Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
"ଅଭିଳାଷର ଅନ୍ତରାଳେ"
"ଅଭିଳାଷର ଅନ୍ତରାଳେ"
★★★★★

© Bijayini Panda

Classics Inspirational

11 Minutes   14.1K    13


Content Ranking

ସମୟ ରାତି ୮ଟା । ଟେଲିଭିଜନରେ ନିଉଜଚ୍ୟାନେଲରୁ ଭାସି ଆସୁଛି ମୁଖ୍ୟ ସମ୍ବାଦ । ଶ୍ରୀମାନ ଦୀନବନ୍ଧୁ ମିଶ୍ର ଶ୍ରେଷ୍ଠ ଆଦର୍ଶ ଶିକ୍ଷକ ଭାବେ ରାଜ୍ୟପାଳ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆରାମ ଚେଆରରେ ବସିଥିବା ଦୀନବନ୍ଧୁ ବାବୁ କିନ୍ତୁ ନିଶ୍ଚଳ । ଆଖି ଲୁହରେ କୋହଲା ପଡିଯାଇଛି ମୋଟା ଫ୍ରେମ ଚଷମାର କାଚ ଦୁଇଟି । କାନ୍ଧରେ ପଡିଥିବା ଦେଉଳି ଗାମୁଛାର ଗୋଟିଏ କୋଣରେ କାଚ ଦୁଇଟାକୁ ପୋଛୁଥିବା ସମୟରେ ପ୍ରବେଶ କଲେ ଅନୁପମା । ବିସ୍ମିତ ହୋଇ ପଚାରିଲେ "କ'ଣ ହେଲା, ଆଖି ଦୁଇଟା ଓଦାଳିଆ କାହିଁକି ?"। "କିଛି ନାଇଁ ତ, ଏଇ ଆଖିରେ କ'ଣ ଗୋଟେ ପଡିଗଲା । ଟେଲିଭିଜନକୁ ନିରେଖି ଚାହିଁଲେ ଅନୁପମା । ହେଡଲାଇନ ଦେଖି ଚକିତ ହୋଇପଡିଲେ । ଭିନ୍ନ ପରିସ୍ଥିତିରେ ସେ ହୁଏ ତ ଖୁସିରେ ଆତ୍ମହରା ହୋଇଯାଇଥାନ୍ତେ, ତେବେ ସେ ଦୀନବନ୍ଧୁ ବାବୁଙ୍କ ଗମ୍ଭୀର ଚେହେରାକୁ ଦେଖି ନିରବରେ ଚାଲିଗଲେ । ସବୁ ବୁଝିଲେ ବି କିଛି ନ ବୁଝିବାର ଅଭିନୟ କରି ।

ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା ଦୀନବନ୍ଧୁ ବାବୁଙ୍କ ହୃଦୟ ଭିତରେ । ହଜାରେ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ, ସେ ନିଜେ ଏକ ପ୍ରଶ୍ନବାଚୀ ପାଲଟି ଯାଇଥିଲେ । 

ଯେଉଁ କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତିତା, ଆଦର୍ଶବାଦ ପାଇଁ ଆଜି ସେ ସରକାରଙ୍କ ପାଖରେ ଶ୍ରେଷ୍ଠ ବିବେଚିତ ହୋଇପାରିଛନ୍ତି, ସେ ଆଦର୍ଶରୁ କାଣିଚାଏ ସୁଦ୍ଧା ପୁଅକୁ ଦେଇପାରି ନାହାନ୍ତି । ଆତ୍ମଗ୍ଲାନିରେ ବିଦାରି ହେଉଥାଏ ତାଙ୍କ ହୃଦୟଟା । ଭାବି ଚାଲିଥିଲେ ସେ ଅତୀତକୁ ..............

ବାହାଘରର ଦୀର୍ଘ ବାରବର୍ଷ ପର୍ଯ୍ୟନ୍ତ ପିତୃତ୍ବ ଲାଭ କରି ପାରି ନ ଥିଲେ ଦୀନବନ୍ଧୁ । "ମାତୃତ୍ୱର ଆକାଂକ୍ଷା ଯେ ନାରୀ ମନର ମୌଳିକ ଅଭିଳାଷ ।" ହେଲେ ଅନୁପମାଙ୍କ କୋଳ ଶୁନ୍ୟ । କେତେ ବ୍ରତ ,ଉପବାସ, ଓଷା କରି ମହାଦେବ ମନ୍ଦିରରେ ଅଖିଆ ଅପିଆ ଦୁଇଦିନ ଧରି ଅଧିଆ ପଡିଥିଲେ ଅନୁପମା, ଶେଷରେ ଭଗବାନଙ୍କ ପ୍ରସାଦ ସ୍ୱରୂପ ବାରବର୍ଷ ପରେ ଗର୍ଭବତୀ ହେଲେ ସେ ।

