Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Mohanty

Others

5.0  

Sasmita Mohanty

Others

ଅନୁଭୂତିରୁ ପଦେ

ଅନୁଭୂତିରୁ ପଦେ

4 mins
7.8K


ଆସନ୍ତା କାଲି ସକାଳୁ ଆମେ ପୁରୀ ଯିବୁ ବୋଲି ସ୍ଥିରକରି ସୁଲେଖା ମାଉସୀଙ୍କ ଘରେ ପହଞ୍ଚିଲୁ।ସୁଲେଖା ମାଉସୀ ମୋର ଦୂରସମ୍ପର୍କୀୟା ମାଉସୀ ହେଲେ ବି ମୋତେ ବହୁତ ଭଲପାଆନ୍ତି।ଆମ ଭିତରେ ସମ୍ପର୍କ ଖୁବ୍ ନିବିଡ। ସେ ମୋଠାରୁ ମାତ୍ର ପାଞ୍ଚ/ଛଅ ବର୍ଷ ବଡ ହେବେ।ସ୍ବଭାବରେ ଖୁବ୍ ଶାନ୍ତ ଓ ସ୍ନେହୀ ମଣିଷଟିଏ।କମ୍ ସମୟରେ ସମସ୍ତଙ୍କୁ ନିଜର କରିନିଅନ୍ତି,କିନ୍ତୁ ପ୍ରଚଣ୍ଡ ସ୍ବାଭିମାନୀ। ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ତାଙ୍କର ଅଟଳ ଭକ୍ତି।ଆମେ ଯେତେବେଳେ ପୁରୀ ଯାଉ ମଉସା ଆମ ସହ ଯାଆନ୍ତୁ କି ନାହିଁ, ମାଉସୀ କିନ୍ତୁ ଆଗତୁରା ବାହାରି ପଡନ୍ତି।ଏଥର କିନ୍ତୁ ପୁରୀ ଯିବା କଥା ଶୁଣି ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ଯକରି ମାଉସୀ ନାସ୍ତିବାଣୀ ଶୁଣେଇଲେ।ଯେତେ କହିଲେ ବି ରାଜି ହେଲେନି।ଅଗତ୍ଯା ମୁଁ କହିଲି କାଲି ଯିବା କଥା ବନ୍ଦ ହେଉ,ପରେ ସମସ୍ତେ ମିଶିକି ଯିବା।

ମୋ କଥା ଶୁଣି ମାଉସୀ ମୋ ହାତ ଧରି ରୋଷେଇଘରକୁ ନେଇଗଲେ ଓ କହିଲେ, ମିତୁ କାଳିଆ ଦର୍ଶନ ଭାଗ୍ଯରେ ଥିଲେ ମିଳେ।ତୁ ଯାଆ,ମୁଁ ଏଥର କଣ ଆଉ କେବେବି ପୁରୀ ଯିବିନି।

ମୁଁ କହିଲି ତୁମର କଣ ମୁଣ୍ଡ ଖରାପ ହେଲାଣି ପୁରୀ ଯିବାକୁ ମନା କରୁଛ ?

ସେ କାନ୍ଦ କାନ୍ଦ ହୋଇ କହିଲେ କାହିଁକି ଆଉ ପୁରୀ ଯିବି ? ମୋର ପରା କାଳିଆ ସାଙ୍ଗରେ କଟି ପଡିଛି।

ମୁଁ ହସିଲି, କାଳିଆ ସାଙ୍ଗରେ କଟି ! ସେ କଣ ତୁମ ସାଙ୍ଗ !!

