Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନିରୁଦ୍ଦିଷ୍ଟ ସଂପର୍କ
ନିରୁଦ୍ଦିଷ୍ଟ ସଂପର୍କ
★★★★★

© Niharika Mallick

Tragedy

10 Minutes   7.5K    21


Content Ranking

।###ନିରୁଦ୍ଦିଷ୍ଟ ସଂପର୍କ####

ଟ୍ରେନର ଗତି ସହ ତାଳ ଦେଇ ଗତିଶୀଳ ହେଉଛି ଦିପ୍ତିର ଭାବନା ।ସେ କଣ ଭୂଲ୍ କରୁଛି !!! ସମାଜ ତାକୁ ପଳାୟନପନ୍ଥୀର ଆଖ୍ୟା ଦେବନି ତ !! ହେଲେ କେତେଦିନ ସେ ସ୍ୱାମୀ, ସମାଜ ଓ ପରିବାରର ଦ୍ବାହି ଦେଇ ନିଜକୁ ଜାଳି ଚାଲିଥାନ୍ତା । ଏହା ଛଡ଼ା ଯେ ଆଉ କିଛି ଉପାୟ ନ ଥିଲା । ବିଭୂ ହୁଏତ ଉଠି ସାରିବେଣି ଓ ଚିଠିଟା ବି ତାଙ୍କ ହାତରେ ପଡି ସାରିଥିବ । କଣ ହେଉଥିବ ତାଙ୍କ ପ୍ରତିକ୍ରିୟା ? ସ୍ବାମୀ ଟିଏ ସବୁ ସହିପାରେ.. ହେଲେ ପତ୍ନୀ ର ପ୍ରତ୍ୟାଖ୍ୟାନ କୁ ନୁହଁ । ହଁ.... ସ୍ବାମୀ ...., ଅଧୀଶ୍ବର ଏ ଶରୀରର । ହେଲେ ମନର ! ସ୍ବାମୀମାନେ କଣ ମନର ବି ଅଧୀଶ୍ବର ହୋଇପାରନ୍ତି !..... ବୁଝି ପାରନ୍ତି କି ପତ୍ନୀ ର ମନତଳର ଅକୁହା ବ୍ୟଥାକୁ । ନା କେବଳ ସେତିକି ବୁଝନ୍ତି , ଯେତିକି ତାଙ୍କୁ ସୁହାଏ । ତା ନ ହୋଇଥିଲେ.. ବିଭୂ କଣ ତାକୁ ଭୁଲ ବୁଝିଥାନ୍ତେ ? ନାରୀଟିଏ ମାଆ ହେବାକୁ ଚାହେଁ.... ଯେଉଁ ପରିସ୍ଥିତିରେ ହେଉ ନା କାହିଁକି ।କିନ୍ତୁ କେବେ ବି ସେ ଇଚ୍ଛାଟି ସ୍ବାମୀଙ୍କ ସମ୍ମାନଠୁ ବଳି ଯାଏନି ।ସେମିତି ଏକ ଇଚ୍ଛାଟେ ଥିଲା ଦିପ୍ତୀ ମନରେ । ବିବାହ ର ୩ ବର୍ଷ ପରେ ବି ମାଆ ହୋଇ ନ ପାରିବାର ବ୍ୟର୍ଥତା ତାକୁ ତିଳତିଳ କରି ଜାଳୁଥିଲା । ସହରର ସବୁଠୁ ନାମୀ ଡ଼ାକ୍ତର ଙ୍କୁ ଦେଖାଇସାରିବା ପରେ ରିପୋର୍ଟକୁ ଈଶ୍ବରଙ୍କ ଆଜ୍ଞାମାଳ ପରି ଅପେକ୍ଷା କରିଥିଲା । କିନ୍ତୁ ତା ସ୍ଵପ୍ନର ମୀନାର୍ ସେଦିନ ଭୁଷୁଡି ପଡିଲା, ଯେତେବେଳେ ବିଭୂଙ୍କ କପ୍ ବୋର୍ଡ଼ ସଜାଡିବା ବେଳେ ରିପୋର୍ଟଟି ହାତରେ ପଡିଲା ।ମେଡିକାଲରୁ ରିପୋର୍ଟ ତେବେ ଆସିସାରିଲାଣି !!!! ହେଲେ ବିଭୂ ତାକୁ ମିଛ କାହିଁକି କହିଲେ !! ଥରଥର ହାତରେ ଛାତିରେ ଛାତିଏ ଆଶଙ୍କା ନେଇ ସେ ରିପୋର୍ଟଟି ଖୋଲିଲା । ଆଖି ଆଗରେ ଘନ ଅନ୍ଧାର ମାଡିଆସିଲା ଯେମିତି ।ବିଭୂଙ୍କ ସିମେନ୍ କାଉଣ୍ଟ୍ ଜିରୋ !!!! ତା ମାନେ ସେ ବାପା ହେବାକୁ ସଂପୂର୍ଣ୍ଣ ଅସମର୍ଥ !! ଓଃ !!!! ପଡିଯାଉ ଯାଉ ନିଜକୁ ସମ୍ଭାଳି ନେଲା ସେ ।ଏବେ କେବଳ ତା ନିଜକୁ ନୁହଁ.... ତାକୁ ଏବେ ସମ୍ଭାଳିବାକୁ ହେବ ତା ସଂସାରକୁ । ବିଭୂଙ୍କୁ । ସେ ନିଷ୍ପତ୍ତି ନେଲା.... ସେ ଜାଣିଛି ବୋଲି କେବେ ବି ବିଭୂଙ୍କୁ ଜାଣିବାକୁ ଦେବନି । ପୁରୁଷଟେ ପାଇଁ ଏହା ଠାରୁ ବଳି ଦୁଃଖର କଥା କଣ ହୋଇପାରେ ! ବିଭୂଙ୍କ ପ୍ରତି ଦୟା ନୁହଁ.. ମମତ୍ଵବୋଧରେ ଭରିଗଲା ତା ହୃଦୟ । ସଂକଳ୍ପ ନେଲା..ନିଜେ ନିଜ ଭିତରେ ଜଳିଜଳି ମରିବ ପଛେ, ବିଭୂଙ୍କ ଆଗରେ ନିଜ ବ୍ୟର୍ଥ ନାରୀତ୍ବର ଦୁଃଖକୁ କେବେ ବି ଅଜାଡି ଦେବନି ।ହେଲେ ସେ ଏକଣ ଦେଖୁଛି.....! ଆଉ ଏକ ଦୁଃଖ ର ପାହାଡ ତା ଉପରେ ଲଦି ହୋଇଗଲା ଯେମିତି । ଯେଉଁ ପ୍ରିୟ ପୁରୁଷ ପାଖରୁ ସେ ତାର ଚରମ ବିପର୍ଯ୍ୟୟର କାହାଣୀ ଲୁଚେଇବାକୁ ବସିଥିଲା.... ସେ ବିଭୂ ତା ଆଖି ଆଗରେ । ଅପମାନ ବୋଧରେ ମୁହଁ ଟା କଳାକାଠ ପଡ଼ି ଯାଇଛି । ରିପୋର୍ଟକୁ ଫିଙ୍ଗି ଦେଇ ଧାଇଁ ଗଲା ଦିପ୍ତୀ । ହୃଦୟର ସମସ୍ତ ଭଲପାଇବା ଦେଇ ଗଭୀର ଆଶ୍ଳେଷରେ କୁଣ୍ଢେଇ ପକେଇଲା ।