ସବୁ ପ୍ରତୀକ୍ଷାର ଅନ୍ତପରେ ହେଲେ ପୁତ୍ର ସନ୍ତାନର ଜନନୀ । ଅତ୍ୟଧିକ ଗେଲବସରରେ ଚନ୍ଦ୍ରକଳା ପରି ବଢିଉଠିଲା ପିଲାଟି । ଯେତେବେଳେ ଯାହା କହିଲେ ହୁକୁମକୁ ହାଜ଼ର । ଆଜି ଖେଳଣା ପାଇଁ ଅଝଟ ତ କାଲି ଜୋତା ପାଇଁ, ପୁଣି କେତେବେଳେ ସ୍କୁଲବ୍ୟାଗ, ଜାମାପଟା ଇତ୍ୟାଦି । ସବୁଥିରେ ଅଝଟ । ପାଖ ପଡୋଶୀ, ସମ୍ପର୍କୀୟ ସମସ୍ତେ ଭୀତତ୍ରସ୍ତ ପିଲାଟି ପାଇଁ । ଅଭିଯୋଗ ଶୁଣି ଶୁଣି ଦୀନବନ୍ଧୁଙ୍କ ଦେହସୁହା ହେଇଗଲାଣି । ସେ ଜାଣୁଥିଲେ ଯେ ପ୍ରତକ୍ଷରେ ନ ହେଲେ ବି ପିଲାଟି ବିଗିଡିବାର ପଛରେ ଅନୁପମା ହିଁ ଦାୟୀ । ତଥାପି ଅନୁପମାଙ୍କୁ ସେ କେବେହେଲେ କିଛି କହି ନ ଥିଲେ, କାରଣ ବୟସର ଛାଇ ଲେଉଟାଣି ବେଳରେ "ପ୍ରଶାନ୍ତ" ଥିଲା ଏକୋଇର ବଳା ବିଶିକେଶନ । ହେଲେ ଆଜି ସବୁକିଛି ଥାଇ ବି ଦୀନବନ୍ଧୁ ସମ୍ପୂର୍ଣ ନିଃସ୍ୱ । ସାଗରର ଗର୍ଭରେ ରହି ମଧ୍ୟ ସେ ତୁଷାର୍ତ୍ତ । ଅନୁପମାଙ୍କ ଡାକରେ ପ୍ରକୃତିସ୍ଥ ହେଲେ ଦୀନବନ୍ଧୁ । ତାଙ୍କ ବିଶାଦଗ୍ରସ୍ଥ ଚେହେରା ଦେଖି ଅନୁପମା ବି ଆଖି କୋଣରେ ଲହଡା ଭାଙ୍ଗୁଥିବା ବନ୍ୟାକୁ ପାରୁ ପର୍ଯ୍ୟନ୍ତେ ଅବରୋଧ କରିବାର ଚେଷ୍ଠା କରୁଥିଲେ ।

ଦୀନବନ୍ଧୁ ଶେଯକୁ ଗଲା ପରେ ଅନୁପମା ତାଙ୍କର ବଳକା କାମକୁ ସାରିଦେଇ ଗଲେ ଶୋଇବା ପାଇଁ । ତାଙ୍କୁ ଡିଷ୍ଟର୍ବ ନ କରି ଧୀରେ ଧୀରେ ପାଖରେ ଶୋଇଗଲେ । ଅଳ୍ପ ଅଳ୍ପ ଶୀତ ମିଶା ରାତିରେ ବି ତାଙ୍କୁ ପ୍ରବଳ ଗରମ ଲାଗୁଥିଲା । ଦେହଟା ଝାଳରେ ଭିଜି ଯାଉଥିଲା । ବିଛଣାରେ ପଡି ଘଡ଼ଘଡ ଆବାଜ଼ ଦେଉଥିବା ସିଲିଂ ଫେନକୁ ଚାହିଁରହିଥିଲେ । ବାରମ୍ବାର କଡ଼ ଲେଉଟିଲେ ବି ନିଦ ଆସିବାର ନାଁ ଧରୁ ନ ଥିଲା । ଆଜି କାହିଁକି କେଜାଣି ପ୍ରଶାନ୍ତଟା ଖୁବ ମନେ ପଡୁଛି । ତାର ସେହି ସରୁଧାର ଚେହେରା, ପ୍ରତ୍ୟେକ ଜିଦ, ସମସ୍ତ କାର୍ଯ୍ୟକଳାପ ଅନୁପମାଙ୍କ ଦେହର ପ୍ରତ୍ୟେକ ଶିରା ପ୍ରଶିରାକୁ ଛୁଞ୍ଚି ଫୋଡିଲା ପରି ଆଘାତ ଦେଉଥିଲା । ପ୍ରଶାନ୍ତର ପିଲାବେଳର ସବୁ ଦୁଷ୍ଟାମିକୁ ଗୋଟି ଗୋଟି କରି ସ୍ମୃତିପଟକୁ ଓଟାରି ଆଣୁଥିଲେ ସେ ।

ପ୍ରତ୍ୟେକ ବାପା ବୋଉ ନିଜ ପିଲାର ଉଜ୍ଜଳ ଭବିଷ୍ୟତ କାମନା କରି ସ୍ବପ୍ନ ଦେଖିଥାଆନ୍ତି । ଦୀନବନ୍ଧୁ ମଧ୍ୟ ଅଳ୍ପ ଦରମା ଯୋଗୁଁ ଗାଁରେ ଭାଗ ପାଇଥିବା ଚାଷ ଜମିକୁ ବିକ୍ରି କରି ପ୍ରଶାନ୍ତ୍ର ପାଠପଢ଼ାରେ ଅର୍ଥ ବାଧକ ନ ସାଜିବ ସେ ପ୍ରତି ସତେଚନ ହୋଇଥିଲେ । କେବେ ନିଜ ପାଇଁ ଭଲ ପୋଷାକ ଖଣ୍ଡିଏ କରି ନାହାନ୍ତି । ଆଜି ବି ସେ ଭଙ୍ଗା ସାଇକିଲରେ ପାଡାଲ ମାଡି ସ୍କୁଲ ଯାଉଛନ୍ତି, ବାରମ୍ବାର ପୁରୁଣା ଟିଭିକୁ ସଜାଡି ଦେଖୁଛନ୍ତି ପଛେ ପ୍ରଶାନ୍ତ୍ରର କୌଣସି ଅଭାବ କରି ନାହାନ୍ତି । ତାଙ୍କର ଗୋଟିଏ ଅଭିଳାଷ, ପୁଅ IAS କି OAS ଟିଏ ନିଶ୍ଚୟ ହେବ । ଆଉ ସେ ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଇଛି ପ୍ରଶାନ୍ତ । ନିଜ ଜୀବନର ନିଷ୍ପତ୍ତି ନିଜେ ନେଇ ଦୀନବନ୍ଧୁ ବାବୁଙ୍କ ମୁଣ୍ଡ ତଳକୁ କରିଦେଇଛି । ଆଦର୍ଶବାଦର କଥା କହି ଅନେକ ପିଲାର ଭବିଷ୍ୟତ ସଜାଡୁ ଥିବା ଦୀନବନ୍ଧୁ ନିଜ ପିଲାର ଭବିଷ୍ୟତ ଗଢିପାରି ନାହାନ୍ତି । 

