ୍ଧଗଳି ଦେଇ ବିତି ଥିଲା ଯୌବନ ଆଉ ଅନେକ ଗୁଡିଏ ଅସଫଳ ପ୍ରେମ କାହାଣୀ ଥିଲା ସାଇତା ସମ୍ପଦ । ଅନେକ ପ୍ରକାରର ଗ୍ରାହକ ଥିଲେ ତାଙ୍କର ଭଦ୍ର , ଅଭଦ୍ର , ସାମାଜିକ , ଅସାମାଜିକ , ସନ୍ତ୍ରଶବାଦୀ , ଶାନ୍ତି କାମୀ ଏମିତି ଅଗଣିତ । ସେମାନଙ୍କ ସାମାଜିକ ପରିଚୟ ଆଉ ଅନ୍ଧାରୀ ରାତିର କାରନାମା ଥିଲା ସମ୍ପୂର୍ଣ୍ଣ ଭିନ୍ନ। ବିରାଟ ବିରାଟ ପ୍ରତିପତ୍ତି ସମ୍ପନ୍ନ ମଣିଷବି ଥିଲେ ତାଙ୍କର ଗ୍ରାହକ । ଯେଉଁମାନଙ୍କ ସଂକ୍ରାନ୍ତରେ ଅଦ୍ଭୂତ ତଥ୍ୟ ସବୁ ନିବୁଜ ଥିଲା ବୃଦ୍ଧାଙ୍କ ଛାତିତଳ ଫରୁଆ ଭିତରେ ।

କିନ୍ତୁ ନିଜ ଅତୀତକୁ ନେଇ ସେ ଅବଶୋଷ କରୁନଥିଲେ କେବେ , ଅଥିକନ୍ତୁ କେମିତି ଗୋଟେ ଆତ୍ମ ସନ୍ତୋଷ ଥିଲା ତାଙ୍କ ଭିତରେ । ସେ ନିଜକୁ ସମାଜ ସେବି ଭାବରେ ଗ୍ରହଣ କରିଥିଲେ । ଯେ ମଣିଷର ଚରମ ଆବଶ୍ୟକତା ପୂରଣ କରିବାର ସମର୍ଥ୍ୟ ରଖିପାରେ । ବିଚିତ୍ର ଶୁଭିଲେବି ତାଙ୍କ ଜୀବନ ଦର୍ଶନ ଥିଲା ଏମିତି ।

ଏମିତି ଅଜସ୍ର ତଥ୍ୟ ଥିଲା ତାଙ୍କ ନିକଟରେ ଯାହା ଗୋଟେ ଭିନ୍ନ ସୃଜନ ପାଇଁ ଥିଲା ସମ୍ପୂର୍ଣ୍ଣ ପ୍ରାଚୁର୍ଯ୍ୟମୟ । ଆଉ ସେ ଲେଖିଲା ତାଙ୍କୁ ଖୁବ୍ ମନଯୋଗ ସହକାରେ । ଗୋଟେ ଭିନ୍ନ ସ୍ୱାଦର ସୃଜନ ପରିତ୍ୟକ୍ତ , ନିର୍ବାସିତ , ଅସମାଜିକ ବାରାଙ୍ଗନାର ଜୀବନ ସଂଘର୍ଷ । ଟିକେ ସାମାଜିକ, ଟିକେ ଅଶ୍ଳୀଳ , ଟିକେ ଦର୍ଶନାତ୍ମକ ଆଉ ଟିକେ ଚାଲୁ ଗପ ମିଶେଇ ଫେଣ୍ଟି ଫାଣ୍ଟି ରୋଚକ ଶୈଳୀରେ । ସତରେ ଥିଲା ସେଇ ସୃଷ୍ଟିରେ ପ୍ରାଣ ସତ୍ତା କାରଣ ସେଇଟି କାଳ୍ପନିକ ନୁହେଁ ବାସ୍ତବ ଥିଲା । ଖୁବ୍ ନିଚ୍ଛକ ଆଉ ସାବଲୀଳ ଭାବେ ଗତିଶୀଳ ସତ୍ୟ ଘଟଣା ଥିଲା ।