" ତୁମେ ଦୁଃଖ କରନି ..... ସନ୍ତାନ ସୁଖ ଜୀବନର ସର୍ବଶ୍ରେଷ୍ଠ ସୁଖ ହୋଇପାରେ ,କିନ୍ତୁ ସର୍ବଶେଷ ସୁଖ ନୁହେଁ ।ଆମେ ଦୁହେଁ ଦୁହିଁଙ୍କ ପାଇଁ ବଞ୍ଚିବା। ପରସ୍ପରର ସାହାରା ହେବା । ଏ ଦୁନିଆରେ ଥିବା ଅନେକ ନିସନ୍ତାନ ଦମ୍ପତି ଙ୍କ ପରି ଜଣେ ଅନ୍ୟ ଜଣର ଭରସା ରେ ଜୀବନ ଜୀଇଁଯିବା ।"

ବିଭୂ ନୀରବରେ ଯାଇ ପାଷାଣ ମୂର୍ତ୍ତି ପରି ବିଛଣାରେ ବସିଲେ। ଦିପ୍ତିର କୌଣସି କଥାର ତାଙ୍କ ପାଖରେ ପ୍ରତିକ୍ରିୟା ନ ଥିଲା ।ସାରାରାତି ନିଶବ୍ଦରେ ଝରିଚାଲିଥିଲା ଦୁହିଁଙ୍କ ଆଖିରୁ ଲୁହ ।ସକାଳଟା କିନ୍ତୁ ରାତିଠାରୁ ଆହୁରି ରହସ୍ୟମୟ ଥିଲା ।ହଠାତ୍ ବଦଳି ଯାଇଥିଲେ ଯେମିତି ବିଭୂ । ଦିପ୍ତୀର ହସହସ ମୁହଁ, ତାଙ୍କୁ ତାତ୍ସଲ୍ୟ କରୁଥିଲା ଯେମିତି । ତାର ପ୍ରେମଭରା କଥା ତାଙ୍କୁ ଦୟା ଦେଖେଇବା ପରି ଲାଗୁଥିଲା। ସକାଳର ଚା କପ୍ ଟି ନେବାବେଳେ ଦିପ୍ତିର ହସ ତାଙ୍କୁ ବିଷାକ୍ତ ମନେ ହୋଇଥିଲା । ଚା କପଟିକୁ ଟି'ପୟ୍ ଉପରେ କଚାଡି ଦେଇ ସେ ଚାଲି ଯାଇଥିଲେ। ସ୍ଥାଣୁ ହୋଇ ଠିଆ ହୋଇଥିଲା ସେ ।ବିଭୂଙ୍କ ର ଆଜି ଏ କି ବ୍ୟବହାର !! .....ମନ ଭଲ ନ ଥିବାରୁ.... । " ନିଜକୁ ନିଜେ ସାନ୍ତ୍ବନା ଦେଲା ।ଲଞ୍ଚ୍ ରେ ବିଭୂଙ୍କ ମନ ପସନ୍ଦର ଖାଇବା ସବୁ ବନେଇଲା ।ହେଲେ ଖାଇବା ଟେବଲ୍ ରେ ଏତେ ଗୁଡାଏ ଆଇଟମ୍ ଦେଖି ହଠାତ୍ ଉତକ୍ଷିପ୍ତ ହୋଇଉଠିଲେ ସେ ।

-----କଣ ଖୁସି ମନଉଛ ? ନିଜ ଜିତର ଓ ମୋ ହାରର !!??"

ଆକଶରୁ ଖସିପଡିଲା ସେ ।ଏ କି ପ୍ରକାର ମୋଡ଼ ନେଉଛି ତା ଜୀବନ !

