Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rakesh Ranjan

Others

2  

Rakesh Ranjan

Others

ଜଣେ ସାଧାରଣ ଲୋକର ପ୍ରେମ

ଜଣେ ସାଧାରଣ ଲୋକର ପ୍ରେମ

5 mins
501


ସେ କହିଲା , ସାର ନମସ୍କାର ।

ମୁଁ ଚୁପ ରହିଲି ତିରିଶ ସେକେଣ୍ଡ ।ଦେଖିଲି ପାଞ୍ଚ ଫୁଟ ଚାରି ଇଞ୍ଚ ର ଝିଅ ହବ ।ବୟସ କୋଡିଏ ରୁ ପଚିଶ ଭିତରେ ।

ମସ୍ତ (ମନେ ମନେ କହିଲି ) ,ତାର କୋଣାର୍କ ଦେଖିଲା ପରେ ।

କହଲି ନମସ୍କାର ।ଓଠରେ ମୋର ସେହି ପ୍ରାଚୀନତମ ହସ ।ଯେଉଁ ହସରେ ଆଜିଯାଏ ସବୁ ସୁନ୍ଦରୀ ବିସର୍ଜନ କରିଛନ୍ତି ନିଜକୁ କେଉଁ ଅଭିନେତା(ପ୍ରେମିକ ଆଉ ଅଭିନେତା ଭିତରେ କିଛି ଫରକ ଥାଏକି) ଆଖିରେ (ଛାତିରେ) ।

ଆମ ଅଫିସ ର ନୂଆ ରିସେପସନିଷ୍ଟ ।ଭାବନ୍ତୁ ତାର ନାଁ ସୁନୟନା କି ନିଷ୍ଠା ,ଏମିତି କିଛି ।

ମୋର ସ୍ତ୍ରୀ କଥା ଶୁଣନ୍ତୁ ।ମୋ ସ୍ତ୍ରୀ ଟା ଗୋଟେ ଵୋକି ।ଆପଣ ସରଳ କହିପାରନ୍ତି । ପ୍ରାୟ ଦେଢ଼ ବର୍ଷ ତଳେ ଶୀତ ଦିନେ ବାହାଘର ହେଇଥିଲା ।ଦୁଇ ମାସ ହେଲା ଗାଁ ରେ ଛାଡିକି ଆସିଛି।ତାର ଏବେ ଯତ୍ନ ଦରକାର ।

ମୋର ???

ମୁଁ ବୋକା ନୁହଁ ।ହେ ହେ ।କାହାକୁ ବିବାହିତ ବୋଲି କହିନି ।

କୋଉଠି ଚାକିରୀ କରେ ଲେଖିନି ଫେସବୂକ ରେ ।ଜନ୍ମ ତାରିଖ ଲେଖିନି ।ଫୋଟୋ ଛାଡିନି ସ୍ତ୍ରୀ ସାଙ୍ଗରେ ।ଅତଏବ ମୁଁ ବ୍ୟାଚଲର । ସବୁ ଦିନ ।ମୋର ପ୍ରକୃତ ଠିକଣା କାହାକୁ ଜଣା ନାହିଁ ଏ ସହରରେ ।କୋଉ ଚାକିରୀ କରୁଛି କହିବିନି ।ଆପଣ ଭାବନ୍ତୁ କେଉଁ ଗୋଟେ ବ୍ୟବସାୟ ଜନିତ ସଂସ୍ଥାରେ କି କେଉଁ ଗୋଟେ ଷ୍ଟୁଡିଓ ରେ ଚିତ୍ରଶିଳ୍ପୀ ।ଯେଉଁଠି ମତେ ଆଙ୍କିବାକୁ ପଡେ ଗୋଟେ ସୁନ୍ଦରୀ, ଯାହା ଭଳି କେହି ନାହିଁ ଆମ ସହରରେ ।କଣ ତମ ଓଠର ରଙ୍ଗ ମିଛ ନୁହଁ ?କି ତମ ମୁହଁ ର ଗୋରାପଣ ?କି ଭାବନ୍ତୁ ମୁଁ ଗୋଟେ ସାମ୍ବାଦିକ କି ଇଂସୁରାନ୍ସ ଏଜେଣ୍ଟ କି ଓକିଲ କି ଗୋଟେ କବି । ମତେ ତୁଚ୍ଛା ମିଛ କହିବାକୁ ପଡେ ।ବ୍ୟବସାୟ ଆଉ ପ୍ରେମ ମାନେ ତ ମିଛ.... ନୁହେଁ ??।ମିଛ କହିବାକୁ ପଡେ ପେଟ ପାଇଁ, ଓଠ ପାଇଁ ।ସବୁ ଲୋକ ମିଛ କୁହନ୍ତି ।କେତିକି ମିଛ କହିବା ଠିକ ?କେତିକି କହିବା ଭୁଲ ?ସବୁ ଲୋକ ନିଜ ଦରକାର ହେଲେ ମିଛ କୁହନ୍ତି ।ମୁଁ ବି କହେ।ଆପଣ ନିଜକୁ ମୋ ଠୁ ଶ୍ରେଷ୍ଠ ଭାବୁଥିବେ ।ହା ହା ।

