Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABHAYA KUMAR PRADHAN

Inspirational Others

4.7  

ABHAYA KUMAR PRADHAN

Inspirational Others

ମନିଅର୍ଡର

ମନିଅର୍ଡର

6 mins
858


ଦୁଇ ମାସ ହେଇଗଲାଣି । ଘରୁ ମନିଅର୍ଡ଼ର, ଚିଠି କି ଖବର କିଛି ଆସୁନି । ଆଇଟିଆଇ ହଷ୍ଟେଲ୍ ରୁମ୍ ଟା ବନ୍ଦୀଶାଳା ଭଳି ଲାଗୁଛି । ମନଟା ଖୁବ୍ ବ୍ୟସ୍ତ ଓ ବିବ୍ରତ । ମୁଢ଼ି ଟିଣର ଖୋଲାଥିବା ଢାଙ୍କୁଣି ଇସାରା କରୁଛି କେବେଠୁ ମୁଢ଼ି ସରିଗଲାଣି । ମନିପର୍ସ ବିଲକୁଲ୍ ଫାଙ୍କା, ଯାହା ଖାଲି ଗୋଟିଏ ଖଡ଼ଖଡ଼ିଆ ଦି'ଟଙ୍କିଆ ନୋଟଟିଏ ପଡ଼ିଛି । ୧୯୯୫ରେ ଟଙ୍କାର ମୂଲ୍ୟ ଯାହା, ଏହି ନୋଟଟି ନିହାତି ଅସୁବିଧା ବେଳେ ମୋର ଏକମାତ୍ର ସମ୍ବଳ । ଗତମାସର ମେସିଙ୍ଗ୍ ଟଙ୍କା ଦେଇନି ବୋଲି ଦୁଇଦିନ ହେଲା ମେସ୍ ମେନେଜର ମିଲ୍ ବନ୍ଦ କରିଦେଲେଣି । ରୁମ୍ ମେଟ୍ (ଜଗନ୍ନାଥ)କୁ ଦରପେଟା ରଖି ଜୀବନ ବଞ୍ଚାଇବା ଭିନ୍ନ ଆଉକିଛି ଚାରା ନାହିଁ । ସପ୍ତାହେ ହେଲାଣି ପ୍ରତିଦିନ ଅଫିସ୍ କାନ୍ଥରେ ଟଙ୍ଗାଯାଇଥିବା ଚିଠି ବାକ୍ସରେ ହାତପୁରାଇ ତନ୍ନତନ୍ନ କରି ଅଣ୍ଡାଳୁଛି...ପ୍ରତ୍ଯେକ ଚିଠିର ପ୍ରାପ୍ତକଙ୍କ ନାମକୁ ବାରମ୍ବାର ପଢୁଛି, କାଳେ ମୋ ନାମରେ ଚିଠିଟେ ଥିବକି ! ଓଃ କେବଳ ନିରାଶା ।

ପରୀକ୍ଷା ଆଉ ମାସଟିଏ ରହିଲା । ବାକିଥିବା ସବୁ ଥିଓରି ଓ ପ୍ରାକ୍ଟିକାଲ ଏଇ ମାସରେ ସରିବ । ସାର୍ ଙ୍କ କଡ଼ା ତାଗିଦ୍ ...ଏଇ ମାସର ପ୍ରାକ୍ଟିକାଲ୍ କର୍ମକୁଶଳତା ଆଧାରରେ ଇଣ୍ଟରନାଲ୍ ମାର୍କ ମିଳିବ । ଘରକୁ ଯିବାକୁ ବେଳ ନାହିଁ ।