----- ପ୍ଲିଜ୍.... ସେମିତି କୁହନି। ଆମ ଦୁହିଁଙ୍କର ହାରଜିତ୍ କଣ ଅଲଗା !! ତୁମ ସୁଖରେ ମୁଁ ସୁଖୀ ଓ ଦୁଃଖ ରେ ମୁଁ ଦୁଃଖୀ "

ତାତ୍ସଲ୍ୟରେ ହସିଉଠିଲେ ବିଭୂ ।

------ମନେ ମନେ ଖୁବ୍ ଖୁସି ହେଉଛ ନୁହଁ ? ତୁମ ସକ୍ଷମତାର ପ୍ରମାଣପତ୍ର ଆଜି ତୁମ ହାତରେ । ମୁଁ ଅକ୍ଷମ... ସମାଜ ଓ ତୁମ ଆଖିରେ ଉପହାସର ପାତ୍ର ।

କାନରେ ହାତ ଦେଇଦେଲା ଦିପ୍ତୀ।

------- ପ୍ଲିଜ୍.. ଏସବୁ ପାଗଳାମୀ ବନ୍ଦ୍ କର।ଏହା ଏକ ସମସ୍ୟା ନୁହଁ ।ଯଦି ଆମର ନିହାତି ସନ୍ତାନଟିଏ ଦରକାର, ପୋଷ୍ୟସନ୍ତାନଟିଏ ଗ୍ରହଣ କରିପାରିବା । ଏହା ଦ୍ଵାରା ଗୋଟେ ଦେବଶିଶୁକୁ ପରିଚୟ ମିଳିଯିବ ଓ ଆମକୁ ସନ୍ତାନ ସୁଖ ।

ଚିହିଁକି ଉଠିଲେ ବିଭୂ ।

---- ଚୁପ୍ କର ... ଏହାଦ୍ୱାରା ତୁମେ ଜଣେଇ ଦେବାକୁ ଚାହଁ ଯେ... ମୁଁ ଅସମର୍ଥ ପୁରୁଷ। ତାଛଡା ସେ ପିଲାଟିର ଉପସ୍ଥିତି ମୋତେ ସାରା ଜୀବନ କ୍ଷତାକ୍ତ କରି....ମୋ ଭିତରର ଅକ୍ଷମତାକୁ ପ୍ରମାଣିତ କରୁଥିବ ।

ଅଧାଖିଆ ଥାଳି ପାଖରୁ ଉଠିଗଲେ ସେ । ତାଙ୍କ ଯିବା ବାଟକୁ ବାଷ୍ପାକୂଳ ଆଖିରେ ଚାହିଁ ରହିଲା ଦିପ୍ତୀ ।ଦିନକୁ ଦିନ ବଦଳିଯାଉଥିଲେ ବିଭୂ । ଟିକେ ଟିକେ କଥାରେ ବିରକ୍ତିଭାବ ଓ ଚିଡ଼ଚିଡାପଣ ।ଆପଣାର ମଣିଷଟା ଧୀରେ ଧୀରେ ଅଚିହ୍ନା ହୋଇଉଠୁଥିଲା ଯେମିତି। କାର୍ଯ୍ୟ ର ଆଳ ଦେଖାଇ ସକାଳୁ ସନ୍ଧ୍ୟା ଯାଏଁ ବାହାରେ ସମୟ କାଟନ୍ତି ବିଭୂ । ଦିନେ ଦିନେ ରାତିରେ ବି । ଘରେ ଥିବା ସମୟରେ ଅଧରାତି ଯାଏଁ ଲାପଟପ୍ ଆଗରେ ବସିରୁହନ୍ତି। ଦିପ୍ତୀ ଅନୁଭବ କରେ... ଯେମିତି ଜାଣିଶୁଣି ସେ ଦୂରତା ରଖିବାକୁ ଚେଷ୍ଟା କରୁଛନ୍ତି। ନିଜ ଭିତରେ ଖୁବ୍ ଏକା ହୋଇଯାଏ ସେ...। ତା ଭୂଲ୍ କେଉଁଠି ସେ ବୁଝି ନ ପାରି ଅସହାୟ ହୋଇ ସହିଯାଏ।

************************

"ଗୁଡ଼୍ ଇଭିନିଂ ମ୍ୟାଡାମ୍....ଆଜି ଏତେ ଲେଟ୍!"

ହଠାତ୍ ଚମକି ପଡ଼ିଲା ସେ ।ଘରର ଖାଁ ଖାଁ ନିର୍ଜନତାରୁ ଟିକେ ଦୂରରେ ଶାନ୍ତି ରେ ନିଶ୍ୱାସ ମାରିବାକୁ ଏଇ କିଛି ଦିନ ହେବ....ଗୋଡ଼ କାଡିଛି ସେ ।ସହରର ଶେଷ ମୁଣ୍ଡରେ ଥିବା ଏକ ଛୋଟ ନଦୀପଠାକୁ ସେ ଆପଣାର କରି ନେଇଛି। ସୂର୍ୟ୍ଯାସ୍ତ ର କିଛି ସମୟ ପୂର୍ବରୁ ସେ ଆସି ପହଞ୍ଚି ଯାଏ ଏଠି।ସୁନ୍ଦର ନଦୀପଠା, ଥଣ୍ଡା ପବନ ଓ ଅସ୍ତଗାମୀ ସୂର୍ଯ୍ୟ ଙ୍କ କିରଣରେ ସେ ଭୁଲିଯାଏ ନିଜକୁ। ନୀଡ଼ ଫେରନ୍ତା ପକ୍ଷୀ ଙ୍କ କାକଳୀରେ ନିଜ ଜୀବନର ଶୂନ୍ୟତା ପାସୋରି ଯାଏ । ନଦୀ ତାର ଅତି ନିଜର। ପୂର୍ଣ୍ଣଗର୍ଭା ନୁହେଁ... କେବଳ ସରୁ ଧାରଟିଏ ପରି ବୋହିଯାଇଛି। ସତେ ଯେମିତି ଲୁହର ସରୁ ଧାରଟିଏ।ଅସ୍ତଗାମୀ ସୂର୍ଯ୍ୟ ଙ୍କ ଠାରୁ ସେ ଆସନ୍ତା କାଲି ପାଇଁ ବଞ୍ଚି ରହିବାର ପ୍ରେରଣା ପାଏ। ସେ ଲକ୍ଷ୍ୟ କରେ ଯୁବକଟିଏ....ଠିକ୍ ସେଇ ସମୟରେ ବାଇକ୍ ଧରି ନଦୀକୂଳକୁ ଚାଲିଆସେ ।ନଦୀ ବାଲିରେ ବସି ଗାରଉଥାଏ ।ତାର ଏ ପ୍ରକାର କାର୍ଯ୍ୟକଳାପ ଖୁବ୍ ମଜାଦାର ଲାଗେ ଦିପ୍ତୀକୁ। ନିଜର ଉଦାସ ଭାବକୁ ସେ ଭୂଲିଯାଏ।ଥରେ ଦୁଇ ଥର ଦେଖିବାପରେ, ଏଣିକି ସେ ଯୁବକଟି ତାକୁ ଆଉ ଅଜଣା ଲାଗେନି।ଦେଖାହେବା ମାତ୍ରେ ଟିକେ ହସିଦେଇ ଚାଲିଯାଏ। ହଠାତ୍ ନିଜ ଭିତରକୁ ଫେରି ଆସିଲା ସେ ।