ସାଙ୍ଗ କଣଲୋ, ସେ ପରା ମୋର ସବୁ କିଛି।ହଟିଆ କାଳିଆ ବଡଦେଉଳରେ ବସି ନାଟ ଲଗେଇଛି।ତାର ଦିନେକୁ ମୋର ଦିନେ।ସମସ୍ତେ ଆଜି ମତେ ଭୂଲ ବୁଝୁଛନ୍ତି।ଟିକିଏ ଟିକିଏ ଭୂଲବୁଝାମଣା ଯୋଗୁଁ ପରସ୍ପର ମଧ୍ଯରେ ସନ୍ଦେହ ଓ ଅବିଶ୍ବାସ ବୃଦ୍ଧି ପାଉଛି।ଘରେ ମଧ୍ଯ ଅଶାନ୍ତି ବଢୁଛି।ମୋ ଜାଣତରେ କିଛି ଦୋଷ ନକରି ମଧ୍ଯ ପରିବାର ଲୋକଙ୍କ ପାଖରେ ମୁଁ ଆଜି ଦୋଷୀ।ଏଇକଥା ମୋତେ ଭିତରେ ଭିତରେ କୋରି ଖାଉଛି।କେହି ନଜାଣିଲେ ବି ମୋ ମନକଥା ତାକୁ ତ ଅଜଣା ନୁହେଁ ?ଷାଠିଏ ପଉଟି ଖାଇ ସେ ବଡଦେଉଳରେ ବସି ଆନନ୍ଦ କରୁଛି।ସେ ଯଦି ମୋ କଥା ନବୁଝିଲା ମୁଁ କାହିଁକି ଆଉ ତା ପାଖକୁ ଯିବି ? ଯଦି ସବୁ ବୁଝାମଣା ଠିକ୍ ହୋଇଗଲା ମୁଁ ସପରିବାରେ ତା ଦର୍ଶନ କରିବି,ନହେଲେ ମରିବି ପଛେ ତା ସିଂହଦୁଆର ମାଡିବିନି।

କି କଥା କହୁଛ ମାଉସୀ! ସେ ପରା ଜଗତର ନାଥ ତା ଉପରେ ପୁଣି ଅଭିମାନ କରୁଛ ?ଏହା କହି ମୁଁ ଘରକୁ ଫେରି ଆସିଲି।

ମାସେ ପରେ ମାଉସୀ ଦିନେ ଫୋନ୍ କରି କହିଲେ, ତୁ ରାଗିଛୁ କି ମିତୁ,ତୋର କାହିଁକି ଆଉ ଦେଖା ଦର୍ଶନ ନାହିଁ ?ଟିକିଏ ରହି ପୁଣି କହିଲେ ଦୀପୁ,ବୋହୁ ଓ ବବ୍ଲୁ ଆସିଛନ୍ତି।ଆମେ କାଲି ସମସ୍ତେ ପୁରୀ ଯାଇଥିଲୁ।

ମୁଁ ଖୁସି ହୋଇଗଲି।ଯାହାହେଉ ମାଉସୀ ଜଗନ୍ନାଥଙ୍କ ଉପରେ ଅଭିମାନ ଭାଙ୍ଗି ଦର୍ଶନ କଲେ।ମୁଁ କାଲି ଯିବିବୋଲି କହି ଫୋନ୍ ରଖିଲି।

ତା ପର ଦିନ ତାଙ୍କ ଘରେ ପହଞ୍ଚି ଦର୍ଶନ କେମିତି ହେଲା ବୋଲି ପଚାରିବାରୁ ମାଉସୀ କହିଲେ ଆମେ କଣ ମନ୍ଦିର ଯାଇଛୁ ?ସବୁ ସେହି କାଳିଆର ଲୀଳାଲୋ, ମୁଁ ପୁରୀ ଯିବିନି ବୋଲି କହିବାରୁ ଦୀପୁ କହିଲା ତାହେଲେ ଆମେ କେହି ଯିବୁନି।ମଉସା ତ ରାଗିକି ନିଆଁ ବାଣ, ଆଉ କଣ କରିଥାନ୍ତି? ଗଲିସିନା ରାସ୍ତା ସାରା ଖାଲି କାଳିଆକୁ ମନେ ମନେ ଗାଳି ଦେଉଥାଏ।ହେଲେ ଦେଖେ ପୁରୀରେ ପହଞ୍ଚୁ ପହଞ୍ଚୁ ଗାଁରୁ ଫୋନ୍ ଆସିଲା ପୁତୁରାର ଝିଅଟିଏ ହୋଇଛି।ତେଣୁ ସେହି ବଡଦାଣ୍ଡରୁ ମୁଣ୍ଡିଆ ମାରି ସମୁଦ୍ର କୂଳ ବୁଲି କୋର୍ଣାକ ହେଇ ଫେରିଲୁ।