ବିନା ଜଳଖିଆ, ଅଧା ମିଲ୍ କେବେଠୁ ହଜମ ହେଇ ସାରିଲାଣି । ପେଟରେ ମୂଷା ଦୌଡୁଛି । ଟ୍ୟାପ୍ ରୁ ଦୁଇଥର ଫୁଲ୍ ଦୁଇ ଗ୍ଲାସ୍ ପାଣି ପିଇସାରିଥିଲେ ବି ହାତୁଡ଼ି ଉଠେଇବାକୁ ବଳ ପାଉନି । ଅନ୍ୟମନସ୍କତାରେ ଛେଣି ବାଜି ଆଙ୍ଗୁଳି ଖଣ୍ଡିଆ । ସାରା ଦିନର ଅକ୍ଳାନ୍ତ ପରିଶ୍ରମ, ମୁଣ୍ଡଟା ଘୁରେଇ ଦଉଛି । ନାଁ, ଆଉ ପାରିବିନି । ଟିକେ ବସିପଡିବା । ଆଜି କ'ଣ ଘଣ୍ଟାଟା ଘୁରୁନି କି ! ଜମାରୁ ତିନିଟା ବାଜିଛି, ଛୁଟି ହେବାକୁ ଆହୁରି ଦୁଇ ଘଣ୍ଟା ବାକି । "ସାର୍ ଡାକୁଛନ୍ତି" ସହପାଠୀ ରମେଶର ଡାକଶୁଣି ଆଶଙ୍କାରେ ସାର୍ ଙ୍କ ପାଖକୁ ଗଲି । "ଆସନ୍ତା କାଲି ଟଙ୍କା ନଦେଲେ ଫର୍ମ ପୂରଣ ହେଇ ପାରିବ ନାହିଁ ।" ଦୁଇଶହ ଟଙ୍କା ... ଭାବୁଥିଲି କହିଦେବି କି ସାର୍ ଙ୍କୁ ମୋର ଅସୁବିଧା । ଏଯାଏ ମନିଅର୍ଡର ଆସିନଥିବା, ମେସିଙ୍ଗ୍ ରେ ମିଲ୍ ବନ୍ଦ ହେଇଯାଇଥିବା ର କଥା । କିନ୍ତୁ ପାଟିରୁ ଶବ୍ଦଟିଏ ବି ଫିଟିଲାନି । " ହଁ ସାର୍ " କହି ବାହାରି ଆସିଲି । ଆଖି ଜକେଇ ଆସୁଥିଲା । ପକେଟ୍ ରେ ହାତ ପୁରେଇଲି... ରୁମାଲ୍ ଟା ବୋଧେ ଆଣିନି । " ଏଇ ନେ, ମୁହଁଟା ଟିକେ ଧୋଇଦେଇ ପୋଛିଦେ ।" ରୁମାଲ୍ ଟା ମୋ ହାତକୁ ବଢେଇ ଦେଇ କହିଲା ରମେଶ ।" ସମସ୍ତେ ଜବ୍ ( ଆମ ପ୍ରାକ୍ଟିକାଲ୍) ସାରିଲେଣି, ତୁ ବି ସାରିଦେ । କାଲି ପୁଣି ନୂଆ ଜବ୍ ମିଳିବ ।" ମୁହଁ ପୋଛି କାମରେ ଲାଗିପଡିଲି ।

ମାପଜୁପ ସବୁ ଭୁଲ୍ ହେଇ ଯାଉଛି । ଆସନ୍ତା କାଲି ଟଙ୍କା ନଦେଲେ ଫର୍ମ ପୂରଣ ହେଇ ପାରିବ ନାହିଁ । ମୁଁ ପରୀକ୍ଷା ଦେଇ ପାରିବିନି । ମୋର ସବୁ ସ୍ବପ୍ନ , ମୋ ପରିବାରର ସବୁ ଆଶା....କ'ଣ ହେବ ମୋ ଭବିଷ୍ୟତ ??? ସାଇରନ୍ ଟା ଗର୍ଜିଉଠିଲା । ପାଞ୍ଚଟା ବାଜିଲା, ଏବେ ଛୁଟି । ତରବର ହେଇ ଯନ୍ତ୍ରପାତି ସବୁ ଗୋଟେଇ ଜବ୍ ସହ ସାର୍ ଙ୍କ ପାଖରେ ଦାଖଲ କରି ନମସ୍କାର ମାରିବା ବେଳକୁ ସାର୍ ପୁଣି ମନେପକେଇ ଦେଲେ "ଆସନ୍ତା କାଲି ଟଙ୍କା ନଦେଲେ ଫର୍ମ ପୂରଣ ହେଇ ପାରିବ ନାହିଁ ।"

