Seetaram Dash

Tragedy


3  

Seetaram Dash

Tragedy


ମହିଆ କା

ମହିଆ କା

4 mins 587 4 mins 587

ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଚାରି କାନ୍ଥ କେବଳ ମୁଣ୍ଡ ଟେକିଛି ଭଗ୍ନ ଦୁର୍ଗ ଭଳି। ଅନାବନା ଗଛ ଲତା ଗୁଡିକ ମାଡି ଯାଇଛି ଅଧା କାନ୍ଥ ପାଖାପାଖି। ଗୋଟେ ଦୁଇଟା ବର ଗଛ ନିଜର କାୟା ବିସ୍ତାର କରୁଛନ୍ତି କାନ୍ଥର ଉପରି ଭାଗରେ। ପାଖପାଖି କୌଣସି ଘର ନାହିଁ। ଘର ଚାରି ପାଖ ଅଳିଆ ଆବର୍ଜନାରେ ଭର୍ତ୍ତି। ଅନେକ ବଣୁଆ କଦଳୀଗଛ ଲମ୍ବା ଲମ୍ବା ହୋଇ ବଢି ଯାଇଛନ୍ତି ଘର ଚାରିପଟେ। ଘରଟିକୁ ଦେଖି ଅଟକି ଯାଇଛନ୍ତି ତପନ ମହାନ୍ତି ଓରଫ ତପୁ।ମନଟା ବିକଳ ହୋଇ ଉଠିଛି, ଦୃଦୟ କାନ୍ଦି ଉଠିଛି। ହଜି ଯାଇଛନ୍ତି ଭାବନା ରାଜ୍ୟରେ।

ଆଜକୁ ପଚିଶ ବର୍ଷ ତଳେ କାକର ଭିଜା ବିଲର ଅଣଓସରିଆ ହିଡରେ ଆସନ୍ତି ଏ ଘରକୁ। କେତେ ଗହଳି ଚହଳି ଥିଲା ଏ ଘର। ଏ ଘରର ଉଚ୍ଚା ପିଣ୍ଡାରେ ମହିଆ କା ପୁରୁଣା ଚାଦର ଖଣ୍ଡେ ଘୋରି ହୋଇ ବସିଥିବେ। ତପୁକୁ ଦେଖୁ ଦେଖୁ ପିଢ଼ା ଖଣ୍ଡେ ଦେବେ ବସିବାକୁ। ବାରିର ପାଚିଲା ପିଜୁଳି, ପନିପରିବା ଆଉ ଅସରନ୍ତି ସ୍ନେହ ଆଦର ମିଳେ ଏଇ ଘରେ।ଯାହା ଏକ ଇତିହାସ ପରି ମନେ ହେଉଛି ଆଜି। ଖୁଡି ବି ଥିଲେ ଖୁବ ସ୍ନେହମୟୀ, ମମତାମୟୀ।

ଆଜକୁ ପଚିଶ ବର୍ଷ ତଳେ ତପୁ ଥିଲା ପଞ୍ଚମ ଶେଣୀର ଛାତ୍ର। ଚାଷବାସ, ପନିପରିବା ଆଉ ହଳ ପାଳରେ ପୁରି ଉଠୁଥିଲା ଘର। ପାଞ୍ଚ ଖଣ୍ଡ ଗାଁରେ ନାଁ ଥିଲା ଭଲ ଚାଷୀ ହିସାବରେ। ମହିଆ କା ଥିଲେ ତାଙ୍କ ଘରର କାମୁଆ।କାମୁଆ କହିଲେ ଭୂଲ ହେବ। ପରିବାରର ଜଣେ ସଦସ୍ୟ। ହଳ ଠାରୁ ଆରମ୍ଭ କରି ବିଲ ବଛା, ବେଉଷଣ, ଧାନ କଟା, ବେଙ୍ଗଳା,ପନିପରିବା ଚାଷ, ଇତ୍ୟାଦି ସମସ୍ତ କାମ ମହିଆ କା କରୁଥିଲା। ହଳ ସମୟରେ ବାଡ଼ି ଖଣ୍ଡେ ଧରିବା କେହି ଦେଖି ନାହାଁନ୍ତି। ବଳଦଙ୍କୁ ବାଡେଇବା ଦୂରର କଥା। ବଳଦ ଦୁଇଟି ତା କଥା ଅନୁସାରେ ଚାଲନ୍ତି। ବର୍ଷକ ବାରମାସ ମହିଆ କାମକୁ ଆସେ। ଯଦି କେବେ ନ ଆସେ ବାପା ତପୁକୁ ବଡି ଭୋରୁ ପଠାନ୍ତି ମହିଆ ଘରକୁ। ତପୁ ବି ଯାଏ ବଡ଼ ଆନନ୍ଦରେ କୁହୁଡି କାକରର ପରଦା କୁ ଚିରି ଚିରି।