ଯଦି ଚିତ୍ରକର ହୁଏ ,ସେ ମୋର ଗୋଟେ ସରଳ (ଵୋକି କୁହନ୍ତୁନି) ନାରୀ ଚିତ୍ରର ଜୀବନ୍ତ ରୂପ,ଶାନ୍ତ । ମୁଁ ତାକୁ ଦେଖେ ।କିଛି କହେନି ।ମୋ ଓଠରେ ଥାଏ ସେହି ପ୍ରାଚୀନତମ ହସ ।ମୋ ଆଖିରେ ସେହି ସ୍ଥିର ଚାହାଣି ।ଶାନ୍ତ ।ଅଫିସ ର ସବୁ ଲୋକ କଥା ହୁଅନ୍ତି ତା ସହ କିଛି କିଛି।ମୁଁ କିଛି କହିନଥିଲି ମାସେ ଯାଏ ।ମାନେ ମୁଁ ଶସ୍ତା ନୁହେଁ । ଶଳା ସବୁ ଏଠି ଶସ୍ତା ।ସେଇ ରାଓ ବାବୁ ବି ।ଯାହାର ଉଚ୍ଚତା ଛଅ ଫୁଟ ।

ନାରୀ ଟା ସଫଳତା ଭଳି ।ଅବହେଳା କଲେ ମିଳିବ ନିଶ୍ଚୟ ।ମୁଁ ଖାଲି ଦେଖେ ତିରିଶ ସେକେଣ୍ଡ ତା ଆଖିକୁ ।ଆଖି କୁହନ୍ତୁ ବା ଅଂଶୁପା ହ୍ରଦ,ମଧୁର ହେଇଥିବ ତା ଲୁହ ,ନିଶ୍ଚୟ ।ସେ ମୁହଁ ତଳକୁ କରିଦିଏ ।ମୁଁ ତା ଓଠ କୁ ଦେଖେ। ଯାହାର ରଙ୍ଗ ମିଛ । ହେଉ ତେବେ ସତ୍ୟର ସନ୍ଧାନ ।ଶାନ୍ତିର, କି ପରମ ଶାନ୍ତି ର ।ସବୁ ଗୁଣୀ ଜ୍ଞାନୀ ମାନେ କହିଛନ୍ତି ବନ୍ଧନ ମାନେ ହିଁ ମିଥ୍ୟା ।ଆପଣ କି ମୁଁ ତାକୁ କେହି ଅବମାନନା କରିପାରିବେନି ।

ମୁଁ ସିଗାରେଟ ଟାଣେ ।ମଦ ପିଏ ।ମାଂସ ଖାଏ।କିନ୍ତୁ ସବୁ ଜାଣନ୍ତି ମୁଁ ଭେଜିଟାରିଆନ ।କୋଉ ସାଙ୍ଗ ଯେତେ ବାଧ୍ୟ କଲେ ବି ପିଏନି ।ମତେ ଏମିତି ଜୀବନ ପସନ୍ଦ।ସବୁ ଲୋକ ନିଜ ବିଷୟରେ ଅନେକ କଥା ଲୁଚାନ୍ତି । ମୁଁ ବି ଚାରି ପାଞ୍ଚଟା କଥା ଲୁଚେଇଦିଏ ।ଆପଣ ଏଗୁଡା ଲୁଚାନ୍ତିନି ବୋଲି ଭାବନ୍ତୁନି ଆପଣ ମହାପୁରୁଷ ।ଆଜି ଯାଏ ସବୁ ଦିନ ଏକା ପିଇଛି ।ମୋର କେହି ଅନ୍ତରଙ୍ଗ ବନ୍ଧୁ ନାହାନ୍ତି ।ବନ୍ଧୁ କଣ କେବେ ଅନ୍ତରଙ୍ଗ ଥାଆନ୍ତି ?ଯିଏ ଆମର କାମରେ ଆସେନା, ସେମିତି ବନ୍ଧୁ ସଂଖ୍ୟା କମ ।