ଏମିତି ଦିନେ ସହରରେ ନୁଆଁ ମଲ୍ଟିପ୍ଲେକ୍ସ ସିନେମା ହଲଟେ ଖୋଲିଲା । ପ୍ରଶାନ୍ତର ସାଙ୍ଗମାନେ ଯୋଜନା କରିଥିଲେ, ସେମାନେ ସିନେମା ଦେଖିବାକୁ ଯିବେ । ପ୍ରଶାନ୍ତ ଖାଇବା ବେଳେ ଜିଦ କରି ପଇସା ମାଗିଲା । ଅନୁପମା ରୋଷେଇ ଘରେ ରଖିଥିବା ଶହେ ଟଙ୍କିଆ ନୋଟ ତା' ହାତରେ ଦେଇ ରୋଷେଇ ଘରକୁ ଚାଲିଗଲେ । 

"ବୋଉ ମୁଁ ସିନେମା ଦେଖିବାକୁ ଯିବି ପରା ? ଏତିକି ଟଙ୍କାରେ କଣ ହେବ ?" ପ୍ରଶାନ୍ତ ଅଭିଯୋଗ କରି କହିଲା । "ଟିକେଟ କେତେ ଦାମ ଜାଣିଛୁ ନା ? ଆଉ ସାଙ୍ଗ ମାନେ ଥିବେ ମୁଁ ଏତେ କମ୍ ଟଙ୍କା ଧରି କେମିତି ଯିବି କହିଲୁ ? ମୋର ମାନସମ୍ମାନ ବୋଲି କିଛି ଅଛି ନା ନାହିଁ ?" ଖାଇବା ଟେବୁଲରେ ବସିଥିବା ବେଳେ ବୋଉ ଯାହା ଦେଇଥିଲେ ସେତକ ନେଇ ନିରବ ହୋଇଗଲା ପରେ ପୁଣି କହିଲା "ବୋଉ ମୋର ଟାଇମ ହେଲାଣି, ଟଙ୍କା ଦେ।" ରୋଷେଇ ଘରୁ ବୋଉ କହିଲେ "ମୋ ପାଖରେ କିଛି ନାହିଁ, ତୁ ବାପାଙ୍କୁ ମାଗି ନେଇ ଯା।"

ପ୍ରଶାନ୍ତ ବିରକ୍ତ ହୋଇ ଗରଗର ହେଉଥିଲା ବେଳେ ଘର ଭିତରକୁ ପଶି ଆସୁଥିବା ବାପାଙ୍କ ପଦଧ୍ଵନି ଶୁଣି ନିରବ ହୋଇଗଲା । ଦୀନବନ୍ଧୁ ବାବୁ ପଶି ଆସୁ ଆସୁ ପ୍ରଶାନ୍ତର କଥା କିଛି ଶୁଣି ଘଟଣାଟି ବୁଝିଗଲେ ଓ ତାପରେ ବାପ ପୁଅ ଙ୍କ ମଧ୍ୟରେ ବେଶ କିଛି କଥା କଟାକଟି ହେଇଗଲା । ତାପରେ ପ୍ରଶାନ୍ତ ଆଉ ଘରେ ନ ରହି ସହରରେ ପଢିବ ବୋଲି ଜିଦ ଧରି ପଳେଇଲା ଓ ହଷ୍ଟେଲ ରହି ପଢିଲା । ଘରକୁ ଆଉ ନ ଆସିଲେ ମଧ୍ୟ ଦୀନବନ୍ଧୁ ବାବୁ ରୀତିମତ ତା' ବ୍ୟାଙ୍କ ଖାତାରେ ପଇସା ଜମା କରିବାରେ ଲାଗିଲେ ପ୍ରତିମାସରେ । 