ସାରାଦିନର ଅକ୍ଳାନ୍ତ ଶ୍ରମ, ଅବସନ୍ନ ମନ ଆଉ ହାଲିଆ ପାଦକୁ ଘୋଷାଡ଼ି ଘୋଷାଡ଼ି ବାହାରିଲି ପୋଷ୍ଟ ଅଫିସ୍ । କାଳେ ମୋ ମନିଅର୍ଡର ପୋଷ୍ଟ ଅଫିସ୍ ରେ ଅଟକି ଯାଇଛି କି ! ଡାକବାଲା ମୋତେ ନ ପାଇ ଫେରି ଯାଇଛି କି ! କେବେ ତ ଏମିତି ହୁଏନି, ଯେତେ ଅସୁବିଧା ଥିଲେ ବି ଘରୁ ଟଙ୍କା ଆସେ ଠିକ୍ ସମୟରେ, ନିୟମିତ ବ୍ୟବଧାନରେ ଚିଠି ବି ଆସେ ।

ଗଲା ଚିଠିରେ ବାପା ଲେଖିଥିଲେ "ପରୀକ୍ଷା ଆସିଲାଣି,ମନଦେଇ ପଢୁଥିବୁ । ଘରକଥା ବେଶି ମନେ ପକେଇବୁ ନାହିଁ । ଏ ମାସ ଘରକୁ ଆସିବୁ ନାହିଁ, ପାଠପଢାରେ ବ୍ୟାଘାତ ହେବ । ଠିକ୍ ସମୟରେ ମନିଅର୍ଡର ଯିବ । " ଅନାଗତ ଆଶଙ୍କାରେ ଅଷ୍ଟାଙ୍ଗ ଶରୀର ପ୍ରକମ୍ପିତ ହେଉଥିଲା । ଆଉ କିଛିବାଟ ଗଲେ ପୋଷ୍ଟ ଅଫିସ୍ । ସେତିକି ବାଟ ଚାଲିବାକୁ ବଳ ପାଉନି । ଆଉଟିକେ ବିଳମ୍ବ ହେଲେ ପୋଷ୍ଟ ଅଫିସ୍ ବନ୍ଦ ହେଇଯିବ ।" କୁଆଡ଼େ ଯାଉଛୁ ? " ପଛରେ ରମେଶ । "ଆ' ମୋ ସାଇକେଲ୍ ରେ ବସ୍ ।" ଶରୀରରେ ପ୍ରାଣ ପଶିଗଲା । ମୋ ଛଳଛଳ ଆଖିକୁ ବୋଧେ ପଢିନେଲା, ବାଧ୍ୟରେ କହି ପକେଇଲି ମୋ ଅସୁବିଧା କଥା । ପୋଷ୍ଟ ଅଫିସ୍ ର ଫାଟକରେ ତାଲା । ଝର୍କାଟା ଖୋଲାଅଛି । ଭିତରେ ବୟସ୍କ ବାବୁ ଜଣେ ହିସାବରେ ବ୍ୟସ୍ତ । ବୋଧହୁଏ ପୋଷ୍ଟ ମାଷ୍ଟର । ଝର୍କା ଏପଟେ ଆମକୁ ଦେଖି କର୍କଶ କଣ୍ଠରେ ପଚାରିଲେ "ପୋଷ୍ଟ ଅଫିସ ବନ୍ଦ ହେଲାଣି, କୁଆଡେ ଆସିଛ ? " ମୋର ମନିଅର୍ଡର ଆସିଛି କି ? ଟିକେ ଦେଖନ୍ତେ । " ଡରିଡରି କହିଲି ମୁଁ । (୧୫ ବର୍ଷ ବୟସରେ ମୁଁ ଖୁବ୍ ଡରକୁଳା ଓ ଲାଜକୁଳା ଥିଲି।) "ମନିଅର୍ଡର ଆସିଲେ ପିଅନ ତୁମକୁ ଦେଇ ଆସିବ । ଦେଖିବାକୁ ସମୟ ନାହିଁ । ଯାଅ ।"