ପ୍ରେମିକା ?ସ୍ତ୍ରୀ କଣ ଅନ୍ତରଙ୍ଗ ?ସେ ରାଧା ବି ହେଇପାରେ ....ମୋତେ ଚନ୍ଦ୍ରସେନା ର ମିଛ ଆରୋପ ଲଗେଇ ।ଦୁନିଆର ସବୁ ମିଛୁଆ କୃଷ୍ଣ ତାଙ୍କୁ ଭଗବାନ ଲାଗନ୍ତି, ସବୁ ଗଛ କଦମ୍ବ ।ହଁ ଆଜିକାଲି ର ହୋଟେଲ ସବୁ କୃଷ୍ଣ ଙ୍କ ଉଆସ ଠୁ ବେଟର ।ମଡର୍ଣ୍ଣ ।

ମାତେ ଅନ୍ଧକାର ଭଲ ଲାଗେ ।ମତେ ଅନ୍ଧକାରରେ ସବୁ ସ୍ପଷ୍ଟ ଦେଖାଯାଏ ।ଆଲୋକ କଣ କେବେ ସୁନ୍ଦର ? ତାରା ଜହ୍ନ ଆକାଶ ସବୁ ତ ଦେଖାଯାନ୍ତି ଅନ୍ଧକାରରେ ।ତାର ଆଖିର ଅନ୍ଧକାର ଦେଖୁ ଦେଖୁ ପଚାରିଲି ତା ନାଁ ।ତା ମୁହଁରେ ଉଚ୍ଛନ୍ନତା ।ଘର ? ତା ସହ ସେଦିନ ଗଲି ମେଟ୍ରୋ ଷ୍ଟେସନ ଯାଏ,ରିକ୍ସା ରେ ତାର ବାହୁରେ ମୋ ବାହୁ ଲାଗିଯାଇଥିଲା ଚାରି ପାଞ୍ଚ ଥର ।ସେଇ ସବୁ ହମ୍ପସ ମାନଙ୍କୁ ଧନ୍ୟବାଦ ।ହ୍ୟାଣ୍ଡଶେକ କଲି ।ଶକ୍ତ ।

ତା ପରଦିନ ଚା ।କଫି ।ଜଳଖିଆ । ସକାଳେ ସେଇ ଦୃଢ ହ୍ୟାଣ୍ଡଶେକ । ସେଇ ପ୍ରାଚୀନତମ ହସ ।ନିରାବତାର ଚାହାଣି ,ମୁରୁକି ହସ ।ସେ ପଚାରିଲା ମୋ ବିଷୟରେ ? କହିଲି, ଚାଲୁଛି ଏକା ।ଆପଣ ଆସିଲେ ଖୁସି ହେବି ।....ସନ୍ଧ୍ୟାରେ ବସିଲି ପାର୍କରେ ।କହିଲା ତା ବିଷୟରେ ତାର ସଂଙ୍ଘର୍ଷ,କିଛି ଦୁଃଖ।ପବନ ବହୁଥିଲା ।ସନ୍ଧ୍ୟା ହେଇ ଆସୁଥିଲା ।ତାର ହାତ ଧରିଲି ମୋ ହାତ ମୁଠାରେ।ସେଇ ନୀରବତା ।ସେ କିଛି କହିଲାନି ।ହାତ ଟାଣିଲାନି ।ମୁଁ ବି ଛାଡିନଥିଲି ।ମୋ କାନ୍ଧରେ ତାର ମୁଣ୍ଡ ଲଦିଦେଲା ।ତାକୁ ଆଶ୍ୱାସନା ଦେଲି ।କଲି ମୃଦୁ ଆଲିଙ୍ଗନ ।ମୁଁ ପ୍ରେମିକ ହେଲି ଆଉ ଥରେ ।ସବୁ ପ୍ରେମିକଙ୍କ ପରି ।ତାକୁ ଭଲ ପାଇଲି।ଗୋଲାପ ଦେଲି ।ଖୁସି ହେଲା ।