------ହଁ.... ଶୁଭ ସନ୍ଧ୍ୟା।

ଆଜି କିନ୍ତୁ ପିଲାଟି ଆଉ ବାଲିରେ ନା ଲେଖିବାକୁ ଗଲାନି । ସେଇଠି ବସିଗଲା।

-------- ଆପଣ ବୋଧେ ହସିଲେ ଆଉ ଟିକେ ସୁନ୍ଦର ଦେଖାଯିବେ।

ତାର ଏ ପ୍ରକାର ପରିହାସରେ ଖୁସି ହୋଇପାରିଲାନି ଦିପ୍ତୀ। ତା ମନରେ ଯେ କେତେ ଦୁଃଖ.. ସେକଥା ଏ ଅଚିହ୍ନା ଯୁବକ ଟି ଜାଣିବ କେମିତି !!!

କଥାକୁ ସେଇଠି ସାରିବାପାଇଁ ସେ ହାଲକା ଭାବେ ହସିଦେଲା ।

------- ବାଧ୍ୟ ହୋଇ ହସିବା ଅପେକ୍ଷା ଆପଣଙ୍କ ମୁହଁ ର ସେ ଗମ୍ଭୀର ଭାବଟା ଭଲ ଥିଲା।

ବିରକ୍ତ ହୋଇ କିଛି କହିବା ପୂର୍ବରୁ,

-------ଦେଖନ୍ତୁ, ମୋତେ ଭୁଲ ବୁଝିବେନି । ସମସ୍ତଙ୍କ ଜୀବନରେ ସମସ୍ୟା ଆଦି ରହିଥାଏ। ତାକୁ ଭୂଲିବା ପାଇଁ ତ..ଜଣେ ଘରଠୁ ଦୂରେଇ ଏକାନ୍ତ ଖୋଜେ ।ଆଉ ସେଠି ବି ଯଦି ଆମେ.... ସମସ୍ୟା କୁ ସାଙ୍ଗରେ ନେଇ ଆସିବା..।ତେବେ ଘରେ ହିଁ ରହିବା ଭଲ।ତା ଛଡ଼ା ଦେଖନ୍ତୁ.... ଆପଣଙ୍କ ଗୁମସୁମ୍ ଭାବ ଏ ପରିବେଶ କୁ ବି ଗମ୍ଭୀର କରିଦେଇଛି।ଆଉ ଆପଣଙ୍କ ପାଇଁ ମୁଁ ବି ମୋ ପ୍ରେମିକା ର ନା ନଦୀକୁ କହିପାରିନି।

ଦିପ୍ତୀ ଏଥର ସତକୁ ସତ ହସି ପକେଇଲା । ବାକଚାତୁରୀ....! ଭିତରେ କଣ ଅଛି କେଜାଣି ? ଘରକୁ ଫେରି କାହିଁକି କେଜାଣି ପିଲାଟି କଥା ମନେ ପଡ଼ିଗଲା । କେତେ ସୁନ୍ଦର ଓ ସତ କଥାଟେ କହିଥିଲା ସେ...। ଆମ ନିଜ ମନର ମାନସିକ ସ୍ଥିତି ,ପାଖରେ ଥିବା ବ୍ୟକ୍ତି ଉପରେ ମଧ୍ୟ ପ୍ରଭାବ ପକେଇଥାଏ । ତା ଜୀବନରେ ଏବେ ସେୟା ହିଁ ତ ଘଟୁଛି।ବିଭୂଙ୍କ ଅଯଥା ବିରକ୍ତି ଓ ଚିଡ଼ଚିଡା ବ୍ୟବହାର ରେ ସେ ଅତିଷ୍ଠ ହୋଇପଡିଲାଣି ।

*******************

ନଈବାଲିରେ ଆରାମରେ ଗୋଡ଼ ଲମ୍ବାଇ ସେ ବସିଗଲା । ପିଲାଟି ଏ ଯାଏ ଆସିନି ନା କଣ ! ଦୁଇ ପଦ କଥାରେ କାହିଁକି କେଜାଣି ପିଲାଟି ଭଦ୍ର ମନେହେଉଛି ।

------ଆରେ , ଆପଣ ଆସିଗଲେଣି !!

-----ହଁ..,ହେଲେ ଆପଣ ଆଉ ସମୟ ନଷ୍ଟ ନ କରି ଯାଆନ୍ତୁ.... ନ ହେଲେ ନଦୀ ରାଗିବ ।

ହା..ହା କରି ହସିଉଠିଲା ପିଲାଟି ।

-------ଛାଡ଼ନ୍ତୁ, କାଲି ଲେଖିଦେବି । ଆଜି ମୋ ସହ ଗପିବାରେ କିଛି ଆପତ୍ତି ଅଛି ??