ନିରାଶାରେ ଫେରିଲୁ । ପ୍ରବଳ ଭୋକ, ଆଉ ସମ୍ଭାଳି ହେବନି । ପକେଟ୍ ରେ ସେହି ଦୁଇଟଙ୍କିଆ ନୋଟଟି, ମୋର ଶେଷ ସମ୍ବଳ । ରମେଶ କହିଲା " ଏଇ ପାଖ ବସ୍ତିରେ ଆମ ଘର, ଚାଲ୍ ଟିକେ ବୁଲିଆସିବୁ । ଜଳଖିଆ ଖାଇବାକୁ ମିଳିଯିବ ଏଇ ଲୋଭରେ ରମେଶ ଘରକୁ ଗଲି । ଝାଟିମାଟିର ଝୁମ୍ପୁଡି ଘରର ତାଲା ଖୋଲୁଖୋଲୁ କହଲା ରମେଶ, "ଗୋଟିଏ ଗାଡ଼ି ଧକ୍କାରେ ମୋ ବାପା ଚାଲିଯାଇଛନ୍ତି ମୋ ହେତୁ ହେବା ପୂର୍ବରୁ । ମୋ ମା ପାଖ ଓରିପ୍ଲାଷ୍ଟରେ ଦିନ ମଜୁରିଆ । ସଞ୍ଜ କୁ ଫେରିବ । ଖୁବ୍ କଷ୍ଟ ଲାଗୁଥିଲେ ବି ତା'କୁ ସାନ୍ତ୍ବନା ଦେବାକୁ ମୋର ଧୈର୍ଯ୍ୟ ନ ଥିଲା । ମୁଁ କେବଳ ଟଙ୍କା ଚିନ୍ତାରେ ଅନ୍ୟମନସ୍କ ଥିଲି । ମୁଢି ମିକ୍ସଚର୍ ଖୁଆଇ ମୋତେ ସାଇକେଲ୍ ରେ ଆଣି ଛାଡିଦେଇଗଲା ହଷ୍ଟେଲ୍ ରେ । "ଚିନ୍ତା କରନା, ଭଗବାନଙ୍କୁ ଡାକ, ସବୁ ଠିକ୍ ହେଇଯିବ ।" ମୋତେ ଆଶ୍ବାସନା ଦେଇ ଫେରିଗଲା । "ଆସନ୍ତା କାଲି ଟଙ୍କା ନଦେଲେ ଫର୍ମ ପୂରଣ ହେଇ ପାରିବ ନାହିଁ ।" କାନରେ ବାରମ୍ବାର ପ୍ରତିଧ୍ବନିତ ହେଉଥିଲା । ଭଗବାନଙ୍କୁ ସ୍ମରଣ କରୁକରୁ କେତେବେଳେ ଯେ ରାତି ପାହି ସକାଳ ହେଲା... ।

ବେଡ୍ ରୁ ଉଠିବାକୁ ବଳ ପାଉନି । ଆଜି କ୍ଲାସ୍ ଯିବାକୁ ବି ଇଚ୍ଛା ନାହିଁ । ଜଗନ୍ନାଥ ଅଧା ମିଲ୍ ଢାଙ୍କି ଦେଇ କ୍ଲାସ୍ କୁ ଗଲାଣି । ଏଗାରଟା ବାଜିଲାଣି । ମନିଅର୍ଡର ଆସିଲାନି, ଫର୍ମ ଫିଲପ୍ ହେଇ ପାରିବନି, ପରୀକ୍ଷା ଦେଇ ପାରିବିନି ... ଘରେ କିଛି ଅସୁବିଧା ଅଛି କି , କିଛି ଅଘଟଣ ଘଟିଛି କି ... !!!