ଶନିବାର ସନ୍ଧ୍ୟା ।ସିନେମା ହଲ ର ଝାପ୍ସା ଅନ୍ଧକାର ।ସେଇ ଅନ୍ଧକାର ଯାହାକୁ ମୁଁ ଭଲପାଏ ।ତା କାନ୍ଧରେ ମୋ ହାତ ।ମୋ ଛାତି କୁ ଆଉଜି ସେ ଦେଖୁଥିଲା ଶାହରୁଖ ର ଦୃଢ ଆଲିଙ୍ଗନ ।ମୋର ହିରୋଇନ ଙ୍କ ନାଁ ମନେ ରହେନି ।ଆଲିଙ୍ଗନ ହେଲା ଦୃଢ ।ସେଇ ଉଷ୍ମତାର ସ୍ପର୍ଶ ।ଯାହା ଯୋଗୁଁ ଦଶ ବର୍ଷ ର ଜେଲ, ଫାଶୀ କୁ ହେୟଜ୍ଞାନ କରନ୍ତି ଧର୍ଷଣକାରୀ ।ସେଇ ପ୍ରେମିକର ସ୍ପର୍ଶ ।ଯାହା ଯୋଗୁ ସ୍ୱାମୀ କୁ ହତ୍ୟା କରେ ସ୍ତ୍ରୀର ପ୍ରେମିକ ।ସ୍ତ୍ରୀ କୁ ଛାଡପତ୍ର ଦିଏ ସ୍ୱାମୀ ।ସମାଜ କହେ ପରକୀୟା ।ସେମାନେ କୁହନ୍ତି ପ୍ରେମ ।

ସେଦିନ ରାତିରେ ଆମ ହୋଟେଲ ରୁମ ଝରକା ପାଖରେ ଜହ୍ନ । ସେ ଆଉ ମୁଁ ।ବାସ...।ମୁଁ ତାକୁ ଭଲ ପାଉଥିଲି ।ସେ ବି ।ଆମର ପ୍ରଥମ ନିବିଡ଼ତା ।ସବୁ ସ୍ମୃତିକୁ ସାଇତି ରଖିବାକୁ ହବ ବିଶ୍ୱାସର ସିନ୍ଧୁକରେ ।ସାରା ଜୀବନ ଏକାଠି ବିତେଇବା ।ଆଜି ପ୍ରଥମ ।ମିଳନ ର ସବୁ ପର୍ବ କୁ ସାଇତି ରଖିବା ଜରୁରୀ ।ଦେହର ସବୁ ଆବେଗକୁ ,ବ୍ୟାକୁଳତାକୁ ,ଯେହେତୁ ପ୍ରଥମ । ମୋ ମୋବାଇଲ ପରଦାରେ ତାର ସୌନ୍ଦର୍ଯ୍ୟ ଓ ଆମର ମିଳନ ପର୍ବ ହେବ ମୋର ନିସଙ୍ଗତା ର ସାକ୍ଷୀ ।ଦେଲା ସେ ମୋ ଉପରେ ତାର ସମ୍ପୂର୍ଣ ବିଶ୍ୱାସର ପ୍ରମାଣ ।

ଦିନ ପରେ ଦିନ । ତିନି ମାସ,ଚାରି ମାସ ର ଅନ୍ତରଙ୍ଗତା ,ନିବିଡରୁ ନିବିଡତମ ।ଦିନେ ସବୁ ବିଭ୍ରାଟ କଲା ମୋ ସ୍ତ୍ରୀ ର ଫୋନ ।ଭୁଲ ହେଇଗଲା ଶଳା ।ଧେତ ।ଦୁଇ ଜଣଙ୍କର ସନ୍ଦେହ ।ତାପରେ ତାର ବିଶ୍ଵରୂପ ।ମୋର ସେଇ ନୀରବତା ।ଖାଲି କହିଲି, ଭଲପାଏ ତୁମକୁ ।ଆଉ ନଥିଲା ଉପାୟ । ଶୁଣିଲାନି । ମାସେ ପରେ ଆମ ଅଫିସରୁ ଚାକିରୀ ଛାଡିଲା ।ବହୁତ ଡାକିଲି ଆସିଲାନି ।ଧମକ ଦେଲି ।ବ୍ଲକ କଲା ମୋ ନମ୍ବର ।ଏବେ ମୋର ସେଇ ନିସଙ୍ଗତା ।କଣ ଭାବିଛି କି ସେ ମତେ ।ଧୋକାବାଜ ଝିଅ ଶଳା।ଏମିତି କରିବା ତାର ନିହାତି ଭୁଲ ।ମୋ ପ୍ରେମକୁ ବୁଝିପାରିଲାନି ।ହଉ।ଯାଉ ।