ଅପ୍ରସ୍ତୁତ ହୋଇଗଲା ଦିପ୍ତୀ । କଣ ବା ଗପାଯାଇପାରେ... ପିଲାଟି ସହ । ତା ଦ୍ବିଧାକୁ ଟିକେ ସହଜ କରିଦେଈ ପିଲାଟି କହିଲା ---"ଗପିବାକୁ ଟପିକ୍ ଖୋଜୁଛନ୍ତି ? ମୁଁ କିନ୍ତୁ ବିନା ଟପିକ୍ ରେ ଘଣ୍ଟା ଘଣ୍ଟା ଗପିଦେଇପାରେ ।

----- ବହୁତ ଭଲ କଥା । ଆପଣଙ୍କ ନା କଣ ?

---ଅଭିଷେକ ।

କିଛି ଜୀବନ, କିଛି ରୁଚି, ପସନ୍ଦ ନାପସନ୍ଦ ର ଅସଂଲଗ୍ନ ଗପ ଭିତରେ ଫେରିବା ସମୟ ହୋଇଯାଇଥିଲା।

*************************

ଏହା ଭିତରେ ବେଶ୍ କିଛି ଦିନ ବିତିଯାଇଥିଲା । ସଂପର୍କଟି ଆପଣରୁ ତୁମେ ଭିତରେ ପହଞ୍ଚି ସାରିଥିଲା। ବୋଧହୁଏ ଏକ ସୁନ୍ଦର ସଂପର୍କର ଆରମ୍ଭ ହୋଇସାରିଥିଲା । ସଂପର୍କଟିର ସଂଜ୍ଞା ବିଷୟରେ ସନ୍ଦିହାନ ଥିଲା ଦିପ୍ତୀ ।ଏବେ କିନ୍ତୁ ତାକୁ ନଦୀ କୂଳକୁ ଗଲେ ଆସିବାକୁ ଇଚ୍ଛା ହୁଏ ନି ।ଅଭି ସହ ଅଜସ୍ର ଗପିବାକୁ ମନହୁଏ। ଜୀବନ ଦର୍ଶନ , ମାନବୀୟ ପ୍ରକୃତି ଠାରୁ ଆରମ୍ଭ କରି ସାହିତ୍ୟ ରାଜନୀତି... ସବୁପ୍ରକାର ପ୍ରସଙ୍ଗରେ ଖୁବ୍ ସୁନ୍ଦର ଭାବରେ ବୁଝେଇଦେଇପାରେ ଅଭି ।୩୦/୩୨ ବର୍ଷୀୟ ଯୁବକ ନିକଟରେ ଏତେ ପରିମାଣରେ ପରିପକ୍ଵତା, ସଂପର୍କ ଓ ସମ୍ବନ୍ଧକୁ ବିଭିନ୍ନ ଦିଗରୁ ତର୍ଜମା କରିବାଦେଖି ଆଶ୍ଚର୍ଯ୍ୟ ହୁଏ ସେ । ମନେ ମନେ ଖୁବ୍ ତାରିଫ୍ କରେ ।

ଆଜିକାଲି କାହିଁକି ସେ ଅଭିକୁ ଆଉରି ନିକଟରେ ପାଇବାକୁ ଇଚ୍ଛା କରୁଛି !!! ପ୍ରତି ମୁହୂର୍ତ୍ତରେ ତା କଥା...ତା ମୁହଁ ମନେପଡୁଛି । ନିଜ ପ୍ରଶ୍ନରେ ସେ ନିଜେ ଚମକି ପଡିଲା। ଛି...ଛି!!! ଏସବୁ କଣ ସେ ଭାବୁଛି । ତା ମନରେ କଣ ଅଭି ପ୍ରତି ଦୁର୍ବଳତା ଅଛି !!!! ପ୍ରେମ ହେଉ ଅବା ଆକର୍ଷଣ... ଏସବୁ ଶବ୍ଦ ଯେ ତା ପାଇଁ ମନା । ସେ ବିବାହିତା ଓ ବିଭୂ ହିଁ ତାର ସବୁକିଛି। ହଠାତ୍ ମନେପଡିଗଲା......ଆଜି କାଲି ସେ ଷ୍ଟଡି ରୁମରେ ହିଁ ଶୋଇଯାଉଛନ୍ତି । ସେଦିନ ଏହାର କାରଣ ଚାହିଁବାରୁ...ସେ ସ୍ପଷ୍ଟ କରିଦେଇଥିଲେ ଯେ.... ସେ ଆଉ ଦିପ୍ତୀକୁ ସାମ୍ନାକରିବାର ସାହସ ଜୁଟାଇପାରୁ ନାହାନ୍ତି। ତାଙ୍କ ଅପାରଗତା ତାଙ୍କୁ ତିରସ୍କାର କରୁଛି ।ତେଣୁ ଦିପ୍ତୀ ଆଉ ତାଙ୍କ ପାଇଁ ନିଜ ଜୀବନକୁ ନଷ୍ଟ ନ କରି .... ନୂଆ ଜୀବନ ଆରମ୍ଭ କରୁ । ଏଥିପାଇଁ ସେ ଦିପ୍ତୀ କୁ ଆଇନସମ୍ମତ ଭାବରେ ଡିଭୋର୍ସ ଦେବାକୁ ମଧ୍ୟ ନିଷ୍ପତ୍ତି ନେଇସାରିଛନ୍ତି । ........