×××××××××××××××××××××××

କଲେଜରେ ପ୍ରଶାନ୍ତର ଦେଖା ହୁଏ "ଜିତା" ସାଥିରେ । ମିସ ଅପରାଜିତା ମହାନ୍ତି । ସେ ବି ପ୍ରଶାନ୍ତର ଡିପାର୍ଟମେଂଟରେ ଏଡ଼ମିଶନ ନେଇଛି । ଦେଖିବାକୁ ଭାରି ସୁନ୍ଦରୀ । ଗୋରା ତକ ତକ ଦେହ ସାଙ୍ଗକୁ ଷ୍ଟେପ କଟ ଚୁଟି ତାକୁ ବେଶ ମାନେ । ଅତ୍ୟାଧୁନିକ ପୋଷାକ, ଜିନ୍ସ, ଟପ, ବ୍ୟାଗ, ସ୍ୟାଣ୍ଡଳ, ଦାମୀ ହାତ ଘଂଟା, ଗଗଲସର ପ୍ରାଚୁର୍ଯ୍ୟରେ ଭରପୁର । କଲେଜ ଯାକ ପୁଅ ପିଲାଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ମିସ ଜିତା ମହାନ୍ତି । ମାତ୍ର ଜିତାର ଆକର୍ଷଣର କେନ୍ଦ୍ର ଯେ ପ୍ରଶାନ୍ତ । ସେଦିନ କଲେଜ ଫଙ୍କସନରେ ହଷ୍ଟେଲ ସାଙ୍ଗମାନଙ୍କର ବାଧ୍ୟବାଧକତାରେ ପ୍ରଶାନ୍ତ ଷ୍ଟେଜରେ ଲଭ ସଙ୍ଗ ଗୋଟିଏ ଶୁଣାଇଥିଲା । ତାପରେ କେତେ ଝିଅଙ୍କର ଲାଇନ ପ୍ରଶାନ୍ତର ପଛପଟେ, ସେ ନିଜେ ସୁଦ୍ଧା ଜାଣି ପାରୁ ନ ଥିଲା । ହେଲେ ଜିତା ପ୍ରତି କେମିତି ଏକ ଆକର୍ଷଣର ବଳୟ ଭିତରେ ଛନ୍ଦି ହେଇଯାଉଥିଲା ପ୍ରଶାନ୍ତ । ତାପରେ ବହିପତ୍ର, ନୋଟ୍ସର ଆଦାନ ପ୍ରଦାନ, ଜିତାର ଆସିବା ବାଟକୁ ପ୍ରଶାନ୍ତ ଚାତକ ପରି ଚାହିଁ ରହିଥିବା ଇତ୍ୟାଦି ଇତ୍ୟାଦି । ଜିତା ବି ଯତ୍ନବାନ ରହେ ପ୍ରଶାନ୍ତର ସବୁ ଇଚ୍ଛା ଓ ଅନିଚ୍ଛାକୁ । ସେଦିନ କଲେଜ ଫଙ୍କସନରେ ଜିତା କଳାରଙ୍ଗର ଏକ ସମ୍ବଲପୁରୀ ଶାଢ଼ୀ ପିନ୍ଧିଥିଲା । ସମ୍ବଲପୁରୀ ଶାଢୀ ସହିତ ଦୁଇ ଭୃଳତାର ମଧ୍ୟ ଭାଗରେ ଲାଗିଥିବା ଛୋଟ ବିନ୍ଦୀଟି ବେଶ ଆକର୍ଷଣ କରିଥିଲା ପ୍ରଶାନ୍ତକୁ ।

ଏମିତି ଦେଖୁ ଦେଖୁ କଲେଜରେ ଦୁଇ ବର୍ଷ କଟି ଯାଇଛି । ଏଇ ଦୁଇ ବର୍ଷ ଭିତରେ କେତେ ସ୍ମୃତି, କେତେ ଅନୁଭୂତି, ସ୍ନେହ ପ୍ରେମ, ରାଗରୁଷା, ଅଭିମାନକୁ ସାଉଁଟି ଆଣିଛି ପ୍ରଶାନ୍ତ । ଫାଇନାଲ ଇଅରର ଶେଷ ସେମିଷ୍ଟାର ବେଳକୁ ତାଙ୍କ ଡ଼ିପାର୍ଟମେଂଟର ଷ୍ଟଡ଼ିଟୁର ପଡିଲା କୋରାପୁଟର ଏକ ଘଞ୍ଚ ଅରଣ୍ୟ ଘେରା ପ୍ରକୃତି କୋଳକୁ । ଜିତା ଆଉ ପ୍ରଶାନ୍ତଙ୍କ ପ୍ରସ୍ତୁତି ପର୍ବ ସରିଛି । ଫିକ୍ସ ହୋଇଥିବା ତାରିଖ ଅନୁସାରେ ଗାଡି ଗଡି ଚାଲିଲା କୋରାପୁଟ ଅଭିମୁଖେ ।

ଏମିତି ଏକ ପରିବେଶ ହୁଏ ତ ପ୍ରଶାନ୍ତ ଆଉ ଜିତାକୁ ଆହୁରି ନିବିଡ଼ତର କରୁଥିଲା । ଦିନ ସାରା ଫିଲଡ଼ କାମ ସରିବା ପରେ ରାତିର ଚନ୍ଦ୍ରଲୋକରେ କେମ୍ଫ ଫାୟାର । ଶୀତ ରାତିରେ ନାଚ, ଗୀତର ଆସର ବେଶ ମତୁଆଲା କରୁଥିଲା ଦୁଇ ଜଣଙ୍କୁ । ଶୀତ ରାତିର ସେ ଦଲକାଏ ପବନରେ ଜିତାର ହୃଦୟ ଯେମିତି ଖୋଜୁଥିଲା ପ୍ରଶାନ୍ତର ସାନିଧ୍ୟ । ଅନୁରୂପ ଭାବେ ପ୍ରଶାନ୍ତର ଆବେଗ ଭରା ହୃଦୟ ମଧ୍ୟ ଖୋଜୁଥିଲା ଜିତାର ପରଶର ଉଷ୍ମତା । ଆସ୍ତେ ଆସ୍ତେ ସମସ୍ତେ ଗୋଟି ଗୋଟି ହୋଇ ତମ୍ବୁ ଭିତରକୁ ପ୍ରାୟତଃ ଚାଲିଗଲେଣି । କେବଳ ଭାବନାରେ ମସଗୁଲ ହୋଇଯାଇଥିଲେ ଦୁଇ ପ୍ରେମୀ ଯୁଗଳ । ନିରବ ନିରବରେ ଜିତାର ଆଖି ଅନେକ କିଛି ଅବ୍ୟକ୍ତ ଭାଷାକୁ ବ୍ୟକ୍ତ କରୁଥିଲା ଆଉ ପ୍ରଶାନ୍ତ ସେ ସବୁକୁ ପୁରା ଠିକ୍ ଠିକ୍ ପଢି ପାରୁଥିଲା ।