ଘରର ଭଲ ମନ୍ଦ, ଓଷା ବାହାରେ ପ୍ରଥମେ ମହିଆ କାକୁ ଖୋଜାଯାଏ। ଘରେ କେହି ମହିଆ କୁ ନାଁ ଧରି ଡାକନ୍ତିନି। ବାପା ଡାକନ୍ତି ମହିଆ ଭାଇ ଆଉ ପିଲାମାନେ ଡାକନ୍ତି ମହିଆ କା। ବର୍ଷା ଦିନେ ବିଲ ବାଡ଼ି କାମ ନ ଥିଲେ ମହିଆ କା ଆସି ଦାଣ୍ଡ ପିନ୍ଧାରେ ନଡ଼ିଆ କତାରୁ ଦଉଡି, ବଳଦ ମାନଙ୍କ ପାଇଁ ପଘା, ତୁଣ୍ଡି, ଲଙ୍ଗଳ ଦଉଡି ତିଆରି କରେ। ତା ସହିତ ସୁନ୍ଦର ସୁନ୍ଦର କାହାଣୀ କୁହେ। ବାପାଙ୍କ ସହ ତପୁ ଆଉ ଅନ୍ୟ ଭାଇ ଭଉଣୀ ବସି ଆଗ୍ରହରେ ଗପ ଶୁଣନ୍ତି। ମହିଆ କା କେବେ କାମ ପାଇଁ ଟଙ୍କା ମାଗିବା କେହି ଶୁଣି ନାହାଁନ୍ତି। ବାପା ଯାହା ଖୁସିରେ ଦିଅନ୍ତି ଖୁସିରେ ନେଇ ଅଣ୍ଟାରେ ମାରନ୍ତି। ବେଳେବେଳେ ଟଙ୍କା ବଦଳରେ ଚାଉଳ ବି ଦିଆହୁଏ।

ମହିଆ କା ମାଛ ଧରିବାରେ ବେଶ ପାରଙ୍ଗମ। ତା ପୋଳୁହରୁ ମାଛ ଖସିବା ଏତେ ସହଜ ନୁହେଁ। ମହିଆ କା ଯେବେ ବି ମାଛ ଧରେ ସବୁଠୁ ବଡ଼ ମାଛକୁ ତପୁ ଘରେ ଆଣି ଦିଏ। ତା ସହିତ ତପୁ ପାଇଁ ବାଡ଼ି ପିଜୁଳି ଠୁ ନେଇ ବରକୋଳି, ଆମ୍ବ, କରମଙ୍ଗା, ତେନ୍ତୁଳି, ମହୁ ଯାହା ମିଲେ ଆଣି ଦିଏ। ଖୁବ ଭଲ ପାଏ ତପୁକୁ। ତପୁ ବେଳବେଳେ ମହିଆ କା ଅଣ୍ଟା କୁ ଧରି ଠିଆ ହୁଏ ମହି ଉପରେ। ତପୁ ବି ବହୁତ ଭଲପାଏ ମହିଆ କା କୁ।କାମ ସାରି ଫେରିବା ସମୟରେ ତପୁ ବାରିପଟେ ଚାହିଁ ରହେ ମହିଆ କା ଆଖି ଆଗରୁ ଆଦୃଶ୍ୟ ନ ହେବା ଯାଏଁ। ଆଉ ମନେ ମନେ ସ୍ଥିର କରେ ବଡ଼ ହେଲେ ବହୁତ ସାହାଯ୍ୟ ସହଯୋଗ କରିବ। ଅନେକ ଜିନିଷ ଆଣି ଦେବ ମହିଆ କା କୁ। ମହିଆ କାର ସବୁ ଅଭାବ ଅସୁବିଧା ଦୂର ହୋଇ ଯିବ।