ସେଦିନ ଷ୍ଟଡିରୁ ବେଡରୁମକୁ ସେ କେମିତି ଆସି ଥିଲା ଜାଣେନି । କିନ୍ତୁ ମନେଅଛି..... ସାରାରାତି ତା ଆଖିରୁ ଲୁହ ଶୁଖି ନ ଥିଲା ଓ ସେ ଏ ଅଭିଶପ୍ତ ଜୀବନରୁ ମୁକ୍ତି ଚାହିଁ ଥିଲା । ଅଭି ପ୍ରତି ତା ମନର ଭାବନା.... ବିଭୂଙ୍କ ନିରାସକ୍ତ ଭାବର ଏକ ପ୍ରତିକ୍ରିୟା ନୁହେଁ ତ !!!! ନିଜକୁ ଖୁବ୍ ସମୀକ୍ଷା କଲା ସେ ଏବଂ ଦୃଢ଼ ନିଷ୍ପତ୍ତି ନେଲା ... କାଲିଠାରୁ ଭାବପ୍ରବଣତା ଠାରୁ ଦୂରରେ ରହିବ । ଶେଷ କଥା ଶୁଣେଇ ଆସିବ ତାକୁ । ନିଜର ଅନେକ ଚେଷ୍ଟା ସତ୍ତ୍ୱେ ଅନ୍ୟମନସ୍କତା ଓ ଉଦାସ ଭାବକୁ ଲୁଚେଇ ରଖିପାରିଲାନି ସେ । କେମିତି କେଜାଣି ମୁହଁ ପଢି ଅନ୍ତର ଚିହ୍ନି ନିଏ ଅଭି ।

---------କଣ ହୋଇଛି !! ମନାନ୍ତର ନା ମତାନ୍ତର ???

ଅନେକ ଦିନର ସ୍ତୂପୀକୃତ କୋହ...ଅସହାୟତା, ଗୋଟିଏ ପ୍ରଶ୍ନ ରେ କୂଳ ଲଙ୍ଘିଗଲା ଯେମିତି । ସବୁ ଶୁଣି ଏକ ଦୀର୍ଘଶ୍ବାସ ଟିଏ ନେଲା ଅଭି । ଅନୁଭବ କରି ପାରୁଥିଲା ନିଜ ଭିତରେ ଯନ୍ତ୍ରଣା। ପାଖରେ ବସି ଗୁମୁରି ଗୁମୁରି କାନ୍ଦୁଥିବା ନାରୀଟିକୁ ମନ ପୁରାଇ ଦେଖିଲା ସେ ।ସତରେ....କଣ ବା ଚାହେଁ ଦିପ୍ତୀ...! ଟିକେ ସାନ୍ନିଧ୍ୟ.. ଟିକେ ପ୍ରେମ ।

ହଠାତ୍ ଯେମିତି ସେ ପ୍ରେମିକଟିଏ ପାଲଟି ଯାଉଥିଲା। ଦିପ୍ତିର ଆଖି ଲୁହରେ ଦ୍ରବୀଭୂତ ହୋଇଯାଉଥିଲା ତାର ମନ ।ଦିପ୍ତୀ ର ହାତକୁ ନେଇ ନିଜ ପାପୁଲିରେ ଧରି ରଖିଲା ଗଭୀର ଆବେଗରେ ।ହାତର ସ୍ପର୍ଶ ରେ ସେ ଯେମିତି ଛୁଇଁ ଛୁଇଁ ଯାଉଥିଲା ତାର ସମଗ୍ର ସତ୍ତା କୁ ।ଉଭୟଙ୍କ ହାତର ଉଷ୍ମତା ଯେପରି ବିଶ୍ୱାସ ଓ ପ୍ରତିଶ୍ରୁତିଟିଏ ହୋଇ ସଞ୍ଚରି ଯାଉଥିଲା ଆତ୍ମାକୁ ।ଦିପ୍ତୀ ମୁହଁ ଟେକି ଚାହିଁଲା... ଅଭି ଆଖିରେ ଲୁହ!! ସତରେ କଣ ଲୁହ ବି ସଞ୍ଚରି ପାରେ ଜଣଙ୍କ ଆଖିରୁ ଅନ୍ୟ ଜଣଙ୍କୁ !! ନୀରବରେ ଉଠି ଚାଲି ଆସିଲା ସେ । ହେଲେ ସେ ଲୁହ ଢ଼ଳଢ଼ଳ ଆଖି ଦୁଇ ଟିକୁ ଭୂଲିପାରୁ ନ ଥାଏ ।ମନ୍ତ୍ରବତ୍ ଯାଇ ଗଡିପଡିଲା ବିଛଣାରେ।କଣ ସବୁ ଘଟି ଯାଉଛି ତା ଜୀବନରେ ।ବିବାହିତା ନାରୀ ଟିଏ ସ୍ବାମୀ ଭିନ୍ନ ଆଉ କାହାକୁ ପ୍ରେମ କରି ପାରେନା ।ଏହା ପାପ । ହେଲେ ମନ ତ ମନ ! ବିବାହିତା କି ଅବିବାହିତା କଣ !!ଠିକ୍ ଫୁଲ ପରି । ଥରେ ପବନର ଖୁସି ଖିଆଲ ପାଖରେ ନିଜକୁ ସମର୍ପି ଦେବା ପରେ....କେଉଁ ଦିଗକୁ ଢଳୁଛି ତାର ମାନେ କଣ !!!????

ଯୁକ୍ତି କରି ମନକୁ ବୁଝାଇଦିଆଯାଇପାରେ... ହେଲେ ବିବେକକୁ ନୁହେଁ। ପାପ-ପୂଣ୍ୟର ଦୋଛକିରେ ଆଜି ସେ ।

ଟ୍ରିଂ....ଟ୍ରିଂ

ହ୍ବାଟ୍ସଆପର ମେସେଜରେ ଅଭିର ମୁହଁ.......