ନିଜ ଶକ୍ତ ପାପୁଲିରେ ପ୍ରଶାନ୍ତ ଜାବୁଡି ଧରିଥିଲା ଜିତାର ନରମ ପାପୁଲିଟାକୁ, ଆଉ ସେ ସ୍ପର୍ଶର ଉଷୁମ ଉତ୍ତେଜନାରେ ଶିହରି ଉଠୁଥିଲା ଜିତାର ସର୍ବାଙ୍ଗ । ଆଖିରେ ଆଖିରେ ସମର୍ଥନ କରି ପ୍ରଶାନ୍ତର ହାତ ଧରି ଟାଣି ନେଇଥିଲା ପାଖରେ ଥିବା ଏକ ଚାଷଜମିର ପତ୍ର କୁଡ଼ିଆକୁ । ଜହ୍ନରାତିର ଜୋଛନାରେ ପ୍ରେମାସିକ୍ତ ହୋଇ ପଡୁଥିଲେ ସେ ଦୁହେଁ । ଅନ୍ତସ୍ବର ବିଳାପ କରୁଥିଲା କିଛି ଗୋଟେ ପ୍ରାପ୍ତି ନିମନ୍ତେ । ପ୍ରଶାନ୍ତ ତାର ଦୁଇ ହାତ ପାପୁଲିରେ ଜିତାର ସୁନ୍ଦର ଚେହେରାକୁ ଯେତେବେଳେ ତୋଳି ଧରିଲା, ଜିତା ଲାଜକୁଳୀଲତା ପରି ଅପସରି ଯାଉଥିଲା ସେ ସ୍ପର୍ଶରେ । ସୁନ୍ଦର ଚନ୍ଦ୍ରମା ସଦୃଶ ମୁଖ ମଣ୍ଡଳରେ ହରିଣୀ ଆଖି ଦି'ଟା ଆପେ ଆପେ ମୁଦି ହୋଇ ଯାଉଥିଲା । ପ୍ରଶାନ୍ତ ଅନୁଭଵ କରୁଥିଲା ସତେ ଯେମିତି ଏଇ ଆଖି ଖୋଲିଲେ ଉଦୟ ଭାନୁର ଏକ ନୂତନ ସକାଳ ହସିହସି ପସରା ମେଳିଛି, ଆଉ ବନ୍ଦ ହେଉଥିବା ଆଖିରେ ରାତ୍ରିର ନିସ୍ତାବଧତା । ସୁନ୍ଦର ଆଖି ପତା ଉପରକୁ ଆପେ ଆପେ ଅମାନିଆ ଓଠଟା ଆଗକୁ ତାର ବଢି ଯାଇଥିଲା । ଜିତାର ମୁକୁଳା କେଶରେ ନିଜକୁ ହଜାଇ ଦେଇଥିଲା । ଆଉ ଜିତା ବି ସୁନା ପିଲାଟେ ପରି ପ୍ରଶାନ୍ତର ଗଭୀର ଛାତି ଉପରେ ମୁଣ୍ଡଟିକୁ ଆଉଜି ଦେଇ ଜୀବନର ସକଳ ସୁଖକୁ ଅନୁଭବ କରୁଥିଲା । ହଠାତ କାହାର ଡାକରେ ଦୁଇଜଣ ଚଳଚଞ୍ଚଳ ହୋଇ ପଡିଲେ । ଅନେକ ବେଳୁ ତମ୍ବୁକୁ ନ ଫେରିବାରୁ ଆବାଜ ଦେଉଥିଲା ବାନ୍ଧବୀ ସୁପ୍ରଭା ।

ତା' ପରଦିନ ଲେଉଟାଣି ବେଳ । ସମସ୍ତେ ପରସ୍ପରଠୁ ବିଦାୟ ନେଇ ଚାଲିଲେ ଘରକୁ । କିଛିଦିନ ପରେ ସେମିଷ୍ଟାରର result ବାହାରିଲା । ପ୍ରଶାନ୍ତ ଆଉ ଜିତା ଉଭୟେ ବଢିଆ result କରି ଡିପାର୍ଟମେଂଟକୁ ଗୌରବ ଆଣି ଦେଇଛନ୍ତି । 

ଦୀନବନ୍ଧୁ ବାବୁ କହିଲେ ପ୍ରଶାନ୍ତ ପୁଣି ଗୋଟିଏ ମେସରେ ରହି ଆଗକୁ ପ୍ରସାଶନିକ ସେବା ଚାକିରୀ ପାଇଁ ପ୍ରିପିଆରେସନ କରିବ । ହେଲେ ଜିତା ତା' ବାପାଙ୍କ ଗୋଟିଏ ମାତ୍ର କନ୍ୟା ସନ୍ତାନ । ପୁଣି ମାତୃହରା । ଏଣୁ ବାପା ଜିଦ କରି ବସିଲେ ତାର ବିବାହ ପାଇଁ । କାରଣ ଏତେ ସୁନ୍ଦର ସୁନ୍ଦର ପ୍ରସ୍ତାବ ଗୁଡିକ ହାତଛଡା କରିବା ପାଇଁ ସେ ଛାହୁଁ ନ ଥିଲେ । ମାତ୍ର ଜିତା ସବୁ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରୁଥିଲା । ପ୍ରଶାନ୍ତକୁ ଆଦୌ ଭୁଲି ପାରୁ ନ ଥିଲା । ଯଦିଓ ପ୍ରେମର ନିବିଡ଼ତା ଭିତରେ ତାର କୁମାରୀତ୍ବ ପ୍ରତି କୌଣସି ଆଞ୍ଚ ଆସି ନ ଥିଲା । ତଥାପି ସେ ପ୍ରଥମ ଦେଖା, ପ୍ରଥମ ଛୁଆଁରେ ସେ ଆଜି ବି ରୋମାଂଚିତ ହେଉଥିଲା । ସମ୍ପୂର୍ଣ ସମର୍ପଣର ଭାବ ଥିଲା ତା' ପ୍ରେମରେ । ତନୁମନ, ବିବେକ, ଆତ୍ମା ସବୁକୁ ସେ ସମର୍ପି ଦେଇଥିଲା ପ୍ରଶାନ୍ତକୁ । ବାକି ରହିଲା ହୃଦୟ!!! !!! ହୃଦୟଟା କ'ଣ ଏକ ପଣ୍ୟଦ୍ରବ୍ୟର ସାମଗ୍ରୀ ଯେ ତାକୁ ବାରମ୍ବାର ବିକ୍ରି କରି ହେବ ?