"ତୁ ଏଯାଏ ବାହାରିନୁ ? ଏଇ ନେ , ତୋ ମନିଅର୍ଡର, ୨୦୦ ଟଙ୍କା । ପୋଷ୍ଟ ଅଫିସ୍ ବାଟ ଦେଇ ଆସିଲି, ତୋ ମନିଅର୍ଡର ଆସିଥିଲା, ନେଇଆସିଲି । ଚାଲ୍ ଫର୍ମ ଫିଲପ୍ କରିଦେବା ।" ଏକା ନିଶ୍ବାସରେ କହିଗଲା ରମେଶ । ତା'କୁ ଆଉ କିଛି ପଚାରିବାକୁ ସମୟ ନ ଥିଲା । ଦୁହେଁ ସାଙ୍ଗ ହୋଇ ଅଫିସ୍ ମୁହାଁ ଧାଇଁଲୁ । ବଡ଼ ବାବୁଙ୍କୁ ଟଙ୍କା ଧରେଇ ରସିଦ୍ ଆଉ ଫର୍ମ ନେଇ ଧାଇଁଲି ଓ୍ବାର୍କସପ୍ । ପଛରେ ଆସୁଥିଲା ରମେଶ ।

ଫର୍ମ ଅଧା ପୂରଣ କରିଛି, ପ୍ରିନ୍ସପାଲ୍ ଙ୍କ ପିଅନ ଭଗବାନ ଭାଇ ଦୌଡ଼ି ଦୌଡ଼ି ପଶିଗଲା ଆମ ସାର୍ ଙ୍କ ଚେମ୍ବର କୁ । ସାର୍ ଆଉ କିଛି ପିଲା ବ୍ୟସ୍ତ ହେଇ ଦୌଡ଼ିଲେ ଅଫିସ୍ ଆଡ଼େ । ମୁଁ କିଛି ବୁଝି ନ ପାରି ଫର୍ମ ପୂରଣରେ ମନୋନିବେଶ କଲି ।

"ପ୍ରିନ୍ସପାଲ୍ ଡାକୁଛନ୍ତି, ଶୀଘ୍ର ଅଫିସ୍ କୁ ଆସ ।" ଫର୍ମ ର ଶେଷ ଧାଡ଼ି ପୂରଣ କରୁକରୁ ଶୁଭିଲା ଭଗବାନ ଭାଇଙ୍କ ତାଗିଦ୍ ଭରା ସ୍ବର । ଏକ ଅଜଣା ଆଶଙ୍କାରେ ଭୟଭିତ ହେଇ କାରଣ ଜାଣିବାକୁ ଭଗବାନ ଭାଇଙ୍କୁ ଚାହିଁବା ବେଳକୁ ମୋ ହାତ ଧରି ଟାଣିଟାଣି ନେଇଗଲେ ମୋତେ ଅଫିସ୍ କୁ ।

ପ୍ରିନ୍ସପାଲ୍ ଙ୍କ ଅଫିସ୍ ରେ ପ୍ରିନ୍ସପାଲ୍, ଆମ ସାର୍ ଗମ୍ଭୀର ହୋଇ ବସିଥାନ୍ତି । ପାଖରେ ଜଣେ ମଧ୍ୟବୟସ୍କା ବିଧବା ମହିଳା, ରମେଶ ଠିଆ ହୋଇ କାନ୍ଦୁଥାଏ ଅପରାଧୀଟିଏ ଭଳି । "ଫର୍ମ ଫିଲପ୍ ଟଙ୍କା ତୁମେ କଉଠୁ ଆଣିଲ ?" ଗମ୍ଭୀର ସ୍ବରରେ ପ୍ରଶ୍ନକଲେ ସାର୍ । ମୋର ମନିଅର୍ଡର ଆସିଥିଲା ସାର୍ । ଗର୍ଜିଉଠିଲେ ପ୍ରିନ୍ସପାଲ୍ । "ମନିଅର୍ଡର ନୁହେଁ ବରଂ ରମେଶ ତୁମ ବୁଦ୍ଧିରେ ପଡ଼ି ତା ମା' ଙ୍କ ଅଗୋଚରରେ ଓରିପ୍ଲାଷ୍ଟ ର ଜଣେ କର୍ମଚାରୀଙ୍କୁ ତା' ସାଇକେଲ୍ ଟି ୨୦୦ ଟଙ୍କାରେ ବିକ୍ରି କରିଦେଇଛି । ତା' ମା ସାଇକେଲ ଚିହ୍ନି ଫେରସ୍ତ ନେବାକୁ ଆସିଛନ୍ତି ।" ହତବାକ୍ ହୋଇଗଲି ମୁଁ । ରମେଶ ଏମିତି କାହିଁକି କଲା ? ତା' ବାପାଙ୍କର ଏ ଅମୂଲ୍ୟ ସ୍ମୃତିକୁ ମୋ ଫର୍ମ ଫିଲପ୍ ପାଇଁ ବିକ୍ରି କରିଦେଲା ! ଆଉ ମୋ ସହ ଏମିତି ଅଭିନୟ ! ଖୁବ୍ କଷ୍ଟ ଲାଗିଲା ଆଉ ତା'ର ବନ୍ଧୁତ୍ବ ହୃଦୟ ପାଇଁ ମୋ ଛାତି କୁଣ୍ଢେମୋଟ ହୋଇଯାଉଥିଲା ।