ପ୍ରାୟ ସମୟରେ ବାପା ପନିପରିବା ଦିଅନ୍ତି ମହିଆ କା କୁ। ତପୁ ବାଛି ବାଛି ବଡ ବଡ ଆଳୁ, ପୋଟଳ, କଲରା ଆଣି ସେ ପରିବା ସହିତ ମିଶାଇ ଦିଏ। ବାପା ବୋଉ ବି ସବୁ ଜାଣନ୍ତି, ଆଉ ଖୁସି ବି ହୁଅନ୍ତି। ଯେତେ ଦେଲେ ବି ତପୁ ମନ ପୁରେ ନାହିଁ। ମନେ ମନେ ବାପାଙ୍କ ଉପରେ ବିଦ୍ରୋହ କରିଉଠେ। ମନେ ମନେ ଚିନ୍ତା କରେ ମହିଆ କା ତାର ଉପଯୁକ୍ତ ପାରିଶ୍ରମିକ ପାଉନି।

ପିଲାଦିନେ ବିଲବାଡିରେ ଛୋଟ ଛୋଟ କୁଡ଼ିଆ କରାଯାଏ ଫସଲକୁ ଜଗିବା ପାଇଁ। ରାତିରେ ବେଳେବେଳେ ଭୋଜି ହୁଏ ସେଇ କୁଡ଼ିଆରେ। ରୋଷେଇ ସରିବା ପରେ ମହିଆ କା ତପୁକୁ ଘରୁ ଡାକି ନିଅନ୍ତି। ନ ହେଲେ ତପୁ ପାଇଁ ତରକାରୀ ଭାତ ଆଣି ଘରେ ଦେଇ ଯାଆନ୍ତି।

ସମୟକ୍ରମେ ମହିଆ କା ହୋଇଯାଏ ବୃଦ୍ଧ। ଚାଷବାସ କରି ପାରେନି। ତା ପରେ ତପୁ ଘର ଚାଷବାସ ଭାଙ୍ଗିଯାଏ। ବଳଦ ବିକ୍ରି ହୋଇଯାଏ। ଘରର ଲକ୍ଷ୍ମୀ ଚାଲି ଯାଆନ୍ତି ଘର ଛାଡ଼ି। କିଛି ଦିନ ପାଇଁ ପୁଣି ଅଭାବ ଅନଟନ ଦେଖା ଦିଏ। ଧୀରେ ଧୀରେ ତପୁ ବି ବଡ଼ ହୋଇଯାଏ। ବଡ଼ ସହରରେ ବଡ ଚାକିରୀ କରେ।ସମୟ ଅତିବାହିତ ହୁଏ ନଦୀ ଜଳ ପରି।ଜୀବନ ହୋଇ ଯାଏ ବ୍ୟସ୍ତ ବହୁଳ, ସହରର ଚାକଚକ୍ୟ, ଚାକିରୀ ଜୀବନ ଭିତରେ ଭୁଲିଯାଏ ଗାଁ କୁ। ବର୍ଷେ ଦୁଇବର୍ଷରେ କେବେ କେମିତି ଆସେ। ଗାଁରେ ଦଶ ପନ୍ଦର ଦିନ କୁଆଡେ ଚାଲିଯାଏ ଜଣା ପଡେନି। ମହିଆ କାକୁ ଭୁଲି ଯାଏ ଧୀରେ ଧୀରେ।