ଶେଷରେ ବାପା ଅନିଚ୍ଛା ସତ୍ତ୍ୱେ ରାଜି ହେଲେ । 

ନିଜର ମସ୍ତିଷ୍କର ନିକିତିରେ ତଉଲୁ ଥିଲେ, ଗୋଟେ ପଟେ ଜିତାର ଖୁସି ଆଉ ଗୋଟେ ପଟେ ଆଭିଜାତ୍ୟର ମୁଖାପିନ୍ଧା ଷ୍ଟାଟସ । ଶେଷରେ ମସ୍ତିଷ୍କର କଥା ଛାଡ଼ିଦେଇ ହୃଦୟର କଥା ଶୁଣିଲେ ଓ ଅନୁଭବ କରିଥିଲେ, ଦୁନିଆଁରେ ସନ୍ତାନର ଖୁସି ଠାରୁ ବଳି ଆଉ କୌଣସି ଜିନିଷ ମୂଲ୍ୟବାନ ନୁହେଁ ।

ପ୍ରଶାନ୍ତ ବି ରାଜି ହୋଇଥିଲା ଓ ବାପାଙ୍କ ସାମ୍ନାରେ ଛିଡା ହୋଇ ଜିତା ପ୍ରସଙ୍ଗ ଉତ୍ଥାପନ କରିଥିଲା । ତାପରେ ମନ୍ଦିରରେ ସାଙ୍ଗ ସାଥୀଙ୍କ ଉପସ୍ଥିତିରେ ଫୁଲମାଳ ଦେଇ ଏକ ନିରାଡମ୍ବର ବିବାହ ସୂତ୍ରରେ ବାନ୍ଧି ହେଲେ ଦୁହେଁ ।

ପ୍ରଶାନ୍ତଟା ବି ଭାରି ସ୍ୱାଭିମାନୀ । ସେ ଜିତା ଆଗରେ ସର୍ତ୍ତ ରଖିଲା ଯେ, ଶ୍ୱଶୁରଙ୍କ ଠାରୁ ସେ କିଛି ବି ଯୌତୁକ ସୂତ୍ରରେ ଗ୍ରହଣ କରିବ ନାହିଁ କି ଶ୍ୱଶୁର ଘରେ ଯାଇ ରହିବ ନାହିଁ । ତାର କେବଳ ଜିତା ଦରକାର । ନିଜ ବାହାଘରର ନିଷ୍ପତ୍ତି ନିଜେ ନେଇ ସେମିତି ବି ବାପାଙ୍କର ଆଦର୍ଶକୁ ତଳ କରିଛି ସେ । ଆଉ ଆଘାତ ଦେବା ପାଇଁ ଚାହୁଁ ନ ଥିଲା । ବାହାଘର କେତେଦିନ ପୂର୍ବରୁ ଭଡାଘରଟିଏ ସାଙ୍ଗମାନେ ଠିକ୍ କରିଦେଇଥିଲେ । ସେଇ ଭଡାଘରେ ନୁଆଁ ବୋହୁଟିଏ ହୋଇ ପ୍ରଥମ ପାଦ ଦେଲା ଅପରାଜିତା । ଏଇଟା ବୋଧହୁଏ ସେ ଦୁହିଁଙ୍କ ପାଇଁ ଭିନ୍ନ ଏକ ଦୁନିଆଁ । ଯେଉଁଠି କେବଳ ସ୍ନେହ, ପ୍ରେମ, ଭଲପାଇବା ନ ଥିଲା, ବରଂ ରହଥିଲା ଆଞ୍ଜୁଳା ଆଞ୍ଜୁଳା ସ୍ବପ୍ନ ଓ ସେ ସ୍ୱପ୍ନକୁ ବାସ୍ତବତାର ରୂପ ଦେବା ପାଇଁ ମୁଠା ମୁଠା ସଂଘର୍ଷ । ପ୍ରଶାନ୍ତର ଗୋଟିଏ ଲକ୍ଷ୍ୟ, ବାପାଙ୍କ ସ୍ୱପ୍ନକୁ ସେ ନିଶ୍ଚୟ ସାକାର କରିବ । ଆଉ ପ୍ରଶାନ୍ତକୁ ପ୍ରତିଷ୍ଠିତ ମଣିଷଟେ କରିବା ପାଇଁ ଜିତା ସଂଘର୍ଷ କରୁଥିଲା ନିଜ ଜୀବନ ସହିତ । ଜିତା ନିଜେ ଜଣେ ଭଲ ମେଧାବୀ ଛାତ୍ରୀ । ହେଲେ ନିଜ ସ୍ବପ୍ନ ଯେ ପ୍ରଶାନ୍ତ ସହିତ ଏକ ଡୋରୀରେ ବନ୍ଧା, ଏଣୁ ସହର ଭିତରେ ଏକ ପବ୍ଲିକ ସ୍କୁଲରେ ଶିକ୍ଷୟିତ୍ରୀ ଭାବରେ ରହିଥିଲା ସେ । ଦିନସାରା ସ୍କୁଲର ପାଠ ପଢ଼ାଇବାର ଦାୟିତ୍ବ ସହ ପବ୍ଲିକ ସ୍କୁଲର ହାରାସମେଣ୍ଟକୁ ହସିହସି ସହ୍ୟ କରି ନେଉଥିଲା, କେବଳ ପ୍ରଶାନ୍ତର ଉଜ୍ଜଳ ଭବିଷ୍ୟତ ପାଇଁ । ବାରମ୍ବାର ଏକ ସ୍ୱପ୍ନିଲ ଦୁନିଆଁରେ ଜିତା ଡେଣା ଝାଡ଼ି ନିରବ ଇଗଲଟେ ପରି ଉଡି ବୁଲୁଥିଲା ଖୁବ ଉଚ୍ଚକୁ, ଉଚ୍ଚରୁ ଆହୁରି ଉଚ୍ଚକୁ । ସେ ଠିକ୍ ଅନୁଭବ କରି ପାରୁଥିଲା ଶୋଇଥିବା ବେଳେ ଦେଖୁଥିବା ସ୍ବପ୍ନ କେବେ ସଫଳ ହୁଏ ନାହିଁ । ସେହି ସ୍ବପ୍ନ ସଫଳ ହୁଏ, ଯେଉଁ ସ୍ବପ୍ନ ନିଜକୁ ଶୋଇବାକୁ ଦିଏନାହିଁ । ଏମିତି ଏକ ସ୍ବପ୍ନରେ ବିଭୋର ଜିତା ଆଉ ପ୍ରଶାନ୍ତ ରାତିସାରା ଅନିଦ୍ରା ରହନ୍ତି, କେବଳ ନିଜ ଲକ୍ଷ୍ୟରେ ପହଂଚିବା ପାଇଁ । ପ୍ରଶାନ୍ତର ଯେଉଁଠି ଅସୁବିଧା ହୁଏ, ଜିତା ତା'ର ସମାଧାନ କରେ । ଟିଉସନ, କୋଚିଂ, ନେଟରୁ ବିଭିନ୍ନ ତଥ୍ୟ ସଂଗ୍ରହ କରେ ପ୍ରଶାନ୍ତ ପାଇଁ ।