ଦୁଇ ମାସ ବିତି ଯାଇଥିଲା ।ଆମ ଅଫିସ ରୁ ଶୁଣିଲି ତାର ଭିଡିଓ ।ଫୁସଫାସ ହଉଥିଲେ । ହା ହା ।କଣ ଭାବୁଛନ୍ତି ?ମୁଁ ବୋକା ନୁହଁ ।ଆରମ୍ଭରୁ କହିଛି ।ସେ ଆତ୍ମହତ୍ୟା କରିଥିଲା ତା ପରେ।ମତେ ଦୁଃଖ ହେଲା ଟିକେ ।ତାର ଏମିତି କରିବାଟା ଠିକ ନଥିଲା ।କେତେ ଝିଅଙ୍କର ଭିଡିଓ ଭାଇରଲ ହେବା ପରେ ବି ବଞ୍ଚୁଛନ୍ତି ନା ନାହିଁ ।ଦୁର୍ବଳ ମାନସିକତା । ହଉ ।ଯାହା ହେଲେ ବି ପ୍ରେମିକା ଥିଲା ।ଛାଡ ।ଜୀବନଟା ଏମିତି।ସବୁ ଜିନିଷକୁ ସିରିଅସ ନେଲେ ଚଳି ହବନି ।ସିରିଅସନେସ ଇଜ ଏ ଡିଜିଜ । ଗାଁ କୁ ଆସିଲି ।ମୋ ସ୍ତ୍ରୀ କୁ ଟିକିନିଖି ପଚାରିଥିଲି ତାର ନିଜର ଯତ୍ନ ନଉଚିକି ନାହିଁ ।ମୋ ଜନ୍ମ ଜନ୍ମର ସାଥି ।ରାତିରେ ତାର ଆଖି ପତାରେ ଚୁମା ଦେଲି ଅନେକ ।ବିଶ୍ୱାସ ଗୁଡିକ ତାର ଫୁଟି ଗୁଡିକ ବାହାରୁଥିଲା ଯେମିତି ।ସନ୍ଦେହ ଦୂର ହେଇଥିଲା ସବୁ ମୋ ସ୍ନେହରେ । ସେ ମତେ ଖୁବ ଭଲ ପାଏ ।ମୁଁ ବି ।

କଣ ଭାବୁଛନ୍ତି ??ମୋତେ ଜେଲ ପଠେଇବେ ? ହା ହା ।କେମିତି ଜାଣିବେ ମୁଁ କିଏ ? ମୁଁ ସିଏ ଯିଏ ମନ୍ଦିର ଦେଖିଲେ ମୁଣ୍ଡିଆ ମାରେ ।ଟ୍ରେନରେ ଗଲା ବେଳେ ଦୁର୍ନୀତି ଗ୍ରସ୍ତ ସରକାରଙ୍କୁ ସମାଲୋଚନା କରେ। ମୁ ସିଏ ଯିଏ ବସ ରେ ଗଲା ବେଳେ ମହିଳାଙ୍କୁ ସମ୍ମାନ ଦେଇ ସିଟ ଛାଡିଦିଏ ।ସଭାରେ ତାଳି ମାରେ ।

ଧର୍ଷଣ ହେଲେ ଫେସବୂକ ରେ ମନ ଦୁଃଖ କରେ।ମୋର ବି ଛୁଆ ଅଛି ।ତାକୁ ନୀତିଶିକ୍ଷା ଦିଏ । ମୋ ମୁହଁ ଠିକ ସେଇ ଭଳି ।ମୁଁ ସେହି ସାଧାରଣ ଲୋକ


Rate this content
Log in