ବୋଉ କହେ ତପୁର ଚାକିରୀ ହେବା ଶୁଣି ବହୁତ ଖୁସି ହୋଇଥିଲା ମହିଆ। ଗ୍ରାମ ଦେବତୀଙ୍କୁ ଗାଧୋଇ ଦେଇ ଥିଲା। କେତେ ଭୋଗ ରାଗ କରି ଘରେ ଆଣି ଦେଇଥିଲା।ସବୁବେଳେ ଆସିଲେ ତପୁର ଭଲ ମନ୍ଦ ପଚାରି ବୁଝେ।ଫେରିଲା ବେଳେ କହେ ସାନ ବାବୁଙ୍କୁ କହିବ ଘରକୁ ଟିକେ ଯିବେ। ଧନଟାକୁ କେତେ ଦିନ ହେବ ଦେଖିନି।

ମହିଆ କାର ଶେଷ ଜୀବନ ଥିଲା ଖୁବ ଦୁଃଖମୟ। ଦୁଇ ଝିଅଙ୍କ ବିବାହ ସରିଗଲା ପରେ ବୁଢା ବୁଢ଼ୀ ସମ୍ପୂର୍ଣ୍ଣ ବେସାହାରା ହୋଇ ଯାଇଥିଲେ। କାରଣ ସେମାନଙ୍କର ପୁଅ ନ ଥିଲା। ଝିଅ ଜ୍ୱାଇଁ ଅନେକ ଥର କହିଲା ପରେ ବି ସେମାନେ ଯାଇ ନ ଥିଲେ ଘର ଛାଡ଼ି।ଶେଷ ପର୍ଯ୍ୟନ୍ତ ନିଜ ସ୍ୱାଭିମାନକୁ ଜାବୁଡି ଧରି ରଖିଥିଲେ।

ତପୁର ମନ ଆଜି ବିକଳ ହୋଇ ଖୋଜୁଥିଲା ମହିଆ କାକୁ।ନିଜକୁ ଦୋଷୀ ମନେ କରୁଥିଲେ। ମନେ ମନେ ଭାବୁଥିଲେ ଫେରି ଆସନ୍ତାନି ପୁରୁଣା ଦିନ ସବୁ। ଟିକେ ସୁଜଗ ମିଳନ୍ତା ନି ସବୁ ସ୍ନେହ ମମତା କୁ ଫେରେଇ ଦେବାକୁ। ସତରେ କେତେ ସ୍ଵାର୍ଥପର ହୋଇ ଯାଉଛି ସେ। ବେସ୍ତତାର ବାହାନାରେ କେତେ ସହଜରେ ଏଡାଇ ଦେଉ ବର୍ଷ ବର୍ଷର ସମ୍ପର୍କକୁ। ଧନ ସମ୍ପତ୍ତି ପାଇଲା ପରେ କେତେ ସ୍ୱାର୍ଥପର ହୋଇଯାଉ ଆମେ। ଅନୁଶୋଚନା ଆଉ ଅନୁତାପରେ ଜଳୁଥିଲା ତପୁର ଦୃଦୟ। ଆଜି ବୁଝି ପାରୁଥିଲା ବାପା କେତେ ଉଦାର ଥିଲେ। କେତେ ମହାନ ଥିଲେ। ବାପାଙ୍କ ତୁଳନାରେ ନିଜେ କେତେ ଛୋଟ ଆଜି ବୁଝିପାରୁଥିଲା ତପୁ।


Rate this content
Originality
Flow
Language
Cover Design