ପୁଣି କହିଲେ ଆମେ ପନ୍ଦର ଦିନ ପରେ ଦୀପୁ ପାଖକୁ କଲିକତା ଯାଉଛୁ।ତୁ ଗୋଟିଏ କଥା ମନେ ରଖ,ମୁଁ ମଲା ପୂର୍ବରୁ ଯଦି ସବୁକଥା ସମାଧାନ ହୋଇଗଲା,ଆମେ ସମସ୍ତେ ମିଶି ସାଙ୍ଗ ହୋଇ ବଡଦେଉଳକୁ ଯିବା,ନଚେତ ମୁଁ ମରିଗଲେ ବି ମୋ ଶବକୁ ସ୍ବର୍ଗଦ୍ବାର ନେବନାହିଁ।ଏଇଠି ଇଲେକ୍ଟ୍ରି ଚୁଲାରେ ପୋଡିଦେବ।ଜୀବଦ୍ଦଶାରେ ଯଦି କାଳିଆକୁ ଟିକେ ଦେଖି ନପାରିଲି ମଲାପରେ ଏ ଦେହଟାକୁ ପୁରୀ ନେଇଗଲେ କଣ ମୁଁ ସ୍ବର୍ଗକୁ ଚାଲିଯିବି ?

ମୁଁ କହିଲି ମାଉସୀ ! ଏମିତି କଣ କୁହନ୍ତି ?

ସେ ଉତ୍ତର ଦେଲେ, କେତେବେଳେ କୋଉକଥା,ମୁଁ ତୋତେ ସେତିକି ଭଲପାଏ ବୋଲି ସିନା ମୋ ମନକଥା ତୋ ଆଗରେ ଖୋଲିକି କହୁଛି।

ଏହା ଭିତରେ ଦୁଇ ମାସ ବିତି ଗଲାଣି। ମାଉସୀ ଓ ମଉସା ଦୀପୁ ପାଖରେ କଲିକତାରେ।ମଝିରେ ମଝିରେ ଫୋନ୍ ରେ କଥାବାର୍ତ୍ତା ହୁଏ।ଖାଇସାରି ଗଡୁଛି,ମାଉସୀ ଫୋନ୍ କଲେ, ମିତୁ ଏବର୍ଷ ରଥରେ ପୁରୀ ଯାଇଥିଲୁ ?

ନାହିଁ ମାଉସୀ,ଦେହ ଟିକେ ଭଲ ନଥିଲା।ତାଛଡା ଡ୍ରାଇଭର୍ ବି ଛୁଟିରେେ ଥିଲା। ତେଣୁ ଘରେ ବସି ଟିଭିରେ ରଥଯାତ୍ରା ଦେଖିଲି।ଏବର୍ଷ ଠାକୁରଙ୍କର ବରାଦ ନାହିଁ।

ସେ କହିଲେ ମୋତେ କିନ୍ତୁ କାଳିଆ ଡାକିଲା ଲୋ, ରଥ ଉପରେ ତିନି ଠାକୁରଙ୍କୁ ଦର୍ଶନ କଲି।

ତମେ ପୁରୀ ଯାଇଥିଲ ମାଉସୀ ?

ନାଁ ଲୋ,ଏଇ କଲିକତାରେ ମୁଁ କାଳିଆକୁ ଦେଖିଲି ରଥରେ। ରଥ ଆଗଦିନ ରାତିରେ ମୋ ମନ ଭାରି ଦୁଃଖ ହେଲା।ଆମେ ସାଙ୍ଗହୋଇ ପ୍ରାୟ ପ୍ରତିବର୍ଷ ପୁରୀ ଯିବା କଥା ମନେପଡିଲା।କହିଲି ହଉରେ କାଳିଆ ଯାହା ତୋ ଇଚ୍ଛା।କେତେଦିନ ଆଉ ଦେଖା ଦେବୁନି କିଏ ଜାଣେ ?ଦେଖାଯାଉ ଏ ଜନ୍ମରେ ଆମର କଟି ଫିଟୁଛି କି ନାହିଁ ?