ପୂରା ଗୋଟେ ବର୍ଷ ସେଇ ଘର , ଆଉ ସେଇ ଚରିତ୍ର ସହ ଏକାତ୍ମ ହେଇ , ନିଜକୁ ହଜେଇ , ସମ୍ପୂର୍ଣ୍ଣ ସମର୍ପିତ କରି ସେ ତିଆରିଲା

ଅନବଦ୍ୟ ସୃଷ୍ଟିଟିଏ । ଯାହା ଜୀବନ୍ତ ସାହିତ୍ୟର ପରିଚାୟକ ଭାବେ ମୁଣ୍ଡ ଟେକିଲା ।

ସେ ଜାଣି ଥିଲେ ଏବେ ତାଙ୍କୁ ନେଇ ଲେଖା ଯାଉଛି ଗୋଟେ ଭିନ୍ନ ଉପନ୍ୟାସ । ଏଥିପାଇଁ ଖୁସି ଥିଲେ ସେ କାରଣ ଆଜିବି ସେ ସେବା କରୁଥିଲେ ସମାଜର ଗୋଟେ ଚମତ୍କାର ଉପନ୍ୟାସ ଉପହାର ଦେଇ । ଯାହା ଅନେକ ମଣିଷଙ୍କୁ ନିର୍ମଳ ଆନନ୍ଦ ଦେବାର ସମ୍ଭାବନା ରଖୁଥିଲା ନିଜ ଭିତରେ ଠିକ ତାଙ୍କ ପରି !.......

******************

ଗ୍ରହ, ନକ୍ଷତ୍ର, ରାଶିଚକ୍ର ଏସବୁ ବୋଧେ ଭଲ ସ୍ଥିତିରେ ଥିଲେ । ତା' ପାଇଁ ଗୋଟେ ଉତ୍ତମ ସମୟ ଚାଲିଥିଲା । ତା'ର ସର୍ତ୍ତ ମୂଳକ ପରୀକ୍ଷଣର ପାଞ୍ଚ ବର୍ଷ ସମୟ ସାରି ଆସୁଥିଲା । ଏବେ ଏଇ ସମ୍ମୋହକ ସାହିତ୍ୟ ସହିତ ସମ୍ପର୍କ କାଟିବାର ବେଳ ଆସି ସାରିଥିଲା । ସେ ନିଜ ବାଲି ଗୋଡି ପୃଥିବୀକୁ ଫେରିବା ପୂର୍ବରୁ ଥରେ ସଫଳ ସ୍ରଷ୍ଟା ହେବାର ସ୍ୱପ୍ନକୁ ପ୍ରାଣଭରୀ ଜିଇଁବାକୁ ଚାହୁଁଥିଲା । ଆଉ ସୁଖର କଥା ହେଲା ଏଇ ଉପନ୍ୟାସ ,

'' ବାହାରେ ଆଲୋକ '' ସେତକ କରିବାରେ ସମର୍ଥ୍ୟ ହେଲା । ବହୁତ ବିକ୍ରି ହେଉଥିବା ଉପନ୍ୟାସ ନଥିଲା ତା' ସୃଷ୍ଟି କିନ୍ତୁ ସାହିତ୍ୟ ଜଗତରେ ବିଶେଷ ପରିଚିତି ଦେଇପାରିଲା ପୁରସ୍କୃତ ଉପନ୍ୟାସର ପରିଚୟ ପାଇ।

ଏବେ କଥାକାର ଭାବେ ତା'ର ନାଁ ଲୋକଙ୍କୁ ଜଣା ପଡିଲା ଆଉ ସେ ନିଜକୁ ଅନ୍ୟ ମାନଙ୍କ ମୁହଁରେ ପ୍ରଶଂସିତ ହେବାର ସୁଯୋଗ ପାଇଲା । ପ୍ରସିଦ୍ଧି ପାଇବାର ଗୋଟିଏ ସୋପାନ ଚଢିଥିଲା ସେ ନିଜର ଏଇ ସୃଷ୍ଟି ପାଇଁ । ଆଗକୁ ଆହୁରି କିଛି କରିବାର ସାହସ ମିଳୁଥିଲା ତାକୁ ଏଇ ସୃଷ୍ଟି ମାଧ୍ୟମରେ ।