ଏବେ କ'ଣ ହେବ ? ମୋ ପାଖରେ ତ ଟଙ୍କା ନାହିଁ, ଅଫିସ୍ ରେ ଦାଖଲ ଟଙ୍କା ଫେରସ୍ତ ଆଣିଲେ ମୁଁ ଫର୍ମ ଫିଲପ୍ କେମିତି କରିବି ? ରମେଶର ସାଇକେଲ୍ କୁ ଫେରସ୍ତ ଆଣିବାକୁ ହେବ, ମୋ ଫର୍ମ ଫିଲପ୍ ନ ହେଲା ନାହିଁ ।

ଆଗତ୍ୟା ରସିଦ୍ ଧରି ବଡ଼ ବାବୁଙ୍କୁ ଟଙ୍କା ଫେରସ୍ତ ପାଇଁ ଅନୁରୋଧ କଲି । ବହୁ କଷ୍ଟରେ ସେ ହଁ ଭରିଲେ । ଅଧା ପୂରଣ ହେଇଥିବା ଫର୍ମକୁ ଚିରିବାକୁ ଉଦ୍ୟତ ହେଉଥିବା ସମୟରେ କିଏ ଜଣେ ପଛରୁ ଡାକିଲେ । ତୁମେ ତନ୍ମୟ ? ତୁମର ଚିଠି ଆଉ ମନିଅର୍ଡର ଆସିଛି । ୫୦୦ ଟଙ୍କା ହାତରେ ଗୁଞ୍ଜି ଦେଇ ପୋଷ୍ଟମ୍ୟାନ୍ ଚାଲିଗଲା । ଚିଠିଟି ଖୋଲି ପଢ଼ିଲି । ଲେଖାଥିଲା, "ବାବୁରେ, ଟଙ୍କାଟା ତୋର ନିହାତି ଦରକାର । ଏତିକିରେ ଚଳି ଯିବାକୁ ଚେଷ୍ଟା କରିବୁ । ମନଲଗାଇ ପାଠ ପଢ଼ୁଥିବୁ । ପରୀକ୍ଷା ନ ସରିବାଯାଏ ଘରକୁ ଆସିବୁନି । ଆସନ୍ତା ମାସର ମନିଅର୍ଡର ଠିକ୍ ସମୟରେ ପହଞ୍ଚିବ ।" ଇତି ଘରଟା ଶୂନ୍ୟ ଥିଲା । ଅକ୍ଷର ବି ଅଚିହ୍ନା ଲାଗୁଥିଲା । ମନେ ପକେଇବାକୁ ଚେଷ୍ଟା କରୁଥିଲି, ପୋଷ୍ଟମ୍ୟାନ୍ ର ମୁହଁ ବି ଅଚିହ୍ନା ଅଚିହ୍ନା । ହାତରେ ୫୦୦ ଟଙ୍କା ଧରି ନିଜକୁ ପ୍ରଶ୍ନ କରୁଥିଲି, ୟେ କ'ଣ ସତରେ ଆମ ଘରୁ ଆସିଥିବା "ମନିଅର୍ଡର" ଟଙ୍କା ???


Rate this content
Log in

More oriya story from ABHAYA KUMAR PRADHAN

Similar oriya story from Inspirational