### ଜାଣେନି, କାହିଁକି କେଜାଣି ଆଜି ଏଇ ମୂହୁର୍ତ୍ତରେ ମୁଁ ଅନୁଭବ କରୁଛି... ତୁମକୁ ମୁଁ ପ୍ରେମ କରେ । ଏହା ପଛରେ ତୁମ ପ୍ରତି ସହାନୁଭୂତି ଅଛି ବୋଲି ଭାବିବନି । ଅନେକ ସମୟରେ ଆମ ମନରେ ଲୁଚିଥିବା ଭାବନା ବିଷୟରେ ଆମେ ନିଜେ ଅଜ୍ଞ ଥାଉ ।ଆଜି ତୁମ ଆଖିରେ ଲୁହ ଦେଖି ଲାଗିଲା , ତୁମ ଜୀବନରେ ଏକ ଅଭାବବୋଧଟିଏ ଲୁଚି ରହିଛି। କିଛି ଟା ଅପୂର୍ଣ୍ଣତା ବା ଶୂନ୍ୟତା। ଟିକେ ସ୍ନେହ, ମମତା ଓ ଅନାବିଳ ପ୍ରେମର ଅଧୂରାପଣ ।ମୁଁ ତୁମ ଜୀବନରେ ପୂର୍ଣତା ଆଣିବାକୁ ଚାହେଁ । ମୋ ମନର ସବୁତକ ପ୍ରେମ ତୁମ ପାପୁଲିରେ ଭରି ଦେବାକୁ ଚାହେଁ।ଏଥିରେ ମୋର କିଛି ସ୍ବାର୍ଥ ଅଛି ବୋଲି ତୁମେ ଭାବିବନି । ଯଦି ଠିକ୍ ମୋତେ ଚିହ୍ନିପାରିଛ.... ତେବେ ଜାଣିଥିବ, ମୁଁ ଦେହଭୋଗରେ ବିଶ୍ଵାସ କରେନି। ମୁଁ ତୁମକୁ ଏକ ଅନାବିଳ ପ୍ରେମରେ ବାନ୍ଧିଦେବାକୁ ଚାହେଁ । ଆଶା କରୁଛି.. ମୋ ପ୍ରେମକୁ ସ୍ଵୀକାର କରିବ " ।***********************

ଆଖିରୁ ଝରିପଡୁଛି ଅବିରତ ଲୁହ । କଣ କରିବ ସେ !!! ଏ ପ୍ରହେଳିକାର ଅନ୍ତ କେଉଁଠି ?? ଗୋଟେ ପଟେ ବିଭୂଙ୍କର ଛାଡ଼ପତ୍ରର ନିଷ୍ପତି ଓ ଅନ୍ୟ ପଟେ ଅଭି । ସେ ଜାଣେ ଏ ସଂପର୍କ ଲୁହ ଛଡ଼ା ଆଉ କିଛି ଦେବନି । ଅଭିକୁ ସେ ପ୍ରେମ କରେ । ହେଲେ ନିଜ ପାଇଁ ଅଭି ର ଭବିଷ୍ୟତ କୁ, ଜୀବନକୁ ନଷ୍ଟ କରି ପାରିବନି ।"ପ୍ରେମ" କାହାପାଇଁ ଦୁର୍ବଳତା ନୁହଁ ବରଂ ପ୍ରେରଣାଦାୟୀ ଶକ୍ତି ହେବା ଆବଶ୍ୟକ। ସଂପର୍କର ଆଘାତରେ ହୃଦୟ କ୍ଷତାକ୍ତ ହେବା ପୂର୍ବରୁ ତାକୁ କିଛି ଗୋଟାଏ ନିଷ୍ପତ୍ତି ନେବାକୁ ହେବ ।

"""" ଆଦରର ବିଭୂ,

ମୋର ଅପର୍ଯ୍ୟାପ୍ତ ଭଲପାଇବା ନେବ ।କାରଣ ଏ ଜନ୍ମ ରେ ତୁମକୁ ଘୃଣା କରିବା ମୋ ପାଇଁ ସମ୍ଭବ ନୁହେଁ। ମୁଁ ଶତ ଚେଷ୍ଟା କରି ମଧ୍ୟ, ତୁମକୁ ମୋ ଭଲପାଇବା ବିଷୟରେ ବୁଝାଇପାରିଲିନି ।ମୁଁ ତୁମକୁ ବହୁତ ସମ୍ମାନ କରେ ।ତୁମର ସମର୍ଥତା ଓ ଅସମର୍ଥତା ଠାରୁ ଖୁବ୍ ଉର୍ଦ୍ଧ୍ବ ରେ ମୋର ତୁମ ପାଇଁ ପ୍ରେମ। ଯାହା କେବେ କମିନି କି କମିବନି ମଧ୍ୟ। ତୁମର ଛାଡ଼ପତ୍ରର ନିଷ୍ପତ୍ତିକୁ ମୁଁ ମାନି ନେଇ ପାରୁନି । କିନ୍ତୁ ତୁମ ସାମ୍ନାରେ ରହି ତୁମକୁ ଯନ୍ତ୍ରଣା ଦେବାକୁ ମଧ୍ୟ ଚାହୁନି।ଆଜି ତୁମଠାରୂ ଦୁରକୁ ଯାଉଛି...ସବୁ ଦିନ ପାଇଁ ନୁହଁ ।ଫେରିବାର ପ୍ରତିଶ୍ରୁତି ଦେଉଛି । ଅପେକ୍ଷା କରିବ।ଫେରିବି ନିଶ୍ଚୟ, କେବେ .. କହିପାରିବିନି ।କିନ୍ତୁ ତୁମେ ଖୋଜିବା ପୂର୍ବରୁ ଆସି ପହଞ୍ଚି ଯିବି ।

।। ରହିଲି ।।

ଚିଠିଟି ନେଇ ଖାଇବା ଟେବଲ ଉପରେ ରଖିଲା।

ଏବଂ ଶେଷରେ......