***************

ପୁରସ୍କାର ପ୍ରାପ୍ତିର ସେଇ ଇପ୍ସିତ ପରିବେଶକୁ ନିଜ ସହ ନିଜ ଉପନ୍ୟାସର ପ୍ରେରଣାଙ୍କୁ ସାଥିରେ ନେବାର ଗୋଟେ ଇଚ୍ଛା ଥିଲା ତା'ର । ସମାଜରେ ସବୁବେଳେ ଘୃଣ୍ୟ ଦୃଷ୍ଟିରେ ଦେଖା ଯାଉଥିବା ମଣିଷଟିକୁ ଉଜ୍ଜ୍ବଳ ଆଲୋକ ଭିତରକୁ ନେଇ ସମ୍ମାନିତ କରିବାର ପ୍ରୟାସ ଥିଲା ଏଇଟି । ସେ ବୁଢ଼ୀ ମାଉସୀଙ୍କୁ ନିଜର ମାର୍ଗଦର୍ଶକ ଭାବେ ସର୍ବ ସମୁଖ୍ୟରେ ପରିଚିତ କରିବାକୁ ଇଛୁକ ଥିଲା । ଆଉ ସେଇ ବସ୍ତିର ବିକଳ ଜୀବନରୁ ମୁକ୍ତ କରି ନିଜ ପ୍ରାଚୁର୍ଯ୍ୟମୟ ପୃଥିବୀରେ ଥଇଥାନ କରିବାକୁ ଭାବୁଥିଲା ।

ଏଇ ଜୀବନର ଉତ୍ତର ବୟସରେ ଅସହାୟ ବୁଢ଼ୀ ମାଉସୀଙ୍କୁ ଅର୍ଥ ସାହାଯ୍ୟ କିଛି ମିଳିଗଲେ ତାଙ୍କ ବାକି ଜୀବନ ସୁରକ୍ଷିତ ହେଇଯିବ । ଏମିତି ଗୋଟେ ସୁକ୍ଷ୍ମ ଚେତନା ଥିଲା ମୂର୍ଖ ସାହିତ୍ୟ ପ୍ରେମୀ ଭିତରେ ।

ଏଇ ଉଦ୍ଦେଶ୍ୟ ନେଇ ସେ ଯାଇଥିଲା ସେଦିନ ତାଙ୍କ ପାଖକୁ । ସେ ସେମିତି ସାଧାରଣ ଭାବେ ଚା ' ଆଉ ଭଜା ମୁଢି ଧରେଇ ଦେଇ ଗପ ଯୋଡିଲେ । ୟା ଭିତରେ ତା'ର ସବୁବେଳେ ଆସିବା କମି ଯାଇଥିବାରୁ ଅଭିଯୋଗ କଲେ , ସେ ଆଉ କବିତା ଶୁଣିନଥିବା କଥା ମନେ ପକେଇଲେ ଆଉ ତାକୁ ଆଜି ଖେଚୁଡ଼ି ଖାଇବାକୁ ନିମନ୍ତ୍ରଣ ମଧ୍ୟ କଲେ । ସେ ଏଇ ଆତ୍ମୀୟତା ଭିତରେ ଆମୋଦିତ ହେଲା । ଆଉ ସେଇଠି ସାରା ଜୀବନ ରହିଯିବାର ସ୍ୱପ୍ନ ଗୋଟେ ଦେଖିଲା ଖୋଲା ଆଖିରେ ।

ସେ ତାଙ୍କୁ ନିଜ ଇଛା ବିଷୟରେ କହିଲା । ତା' ଲିଖିତ ଉପନ୍ୟାସ ପୁରସ୍କୃତ ହେବାର ସମ୍ବାଦ ତାଙ୍କୁ ଖୁବ୍ ଆନନ୍ଦ ଦେଲା । ବିହ୍ଵଳ ହେଇ ସେ କହିଲେ , '' ସିତାରା ବାଈର କାହାଣୀ ଛୋଟ ମୋଟ ନୁହେଁ ଆଜି ତୁମେ ପ୍ରମାଣିତ କରିଦେଲ । ''