ଏଥର ରଥଯାତ୍ରା ତ ରବିବାର ପଡିଥିଲା।ଦୀପୁର ଅଫିସ ଛୁଟି ଥାଏ।ସକାଳୁ ସକାଳୁ କହିଲା ଏଠି ଇସ୍କନ ମନ୍ଦିରରେ ଭଲ ରଥଯାତ୍ରା ହୁଏ।ଆଜି ସମସ୍ତେ ରଥ ଦେଖିବାକୁ ଯିବା।ତା କଥା ଶୁଣି ମୁଁ ଦ୍ବନ୍ଦରେ ପଡିଲି।ନିଜ ଅଭିମାନ ମୋ ବାଟ ଓଗାଳିଲା।ଏମିତିରେ ଦ୍ବିପ୍ରହର ହେଲା।ଭାତ ଖାଇସାରି ବିଶ୍ରାମ ନେଉଛି ହଠାତ୍ ବର୍ଷା ପବନ ମାଡି ଆସିଲା ଓ ବିଜୁଳି ଘଡଘଡି ମାରି ଖୁବ୍ ଜୋରରେ ବର୍ଷା ହେଲା।ମୁଁ ଖୁସି ହୋଇଗଲି,ଏଥର ରଥ ଦେଖିବାକୁ ଯିବା ବନ୍ଦ।କେତେବେଳେ ଆଖି ଲାଗିଯାଇଛି ଜାଣିନି।ସ୍ବପ୍ନରେ କାଳିଆ ଆସି କହୁଛି,"ଏତେ ଅଧୈର୍ଯ୍ଯ ହେଲେ ଚଳିବ ?କଥାରେ ଅଛି ପରା ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି।କାହିଁକି ଏତେ ଚିନ୍ତା କରୁଛୁ ?ସବୁ ଠିକ୍ ହେଇଯିବ,ତୁ ସିନା ଅଭିମାନ କରି ମୋ ଦେଉଳକୁ ଯାଉନୁ,ମୁଁ ପରା ସିଂହଦୁଆର ଟପି ରାସ୍ତା ଉପରକୁ ତୋତେ ଦେଖା କରିବାକୁ ଆସିଛି ତୁ ଆସିବୁନି ?"

ମୋ ନିଦଟା ଚାଉଁକିନା ଭାଙ୍ଗିଗଲା।ଆଖି ଖୋଲି ଦେଖିଲି ଆକାଶ ପୁରା ସଫା।ମେଘ ପବନର ନାଁ ଗନ୍ଧ ନାହିଁ।ଏତିକି ବେଳକୁ ବବ୍ଲୁ ଆସି କହିଲା,"ଜେଜେମାଆ ! ଶାଢୀ ପିନ୍ଧି ଜଲଦି ବାହାର ପାପା କହିଲେ ଆମେ ସମସ୍ତେ ରଥ ଦେଖିବାକୁ ଯିବା।"

କାଳିଆ ନିଜେ ଆସି ଡାକିଛି ଯେତେବେଳେ ନଯାଇ ମୋର ଆଉ ଗତି ଅଛି ? ଆମେ ସମସ୍ତେ ଯାଇ ରଥ ଉପରେ ଶ୍ରୀ ଜଗନ୍ନାଥ,ଶ୍ରୀ ବଳଭଦ୍ର ଓ ମାଆ ସୁଭଦ୍ରାଙ୍କୁ ଦର୍ଶନ କଲୁ।

ମାଉସୀଙ୍କ କଥାଶୁଣି ମୋ ହାତ ଦୁଇଟି ଆପେ ଆପେ ଲୀଳାମୟ ଜଗନ୍ନାଥଙ୍କ ଉଦ୍ଦେଶ୍ଯରେ ଯୋଡି ହୋଇଗଲା।

ସସ୍ମିତା ମହାନ୍ତି


Rate this content
Log in