" ଆଦରର ଅଭି,

ମୋ ଅନ୍ତରର ସବୁତକ ପ୍ରେମ,ଭଲପାଇବା.....ମମତା...ସବୁକିଛି ତୁମ ପାଇଁ । ଏହା ଛଡ଼ା ତୁମକୁ ଦେବାକୁ ମୋ ପାଖରେ କିଛି ନାହିଁ । ହାୟ !! ପ୍ରେମିକ ମୋର !! ତୁମେ ଆସିଲ ମୋ ଜୀବନରେ , ମୋ ଭାଗ୍ୟ ।କିନ୍ତୁ ତୁମକୁ ପାଇ ବି ପାଇ ପାରିଲିନି... ମୋ ଦୁଃର୍ଭାଗ୍ୟ । ମନେ ଅଛି ? ଥରେ ପଚାରିଥିଲି.... ବିବାହ ପରେ ପ୍ରେମ କଣ ପାପ ???? କେମିତି ଜୀବନରେ ଜଣେ ଥାଉ ଥାଉ ଆଉ ଜଣେ ପଶିଆସେ !!"

ସେଦିନ ତୁମେ ବୁଝାଇଥିଲ..... ନାରୀ କିମ୍ବା ପୁରୁଷ... ବିବାହ ପୂର୍ବରୁ ନିଜ ସାଥୀର ଏକ କାଳ୍ପନିକ ଚେହେରା ଆଙ୍କିଥାନ୍ତି । ବିବାହ ପରେ ସମସ୍ତଙ୍କ ପାଖରେ ସବୁ କିଛି ଗୁଣ ମିଳିବା ସମ୍ଭବ ନୁହେଁ। ତଥାପି ମଣିଷ ବୁଝାମଣା କରେ ଓ ସାଥୀଟିକୁ ଭଲ ପାଇବସେ ।ସବୁପରେ ବି ମନତଳର କିଛି ଏକାନ୍ତ କୋମଳ ଅଂଶ ଶୂନ୍ୟ ରହିଯାଏ । ଆଉ କୌଣସି ପରିସ୍ଥିତିରେ ଯଦି ସେ ସେହି ଶୂନ୍ୟତା ର କାରଣ ଅନ୍ୟ ପାଖରେ ପୂର୍ଣ୍ଣ ହେବାର ଦେଖେ...ତେବେ ଢ଼ଳିଯିବା ସ୍ବାଭାବିକ। ଏହା ପାପ ନୁହେଁ ।

ଅଭି, ଆଜି ବି ତୁମ ହାତର ସ୍ପର୍ଶ ମୁଁ ଅନୁଭବ କରି ପାରୁଛି । ସେଇ କିଛି ମୁହୂର୍ତ୍ତ ର ଆତ୍ମୀୟତାରେ ମୁଁ ପୂର୍ଣ୍ଣ ହୋଇ ସାରିଛି।ତୁମେ ମୋତେ ପ୍ରେମିକାର ଅନୁଭୂତି ଦେଇଛ ।ତୁମ ପ୍ରେମ ପାଇ ମୁଁ ଧନ୍ୟ ।ହେଲେ ମୋ ପାଇଁ ତୁମ ଭବିଷ୍ୟତ ନଷ୍ଟ ହେଉ.... ଏକଥା ମୁଁ ଚାହେଁନା। ଆମ ସଂପର୍କ କୁ ଏ ସମାଜ କେବେ ବି ଭଲ ଦୃଷ୍ଟିରେ ଦେଖିବନି ।ଆମ ପ୍ରେମ କଳଙ୍କ ର ନାମ ନେବ...... ମୁଁ ସହିପାରିବିନି ।ଏଠି ରହିଲେ... ମୁଁ ନିଜକୁ ତୁମଠାରୁ ଦୂରେଇ ରହିପାରିବିନି ।ତେଣୁ ଆଜି ଦୂରକୁ ଚାଲିଯାଉଛି । ତୁମ ସ୍ପର୍ଶ ର ଅନୁଭବ... ତୁମ ପ୍ରେମ... ମୋ ଜୀବନର ପୁଞ୍ଜି ହେବ । ମୋତେ ବଞ୍ଚି ରହିବାକୁ ପ୍ରେରଣା ଦେଉଥିବ ।ତୁମେ ମୋ ଜୀବନ ର ଏକ ମଧୂର ଅଧ୍ୟାୟ ।ମୁଁ ତାକୁ ପ୍ରତି ମୂହୁର୍ତ୍ତରେ ମୋ ହୃଦୟରେ ଅନୁଭବ କରୁଥିବି । କିଛି ସଂପର୍କ ଜୀବନରେ ଗଙ୍ଗଶିଉଳୀ ର ଆୟୂଷ ନେଇ ଆସି ଥାନ୍ତି । ଯିବାପରେ ବି ସାରା ଜୀବନକୁ ମହକିତ ହେଉଥାଏ ।ଦୁଃଖ କରିବନି.... ମୁଁ ତୁମ ପ୍ରେମିକା ଥିଲି ଓ ରହିବି । ଜନ୍ମ ପରେ ଜନ୍ମ ପ୍ରତିଟି ଜନ୍ମରେ ତୁମକୁ ଦରଦୀ ପ୍ରେମିକଟିଏ ଭାବେ ପାଇବାକୁ ଚାହେଁ । ବଞ୍ଚିତ କରିବନି ।। ରହିଲି ।।।

ତୁମର ଆଜୀବନ ପ୍ରେମିକା

***********************

ଚିଠିଟିକୁ ଷ୍ଟେସନରୁ ଅଭି ର ଅଫିସ୍ ଠିକଣା ରେ ପୋଷ୍ଟ କରି .... ସିମ୍ ବାହାର କରି ଦୁଇ ଖଣ୍ଡ କରିଦେଲା ।

*********** ନିହାରୀକା*****

ସଂପର୍କ ପଳାୟନପନ୍ଥୀ ସମାଜ

Rate the content


Originality
Flow
Language
Cover design

Comments

Post

Some text some message..