ତାକୁ ଭାରି ଖୁସି ଲାଗିଲା ଏଇ ଉକ୍ତିର ଗଭୀରତା ଭିତରେ ହଜି ।

ସେ ତାଙ୍କୁ ନିଜ ସହ ପୁରସ୍କାର ସଭାକୁ ନେଇ ଯିବାର ଅଭିପ୍ରାୟ ଜଣେଇ ଦେଲା । ଭାବିଥିଲା ଖୁସି ହେବେ ସେ ଏଇ ନିମନ୍ତ୍ରଣ ପାଇ ।

କିନ୍ତୁ ସେ ଦୁଃଖ ପାଇଲେ । ସର୍ବସମ୍ମୁଖରେ ନିଜକୁ ଉପସ୍ଥାପିତ କରିବାକୁ ଇଚ୍ଛା ପ୍ରକାଶ କଲେନି । ଜଣେଇଦେଲେ ଏତିକିରେ ସେ ସୁଖୀ । ସମାଜ ତାଙ୍କୁ ଗୋଟେ ସୁନଜରରେ ଦେଖିବ ନାହିଁ କେବେ । ହୁଏତ ସେ ଅପମାନିତ ହେବେ ବା ତାଙ୍କ ପାଇଁ ଜଣେ ସାହିତ୍ୟ ପ୍ରେମୀ ଲଜ୍ଜିତ ହେବ ।

ସେ ତାଙ୍କ ଯୁକ୍ତି ଆଗରେ କୌଣସି ଅଧିକ ଚର୍ଚ୍ଚା କଲା ନାହିଁ । ବୁଝୁଥିଲା ସେ ତାଙ୍କର ସଂକୋଚ । ହେଲେ ସେ ତାଙ୍କୁ ସେଇ ବିକଳ ବସ୍ତି ଜୀବନରୁ ମୁକୁଳେଇ ନେବାର ଜିଦରେ ରହିଲା । ସେତକ ମଧ୍ୟ ନାକଚ କରିଦେଲେ ବୁଢ଼ୀ ମାଉସୀ । କହିଲେ ଚମତ୍କାର କଥା ପଦେ , '' ଏଇଠି ରହି ଆହୁରି ସମାଜ ସେବା କରିବାର ଅଛି । ନିଜ ପୃଥୀବିରୁ ଛିନ୍ନ ହେଇଗଲେ ହୁଏତ ପାରିବେନି ! ''

ସେ ଯେବେ ଅଧିକ ହକ ଯତେଇଲା ଖୁବ୍ ସାବଲୀଳ ଭାବେ କହିଦେଲେ ସେ , ''ତୁମେ ମୋର ଜଣେ ଗ୍ରାହକ ଛଡା ଅଧିକ ନୁହେଁ । ମୁଁ ସେଇ ପୃଥିବୀର ଯିଏ ଆଉ କିଛି ସମ୍ପର୍କରେ ବିଶ୍ୱାସ କରେନି !''

ଏଇଠି ସେ ପୁଣି ନିଜ ବାପାଙ୍କ ସହ ଭେଟ ହେଇଗଲା । ସହିତ୍ୟ ନୁହେଁ ସେ ବ୍ୟବସାୟ କରୁଥିଲା ଗ୍ରାହକ ସାଜି ବୋଲି ଅନୁଭବ ହେଲା । କିନ୍ତୁ ତଥାପି ଏଇ ପରୀକ୍ଷା ନିରୀକ୍ଷା ଭିତରେ ନିଜ ସହ କିଛି ମୁହୂର୍ତ୍ତ ବିତେଇବାର ସୁଯୋଗ ମିଳିଥିବାରୁ ସୁଖୀ ଥିଲା ସେ । ଆଉ ପୁଣି କିଛି ନୂଆ ପରୀକ୍ଷଣ ପାଇଁ ଅଣ୍ଟା ଭିଡି ବାହାରିଗଲା ।

ସୌମ୍ୟା ଶୁଭଦର୍ଶିନୀ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ

ଜଗତସିଂହପୁର

ତର୍ଜମା ପରିବାର ଅପଚୟ

Rate the content


Originality
Flow
Language
Cover design

Comments

Post

Some text some message..