ସ୍ବାଧୀନତା
ସ୍ବାଧୀନତା
ବିଟଳ ସ୍କୁଲରୁ ଫେରି ମାକୁ କହିଲା ମା…କାଲି ସ୍ୱାଧୀନତା ଦିବସ ସ୍କୁଲକୁ ସଫାପୋଷାକ ପିନ୍ଧି ଯିବିପାଇଁ ସାର କହିଛନ୍ତି। ମା ହଁ କହିଲା ପରେ ବିଟଳ ପୁଣି ପଚାରିଲା ମା.. ସ୍ୱାଧୀନତା ଦିବସ କହିଁକି ପାଳନ କରାଯାଏ।ବିଟଲର ପ୍ରଶ୍ନର ଉତ୍ତର ମାଙ୍କ ପଖରେ ନଥିଲା କହିଲେ ମୁଁ ତ ମୁରୁଖ ଲୋକ କଣ କହିପାରିବି,ତୁ ସାରଙ୍କୁ ପଚାରିବୁ ଯେ ସେ କହିଦେବେ।
ବିଟଳ ଗୋଟାଏ ସରକାରୀ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର।ମା ସାବି ପରଘରେ ବାସନ ମାଜେ,ବାପା ସନାବାବୁଘର ଟ୍ରଲି ଚଲାଏ । ସ୍ଥାନୀୟ ବସ୍ତିରେ ଗୋଟିଏ ଖୋଲି ନେଇ ଚାରି ପୁଅ ଝିଅ ସହ ସେମାନେ ରୁହନ୍ତି । ବିଟଳ ବଡ଼ପୁଅ ,ତାତଳେ ଦୁଇ ଝିଅ ଓ ଶେଷରେପୁଅ । ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ଯେତିକି ରୋଜଗାର କରନ୍ତି ସେଥିରେ ଛଅ ପ୍ରାଣୀ କୁଟୁମ୍ବ ବହୁକଷ୍ଟରେ ଚଳାନ୍ତି ।
ପରଦିନ ସକାଳୁ ବିଟଳ ଗାଧେଇ ପରିଷ୍କାର ପୋଷାକ ପିନ୍ଧି ଦୁଇ ଭଉଣୀ ସହ ସ୍କୁଲକୁ ଗଲା।ସେଠାରେ ପତକା ଉତ୍ତୋଳନ, ଜାତୀୟ ସଙ୍ଗୀତ ଗାନ,ସ୍ଲୋଗାନ କହିବା ପରେ ପ୍ରଧାନ ଶିକ୍ଷକ ଭାଷଣ ଦେଲେ।ସେଦିନ ସେ ଭାଷଣକୁ ମନଦେଇ ଶୁଣିଲା ।ଭାଷଣର ସାରାଂଶ ଯାହା ବୁଝିଲା ଆମଦେଶକୁ ଇଂଗ୍ରେଜମାନେ ଶାସନ କରୁଥିଲେ।ଆମକୁ ସେମାନେ ଗୋଲାମ କରି ରଖିଥିଲେ ।ଆମକୁ ଖଟାଇବା ସହ ଅକଥନୀୟ ଅତ୍ୟାଚାର କରୁଥିଲେ। ତାଙ୍କ କବଳରୁ ମୁକ୍ତି ପାଇଁ ଆମଦେଶର ମହାପୁରୁଷ ମାନେ ଆନ୍ଦୋଳନ କରି୧୯୪୭ମସିହା ଅଗଷ୍ଟ ୧୫ର ଭାରତକୁ ସ୍ୱାଧୀନ କରିଥିଲେ। ସେଇଦିନଟିକୁ ଆମେ ପ୍ରତ୍ୟକ ବର୍ଷ ସ୍ୱାଧୀନତା ଦିବସ ଭାବେ ପାଳନକରୁଛୁ।ପ୍ରଭାତ ଫେରି ସରିଲା ପରେଦୁଇଟି ଲେଖାଏଁ ବୁନ୍ଦିଆ ଲଡୁ ସେମାନଙ୍କୁ ଦିଆଗଲା।ଯେଉଁ ଟିଥିଲା ପିଲାଙ୍କ ପାଇଁ ମୁଖ୍ୟ ଆକର୍ଷଣ।