ଜିତା ଠିକ୍ ହୃଦୟଙ୍ଗମ କରିଥିଲା ବ୍ୟକ୍ତି ଏକା ଥାଏ କିନ୍ତୁ ସଫଳ ହେବାପରେ ଦୁନିଆଁ ତା ସହିତ ଗୋଡାଏ । ଯେଉଁ ମାନଙ୍କୁ ବୁଝି ନ ପାରି ଦୁନିଆଁ ହସେ, ନିଜ ଲୋକମାନେ ପର କରିଦିଅନ୍ତି, ସେହିମାନେ ହିଁ ଇତିହାସ ରଚନା କରନ୍ତି । ଏତେ ସଂଘର୍ଷରେ ବି ଜିତା ବିଜୟର ଆତ୍ମତୃପ୍ତିଟେ ଅନୁଭବ କରୁଥିଲା । କାରଣ ଯେଉଁଠି ଆତ୍ମତୃପ୍ତି ନାହିଁ ସେଠି ବିଜୟର ସ୍ୱାଦ କାହିଁ ???

ଜାନୁଆରୀ ୨୬ ଆଉ ଚାରିଦିନ ବାକି । ସରକାରଙ୍କ ପାଖରୁ ଚିଠି ଆସିଗଲାଣି । ୨୬ ତାରିଖ ପ୍ୟାରେଡ଼ ପରେ ରାଜ୍ୟପାଳ ନିଜେ ପୁରସ୍କାର ଦେବେ ତାଙ୍କୁ ରାଜଧାନୀ ଭୁବନେଶ୍ୱରରେ । ସ୍କୁଲରୁ ଫେରି ସେ ବସି ପଡିଲେ ତାଙ୍କ ଆରାମ ଚେଆରରେ, ଟିଭିଟା ଅନ କରି । ଅନୁପମା ପାଣି ଗ୍ଲାସ ଓ ଚା' ଧରି ତାଙ୍କରି ପାଖରେ ବସିଗଲେ । ହଠାତ ଟିଭି ପରଦାରେ ଆସିଲା ବ୍ରେକିଙ୍ଗ ନିଉଜ । ଏଥର ଓଡିଶାରୁ ଚଉଦ ଜଣ IAS ପାଇଛନ୍ତି ଓ ଓଡିଶା ମାଟିକୁ ଗର୍ବିତ କରିଛନ୍ତି ।

......ଅପରାଜିତା ମହାନ୍ତି - ରେଙ୍କ ୨୩୫

.......ପ୍ରଶାନ୍ତ ମିଶ୍ର - ରେଙ୍କ ୩୧୦

ଚମକି ପଡିଲେ ଦୀନବନ୍ଧୁ, ନାଁଟି ପଢି । ବିଶ୍ୱାସ ହେଲାନାହିଁ ଆଖିକୁ । ତା' ପରେ ବିସ୍ତୃତ ସମ୍ବାଦରେ ସେ ଯେତେବେଳେ ଶୁଣିଲେ " ପ୍ରଶାନ୍ତ ମିଶ୍ର" ରାଜ୍ୟପାଳ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଆଦର୍ଶ ଶିକ୍ଷକ ଦୀନବନ୍ଧୁ ମିଶ୍ରଙ୍କ ସୁପୁତ୍ର ବୋଲି, ରୋକି ପାରିଲେନି ନିଜର ଆବେଗକୁ।ଛୋଟ ପିଲାଟି ପରି କଇଁ କଇଁ ହୋଇ କାନ୍ଦି ଉଠିଲେ। କୁଣ୍ଢେଇ ଧରିଲେ ଅନୁପମାଙ୍କୁ। ଅନୁପମାଙ୍କ ଧୈର୍ଯ୍ୟର ବନ୍ଧ ଭୁଷୁଡି ପଡିଲା। ସେ ଦୀନବନ୍ଧୁଙ୍କ ଛାତିରେ ମୁଣ୍ଡ ରଖି ଦୀର୍ଘ ଦିନର ସଞ୍ଚିତ କୋହକୁ ଉଦ୍ଗାରି ପକଉଥିଲେ ,ନବାଗତ ବସନ୍ତର ଆଗମନକୁ ସ୍ୱାଗତ କରିବା ଆଶାରେ , ବିଗତ ଶ୍ରାବଣକୁ ଝୁରି ହୋଇ ନୁହେଁ। ଅନୁରୂପ ଭାବେ ଦୀନବନ୍ଧୁ ମଧ୍ୟ ପୁଲକିତ ହେଉଥିଲେ ହଜିଯାଇଥିବା ସେଇ "ଅଭିଳାଷର ପୂର୍ଣ୍ଣତାରେ "।