ସେଦିନ କିନ୍ତୁ ଲଡୁଦୁଇଟି ତାକୁ ପୂର୍ବଥର ଭଳି ଆନନ୍ଦ ଦେଇପାରିନଥିଲା।ସ୍ୱାଧୀନତାର ଅର୍ଥ ସେ ଠିକ ଭାବରେ ବୁଝିପାରୁନଥିଲା।ତାର ମନେପଡୁଛି ବାବୁଘର ମାଆ କୋଉଠି ସୁନାହାର ହଜାଇଲେ କିନ୍ତୁ ପୁଲିସ ବାନ୍ଧିନେଲା ତା ମାକୁ।ଚାରି ଦିନ ଥାନାରେ ରହିବା ପରେ ବହୁକଷ୍ଟରେ ସେମାନେ ବାବୁଙ୍କ ଗୋଡହାତ ଧରି କନ୍ଦାକଟା କରିବାରୁ ,ବାବୁତାକୁ ଥାନାରୁ ଆଣିଲେ। ଚୋରଣୀ ଅପବାଦରେ ମାଆ ଲାଜରେ କେତେଦିନ ଘରୁ ବାହାରିଲାନି।ବାପାର ଦେହଖରାପ ଥିବାରୁ ଟ୍ରଲି ଭଡା ନେଇ ଯାଇ ପାରିଲା ନାହିଁ, ମାଲିକ ଆସି କାମଚୋର ଠକ ଇତ୍ୟାଦି ଗାଳିଦେଲା ଟ୍ରଲି ନେଇ ଯିବାର ଧମକ ମଧ୍ୟ ଦେଲା।
କିଛି ଦୋଷ ନଥିଲେ ମଧ୍ୟ ଗାଳିସହିବାକୁ ପଡେ।ଏହା କଣ ଅତ୍ୟାଚାର ନୁହେଁ ।ମାଆ ବାବୁ ଘରମାନଙ୍କରୁ ଯେଉଁ ବଳକା ଖାଦ୍ୟ ଆଣେ ତାକୁ ଖାଇଲେ ଲାଗେ ସେପରି ଖାଦ୍ୟ ତାଙ୍କ ଘରେ ଦିନେ କାଳେ ହୁଏନା। ନୂଆ ପୋଷାକ ତ ତାଙ୍କ ଦେହ ଦେଖିନାହିଁ। ବାବୁଘରପିଲାଙ୍କ ପୁରୁଣା ପୋଷାକ ସେମାନଙ୍କ ପାଇଁ ନୂଆ।
ସେ ଦେଖିଛି ବସ୍ତି ପାଖରେ କଲୋନୀର ବଡଘର ପିଲାମାନେ ରଙ୍ଗବେରଙ୍ଗ ନୂଆ ପୋଷାକ ସବୁଦିନପିନ୍ଧନ୍ତି।ବଡବଡ ଗାଡିରେ ବୁଲନ୍ତି,ସବୁଦିନ ହୋଟେଲରେ ଖାଆନ୍ତି।ସବୁଦିନ ସେମାନେ ପର୍ବ ପାଳନକରନ୍ତି।ସେତେବେଳେ ତାକୁ ଲାଗିଲା ଲଡୁ ଦୁଇଟି ତାକୁ ଚାହିଁ ହସି କହୁଛନ୍ତି ତମ ଭାଗ୍ୟରେ ଏତିକି।ସେସବୁ ତୁମପାଇଁ ନୁହେଁ।ଏତିକି ଖାଇ ନିଜକୁ ସ୍ୱାଧୀନ ବୋଲି ଭାବି ସନ୍ତୁଷ୍ଟ ରୁହ ।ଅଧିକ ଆଶାକଲେ କେବଳ ଦୁଃଖ ହିଁ ପାଇବ। ବିଟଳ ରାଗରେ ଲଡୁ ଦୁଇଟିକୁ ଫୋପାଡ଼ି ଦେଇ ଘରମୁହାଁ ଧାଇଁଲା।