    ଠିକ୍ ଏହି ସମୟରେ ଘଡଘଡ଼ ଶବ୍ଦ କରି ଅଟୋଟିଏ ଘର ସାମନାରେ ଅଟକିଲା। ଅଟୋ ଭିତରୁ ବାହାରି ଆସୁଥିଲା ସେଇ ଅଝଟ, ଅମାନିଆ ଜିଦଖୋର ପ୍ରଶାନ୍ତ ଆଉ ତାର ନବବଧୁ। ଅଗଣିତ ପ୍ରତିଯୋଗୀଙ୍କୁ ପରାଜିତ କରିଥିବା 'ଅପରାଜିତା'। ଅଟୋରୁ ବାହାରି ଦୁହେଁ ଗୋଟିଏ ସ୍ଥାନରେ ଅଟକି ଯାଇଛନ୍ତି। ବାପା, ବୋଉ, ଭୋଳା କାକା ସମସ୍ତେ ଖୁସିରେ ଆତ୍ମହରା ହୋଇ ଦଉଡି ଆସିଲା ବେଳକୁ ପ୍ରଶାନ୍ତର ପାଦ ସ୍ଥିର ହୋଇଯାଇଛି ଏବଂ ମୁଣ୍ଡପାତି ଅପରାଧୀ ଭଳି ଛିଡା ହୋଇ ପ୍ରତୀକ୍ଷା କରିଛି ବାପାଙ୍କ କାନମୁଣ୍ଡା ଆଉ ସରୁ ବେତ ବାଡ଼ିକୁ । ଦୀନବନ୍ଧୁ ଆଉ ରୋକି ପାରିଲେନି ନିଜକୁ । ବାହୁ ଦୁଇଟି ତାଙ୍କର ସ୍ପତସ୍ପୃତ ଭାବେ ପ୍ରସାରିତ ହୋଇଗଲା ପ୍ରଶାନ୍ତର ଉଦ୍ୟେଶରେ । ପ୍ରଶାନ୍ତ ବି ଆଉ ଏରୁଣ୍ଡି ନ ଡେଇଁବାର ପ୍ରତିଶୃତିକୁ ଭୁଲି ଦଉଡି ଆସିଥିଲା ବାପାଙ୍କର ସେଇ ବଳିଷ୍ଠ ବାହୁ ବନ୍ଧନରେ ଆବଦ୍ଧ ହେବାକୁ । ହେଲେ ଅପରାଜିତା ??? ତାର ସ୍ଥାନ କେଉଁଠି ??? ଛିଡା ହୋଇଛି ସ୍ଥାଣୁ ଭଳି, ଆଗକୁ ବଢିବାର ସାହାସ ନାହିଁ । ନିଜେ ଦୀନବନ୍ଧୁ ବଢିଲେ ଆଗକୁ । ପାଦ ତଳେ ପଡୁଥିବା ଜିତାକୁ କୋଳେଇ ନେଲେ । ଏତେ ଦିନ ପରେ କନ୍ୟା ସନ୍ତାନର ଅଭାବକୁ ଆଶ୍ଳେଷି ନେଉଥିଲେ । 

ଭଗବାନଙ୍କ ଉଦ୍ୟେଶରେ ମନେ ମନେ ହାତ ଯୋଡୁଥିଲେ, ଦୀନବନ୍ଧୁ । ନାରୀ ମନର ଆତ୍ମବିଶ୍ୱାସକୁ ସଲାମ କରୁଥିଲେ । ସେ "ଅପରାଜିତା" । ଜୀବନଠୁ ଯିଏ କେବେ ହାରିବାର ପରିଭାଷା ଶିଖିନି । ନିଜ ନାମର ସାର୍ଥକତା ପ୍ରତିପାଦନ କରିପାରିଛି ।

ପ୍ରେମିକା ଠାରୁ ସହଧାର୍ମିଣୀ ସାଜି ନିଜେ ସ୍ବପ୍ନ ଦେଖିବା ସହ ପ୍ରଶାନ୍ତକୁ ସ୍ବପ୍ନ ଦେଖାଇଛି ଆଉ ସେସବୁକୁ ସାକାର କରିବାର ସାମର୍ଥ୍ୟ ମଧ୍ୟ ପ୍ରତିପାଦନ କରିଛି। ନାରୀର ଏହି ପ୍ରେମିକା ରୂପଟି ଅପୂର୍ବ ଦୀପ୍ତି ଓ ଦ୍ୟୁତିର ଅଧିକାରିଣୀ । ନାରୀ ପ୍ରେମର ଏହି ଚିରନ୍ତନ ଆଦର୍ଶ ମହାସମୁଦ୍ର ପରି ଗଭୀର । ତାର ସେ ଗଭୀରତା ଭିତରେ ପ୍ରଶାନ୍ତ ହଜିଯାଇଛି। ଆଉ ସେ ହଜିବା ହଜେଇବା ଭିତରେ ଦୀନବନ୍ଧୁ ପାଇଯାଇଛନ୍ତି ଅନେକ କିଛି........

ନିଉଜ ସରକାରଙ୍କ ଦୀନବନ୍ଧୁ ମିଶ୍ର

Rate the content


Originality
Flow
Language
Cover design

Comments

Post

Some text some message..